Unknown

 

 

 

 

 

 

 

 

 

 

 

ବିନ୍ଦୁଏ ନିଆଁ

ବ୍ରଜମୋହନ ମହାନ୍ତି

 

 

 

 

 

 

 

 

 

ଗୀତା ଦର୍ଶନରେ ପରିବର୍ଦ୍ଧିତା

ବାଳିକା ଲୋପାମୁଦ୍ରା

ଓ ଚାର୍ବିକୀ ବାଳିକା ଚନ୍ଦ୍ରାବତୀ ।

ଦୁଇ ଦର୍ଶନର ଯୋଗସୂତ୍ରକାରୀ

ଅଧ୍ୟାପକ ହେମକାନ୍ତ......

 

ଘନୀଭୂତ ନିଷିଦ୍ଧ ଅନ୍ଧକାର...

 

ଏଇ ନିଷିଦ୍ଧ ଅନ୍ଧକାର ଭିତରେ ବସିଛି ଲୋପାମୁଦ୍ରା ।

 

ଆଃ..., କେଡ଼େ ଶୀତଳ, କେଡ଼େ କୋମଳ ସତେ ଏ ଅନ୍ଧକାର ? ଏଇ ଅନ୍ଧକାର, କୋମଳତାର ଅଙ୍ଗ ବିସ୍ତାର କରି ମଣିଷ ସହିତ କଥାବାର୍ତ୍ତା କରେ, ମଣିଷକୁ ବୁଝାଏ, ମଣିଷକୁ ମନାଏ ।

 

ସତେ ଅବା ଏଇ ଅନ୍ଧକାର ଲୋପାମୁଦ୍ରାର ଚିର ସହଚର ।

 

ଲୋପାମୁଦ୍ରା....

 

ଅକ୍ଷତ ସମ୍ପୂର୍ଣ୍ଣ ଯୌବନା ଲୋପାମୁଦ୍ରା...ସେ ଚାହେଁନା ଆଲୋକ...ସେ ଚାହେଁନା ମାନବିକତାର ଚରମ ସ୍ୱାଦ, ଦେହର ସ୍ୱାକ୍ଷର....ମାଂସର ଗନ୍ଧ । ସେ ଚାହେଁ ଏକ ଅନନ୍ତ ନିର୍ବେଦତା ମଧ୍ୟରେ ଲୀନ ହୋଇଯିବାକୁ ।

 

ଏଇ ସମାଜରେ....ଲୋପାମୁଦ୍ରା ଗୋଟିଏ ଉତ୍ତରହୀନ ପ୍ରଶ୍ନବାଚୀ, ଗୋଟିଏ ଯୁକ୍ତିହୀନ ଅଭିବ୍ୟକ୍ତି ।

 

ଲୋପାମୁଦ୍ରା....

 

ଅନ୍ଧକାରର ଏକ ଆତ୍ମବାଣୀ ।

 

ଅନେକ କଥା ଚିନ୍ତା କରୁଛି ଲୋପାମୁଦ୍ରା । ଗରମ ନିଃଶ୍ୱାସର ଏକ ଭୟାର୍ତ୍ତ ପ୍ରବାହ ମଧ୍ୟରେ ଲୋପାମୁଦ୍ରା କେବଳ ଆବିଷ୍କାର କରୁଛି ନିଜକୁ....ଅନୁଭବ କରୁଛି ନିଜର ସତ୍ତାକୁ ।

 

କିନ୍ତୁ...

 

ନାଁ...ଆଉ ଭାବି ପାରୁନି ଲୋପାମୁଦ୍ରା ।

 

ବିଲୋଳିତ କେଶର ଅନ୍ଧକାର ସହିତ ଆତ୍ମିକତା ରକ୍ଷା କରି ରାତିର ଅନ୍ଧକାର ଘନିଷ୍ଠ ଭାବେ ମିଶିଯାଇଛି ଏକ ହୋଇ । ଏ ଦୁଇଟି ଅନ୍ଧକାରକୁ ଅଲଗା ଅଲଗା କରିବା କଷ୍ଟସାଧ୍ୟ । ତଥାପି...

 

ତଥାପି ଅନେକ କିଛି ବିଗତ ଆଉ ଅନେକ କିଛି ଭବିଷ୍ୟତ କଥା ଚିନ୍ତା କରୁଛି ଲୋପାମୁଦ୍ରା । ଏଇ ତେବେ ବୌଦ୍ଧିକ ନିର୍ବାଣ ? ଏଇ ତେବେ ସଂଘର ଆତ୍ମକଥା ? କାହାପାଇଁ ହେମାକାନ୍ତର ଏତେ ମମତା ?...ଏତେ ସ୍ନେହ ? ଏତେ ଦରଦ ?

 

ଆଃ...., ନାଁ......ନାଁ...ହେମକାନ୍ତ ଆଲୋକର ସନ୍ତାନ, ଅନ୍ଧକାର ସହିତ ସେ ମିଶି ପାରିବ କି ।

 

‘‘ଲୋପାମୁଦ୍ରା !’’

 

‘‘କିଏ ?’’

 

‘‘ଏଁ, ତୁମେ କ‘ଣ ମୋତେ ଚିହ୍ନି ପାରୁନାହିଁ ଲୋପାମୁଦ୍ରା ?’’

 

‘‘ଅନେକ ସମୟରେ ମଣିଷ ଚିହ୍ନିବାକୁ ସ୍ୱର ହାରମାନେ ପରା ।’’

 

‘‘ମୁଁ ହେମକାନ୍ତ ଆସିଛି ଲୋପାମୁଦ୍ରା !’’ ହେମକାନ୍ତର ସ୍ୱର ସାମାନ୍ୟ ସ୍ପଷ୍ଟ ହୋଇଉଠିଲା ।

 

‘‘ହେମକାନ୍ତ !!’’ ଲୋପାମୁଦ୍ରାର କଣ୍ଠରେ ଏକ କରୁଣତାର ଝଙ୍କାର ।

 

‘‘କିନ୍ତୁ ଏ କ’ଣ ଲୋପାମୁଦ୍ରା ? ଏ ଅନ୍ଧକାର କୋଠରୀ ମଧ୍ୟରେ ନିଃଶବ୍ଦରେ ବସି ତୁମେ କ’ଣ ଭାବୁଛ ?’’ ହେମକାନ୍ତ କପାଳରେ ଅସଂଖ୍ୟ ପ୍ରଶ୍ନବାଚୀର ଜ୍ୱଳନ ।

 

...ନାଁ...ନାଁ....ମୁଁ ଭାବୁନି ହେମକାନ୍ତ, ତୁମେ ଚାଲିଯାଅ...ମୁଁ ନିଜକୁ ଖୁବ୍‌ ଭଲକରି ଚିହ୍ନିନିଏ,ନିଜକୁ ଖୁବ୍‌ ଭଲକରି ଦେଖିନିଏ ।

 

ହେମକାନ୍ତର ମୁଖମଣ୍ଡଳରେ ଏକ ବିଶ୍ଳେଷଣର ତରଙ୍ଗ ।

 

‘‘ଓ....ନିଜର ଫୁରନ୍ତ ଯୌବନକୁ ଦେଖିବା ପାଇଁ ମନରେ ଆଗ୍ରହ ଜନ୍ମିଛି ପ୍ରାୟ । ହିଁ...ନିଜକୁ ନିଜେ ଦେଖି ସନ୍ତୁଷ୍ଟ ହେବାର ବୟସ ବି’ ଆସେ । ବେଶ୍‌...ମନ ପୂରାଇ ନିଜକୁ ଦେଖିନିଏ । କିନ୍ତୁ ଏ ନିବିଡ଼ ଅନ୍ଧକାର ମଧ୍ୟରେ ତ’ ତୁମେ ତୁମକୁ ଦେଖି ପାରିବନି ଲୋପାମୁଦ୍ରା ।’’

 

ସେହି ଅନ୍ଧକାର ମଧ୍ୟରେ ଥାଇ କରି କରି ହୋଇ ହସିଉଠିଲା ଲୋପାମୁଦ୍ରା । ବିଦ୍ରୂପ କରି କହିଲା—‘‘ନାଁ...ନାଁ...ତୁମେ ଭୁଲ୍‌ କହୁଛି ହେମକାନ୍ତ ! ଲୋପାମୁଦ୍ରା । ଯେ ସହସ୍ର ସୂର୍ଯ୍ୟଠାରୁ ତେଜୋମୟୀ...ସହସ୍ର ଚନ୍ଦ୍ରଠାରୁ ଜ୍ୟୋତିମତୀ । ଅନ୍ଧକାର କ’ଣ ତା’ର ସୌନ୍ଦର୍ଯ୍ୟକୁ ବନ୍ଦୀ କରି ପାରିବ ?’’

 

ହେମକାନ୍ତର ମନ ଭିତରେ ସଂଖ୍ୟାଧିକ ବୃଶ୍ଚିକର ଦଂଶନ । ଅସ୍ଥିର ହୋଇ ହେମକାନ୍ତ କହିଲା—‘‘କିନ୍ତୁ ।’’

 

ରୁଦ୍ର ବେଗରେ ଯୁକ୍ତି ଭିତରକୁ ଝାମ୍ପ ଦେଇ ଲୋପମୁଦ୍ରା କହିଲା—‘‘ନାଁ...ନାଁ..ତୁମକୁ ମୁଁ ଆଘାତ ଦେଉନି ହେମକାନ୍ତ, କେବଳ ତୁମ କଥାର ଉତ୍ତର ଦେଉଛି । ତୁମେ ପର ଦିନେ ମୋତେ କହୁଥିଲ—ମୁଁ ସୂର୍ଯ୍ୟଠାରୁ ତେଜିୟାନ୍‌, ଚନ୍ଦ୍ରଠାରୁ ଜ୍ୟୋତିବାନ୍‌...ହେଲେ ଦେଖୁଛି ତ’...ଆଜି ସାମାନ୍ୟ ଏ କୋଠରୀର ଅନ୍ଧକାର ମଧ୍ୟରେ ମୁଁ ବନ୍ଦିନୀ ।’’

 

ଏଥର ଉତ୍ତ୍ୟକ୍ତ ହୋଇ ପଦଚାରଣ କରୁଛି ହେମକାନ୍ତ । ‘‘ଆଃ, ସବୁ କଥାରେ କେବଳ ପ୍ରତିବାଦ କଲେ ହୃଦୟର ଦିଆ ନିଆ ହୋଇପାରେ ନାହିଁ ଲୋପାମୁଦ୍ରା । ହୃଦୟ ଏଇ ମହାନ୍‌ ଆତ୍ମିକତାର କେନ୍ଦ୍ରଭୂମୀ । ଏକ ମହାନ୍‌ ମାନବିକତାର ପୀଠସ୍ଥଳୀ ।’’

 

ପ୍ରତିବାଦ କରୁଛି ଲୋପାମୁଦ୍ରା...

 

‘‘ମିଛ କହିଲ ହେମକାନ୍ତ । ଆଲୋକର ଝଲକରେ ଯେତେବେଳେ ମୋର ଗୌର ମାଂସପେଶୀ ଉପରେ ଲଘୁ ତରଙ୍ଗ ସୃଷ୍ଟି ହୁଏ, ସେତେବେଳେ ତୁମେ କ’ଣ ଆତ୍ମିକତାକୁ ବିଶ୍ଳେଷଣ କର ? ନାଁ...ନାଁ...ତୁମେ ମାଂସ ପାଇଁ ବିଳାପ କରିଉଠ । ଆଜି ସେହି ମାଂସର କ୍ଷୁଧା ପାଇଁ ତୁମେ ତୁମର ଯୁକ୍ତି ବାଢ଼ୁଚି । କିନ୍ତୁ ଥରେ ଚିନ୍ତାକର ହେମକାନ୍ତ । ଏଇ ଅନ୍ଧକାର ଦେହରେ..ତୁମେ ଯଦି ମୋତେ ମାଂସକୁ ଦଳି ଚକଟି ପକାନ୍ତ—ତେବେ କ’ଣ ଆତ୍ମିକତାର ଚରମ ସୀମାରା ପହଞ୍ଚି..ସନ୍ତୋଷ ଲାଭ କରନ୍ତ ନି ? କୁହ..ପୁଣି ଚୁପ୍‌ ରହିଲା କାହିଁକି ?’’

‘‘କିନ୍ତୁ’’...ମୁହଁ ବୁଲାଉଛି ହେମକାନ୍ତ ।

‘‘ମୁ ଜାଣେ..ତୁମେ ମୋତେ ଭଲ ପାଅ । କାରଣ ମୋ ମାଂସର ବର୍ଣ୍ଣିଳ ଗଂଧ ଅନେକ ମଣିଷଙ୍କୁ ବିମୋହିତ କରିପାରିଛି ।’’

‘ଲୋପାମୁଦ୍ରା‘ !! ହେମକାନ୍ତର ହୃଦୟ ମଧ୍ୟରେ ଏକ ରୁଦ୍ର କାରୁଣ୍ୟର ଶୀତ୍‌କାର ।

‘‘ଅସ୍ଥିର ହୁଅନି ହେମକାନ୍ତ ଯେଉଁ ମାଂସ,ପଚି ସଢ଼ି ମାଟିରେ ମିଳାଇ ଯାଏ, ସେହି ମାଂସ ମଧ୍ୟ ମଣିଷ ସୃଷ୍ଟି କରି ଗୋଟାଏ ନୂତନ ଦୁନିଆଁର ସ୍ୱପ୍ନ ଦେଖାଏ ।’’

ପ୍ରକୃତିସ୍ଥ ହେଉଛି ହେମକାନ୍ତ.... ।

‘‘ବାଜେ ଯୁକ୍ତି କରନି ଲୋପା ! କୁହ...ବିଜୁଳି ବତୀର ସୁଇଚ୍‌ଟା କେଉଁଠି କୁହ ?’’

‘‘ଓ...ତୁମେ ଭାବୁଛ,ବାରିଷ୍ଟର ଶାନ୍ତନୁଙ୍କର କନ୍ୟା ଲୋପାମୁଦ୍ରାର କୋଠରୀରେ ନିଶ୍ଚୟ ବିଜୁଳି ସୁଇଚ୍‌ଥିବ । ଏଇତ ? କିନ୍ତୁ ମୁଁ ପରା ପ୍ରଥମରୁ କହିଛି ହେମକାନ୍ତ, ମୁଁ ଏକ ଅଂଧକାରର ଶିଶୁ ।’’

 

‘‘ଛଳନା କରନି ଲୋପାମୁଦ୍ରା ! କୁହ—ସୁଇଚ୍‌ଟା କେଉଁଠି କୁହ ?’’ ହେମକାନ୍ତର ସ୍ୱରରେ ଦୃଢତା ।

 

‘‘ଅବିଶ୍ୱାସ କରନି ହେମକାନ୍ତ ।’’

 

‘‘ଆଃ–ତ—ମକୁ କ’ଣ ବାଜେ ଯୁକ୍ତି କରିବାକୁ ଖୁବ୍‌ଭଲ ଲାଗୁଛି ଲୋପାମୁଦ୍ରା ?’’

 

ଲୋପାମୁଦ୍ରାକୁ ବୁଝିବା ପାଇଁ ହେମକାନ୍ତର ସମୟ ନ ଥିଲା । ହେମକାନ୍ତ ଖୋଜୁଥିଲା ଲୋପାକୁ...ଖୁବ୍‌ନିକଟରେ...ଅତି ନିକଟରେ.... । ଯେଉଁଠି ମଣିଷର ସମସ୍ତ ଆତ୍ମିକତା ହାର ମାନିଯାଏ ।

 

ସାମୁଦ୍ରିକ ଜୀବ ଭଳି ଲୋପାମୁଦ୍ରାର ଛାତି ଭିତରେ ଯେଉଁ କୁମାରୀତ୍ୱ ଚିତ ପହଁରା ହେଉଛି....ହେମକାନ୍ତ ନୋଳିଆ ସାଜି ତାକୁ ବନ୍ଦୀ କରିବାକୁ ଚାହେଁ....ତାକୁ ନିଜର କରିବାକୁ ଚାହେଁ-

 

ସେଥିପାଇଁ ଆବେଦନ କରୁଛି ହେମକାନ୍ତ । ଅପେକ୍ଷା କରିବାକୁ ଧୈର୍ଯ୍ୟ ନାହିଁ । ଯୁକ୍ତି କରିବାକୁ ସମୟ ନାହିଁ । ଲୋପାମୁଦ୍ରାର ଉଦ୍ଧତ ଯୌବନର ଗ୍ରାହକ ସେ— ।

 

ପକେଟରୁ ଦିଆସିଲି କାଢ଼ୁଛ ହେମକାନ୍ତ । କେବଳ ଥରକ ପାଇଁ ସେ ଦେଖିନେବ ଲୋପାମୁଦ୍ରାର ଗୌର ଅଙ୍ଗରାଗ ।

 

ସହସ୍ର ଅଗ୍ନିର ସ୍ଫଲିଙ୍ଗ ଧରି ଜଳିଉଠିଲା ଦିଆସିଲଟିର କାଠ ।

 

ହଠାତ୍‌ ଚିତ୍କାର କରି ଟେବୁଲ୍‌ ଉପରେ ଆଉଜି ପଡ଼ିଲା ଲୋପାମୁଦ୍ରା । ଅଙ୍ଗ ପ୍ରତ୍ୟଙ୍ଗରେ ମ୍ଳାନ ମାନବିକତାର ଶୋଭାଯାତ୍ରା ।

 

‘‘କ’ଣ ହେଲା ? କ’ଣ ହେଲା ଲୋପାମୁଦ୍ରା ?’’

 

ସମୟକୁ ଅପେକ୍ଷା ନ କରି ବିଜୁଳିବତୀର ସୁଇଚ୍‌ଟାକୁ ମଧ୍ୟ ଟିପି ଦେଇଛି ହେମକାନ୍ତ ।

 

କମ୍ପି ଉଠୁଛି ଲୋପାମୁଦ୍ରା ।

 

‘‘ବିଜୁଳି ବତୀଟା ବନ୍ଦ କରିଦିଅ....ବନ୍ଦ କରିଦିଅ ହେମକାନ୍ତ ! ଦୀର୍ଘଦିନ ହେଲା ସେ ବତୀଟାକୁ ମୁଁ ବିଶ୍ରାମ ନେବାପାଇଁ ଛାଡ଼ି ଦେଇଥିଲି । ସେ ମୋର ଶତ୍ରୁ । ...ଏଇ ବତୀଟା ଜଳିଲେ ସେ ପୁଣି ଆସିବ । ମୋତେ କୈଫିୟତ୍‌ମାଗିବ, ମୋର ଅନୁରୋଧ ରକ୍ଷାକରି ତୁମେ ବତୀଟା ବନ୍ଦ କରିଦିଅ ହେମକାନ୍ତ ! ମୋର ଏକାନ୍ତ ଅନୁରୋଧ ତୁମେ ରକ୍ଷାକର ।’’

 

‘‘କିଏ ଆସିବ ଲୋପା ?ତୁମେ କାହା କଥା କହୁଛ ? ଏ କ’ଣ ? ତୁମେ ଆଖି ବନ୍ଦ କରି ରଖିଛି କାହିଁକି ?’’

 

‘‘ଶତ୍ରୁ...ମୋର ଶତ୍ରୁ...କୁମାରୀ ଲୋପାମୁଦ୍ରାର ଶତ୍ରୁ’’...

 

‘‘ଲୋପା ।’’ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ହେମକାନ୍ତ ।

 

ଅନ୍ଧ ଭଳି ଆଖି ବୁଜି ଲୋପାମୁଦ୍ରା । କହିଲା—‘‘ଲକ୍ଷ୍ୟକର, ଠିକ୍‌ ମୋର ସାମନା କାନ୍ଥକୁ ଲକ୍ଷ୍ୟକରି ହେମକାନ୍ତ । ହଁ...ଠିକ୍‌ ଅବିକଳ ସେମିତି ସେ ହସୁଛି, ସେ କଥା କହୁଛି, ସେ ଚାଲୁଛି ।’’

 

କ୍ରମେ ଅସ୍ଥିର ହୋଇ ଉଠୁଥିଲା ହେମକାନ୍ତ । ଲୋପାମୁଦ୍ରାର ପାଖକୁ ଲାଖିଆସି କହିଲା–‘‘କିଏ ? କାହ କଥା ତୁମେ କହୁଛି ଲୋପା ?’’

 

‘‘ତୁମେ ଦେଖି ପାରୁନାହିଁ ? ତୁମେ ଦେଖି ପାରୁନାହଁ ହେମକାନ୍ତ ? ଅନେକ ଦିନ ହେଲା..କାନ୍ଥାର ଠିକ୍‌ ଏଇ ସ୍ଥାନରେ ହିଁ ମୁଁ ତାକୁ ବନ୍ଦୀ କରି ରଖିଛି ।’’

 

ଏଥର ନିଜକୁ ନିଜେ ମଧ୍ୟ ବୁଝିବାରେ ଭ୍ରମ କରୁଛି ହେମକାନ୍ତ । ତଥାପି ଲେପାମୁଦ୍ରାକୁ ବୁଝିବାକୁ ଚେଷ୍ଟା କରୁଛି ସେ । ଶେଷରେ ବୁଝିବାକୁ କରି ହେମକାନ୍ତ କହିଲା–‘‘କିଏ କାହିଁ ଲୋପା-? ଏଇଟା ଯେ ସିମେଣ୍ଟ କାନ୍ଥଟା ।’’

 

ନିର୍ବିକାର ଭାବରେ ନିଜର ଟେବୁଲ ଉପରକୁ ଆଉଜିପଡ଼ି କହିଲା ସେ–’’ତୁମେ ଦେଖି ପାରୁନାହିଁ ହେମକାନ୍ତ ? ତେବେ ତୁମେ ଅନ୍ଧ... ।’’

 

ହେମକାନ୍ତର ପୌରଷତ୍ୱ ଉପରେ ଆଘାତ ଲାଗିଛି ଏଥର । ପ୍ରତିବାଦ ଛଳରେ ସେ କହିଛି–‘‘ତୁମେ କ’ଣ ହୋଇଯାଇଛି ଲୋପା ? କାହାକୁ ତୁମର ଏତେ ଭୟ ?’’

 

ମୁହଁରେ ବିକୃତ ହସ ତୋଳି ଲୋପାମୁଦ୍ରା କହିଲା–’’ଯିଏ ମୋ ଜୀବନର ସବୁଠାରୁ ବେଶି ଆପଣାର....ସବୁଠାରୁ ବେଶି ନିଜର...ସବୁଠାରୁ ବେଶି ଘନିଷ୍ଠ ।’’

 

‘‘ତେବେ କ’ଣ ସେ ତୁମର.... ।’’ ହେମକାନ୍ତର ମୁହଁରେ ଅବ୍ୟକ୍ତ ଆବିଳତା ।

 

‘‘ପ୍ରେମିକ...ପ୍ରେମିକା ।’’ ପ୍ରଳୟ ଭାବେ ଚିତ୍କାର କରି କହିବାରେ ଲାଗିଲା ଲୋପାମୁଦ୍ରା-

 

‘‘ତୁମେ ତା ହେଲେ ତୁମ ପୂର୍ବ ପ୍ରେମିକକୁ ଖୁନ୍‌କରି ଏକ କାନ୍ଥ ଦେହରେ ଲୁଚାଇ ରଖିଛି-?’’

 

‘‘ହଁ, ମୁଁ ଖୁନ୍‌କରିଛି ।’’

 

‘‘ଲୋପା !’’

 

‘‘ଆଶ୍ଚର୍ଯ୍ୟ ହୁଅନି ହେମକାନ୍ତ ! ସେହି ଖୁନ୍‌ମଣିଷ ଏବେ ମଧ୍ୟ ମୋ ସାମନାରେ ଠିଆ ହୋଇ, ମୋଠାରୁ କୈଫିୟତ୍‌ମାଗୁଛି । ଦେଖ ...ମୁଁ ଖୁନ୍‌ କରିଥିଲେ ବି ସେ ମରିନାହିଁ—ସେ ଜୀବିତ,ସେ ଅକ୍ଷତ ।’’

 

କାନ୍ଥ ପାଖକୁ ଲାଗି ଆସି ହେମକାନ୍ତ କହିଲା—‘‘କିନ୍ତୁ ଏଇଟା ଯେ ମାତ୍ର ତୁମର ଛାଇ ଲୋପାମୁଦ୍ରା ! ତୁମକୁ କୈଫିୟତ ମାଗୁଛି କିଏ ?’’

 

ଏଇଥର ବିଦ୍ରୁପ କରି ହସୁଛି ଲୋପାମୁଦ୍ରା । ସମୁଦ୍ର ଜୁଆର ପରି ଛୁଟିଚାଲିଛି ପ୍ରଗଳ୍‌ଭତା । ‘‘ତୁମେ ଏଥର ତାକୁ ଠିକ୍‌ଚିହ୍ନି ପାରିଛ ହେମକାନ୍ତ ! ଆଲୁଅ ଜଳିଲେ ଏ କାନ୍ଥ ଉପରକୁ ସେ ଆସେ । ହସେ....ନାଚେ..କଥା କହେ । ହେଲେ ତୁମକୁ ବିବାହ କରିବ ବୋଲି ମୁଁ ଯେଉଁଦିନ କଥା ହେଲି—ସେ ଦିନ ସେ ମୋଠାରୁ ବୈଫିୟତ୍‌ ମାଗିଲା, ଯୁକ୍ତି ବାଢ଼ିଲା, କହିଲା–‘‘ଲୋପାମୁଦ୍ରା ! ହେମକାନ୍ତ ତୁମ ମାଂସର ଗ୍ରାହକ । ଏ ମାଂସକୁ ତୁମେ ହେମକାନ୍ତକୁ ବିକ୍ରୀ କରିଦେବ । କିନ୍ତୁ ମୋତେ ତୁମେ କେଉଁଠି ରଖିବ ଲୋପା ? ମୁଁ....ହେମକାନ୍ତର ହୋଇପାରିବିନି । ମୁଁ କେବଳ ଏକାନ୍ତ ଭାବେ ତୁମର । ...ତା‘ ପରେ... ।’’

 

ପ୍ରତିବାଦ କରି ଉଠିଲା ହେମକାନ୍ତ...‘‘କିନ୍ତୁ ତୁମେ ଯେ ଏକାନ୍ତ ଭାବେ ମୋର ଲୋପାମୁଦ୍ରା ।’’

 

ନିର୍ମଳିତ ନୟନ ଟେକି ଆଡ଼େ ହାତ ବଢ଼ାଇ ଲୋପାମୁଦ୍ରା କହିଲା—‘‘ମୁଁ ଏକ ଅନନ୍ତ ନିର୍ବେଦତାକୁ ସ୍ୱୀକାର କରୁଛି ହେମକାନ୍ତ । ହେଲେ ନିଜକୁ ନିଜେ ଫାଙ୍କି ଦେଇ ପାରୁନାହିଁ । ମୁଁ ଏହି ଘନୀଭୂତ ଅନ୍ଧକାରରେ ମିଶିଯିବ ପଛକେ....ନିଜକୁ ନିଜେ ଠକି ପାରିବିନି । ତୁମେ ଫେରିଯାଅ ହେମକାନ୍ତ । ମୋ ଅକ୍ଷତ ଯୌବନକୁ ତୁମେ ଆଉ ଆଘାତ କରିବାକୁ ଚେଷ୍ଟା କରିନି ।’’

 

ମୂ୍କ, ବଧିର ପାଷାଣ ପରି ଠିଆ ହୋଇ ରହିଥିଲା ହେମକାନ୍ତ । ପ୍ରତିବାଦ କରିବାର ସମସ୍ତ ଶକ୍ତି ମଧ୍ୟ ତାର ଲୋପପାଇଁ ଯାଇଥିଲା ।

 

ଆଖି ଦୁଇଟିକୁ ସେମିତି ବୁଜିରଖି ଅଣ୍ଡାଳି ଅଣ୍ଡାଳି ଯାଇ ସୁଇଚ ଟିପି ଆଲୁଅଟାକୁ ଲିଭାଇ ଦେଲା ଲୋପାମୁଦ୍ରା ।

 

ଚିତ୍କାର କରିଉଠିଲା ହେମକାନ୍ତ...‘‘ଲୋପା !’’

 

ହସି ହସି ବେଦମ୍‌ ହୋଇପଡ଼ିଲା ଲୋପାମୁଦ୍ରା । କହିଲା ‘‘ଏ ଅନ୍ଧାର କ’ଣ ତୁମକୁ ଭଲ ଲାଗୁନି ହେମକାନ୍ତ ? ଅନ୍ଧକାରର ସ୍ୱାଦ ଯଦି ତୁମେ ଥରେ ମାତ୍ର ଚାଖିବାର ସୁଯୋଗ ପାଆନ୍ତ...ତେବେ ଭାବନ୍ତ ଅନ୍ଧକାର ହିଁ ଜୀବନରେ ଚରମ ସଫଳତାର ସ୍ୱାକ୍ଷର ।’’

 

ଏଇ ଅନ୍ଧକାରର ଗ୍ଳାନିକୁ ଛାତି ଭିତରେ ଧରି ଛାତଭଙ୍ଗ ସୈନିକ ପରି ଆତ୍ମରକ୍ଷା କରିବାକୁ ଫେରି ଚାଲିଛି ହେମକାନ୍ତ । ଲୋପାମୁଦ୍ରାର ଦର୍ଶନକୁ ସେ ବୁଝୁନାହିଁ । କେବଳ ସେ ବୁଝିଛି ଲୋପାମୁଦ୍ରାର ବିଭତ୍ସ...ଅଶ୍ଳୀଳ ଯୌବନକୁ । କଟକ ସହରର ଗଳି ଉପଗଳି ପାର ହୋଇ ଆଗକୁ ଚାଲିଛି ହେମକାନ୍ତ ।

 

କିନ୍ତୁ ଏ କି ଆଶ୍ଚର୍ଯ୍ୟ ? ଆଜି ପରିଚିତ କଟକ ସହରର ଗଳି ଉପଗଳିରେ ଅନେକ କିଛି ପରିବର୍ତ୍ତନ ।

 

ଉପଗଳିର ଉପାନ୍ତରେ ଜାତିଛଡ଼ା ଲାଇଟ୍‌ପୋଷ୍ଟଟି ସେମିତି ନିର୍ଭୀକ ଭାବରେ ଠିଆ ହୋଈ ରହିଛି । ସୁଲୁ ସୁଲୁ ପବନ ବହୁଛି । ତା’ ସହିତ ତାଳ ଦେଉଛି ପୋଷ୍ଟର ଝନତ୍‌କାର ।

 

ନାଁ—ପବନର ଆଘାତରେ ଲାଇଟ ପୋଷ୍ଟଟା ଶବ୍ଦର ତରଙ୍ଗ ସୃଷ୍ଟି କରୁନାହିଁ । ପାଖ ଫୋନ୍‌ଲାଇନ୍‌ର କଥା ଶୁଣି ଶୁଣି ସେ ଆଜି କଥା କହି ଶିଖିଛି । ସେ ଅନେକ କିଛି କହିବାକୁ ଚାହେଁ....

ବତୀଖୁଣ୍ଟର ଛାତି ଉପରେ କାନ ପାତିଲା ହେମକାନ୍ତ ।

କଥା କହୁଛି ବତୀଖୁଣ୍ଟ...

ଚମକି ପଡ଼ିଲା ହେମକାନ୍ତ । ଏ କ’ଣ ? ବତିଖୁଣ୍ଟ ଆଜି ନୂଆ କରି କହୁଛି—ଦୁନିଆଁରେ ମୋର ସତ୍ତା ମଧ୍ୟ ସ୍ୱତନ୍ତ୍ର । ମୁଁ ଏକ ସ୍ୱାଧୀନ...ସ୍ୱତନ୍ତ୍ର ସୃଷ୍ଟି । ମୋତେ ତୁମେ ବେଖାତିର କରିପାରିବ ନାହିଁ ।

ଆଉ ସହ୍ୟ କରି ପାରୁନାହିଁ ହେମକାନ୍ତ...

ପାଣି ପାଇପ୍‌ନଳା ସିମେଟ ଚଉତରା, ଲେଙ୍କ ଘରର ହିତଳ ପ୍ରାସାଦ ସମସ୍ତେ କହୁଛନ୍ତି–ଆମେ ସ୍ୱତନ୍ତ୍ର, ଆମେ ସ୍ୱାଧୀନ...

ରାଜବଗିଚାର ଶେଷ ଗଳିର ଶେଷରେ ଯେଉଁ ଦୁର୍ଗା ମେଲ....ଠିକ୍‌ତା’ର ପାଉଛି ଉପରେ ଗଡ଼ୁଥିବା ଗୋଟିଏ ମଦତି ବିଳିବିଳାଉଛି...‘‘ମୁଁ କାହାରି ନୁହେଁ...ତାରା...., ତୁମକୁ ବାହା ହେଲି ବୋଲି କ’ଣ ଦିନ ରାତି ତୁମର ପଣତ କାନି ଭିତରେ ପଡ଼ି ରହିଥିବ ବୋଲି ମୁଁ ଲେଖି ଦେଇଛି ?’’

ଆହୁରି ତକ୍‌କାର ଉଠୁଛି ମଦତରି...ପୁଣି ହୁଏତ ଆଉ କିଛି ଗପିବାକୁ ଆରମ୍ଭ କରିବ ସେ ।

ଠିଆ ହୋଇ ପାରୁନାହିଁ ହେମକାନ୍ତ । ଦୌଡ଼ିବାକୁ ଲାଗିଛି ଗଳି..ଉପଗଳିର ସୀମା ପାରହୋଇ ।

ଜୀବନରେ ଦୌଡ଼ିବାର ଶେଷ ନାହିଁ ।

ଟ୍ରେନ ଦୌଡ଼ିଛି ନିକଟସ୍ଥ ଷ୍ଟେସନରେ ପହଞ୍ଚିବାକୁ । ସେକେଣ୍ଡ ଦୌଡ଼ିଛି ମିନିଟ୍‌ ସହିତ ମିଶିଯିବାକୁ । ମିନିଟ୍‌ ଦୌଡ଼ିଛି ଘଣ୍ଟା ଦେହରେ ଝାସ ଦେବା ପାଇଁ । କିନ୍ତୁ ହେମକାନ୍ତ ଦୌଡ଼ିଛି ନିଜର ଦୁର୍ବିକତାକୁ ଘୋଡ଼ାଇବାପାଇଁ ।

ପରାଜୟତି ଗ୍ଳାନିରେ ନୁହେଁ..ବିଫଳତାର ଆତ୍ମଶୋଚନାରେ ସେ ଆଜି ମୁହ୍ୟମାନ ।

ଗଳି ଉପଗଳି ପାର ହୋଇ ଦୌଡ଼ିବାରେ ଲାଗିଛି ବିଖ୍ୟାତ ଅର୍ଥଶାସ୍ତ୍ରର ଅଧ୍ୟାପକ ହେମକାନ୍ତ ।

ଲୋପାମୁଦ୍ରାର କୋଠରୀଟା ଯଦି ବିଶ୍ୱବିଦ୍ୟାଳୟର ଗୋଟାଏ ଶ୍ରେଣୀ ହୋଇଥାନ୍ତା–ତେବେ ହାତରେ ଚକ୍‌ଖଡ଼ି ଧରି ବ୍ଳାକ୍‌ବୋର୍ଡ଼ରେ ଲେଖୁ ଲେଖୁ...ହେମକାନ୍ତ କହିଥାନ୍ତା...‘‘Money has its relative value’’ ଅର୍ଥାତ୍‌ ଟଙ୍କାର ପାରିପାର୍ଶ୍ୱିକ ମୂଲ୍ୟ ରହିଛି ।

 

ଇଚ୍ଛା ନ ଥିଲେ ମଧ୍ୟ ଶୁଣିବାକୁ ବାଧ୍ୟ ହୋଇଥାନ୍ତି ଲୋପାମୁଦ୍ରା ।

 

କିନ୍ତୁ...

 

ଛାତ୍ରୀର ସ୍ତରରୁ ଅନେକ ଉପରକୁ ଉନ୍ନୀତ ହୋଇଛି ଲୋପାମୁଦ୍ରା । ତାକୁ ଆଉ ବୁଝାଇ ହେବନାହିଁ । ବରଂ ତା ଠାରୁ ଅନେକ କିଛି ବୁଝିବାକୁ ହେମକାନ୍ତକୁ... ।

 

ନିଜ କୋଠରୀର କାନ୍ଥଟାକୁ ଆଉଜି ବିଶ୍ରାମ ନେଲା ହେମକାନ୍ତ ।

 

ବିଶ୍ରାମ ନେଉଛି କଟକ ସହର । ରାତ୍ରିର ଘନୀଭୂତ ଅନ୍ଧକାର ଜମାଟ ବାନ୍ଧି ଉଠୁଛି । ଧୀରେ ଧୀରେ ରଙ୍ଗ ବେରଙ୍ଗର ପ୍ରାସାଦଗୁଡ଼ିକ ଆତ୍ମଗୋପନ କରୁଛନ୍ତି । କିନ୍ତୁ ସ୍ପଷ୍ଟରୁ ସ୍ପଷ୍ଟତର ହେଉଛି ହେମକାନ୍ତର ନିର୍ଜନ କୋଠରୀ ।

 

ଆଜି ନୂଆ କରି ହେମକାନ୍ତ ନିଜ କୋଠରୀର ସ୍ୱୀତନ୍ତ୍ର ସତ୍ତା ମଧ୍ୟ ଅନୁଭବ କରୁଛି ।

 

ଏହି ସ୍ୱାଧୀନ ସ୍ୱତନ୍ତ୍ର ଦୁନିଆଁ ଦେହରେ କେବଳ ହେମକାନ୍ତ ହିଁ ବ୍ୟତିକ୍ରମ ।

 

ନିର୍ବେଦ ପୁରୁଷ ଭଳି ନିଜର ଖଟଟି ଉପରେ ଶୋଇ ରହି ଉପରକୁ ଚାହିଁ ରହିଲା ହେମକାନ୍ତ । ମନ ଭିତରେ ଅନେକ ଯୁଗର କାହାଣୀ ସଜୀବ ହୋଇଉଠୁଛି କୋଠରୀର ଆଦିମ ପରିବେଶ । ସେହି ଆଦିମତାକୁ ପୃଷ୍ଠା ପରେ ପୃଷ୍ଠା କରି ଲେଉଟାଇବାରେ ଲାଗିଛି ସେ.... ।

 

ଏଇ କୋଠରୀ...

 

ଦିନେ ନିଆଁ ଭଳି ଜଳୁଥିଲା ।

 

ଫୁଲର ରେଣୁ ଦେହରେ ଯେଉଁ ନିଆଁ ଜଳେ..ପତ୍ରରେ ସବୁଜିମା ଦେହରେ ଯେଉଁ ନିଆଁ ଜଳେ...ଚନ୍ଦ୍ରର କଳଙ୍କିତ ଛାତିରେ ଯେଉଁ ନିଆଁ ଜଳେ...ସୂର୍ଯ୍ୟର ତେଜରୁ ଯେଉଁ ନିଆଁ ଝରେ..ଯୌବନର କେନ୍ଦ୍ର ଦେହରୁ ଯେଉଁ ନିଆଁ ଆତ୍ମପ୍ରକାଶ କରେ—ସେହି ନିଆଁ ଦିନେ ଜଳୁଥିବା ହେମକାନ୍ତରୁ କୋଠରୀରେ । ଆଜି କିନ୍ତୁ ସେ ନିଆଁ ଜଳି ଜଳି ପାଉଁଶ ହେଇଯିବାକୁ ବସିଛି । ସେହି ପାଉଁଶ ଦେହରେ ଅଗ୍ନି ସଂଯୋଗ କରୁଛି ହେମକାନ୍ତ । କିନ୍ତୁ ସତେ କ’ଣ ଏ ପାଉଁଶ ଗଦା ଆଉ ଜଳିପାରିବ ?

 

ହତାଶାର ନିଃଶ୍ୱାସ ତୋଳି କଡ଼ ଲେଉଟାଉଛି ହେମକାନ୍ତ । ଦେହରେ କ୍ଳାନ୍ତ, ମନରେ କ୍ଳାନ୍ତ । ହେମକାନ୍ତ ବିଶ୍ରାମ କରିବାକୁ ଚାହେଁ ।

 

ଏ ବିଶ୍ରାମ ଜୀବନରେ...ଏ ବିଶ୍ରାମ ମାନବିକତାର । କର୍ମକୁଶଳ ଅଧ୍ୟାପକ ହେମକାନ୍ତ ଚାହେଁ ଜୀବନରେ ଅନନ୍ତ ବିଶ୍ରାମ ।

 

ଏଇ କୋଠରୀ ।

 

ସେ ଦିନ ଚନ୍ଦ୍ରାବତୀକ କୁମାରୀ ଅଙ୍ଗରେ ଅନେକ ପ୍ଳାବନ ସୃଷ୍ଟି କରିଥିଲା । ଜୀବନକୁ ଉପଭୋଗ କରିବା ପାଇଁ ଅନେକ ଖୋରାକ ଯୋଗାଇ ଥିଲା । କିନ୍ତୁ ଚନ୍ଦ୍ରାବତୀର ସେହି ପ୍ଳାବନମୁଖୀ ସ୍ରୋତଗାମୀ ଆବେଗତାକୁ ଦୂରକୁ ଠେଲି ଦେଇଥିଲା ହେମକାନ୍ତ ।

 

ଶିକ୍ଷିତ ଅଧ୍ୟାପକ ହେମକାନ୍ତ ।

 

ଏ ବର୍ଷ ଆଉ ସେ ବର୍ଷ ମଧ୍ୟରେ ଅନେକ ପ୍ରଭେଦ । ଅନେକ କ୍ୟାଲେଣ୍ଡର ପୃଷ୍ଠା ଚିରି ହେମକାନ୍ତ ବିଗତଟାକୁ ଭୁଲିଯିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ବିଗତର ଗୋଟାଏ ମସ୍ତବଡ଼ ଗୁଣ ହେଉଛି ଇତିହାସ ହେବା । ବିଗତଟା ଇତିହାସ ହୁଏ । ଆଉ ଭବିଷ୍ୟତଟା ହୁଏ ଅନ୍ଧାରୀ...

 

ଏଇ ଇତିହାସର ଅନେକ ଗନ୍ଧ, ସେ ଗନ୍ଧକୁ ସହ୍ୟ କରି ପାରିଲେ ଜୀବନ ସୁଗମ ହୁଏ-। ପୁଣି ଏଇ ଭବିଷ୍ୟତକୁ ପ୍ରଭାବିତ କରେ ସେ ଇତିହାସ ।

 

ଜାତିକୁ କିନ୍ତୁ ବଞ୍ଚାଇ ରଖେ ଇତିହାସ, ଆଜି ମଧ୍ୟ ଚନ୍ଦ୍ରଭାଗାର ବର୍ଣ୍ଣାଢ଼୍ୟ ସୂର୍ଯ୍ୟୋଦୟରେ,ସୂର୍ଯ୍ୟେମନ୍ଦିରର ସିଂହଦ୍ୱାର ଅନେକକଥା କହେ । ଇତିହାସକୁ ସ୍ମରଣ କରାଏ । ଗୁଣୁ ଗୁଣୁ ହେଇ କହିବସେ ଇତିହାସ... ଧରମା ମରିନାହିଁ । ସରର ପ୍ରେମ ପ୍ଳାବନ ପାଇଁ ସେ ପାଗଳ... ।

 

ଚମକିଉଠିଲା ହେମକାନ୍ତ ।

 

ଇତିହାସକୁ ଫାଙ୍କି ଦେଇ ହେବନାହିଁ । ଚନ୍ଦ୍ରାବତୀକୁ ଭୁଲିଯାଇ ହେବନାହିଁ । ସେ ପଛେ ଇତିହାସ ହେଉ ପରିତ୍ୟକ୍ତା ଗନ୍ଧହୀନା ପରିତ୍ୟକ୍ତା ହେଉ ତଥାପି ହୃଦୟର ନିଭୃତ କୋଣ ଭିତରେ ଚନ୍ଦ୍ରାବତୀର ସ୍ୱତନ୍ତ୍ର ଆସନ ରହିଛି । ଯେତେ ନାହିଁ କଲେ ବି ସେ ଅଛି, ଆଉ ଥିବ ସବୁଦିନ ।

 

ଚନ୍ଦ୍ରାବତୀ ! ରୂପ ବହ୍ନିର ପ୍ରଳୟ ହୋମାଗ୍ନି ଚନ୍ଦ୍ରାବତୀ । ଚନ୍ଦ୍ରାବତୀ ସତୀ ନ ହୋଇପାରେ, ହେଲେ ଜୀବନଟାକୁ ଠିକ୍‌ ଜୀବନ ଭଳି ଦେଖିବା ପାଇଁ ଅନେକ ଗୁଣ ଥିଲା ଚନ୍ଦ୍ରାବତୀର । ଏଇ ଦେଖିବାଟାକୁ ଅନେକ ହୁଏତ ଭୁଲ୍‌ ବୁଝୁଥିଲେ, ଠିକ୍‌ ସେହି ଭୁଲ୍‌ ବୁଝିଥିଲା ହେମକାନ୍ତ ।

 

ସେଥିପାଇଁ ଆଜି ସେ ଅନୁତାପ କରୁଛି ।

 

ଚନ୍ଦ୍ରାବତୀ...

 

ମାଖନ ଚୌଧୁରୀଙ୍କର ଏକମାତ୍ର କନ୍ୟା ଚନ୍ଦ୍ରାବତୀ । ହୁଏତ ଜୀବନର ପ୍ରାରମ୍ଭରେ ମାତୃ ସ୍ନେହର ଅନାବିଳ ଧାରା ଝରି ପଡ଼ିଥିଲା ତା’ ଉପରେ । କିନ୍ତୁ କିଶୋରୀ ଜୀବନରେ ନରମ ସକାଳ ତା’ ଛାତିରେ କୁତୁ କୁତୁ କରି ପ୍ରବେଶ କରିବା ଦିନଠାରୁ ସେ ମାତୃସ୍ନେହ ହରାଇ ବସିଥିଲା ।

 

ସେ ଏକ ଜ୍ୱଳନ୍ତ ପ୍ରଳୟ କାହାଣୀ । ଏ କାହାଣୀ କେବଳ ଚନ୍ଦ୍ରାବତୀର କଳଙ୍କମୟ ଜୀବନର ନୁହେଁ, ସାରା ଭାରତର । ଚନ୍ଦ୍ରାବତୀ ପରି ଅନେକ ନହୁଲୀ ରୂପସୀ ମଧ୍ୟ ଏଇ ହୋମାଗ୍ନିରେ ଆହୂତି ହୋଇଥିଲେ । ସେ ଯେଉଁ ରୂପ ଯଜ୍ଞର ବହ୍ନିମାନ ଶିଖାର କାହାଣୀତାହା କେବଳ ଚନ୍ଦ୍ରାବତୀ ପରି କେତେଜଣ ସର୍ବହରା ବାଳକ ଛଡ଼ା ଅନ୍ୟ କିଏ ବା ବୁଝି ପାରିବ ?

 

ନୂଆଖାଲି । ହିନ୍ଦୁ ମୁସଲମାନ୍‌ । ଭାରତର ଦୁଇଟା ଆଦିମ ଗୋଷ୍ଠୀ, ଆଦିମ ସମ୍ପ୍ରଦାୟ ।

 

ନାଁ—ସେ କଥା ମୋଟେ ମନେ ନ ପଡ଼ିବା ଉଚିତ । ଚନ୍ଦ୍ରାବତୀ ଯାଇଛି, ତା’ ସହିତ ଅତୀତ, ବର୍ତ୍ତମାନ, ଭବିଷ୍ୟତ ସବୁ କିଛି ଯାଉ । ଭୁଲିଯିବାରେ ହିଁ ମଣିଷ ମନର ସବୁଠାରୁ ଅଧିକ ଶାନ୍ତି ।

 

ନାଁ ତଥାପି ଚନ୍ଦ୍ରାବତୀକୁ ଭୁଲି ହେଉନାହିଁ । ଆଉ ଭୁଲି ହେଉ ନାହିଁ ତା’ର ନଷ୍ଟ ଅତୀତର କୀଟଦ୍ରଂଷ୍ଟ ଜୀବନୀ ।

 

ଚନ୍ଦ୍ରାବତୀ କହୁଥିଲା....

 

ହଁ..ଚନ୍ଦ୍ରାବତୀ ନ କହିଥିଲେ, ଏ କାହାଣୀ ଆଉ କିଏ ବା କହି ପାରିଥାନ୍ତା ?

 

ସେ ଦିନ ନୂଆଖାଲିରେ ମେଘାଚ୍ଛନ୍ନ ଆକାଶ । ହଠାତ୍‌ ସମୁଦ୍ର ଜୁଆର ପରି ମାଡ଼ି ଆସିଲେ ମୁସଲମାନ୍‌ ଫଉଜ । ପଡ଼ା ପରେ ପଡ଼ା...ବସ୍ତି ପରେ ବସ୍ତି ନରମେଧ ଯଜ୍ଞ... । ରକ୍ତର ସ୍ରୋତ ଛୁଟୁଛି ।

 

ମା’ଧରିତ୍ରୀର ଗୁଣବାନ୍‌ ସନ୍ତାନ ଦଳ ପ୍ରବେଶ କଲେ ମାଖନ୍‌ ଚୌଧୁରୀଙ୍କର ଦ୍ୱିତଳ ପ୍ରାମାଦ ମଧ୍ୟରେ । ପ୍ରଥମରେ ଚାକର ବୀରେନ୍‌...ତା’ପରେ...ହଁ..ତା’ ପରେ ଛୋଟ ଛୋଟ ଭାଇ ଭଉଣୀ ଗୁଡ଼ିକ ଏକ ପରେ ଏକ ହୋଇ ରକ୍ତାକ୍ତ ଶରୀର ନେଇ ଢଳି ପଡ଼ିଲେ ସିମେଣ୍ଟ ଚଟାଣ ଉପରେ । ରକ୍ତ ହୋରିର ବିଶ୍ରାମ ହେଲା ନାହିଁ ।

 

ତା’ପରେ...

 

ତା’ପରେ ନଚଭକ୍ଷୁ ସଚ୍ଚତାନ ଦଳ ପ୍ରବେଶ କଲେ ଚନ୍ଦ୍ରାବତୀର ମାଆଙ୍କ କୋଠରୀରେ-। ଆଃ...ସେ କି ବୀଭତ୍ସ ଦୃଶ୍ୟ ! ଜଣେ ପରେ ଜଣେ ହୋଇ ଅତ୍ୟାଚାର କରି ଚାଲିଛନ୍ତି ଚନ୍ଦ୍ରାବତୀତ ମାଆଙ୍କ ଉପରେ ।

 

ଠିକ୍‌ ସେତେବେଳେ ଚନ୍ଦ୍ରାବତୀ, ଛପି ରହିଥିଲା ଖଟ ତଳର ଗୋଟାଏ କଣରେ ।

 

ରକ୍ତଲୋଭୀ ଜନତା ଫେରିଗଲା... ।

 

ଫେରିଗଲା ନିଜ ବିବେକର ଆହୂତି ଢାଳି ଢାଳି.....

 

ଜନତା ଫେରିଯିବା ପରେ ମାଖନ୍‌ ଚୌଧୁରୀ ଲୁଚିଛପି ଚନ୍ଦ୍ରାବତୀକୁ ଧରି ଧାଇଁ ଚାଲିଲେ ଭାରତ ଭୂଈଁଆଡ଼େ ।

 

କିଶୋରୀ ଚନ୍ଦ୍ରାବତୀ ।

 

ଯୌବନର ମଦୁଆ ନିଶା ଚନ୍ଦ୍ରାବତୀର ନିଥର ଅଙ୍ଗରେ ତରଙ୍ଗ ସୃଷ୍ଟି କରିବାକୁ ଆରମ୍ଭ କରୁଛି ମାତ୍ର । ଯୌବନର ଭୋକ ମେଣ୍ଟାଇବା ପାଇଁ ସେ ପ୍ରସ୍ତୁତ ହୋଇନାହିଁ ।

 

ତଥାପି, ରାସ୍ତା ଉପରେ ଅନେକ ଥର ଆକ୍ରାନ୍ତ ହୋଇଛି ଚନ୍ଦ୍ରାବତୀ । ଜୀବନ ମୋହରେ ସବୁ କିଛି ସହ୍ୟ କରିଛି ସେ ।

 

ମାଖନ୍‌ ଚୌଧୁରୀଙ୍କ ସହିତ ଚନ୍ଦ୍ରାବତୀ କଲିକତା ଧରିବା ବେଳକୁ ଯୌବନର ଅନେକ କିଛି ପର୍ଦ୍ଦା ଫାଟି ଫୁଟି ରକ୍ତାକ୍ତ ହୋଇଯାଇଛି । କିନ୍ତୁ ବଞ୍ଚିଛି ଚନ୍ଦ୍ରାବତୀ ଆଉ ତା ସହିତ ବଞ୍ଚିଛନ୍ତି, ମାଖନ ଚୌଧୁରୀ ।

 

ସେହି ବିଷାକ୍ତ ବିଗତର କ୍ରାନ୍ତିକାରୀ ସନ୍ତକ ଏଇ ଚନ୍ଦ୍ରାବତୀ ।

 

ଚନ୍ଦ୍ରାବତୀକୁ ଦେଖିଲେ ସମବେଦନା ଆସେ, ଲଜ୍ଜା ଆସେ,ହେଲେ ଘୃଣା ଆସେ ନାହିଁ-

 

ଚନ୍ଦ୍ରାବତୀର ଏକ ବିଶିଷ୍ଟ ଗୁଣ ହେଉଛି ପ୍ରଗଳ୍‌ଭତା, ଚନ୍ଦ୍ରାବତୀ ଏକ ସ୍ରୋତାଗାମୀ ଝରଣା । ସେ ଅନେକ କିଛି କେବଳ କହିବାକୁ ଇଚ୍ଛା କରେ ।

 

କେବଳ ଚନ୍ଦ୍ରାବତୀ କାହିଁକି ! ଏମିତି ଅନେକ ମଣିଷ ଅଛନ୍ତି–ଯେଉଁମାନେ ଜଗତକୁ ବଖାଣି ନିଜେ ଗୌରବ ଖୋଜନ୍ତି । ଚନ୍ଦ୍ରାବତୀ ମଧ୍ୟ ଠିକ୍‌ଏମିତି ଗୋଟିଏ ଝିଅ ।

 

ଏବେ ଚନ୍ଦ୍ରାବତୀର ଗୌର ମାଂସ ଦେହରେ ବସନ୍ତ କେନ୍ଦ୍ରୀଭୂତ ହୋଇଛି । ବନ୍ଧୁର ବିବେକ ଉପରେ ଆସକ୍ତି ଘେତ କାଟୁଛି । ଚନ୍ଦ୍ରାବତୀ ରୁପସୀ..କରୁଣୀ ।

 

ଲିରିକ୍‌ର୍‌ ଛନ୍ଦ ଭଳି ଚନ୍ଦ୍ରାବତୀର ତନୁଶ୍ରୀରେ ଯେଉଁଦିନ ଆଦ୍ୟ ଫଗୁଣର କୋମଳ ରାଗିଣୀ ସ୍ରୋତମୁଖୀ ତରଙ୍ଗ ସୃଷ୍ଟି ହେଲା, ସେ ଦିନ ଚନ୍ଦ୍ରାବତୀ ହେଲା ଉନ୍‌ମନା । ବ୍ୟର୍ଥ ଜୀବନ ଭିତରେ ସେ ଉପଭୋଗରୁ ଧରିନେଲା ବଡ଼ ବୋଲି ।

 

ହେମକାନ୍ତର ବସା ପାଖରେ ଖଣ୍ଡେ ଛୋଟିଆ ଘର ଭଡ଼ା ନେଇ ରହୁଥିଲେ ମାଖନ୍‌ଚୌଧୁରୀ ।

 

ମାଖନ୍‌ଚୌଧୁରୀ ନୂଆଖାଲିତ ପ୍ରତିଷ୍ଠିତ ଭଦ୍ରବ୍ୟକ୍ତି ମାଖନ୍‌ଚୌଧୁରୀ...ଆଜି ଲୁଗାକଳର ଶ୍ରମିକ ।

 

ଏଇ ହେଉଛି ଚନ୍ଦ୍ରାବତୀକ ବିଗତ ଆଉ ବର୍ତ୍ତମାନ ।

 

ସବୁଗୁଡ଼ାକ ମନେ ପକାଇ ହେବନାହିଁ । ଜୀବନର ଅନେକ କିଛି ଅଶ୍ଳୀଳତା କେବଳ ମନେ ପକେଇ ହୁଏ,କଳ୍ପନା କରି ହୁଏନାହିଁ..କହି ହୁଏ ନାହିଁ ।

 

ଦୁନିଆଁରେ ଯଦି ଅଶ୍ଳୀଳତା ବୋଲି ଗୋଟାଏ କିଛି ନ ଥାନ୍ତା ତେବେ ଏଇ ନିତି ଦୁନିଆଁ ସୃଷ୍ଟି ହୁଅନ୍ତା ଆଉ ମନୋରମ । ଏଇ ଅଶ୍ଳୀଳତା ପାଇଁ ସବୁ କିଛି ପାପ ପୁଣ୍ୟ, ସବୁ କିଛି ସ୍ନେହ ମମତା ।

 

ପ୍ରତ୍ୟେକ ଦାମ୍ପତ୍ୟ ଜୀବନକୁ ଖିନ୍‌ଭିନ୍‌ କରି ଦେଖିଲେ ଜଣାଯିବ—ଅଶ୍ଳୀଳତା ପାଇଁ ହିଁ ଅନେକ ସୁଖୀ ଜୀବନ ନଷ୍ଟ ହେଇ ଯାଉଛି ।

 

ଏଇ ଅଶ୍ଳୀଳତାର ନୈବେଦ ଧରି ପ୍ରଥମେ ହୁଏତ ହେମକାନ୍ତର ଦ୍ୱାରରେ ଦେଖା ଦେଇଥିଲା ଚନ୍ଦ୍ରାବତୀ ।

 

ବେଶ୍‌ମନେପଡ଼ୁଛି ସବୁକିଛି.... ।

 

କଟକ ସହରର ମଣିଷ ଭିଡ଼ି ଭିତରୁ ହୁଏତ ଏବେ ଚନ୍ଦ୍ରାବତୀ ଜଣେ ହୋଈ ଯାଇଥିଲା-। ତଥାପି ଅନେକ କିଛି ସ୍ୱାତନ୍ତ୍ର୍ୟ ଥିଲା ଚନ୍ଦ୍ରାବତୀର ।

 

ଖାଲି ଆଖିରେ କଟକ ସହରକୁ ଦେଖିଲେ ଅନେକ କିଛି ଗୁପ୍ତ ଜିନିଷ ଅଦେଖା ରହିଯାଇଥିଲେ । ଦିନର ଆଲୋକରେ ଯେଉଁ କଟକ ସହର ଏଡ଼େ ସୁନ୍ଦର ଏଡ଼େ ମନୋରମ ସେଇ ସହର ଯେ ରାତ୍ରିର ଅନ୍ଧକାର ମଧ୍ୟରେ ବିଷାକ୍ତ ହୋଇ ଉଠେ...ଏକଥା ଚିନ୍ତା କରି ହୁଏନାହିଁ-। କଟକ ସହରର ଯେଉଁ ଗଳି ଉପଗଳିରେ ଅନେକ ସୂର୍ଯ୍ୟର ରଙ୍ଗେଲୀ ରଶ୍ମି କାୟା ବିସ୍ତାର କରେ, ସେହି ଗଳି ଉପଗଳିରେ ଅନ୍ଧାର ମଧ୍ୟ ଜମାଟ ବାନ୍ଧେ..

 

କିନ୍ତୁ ଚନ୍ଦ୍ରାବତୀ....

 

ସୃଷ୍ଟିର ଏକ ସ୍ୱତନ୍ତ୍ର ଜୀବ ଚନ୍ଦ୍ରାବତୀ ।

 

ସେ ଦିନ ହଠାତ୍‌ ହେମକାନ୍ତର କୋଠାରୀ ଦେହରୁ ପଶି ଆସିଥିଲା ଚନ୍ଦ୍ରାବତୀ । ନିର୍ବାକ୍‌ହୋଇ ଚାହିଁଥିଲା ହେମାକନ୍ତ.....

 

ଚନ୍ଦ୍ରାବତୀ କହିଥିଲା..ଆପଣଙ୍କ ନାଁ କ’ଣ ଜାଣିପାରେ କି ଆଜ୍ଞା.....

 

ନିଥର ନିର୍ବାକ୍‌ହୋଇ ଠିଆହୋଇ ଯାଇଥିଲା ହେମକାନ୍ତ... ।

 

କିଏ ଏହି ରୂପାଙ୍ଗୀ ତରୁଣୀ.... ?

 

ନାରୀ କଣ୍ଠରୁ ଟିକେ କଥା ଶୁଣିବାପାଇଁ..ନାରୀ ମନର ଟିକେ ସମର୍ଥନ ନେବାପାଇଁ ଯେଉଁ ଜାତି ବାଳିକା ସ୍କୁଲ ସାମନାରେ ଭିଡ଼ ଜମାଏ...ଏ କ’ଣ ସେହି ଜାତିର କନ୍ୟା ?

 

ହସି ଉଠିଥିଲା ଚନ୍ଦ୍ରାବତୀ ।

 

ଆଶ୍ଚର୍ଯ୍ୟ ହେଉଛନ୍ତି ?

 

କେବଳ ମୁଣ୍ଡ ହଲାଉଥିଲା ହେମକାନ୍ତ....

 

ତା’ପରେ..

 

...ତା’ ପରେ ଚନ୍ଦ୍ରାବତୀ କହିଥିଲା ମୁଁ ଜଣେ ରିଫିଉଜୀ ବାଳିକା । ନୂଆଖାଲିରୁ ପଳାଈ ଆସି ଏଇ କଟକ ସହରରେ ଆଶ୍ରୟ ନେଇଛି ।

 

ସମବେଦନାର ସ୍ୱର ତୋଳି ହେମକାନ୍ତ କହିଲା..ହଉ ତେବେ ବସନ୍ତୁ । କିନ୍ତୁ ହଠାତ୍‌...

 

ହେମକାନ୍ତ ପ୍ରଶ୍ନର ଅର୍ଥ ବୁଝିବା ଚନ୍ଦ୍ରାବତୀ ପକ୍ଷରେ କଷ୍ଟକର ନଥିଲା । ସାମାନ୍ୟ ହସି ଦେଇ ଚନ୍ଦ୍ରାବତୀ କହିଲା—ନାଇଁ ମୁଁ ପ୍ରତିଦିନ ଦେଖେ ଆମ ଘରପାଖ ଝରକା ମେଲାକରି ଆପଣ ଆମ ଘରଆଡ଼େ ଚାହାଁନ୍ତି । ଅନେକ ସମୟରେ ମୋର ଖାଲି ଦେହ ଦେଖିଲେ ଆପଣ ବାରମ୍ବାର ଆଖି ଫେରାଇ ମୋ ଆଡ଼କୁ ଚାହିଁବାର ମୁଁ ଲକ୍ଷ୍ୟ କରେ । ଆଜି ସକାଳୁ ମୁଁ ବାର ବାର ଏମିତି ଲକ୍ଷ୍ୟ କରିବା ପରେ ଆପଣଙ୍କ ପାଖକୁ ଆସିଛି ପଚାରିବା ପାଇଁ ।

 

ହେମାକାନ୍ତର ଗୋଡ଼ତଳୁ ସତେ ଯେପରି ମାଟି ଖସି ଯାଉଥିଲା । କି ଆଶ୍ଚର୍ଯ୍ୟ ବାଳିକା ଏ ! ପୁରୁଷ ଆଗରେ ତା’ର ଗୁପ୍ତ କଥା କହିବାକୁ ଟିକେ ହେଲେ ସଙ୍କୋଚ ନାହିଁ ।

 

ଅବଶ୍ୟ ଯେ ଲୁଚି ଛପି ହେମକାନ୍ତ ତାଙ୍କ ବସାଆଡ଼େ ଅନାଏ ନାହିଁ ତା ନୁହେଁ । କିନ୍ତୁ ଏ ଗୁଣଟା କେବଳ ହେମକାନ୍ତ ପରି ଯୁବକର ଏକାନ୍ତ ନିଜସ୍ୱ ନୁହେଁ । ଯୌବନର ଆଦ୍ୟ ମାର୍ଗଶୀରରେ ପ୍ରାୟ ଯୁବକ ଏମିତି ଲୁଚିଛପି ଚାହିଁବାକୁ ଇଚ୍ଛା କରନ୍ତି ।

 

ହେଲେ.....

 

ନାଁ..ନାଁ....ଚନ୍ଦ୍ରାବତୀ ଏକ ସାଙ୍ଘାତିକ ବାଳିକା । ସ୍ପଷ୍ଟବାଦୀତାର ସୀମା ଅଛି ।

 

କିନ୍ତୁ ଅପ୍ରିୟ ସତ୍ୟ ଭିତରେ ଯେଉଁ ବହ୍ନିର ସଙ୍କେତ ହୁଏତ ପଢ଼ିନାହିଁ ଚନ୍ଦ୍ରାବତୀ । ମୁହଁ ଖୋଲିଲା ହେମକାନ୍ତ—ଆପଣ କ’ଣ ଭାବୁଛନ୍ତି..... ।

 

କଥାରେ ବାଧା ଦେଇ ଚନ୍ଦ୍ରାବତୀ କହିଲା—ନାଁ ନାଁ..ମୁଁ କିଛି ଭାବୁନାହିଁ । ଭାବିବା ଉପରେ ମୁଁ ଗୁରୁତ୍ୱ ଦିଏ ନାହିଁ । ଭାବନାଟା ଅନେକ ସମୟରେ ବିରାଟ ଭୁଲ୍‌ କରିପାରେ । ସେଇଥିପାଇଁ ମୁଁ କିଛି ନ ଭାବି ଆପଣଙ୍କୁ ପଚାରିବାକୁ ଆସିଛି ।

 

ଅଡ଼ୁଆରେ ପଡ଼ିଲା ହେମକାନ୍ତ । ଚନ୍ଦ୍ରାବତୀ ପଚାରିବାକୁ ଆସିଛି । କ’ଣ ପଚାରିବାକୁ ଚାହେଁ ସେ ? କ’ଣ ବା ଉତ୍ତର ଦିଆଯିବ ତାକୁ ?

 

ହେମାକାନ୍ତର ଅସହାୟତାକୁ ଲକ୍ଷ୍ୟ କରୁଥିଲା ଚନ୍ଦ୍ରାବତୀ ।

 

ହେମକାନ୍ତ କହିଲା–ଆପଣ କ’ଣ ପଚାରିବାକୁ ଆସିଛନ୍ତି.....ମୁଁ ଠିକ୍‌ଭାବରେ ବୁଝି ପାରୁନାହିଁ ।

 

ହସିଲା ଚନ୍ଦ୍ରାବତୀ.....

 

ବୁଝି ନ ପାରିବାରେ ହିଁ ସବୁଠାରୁ ବଡ଼ କ୍ଷମା । ସେଦିନ ନୂଆଖାଲିରୁ ମୁଁ ପଳାଇ ଆସୁଥିବା ବେଳେ ହୁଏତ ଅନେକ ଯୁବକ ବୁଝିପାରି ନ ଥିଲେ ସେମାନେ କି ଭୁଲ କରୁଛନ୍ତି ।

 

ରାଗି ଉଠିଲା ହେମକାନ୍ତ...ତା’ ହେଲେ ଆପଣ କହୁଛନ୍ତି.....

 

ଚନ୍ଦ୍ରାବତୀର ପାତଳ ଅଧରରେ ଏବେ ତାଚ୍ଛଲ୍ୟାର ତଡ଼ିତୁ ।

 

ନାଇଁ..ନାଇଁ..ମୁଁ କିଛି କହୁନାହିଁ, ଏଇ କହିବାକୁ ଆରମ୍ଭ କରିଛି ମାତ୍ର । ଆହୁରି ଅନେକ କଥା କହିବାକୁ ବାକି ଅଛି । ମୋତେ ସବୁ କହିବାକୁ ହେବ । ଆପରଙ୍କୁ ସବୁ ଶୁଣିବାକୁ ହେବ । ତେବେ ଆଜି ଆଉ ବେଳ ନାହିଁ । ବାପା ଆସିବା ଭିତରେ ମୋତେ ରୋଷେଇ ଶେଷ କରିବାକୁ ହେବ । ପରେ ଆସିବ ଅନେକ କଥା କହିବି ଆଜି ଯାଉଛି । କହୁ କହୁ ଘରୁ ବାହାରିଗଲା ଚନ୍ଦ୍ରାବତୀ ।

 

ନିର୍ବେଦ ଭାବରେ ଠିଆ ହୋଇ ଆକାଶକୁ ଚାହିଁଥିଲା ହେମକାନ୍ତ । କି ଆଶ୍ଚର୍ଯ୍ୟ ଏ ବାଳିକା ?ଝଡ଼ ପରି ଆସିଲା..ଉଲ୍‌କା ପରି ଚାଲିଗଲା । ମନରେ ଭୟ ନାହିଁ,ସଙ୍କୋଚ ନାହିଁ, ଗ୍ଳାନି ନାହିଁ ।

 

ପୁଣି କିଛି ନ କହି ଅନେକ କିଛି କହିଗଲା । ଏ କହିବା କହିବା ନୁହେଁ, ହେମକାନ୍ତର ପୌରୁଷ ଉପରେ ପ୍ରବଳ ଆକ୍ଷେପ ।

 

ଏ ଆକ୍ଷେପକୁ ସହ୍ୟ କରି ହେବ ନାହିଁ । ଚନ୍ଦ୍ରାବତୀକୁ ଉତ୍ତର ଦେବାକୁ ହେବ । ଯେପରି କି ଏ ଅଶ୍ଳୀଳ ଆକ୍ଷେପ ଆଉ ଚନ୍ଦ୍ରାବତୀ କରି ନ ପାରେ । ବ୍ୟଥିତ ଭାବରେ ଖଟ ଉପରେ ଗଡ଼ି ପଡ଼ିଥିବା ହେମକାନ୍ତ.. ।

 

ସେ ଦିନ ଆଉ ଆଜି । ଚିନ୍ତା କରୁଛି ହେମକାନ୍ତ । ଜଣେ ଚନ୍ଦ୍ରାବତୀ ଆଉ ଜଣେ ଲୋପାମୁଦ୍ରା, ଜଣେ ସ୍ଥିତିବାନ....ଆଉ ଜଣେ ସର୍ବହରା । ପାର୍ଥକ୍ୟ କିଛି ନାହିଁ, ପୁଣି ଅନେକ କିଛି ।

 

ସେ ଦିନ ଚନ୍ଦ୍ରାବତୀ ଆସିଥିଲା ଆପେ ଆପେ । ହେଲେ ଆଜି ଲୋପାମୁଦ୍ରା ଦୂରେଇ ଦେଇଛି ହେମକାନ୍ତକୁ ।

 

କିନ୍ତୁ ଦୂରେଇ ହେବାରେ ଆଗ୍ରହ । ନିଭୃତ ଜିନିଷରେ ପ୍ରବଳ ମୋହ,ଗୁପ୍ତ ଜିନିଷକୁ ଦେଖିବାରେ ବିକଳତା ସବୁବେଳେ ମଣିଷକୁ ପାଗଳ କରେ ।

 

ନାରୀର ନିଭୃତ ଅଙ୍ଗ ଯେବେ ଆବୃତ ହୋଇ ନ ରୁହନ୍ତା ତେବେ ପୁରୁଷ ସମାଜର ବୃଥା ବିକଳତା ପ୍ରକାଶ ପାଆନ୍ତା ନାହିଁ ।

 

ନିମ୍ନ ଭାବରେ ବିଛଣାରେ ପଡ଼ି ରହିଛି ହେମକାନ୍ତ । ଲୋପାମୁଦ୍ରା ଦୂରେଇ ଦେଇଛି । ଆଜି ବିରାଟ ଅଧ୍ୟାପକ ଜୀବନ କ୍ଷତବିକ୍ଷତ । ଭାରତର ମୁଦ୍ରାମୂଲ୍ୟ ହ୍ରାସ ହେମକାନ୍ତକୁ ଯେତେ ଯନ୍ତ୍ରଣା ଦେଇ ନ ଥିଲା, ସେତେ ଯନ୍ତ୍ରଣା ଦେଇଛି ଲୋପାମୁଦ୍ରାର ରୁକ୍ଷ ବ୍ୟବହାର । କିନ୍ତୁ ଦିନ ଥିଲା, ଯେତେବେଳେ ଲୋପାମୁଦ୍ରା ହେମକାନ୍ତର ନିଜତ୍ୱକୁ ସ୍ୱୀକାର କରିଥିଲା । ସେ ଦିନ ଆଉ ଆଜି..ଅନେକ ପ୍ରଭେଦ । ଆଜି ଲୋପାମୁଦ୍ରାକୁ ଭୁଲିଯିବାରେ ହିଁ ଅଧିକ ଶାନ୍ତି, ଅଧିକ ଆଶ୍ୱସ୍ତି ।

 

ହେମକାନ୍ତ ଥିଲା ଅଧ୍ୟାପକ ଆଉ ଲୋପାମୁଦ୍ରା ଥିଲା ଛାତ୍ରୀ ।

 

ଅର୍ଥଶାସ୍ତ୍ରର ଅଧ୍ୟାପକ ଭାବରେ ହେମକାନ୍ତ ଯେତେବେଳେ ବୈଦେଶିକ ଆମଦାନୀ ବିଷୟରେ ବୁଝାଉଥିଲା—ସେତେବେଳେ ଯୁକ୍ତି କରିବାକୁ ଆରମ୍ଭ କରୁଥିଲା ଲୋପାମୁଦ୍ରା ।

 

ହେମକାନ୍ତ କହେ—ଭାରତ ଏକ ପରାଙ୍ଗପୃଷ୍ଟ ଦେଶ । ବୈଦେଶିକ ସାହାର୍ଯ୍ୟ ବିନା ଏ ଦେଶ ତିଷ୍ଠି ରହିପାରେ ନାହିଁ । କେବଳ ଭାରତ ନୁହେଁ—ପ୍ରତ୍ୟେକ ବିକାଶଶୀଳ ଦେଶଗୁଡ଼ିକର ଅବସ୍ଥା ଏଇଆ ।

 

ଆବଶ୍ୟକୀୟ କଳକବ୍‍ଜା, ଯନ୍ତ୍ରପାତି ପାଇଁ ଭାରତ ଅନ୍ୟ ଦେଶ ନିକଟରେ ଆଣ୍ଠୁ ଭାଙ୍ଗି ଠିଆ ହୁଏ । ମୁଣ୍ଡପାତି ନିଜ ସାର୍ବଭୌମତ୍ୱକୁ ବଳିଦିଏ ।

 

କେବଳ ଯନ୍ତ୍ରପାତି ପାଇଁ ଯେ ଭାରତ ପର ପାଖରେ ହାତ ପତାଏ ତାହା ନୁହେଁ, ଭାରତର ବର୍ଦ୍ଧନଶୀଳ ଅର୍ଥନୀତି ବଡ଼ କ୍ଷୟିଷ୍ଣୁ । ସାପର ବୟସ ବୃଦ୍ଧିରେ ପୃଚ୍ଛ ନଷ୍ଟ ପରି ଆମ ଦେଶରେ ଗୋଟିଏ ଅଭାବ ଆଉ ଗୋଟିଏ ଅଭାବର କାରଣ ହୁଏ ।

ଆମ ଦେଶ କୃଷିପ୍ରଧାନ ଦେଶ । ନେତାମାନେ କହନ୍ତି ଆମ ଦେଶର ଅଶୀଭାଗ ବ୍ୟକ୍ତି କୃଷକ । ତଥାପି ମଧ୍ୟ ଖାଦ୍ୟଶସ୍ୟର ଅଭାବ ଆମ ଜାତି ନିକଟରେ କମ୍‌ ଲଜ୍ଜାର କାରଣ ନୁହେଁ ।

ଯୁକ୍ତି ଛଳରେ କୁହାଯାଏ—ଆମ କୃଷିର ଆଧୁନିକୀକରଣ ହୋଇ ନାହିଁ ବୋଲି ଆମକୁ ଖାଦ୍ୟଶସ୍ୟର ଅଭାବ ପଡ଼ୁଛି । ସତରେ କଥାଟା ଯେ କେତେ ଗୁରୁତର, ତାହା ପ୍ରତ୍ୟେକ ବ୍ୟକ୍ତି ଚିନ୍ତା କରିବାର ଗୁରୁତ୍ୱ ରହିଛି । ଚିକାଗୋର ଗହମରେ ଭାରତ କେତେ ଦିନ ଆଉ ବଞ୍ଚିବ ?

କେବଳ ଅଧ୍ୟାପକ ହେମକାନ୍ତ ଯେ ଭାରତର ଏ ଦୁର୍ଭାଗ୍ୟ କଥା ହୃଦୟଙ୍ଗମ କରିଥିଲା ତା’ ନୁହେଁ । ଅନେକ ମଣିଷ ଏ କଥା ବୁଝିଛନ୍ତି ।

ତଥାପି ଆମ ଦେଶରେ ଖାଦ୍ୟପାଇଁ ଆନ୍ଦୋଳନ ଚାଲେ । ଆଉ ସେହି ବିଳ୍ପବୀ ଜନତାକୁ ଖାଇବା ପାଇଁ ଚାଉଳ ନ ମିଳେ, ମିଳେ ରାଇଫଲ୍‌ର ଗୁଳି ।

କ୍ଲାସ୍‌ରୁମର ଲେକ୍‌ଚର ଥେଟର ଉପରେ ଉତ୍ତ୍ୟକ୍ତ ହୋଇ ଆରମ୍ଭ କରିଥିଲା ହେମକାନ୍ତ–

ଦିନ ଆସିବ, ଆମକୁ ଆମର ସାର୍ବଭୌମତ୍ୱ ଅପର ହାତରେ ଟେକିଦେବାକୁ ପଡ଼ିବ । ସ୍ୱାବଲମ୍ବୀ ହେବାର ଯେଉଁ ଅସଲ ଜିନିଷଟି ଦରକାର, ତାହା ଆମ ପାଖରେ ନାହିଁ ।

ହଠାତ୍‌ ଛାତ୍ରୀ ବେଞ୍ଚର ଗୋଟାଏ କଣରୁ କମ୍ପି ଉଠିଥିଲା ଲୋପାମୁଦ୍ରା ।

ସ୍ଥିର ଦୃଷ୍ଟିରେ ଚାହିଁଥିଲା ହେମକାନ୍ତ ।

—ମୋ ମତରେ ଭାରତ ସ୍ୱାବଲମ୍ବୀ । କିନ୍ତୁ ଉପଯୁକ୍ତ ପରିଚାଳନାରେ ଅଭାବ ଯୋଗୁଁ ଆମକୁ ଖାଦ୍ୟସଙ୍କଟ ପଡ଼ୁଛି । ଆମେ ଅପର ନିକଟରେ ହାତ ପାତୁଛୁ ।

ହସର ସାମାନ୍ୟ ରେଖା ଟାଣି ହେମକାନ୍ତ କହିଥିଲା...ମୁଁ ବୁଝୁଛି ଲୋପମୁଦ୍ରା । ଉପଯୁକ୍ତ ପରିଚାଳନାର ଅଭାବ ମଧ୍ୟ ଆମର ଏକକ ଅନ୍ତରାୟ । କିନ୍ତୁ ଭାରତର ଜନସଂଖ୍ୟା ତୁଳନାରେ ଖାଦ୍ୟ ଉତ୍ପାଦନର ହିସାବ ରଖିଛି ତ ? ନିଅଣ୍ଟିଆ ବଜେଟ ପାଇଁ ଆମେ କେବଳ ବ୍ୟସ୍ତ ହେଉ ନାହୁଁ..ନିଅଣ୍ଟିଆ ଖାଦ୍ୟଶସ୍ୟ ପାଇଁ ମଧ୍ୟ ଆମେ ବ୍ୟସ୍ତ ହେଉଁ ।

ଲୋପାମୁଦ୍ରା ସାମାନ୍ୟ ଆହତ ହେବା ପରି କହିଲା—ହଁ ସେ କଥା ଠିକ୍‌ ହୋଇପାରେ-। ହେଲେ କୃଷି ଉପକରଣର ଆଧୁନିକ ଗୁଣ କ’ଣ ଏ ସମସ୍ୟାର ସମାଧାନ କରିପାରିବ ନାହିଁ-? ନୂଆ ନୂଆ ପ୍ରଣାଳୀ ଗ୍ରହଣ କଲେ କ’ଣ ଅବସ୍ଥା ସୁଧୁରିବା ନାହିଁ । ପର ମୁଖାପେକ୍ଷିକା ଏକ ମାନବିକ ପ୍ରବୃତ୍ତି ନୁହେଁ...ଏକ ପାରମ୍ପରିକ ରୋଗ ।

ହସରେ ଫାଟି ପଡ଼ୁ ପଡ଼ୁ ହେମକାନ୍ତ କହିଥିଲା—ତା’ ମୁଁ ମାନୁଛି ଲୋପାମୁଦ୍ରା । କିନ୍ତୁ ନୂତନ କୃଷି ପ୍ରଣାଳୀର କିଛି ଚାକ୍ଷୁଷ ପ୍ରମାଣ ରଖିଛି ? ଗବେଷକଙ୍କର ପରାମର୍ଶ ଅନୁସାରେ କୃଷି କ୍ଷେତ୍ରରେ ପରୀକ୍ଷା କରାଗଲା ବରଂ କ୍ଷତି ହେବ—ଲାଭ ହେବା ସମ୍ଭବ ନୁହେଁ ।

ଆଉ ଯୁକ୍ତି ନ ଥିଲା ଲୋପାମୁଦ୍ରାର.. । ହେମକାନ୍ତ ମିଛ କହୁ ନାହାନ୍ତି । ନୂତନ ଆବିଷ୍କୃତ ତାଇଚୁଙ୍ଗ୍‌ ଧାନ ହିଁ ତା’ର ଏକ ନଗ୍ନ ଉଦାହରଣ ।

ତା’ପରେ...

 

ତା’ପରେ ହେମକାନ୍ତ କହିଲା, ଏଇ ସବୁ କାରଣରୁ ଆମକୁ ବିଦେଶ ଉପରେ ନିର୍ଭର କରିବାକୁ ହେବ । ଆମେରିକାନ୍‌ଗୁଣ୍ଡ ଦୁଧ ଆଉ ଗହମ ଭିତରୁ ଭିଟାମିନ୍‌ ସଂଗ୍ରହ କରି ଆମକୁ ବଞ୍ଚି ରହିବାକୁ ହେବ ।

 

ସେଦିନ ନୀରବରେ ହେମକାନ୍ତକୁ ସମର୍ଥନ ନ କରି କ୍ଳାସରୁ ବାହାରି ଆସିଥିଲା ଲୋପାମୁଦ୍ରା ।

 

କ୍ଳାସ୍‌ର ସମସ୍ତେ ଜାଣନ୍ତି...ଲୋପାମୁଦ୍ରା । ମୁଖର । ଯୁକ୍ତି କରିବା ତା‘ର ଏକ ସ୍ୱଭାବିକ ପ୍ରବୃତ୍ତି । ଲୋପାମୁଦ୍ରା ଯେ କ୍ଳାସ୍‌ର ଖରାପ ଛାତ୍ରୀ ଥିଲା, ତା’ ନୁହେଁ । ଅଧ୍ୟୟନକୁ ସେ ଅଧ୍ୟୟନ ରୂପେ ଗ୍ରହଣ କରୁଥିଲା । ସେଇଥିପାଇଁ ଅନେକ ଅଧ୍ୟାପକ ସ୍ୱଭାବିକ ଭାବରେ ଲୋପାମୁଦ୍ରାକୁ ଭୟ କରୁଥିଲେ ।

 

କିନ୍ତୁ ଆଜି ହେମାକାନ୍ତ ନିକଟରେ ହାର ମାନିଛି ଲୋପାମୁଦ୍ରା । ଅନେକ ଛାତ୍ରଙ୍କ ମୁହଁରେ ଆଶ୍ୱସ୍ତିର ସ୍ୱେଦ ।

 

ଅନେକ ଛାତ୍ର ଭାବନ୍ତି..ଲୋପାମୁଦ୍ରା । ପ୍ରଥମ ସ୍ଥାନ ଅଧିକାର କରେ ବୋଲି ତା’ର ସ୍ୱଭାବିକ୍‌ ଅହମିକା ରହିଛି ।

 

ସତ କହିବାକୁ ଗଲେ—ଅହମିକା ମଣିଷ ମନର ଏକ ଆଦିମ ପ୍ରବୃତ୍ତି । ମଣିଷ ଛାତିର ଗୁପ୍ତ ଗହ୍ୱରରେ ହିଁ ଏହା ଆତ୍ମପ୍ରକାଶ କରେ ।

 

କ୍ଳାସରୁ ବାହାରି ପଦାକୁ ଆସିଲା ଲୋପାମୁଦ୍ରା । ନାଁ...ଆଜି କଟକ ସହରରେ ଅନେକ କିଛି ପରିବର୍ତ୍ତନ । ଲୋପମୁଦ୍ରା ଅନୁଭବ କରୁଛି...ସତେ ଅବା ଭାରତ ମାଟିର ଉର୍ବରା ଶକ୍ତି କମିଯାଇଛି... । ଆଜି ରୁକ୍ଷ ଦେବଦାରୁ ଗଛ ଖାଦ୍ୟଭାବରେ ଝାଉଁଳି ପଡ଼ୁଛି । ରଙ୍ଗୀନ କୃଷ୍ଣଚୂଡ଼ା ଗଛ ଖାଦ୍ୟ ପ୍ରାଣର ଅଭାବରେ ଫୁଲ ଧରୁନାହିଁ । ଭାରତ ମାଟିକୁ ଖାଇବାକୁ ଦେବାକୁ ହେବ । ସେ ଯୁଗ ଯୁଗ ହେଲା ଭୋକିଲା ରହିଯାଇଛି ।

 

ନୀରବରେ ରିକସା ଧରି ଘରକୁ ଫେରିଲା ଲୋପାମୁଦ୍ରା ।

 

ନାଁ, ତଥାପି ମନରେ ଶାନ୍ତି ନାହିଁ । ଭୋକିଲା ମାଟି କୋହଳ ହୋଇଯାଇଛି । ସତେ ଅବା ବାରିଷ୍ଟର ଶାନ୍ତନୁଙ୍କର ଦ୍ୱିତଳ ପ୍ରାସାଦଟାକୁ ଏ ମାଟି ଆଉ ଟେକିଧରି ପାରିବ ନାହିଁ । ମାଟି ଦୋହଲୁଛି, ପ୍ରାସାଦ ଦୋହଲୁଛି । ଠିକ୍‌ ଯେମିତି ରୁଗଣ୍‌ କେଣ୍ଡାହୀନ ଧାନଗଛ ଦୋହଲେ କୃଷକର କ୍ଷେତର ଛାତିରେ ।

 

କୋଠରୀରୁ ପୁଣି ବାହାରକୁ ଆସିଲା ଲୋପମୁଦ୍ରା । ନାଁ....ତଥାପି ଶାନ୍ତି ନାହିଁ । ଭାରତ ଏକ ପରାଙ୍ଗପୁଷ୍ଟ ଦେଶ । ଯେଉଁ ଦେଶର ଗୀତା କହେ ନିଜ ଉପରେ ନିଜେ ବିଶ୍ୱାସ କର । ନିଜେ ହିଁ ସର୍ବଶକ୍ତିମାନ୍‌ । ନିଜେ ନିଜର ଦେବତା । ନିଜକୁ ପୂଜା କରିବା ହିଁ ଦେବତାଙ୍କୁ ପୂଜାକରିବା ।

 

ସେହି ଦେଶର ମଣିଷ କହୁଛି...ମୁଁ ମୋର ନୁହେଁ । ଶହ ଶହ ବର୍ଷ ଧରି ମୁଁ ଥିଲି ବିଦେଶୀର । ଏବେ ବି ଅଛି ବିଦେଶୀର । ସେତେବେଳେ ଥିଲି ବିଦେଶୀ ଶାସନରେ ଏବେ ଅଛି ବିଦେଶୀ ଆହାରରେ ।

 

ଏ ଦେଶର ମାଟି କହୁଛି ମୋତେ ବିଦେଶୀ ଆହାର ଦିଅ । ଏମୋନିଆଁ...ସୁପର ଦିଅ...ଇଉରିଆ, ପୋଟାସ୍‌ଦିଅ...ନ ହେଲେ ମୁଁ ମରିଯିବି ।

 

ଶୋଷ ମାରିବାକୁ ମୋ ମାଠିଆରେ ପାଣି ନାହିଁ..ମୁଁ ସୃଷ୍ଟିଛଡ଼ା....ମୁଁ ହତଭାଗ୍ୟ...ମୁଁ ରୁଗ୍‌ଣ...ମୁଁ ପତିତ...ମୁଁ ନଷ୍ଟ ।

 

ଚିତ୍କାର କରି ଉଠିଲା ଲୋପାମୁଦ୍ରା ।

 

ତେବେ ଭାରତର ଏ ଚିରାଚରିତ ବ୍ୟାଧିର କ’ଣ କିଛି ଉପଶମ ନାହିଁ ? କୁବେରର ବଂଶଧର ମରିବେ କେବଳ ଅନ୍ନ, ଜଳର ବିକଳ ଚିତ୍କାରରେ ?

 

ଚିନ୍ତାକଲା ଲୋପମୁଦ୍ରା । ଆମେ ଦରମା ବଢ଼ାଅ ଆନ୍ଦୋଳନ କରୁଛି । ଦରକାର ପଡ଼ିଲେ ସରକାରୀ ଜାତୀୟ ସମ୍ପତ୍ତି ନଷ୍ଟ କରୁଛୁ । ନଷ୍ଟ କରିବାକୁ ଦିନେ ଓଳିଏ ଲାଗୁ ନାହିଁ । କିନ୍ତୁ ଗଢ଼ିବାକୁ ?

 

ନାଁ–ନାଁ–ଭାରତରେ ଭାଗ୍ୟ ପରିବର୍ତ୍ତନ ହେବ ନାହିଁ । ଜହ୍ନର ଭିତରେ ଯେଉଁ ହା ହା କାର ଥିବାରୁ ଜହ୍ନ ହୋଇଛି ନିଷ୍ଠୁର, ଟାଙ୍ଗର ସେହି ହା ହା କାର ଭାରତକୁ ଡ଼େଇଁଛି । ଏ ମାଟିରେ ଆଉ ମଣିଷ ରହିବେ ନାହିଁ, ରହିବେ ଦେବତା । ଯେଉଁମାନଙ୍କର ଭୋକ ନ ଥିବ, ଶୋଷ ନଥିବ—ଥିବ କେବଳ ଏକ ନିର୍ବ୍ୟକ୍ତ ଆତ୍ମଚେତନା ।

ଅସହାୟ ଭଳି ଆକାଶକୁ ଚାହିଁଲା ଲୋପାମୁଦ୍ରା । ଆହା—କେହି ହେଲେ କେବେ ଏ କଥା ଚିନ୍ତା କରୁନାହିଁ । ଏ ଅନନ୍ତ ଗ୍ଳାନିକୁ ଦୂରେଇବା ପାଇଁ ଚେଷ୍ଟା କରୁ ନାହାନ୍ତି । ତେବେ କ’ଣ ଦିନେ ଭାରତ ଉଚ୍ଛନ୍ନ ହୋଇଯିବ ?

ନାଁ–ନାଁ ହେମକାନ୍ତକୁ ସ୍ୱୀକାର କରିବାକୁ ହେବ । ତା’ର ସ୍ୱର ସହିତ ସ୍ୱର ମିଳିବାକୁ ହେବ । ହେମକାନ୍ତ ତରୁଣ ଅଧ୍ୟାପକ ଭାରତର ବିର୍ଦ୍ଧିଷ୍ଣୁ ଅର୍ଥନୀତିକୁ ସେ ପଢ଼ିଛନ୍ତି ହେମକାନ୍ତଙ୍କୁ ସ୍ୱୀକାର କଲେ ହୁଏତ ଅଧ୍ୟାପକ ହେମକାନ୍ତଙ୍କ ମିଳିବ ତାକୁ ।

ସୂର୍ଯ୍ୟାସ୍ତର ଶେଷରେ କଟକ ସହରର ରାସ୍ତାରେ ଅନେକ ବତୀ ଜଳେ । ଉପଗଳିତ ଉପାନ୍ତରେ ଅନେକ ବତୀ ମଧ୍ୟ ମିଞ୍ଜି ମିଞ୍ଜି କରେ । ଏ ବତୀଗୁଡ଼ିକ ଆଜି ମଧ୍ୟ ଜଳୁଛନ୍ତି । ହେଲେ ଲୋପାମୁଦ୍ରା ଭାବୁଛି ଏ ବତୀଗୁଡ଼ିକ ସବୁଦିନ ପାଇଁ ଲିଭିଯିବା ହିଁ ଉଚିତ ।

ଭାରତର ଗଳି କନ୍ଦିରେ ଯେଉଁ ଅନ୍ଧାର, ସେ ଅନ୍ଧାରକୁ ଏ ସାମାନ୍ୟ ବତୀ କେତେଟା ଦୂର କରି ପାରିବ ନାହିଁ । ତେଣୁ ଏ ବତୀ, ମୋଟେ ନ ଜଳିବା ହିଁ ଭଲ ।

ଲୋପାମୁଦ୍ରା ଭାବୁଛି...ଆମେ ବଡ଼ ଲୋକ, କିନ୍ତୁ ଆମେ ବଡ଼ ଲୋକ କାହିଁକି ?

ବାରିଷ୍ଟର ଶାନ୍ତନୁ...ଦୁଃଖ କଷ୍ଟକୁ ବୁଝିଛନ୍ତି । ଅଭାବ ଅନାଟନକୁ ହୃଦୟଙ୍ଗମ କରିଛନ୍ତି । ଦେଶକୁ ପୂର୍ବରୁ ଶାନ୍ତନୁ ଜାତିପାଇଁ କମ୍‌ ଖଟି ନ ଥିଲେ । ଦେଶକୁ ମୁକ୍ତି କରିବା ପାଇଁ କମ୍‌ ଲଢ଼ି ନ ଥିଲେ । ହେଲେ ଆଜି ସେ ଦିନ ନାହିଁ । ଅବସ୍ଥା ବଦଳିଛି । ଶାନ୍ତନୁ ନିଜର ବ୍ୟବସାୟ ପ୍ରତି ଦୃଷ୍ଟି ଦେଇଛନ୍ତି ।

 

ଲୋକେ କହନ୍ତି—ଶାନ୍ତନୁ ଭାବପାଗଳ । କିନ୍ତୁ ଏଇ ପାଗଳାମୀର ଐକିକ କେନ୍ଦ୍ର ହେଉଛି ଏଇ ଲୋପାମୁଦ୍ରା । ଲୋପାମୁଦ୍ରାକୁ ଦେଖିଲେ ଐକିକ କେନ୍ଦ୍ର ହେଉଛି ଲୋପାମୁଦ୍ରା । ଲୋପାମୁଦ୍ରାକୁ ଦେଖିଲେ ଅନିଚ୍ଛା ସତ୍ତ୍ୱେ ମଧ୍ୟ ସେ ପାଗଳ ହୋଇଉଠନ୍ତି ।

 

ନାଁ....ପାଗଳାମୀ କହିଲେ ହୁଏତ ଠିକ୍‌ ହେବନାହିଁ । ବୟସର ସୀମା ଦେହରୁ ପ୍ରାୟ ଦଶ ବର୍ଷ ଖସି ଆସନ୍ତି ଶାନ୍ତନୁ । ଲୋପାମୁଦ୍ରା ସହିତ ଲୋପାମୁଦ୍ରା ହୋଇ ସେ ଖେଳିବାକୁ ପସନ୍ଦ ମନେ କରନ୍ତି ।

ସତରେ..ପିଲା ହେବାପାଇଁ ମଣିଷ ମନରେ ଯେଉଁ ଆଗ୍ରହ ତାକୁ କଥାରେ କହି ହେବନାହିଁ । ସନ୍ତାନ ପାଖରେ ବାପ ମାଆ ପିଲା ଦେଇଉଠନ୍ତି । ଏଇ ପିଲା ହେବାରେ ହିଁ ଅନନ୍ତ ଶାନ୍ତି ।

ବର୍ଷ ଧରି ମୁଁ ଥିଲି ମୁଁ ବିବେକି ଶୀଷ ଘୋଡ଼ା ଦେଉଥିବାବେଳେ ବଞ୍ଚିବା ବେଳେ ଥିଲି ବିଦେଶୀ ଶାସନରେ ଏବେ ମଣିଷ ପିଲା ହେବାକୁ ।

ଏ ଦେଶର ମାଟି କହୁଛି ମୋତେ ବିଦେଶୀ ଆହାର ଦିଅ । ଏମୋନିଆଁ...ସୁପର ଦିଅ....ଉଇରିଆ,ପୋଟାସ୍‌ ଦିଅ.. ନ ହେଲେ ମୁଁ ମରିଯିବ ।

ଶୋଷ ମାରିବାକୁ ମୋ ମାଠିଆରେ ପାଣି ନାହିଁ..ମୁଁ ସୃଷ୍ଟିଛଡ଼ା ମୁଁ ହତଭାଗ୍ୟ..ମୁଁ ରୁଗ୍‌ଣ..ମୁଁ ପତିତ..ମୁଁ ନଷ୍ଟ ।

ଚିତ୍କାର କରିଉଠିଲା ଲୋପାମୁଦ୍ରା ।

ତେବେ ଭାରତର ଏ ଚିରାଚରିତ ବ୍ୟାଧିର କ’ଣ କିଛି ଉପଶମ ନାହିଁ ? କୁବେରର ବଂଶଧର ମରିବେ କେବଳ ଅନ୍ନ, ଜଳର ବିକଳ ଚିତ୍କାରରେ ?

ଶାନ୍ତନୁ କହନ୍ତି...ଲୋପାମୁଦ୍ରାର ଜନ୍ମଠାରୁ ତାଙ୍କ ବ୍ୟବସାୟର ଖ୍ୟାତି ବଢ଼ିଛି, ଅର୍ଥୋପାର୍ଜନର ପରିସର ମଧ୍ୟ ବୃଦ୍ଧି ପାଇଛି । ତା’ ଛଡ଼ା ଶାରୀରିକ ସୁସ୍ଥତା ମଧ୍ୟ ଆପେ ଆପେ ଆସିଛି ।

ଲୋପାମୁଦ୍ରାର ଜନ୍ମ ଆଗରୁ...କୁଆଡ଼େ ଶାନ୍ତନୁ ଜଣେ ପେଟମରା ରୋଗୀ ଥିଲେ । ପେଟ କଷ୍ଟରେ ସେ ଦିନ ଦିନ ଯନ୍ତ୍ରଣା ଭୋଗ କରୁଥିଲେ । ଆଉ ଶାନ୍ତନୁଙ୍କ ସ୍ତ୍ରୀ ଜୟନ୍ତୀ ମଧ୍ୟ ଥିଲେ ଜଣେ ମୂର୍ଚ୍ଛା ରୋଗିଣୀ...

କିନ୍ତୁ...କିନ୍ତୁ...

ଏଇ ଝିଅ ଲୋପମୁଦ୍ରା କି ଉଚ୍ଚ ରାଶି ନେଇ ଜନ୍ମଲାଭ କଲା କେଜାଣି, ସେ ସବୁ ଦୁଃଖ ଯାଇଛି । ଏବେ ଶାନ୍ତନୁ ମହା ସୁଖରେ ଜୀବନ ଯାପନ କରୁଛନ୍ତି ।

ଶାନ୍ତନୁ କହନ୍ତି...ମାଆ ଲୋପା ଯେଉଁଦିନ ମୋ ଘର ଛାଡ଼ି ବାହାରକୁ ପାଦ କାଢ଼ିବ...ସେ ଦିନ ମୋ ଦୁନିଆଁ ଉଚ୍ଛନ୍ନ ହୋଇଯିବ । ମୋ ସୁଖର ସଂସାର ନଷ୍ଟ ହୋଇଯିବ । ମୋ ଜୀବନ ଅକାରଣ ହୋଇଯିବ । ଏ ଜୀବନର ଏକମାତ୍ର ରକ୍ଷାକାରିଣୀ ଲୋପାମୁଦ୍ରା ।...

 

ସେଇ ଲୋପମୁଦ୍ରା..ଧାଇଁଛି ଅଧ୍ୟାପକ ହେମାକାନ୍ତଙ୍କ କୋଠରୀକୁ ।

 

ସୂର୍ଯ୍ୟାସ୍ତର ଶେଷରେ କଟକ ସହରର ରାସ୍ତାରେ ଅନେକ ବତୀଜଳେ । ଉପଗଳିତ ଉପାନ୍ତରେ ଅନେକ ବତୀ ମଧ୍ୟ ମିଞ୍ଚି ମିଞ୍ଜି କରେ । ଏ ବତୀଗୁଡ଼ିକ ଆଜି ମଧ୍ୟ ଜଳୁଛନ୍ତି । ହେଲେ ଲୋପାମୁଦ୍ରା ଭାବୁଛି...ଏ ବତୀଗୁଡ଼ିକ ସବୁଦିନ ପାଇଁ ଲିଭିଯିବା ହିଁ ଉଚିତ ।

 

ଭାରତର ଗଳି କନ୍ଦିରେ ଯେଉଁ ଅନ୍ଧାର, ସେ ଅନ୍ଧାରକୁ ଏ ସାମାନ୍ୟ ବତୀ କେତେଟା ଦୂର କରି ପାରିବ ନାହିଁ । ତେଣୁ ଏ ବତୀ, ମୋଟେ ନ ଜଳିବା ହିଁ ଭଲ ।

 

ଲୋପାମୁଦ୍ରା ଭାବୁଛି...ଆମେ ବଡ଼ ଲୋକ, କିନ୍ତୁ ଆମେ ବଡ଼ ଲୋକ କାହିଁକି ?

 

ଆମେ ପର ପାଖରେ ହାତ ପତାଉ ନାହିଁ । ପର ପାଖରେ ଅର୍ଥ ମାଗୁ ନାହିଁ । ସେଇଥିପାଇଁ ଅର୍ଥହୀନ ଛୋଟ ଲୋକଗୁଡ଼ାକ ଆମ ଦ୍ୱାରରେ ଧାଡ଼ି ଦିଅନ୍ତି ।

 

ହେଲେ...

 

ନାଁ...ଆଉ ଚିନ୍ତା କରି ପାରୁନାହିଁ ଲୋପାମୁଦ୍ରା । ଏଇ ଆମ ସମ୍ମାନାସ୍ପଦ ଦେଶ ଅପର ପାଖରେ ହାତ ପତାଇ ଭିକ ମାଗୁଛି...ଗୋଟାଏ ପଇସା ଦିଅ..ମୁଠିଏ ଖାଇବାକୁ ଦିଅ... । ଆଃ..କେଡ଼େ ଲଜ୍ଜାକର ଏ କଥା... ?

 

ଏ ସମସ୍ୟାର ସମାଧାନ ଲୋଡ଼ା । ଏ ନିର୍ଯ୍ୟାତନାର ପରିସମାପ୍ତି ଲୋଡ଼ା । ମଣିଷ ହୋଇ ବଞ୍ଚି ରହିବାକୁ ହେଲେ ପରମୁଖାପେକ୍ଷିତା ଛାଡ଼ିବାକୁ ପଡ଼ିବ । ନିଜକୁ ନିଜ ଉପରେ ବିଶ୍ୱାସ କରିବାକୁ ହେବ । ଆମେ ଯୁବକ..ଆମେ ଯୁବତୀ...ଆମେ ଶିକ୍ଷିତ..ଆମେ ବିପ୍ଳବ କରୁ...ଆମେ ଜାତୀୟ ସମ୍ପତ୍ତି ନଷ୍ଟ କରୁ, ହେଲେ ଖାଦ୍ୟ ସମସ୍ୟାର ଚିରନ୍ତନ ସମାଧାନ ଲାଗି କୌଣସି ଗଠନମୂଳନକ ଉପଦେଶ ଦେଇପାରୁ ନାହିଁ । ଆମେ ସରକାରଙ୍କୁ ଦୋଷ ଦେଉଁ...ସତେ ଯେମିତି ଫାଇଲ ଗୁଡ଼ାକ ଧାନ, ଗହମ ଫଳାଇ ପାରିବ ।

 

ଆଗେଇ ଚାଲିଛି ଲୋପାମୁଦ୍ରା... ।

 

ଏଣେ ଅଧ୍ୟାପକ ହେମକାନ୍ତ ଖଟ ଉପରେ ପଡ଼ି ରହି କ୍ଳାସ୍‌ରୁମର ଘଟଣାଟିକୁ ଅନୁଧ୍ୟାନ କରୁଛି । ବିଶ୍ଳେଷଣ କରୁଛି । ସତେ କ’ଣ କୁମାରୀ ଲୋପାମୁଦ୍ରା ଭାରତର ଖାଦ୍ୟ ସମସ୍ୟା...ପରମୁଖାପେକ୍ଷିତା ପାଇଁ ବ୍ୟଥିତା ?

 

ସନ୍ଦେହ ହେଉଛି ହେମକାନ୍ତର । ହେମକାନ୍ତର ଉତ୍ତାଳ ଯୌବନ...ଲୋପାମୁଦ୍ରାର ମଙ୍ଗ ମୋଡ଼ି ନାହିଁତ ? ହେମକାନ୍ତର ଚିନ୍ତାରେ ବାଧା ଦେଇ କୋଠରୀ ଭିତରକୁ ଆସିଥିଲା ଲୋପାମୁଦ୍ରା-

 

ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲା ହେମକାନ୍ତ..

 

ଲୋପାମୁଦ୍ରା କହିଥିଲା—‘‘ଦେଖନ୍ତୁ ହେମକାନ୍ତ ବାବୁ । କ୍ଳାସରେ ଆଲୋଚନାଟା ଅଧା ରହିଗଲା । କୌଣସି ଗୋଟିଏ ସମାଧାନରେ ପହଞ୍ଚିବା ସମ୍ଭବ ହେଲା ନାହିଁ । ଏଇକଥା ହିଁ ବାଟସାରା ଭାବି ଭାବି ମୁଁ ଘରକୁ ଫେରିଗଲି । ଘରେ ମଧ୍ୟ ଶାନ୍ତି ଲାଗିଲା ନାହିଁ । ତେଣୁ ମନେ ମନେ ଭାବିଲା..ଆପଣଙ୍କର ସହିତ ପୃଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି କଥାଟାର ସମାଧାନ ଖୋଜିବା । ଆପଣ ଏ ଦିଗରେ ମୋତେ ସାହାର୍ଯ୍ୟ କରନ୍ତୁ....’’

ନିର୍ବେଦ ପୁରୁଷ ଭଳି ଲୋପାମୁଦ୍ରାକୁ ଚାହିଁ ରହିଛି ହେମକାନ୍ତ । ଅତଳ ସମୁଦ୍ର ଗର୍ଭରେ ଇଲିସି ମାଛଟାଏ ସୁଅକାଟି ଯେମିତି ପହଁରୁଥାନ୍ତି..ଠିକ୍‌ ସେମିତି ଲୋପାମୁଦ୍ରାର ପ୍ରଶସ୍ତ ସୁଷମା ମଧ୍ୟରେ ପହଁରୁଥିଲା ହେମକାନ୍ତର ପୁରୁଷତ୍ୱ ।

ନାରୀର ଶୋଭା ଦେଖି ବିଭୋର ହୋଇଯିବ ପୁରୁଷର ଏକ ପାରମ୍ପାରିକ ଦୁର୍ଗୁଣ । ହେମକାନ୍ତ ଅବା ସେଥିରୁ ବାଦ୍‌ ଯାଆନ୍ତା କେମିତି...

ହେମକାନ୍ତର କୋଠରୀକୁ ଆସିଛି ଶ୍ୱେତାଙ୍ଗୀ ଲୋପାମୁଦ୍ରା । ତାକୁ ସାହାଯ୍ୟ କରିବାକୁ ହେବ । ଜୀବନ ପାଇଁ ନୁହେଁ, ଯୌବନ ପାଇଁ ନୁହେଁ...କେବଳ ଟିକେ ସମବେଦନା ପାଇଁ... ।

ପୁଣି ମୁହଁ ଖୋଲିଲା ଲୋପାମୁଦ୍ରା...

‘‘ନୀରବ ରହିଲେ କାହିଁକି ? କୁହନ୍ତୁ, ମୋତେ କ’ଣ ଆପଣ ଏ ଦିଗରେ କିଛି ସାହାଯ୍ୟ କରି ପାରିବେ ନାହିଁ ?’’

ନିଜକୁ ନିଜେ ପୁଣି ଖୋଜି ଖୋଜି ଆବିଷ୍କାର କରୁଛି ହେମକାନ୍ତ । ପଥହରା ମଣିଷ ଯେମିତି...ନିଜର ବାଟ ପାଇବା କଷ୍ଟକର ହୋଇପଡ଼େ…ଠିକ୍‌ ସେହିପରି ଲୋପାମୁଦ୍ରାର ଦିଗହଜା ଆତ୍ମିକତା ମଧ୍ୟରେ ଲୀନ ହୋଇଯାଉଛି ।

ପୁର୍ନବାର ପ୍ରଶ୍ନ କଲା ଲୋପାମୁଦ୍ରା,‘’ଏ ଦିଗରେ କ’ଣ ମୋତେ କିଛି ସାହାଯ୍ୟ କରି ପାରିବେନି ?’’

କି ଯୁକ୍ତି କରିବ ହେମକାନ୍ତ ? ଯୁକ୍ତି ସେ ଗୋଳମାଳ ହୋଇ ଯାଉଛି । ସ୍ୱର ଯେ କ୍ଷୀଣ ହୋଇପଡ଼ୁଛି, କଣ୍ଠର ତନ୍ତ୍ରୀ ଦେହରେ ଏକ ଅପୂର୍ବ ଅସ୍ଥିର ଝଙ୍କାର । ତଥାପି ସାହାସର ସହିତ ଲୋପାମୁଦ୍ରା ସହିତ ଯୁକ୍ତି କରି ପୌରଷତ୍ୱକୁ ବଜାୟ ରଖିବାକୁ ହେବ ..

ମୁହଁ ଖୋଲିଲା ହେମକାନ୍ତ ।

‘‘ଏ ଦିଗରେ ତୁମେ କ’ଣ କରି ପାରିବ ଲୋପାମୁଦ୍ରା ? ଏ ଯେ ଏକ ବିରାଟ ଜାତୀୟ ପ୍ରଶ୍ନ ?’’

ଆଉ ସ୍ଥିର ରହିପାରୁ ନାହିଁ ଲୋପାମୁଦ୍ରା । ସବୁଠି କେବଳ ହତାଶା, ସବୁଠି କେବଳ ଅଶାନ୍ତି, ସବୁଠି କେବଳ ଏକ ଅହେତୁକୀ ଆତଙ୍କ । ନାଁ...ଏ ଆତଙ୍କ ରାଜର ଦୂର ନ ହେଲେ ସମଗ୍ର ଦେଶ ହା...ହା... କାରରେ ପରିପୂର୍ଣ୍ଣ ହୋଇଯିବ । କ୍ଳୀବ ଅଥର୍ବ ପଙ୍ଗୁ ଭଳି ଏ ଦେଶ ବିଲୀନ ହୋଇଯିବ । ଦେଶର ଦୁର୍ଭାଗ୍ୟ କଥା ବୁଝିବାକୁ ହେବ । ସମୟ ସହିତ ତାଳ ଦେଇ ଦେଶକୁ ବଞ୍ଚାଇ ରଖିବାକୁ ହେବ ।

ଯୁକ୍ତି ଆରମ୍ଭ କଲା ଲୋପାମୁଦ୍ରା...

‘‘ମୁଁ ବୁଝୁଛି, ଏ ଏକ ଜାତୀୟ ପ୍ରଶ୍ନ । ଆଉ ଆମ୍ଭେମାନେ ମଧ୍ୟ ଏ ଜାତିର ମଣିଷ । ତେବେ ଆମର କ’ଣ ଏଥିପାଇଁ କିଛି କର୍ତ୍ତବ୍ୟ ନାହିଁ ?’’

 

ଚମକି ଉଠିଲା ହେମକାନ୍ତ । ଲୋପାମୁଦ୍ରାର ପ୍ରଶ୍ନ ସମଗ୍ର ଜାତିକୁ ନୁହେଁ...ଏକକ ଭାବେ ହେମକାନ୍ତକୁ । ସ୍ଥିର ହୋଇ କହିଲା ହେମକାନ୍ତ...’’ ହଁ ଆମର ଏଥିପାଇଁ ଦାୟିତ୍ୱ ଅଛି ନିଶ୍ଚୟ । କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଆମ ଦେଶରୁ ଖାଦ୍ୟ ସମସ୍ୟା ଦୂର ହେବ ନାହିଁ । ଆମ ଦେଶର ଏହା ଏକ ଚିରନ୍ତନ ବ୍ୟାଧି... ।’’

 

‘‘କିନ୍ତୁ କାହିଁକି ?

 

ସ୍ୱରରେ ପ୍ରବଳ ଦୃଢ଼ତା । ରମଣୀ ଯୌବନର ଡାକରାରେ ନିଜର ଆମ ଦେଶର ଜମି ଟିକି ପୁଅକୁ ହତ୍ୟା କରି ପ୍ରେମିକ ସହିତ ଗୁପ୍ତ ଜମିରୁ ଅଧିକ ହେବାକୁ ଇଚ୍ଛା କରିଥିଲା... । ତା’ ହେଲେ.. ?

 

ଦେଶର ଜନ ଭାରତର ମଣିଷ ହେଈ ଭାଓ୍ୱେଲ ସନ୍ନ୍ୟାସୀଙ୍କ କଥା ଅବା ଜଣାଯାଏ କିଏ ? ଏ ସମାଜରେ ଆହୁଜା ଅଛନ୍ତି...ନାନାବତୀ ଦୁଈ ବୁଲ୍‌ଭା ମଧ୍ୟ ଅଛନ୍ତି । ତା‘ ହେଲେ... ?

 

ନାରୀର ରାପ୍ତାଙ୍ଗ ଦେଖି ପୁରୁଷ ଯେତିକି ଆପଣ ଦେଖିଛନ୍ତି ? ଯୌନାଙ୍ଗ ଦେଖି ନାରୀ ତା’ଠାରୁ କମ୍‌ପାଗେଳୀ ନ ହୋଇ ରହି ପାରିବେ

 

ନାଁ...ହେମକାନ୍ତଙ୍କ ଯକ୍ତିକୁ ମାନିଲେ କେବଳ ନଗର ସୃଷ୍ଟି ଅଧ୍ୟାପକ ହୋଇ ପାରନ୍ତି...ହେଲେ ରାଜମିସ୍ତ୍ରୀ ପ୍ରତ୍ୟେକ ଦିନ କାମ ସେ ଗବେଷଣା କରି ନାହାନ୍ତି । ଏ ଶ୍ରମିକ ଭାବରେ କାମ କରନ୍ତି ନାହିଁ । ଅନୁଧ୍ୟାନ କରିଥାଆନ୍ତେ..ତେବେ ମହଲା ମହଲା ବ୍ୟାପୀ ଭବନଗୁଡ଼ିକ କରନ୍ତେ ନାହିଁ.... । ହେମକାନ୍ତ... ସେ ସବୁର ପରିଚାଳନା ବାବଦର ।

 

ପ୍ରଶ୍ନାୟିତ ଦୃଷ୍ଟି ବେରାଟ କାରଖାନା ଚାଲିପାରିବ....

 

କ’ଣ ତୁମେ ସ୍ୱୀକାର

 

ସାମାନ୍ୟ କି ? କି ଆବଶ୍ୟକତା ଅଛି ଏ ଭବନଗୁଡ଼ିକର ? ପ୍ରସ୍ତାବକୁ ମୁଁ ଉନ୍ନତ ଦେଶରେ ତ’ ପୁଣି କାଗଜ ଘରେ ମଣିଷ ରହି ପକାଇ ତ’ ଆପଣଙ୍କ ବନ୍ଦୋବସ୍ତ କର୍ମଚାରୀମାନେ କାମ କରୁଛନ୍ତି ?

 

ତା’ହେଲେ ଏ ମହଲା ମହଲା ବ୍ୟାପୀ ପ୍ରାସାଦାଗୁଡ଼ିକର ଆବଶ୍ୟକତା କ’ଣ ଅଛି ? ତଥାକଥିତ ପଞ୍ଚବାର୍ଷିକ ଯୋଜନାଗୁଡ଼ିକରେ ହି ଅର୍ଥଳ ହରିଲୁଟ୍‌ନ ଚାଲନ୍ତା...ତେବେ ମନ୍ଦ ଅବା କ’ଣ ଅନ୍ୟ ? ମୁଁ ଭାବୁଛି...ଏତିକିରେ ସବୁ ଅଭାବ ଦୂର ହୋଇ ନିକଟ ...ନାହିଁ । କେବଳ ଟଙ୍କା ଆମର କିଣାବିକାର ମାଧ୍ୟମ ନ ହୋଈଥିଲେ ଅସୁବିଧା ହୁଅନ୍ତା ନାହିଁ । ଧାନ ବଦଳି ନଡ଼ିଆ ମିଳନ୍ତା...ନଡ଼ିଆ ବଦଳି ଧାନ ମିଳନ୍ତା, ତା’ ହେଲେ କୋଟିପତିମାନେ ଧାନ, ଗହମକୁ ନିଜର ଗନ୍ତାଘରେ ସେ ସାଇତି ରଖି ପାରନ୍ତି ନାହିଁ । ତା’ଛଡ଼ା ବିଦେଶୀ ବଜାରକୁ ଆମେ ଛେଳି, ମେଣ୍ଢ ପଠାଇ ଯନ୍ତ୍ରପାତି ମଧ୍ୟ ପାଇ ପାରନ୍ତେ...’’

 

ଅଧ୍ୟାପକ ହେମକାନ୍ତଙ୍କ ମୁଣ୍ଡ ଘୂରିବାକୁ ଲାଗିଲା, ଲୋପାମୁଦ୍ରା ଅପୂର୍ବ ଅସ୍ଥିର କରୁ ନାହିଁ । ତା’ର ଯୁକ୍ତିକୁ କାଟିବା ମଧ୍ୟ ସହଜ କଥା ନୁହେଁ । ଯୁକ୍ତି କରି ପୌରଷତ୍ୱ ହେମକାନ୍ତ...

 

ମୁହଁ ଖୋଲିଲା ହେ ନୁହେଁ । ଏ ଦିଗରେ ଆଦିମ ପ୍ରଥା ହିଁ ଉତ୍ତମ ‘‘ଏ ଦିଗରେ ତୁମେ ଚାଷୀ ହୋଈ ପାରିଲେ ବଦଳ ଦ୍ୱାରା ଦୁନିଆଁ ଏକ ବିରାଟ ଜାତୀୟ ପ୍ରଶ୍ନ ?’’ ବିଦେଶୀ ବଜାରକୁ ପ୍ରଚୁର ପରିମାଣରେ କାହିଁ ?...

 

ଆଉ ସ୍ଥିର ରହିପାରୁ ନାହିଁ । କହିଲା–ଆପଣଙ୍କ ଯୁକ୍ତି ମୁଁ ହତାଶା, ସବୁଠି କେବଳ ଅଶାନ୍ତି,ସବୁଠୁ ମଣିଷ ଉତ୍ପାଦନକାରୀ, ଆପଣ ଆତଙ୍କ । ନାଁ...ଏ ଆତଙ୍କରାଜର ଦୂର କରୁଛନ୍ତି । ଆପଣଙ୍କୁ ମାସିକ ହା..ହା କାରରେ ପରିପୂର୍ଣ୍ଣ ହୋଇଯିବ । କ୍ଳିବ ଡ଼ାଲି ଯୋଗଇ ଦେଲେ ଦେଶ ବିଲୀନ ହୋଈଯିବ । ଦେଶର ଦୁର୍ଭାଗ୍ୟ କଥା ରେ ନିଜର ସମ୍ମାନ ସମୟ ସହିତ ତାଳ ଦେଇ ଦେଶକୁ ବଞ୍ଚାଈ ରଖିବାକୁ ସୃଷ୍ଟି କରିବାକୁ ।

 

ଯୁକ୍ତି ଆରମ୍ଭ କଲା ଲୋପାମୁଦ୍ରା...

 

‘‘ମୁଁ ବୁଝୁଛି, ଏ ଏକ ଜାତୀୟ ପ୍ରଶ୍ନ । ଆଉ ଆମ୍ଭେମାନେ..ତା’ ଜାତିର ମଣିଷ । ତେବେ ଆମର କ’ଣ ଏଥିପାଇଁ କିଛି କର୍ତ୍ତବ୍ୟ ।

 

ଚମକି ଉଠିଲା ହେମକାନ୍ତ । ଲୋପାମୁଦ୍ରାର ପ୍ରଶ୍ନ ସମଗ୍ର ଜଗତ ଜାଣେ ନୁହେଁ...ଏକକ ଭାବେ ହେମକାନ୍ତକୁ । ସ୍ଥିର ହୋଇ କହି ହେମକାନ୍ତ...’’ହଁ ଆମର ଏଥିପାଇଁ ଦାୟିତ୍ୱ ଅଛି ନିଶ୍ଚୟ । ଯେତେ ଚେଷ୍ଟା କଲେ ମଧ୍ୟ ଆମ ଦେଶରୁ ଖାଦ୍ୟ ସମସ୍ୟା ଦୂର ହୋଇନାହିଁ । ଆମ ଦେଶର ଏହା ଏକ ଚିରନ୍ତନ ବ୍ୟାଧି.... ।’’

 

କୋଟି ଟଙ୍କା ଖର୍ଚ୍ଚ କରା ନ ଗଲେ ଗୋଟାଏ ଗୋଟାଏ କାରଖାନା ସମ୍ଭବ ହୋଇପାରୁ ନାହିଁ । ବିଦେଶୀ ଅର୍ଥ ନ ପାଇଲେ ଏ ଦିଗରେ ଆମ ପ୍ରଗତି ପଛେଯିବ ।

 

ନିର୍ଘାତ୍‍ ହସିଉଠିଲା ଲୋପାମୁଦ୍ରା । ସତେ ଯେମିତି ସେ ଭାବୁଥିଲା...ହେମକାନ୍ତଙ୍କର ଭାରତୀୟ ଶିଳ୍ପୀକରଣ ସମ୍ବନ୍ଧରେ ମୋଟେ ଧାରଣ ନାହିଁ । ନିଜକୁ ଆଉ ଟିକେ ସଜିଲ କରି ନେଇ ପୁଣି ଥରେ ହସିଲା ଲୋପାମୁଦ୍ରା । ତା’ପରେ କହିଲା...

 

‘‘ପ୍ରଗତିର ସାରଥୀ ଏଇ ଶିଳ୍ପାନୁଷ୍ଠାନଗୁଡ଼ିକ ଆପଣ ଦେଖିଛନ୍ତି ? ଭଲକରି ଦେଖିଲେ ଆପଣ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବେ ନାହିଁ । ଆମ ଦେଶରେ ଶିଳ୍ପାନୁଷ୍ଠାନ ନାମରେ କେବଳ ନଗର ସୃଷ୍ଟି ହୋଇ ଚାଲିଛି । ଭବନ ତିଆରି ଚାଲିଛି । ହିସାବ କରି ଦେଖିଲେ ଆପଣ ଜାଣିବେ....ଆମ ଦେଶରେ ଯେତେ ରାଜମିସ୍ତ୍ରୀ ପ୍ରତ୍ୟେକ ଦିନ କାମ କରନ୍ତି...ତାହାର ଅଧା ମଧ୍ୟ ଶିଳ୍ପ ଶ୍ରମିକ ଭାବରେ କାମ କରନ୍ତି ନାହିଁ । ଦିଲ୍ଲୀ, ଭୂବନେଶ୍ୱର ଆଦିରେ ଯେଉଁ ମହଲା ମହଲା ବ୍ୟାପୀ ଭବନଗୁଡ଼ିକ ସୃଷ୍ଟି ହୋଇଛି ଆଉ ହେଉଛି...ସେ ସବୁର ପରିଚାଳନା ବାବଦର ଖର୍ଚ୍ଚରେ ମଧ୍ୟ କେତୁଟା ବିରାଟ କାରଖାନା ଚାଲିପାରିବ...

 

କିନ୍ତୁ କାହିଁକି ? କି ଆବଶ୍ୟକତା ଅଛି ଏ ଭବନ ଗୁଡ଼ିକର ? ଜାପାନ ପରି ଉନ୍ନତ ଦେଶରେ ତ’ ପୁଣି କାଗଜ ଘରେ ମଣିଷ ରହି ପାରୁଛନ୍ତି । ତମ୍ଭୁ ପକାଇ ତ’ ଆପଣଙ୍କ ବନ୍ଦୋବସ୍ତ କର୍ମଚାରୀମାନେ କାମ କରି ପାରୁଛନ୍ତି ?

 

ତା’ହେଲେ ଏ ମହଲା ମହାଲା ବ୍ୟାପୀ ପ୍ରାସାଦଗୁଡ଼ିକର ଆବଶ୍ୟକତା କ’ଣ ଅଛି ? ତଥାକଥିତ ପଞ୍ଚବାର୍ଷିକ ଯୋଜନାଗୁଡ଼ିକରେ ଯଦି ଏହି ଅର୍ଥର ହରିଲୁଟ୍‌ ନ ଚାଲନ୍ତା..ତେବେ ମନ୍ଦ ଅବା କ’ଣ ହୁଅନ୍ତା ? ମୁଁ ଭାବୁଛି...ଏତିକିରେ ସବୁ ଅଭାବ ଦୂର ହୋଇ ଯାଆନ୍ତା.... ।

 

ଆଉ ଯୁକ୍ତି କରିପାରୁ ନ ଥିଲା ହେମକାନ୍ତ..ସତରେ ଲୋପାମୁଦ୍ରା ବୁଦ୍ଧିମତୀ । ତାକୁ ପରାସ୍ତ କରିବାକୁ ନିଜକୁ ସେହି ପରିମାଣରେ ସଜିଲ କରିବାକୁ ହେବ ।

 

ହେମକାନ୍ତ କହିଲା—ତୁମ ଯୁକ୍ତିକୁ ମୁଁ ସ୍ୱୀକାର କରୁଛି ଲୋପାମୁଦ୍ରା । କିନ୍ତୁ ଆଉ ଗୋଟାଏ ଦିଗ ତୁମେ ବିଚାର କର । ହୁଏତ.....ତୁମ ଯୁକ୍ତି ଅନୁସାରେ କାମ କଲେ ବର୍ତ୍ତମାନ ଖାଦ୍ୟଭାବ ପଡ଼ିବା ନାହିଁ । ଆମେ ସୁରୁଖୁରୁରେ ଚଳିଯିବା । ହେଲେ ବର୍ଷକୁ ବର୍ଷ ତ ଗୋଟିଏ ନିର୍ଦ୍ଧାରିତ ହାରରେ ଜନସଂଖ୍ୟା ବୃଦ୍ଧି ହେବାରେ ଲାଗିଛି....,ଏ ପ୍ରକାରର ପରିଚାଳନା କେତେ ଦିନ ଅବା ଅବସ୍ଥା ସମ୍ଭାଳିବ ? ପୁଣି ଦିନ ଆସିବ..ଖାଦ୍ୟାଭାବ ପଡ଼ିବ ।

 

ଏଇ ଖାଦ୍ୟଭାବ..ଅନ୍ୟାନ୍ୟ ଅଭାବ ଅନାଟନର କାରଣ ହେବ ।

 

ପୁଣି ସେତେବେଳେ ???

 

ସତେ ଅବା ଏ ଯୁକ୍ତି କରି ଗଡ଼ ଜୟ କରିଛି ହେମକାନ୍ତ ।

 

ମୁଣ୍ଡ ନଇଁଲା ଲୋପାମୁଦ୍ରା । ହେମକାନ୍ତ ଠିକ୍‌ କହୁଛନ୍ତି । ତାଙ୍କ ଯୁକ୍ତିକୁ ସମର୍ଥନ କରିବାକୁ ପଡ଼ିବ ।

 

ଏଥର ନରମ ଭାବରେ ଲୋପାମୁଦ୍ରା । କହିଲା—ତା’ ହେଲେ ଆପଣ କହନ୍ତୁ...ଏ ଅବସ୍ଥାରେ ସମାଧାନ ପାଇଁ କ’ଣ କରାଯାଇପାରେ ?

 

ଚିନ୍ତିତ ହେଲା ହେମକାନ୍ତ । କ’ଣ ସେ ଉତ୍ତର ଦେବ ?

 

ଧୀର ଭାବରେ ହେମକାନ୍ତ କହିଲା—ଖାଦ୍ୟ ସମସ୍ୟାର ସମାଧାନ ପାଇଁ ଆହୁରି ଚିନ୍ତା ଲୋଡ଼ା... । ଆହୁରି ଆଲୋଚନା ଲୋଡ଼ା....

 

ଉଦ୍‌ବେଗ ହୋଇ ଉଠିପଡ଼ିଲା ଲୋପାମୁଦ୍ରା....‘‘ବେଶ୍‌, ତା’ହେଲେ ଆଜି ମୁଁ ଯାଉଛି । ହେଲେ ଏ ବିଷୟରେ ଅଧିକ ଆଲୋଚନା ପାଇଁ ପୁଣି ମୁଁ ଆସିବ ।’’

 

ହେମକାନ୍ତର ପ୍ରତ୍ୟୁତ୍ତରକୁ ଅପେକ୍ଷା ନ କରି ଚାଲି ଯାଉଥିଲା ଲୋପାମୁଦ୍ରା ।

 

ପୁଣି ଆସିବ ଲୋପାମୁଦ୍ରା । ଯୁବକ ହେମକାନ୍ତର ପ୍ରାଣରେ ତରଙ୍ଗର ତଡ଼ିତ୍‌ ।

 

ସତରେ...ଏ ଯୌବନକୁ ଯଦି ମୁଖସ୍ଥ କରି ହୁଅନ୍ତା...ତେବେ ଆକଣ୍ଠ ମୁଖସ୍ଥ କରିପକାନ୍ତା ହେମକାନ୍ତ ।

 

ଖଟଉପରୁ ଧଡ଼ିକରି ଉଠିପଡ଼ିଲା ହେମକାନ୍ତ । ନାଁ..ନାଁ... ନିର୍ଜନ କୋଠରୀ ମଧ୍ୟକୁ ଲୋପାମୁଦ୍ରା ଆସିନାହିଁ । ଲୋପାମୁଦ୍ରା ଯାଇଛି..ଯାଇଛି କେବଳ ଯିବା ପାଇଁ । ହେଲେ ସେ କେବଳ ବାରବାର ସ୍ୱପ୍ନ ଭଳି ଅନୁଭବ କରୁଛି ଏଇ ଲୋପାମୁଦ୍ରାର ଉପସ୍ଥିତ । ଲୋପାମୁଦ୍ରା କୁହୁକ କରୁଛି, ଲୋପାମୁଦ୍ରା ପ୍ରଲୋଭିତ କରୁଛି ।

 

ବାରିଷ୍ଟରର କନ୍ୟା ବୋଲି ଲୋପାମୁଦ୍ରାର ଛାତିରେ ଯେଉଁ ଅହମିକା ବସା ବାନ୍ଧିଛି..ସେହି ଅହମିକା ପାଇଁ ହିଁ ଲୋପାମୁଦ୍ରା ଏପରି ଉଦ୍ଧତା ଏ ଉଦ୍ଧତତାର ଜବାବ୍‌ ନ ଦେଲେ, ଲୋପାମୁଦ୍ରା ପାଖରେ ହେମକାନ୍ତ ଗୋଟିଏ ମାଟି କଣ୍ଢେଇ ହୋଇ ପଡ଼ିବ ।

 

କିନ୍ତୁ.... ।

 

କିନ୍ତୁ ଚନ୍ଦ୍ରାବତୀ ନିକଟରେ ଥିଲା ମାଦକତା । ଭଲ ପାଇବା ଏକ ଅପୂର୍ବ ଆକର୍ଷଣୀ । ମିଛର ସେ ଭୁଲ୍‌ ବୁଝିଥିଲା ଚନ୍ଦ୍ରାବତୀକୁ । ଆଜି ଚନ୍ଦ୍ରାବତୀ ପାଖକୁ ସେ ଫେରିଯିବାକୁ ଚାହେଁ ।

 

ସେଦିନ ଚନ୍ଦ୍ରାବତୀ ବାହୁଡ଼ି ଯିବାପରେ ହେମକାନ୍ତ ଭାବିଥିଲା...ଚନ୍ଦ୍ରାବତୀ ଆଉ ଆସିବ ନାହିଁ । ବାଟ ଲୋକକୁ ବାଟ ପଚାରି ସେମିତି ବାଟୋଇ ରାସ୍ତା ଭାଙ୍ଗିଯାଏ, ସେମିତି ଚନ୍ଦ୍ରାବତୀ କ’ଣ ଗୁଡ଼ାଏ ଅଡ଼ୁଆ ତଡ଼ୁଆ କଥା ପଚାରି ଫେରି ଯାଇଛି ।

 

ଚନ୍ଦ୍ରାବତୀ ଅଧିବୃତ୍ତର ଧୂମକେତୁ ହୋଇଥିବା ପରା ।

 

ନାଁ...ନାଁ....ଚନ୍ଦ୍ରାବତୀ କିନ୍ତୁ ଥରେ ଦେଖା ଦେଇ ସବୁଦିନ ଲିଭିଯିବା ଭଳି ଧୂମକେତୁ ନୁହେଁ । ଚନ୍ଦ୍ରାବତୀ ଉପବୃତ୍ତର ନାୟିକା ।

 

ତା’ ପରଦିନର ଘଟଣା । ହଠାତ୍‌ ଇନ୍‌ଫ୍ଳୁଏଞ୍ଜା ଜରରେ ପଡ଼ି ଶଯ୍ୟାଶାୟୀ ହୋଇଥିଲା ହେମକାନ୍ତ । ପାଖରେ କେହି ନାହିଁ । ରୋଷେଇଆ ପିଲାଟି ମଧ୍ୟ ଅନେକ ଦିନ ହେବ ଘରକୁ ଯାଇ ଫେରିନାହିଁ ।

 

ଅସହାୟ ଭଳି ଚିତ୍କାର କରୁଛି ହେମକାନ୍ତ ।

 

ମୁଣ୍ଡ ବିନ୍ଧୁଛି । ଦିନ ବାରଟା ହୋଇଥିଲେ ମଧ୍ୟ ହେମକାନ୍ତ ଦାନ୍ତ ଘଷିନାହିଁ,ବିଛଣାରୁ ଉଠିବା ତା’ ପକ୍ଷରେ କଷ୍ଟ ।

 

କେବଳ ହେମକାନ୍ତ ଯେ ଏ କଷ୍ଟ ଭୋଗୁଥିଲା ତା’ ନୁହେଁ । ପ୍ରତ୍ୟେକ ବିଦେଶୀଙ୍କ ଭାଗ୍ୟରେ ଏ ଦୁଭାଗ୍ୟ ଘଟିଥାଏ । ହେମକାନ୍ତ ଅବା ସେଥିରୁ ବାଦ୍‌ ଯିବ କିପରି ?

 

ଠିକ୍‌ ଏତିକିବେଳେ ପୂର୍ବଦିନ ପ୍ରଶ୍ନର ଉତ୍ତର ପାଇଁ ହେମକାନ୍ତର କୋଠରୀକୁ ଆସିଥିଲା ଚନ୍ଦ୍ରାବତୀ । ମନରେ ଉତ୍ତର ଆଦାୟ କରିବାର ବଳିଷ୍ଠତା ।

 

କିନ୍ତୁ ଗୋଟାଏ ଦିନରେ ହେମକାନ୍ତର ପରିବର୍ତ୍ତନ ଦେଖି ଚମକ ଛିଡ଼ା ହୋଇଗଲା ଚନ୍ଦ୍ରାବତୀ ।

 

ଚମକି ପଡ଼ିବା ନାରୀର ଏକ ସ୍ୱଭାବିକ ଗୁଣ । ଅସୁସ୍ଥତା ଦେଖିଲେ ନାରୀ ଶୀହରି ଉଠେ । ହୃଦୟ ବ୍ୟଥିତ ହୋଇପଡ଼େ । ରୋଗ ବୋଲି ଯଦି ଗୋଟାଏ ଜିନିଷ ନ ଥାନ୍ତା...ତେବେ ନାରୀ ହୁଅନ୍ତା ଅନେକ ପରିମାଣରେ ସୁଖୀ ।

 

ହେମକାନ୍ତର ଅବସ୍ଥା ଦେଖି କିଛି ପଚାର ପାରୁ ନ ଥିଲା ଚନ୍ଦ୍ରାବତୀ ।

 

ବିପଦର ଏକ ମସ୍ତବଡ଼ ସଂଜ୍ଞା ହେଉଛି ସମବେଦନା ଜଣାଇବା । ଶତ୍ରୁ ବିପଦରେ ପଡ଼ିଥିଲେ ମଧ୍ୟ ଆଉ ଶତ୍ରୁତାର ପ୍ରତିଶୋଧ ପାଇଁ ମଣିଷ ଚେଷ୍ଟା କରେ ନାହିଁ । ସାହାଯ୍ୟ କରିବାକୁ ଚେଷ୍ଟା କରେ ।

 

ଠିକ୍‌ ସେହି ଦଶା ଘଟିଥିଲା ଚନ୍ଦ୍ରାବତୀର ।

 

ଚନ୍ଦ୍ରାବତୀ ହେମକାନ୍ତକୁ ପ୍ରଶ୍ନ ପଚାରି ଘାଉଲା କରିବାକୁ ଆସିଥିଲା । ହେଲେ ହେମକାନ୍ତର ଅସହାୟତା ଦେଖି ଦଳିତ ବିଦଳିତ ଦ୍ରାକ୍ଷା କଳି ପରି ମ୍ରିୟମାଣ ହୋଇ ପଡ଼ୁଛି ଚନ୍ଦ୍ରାବତୀ ।

କିନ୍ତୁ...

ପୁରୁଷ ସମାଜ ପ୍ରତି ଏକ ସ୍ୱଭାବିକ ଘୃଣା ଥିଲା ଚନ୍ଦ୍ରାବତୀର । ଭୋକିଲା ସିଂହ ପରି ନାରୀ ଜାତି ପ୍ରତି ପୁରୁଷର ଯେଉଁ ଆଦିମ ଲୋଲୁପ ଦୃଷ୍ଟି, କେବଳ ତା’ର ପ୍ରତିବାଦ କରୁଥିଲା ଚନ୍ଦ୍ରାବତୀ । ଚନ୍ଦ୍ରାବତୀ ଜୀବନକୁ ଉପଭୋଗ କରିବା ଶିଖିଛି..ଯୌବନର ଖେଳ ଜାଣିଛି...ହେଲେ ପୃଥିବୀ ଛାତିରେ କାଳ୍ପନିକ କର୍କଟକ୍ରାନ୍ତିର ରେଖା ଟାଣିବା ଭଳି...ଏ ଜୀବନ ଆଉ ଏ ଯୌବନ ଅହେତୁକୀ । ଯେଉଁମାନେ ଜୀବନ ଓ ଯୌବନର ଅସଲ ଅର୍ଥ ନ ବୁଝି କେବଳ ଏକ କାମନାର ସର୍ବଗ୍ରାସୀ ସୁଅରେ ଭାସିଯାଆନ୍ତି..ସେମାନେ ମଣିଷ ନୁହଁନ୍ତି ପଶୁ ।

ଜୀବନ ଭୟରେ ସେ ଦିନ ନୂଆଖାଲିରୁ ପଳାଇ ଆସୁଥିବାବେଳେ ଯେଉଁ ପୁରୁଷ ଦଳ କୁମାରୀ ହୃଦୟ ଅନାଗତ ବସନ୍ତ ଲତାରୁ ଫୁଲ ତୋଳିବାକୁ ଚେଷ୍ଟା କରୁଥିଲେ, ସେଇମାନଙ୍କ ବଂଶଧର ହେମକାନ୍ତ । ଯେଉଁମାନଙ୍କୁ କେବଳ ଆଘାତ କରିବାରେ ହିଁ ମସ୍ତବଡ଼ ଶାନ୍ତି...

ତଥାପି...

ନାଁ...ହେମକାନ୍ତ ପ୍ରତି ନିର୍ଦୟ ହୋଇ ହେଉନାହିଁ । ହେମକାନ୍ତ ଶିକ୍ଷିତ, ହେମକାନ୍ତ ମଣିଷ....ହେମକାନ୍ତ ରାକ୍ଷସ ନୁହେଁ । ସମୟ ବିଶେଷରେଏଇ ମଣିଷ ହୁଏ ରାକ୍ଷସ, ପୁଣି ଏଇ ମଣିଷ ହୁଏ ଦେବତା ।

 

ମଣିଷ ଓ ରାକ୍ଷସ...

 

ଜଣେ ଗଢ଼େ ସରଗ...ଆଉ ଜଣେ ନରକ ।

 

ସତରେ ସରଗ ବା ନରକ ବୋଲି ଗୋଟାଏ ସ୍ଥାନ ଅଛି କି ନାହିଁ କହି ହେବନାହିଁ । ତଥାପି ମଣିଷ ଏହାକୁ ବିଶ୍ୱାସ କରନ୍ତି । ନରକର ଭୟରେ ଆତଙ୍କିତ ହୋଇ ପଡ଼ନ୍ତି ।

 

ହେଲେ....ହେମକାନ୍ତ ମଣିଷ ଭଳି ମଣିଷ, ଅଙ୍ଗରେ ସୁଷମା ରହିଛି, ପୁରୁଷ ସୁଲଭ ରହିଛି, ଚାହାଣୀରେ ମାଦକତା ରହିଛି, ଯୌବନର ଗାମ୍ଭୀର୍ଯ୍ୟ ରିହିଛି..ତେଣୁ ହେମକାନ୍ତ ସରଗର ହେଉ ବା ନରକର ହେଉ ତାକୁ ସ୍ୱୀକାର କଲେ ଦୋଷ ଲାଗିବ ନାହିଁ ।

 

ଅସ୍ଥିର ହୋଇ ମୁହଁ ଖୋଲିଲା ଚନ୍ଦ୍ରାବତୀ । ‘‘ହଠାତ୍‌ ଦେହ କ’ଣ ହେଲା ହେମକାନ୍ତ ବାବୁ ?’’

 

ସ୍ଥିର ଦୃଷ୍ଟି ଫେରାଇ ନିଶ୍ଚଳ ପରି ପଡ଼ି ରହିଥିଲ ହେମକାନ୍ତ...ସାମାନ୍ୟ ଟିକିଏ ଉତ୍ତର...‘‘ହଠାତ୍‌ କାହିଁକି ଜର ହୋଇଗଲା...’’

 

ଅଧିକ କିଛି କହିପାରୁ ନାହିଁ ହେମକାନ୍ତ । ଚନ୍ଦ୍ରାବତୀ ଲକ୍ଷ୍ୟ କରୁଛି ହେମକାନ୍ତର ଅସହାୟତା । ମନଭିତରେ ଅସଂଖ୍ୟ ପ୍ରଶ୍ନ..ତେବେ କ’ଣ ହେମାକନ୍ତଙ୍କର କେହି ଆତ୍ମୀୟ ଲୋକ ନାହାନ୍ତି ?

 

ମୁହଁ ଖୋଲିଲା ଚନ୍ଦ୍ରାବତୀ । —‘‘ଏ ପର୍ଯ୍ୟନ୍ତ କ’ଣ ଦାନ୍ତ ଘଷି ନାହାଁନ୍ତି ?’’

 

ହସିଲା ହେମକାନ୍ତ ନିର୍ଜୀବ ଭଳି । କହିଲା—‘‘ନାଁ...ସକାଳୁ ଉଠିବାକୁ ଶକ୍ତି ପାଉନାହିଁ-। ଦାନ୍ତ ଘଷିବା କେମିତି ? ଟିକେ ଭଲ ଲାଗିଲେ ଉଠିବି ।’’

 

ଦିନ ଆସି ବାରଟା ବାଜିଲାଣି, ତଥାପି ହେମକାନ୍ତ ଉଠିନାହିଁ । ଯଦି ଦିନସାରା ଭଲ ନ ଲାଗେ—ତେବେ କ’ଣ ଆଉ ଉଠିବେନି ହେମକାନ୍ତ ? ଆହା..ବିଦେଶରେ ଏକୁଟିଆ ଜୀବନ କି ମର୍ମନ୍ତୁଦ । ଏଇଟା ଯଦି ନିଜ ଘର ହୋଇ ଥାଆନ୍ତା, ନିଜର ମାଆ ବାପା ଥାଆନ୍ତେ, ତେବେ ହୁଏତ ଦଶ ଜଣ ଦଶ ଥର ଆସି ଉଠାଇବାକୁ ଚେଷ୍ଟା କରି ଥାଆନ୍ତେ । ଦାନ୍ତ ଘଷିବାକୁ ବାଧ୍ୟ କରି ଥାଆନ୍ତେ, ସାବୁ ଅଥବା ବାଲି ପାଣି ଟିକେ ପେଇବାକୁ ଚେଷ୍ଟା କରି ଥାଆନ୍ତେ । ହେଲେ ଏଇ ସହରରେ ହେମକାନ୍ତ ଅଧ୍ୟାପକ ହେଲେ ମଧ୍ୟ ଏକୁଟିଆ... । ସତ କହିବାକୁ ଗଲେ ନିଃସହାୟ ମଣିଷ... ।

 

ଅସହାୟ ଭାବରେ ଏଇ କୋଠରୀରେ ପଡ଼ି ପଡ଼ି ଆଜି ଯଦି ହେମକାନ୍ତର ମୃତ୍ୟୁ ହୋଇଯାଏ—ତେବେ କାଲି ହୁଏତ ବଡ଼ ବଡ଼ ଅକ୍ଷରରେ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇବ ‘‘ତରୁଣ ଅଧ୍ୟାପକଙ୍କର ଆକସ୍ମିକ ଅକାଳ ବିୟୋଗ ।’’ କିନ୍ତୁ ଏଇ ନିତିଦିନିଆ ଦେହ ଘଷିଆ ଜୀବନ ଭିତରେ ଯେଉଁ ହାନି ଲାଭ, ଭଲ ମନ୍ଦ ଆସୁଛି—ତା’ର ହିସାବ ରଖୁନାହିଁ ସମ୍ବାଦପତ୍ର ।

 

ଚଞ୍ଚଳ ହୋଇ ଘରୁ ବାହାରିଗଲା ଚନ୍ଦ୍ରାବତୀ ।

 

ମୁହଁ ବୁଲାଇ ଚନ୍ଦ୍ରାବତୀର ଫେରିଯିବା ବାଟକୁ ଚାହିଁ ରହିଥିଲା ହେମକାନ୍ତ....

 

ସାମାନ୍ୟ କେତେ ମିନିଟ୍‌ର ପାର୍ଥକ୍ୟ...

 

ଭାବୁଛି ହେମକାନ୍ତ । କିଏ ଏଇ ତରୁଣୀ ? ଆକସ୍ମିକ ଭାବରେ କାହିଁକି ବା ତା’ର ଏ ସମବେଦନା ? ଗତି କାଲି ଯେଉଁ ତରୁଣୀ ଲୁହାଠାରୁ କଠିନ ଭଳି ନିର୍ଭିକ ପ୍ରଶ୍ନବାଣରେ ଘାଉଲା କରୁଥିଲା...ଆଜି ବା ସେ ଏମିତି କୋମଳାଙ୍ଗୀ କେମିତି ?

 

ସତରେ, ନାରୀକୁ ବୁଝିବା କଠିନ୍‌ । ଶହ ଶହ ପୁରାଣ, ଶହ ଶହ ଉପନ୍ୟାସ,.କାବ୍ୟ, କବିତା, ରଚିତ ହୋଇଥିଲେ ମଧ୍ୟ ନାରୀର ଚାରିତ୍ରିକ ବିଶ୍ଳେଷଣ କରିବା ଆଜିଯାଏ ସମ୍ଭବ ହୋଇ ପାରିନାହିଁ । ସେହି ନାରୀ ଚନ୍ଦ୍ରାବତୀ ତାକୁ ଅବା ବୁଝି ହେବ କେମିତି ?

 

ମିନିଟ୍‌ର କଣ୍ଟା ସହିତ ତାଳ ଦେଇ ହେମକାନ୍ତର କୋଠରୀକୁ ପୁଣି ଆସିଛି ଚନ୍ଦ୍ରାବତୀ ।

 

କହିଲା କହିଲା ଆଖିରେ ଚାହିଁଛି ହେମକାନ୍ତ...

 

‘‘ଉଠନ୍ତୁ, ଏଇ ଦାନ୍ତକାଠି ନେଇ ଦାନ୍ତ ଘଷି ପକାନ୍ତୁ ।’’ ଅପରିଚିତ ଚନ୍ଦ୍ରାବତୀର ଅନୁରୋଧ । ଆଶ୍ଚର୍ଯ୍ୟ ହୋଇ ଚାହିଁରହିଛି ହେମକାନ୍ତ ।

 

ବିକାରହୀନ ଭାବରେ ହେମକାନ୍ତର ବିଛଣାକୁ ଲାଗି ଆସି ହାତ ଧରି ଉଠାଇବାକୁ ଚେଷ୍ଟା କରୁଛି ଚନ୍ଦ୍ରାବତୀ ।

 

ଥରୁଛି ହେମକାନ୍ତ ।

 

ଏ ଥରିବାଟା ଜର ପ୍ରକୋପରେ ଥରିବା ଠାରୁ ଭିନ୍ନ । ଏ ଥରିବାରେ ଥରିବା ଶକ୍ତି ଅଛି-। ମାନବିକତାର ଆବେଦନ ଅଛି ।

 

ପ୍ରତିବାଦ କରି ପାରୁନି ହେମକାନ୍ତ ।

 

ହାତ ଧରି ଜୋରକରି ଉଠାଉଛି ଚନ୍ଦ୍ରାବତୀ ।

 

‘‘ଦେଖନ୍ତୁ, ଶୋଇଥିଲେ ଏମିତି ଶୋଇଥିବେ । ବିଦେଶ ଜାଗାରେ କିଏ ବା ଅଛି ନିଜର-? ଦେହରେ ଶକ୍ତି ସଞ୍ଚାର ନକଲେ, ବିପଦଟାକୁ ବିପଦ ବୋଲି ନ ଭାବି ସାମାନ୍ୟ ଘଟଣା ବୋଲି ଧରି ନ ନେଲେ, ଜୀବନ ଧରି ବଞ୍ଚି ରହିବା କଷ୍ଟ । ମୋ ଜୀବନରେ ଅନେକ ବିପଦ ଆସିଛି-। ସେ ବିପଦକୁ ମୁଁ ଯଦି ସ୍ୱୀକାର କରିଥାନ୍ତି ତେବେ ଆତ୍ମହତ୍ୟା ଛଡ଼ା ଅନ୍ୟ ଗତି ନ ଥିଲା ମୋର...’’

 

ଠିକ୍‌ କହୁଛି ଚନ୍ଦ୍ରାବତୀ । ବିପଦକୁ ବିପଦ ଭାବରେ ଗ୍ରହଣ କଲେ, ଏଇ ବିପଦ ଘନୀଭୂତ ହୋଇପଡ଼େ ।

 

ହାତଧରି ଉଠାଇବାକୁ ଚନ୍ଦ୍ରାବତୀ...

 

ନାଁ...ନାଁ..ବଜ୍ର କଠିନ ପୁରୁଷ ହାତରେ ଗୋଟିଏ ଛୋଟ ମଧୁମାଳତୀର ଲତା ଗୁଡ଼େଇ ହୋଇଯାଉଛି ।

 

ଉଠିଲା ହେମକାନ୍ତ...

 

ଚନ୍ଦ୍ରାବତୀ ପିଠି ଆଉଁସ ଦେଉ ଦେଉ କହିଲା—‘‘କିଛି ଭାବନ୍ତୁ ନାହିଁ, ମୁଁ ଅଛି । ଅସୁବିଧା ହେଲେ ଡାକିବେ । ଦାନ୍ତ ଘଷି ପକାନ୍ତୁ । ସାଗୁ ଟିକେ ଆଣିଦେବି, ସେତକ ପିଇ ନେଲେ ଦିନସାରା ଶୋଇବାରେ ବାଧା ନାହିଁ ।’’

 

ସାହସ, ସମବେଦନା ଜଣାଉଛି ଚନ୍ଦ୍ରାବତୀ ।

 

କିନ୍ତୁ କାହିଁକି ? କ’ଣ ପାଇଁ ଚନ୍ଦ୍ରାବତୀର ହେମକାନ୍ତ ଉପରେ ଏତେ ମୋହ ?

 

ଏଇ ମାତ୍ର ଦୁଇ ଦିନର ବନ୍ଧୁ ଚନ୍ଦ୍ରାବତୀ । ତଥାପି ଏ ବନ୍ଧୁତ୍ୱରେ ଘନିଷ୍ଠତା ରହିଛି, ଆତ୍ମିକତା ରହିଛି । ଚନ୍ଦ୍ରାବତୀ..ରୂପସୀ...ଚନ୍ଦ୍ରାବତୀ ମମତାମୟୀ ବାଳିକା ।

 

ବାଧ୍ୟ ହୋଇ ଖଟ ଉପରେ ବସିଲା ହେମକାନ୍ତ । ଚନ୍ଦ୍ରାବତୀର ଅନୁରୋଧକୁ ଏଡ଼ାଇ ଦେଇ ହେଉନାହିଁ । ରୂପସୀର ଅନୁରୋଧରେ ରଙ୍ଗ ରହିଛି । ସେ ରଙ୍ଗକୁ ଯୌବନଦୀପ୍ତ ପୁରୁଷ ଧୋଇଦେବା ସହଜ ନୁହେଁ । ହେମକାନ୍ତ ପୁରୁଷ, ପୁଣି ଯୁବକ । ଚନ୍ଦ୍ରାବତୀର ଅନୁରୋଧକୁ ଅବା ଏଡ଼ାଇଦେବା କେମିତି ?

 

ଘର ଛାଡ଼ିଛି ଚନ୍ଦ୍ରାବତୀ....

 

ଖଟ ଉପରେ ବସିରହି ହେମକାନ୍ତ ଭାବୁଛି ଆକାଶ ଆଉ ପାତାଳ । ମନେପକାଉଛି ଅନେକ ଦିନ ତଳର କଥାଗୁଡ଼ାକ । ଏଇ ହେମକାନ୍ତ ଦିନେ ସ୍କୁଲରେ ପଢ଼ୁଥିଲା, କଲେଜରେ ପଢ଼ୁଥିଲା...ଏବେ ବିଶ୍ୱ ବିଦ୍ୟାଳୟରେ ଖ୍ୟାତିନାମା ଅଧ୍ୟାପକ ।

 

ସେଦିନ ଗୁଡ଼ିକରେ କେତେ ପରୀର ଜାହାଜ ହେମକାନ୍ତର ମନବନ୍ଦରରେ ନଙ୍ଗର ଟାଣୁଥିଲେ । ଆଜି ସେ ଜାହାଜଗୁଡ଼ିକ ବନ୍ଦର ଛାଡ଼ିଛନ୍ତି । ପୁଣି ହୁଏତ ନୂଆ ଜାହାଜ ଆସିବ, ସେହି ଜାହାଜଗୁଡ଼ିକର ଗୋଟିଏ ପୂର୍ବଧ୍ୱନି ଏହି ଚନ୍ଦ୍ରାବତୀ ।

 

ଆଶ୍ଚର୍ଯ୍ୟ ହୋଇ କେବଳ ଚନ୍ଦ୍ରାବତୀ କଥା ଚିନ୍ତା କରୁଥିଲା ହେମକାନ୍ତ । ରିଫୁଇଜି ବଙ୍ଗୀୟ ଅସହାୟା ବାଳିକା ଚନ୍ଦ୍ରାବତୀ...

 

ଜୀବନର ବାରମ୍ବାର ଘାତପ୍ରତିଘାତ ଚନ୍ଦ୍ରାବତୀକୁ ସ୍ପଷ୍ଟବାଦିନୀ କରି ଦେଇଛି । ଲଜ୍ଜା । ହିଁ....ସଙ୍କୋଚ ନାହିଁ...ଏକ ଉଦାରହୀନ ମାନବିକତା ଚନ୍ଦ୍ରାବତୀର ଅଙ୍ଗ ପ୍ରତ୍ୟଙ୍ଗରେ ଭଉଁରୀ ଖେଳୁଛି-

 

ହାତରେ ସାଗୁ ତାଟିଆଟିଏ ଧରି ଘର ଭିତରକୁ ପୁଣି ଆସିଛି ଚନ୍ଦ୍ରାବତୀ । ହଠାତ୍‌ ଠିକ୍‌ ପରିଚିତ ଲୋକଭଳି ଚମକି ଉଠି କହିଛି—‘‘ଆରେ ଏ କ’ଣ ହେମକାନ୍ତ ବାବୁ ! ଆପଣ ଏପର୍ଯ୍ୟନ୍ତ ଦାନ୍ତ ଘଷି ନାହାଁନ୍ତି ? ହଁ...ମୋ ଅନୁରୋଧ ବା ଆପଣ ରକ୍ଷା କରିବେ କାହିଁକି ? ମୁଁ ଆପଣଙ୍କର ଅବା କିଏ ?’’

 

ସତରେ ଚନ୍ଦ୍ରାବତୀ ହେମକାନ୍ତର କେହି ନୁହେଁ । କିନ୍ତୁ ଏ ନିଷ୍ଠୁର ସତ୍ୟ ପ୍ରକାଶ କରି ହେବନାହିଁ । ଚନ୍ଦ୍ରାବତୀ ମନରେ ଆଘାତ ଲାଗିବ ।

 

କିନ୍ତୁ....

 

କୌଣସି ଯୁବକ କ’ଣ କୌଣସି ଯୁବତୀର ଜନ୍ମଗତ ଅଧିକାର ନେଇ ନିଜର ହୋଇଥାଏ ?

 

ଅପରିଚିତା ଯୁବକ ଯୁବତୀ ହିଁ ହୁଅନ୍ତି ଘନିଷ୍ଠ ।

 

ପ୍ରଭୁଭକ୍ତ ଆଲସେସିଆନ୍‌ କୁକୁର ଭଳି ସଂକୁଚିତ ହୋଇପଡ଼ିଛି ହେମକାନ୍ତ । ଚନ୍ଦ୍ରାବତୀର ଉଦାରତା ନିକଟରେ ହେମକାନ୍ତ ଛୋଟ ହୋଇଯାଇଛି ।

 

ଭଗବାନଙ୍କର ବିରାଟ ପୁରୁଷାକାର ଭିତରେ ଧନୁର୍ଦ୍ଧର ଅର୍ଜୁନ ନିଜର ସତ୍ତା ହରାଇଦେବା ଭଳି, ଚନ୍ଦ୍ରାବତୀର ପ୍ରଶସ୍ତ ମାନବିକତା ଭିତରେ ହଜିଯାଇଛି ହେମକାନ୍ତ । ମଣିଷ ଜୀବନଟା କଲେଜ ଶ୍ରେଣୀର ପାଠ୍ୟକ୍ରମ ନୁହେଁ । ଜୀବନକୁ ଜୀବନ ଭଳି ଦେଖିବା ପାଇଁ ଯେଉଁ ଅସଲ ଅନୁଭୂତି ଆବଶ୍ୟକ, ସେ ଅନୁଭୂତିର ଆସ୍ତରଣ, ହେମକାନ୍ତ ନିକଟରେ ପ୍ରଚୁର ନ ଥିଲା । କିନ୍ତୁ...ଚନ୍ଦ୍ରାବତୀର ନଷ୍ଟ ନାରୀତ୍ୱ ଦେହରେ ଏହି ଅନୁଭୂତି, ଠିକ୍‌ ଭଗବତ୍‌ସତ୍ତାର ଉଦାର ପୁରୁଷାକାର ଭଳି ଆତ୍ମଗୋପନ କରିଥିଲା ।

 

ତେଣୁ ଚନ୍ଦ୍ରାବତୀ ଚାହୁଁଥିଲା ହେମକାନ୍ତର ସୁସ୍ଥତା ।

 

ଏଇ ସେବା ମୂଳରେ ଯେ ଚନ୍ଦ୍ରାବତୀର ନାରୀତ୍ୱ ଠିକ୍‌ ଲେଲିହାନ୍‌ ଅଗ୍ନି ଶିଖାର ଜିହ୍ୱାଭଳି ହେମକାନ୍ତକୁ ଚାଟି ଚାଟି ଶେଷକରି ଦେବାକୁ ଇଚ୍ଛା କରୁ ନ ଥିଲା, ତା ନୁହେଁ । ସୁଖ ପ୍ରୟାସିନୀ ବାଳିକା ଚନ୍ଦ୍ରାବତୀ ।

 

ବିଲାତ ଦେଶରେ ଚନ୍ଦ୍ରାବତୀ ଭଳି ଝିଅ ଜନ୍ମ ହୋଇଥିଲେ—ହୁଏତ ବଲଡ୍ୟାନସ ରୁମ୍‌ରେ ରାତ୍ରି ଯାପନ କରି ମଦକୁଣ୍ଡରେ ଗାଧୋଇ ଥାଆନ୍ତି । ଚନ୍ଦ୍ରାବତୀ ପରି ଝିଅ କେବଳ ଜୀବନର ସୁଖକୁ ବୁଝନ୍ତି, ଆନନ୍ଦକୁ ଆଘ୍ରାଣ କରନ୍ତି । ହେମକାନ୍ତର ଦୁଃଖ ଦେଖି ସେ ସହନ୍ତା କିପରି ?

 

ହେମକାନ୍ତର ନିକଟକୁ ଲାଗି ଆସିଲା ଚନ୍ଦ୍ରାବତୀ—ନିଜ ହାତରେ ପିଠି ଆଉଁସି ଦେଉ ଦେଉ ଟେବୁଲ ଉପରେ ଥୋଇଲା ସାଗୁ ତାଟିଆଟି । ନିର୍ବାକ୍‌ ହୋଇ ଚନ୍ଦ୍ରାବତୀର ମୁହଁକୁ କେବଳ ଚାହିଁଥିଲା ହେମକାନ୍ତ । ସମୁଦ୍ରର ଅନନ୍ତ ଜଳରାଶି ମଧ୍ୟରେ ସାମୁଦ୍ରିକ ଜୀବ ଯେମିତି ପହଁରି ପହଁରି ବେଦମ୍‌ ହେଲେ ମଧ୍ୟ, ସମୁଦ୍ରର ଗଭୀରତା ମାପିବା ତା ପକ୍ଷରେ ଅସମ୍ଭବ ହୋଇପଡ଼େ, ଠିକ୍‌ ସେହିପରି ଚନ୍ଦ୍ରାବତୀର ଅସୀମ ସମବେଦନା ଭିତରେ ହଜି ଯାଉଥିଲା ହେମକାନ୍ତ । ପୁଣି ମୁହଁ ଖୋଲିଲା ଚନ୍ଦ୍ରାବତୀ—‘‘ଆସନ୍ତୁ, ମୁହଁ ଧୁଅନ୍ତୁ, ସାଗୁ ଟିକକ ଥଣ୍ଡା ହୋଇଯିବ ପରା ?’’

 

ଆଉ ଅବାଧ୍ୟ ହୋଇପାରୁନି ହେମକାନ୍ତ । ଅବାଧ୍ୟ ଅଛିଡ଼ା ଅଙ୍କକୁ ପରୀକ୍ଷା ଖାତାରେ ଯେପରି ଛିଡ଼ାଇବା ପାଇଁ ପରୀକ୍ଷାର୍ଥୀ ଚେଷ୍ଟାକରେ,ସେହିପରି ହେମକାନ୍ତ ଛିଡ଼ାଇବାକୁ ଚେଷ୍ଟା କରୁଛି ଚନ୍ଦ୍ରାବତୀର ଜଟିଳ ପରିବେଶ । ଶେଷରେ ଉଠିଲା ହେମକାନ୍ତ ।

 

ଗୋଟାଏ ହାତର ବାହାକୁ ଧରି ଠିକ୍‌ ପିଲାଙ୍କ ଭଳି ହେମକାନ୍ତକୁ ଚଳେଇ ନେଇଛି ଚନ୍ଦ୍ରାବତୀ ।

 

ନଳାମୁହଁରେ ଦାନ୍ତକାଠି ଆଉ ପାଣି ଧରି ବସିଲା ହେମକାନ୍ତ । ହସୁ ହସୁ ଚନ୍ଦ୍ରାବତୀ କହିଲା—‘‘ଆଚ୍ଛା ହେମକାନ୍ତ ବାବୁ, ଆପଣ ଦାନ୍ତ ଘଷି ସାଗୁ ଟିକକ ପିଇ ଦେବେ, ମୁଁ ଆସୁଛି । ଆଜି ଲୁଗା ଦି ଖଣ୍ଡ ନିଜ ହାତରେ ସଫାକରି ଦେବି ବୋଲି ସୋଢ଼ା ଦେଇ ଚୁଲୀ ଉପରେ ବସାଇ ଦେଇ ଆସିଛି । ପାଣି ମରିଗଲେ ଲୁଗା ପୋଡ଼ିଯାଇ ପାରେ । କିଛି ମନେ କରିବେ ନାହିଁ, ପୁଣି ଘଣ୍ଟେ ଦୁଇ ଘଣ୍ଟା ଛାଡ଼ି ମୁଁ ଆସିବି ।’’

 

ଚାଲିଗଲା ଚନ୍ଦ୍ରାବତୀ ।

 

ଆକାଶ ପାତାଳ କରି କେତେ କଥା ଭାବୁଛି ହେମକାନ୍ତ । ମଣିଷର ଭାବନାରେ କେତେବେଳେ ହେଲେ ପୂର୍ଣ୍ଣଚ୍ଛେଦ ନାହିଁ । ମଣିଷ କେବଳ ଭାବେ, ଏହି ଭାବିବା ପାଇଁ ହିଁ ମହାନ୍‌ ମଣିଷର ଜନ୍ମ । କେବଳ ଚନ୍ଦ୍ରାବତୀ କଥା ଯେ ହେମକାନ୍ତ ଭାବୁଥିଲା ତା ନୁହେଁ । ହେମକାନ୍ତ ଭାବୁଥିଲା ତା’ ଯୌବନର ଜୟଯାତ୍ରା କଥା ।

 

ଲୋପାମୁଦ୍ରା ।

 

ଆଜି ହୁଏତ ଲୋପମୁଦ୍ରା ଶାନ୍ତିରେ ନିଦ୍ରା ଯାଇଥିବ । ହେମକାନ୍ତକୁ ଦୂରେଇ ଦେଇ ସେ ଯେଉଁ ଆତ୍ମଅହମିକାର ଅଧିକାରୀଣୀ ହୋଇଛି ସେ ଅହମିକା ଲୋପାମୁଦ୍ରାକୁ ଶାନ୍ତି ଦେଉଥିବ । କିନ୍ତୁ...

 

କିନ୍ତୁ ଲୋପାମୁଦ୍ରାର ରୁଦ୍ର ଅହମିକା ପାଇଁ ତିଳ ତିଳ ଦଗ୍‌ଧ ହେଉଛି ହେମକାନ୍ତ । ଅଧ୍ୟାପକତ୍ୱର ଅହମିକା ହେମକାନ୍ତକୁ ଆଘାତ ଦେଉ ନ ଥିଲା, ଆଘାତ ଦେଉଥିଲା ହେମକାନ୍ତର ପୁରୁଷାକାର ବିରୁଦ୍ଧରେ ଲୋପାମୁଦ୍ରାର ଯୁଦ୍ଧ ଘୋଷଣା । ଆଜି ଶରୀରର ଅସୁସ୍ଥତାକୁ ଟିକିନିଖି କରି ଅନୁଭବ କରୁଛି ହେମକାନ୍ତ । ସତ କହିବାକୁ ଗଲେ—ମଣିଷ ଯେତେବେଳେ ତା’ର ଜୟଯାତ୍ରାରେ ଆଘାତ ପାଏ, ସେତେବେଳେ ଜୀବନ ନିଃସହାୟ ହୋଇପଡ଼େ । ଏକ ରୁଦ୍ର ହାହାକାର ମଧ୍ୟରେ ତା’ର ଜୀବନ ନଉକାର ପଲ ଛିଡ଼ି ହୋଈଯାଏ ଖିନ୍‌ଭିନ୍‌ ।

 

ଝରକାବାଟ ଦେଇ ବାହାରକୁ ଚାହିଁଛି ହେ-କାନ୍ତ । ବାହାରେ ଘନୀଭୂତ ନିବିଡ଼ ଅନ୍ଧକାର । ଏଇ ଅନ୍ଧକାର ସହିତ ହେମକାନ୍ତକୁ ଦୌଡ଼ିବାକୁ ହେବ । ଏଇ ଅନ୍ଧକାର ଭିତରେ ଯେ କୃଷ୍ଣଚୂଡ଼ା ଗଛର ରଙ୍ଗୀନ ସ୍ତବକ ଆତ୍ମଗୋପନ କରିନାହିଁ ତାହା ନୁହେଁ, ତଥାପି ଅନ୍ଧକାରକୁ ଭୟ କରେ ଏଇ ମଣିଷ ।

 

ଠିକ୍‌ ଏମିତି ଅନ୍ଧକାର ରାତିରେ ସେ ଦିନ ହେମକାନ୍ତର କୋଠରୀକୁ ଆସିଥିଲା ଲୋପାମୁଦ୍ରା । ଚିନ୍ତା କରୁଛି ହେମକାନ୍ତ ।

 

‘‘ଦେଖନ୍ତୁ ହେମକାନ୍ତ ବାବୁ । ଦିନ ରାତି କେବଳ ଭାରତର ଖାଦ୍ୟ ସମସ୍ୟା କଥା ଚିନ୍ତା କରି କରି ମୋତେ ଆଉ ନିଦ ଲାଗୁ ନାହିଁ । କୁହନ୍ତୁ...ଏ ସମସ୍ୟାର କ’ଣ ଆମେ କିଛି ହେଲେ ସମାଧାନ କରି ପାରିବା ନାହିଁ ?’’

 

ହସି ହସି ହେମକାନ୍ତ କହିଥିଲା—‘‘ଏ ସମସ୍ୟା ଉପରେ ତ’ ଆମର ବହୁ ଆଲୋଚନା ହୋଇଯାଇଛି । ତେବେ ମୋର ପ୍ରସ୍ତାବ ହେଉଛି—ଭାରତର ପ୍ରତ୍ୟେକ ଯୁବକ ଆଉ ଯୁବତୀ ଗୀତା ଓ ଭାଗବତର ଦାୟାଦ । ଏମାନେ ସଂଯମ ରକ୍ଷା ନ କଲେ ଭାରତର ଖାଦ୍ୟ ସମସ୍ୟାକୁ ସମାଧାନ କରିବା ସହଜ କଥା ନୁହେଁ ।’’

 

‘‘କିନ୍ତୁ’’....ଆଉ ଯୁକ୍ତି କରି ପାରୁନାହିଁ ଲୋପମୁଦ୍ରା ।

 

ହେମକାନ୍ତ କହୁଛି—‘‘ହଁ...ଏଇ ସଂଯମର ମହତ୍ ଆଦର୍ଶ ଦେଖାଇବା ପାଇଁ କେତେଜଣ ଉଦୀୟମାନ ତରୁଣ ତରୁଣୀ ନେତୃତ୍ୱ ନେବା ଉଚିତ । ଏ ସମ୍ବନ୍ଧରେ ଆଲୋଚନାମାନ ସଂଗଠନ କରିବା ମଧ୍ୟ ଉଚିତ ।’’

 

ହେମକାନ୍ତର ଯୁକ୍ତିକୁ ସମର୍ଥନ କଲା ଲୋପାମୁଦ୍ରା । ସତ କହିବାକୁ ଗଲେ ଖାଦ୍ୟ ସମସ୍ୟାର ମୂଳ କେନ୍ଦ୍ର ହିଁ ରହିଛି ଜନସଂଖ୍ୟା ବୃଦ୍ଧିରେ । ଜନସଂଖ୍ୟା ବୃଦ୍ଧିକୁ ରୋକି ନ ପାରିଲେ ସମାଧାନ ଅସମ୍ଭବ । ଏ ଦୃଷ୍ଟିରୁ ହେମକାନ୍ତଙ୍କ ଯୁକ୍ତି ମନ୍ଦ ନୁହେଁ । ସଂଯମର ନେତୃତ୍ୱ ନେଇ ପାରିଲେ ଭାରତ ଏକ ନୂତନ ଜନ୍ମ ନିୟନ୍ତ୍ରଣର ପଥଦ୍ରଷ୍ଟା ହୋଇ ପାରିବ । ହେଲେ ଏ ଦୃଷ୍ଟିରୁ ନେତୃତ୍ୱ ନିଶ୍ଚୟ ଆବଶ୍ୟକ । କିନ୍ତୁ କିଏ ହେବ ଏଇ ନୂତନ ଦୃଷ୍ଟିଭଙ୍ଗୀର ପଥଦ୍ରଷ୍ଟା ?

 

ବିନମ୍ର ଭାବରେ ଲୋପମୁଦ୍ରା କହିଲା—ତା’ ହେଲେ ଚିର କୁମାରୀ ରହି, ମୁଁ ମୋର ସଂଯମ ପାଳନ କରିଯିବି ।

 

ହସି ହସି ବେଦମ୍‌ ହୋଇ ପଡ଼ିଲା ହେମକାନ୍ତ । କହିଲା—‘‘ଥରେ ପରା ମୁଁ କହିଛି ଲୋପାମୁଦ୍ରା, ବିବାହ ପରି ଏକ ଚିରାଚରିତ ପନ୍ଥାର ବିରୁଦ୍ଧାଚରଣ କଲେ ସମଗ୍ର ମାନବ ସୃଷ୍ଟି ଧ୍ୱଂସ ପାଇଯିବ । ଆମେ ବିବାହକୁ ନାପସନ୍ଦ କରି ପାରିବା ନାହିଁ, ହେଲେ ସଂଯମକୁ ସ୍ୱାଗତ କରିବା ।’’

 

ମୁଣ୍ଡ ହଲାଇ ସମର୍ଥନ କରୁଥିଲା ଲୋପାମୁଦ୍ରା ।

 

ଲୋପାମୁଦ୍ରା ନିକଟକୁ ଲାଗି ଆସି ହେମକାନ୍ତ କହିଲା—ହେଇ ଦେଖ ଲୋପାମୁଦ୍ରା ! ପୁରୁଷ ଆଉ ସ୍ତ୍ରୀ ମଧ୍ୟରେ କି ଅଭୂତ ଭୌତିକ ସମ୍ପର୍କ । ନାରୀର କୋମଳାଙ୍ଗରେ ପୁରୁଷର ସ୍ପର୍ଶ ଲାଗିଲେ ନାରୀର ଶିରା ପ୍ରଶିରା ଉତ୍ତେଜିତ ହୋଇଉଠେ, ଆଉ ନାରୀର କୋମଳ ମାଂସ ଗନ୍ଧରେ ଆତ୍ମହରା ହୁଏ ପୁରୁଷ । ଯେତେଦିନ ପର୍ଯ୍ୟନ୍ତ ଏହି ମାଦକତା ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ଦୂର ହୋଇନାହିଁ, ସେତେବେଳେ ପର୍ଯ୍ୟନ୍ତ ଖାଦ୍ୟ ସମସ୍ୟାକୁ ଦୂର କରିବା ସହଜ ନୁହେଁ ।

 

ସେ ଦିନ ଲୋପମୁଦ୍ରା ଏକରକମ୍‌ ଭାଙ୍ଗି ପଡ଼ିଥିଲା । ହେମକାନ୍ତର ବଳିଷ୍ଠ ପୁରୁଷାଙ୍ଗ ଭିତରେ ଆତ୍ମଗୋପନ କରିଥିଲା । ତା’ପରେ ହେମକାନ୍ତର ନିର୍ଜନ କୋଠରୀ ଭିତରକୁ ଅନେକଥର ଆସିଛି ଲୋପାମୁଦ୍ରା । କିନ୍ତୁ ଯୁକ୍ତି କରିବାକୁ ତା’ର ଆଉ ସାହାସ ହୋଇନାହିଁ । କେବଳ କୋମଳ ନାରୀତ୍ୱକୁ ବିଶ୍କେଷଣ କରି ସେ ଜୟ କରିବାକୁ ଚାହିଁଛି ହେମକାନ୍ତର ହୃଦୟ ।

 

ସେଦିନ କଲେଜ ଅଗଣାର ଦେବଦାରୁ ଗଛରେ ଫଗୁଣର ରଙ୍ଗ ହୋରିଖେଳ ଜମାଟ ବାନ୍ଧି ଉଠିଥାଏ । ବିଲୋଳିତ କୃଷ୍ଣଚୂଡ଼ା ଗଛରେ ସୁଷମା ବିଛାଡ଼ିଥାଏ ରଙ୍ଗୀନ୍‌ ଫୁଲର ସ୍ତବକ । ସେହି କୃଷ୍ଣଚୂଡ଼ାର ଶୋଭାକୁ ଅପଲକ ନୟନରେ ଲକ୍ଷ୍ୟ କରୁଥାଏ, ଲୋପାମୁଦ୍ରା । ଠିକ୍‌ ସେ ସମସୟରେ ନୀରବତା ଭଙ୍ଗକରି ଆସିଥିଲା ଅଧ୍ୟାପକ ହେମାକାନ୍ତ ।

 

ତରୁଣ ଅଧ୍ୟାପକ ହେମକାନ୍ତ । ଆଖିର ସୀମନ୍ତରେ ଲକ୍ଷ କନ୍ଦର୍ପରେ କଟାକ୍ଷ ।

 

ଠିକ୍‌ ଶରବିଦ୍ଧା ଶଙ୍କିତା ହରିଣୀ ପରି ସଂକୃଚିତ ହୋଇ ଯାଇଥିଲା ଲୋପାମୁଦ୍ରା ।

 

ହେମକାନ୍ତ କହିଥିଲା—‘‘ଦେଖୁଛ ଲୋପା ! ଏ ନିର୍ଜୀବ କୃଷ୍ଣଚୂଡ଼ା ଗଛର କି ପାଗଳାମୀ-? ଯୁଗେ ଯୁଗେ ପ୍ରକୃତି ଆଉ ପୁରୁଷ ମଧ୍ୟରେ ଯେଉଁ ସଂଘର୍ଷ ଚାଲିଛି—ସେହି ସଂଘର୍ଷକୁ ଉର୍ଜ୍ଜିବିତ ରଖିବା ପାଇଁ କୃଷ୍ଣଚୂଡ଼ା ରୂପ ବଦଳାଏ । ନିଜର ଆତ୍ମକଥା କହିବସେ । ତୁମେ ଏ ପ୍ରକୃତିର ଆହ୍ୱାନକୁ ଏଡାଇ ପାରିବ କେମିତି ? ତୁମକୁ ପ୍ରକୃତିର ଜୟଗାନ ସହିତ ସ୍ୱର ମିଳାଇବାକୁ ହେବ-।’’

 

ନିର୍ବାକ୍‌ ହୋଇ ଚାହିଁଥିଲା ଲୋପାମୁଦ୍ରା । ସତରେ...ପ୍ରକୃତି ଆଉ ପୁରୁଷ, ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଦୁଇଟା ଦୁର୍ଦମନୀୟ ସତ୍ତା । ଏ ସତ୍ତାକୁ ଅସ୍ୱୀକାର କରି ହେବନାହିଁ ।

 

ହସି ଦେଇ ଲୋପାମୁଦ୍ରା କହିଥିଲା—ମୋତେ ଆଉ ସେ ପ୍ରଶ୍ନ ପଚାରନ୍ତୁ ନାହିଁ । ଆପଣଙ୍କ ମତକୁ ତ’ ମୁଁ ସମର୍ଥନ କରି ନେଉଛି । ତା’ ପରେ ଠିକ୍‌ ଗଡ଼ଜୟ କରିବା ପରି ହସିଥିଲା ହେମକାନ୍ତ ।

 

ସେଦିନ କଲେଜ ଛୁଟି ହେବାବେଳକୁ ପ୍ରାୟ ସନ୍ଧ୍ୟା ହୋଇ ଯାଇଥିଲା । ଏକା ଏକା ଚାଲି ଚାଲି ରାସ୍ତାରେ ଫେରୁଥାଏ ଲୋପାମୁଦ୍ରା । ହଠାତ୍‌ ମଝି ରାସ୍ତାରେ ଦେଖାଗଲା ହେମକାନ୍ତ ସହିତ । ଅଟକି ଠିଆ ହେଲା ସେ । କାଠଯୋଡ଼ି ବନ୍ଧର ଏକୁଟିଆ ରାସ୍ତାଟା ଏକରକମ ନିର୍ଜନ୍‌ ପ୍ରାୟ । ଆଖି ଆଗରେ ଆଦିମ କାଠଯୋଡ଼ି ନଦୀ । ଆଗରେ ଚାଲିଛି ହେମକାନ୍ତ ଆଉ ପଛରେ ଲୋପାମୁଦ୍ରା ।

 

ସାମାନ୍ୟ କିଛି ସମୟର ନୀରବତା ପରେ ଲୋପାମୁଦ୍ରା କହିଲା ‘‘ଆଚ୍ଛା କୁହନ୍ତୁ ଦେଖି ହେମକାନ୍ତ ବାବୁ ! ପ୍ରେମ ବିନା କ’ଣ ମଣିଷ ବଞ୍ଚିପାରେ ନାହିଁ ? ନାରୀ ବା ପୁରୁଷର କ’ଣ ଏକାନ୍ତ କାମ୍ୟ କେବଳ ପ୍ରେମ କରିବା... ?’’

 

ହସିଲା ହେମକାନ୍ତ । ସତରେ କେଡ଼େ ନିର୍ବୋଧ ଏ ଝିଅଟା । ପ୍ରେମ ଏକ ଦେହଜ ପ୍ରବୃତ୍ତି । ବ୍ୟାଖ୍ୟା କରି ପ୍ରେମକୁ ବୁଝାଇ ହୁଏ ନାହିଁ । ମଦୁଆ ଅଧିକରୁ ଅଧିକ ମଦ ଖାଇବାକୁ ଇଚ୍ଛା କରିବା ପରି ପ୍ରେମିକ ହୃଦୟର ଗଭୀରତର ପ୍ରେମ କାମନା କରେ । କିନ୍ତୁ କି ଭାଷା ଦେଇ ହୃଦୟର ଏ ଆବେଗତାକୁ ବୁଝାଇବ ହେମକାନ୍ତ ? ତଥାପି—ଜଟିଳ ପ୍ରଶ୍ନକୁ ସରଳ କରି ହେମକାନ୍ତ କହିଲା—‘‘ପ୍ରେମକୁ ଦୂରେଇ ଦେଇ ହେବନାହିଁ ଲୋପାମୁଦ୍ରା । ପ୍ରେମର ଏକ ଅଦୃଶ୍ୟ ସାମ୍ରାଜ୍ୟ ଏ ସଚରାଚର ସହରରେ ତା’ର ରାଜତ୍ୱ ବିସ୍ତାର କରିଛି । ସେହି ସାମ୍ରାଜ୍ୟର ନାଗରିକ ଆମ୍ଭେମାନେ । ପ୍ରେମର ଅହେତୁକୀ ପରଶରେ ସଦାସର୍ବଦା ଆମର ପ୍ରାଣ ପୁଲକିତ କହିଲେ ଅତ୍ୟୁକ୍ତି ହେବନାହିଁ ।’’

 

କଥାରେ ବାଧାଦେଇ ଲୋପାମୁଦ୍ରା । କହିଲା—‘‘କିନ୍ତୁ ମୁଁ ଯଦି ପ୍ରେମର ଶିକାର ହେବାକୁ ଇଚ୍ଛା ନ କରେ, ତେବେ ପ୍ରେମ ମୋ ଅନ୍ତର ଭିତରେ ଆସନ ପାତିବାର କି ଅବକାଶ ରହିଛି ?’’

 

ଲୋପାମୁଦ୍ରାର କଥାକୁ ବୁଝୁଥିଲେ ମଧ୍ୟ, ସମର୍ଥନ କରୁ ନ ଥିଲା ହେମକାନ୍ତ । କାରଣ ହେମକାନ୍ତର ମତରେ ପ୍ରେମହୀନ ମଣିଷ ସମାଜରେ କେବଳ ଗୋଟିଏ ବଡ଼ ବସ୍ତୁ ପରି । ନିଜକୁ ଆଉ ଟିକେ ସ୍ପଷ୍ଟ କରିବାକୁ ଯାଇ ହେମକାନ୍ତ କହିଲା—‘‘ମୁଁ ଗୋଟିଏ କଥା କହିବି ଶୁଣିବ ଲୋପାମୁଦ୍ରା ? ସେ ଅନେକ ଦିନର କଥା । ସ୍କୁଲ ଜୀବନର କ୍ଳାନ୍ତିମୟ ଅତୀତରୁ ମାତ୍ର ଗୋଟିଏ ପୃଷ୍ଠା । ଆପତ୍ତି ନ କରିବ ତ’ କହିବି । କାହାଣୀ ଶୁଣିବା ପରେ ତୁମେ ଯେମିତି ମୋତେ ଭୁଲ ନ ବୁଝ । ମଣିଷ ଜୀବନର ଅତୀତଟା ବଡ଼ ଗୋଳମାଳିଆ । ଅତୀତକୁ ଶୁଣି କେହି କେବେ ଦୁଃଖ କରିବା ଉଚିତ ନୁହେଁ । ଅଥବା ଭୁଲ୍ ବୁଝିବା ଉଚିତ ନୁହେଁ ।’’

 

‘‘ନାଁ..ନାଁ...ଭୁଲ୍‌ ବୁଝିବାକୁ କ’ଣ ଅଛି ?’’ ଲୋପାମୁଦ୍ରାର କଣ୍ଠରେ ଆର୍ଦ୍ର ଶୀତ୍କାର ।

 

ହଁ, ଅନେକ ସମୟରେ ମଣିଷ ମଣିଷକୁ ଭୁଲ୍‌ ବୁଝିଥାଏ । ତଥାପି ତୁମ ଉପରେ ମୋର ବିଶ୍ୱାସ ଅଛି, ତୁମେ ମୋତେ ଭୁଲ୍‌ ବୁଝିବ ନାହିଁ ।

 

ସେତେବେଳେ ମାତ୍ର ମୋର ଅଷ୍ଟମ ଶ୍ରେଣୀ । ମେଧାବୀ ଛାତ୍ର ବୋଲି ସମସ୍ତଙ୍କ ଦୃଷ୍ଟି ମୋ’ର ଉପରେ । ଫୁଟ୍‌ବଲ୍‌ ଖେଳାଳୀ ଭାବେ ପ୍ରଥମେ ମୋ ନାମ ଉଠେ । ଡିବେଟିଂ କ୍ଳବ୍‌ରେ ଭାଷଣ ଦେବାପାଇଁ ପ୍ରଥମେ ମୋ ନାଁ ଡକରାଯାଏ । କ୍ଳାସ୍‌ରେ ପ୍ରଶ୍ନ ପଚାର ଗଲେ ପ୍ରଥମେ ମୋ’ର ଉପରେ ପ୍ରଶ୍ନ ପଡ଼େ ଆଉ ସ୍କୁଲରେ ନାଟକ ହେବାକୁ ଠିକ୍‌ ହେଲେ ପ୍ରଥମେ ମୋ ନାମ ମଧ୍ୟ ଅଭିନେତା ଭାବରେ ସମର୍ଥନ ପାଏ । ସତେ ଯେମିତି ମୁଁ ଥିଲି ଜଣେ ସବୁଜାଣତା ମଣିଷ । ମୋ ଛଡ଼ା ସ୍କୁଲରେ କୌଣସି କାମ ସମ୍ଭବ ହେଉ ନ ଥିଲା । କେବଳ ସେତିକି ନୁହେଁ, ସରସ୍ୱତୀ ପୂଜା ଆଉ ଗଣେଶ ପୂଜାରେ ଚାନ୍ଦା ଆାଦାୟ ଭାର ମଧ୍ୟ ପଡ଼ୁଥିଲା ମୋ’ର ଉପରେ । ଅନେକ ସମୟରେ ମୁଁ ଭାବୁଥିଲି—ମୋ ଭଳି ସର୍ବଜ୍ଞ ଛାତ୍ର ଆଉ ହୁଏତ କେହି ନାହିଁ । ସ୍କୁଲର ପରିବେଶ ହିଁ ମୋତେ ଏଇଆ ଭାବିବାକୁ ବାଧ୍ୟ କରିଥିଲା । କିନ୍ତୁ ଆଜି ମୁଁ ଦେଖୁଛି—ଏ ବିରାଟ ପୃଥିବୀରେ ମୋର ସ୍ଥାନ କେଉଁଠି ।

 

ହଁ, ଆମର ଚାଳିଶ ଜଣ ବାଳକଙ୍କ ମଧ୍ୟରେ ବାଳିକା ଥିଲେ ମାତ୍ର ଆଠ ଦଶ ଜଣ । ସେହି ଆଠ ଦଶ ଜଣ ବାଳିକାଙ୍କ ମଧ୍ୟରେ କେହି ଜଣେ ହେଲେ ଭଲ ଛାତ୍ରୀ ନ ଥିଲେ ମଧ୍ୟ, ପ୍ରାୟ ସମସ୍ତଙ୍କ ଦୃଷ୍ଟିପଡ଼େ ତାଙ୍କରି ଆଡ଼େ । ମୁଁ ଏବେ ବି ଠିକ୍‌ ମନେ ପକାଉଛି—ଆମ ଶ୍ରେଣୀ ଶିକ୍ଷକ ପାଠ ପଢ଼ାଉଥିବାବେଳେ ପ୍ରାୟ ଅଶୀଭାଗ ସମୟରେ ସେ ବୁଝାଉଥିଲେ ତାଙ୍କୁ, ଆଉ ଅବଶିଷ୍ଟ ସମୟରେ ଚାହୁଁଥିଲେ ଆମ ଆଡ଼େ ।

 

ସେହି ଝିଅମାନଙ୍କ ମଧ୍ୟରୁ ଜଣେ ଥିଲା ଖୁବ୍‌ ସୁନ୍ଦରୀ । ତା’ ନାଁଟା ମୁଁ ଏପର୍ଯ୍ୟନ୍ତ ମଧ୍ୟ ଭୁଲିନାହିଁ, ଲିଲି ଗନ୍ତାୟତ୍‌ । ଚମତ୍କାର ବେଶରେ ନିଜକୁ ସଜାଇ ସେ କ୍ଳାସକୁ ଆସେ । ଏପରିକି ଶ୍ରେଣୀ ଶିକ୍ଷକ ପର୍ଯ୍ୟନ୍ତ ସମସ୍ତେ ତାରିଫ୍‌ କରନ୍ତି ତା’ ରୂପସଜ୍ଜାକୁ ।

 

ପ୍ରଥମେ ପ୍ରଥମେ ମୁଁ ତା’ର ରୂପକୁ ନିର୍ବୋଧ ଭଳି ଚାହିୁଁଥିଲି । ଏବେ ଭାବୁଛି—ସେ ଚାହିଁବା ଭିତରେ ମଧ୍ୟ ମାଦକତା ଥିଲା । ଶିକ୍ଷକମାନେ କହନ୍ତି, ଲିଲି କୁଆଡ଼େ ଖୁବ୍‌ ଭଲ ନାଚେ ।

 

ସରସ୍ୱତୀ ପୂଜା ନିକଟ ହୋଇ ଆସୁଥାଏ । ସ୍କୁଲ ବାୟୁମଣ୍ଡଳ ଏକରକମର ସରଗରମ-। ହଠାତ୍‌ ଦିନେ ଶୁଣିଲି ଆମ ସ୍କୁଲରେ ଭେରାଇଟି ସୋ ହେବ, ଆଉ ତା’ ଦେହରେ ମୋତେ ମଧ୍ୟ ଅଂଶ ଗ୍ରହଣ କରିବାକୁ ହେବ । ମନା କଲନାହିଁ, ସ୍କୁଲ ଜୀବନରେ ଅଭିନୟ କରିବା ପାଇଁ ଯେ କେଡ଼େ ମୋହ, ତାହା ସ୍କୁଲ ଜୀବନ ଅତିବାହିତ କରିଥିବା ପ୍ରତ୍ୟେକ ଛାତ୍ର ହିଁ ହୃଦୟଙ୍ଗମ କରୁଥିବେ-

ପରେ ଶୁଣିଲି, ମୋତେ ନାଚ ଦେହରେ ଅଂଶ ଗ୍ରହଣ କରିବାକୁ ହେବ । ମନରେ କୁତୂହଳ ଜାଗିଲା । କବାଟ କିଳି ଅନେକ ପ୍ରକାର ରକମର ନାଚ ମୁଁ ଅଭ୍ୟାସ କରିବାରେ ଲାଗିଲା-। ନାଚର ଯେ ଗୋଟାଏ ରୀତିମତ୍‌ ଧାରା ଅଛି, ଏ ଚିନ୍ତା ନ ଥିଲା ମୋର ।

ରିହରସାଲ୍‌ର ଦିନ ଆସିଲା । ଶେଷରେ ଜାଣିଲି ଯେ ମୋତେ କୃଷ୍ଣ ଭୂମିକାରେ ନାଚିବାକୁ ହେବ । ରାଧା ଭୂମିକାରେ ନାଚିବା ସ୍ୱୟଂ ଲିଲି ଗନ୍ତାୟତ୍‌ । ମନରେ ଆହୁରି ଉନ୍‌ମାଦନା-। ପ୍ରାଣରେ ଆହୁରି ଆବେଗ । ଅଭିନୟର ଦିନକୁ ହିଁ କେବଳ ମୁଁ ଗଣିବାରେ ଲାଗିଲି-

ଆସିଲା ଅଭିନୟର ଦିନ । ଶହ ଶହ ଦର୍ଶକଙ୍କର ସମାବେଶରେ ସ୍କୁଲ ହଲ ପରିପୂର୍ଣ୍ଣ । ନାଚ ଆରମ୍ଭ କଲି ମୁଁ ।

ନିର୍ଜନ ଯମୁନା କୂଳ । ସମ୍ମୁଖରେ କଳକଲ୍ଲୋଳିନୀ ଯମୁନା, ନିକଟରେ କେଳିକଦମ୍ବ ବୃକ୍ଷ । ସାଥୀହରା ବିହଙ୍ଗର ସ୍ୱର ତୋଳି କମ୍ପି ଉଠିଲା ମୋ ବଂଶୀର ନାଦ । ନାଁ, ତଥାପି ରାଧାର ଦେଖାନାହିଁ । ହୁଏତ ଚନ୍ଦ୍ରସେଣାର ଆକଟ ମଧ୍ୟରେ ସେ ବନ୍ଦିନୀ । ଆହୁରି କରୁଣତର ହୋଇ ବିଳପି ଉଠିଲା ମୋ ବଂଶୀର ଛାତିଫଟା ଆର୍ତ୍ତନାଦ । ଆଉ ଧୈର୍ଯ୍ୟ ଧରି ରହି ପାରିନାହିଁ ରାଧା । ଶୂନ୍ୟ କଳସୀକୁ କକ୍ଷରେ ଧାରଣ କରି ଉଦ୍‌ବେଳିତ ଝରଣା ପରି ଧାଇଁ ଆସୁଛନ୍ତି ରାଧା । ନୂପୁରର ନିକ୍ୱଣରେ କମ୍ପିଉଠୁଛି ବନପଥ ।

ନୀରବ ଦର୍ଶକ ଗ୍ୟାଲେରୀ ।

ରାଧାର ଆବିର୍ଭାବକୁ ଲକ୍ଷ୍ୟ କରି ଉଲୁସିଉଠୁଛି ପ୍ରେମିକ କୃଷ୍ଣଙ୍କର ଛାତି । କିନ୍ତୁ ଏ ମିଳନରେ କ’ଣ ଶାନ୍ତି ଥାଏ । ହଟିଆ ଶ୍ରୀକୃଷ୍ଣଙ୍କୁ ନଟିଆ କହି ଯେଉଁ ଗୋପାଙ୍ଗନା ପରିହାସ କରନ୍ତି–ସେ କୃଷ୍ଣ କ’ଣ ସିଧାସଳଖ ଭାବେ ରାଧାଙ୍କୁ ପ୍ରେମ କରି ପାରନ୍ତି ?

ଧୀରେ ଧୀରେ ବନ ପଥରେ ମିଳାଇଗଲା ବଂଶୀର ନିନାଦ । କିନ୍ତୁ...ଅପୂର୍ଣ୍ଣ ରାଧା ଯେ ଧାଇଁଥିଲା କେବଳ ସମ୍ପୂର୍ଣ୍ଣ କୃଷ୍ଣ ଅଙ୍ଗରେ ବିଲୀନ ହୋଇଯିବାକୁ । ଯମୁନା କୂଳରେ କଳସୀ ରଖି କଦମ୍ବ ମୂଳକୁ ଧାଇଁଛନ୍ତି ରାଧା । କିନ୍ତୁ କାହାନ୍ତି ପ୍ରେମିକ ଶ୍ରୀକୃଷ୍ଣ ?

ଡାକୁଛନ୍ତି ରାଧା—‘‘ହଟିଆ ନାଗର ଆଉ ହଟ କରନା, ଦେଖାଦିଅ ଦେଖାଦିଅ ଶ୍ରୀକୃଷ୍ଣ-

ତଥାପି ଦେଖା ଦେଇ ନାହାନ୍ତି ଶ୍ରୀକୃଷ୍ଣ ।

ନାଁ, ଶୂନ୍ୟ କଳସୀ ଧରି ଫେରିଯିବାକୁ ହେବ ରାଧାଙ୍କୁ । ଛଳ ଛଳ ଆଖିରେ କଳସୀ ପାଖକୁ ଫେରିଆସିଲେ ରାଧା । କିନ୍ତୁ କଳସୀ କାହିଁ ? କିଏ ନେଲା କଳସୀ ? କି ଉତ୍ତର ଦେବେ ଚନ୍ଦ୍ରସେଣାକୁ ।

 

ଆଉ ସ୍ଥିର ହୋଈ ରହିପାରୁ ନାହାନ୍ତି ରାଧା । ଅନ୍ତରଫଟା କୋହରେ ଛାତି ଫାଟିଯାଉଛି-। ଫେରିଯିବାକୁ ବସିଛନ୍ତି ରାଧା । କିନ୍ତୁ ଏ କ’ଣ ? ପଣତ କାନିଟାକୁ ଗଛ ଡାଳକୁ ଟାଣି ଧରିଛି କିଏ ?

କଦମ୍ବ ଗଛକୁ ତଳକୁ ଆସିଛନ୍ତି ଶ୍ରୀକୃଷ୍ଣ । ପୁଣି ବାଜିଉଠିଛି ବଂଶୀ ନାଦ । କୃଷ୍ଣଙ୍କର ଘନ ଘନ କଟାକ୍ଷରେ ସରଗରମ ହୋଇଉଠିଛି ସମଗ୍ର ଦର୍ଶକ ଗ୍ୟାଲେରୀ ।

ରାଧାଙ୍କର ଦୁଇ କାଖତଳେ କୃଷ୍ଣଙ୍କର ହାତ ସ୍ଥାନ ପାଇ, ରାଧାଙ୍କର ମୁହଁରେ ବଂଶୀ ଥାପି ଦେବାବେଳକୁ କରତାଳିର ଘନ ଘନ କମ୍ପନ ସ୍ତମ୍ଭୀଭୂତ କରିଦେଇଛି ସମଗ୍ର ପରିବେଶକୁ ।

ତା’ପରେ....

ତା’ପରେ ଅଭିନୟ ସରିଥିଲେ । ଆମେ ଘରକୁ ଫେରି ଯାଇଥିଲୁ । କିନ୍ତୁ କିଛିଦିନ ପର୍ଯ୍ୟନ୍ତ ଆମେ ଦି’ଜଣ ସ୍କୁଲରେ ଗୋଟାଏ ନିର୍ଶନୀୟ ବସ୍ତୁ ହୋଇ ଯାଇଥିଲୁ ବୋଲି କହିବାକୁ ହେବ ।

ସରସ୍ୱତୀ ପୂଜା ପରେ ଅନେକ ସମୟରେ ଲିଲିର ଆଉ ମୋର କଥାବାର୍ତ୍ତା ହେଉଥିଲା-। ସେ ମୋତେ ପାଠ ପଚାରେ ମୁଁ ତାକୁ ବୁଝାଇ ଦିଏ ।

କାଳକ୍ରମେ ଆମେ ସ୍କୁଲରୁ ମ୍ୟାଟ୍ରିକ୍‌ପାଶ୍‌ କରି ଚାଲିଗଲୁ । ସେ କୁଆଡ଼େ ଗଲା ମୁଁ କହି ପାରିବି ନାହିଁ । କିନ୍ତୁ ମୁଁ ବି.ଏ.ପଢ଼ୁଛି ହଠାତ୍‌ ଦିନେ ଗୋଟିଏ ଚିଠି ପାଇଲି । ଚିଠିଟି ଲେଖିଥିଲା ଲିଲି । ଚିଠିଟିର ସମ୍ପୂର୍ଣ୍ଣାଂଶ ମୋର ମନରେ ନ ଥିଲେ ମଧ୍ୟ କିଛି ଅଂଶ କହୁଛି ଶୁଣ । ଲେଖିଥିଲା–

 

ନମସ୍ୟ ହେମବାବୁ । ଆପଣ ହୁଏତ ମୋତେ ଭୁଲି ଯାଇଛନ୍ତି । ହଁ, ଗୋଟିଏ ସାମାନ୍ୟ ନାଚବାଲୀ ସହାଧ୍ୟାୟିନୀକୁ ନ ଭୁଲିଯିବେ ବା କାହିଁକି ? କିନ୍ତୁ ମୁଁ ଆପଣଙ୍କୁ ଭୁଲିନାହିଁ । ଏବେ ବି ଆପଣ ମୋ ସ୍ମୃତିରେ ବଞ୍ଚିଛନ୍ତି । ମନ ଥିଲା, ଯୁଗ ଯୁଗ ପାଇଁ ମୁଁ ରାଧା ହୋଇ ତୁମ ପରି କୃଷ୍ଣଙ୍କୁ ଖୋଳନ୍ତି କି ? କିନ୍ତୁ କାହିଁ....ମୋ ଅଭିଳାଷ ପୂରଣ ହେଲା ନାହିଁ । ଦୀର୍ଘ ଦିନ ପରେ ଜଣେ ବନ୍ଧୁଠାରୁ ତୁମ ଠିକଣା ପାଇ ଚିଠିଟି ଲେଖିଲି । କିଛି ଭାବିବନି । ତୁମର ହୁଏତ କେହି ନୂଆ ପ୍ରେମିକ ସାଜି ଏବେ ତୁମ ନିକଟରେ ଅଳି କରୁଥିବେ । ତଥାପି ଏ ପୁରୁଣାକୁ ଭୁଲିବନି । ଚିଠି ଦେବ, ରହିଲି—ଲିଲି ।

 

ଏଇ ହେଲା ମୋର ସେ ଦିନର ଜୀବନ । ଯେତେବେଳେ ପ୍ରେମର ବାସ୍ନା ମୁଁ ଆଘ୍ରାଣ କରିନି, ସେତେବେଳେର ଗୋଟାଏ ସାମାନ୍ୟ ସ୍ମୃତି ଯେ ଏତେଦିନ ଯାଏ ବଞ୍ଚି ରହିପାରେ ତାହା ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଛି । କେହି କେବେ ଇଚ୍ଛାକରି ପ୍ରେମ କରେ ନାହିଁ । ପ୍ରେମ ଏକ ଅହେତୁକୀ ଜିନିଷ । ତା’ ହେଲେ ତୁମେ ସେ ପ୍ରେମର ମୋହରୁ ଦୂରେଇ ରହିବ କିପରି ?’’

 

ରଙ୍ଗା ପଡ଼ିଗଲା ଲୋପାମୁଦ୍ରାର ସମଗ୍ର ମୁଖମଣ୍ଡଳ । ଉନ୍‌ମନା ହୋଇ ଲୋପାମୁଦ୍ରା ଚାହିଁ ରହିଥିଲା କାଠଯୋଡ଼ିର ଉନ୍ମୁକ୍ତ ବାଲୁକାରାଶି ଆଡ଼େ । ଆଦିମ କାଠଯୋଡ଼ି ନଦୀ । ଆଦିମ ତାହାର ବାଲୁକା ରାଶି । ଏଇ କାଠଯୋଡ଼ି ଅନେକ ଦିନର ବିଗତକୁ ଦେଖିଛି, ଅଙ୍ଗେ ନିଭେଇଛି । କାଠଯୋଡ଼ିର ଇତିହାସ, ସମଗ୍ର କଟକ ସହରର ଇତିହାସ କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଏଇ କାଠଯୋଡ଼ି ନଈ ଦେହରେ ସାଧବ ପୁଅ ତାହାର ବୋଇତ ବାଇ ଧାଇଁ ଯାଉଥିଲା କେଉଁ ବାଲି ଆଉ ଜାଭା ଦ୍ୱୀପକୁ । ଆଜି ହୁଏତ ତାମ୍ରଲିପ୍ତର ଉପକଣ୍ଠରେ ସାଧବ ପୁଅକୁ ବାଣିଜ୍ୟ ପୋତ ନଙ୍ଗର ଟାଣୁନାହିଁ । ତଥାପି ଇତିହାସଟା ଇତିହାସ ହୋଇ ରହିଛି । ଏଇ କାଠଯୋଡ଼ି ନଇବନ୍ଧ ଉପରେ ମୋଗଲ, ମୁସଲମାନ୍‌, ମରଠା ଆଉ ଇଂରେଜୀମାନଙ୍କର ଘୋଡ଼ ସବାର ସୈନିକ ଧାଡ଼ି ବାନ୍ଧି ପଇଁତରା ମାରିଛନ୍ତି । ସ୍ୱାଧୀନତା ପ୍ରେମୀ ଜାତୀୟ ଆନ୍ଦୋଳନର ନେତାବୃନ୍ଦ ନିଜ ମତବାଦର ବୟାନ କରିଛନ୍ତି । ସବୁ ଶୁଣିଛି...ସବୁ ଦେଖିଛି ଏଇ କାଠଯୋଡ଼ି ନଦୀ ।

 

କାଠଯୋଡ଼ିର ଯଦି ପାଟି ଫିଟୁଥାଆନ୍ତା—ତେବେ ହୁଏତ ସେ କୁହନ୍ତା, ଏଇ ଦେଖିବାରେ ହିଁ ଆନନ୍ଦ । ଏଇ ଦେଖିବାରେ ହିଁ ଉତ୍ସାହ ।

 

ସେହି କାଠଯୋଡ଼ିକୁ ସାକ୍ଷୀ ରଖି ଚାଲିଛନ୍ତି ଲୋପାମୁଦ୍ରା ଆଉ ହେମକାନ୍ତ ।

 

ଅଧ୍ୟାପକ ହେମକାନ୍ତର ଲାଳସାସିକ୍ତ ମୁଖମଣ୍ଡଳରେ ଏକ ଅନିର୍ବିଚନୀୟ ମାଦକତାର ସ୍ୱପ୍ନ । ସେ ସ୍ୱପ୍ନକୁ ବୁଝୁନଥିଲା ଲୋପାମୁଦ୍ରା । ଲୋପାମୁଦ୍ରା ଏକ ନୀତିବାଦିନୀ ବାଳିକା । ସେ ଜୀବନର ମୂଲ୍ୟ ବୁଝୁ ନ ଥିଲା । ହେଲେ ଜୀବନର ଯେ ଗୋଟାଏ ସାମଗ୍ରୀକ ମୂଲ୍ୟବୋଧ ରହିଛି–ସେ ବିଷୟରେ ସେ ଥିଲା ସଚେତନ ।

 

ଆଉ ସାମାନ୍ୟ ବାଟ ଅତିକ୍ରାନ୍ତ ହେବା ପରେ ଲୋପାମୁଦ୍ରା କହିଥିଲା—‘‘ଆଜି ଆମ ଘରେ ଆପଣଙ୍କ କଥା ପଡ଼ିଥିଲା ହେମକାନ୍ତ ବାବୁ ! ମୋର ବାପା ଆପଣଙ୍କର ସହିତ କ‘ଣ କଥାବାର୍ତ୍ତା ହେବାକୁ ଇଚ୍ଛା କରୁଥିଲେ । ଗତ କାଲି ତାଙ୍କ ପାଖକୁ ଗୋଟିଏ ଅଭିନବ କେସ୍‍ ଆସିଛି ସେଥିପାଇଁ ସେ ବିବ୍ରତ ।’’

 

ଲୋପାମୁଦ୍ରାର କଥାକୁ ସମର୍ଥନ କରି ବାଟ ଭାଙ୍ଗି ଚାଲିଯାଇଥିଲା ହେମକାନ୍ତ ।

 

ସେହି ହେମକାନ୍ତକୁ ଆଜି ଲୋପାମୁଦ୍ରା ଅପମାନ ଦେଇ ଫେରାଇ ଦେଇଛି । ଆଘାତ ଦେଇ ନିଜ ଦୁର୍ବଳ ନୀତିର ବୟାନ କରିଛି । ଉଦ୍ଧତା ଲୋପାମୁଦ୍ରାର ଉପଯୁକ୍ତ ଶାସ୍ତି ଦେବାକୁ ହେବ-। ଯୌବନ ସମ୍ବନ୍ଧରେ ଅନେକ କିଛି ପଢ଼ାଇବାକୁ ହେବ । କିନ୍ତୁ ଯୌବନକୁ ଠିକ୍‌ ଯୌବନ ଭଳି ବୁଝିଥିଲା ଚନ୍ଦ୍ରାବତୀ ।

 

ଆଉ ନିଜର ନିର୍ଜନ କୋଠରୀଟା ଭଲ ଲାଗୁନାହିଁ ଅଧ୍ୟାପକ ହେମକାନ୍ତକୁ । ଉଗ୍ର ଭାବରେ ପଦଚାରଣ କରୁଛି କୋଠରୀର ଚଟାଣ ଉପରେ ।

 

ଚନ୍ଦ୍ରାବତୀ....

 

ସେଦିନ ଦେହ ଖରାପ ଦେଖି ସାଗୁ ତାଟିଆଟି ଥୋଇ ଦେଇ ଚନ୍ଦ୍ରାବତୀ ଚାଲିଯାଇଥିଲା ସତ, ହେଲେ ସାମାନ୍ୟ କେତେ ଘଣ୍ଟା ପରେ ପୁଣି ଫେରି ଆସିଥିଲା ହେମକାନ୍ତର କୋଠରୀକୁ ।

 

ଚନ୍ଦ୍ରାବତୀକୁ ଦେଖିଲେ ହେମକାନ୍ତର ଛାତି ଭିତରେ ଆର୍ଦ୍ରତାର ମର୍ମରିତ ଲଘୁତରଙ୍ଗ ସୃଷ୍ଟି ହେଉଥିଲା । ହେମକାନ୍ତ ଭାବୁଥିଲା ଅନେକ କିଛି ।

 

ସେଦିନ ହେମାକନ୍ତର କୋଠରୀକୁ ଚନ୍ଦ୍ରାବତୀ ପୁଣି ପଶି ଆସି କହିଥିଲା—ହେମକାନ୍ତ ବାବୁ ! ସାଗୁ ଟିକକ ଖାଇଲେ ତ ? ଧୀର ଭାବରେ ମୁଣ୍ଡ ଝୁଙ୍କାଇ ସମର୍ଥନ କରିଥିଲା ହେମକାନ୍ତ ।

 

ସେତେବେଳେ ଚନ୍ଦ୍ରାବତୀର ଛାତିରୁ ଯେଉଁ ଆନନ୍ଦ ଆତ୍ମପ୍ରକାଶ କରିଥିଲା, ଆଜି ହୁଏତ ସମ୍ପୂର୍ଣ୍ଣ ରକମ୍‌ ତାକୁ ମନେ ପକାଇ ହେଉନାହିଁ । ତଥାପି ଏତିକି ମନରେ ପଡ଼ୁଛି । ଜଣେ ସୈନିକ ଶତ୍ରୁ ଦୁର୍ଗ ଆକ୍ରମଣ କରି ଜୟ କଲେ ଯେଉଁ ଆନନ୍ଦ ପାଏ, ସେହି ଆନନ୍ଦ ଅନୁଭବ କରିଥିଲା ଚନ୍ଦ୍ରାବତୀ । ରୂପବହ୍ନିର ପ୍ରଳୟ ଧୂମାଗ୍ନି ଚନ୍ଦ୍ରାବତୀ ।

 

ସେଦିନର ସେହି ଆସିବା ପରେ ହେମକାନ୍ତର କୋଠରୀକୁ ଅବାରିତ ଗତିରେ ଅନେକ ଥର ଆସେ ବନ୍ଦ୍ରାବତୀ । ସେ ଆସିବା ଭିତରେ କାରଣ ନ ଥାଏ, ଯୁକ୍ତି ନ ଥାଏ । ଥାଏ କେବଳ ଏକ ସ୍ୱାଭାବିକ ଆକର୍ଷଣୀ । ହେମକାନ୍ତର ଉତ୍ତାଳ ତାରୁଣ୍ୟ ଯେ ଚନ୍ଦ୍ରାବତୀର ଉପସ୍ଥିତିକୁ କାମନା କରୁ ନ ଥିଲା, ତାହା ନୁହେଁ । ହେଲେ ଲୋକ ମୁଖକୁ ଅନେକ ସମୟରେ ଭୟ କରେ ଏହି ମଣିଷ-। ଠିକ୍‌ ଭୁଲ୍‌ର ହିସାବ ରଖେ ନାହିଁ ଲୋକମୁଖ । ଅନେକ ସମୟରେ ଅକୁହା କଥାକୁ ରଙ୍ଗ ଦେଇ ରୂପ ଦେଇ ଏପରି କହେ ଯେ—ଅନ୍ୟମାନେ ତାହା ବିଶ୍ୱାସ କରନ୍ତି ।

 

ଲୋକମୁଖର ଭୟ ଯଦି ନ ଥାନ୍ତା, ତେବେ ଅନେକ ଅଘଟଣ ଘଟଣ ଘଟିଯାଆନ୍ତା ଏହି ସମାଜରେ । କେବଳ ଏହି ଲୋକମୁଖ ପାଇଁ ନିଜକୁ ମଧ୍ୟ ଭୟ କରୁଥିଲା ହେମକାନ୍ତ ।

 

ସେଦିନ ଶୀତଦିନିଆଁ ରାତିଟା ନିବିଡ଼ ଭାବେ କଟକ ସହରକୁ ଆଚ୍ଛନ୍ନ କରିଥାଏ । ରାସ୍ତାଘାଟ ଏକରକମ୍‌ ଶୂନ୍‌ଶାନ୍‌ । କେବଳ ରାସ୍ତାର ଲାଇଟ୍‌ ପୋଷ୍ଟଗୁଡ଼ାକ ଦାମ୍ଭିକ ପରି ଠିଆ ହୋଇ ଯୁଦ୍ଧ କରୁଥାନ୍ତି ପ୍ରବଳ ଶୀତ ସହିତ । ଠିକ୍‌ ସେତିକିବେଳେ କବାଟ ଖୋଲି ଅଚାନକ ଭାବେ ହେମକାନ୍ତର କୋଠରୀକୁ ଆସିଥିଲା ଚନ୍ଦ୍ରାବତୀ ।

 

ଆଶ୍ଚର୍ଯ୍ୟ ହୋଇ ଖଟଉପରୁ ଉଠି ପଡ଼ିଥିଲା ହେମକାନ୍ତ । ଶୀତ ଦିନର ନିର୍ଜନ କୋଠରୀ । ତା’ ଭିତରେ ଅବିବାହିତ ଯୁବକ ହେମକାନ୍ତ ଆଉ କଳକଲ୍ଲୋଳିନୀ ଅନୂଢ଼ ଯୁବତୀ ଚନ୍ଦ୍ରାବତୀ । ନିର୍ବାକ୍‌ ହୋଇ ବସି ରହିଲା ହେମକାନ୍ତ । ପୁରୁଷ ଜୀବନରେ ଏପରି ବିମୂଢ଼ ଅବସ୍ଥା ଅନେକ ସମୟରେ ଆସେ । ଠିକ୍‌ ତରଳ ଲାଭା ପରି ପୁରୁଷାଙ୍ଗର ପ୍ରବଳ ପୁରୁଷତ୍ୱ ଲୋପ ପାଇଯାଏ । ଫଳରେ ବିଜୟର ବାନା ଉଡ଼ାଇ ନାରୀତ୍ୱର ହା–ହା କାରରେ ସର୍ବଗ୍ରାସୀ ମାଦକତା ।

 

ସେଦିନ ଠିକ୍‌ସେହି ନାରୀତ୍ୱର ପ୍ରବଳ ତୋଫାନରେ ଆତ୍ମବିସ୍ମୃତ ହୋଇଥିଲା ହେମକାନ୍ତ ।

 

ନିର୍ଜନ କୋଠରୀର ଚତୁର୍ଦ୍ଦିଗରେ ଅଫିମ ଖାଇ ଶୀତ ରାତି ଶୋଇଛି । ସତେ ଯେମିତି ଏ ରାତିର ଆଉ ଅନୁଭବ ଶକ୍ତି ନାହିଁ । ଅକାଲୁଆ ହୋଇଯାଇଛି ଏଇ ନିବିଡ଼ କଟକ ସହରର ରାତିଟା ।

 

କିନ୍ତୁ ଚନ୍ଦ୍ରାବତୀ...

 

ସ୍ୱଭାବ ଚପଳା ଚନ୍ଦ୍ରାବତୀ... ।

 

ତା’ ଜୀବନରେ ଅକୁହା ବୋଲି କିଛି ନାହିଁ । ଗୋପନୀୟ ବୋଲି କିଛି ନାହିଁ । ସ୍ପଷ୍ଟତାର ଚରମ ସୀମାରେ ପହଞ୍ଚି ସେ ନିଜକୁ ପ୍ରକାଶ କରିବାକୁ ଚେଷ୍ଟା କରେ । ଅପରକୁ ବୁଝାଇବାକୁ ଚେଷ୍ଟା କରେ । ଜୀବନର ରେଶମୀ ଫିତାକୁ ସେ ପାକଳ କରି ଟାଣି କରିବାକୁ ଚାହେଁ । ସମାଜ....ଲୋକମୁଖ...ଅପବାଦ ଇତ୍ୟାଦିକୁ ବିଶ୍ୱାସ କରେନି ଚନ୍ଦ୍ରାବତୀ । ସେ ଏକ ସମାଜହୀନା ବାଳିକା । ସେ ଏକ ଛାନ୍ଦମୟୀ ଚଳଚଞ୍ଚଳ । ରୂପସୀ ।

 

ସେଦିନ ହେମକାନ୍ତର କୋଠରୀକୁ ଚନ୍ଦ୍ରାବତୀ ଆସିଥିଲା..ଏଇ ଶୀତରାତିକୁ ଉପଭୋଗ କରିବା ପାଇଁ ।

 

ହେମକାନ୍ତର ବିମୂଢତା ଦେଖି ହସି ହସି ଚନ୍ଦ୍ରାବତୀ କହିଲା–ମୋର ଉପସ୍ଥିତିକୁ ହୁଏଇ ଆପଣ ପସନ୍ଦ କରୁନାହାନ୍ତି । ଭଲକଥା....ତେବେ ଆପଣ ଆରମରେ ଶୁଅନ୍ତୁ । ଆପଣଙ୍କୁ ଡ଼ିଷ୍ଟରବ କରି ମୁଁ ଭୂଲ୍‌କଲି । ମୋତେ କ୍ଷମାଦେବେ ।‘’

 

ଚନ୍ଦ୍ରାବତୀର ଉପସ୍ଥିତିରେ ବାସ୍ତବିକ୍‌ହେମକାନ୍ତ ବିବ୍ରତ ହୋଇଥିଲେ ମଧ୍ୟ ମୁହଁ ଖୋଲି କହିପାରୁ ନ ଥିଲା ହେମକାନ୍ତ । ସାଧାରଣ ଭଦ୍ରାମୀ ତାକୁ ବାଧ୍ୟ କରୁଥିଲା ନୀରବ ରହିବାକୁ ।

 

ଆଉ ଟିକେ ପାଖକୁ ଲାଗିଆସିଲା ଚନ୍ଦ୍ରାବତୀ ।‘‘କ’ଣ କିଛି କହୁନାହାନ୍ତି ଯେ... ?? ସତରେ ମୁଁ ଦେଖୁଛି ଆପଣ ବଡ଼ ଭୟାଳୁ ।‘‘

 

ଏଁ..... !! ଚନ୍ଦ୍ରାବତୀ ହେମକାନ୍ତର ଯୌବନଦୀପ୍ତ ପୁରୁଷତ୍ୱକୁ ଆକ୍ଷେପ କରୁଛି !! ତଥାପି...ନୀଳକଣ୍ଠ ପରି ଚନ୍ଦ୍ରାବତୀର ଆକ୍ଷେପକୁ ଆକଣ୍ଠ ହଜମ୍‌ କରିବାକୁ ହେବ । ଚନ୍ଦ୍ରାବତୀ ମିଛ କହିନାହିଁ ।

ପୁଣି ମୁହଁ ଖୋଲିଲା ଚନ୍ଦ୍ରାବତୀ—‘‘ତା’ ହେଲେ ଆପଣ ବିଶ୍ରାମ ନିଅନ୍ତୁ, ମୁଁ ଆସୁଛି ।’’ କହୁ କହୁ ଉଠି ଠିଆ ହୋଇ ଯାଇଥିଲା ଚନ୍ଦ୍ରାବତୀ ।

ହଠାତ୍‌ ନିଦରୁ ଉଠିବା ପରି ଚମକି ଉଠିଛି ହେମକାନ୍ତ । ଚନ୍ଦ୍ରାବତୀ ଚାଲିଯିବ । ନାଁ...ନାଁ...ଯୁଗ ଯୁଗ ପାଇଁ ଚନ୍ଦ୍ରାବତୀ ଏଇ କୋଠରୀର ନିର୍ଜନ ପରିବେଶ ମଧ୍ୟରେ ବସି ରହିବା ଉଚିତ । କାରଣ....ଚନ୍ଦ୍ରାବତୀ ସେବିକା । ଚନ୍ଦ୍ରାବତୀ ନାରୀ...କିନ୍ତୁ...କିନ୍ତୁ.....

ନାଁ...ଆଉ ଚିନ୍ତା କରି ପାରୁନାହିଁ ହେମକାନ୍ତ । ଚନ୍ଦ୍ରାବତୀ ଜନନୀ ହୋଇପାରେ ନାଁ । ଚନ୍ଦ୍ରାବତୀ ପତୀତା…ଚନ୍ଦ୍ରାବତୀ ନଷ୍ଟା । ମୁହଁ ଖୋଲି ହେମକାନ୍ତ କହିଲା–‘‘ବସ, ଉଠିଲ ଯେ ?’’

ବନ୍ୟାମୟୀ ମୁଖରା ଚନ୍ଦ୍ରାବତୀର ବାକ୍ୟବନ୍ଧ ଖୋଲିଗଲା ସତେ । ପୁଣି ଥରେ ହସରେ ପଡ଼ୁ ପଡ଼ୁ କହିଲା–ସତରେ ହେମକାନ୍ତ ବାବୁ ଆପଣ ବଡ଼ ନରଭସ୍‌ ।

କଥାଟାକୁ ହାଲୁକା କରିବା ପାଇଁ ପ୍ରତିବାଦ କରି କହିଳା ହେମକାନ୍ତ–ନାଁ...ନାଁ...ଶୀତଟା ପ୍ରବଳ ପଡ଼ିଛି ନାଁ...କଥା କହିଲା ବେଳକୁ ଦାନ୍ତକୁ ଦାନ୍ତ ଠକ ଠକ ବାଜୁଛି ।

ପ୍ରବଳ ଜଳସ୍ରୋତରେ ଭାସିଯାଉଥିବ ମଣିଷ ମାତ୍ର କୁଟାଖିଅକର ଆଶ୍ରୟ ପାଇଲେ ଆଶ୍ୱସ୍ତ ହେବାପରି, ନିଃଶ୍ୱାସ ମାରିଲା ଚନ୍ଦ୍ରାବତୀ । କଥାଟାକୁ ଆହୁରି ହାଲୁକା କରି କହିଲା—ହଁ....ଶୀତଟା ପ୍ରବଳ ଭାବେ ପଡ଼ିଛି ସେମିତି । ତା’ହେଲେ ଆପଣ ଖଟ ଉପରେ ଶୋଇପଡ଼ନ୍ତୁ, ସମସ୍ତ କମଳ, ଚଦର ଆପଣଙ୍କ ଉପରେ ଘୋଡ଼ାଇ ଦେଇ ମୁଁ ମାଡ଼ି ବସିବି ।

ନୀରବ ରହି ଚନ୍ଦ୍ରାବତୀର ଔଦ୍ଧତ୍ୟକୁ ଲକ୍ଷ୍ୟ କରୁଥିଲା ହେମକାନ୍ତ । ସତରେ, ଚନ୍ଦ୍ରାବତୀ ନାରୀ ହେବାର ପଛରେ ରହିଯାଇଛି । ନାରୀର ପ୍ରଧାନ ଧର୍ମ ଲଜ୍ଜା । ସେତେକ ସମ୍ପଦ ଯେଉଁ ନାରୀ ପାଖରେ ନାହିଁ...ସେ ନାରୀ ବୋଲି କଥିତ ହେବାକୁ ଅଯୋଗ୍ୟା । କିନ୍ତୁ ଚନ୍ଦ୍ରାବତୀକୁ କି ଉତ୍ତର ଦେବ ହେମକାନ୍ତ ?

ହେମକାନ୍ତର ଅସହାୟତାକୁ ଲକ୍ଷ୍ୟ କରୁଥିଲା ଚନ୍ଦ୍ରାବତୀ । ବିଦ୍ରୁପ କରି କହିଲା–ମୋତେ ଭୁଲ୍‌ ବୁଝୁନ୍ତୁନି ହେମକାନ୍ତ ବାବୁ । ମୁଁ ଥରେ କହିଛି—ମୋ ନିକଟରେ ଗୋପନୀୟତା ବୋଲି କିଛି ନାହିଁ । ରେଶମୀ ସୂର୍ଯ୍ୟକିରଣ ଭଳି ମୁଁ ମୁକ୍ତ । ସମାଜ ପ୍ରତି ଯାହାର ଭୟ ନାହିଁ, ଆତ୍ମସମ୍ମାନ ପାଇଁ ଯାହାର ମାୟା ନାହିଁ, ତା ନିକଟରେ ଗୋପନୀୟ ବୋଲି କିଛି ନାହିଁ କହିଲେ ଚଳେ ।

ଜମାଟବନ୍ଧା ବରଫ ପରି ସ୍ଥାଣୁ ହୋଇ ଯାଉଥିଲା ହେମକାନ୍ତ । ବାସ୍ତବିକ୍‌ କେଡ଼େ ନିର୍ଭୀକ ଏ ଚନ୍ଦ୍ରାବତୀ ? ସବୁ ଝିଅଙ୍କଠାରୁ ଏକ ସ୍ୱତନ୍ତ୍ର ଗୁଣ ନେଇ ଚନ୍ଦ୍ରାବତୀର ଜନ୍ମ ହୋଇଛି ନିଶ୍ଚୟ । ତା’ନ ହୋଇଥିଲେ ଏତେ ସ୍ପଷ୍ଟ ଭାବେ କଥାଗୁଡ଼ାକ କହି ପାରନ୍ତା ନାହିଁ ।

‘‘ନାଁ....ନାଁ...ମୁଁ ସେମିତି କିଛି ଭାବିକାର କ’ଣ କ’ଣ ଥାଇପାରେ ? ସାମାନ୍ୟ ଜଟିଳ ହୋଇ ଉତ୍ତର ଦେଇଛି ହେମକାନ୍ତ ।

 

‘‘ଆମେ ଗରମ ଦେଶର ଲୋକ । ଶୀତ ରାତିଟା ମୋତେ ଭଲ ଲାଗେନା ?’’ ଏଥର ପ୍ରବଳ ଭାବରେ ସ୍ରୋତସ୍ୱିନୀ ଝରଣା ପରି ହସିବାରେ ଲାଗିଛି ଚନ୍ଦ୍ରାବତୀ । ‘‘ସତରେ ହେମକାନ୍ତ ବାବୁ ! ଆପଣ ପୁରୁଷ,ହେଲେ ଥଣ୍ଡା ନାଡ଼ିକୁ କେମିତି ଗରମ କରିବାକୁ ହୁଏ ଜାଣି ନାହାଁନ୍ତି ଆପଣ-?’’ ମଣିଷର ନିଃଶ୍ୱାସ ହିଁ ଖୁବ୍‌ ଆରାମପ୍ରଦ ଗରମ ଦିଏ । ଏକା କମଳ ଭିତରେ ଦେହକୁ ଦେହ ଲଗାଇ ଶୋଇବା ପାଇଁ,ଆଣୁ ନାହାଁନ୍ତି ଆଉ ଜଣକୁ ?’’

ଏଥର ଅଧିକ ଭାବେ ଦାନ୍ତକୁ ଦାନ୍ତ ପିଟି ହେବାକୁ ଲାଗିଛି ହେମକାନ୍ତର । କ’ଣ କହୁଛି ଚନ୍ଦ୍ରାବତୀ ? ଇଏ କ’ଣ ସୀତା, ସାବିତ୍ରୀ ଦେଶର କନ୍ୟା ? ନାଁ...ନଁ...ଚନ୍ଦ୍ରାବତୀ ଜଣେ ଜଘନ୍ୟା ପରାଙ୍ଗପୃଷ୍ଟା ବ୍ୟଭିଚାରିଣୀ ବାଳିକା । ତାକୁ ଏ କୋଠରୀରେ ବସିବାକୁ ସ୍ୱାଧୀନତା ଦେବା ହିଁ ମହାପାପ ।

ମୁହଁ ଖୋଲିଛି ହେମକାନ୍ତ—ସୀତା ଆଉ ସାବିତ୍ରୀର ଦେଶରେ ଯେ ସତୀତ୍ୱ ବୋଲି ଗୋଟିଏ ବିରାଟ ଗୁଣ ରହିଛି, ତା ହୁଏତ ତୁମେ ବେଶ୍‌ ବୁଝିଥିବ ଚନ୍ଦ୍ରାବତୀ ।

ବେଗଗାମୀ ଧନୁଶରଟା ହଠାତ୍‌ ଶିଳାଖଣ୍ଡରେ ଆଘାତ ପାଇ ରୋକିଯିବା ପରି, ରୋକିଗଲା ଚନ୍ଦ୍ରାବତୀ । ତା’ପରେ ମନର ବଳ ସଂଚୟ କରି କହିଲା—ଜାଣେ ହେମକାନ୍ତ ବାବୁ । ବୟସଟା କମ୍‌ ହୋଇ ଥିଲେ ମଧ୍ୟ ଅନୁଭୂତି ଦୃଷ୍ଟିରେ ମୁଁ ହୁଏତ ଆପଣଙ୍କଠାରୁ ବୟସ୍କା । ମୁଁ ସୀତା ସାବିତ୍ରୀଙ୍କୁ ସମ୍ମାନ କରେ । କିନ୍ତୁ କୁହନ୍ତୁ ହେମକାନ୍ତ ବାବୁ ! ଯେଉଁ ଦେଶରେ କେବଳ ସୀତା ସାବିତ୍ରୀଙ୍କର ଜନ୍ମ, ସେ ଦେଶରେ ମେନକା, ଉର୍ବିଶୀଙ୍କର ଆବଶ୍ୟକତା କେଉଁଠି ? କାହାପାଇଁ ଏମାନେ ହେବେ ସହସ୍ର ଶର୍ଯ୍ୟାର ନାୟିକା ? କେଉଁ ଯୁକ୍ତିରେ ଅମ୍ବାପଲ୍ଲୀ, ଅର୍ଦ୍ଧକାଶୀଙ୍କର ରୂପ ଯଜ୍ଞର ଆପଣଙ୍କ ପୁରୁଷ ସମାନ ଆହୁରି ତାଳିଗଲେ ? ଏଇ ଗୋଷ୍ଠୀର ମୁଁ ଜଣେ ଶେଷ ସଙ୍କେତ ।

 

‘‘ତଥାପି...ତଥାପି...’’ ପ୍ରତିବାଦ କରି ଉଠୁଥିଲା ହେମକାନ୍ତ । ଉତ୍ତେଜିତ ହୋଇ ଚନ୍ଦ୍ରାବତୀ କହିଲା—‘‘ନାଁ..ନାଁ...ଏଠାରେ କିନ୍ତୁ, ଅତଏବ, ପ୍ରାୟ, ତଥାପିର ସ୍ଥାନ ନାହିଁ । ମୁଁ ବାସ୍ତବରେ ପୂଜାରିଣୀ । ମୋତେ ପ୍ରାକୃତିକ ହେବାକୁ ଦିଅନ୍ତୁ । ଆପଣ ଛାତିରେ ହାତ ଦେଇ କହି ପାରିବେ ଯେ ଆପଣଙ୍କ ମାଆ..ଭଉଣୀ..ଭାଉଜ...ସମସ୍ତେ ସତୀ ? ମୁଁ ଯଦି କହେ ଯେ ଆପଣ ନିଜେ ମଧ୍ୟ ଜାରଜ ।

‘‘ନାଁ...ନାଁ...ନାଁ...’’ କମ୍ପି ଉଠିଲା ହେମକାନ୍ତ ।

‘‘ରାଗନ୍ତୁ ନାହିଁ, ମୋ ସହିତ ଯୁକ୍ତି କରନ୍ତୁ । ତା’ ହେଲେ ଆପଣ ନିଜେ କହନ୍ତୁ....ଆପଣ କ’ଣ ସତ୍ୟବାନଙ୍କ ପରି ନିର୍ମଳ ?’’ ହେମକାନ୍ତଙ୍କ ଆଡ଼େ ଆଙ୍ଗୁଳି ଦେଖାଇ ପ୍ରଶ୍ନ କଲା ଚନ୍ଦ୍ରାବତୀ ।

‘‘ହଁ...ଅନ୍ତତ୍‌ ମୁଁ ଯେତେଦୂର ମୋ ନିଜକୁ ଚିହ୍ନିଛି ।’’ହେମକାନ୍ତର ମନରେ ଦାମ୍ଭିକତା ।

ପୁଣି ହସିବାକୁ ଲାଗିଲା ଚନ୍ଦ୍ରାବତୀ—‘‘ତେବେ ଦ୍ୱିମହଲାର ଝରକା ଦେଇ ବାରମ୍ବାର ଆମ ଜୀର୍ଣ୍ଣକୋଠରୀକୁ ଚାହିଁବାର ଆବଶ୍ୟକତା କ’ଣ ଥିଲା ହେମକାନ୍ତ ବାବୁ ? ମୋ ଆଖିରୁ ଆପଣଙ୍କର ପଶୁତ୍ୱ ମଧ୍ୟ ଦୂରେଇ ଯାଇନାହିଁ ।’’

ଆଉ ଉତ୍ତର ଦେଇପାରୁ ନ ଥିଲା ହେମକାନ୍ତ । ଅପମାନିତ ବିବ୍ରତ ହୋଇ କହିଲା–‘‘ତୁମେ କ’ଣ ତା’ ହେଲେ ମୋତେ ଅପମାନ ଦେବାକୁ ଆସିଛ ?’’

‘‘ନାଁ...ନାଁ...ଥରେ କହିଛି ମୋତେ ଭୁଲ୍‌ ବୁଝିବେନି ହେମକାନ୍ତ ବାବୁ । ଯୁକ୍ତି ଛଳନାରେ ହିଁ ମୁଁ ଆପଣଙ୍କ ସହିତ କେବଳ ଯୁକ୍ତି କଚିଛି । ପୁଣି ଏ ଯୁକ୍ତି ମଧ୍ୟ ଅନ୍ତରର ନୁହେଁ, କେବଳ ଏହି କଣ୍ଠର । ଆପଣ ମୋତେ ଦୂରରେ ଦେଇ ପାରନ୍ତି—ହେଲେ ମୁଁ ଆପଣଙ୍କୁ ଦୂରେଇ ପାରିବି ନାହିଁ । କାରଣ—ମୁଁ ଆପଣଙ୍କୁ ଭଲ ପାଇଛି । ଜାଣେ ନାଁ..ଆପଣଙ୍କୁ ମୁଁ ହଠାତ୍‌ ଭଲ ପାଇଲି କାହିଁକି । ହୁଏତ ଆପଣଙ୍କ ନିର୍ବୋଧତା ମୋତେ ଭଲ ପାଇବାକୁ ବାଟ ଦେଖାଇଛି । ଆପଣ ହୁଏତ ଜାଣିଥିବେ—ସହସ୍ର ଶଯ୍ୟାର ନାୟିକ କୌଣସି ଜଣକୁ ଭଲ ପାଇ ପାରେ ନାଁ । ଭଲ ନ ପାଇ ମଧ୍ୟ ସେ ଅନେକ ଶେଯରେ ଶୁଏ । ତା‘ହେଲେ ଭଲ ପାଇ ଯଦି ମୁଁ ଜଣକ ପାଖରେ କେବଳ ସ୍ପଷ୍ଟ ହୋଇ ପାରିଲି ତେବେ ମୋର ଭୂଲ୍‌ କେଉଁଠି ରହିଲା ?’’

ନିର୍ବିକ୍‍ ହୋଇ ଚନ୍ଦ୍ରାବତୀର କଥାଗୁଡ଼ାକୁ କେବଳ ବିଶ୍ଳେଷଣ କରୁଥିଲା ହେମକାନ୍ତ ।

‘‘ସତରେ ମୁଁ ତୁମକୁ ଆଘାତ ଦେଇଛି, ମୋତେ ତୁମେ କ୍ଷମା କରିବ ଚନ୍ଦ୍ରାବତୀ ।’’ ହେମକାନ୍ତର କଣ୍ଠରେ ଆର୍ଦ୍ରତା ।

‘‘ଆହା ଏ କ’ଣ କରୁଛନ୍ତି ହେମକାନ୍ତ ବାବୁ ! ଆପଣଙ୍କପରି ଶିକ୍ଷିତ ଅଧ୍ୟାପକଙ୍କୁ କ’ଣ କ୍ଷମା କରିବା ଭଳି ମୋର ଶକ୍ତି ଅଛି ?’’ କଥା କହୁ କହୁ ହେମକାନ୍ତର ପାଦ ଦୁଇଟାକୁ ଧରି ପକାଇଛି ଚନ୍ଦ୍ରାବତୀ ।

ଧୀରେ ଧୀରେ ଅହଲ୍ୟା ପଥର ପାଲଟିଲା ପରି ପଥର ପାଲଟୁଛି ହେମକାନ୍ତ ।

ଅବିବାହିତ ତରୁଣ ଅଧ୍ୟାପକ ହେମକାନ୍ତ । ଏଇ ମାତ୍ର ପ୍ରଥମ କରି ତା’ ଜୀବନରେ ନାରୀର ସ୍ପର୍ଶ । ନାରୀର ମାଂସରେ ସତେ କି ଉନ୍ମାଦନା ? କି ଉତ୍ତେଜନା ! ମନେ ହେଉଛି ...ଯୁଗ ଯୁଗ ପାଇଁ ଚନ୍ଦ୍ରାବତୀ ସେ ପାଦକୁ ସ୍ପର୍ଶ କରି ବସିଥାନ୍ତି କି ।

ପ୍ରକୃତିସ୍ଥ ହେଉଛି ହେମକାନ୍ତ । ନାରୀ ସୁଲଭ ଚପଳତାରେ ଭାଙ୍ଗି ପଡ଼ୁଛି ସେ ।

 

ନାଁ...ଆଉ ହବନି । ଚନ୍ଦ୍ରାବତୀକୁ ଦୂରେଇ ଦେଇ ହେବନି ସେ ପତୀତା ହେଉ...ସେ ନଷ୍ଟ ହେଉ । ତଥାପି ସେ ସ୍ପଷ୍ଟବାଦିନୀ ତାକୁ ସମର୍ଥନ କଲେ କ୍ଷତି ନାହିଁ ।

 

ଚନ୍ଦ୍ରାବତୀର ହାତ ଦୁଇଟିକୁ ଧରି ନିଜ ଆଡ଼କୁ ଝିଙ୍କିନେଲା ହେମକାନ୍ତ । ତାରୁଣ୍ୟର ବହ୍ନିଶିଖା ଦପ୍‌ଦପ୍‌କରୁଛି ହେମକାନ୍ତର ଛାତିରେ । ସତେ ଯେମିତି ଏ ବହ୍ନିଶିଖା ଚନ୍ଦ୍ରାବତୀର ଗୌର ମାଂସପେଶୀକୁ ପୋଡ଼ିଜାଳି ଶେଷ କରିଦେବ ।

 

କିନ୍ତୁ ଜୀବନରେ ଏଇ ନୂଆକରି ପ୍ରତିବାଦ କରୁଛି ଚନ୍ଦ୍ରାବତୀ । ଏ କ’ଣ ହେମକାନ୍ତ ବାବୁ । ଶେଷରେ ଆପଣ ବି ପଶୁ ହୋଇ ଯାଉଛନ୍ତି ?

 

ଜୀବନରେ ମୁଁ ଅନେକ ପଶୁ ଦେଖିଛି...ହେଲେ ଆପଣଙ୍କ ପରି ମେଧାବୀ ଲୋକକୁ ମୁଁ ପଶୁ ଭାବରେ ଦେଖିବାକୁ ଚାହେଁ ନି । ମୁଁ କେବେହେଲେ ଆପଣଙ୍କ ପ୍ରେମ ଚାହିଁ ନ ଥିଲି । ଚାହିଁଥିଲି ସ୍ନେହ । ଚାହିଁଥିଲି ବନ୍ଧୁତା । କାଚ ପରା କାଞ୍ଚନ ସହିତ ରହିବାକୁ ଭଲପାଏ । ଆପଣ କିନ୍ତୁ ଭାବପ୍ରବଣ ହୋଇ ପଡ଼ୁଛନ୍ତି ହେମକାନ୍ତ ବାବୁ । ମନେଅଛି ତ ମୁଁ ସହସ୍ର ଶଯ୍ୟାର ନାୟିକ ଚନ୍ଦ୍ରାବତୀ ! ମୋତେ ଛୁଇଁଲେ ଆପଣଙ୍କ ସମଗ୍ର ତପସ୍ୟା ପଣ୍ଡ ହୋଇଯିବ ।’’

 

କିନ୍ତୁ ଦୃଢ଼ରୁ ଦୃଢ଼ତର ହୋଇ ଯାଉଥିଲା ହେମକାନ୍ତ ।

 

ଅନେକ ସମୟରେ ମଣିଷ ହୁଏ ପଶୁ । ଠିକ୍‌ଏ ସମୟରେ ସେ ଭଲ ମନ୍ଦର ବାଛ ବିଚାର କରି ପାରେନା, ଅନେକ ଗୁଡ଼ାଏ ଭୁଲ୍‌କୁ ସେ ଠିକ୍‌ ବୋଲି ମନେ କରିଯାଏ । କିନ୍ତୁ ପରମୁହୂର୍ତ୍ତରେ ମଣିଷକୁ ପସ୍ତେଇବାକୁ ପଡ଼େ ଏଥିପାଇଁ ।

 

ଠିକ୍‌ ସେହିପରି ଆଉ ନିଜକୁ ନିଜେ ମଧ୍ୟ ବୁଝୁନ ଥିଲା ହେମକାନ୍ତ । କଥାରେ କହନ୍ତି—କାମିନୀ କାଞ୍ଚନ କାଞ୍ଚନର ମାୟା ମଣିଷକୁ ଥରେ ଘାରିଲେ ଯୁଗ ଯୁଗ ଧରି ମଣିଷ ହୋଇଯାଏ ଅନ୍ଧ ।

 

ବାତୁଳ ହୋଇଥିଲା ହେମକାନ୍ତ...

 

ଦଳିତ ବିଦଳିତ ଦ୍ରାକ୍ଷା ଭଳି ହେମକାନ୍ତର କର୍କଶ ପରିଶରେ ଝାଉଁଳି ପଡ଼ୁଥିଲା ଚନ୍ଦ୍ରାବତୀ । ଅନେକ ନିଷ୍ଠୁର ହାତର ପରଶକୁ ଚନ୍ଦ୍ରାବତୀ ଅନୁଭବ କରିଛି । ରକ୍ତ ମାଂସର ଦେହ ଧରି ସହ୍ୟ କରିଛି । କିନ୍ତୁ ଆଜି ସେ ସେହି ପାରୁନି ହେମକାନ୍ତର ଅତ୍ୟାଚାର ।

 

ଆଜି ହୁଏତ କଟକ ସହରର ଅନେକ ଗୃହରେ ଏ ଅତ୍ୟାଚାରର ଲୀଳା ଲାଗିଥିବ । ଅନେକ ପୁରୁଷଙ୍କର ବାହୁବନ୍ଧନରେ ଅନେକ ଯୁବତୀ ଆତ୍ମହରା ହେଉଥିବେ । ସେହି ଅଗଣିତ ଯୁବତୀଙ୍କ ମଧ୍ୟରୁ ଚନ୍ଦ୍ରାବତୀ ଜଣେ । ତେବେ ନୂତନତା କ’ଣ ଅଛି ଏ ଆଦିମ ଅତ୍ୟାଚାରରେ ?

 

ହଁ..ହଁ..ନୂତନତ୍ୱ ଅଛି ନିଶ୍ଚୟ, ସମସ୍ତେ ହୋଇଥିବେ ଧର୍ମ ବେଦୀର ସାକ୍ଷୀରଖା ଜାୟା । କିନ୍ତୁ...ଚନ୍ଦ୍ରାବତୀ ! ଅନୂଢା...ଅବିବାହିତା କନ୍ୟା । ବିତାଡ଼ିତ ମାଖନ୍‌ ଚୌଧୁରୀଙ୍କର ଏକମାତ୍ର ସନ୍ତକ ।

 

ଲୁଗା କାରଖାନାର ଉତ୍ସବ ପାଇଁ ଆଜି ମାଖନ୍ ଚୌଧୁରୀ ସହଳ ସହଳ ବାହାରି ଯାଇଥିଲେ କାରଖାନାକୁ । ରାତିସାରା ସେଠାରେ ରହିବାକୁ ହେବ । ସକାଳୁ ହୁଏତ ଛୁଟି ମିଳିବ, ସେଇଥିପାଇଁ ଜୀବନର ଏକାନ୍ତ ନିର୍ଜନତାକୁ ଦୂର କରିବା ଲାଗି ହେମକାନ୍ତର କୋଠରୀକୁ ଆସିଥିଲା ଚନ୍ଦ୍ରାବତୀ । କିନ୍ତୁ ଏ କ’ଣ ହେଲା ? କାହାର ଏ ଭୁଲ୍‍ ? ଅଧ୍ୟାପକ ହେମକାନ୍ତର...ନାଁ...ଯୌବନଦୀପ୍ତା ଚନ୍ଦ୍ରାବତୀର ? ଭୁଲ୍‌ କାହାରି ନୁହେଁ....ଭୁଲ୍‍ ଏ ସମୟର ? ଭୁଲ୍‌ଏ ନରମ ବୟସର ।

 

ଚନ୍ଦ୍ରାବତୀକୁ ବିଲ୍‌କୁଲ ଛାତି ଉପରେ ଚାପି ଧରି ହେମକାନ୍ତ କହିଲା...ବାପା କ’ଣ ଘରେ ନାହାଁନ୍ତି...ଚନ୍ଦ୍ରାବତୀ... ??

 

ମୁଣ୍ଡ ହଲାଇଲା ଚନ୍ଦ୍ରାବତୀ....

 

ହେମକାନ୍ତ କହିଲା—ତୁମ ଜୀବନରେ ତୁମେ ଅସଂଖ୍ୟ ବାସର ଶଯ୍ୟାକୁ ଉପଭୋଗ କରିଥିବ । ହେଲେ ମୋ ଜୀବନର ଏ ପ୍ରଥମ ରାତି । ଏ ରାତିକୁ କ’ଣ ମୁଁ ସହଜେ ସରିବାକୁ ଦେବି-?

 

ହସିଲା ଚନ୍ଦ୍ରାବତୀ—କହିଲା, ରାତିଟା କେବେ ଅସରନ୍ତି ହୋଇ ପାରେନି ହେମକାନ୍ତ ବାବୁ । ଇଚ୍ଛା କଲେ ଏ ରାତିକୁ ଲମ୍ବାଇ ହେବନି । ଏ ରାତି ଖୁବ୍‌ ମାପଚୁପ୍‌ ଜାଣେ । ଆଜି ଏ ନୂଆ ରାତିକୁ ଆପଣ ଉପଭୋଗ କରୁଛନ୍ତି ବୋଲି, ଏ ରାତିକୁ ସରିବାକୁ ଦେବାକୁ ନାରାଜ । ହେଲେ ମୁଁ ଭାବୁଛି...ସମଗ୍ର ଜୀବନରା ରାତି ମୋଟେ ନ ଆସନ୍ତା କି... ତା’ ହେଲେ ଦୁନିଆଁ ର ଅନେକ ଖରାପ ମଣିଷ ଭଲ ହୋଇ ଯାଆନ୍ତେ.... ।

 

ପ୍ରତିବାଦ କରି ଉଠିଲା ହେମକାନ୍ତ କିନ୍ତୁ କାହିଁକି ? କାହିଁକି ଚନ୍ଦ୍ରାବତୀ ? ଏ ରାତିର ଅନ୍ଧକାର କ’ଣ ତୁମକୁ ମୋଟେ ଭଲ ଲାଗେ ନାହିଁ ?

 

ଦରଦଭରା କଣ୍ଠରେ ଚନ୍ଦ୍ରାବତୀ କହିଲା—ନାଁ...ଏ ରାତି ମୋର ଚିର ଶତ୍ରୁ । ସେ ଦିନ ଏଇ ରାତି ଯେଉଁଦିନ ନୂଆଖାଲିରୁ ପଳାଇ ଆସୁ ଆସୁ ମୁଁ ସଂଖ୍ୟାଧିକ ମଣିଷଙ୍କର ଶିକାର ହୋଇଥିଲି । ସେ ଦିନ ବାପାଙ୍କ ପାଇଁ ଚାକିରୀ ଖୋଜୁ ଖୋଜୁ ଏଇ ଲୁଗାକଳ ମାଲିକଙ୍କର ଅଙ୍କ ଲଷ୍ମୀ ସାଜିଥିଲ, ସେ ଦିନ ଏଇ ରାତି....ଯେଉଁଦିନ...

 

ଉର୍ତ୍ତ୍ୟକ୍ତ ହୋଇଉଠିଲା ହେମକାନ୍ତ...ଚୁପ୍‌ ହୁଅ...ଚୁପ୍‌ ହୁଅ ଚନ୍ଦ୍ରାବତୀ । ତୁମେ ଇତିହାସ ମୁଁ ଶୁଣିବାକୁ ଚାହେଁନା । ତୁମ ଜୀବନର ନର୍ଦ୍ଦମାକୁ ମୁଁ ଘାଣ୍ଟି ଗନ୍ଧମୟ ମୋର ଯଥେଷ୍ଟ । ତୁମେ ମୋ ପାଖରେ ଶପଥ କର ଚନ୍ଦ୍ରାବତୀ...ତୁମ ନଷ୍ଟ ଅତୀତକୁ ଆଉ ମୋ ପାଖରେ ବଖାଣିବନି । ସେଥିରେ ମୁଁ ଖୁସି ହେବି । ମୁଁ ବର୍ତ୍ତମାନର ମଣିଷ । ଅତୀତକୁ ଚାହିଁବା ପାଇଁ ମୁଁ ଇଚ୍ଛା କରେନି ।

 

ଆଶ୍ୱସ୍ତା ହେଲା ଚନ୍ଦ୍ରାବତୀ । କି ନିର୍ବିକାର ପୁରୁଷ ଏ ହେମକାନ୍ତ । କଳଙ୍କମୟ ଇତିହାସ ଶୁଣିଲେ ପୁରୁଷ ଭାଙ୍ଗିପଡ଼େ । ପାଖ ଜିନିଷକୁ ଦୂରେଇ ଦିଏ । କିନ୍ତୁ ସବୁ ଶୁଣି ମଧ୍ୟ ନିକଟକୁ ନେଇଛନ୍ତି ହେମକାନ୍ତ ।

 

ଚିରାଚରିତ ପୃଥିବୀର ଏକ ବ୍ୟତିକ୍ରମ ଏ ହେମକାନ୍ତ ।

 

ମୁହଁ ଖୋଲିଲା ଚନ୍ଦ୍ରାବତୀ—‘‘ଟିକେ ମୋ କଥା ପ୍ରତି କାନ ଦିଅନ୍ତୁ ହେମକାନ୍ତ ବାବୁ । ଆପଣଙ୍କ ଅତ୍ୟାଚାରକୁ ମୁଁ ଅସ୍ୱୀକାର କରୁନି । ହେଲେ ଆପଣ କ’ଣ ଚାହାଁନ୍ତି ମୋ ଠାରୁ ?’’

 

‘‘ସବୁକିଛି’’ ହେମକାନ୍ତର ସ୍ୱରରେ ଆଗ୍ନେୟ ଦୃଢ଼ତା ।

 

ତରଳ ବରଫ ଭଳି ଆଉ ଟିକେ ତରଳି ଯାଇ ଚନ୍ଦ୍ରାବତୀ କହିଲା—‘ତଥାପି’ ।

 

‘‘ତଥାପି ଆଉ କ’ଣ ? ମୁଁ ତୁମକୁ ଭଲ ପାଏ । ତୁମର ସ୍ପଷ୍ଟତାକୁ ପସନ୍ଦ କରେ । ବାସ୍‌...ସେଇତକ ମୋର ସମ୍ପଦ । କିନ୍ତୁ ମନେରଖ ଚନ୍ଦ୍ରାବତୀ..ତୁମେ ଯେପରି ଆଉ ନୂତନ କାହାଣୀ ସୃଷ୍ଟି କରିବାକୁ ଚେଷ୍ଟା ନ କର...’’ କଥା କେଇପଦ କହିସାରି ଚନ୍ଦ୍ରାବତୀର ବର୍ତ୍ତୁଳ ମୁଖ ମଣ୍ଡଳକୁ ଚାହିଁରହିଲା ହେମକାନ୍ତ ।

 

ହେମକାନ୍ତର କଥା ଶୁଣି କ’ଣ ପ୍ରତିବାଦ କରିବାକୁ ବସିଥିଲା ଚନ୍ଦ୍ରାବତୀ । ହେଲେ କଥାରେ ବାଧା ଦେଇ ହେମକାନ୍ତ କହିଲା—ମୁଁ ଆଉ ଅଧିକ କିଛି ଶୁଣିବାକୁ ଚାହେଁନା...ତୁମେ ନୀରବ ରୁହ...ତୁମେ ଚୁପ୍‌ ରୁହ... । ଠିକ୍‌ ତା’ପରେ ହେମକାନ୍ତର ଘନ ଘନ ଅଧର ଦଂଶନ ଓ ବାହୁ ବନ୍ଧନର ଚାପରେ ହୁଏତ ସଜ୍ଞା ହରାଇଥିଲେ ଚନ୍ଦ୍ରାବତୀ...

 

ସେଇ ଅତୀତା ଚନ୍ଦ୍ରାବତୀ...

 

ନାଁ...ନାଁ....ହେମକାନ୍ତ ଆଉ ଭାବି ପାରୁନି ଅତୀତକୁ । ସେ ଅତୀତ ଯାଇଛି । ଏ ବର୍ତ୍ତମାନ ବି ଯାଇଛି । ରହିଛି କେବଳ ଅତୀତ ଆଉ ବର୍ତ୍ତମାନର ପାଉଁଶ ଗଦା ।

 

ଆଜି ଯଦି ଚନ୍ଦ୍ରାବତୀ ଥାଆନ୍ତା, ତେବେ.... । ନାଁ, ଯେ ଯାଇଛି ସେ ଯାଉ । ତା କଥା ଭାବି ଆଉ ଦୁଃଖ କରିବାରେ ଲାଭ ନାହିଁ । ସର୍ବହରା ମଣିଷ ଭଳି ମୁହଁ ବୁଲାଇ ଶୋଇବାକୁ ଚେଷ୍ଟାକଲା ହେମକାନ୍ତ ।

 

ଶୋଇଛି କଟକ ସହର । ଏ କଟକ ସହରର ସତେ ଏତେ ଗୋପନୀୟ କାହାଣୀ ? କିଏ ଅବା ଜାଣିଛି ଏ କାହାଣୀ ମାଳାକୁ ।

 

କଟକ ସହରର ପ୍ରତ୍ୟେକ ମଣିଷର କାହାଣୀ ଗୋଟିଏ ଗୋଟିଏ ଉପନ୍ୟାସ ହେବ । ମଣିଷ ହୋଇ ଆମେ ମଣିଷ ସମାଜରେ ବଞ୍ଚିବାକୁ ଚାହିଁଲେ ଏ କାହାଣୀକୁ ପଢ଼ିବା ଉଚିତ ।

 

ଆଉ ଲୋପାମୁଦ୍ରା...

 

ସେ ଦିନ କାଠଯୋଡ଼ି ବନ୍ଧଠାରୁ ବାଟଭାଙ୍ଗି ଚାଲିଯିବା ପରେ ହୁଏତ ଅନେକ କିଛି ଭାବିଥିଲା ହେମକାନ୍ତର କଥା । ତରୁଣ ଅଧ୍ୟାପକ ହେମକାନ୍ତ ଏକରକମ କୁହୁକ ସୃଷ୍ଟି କରିଥିଲା ଲୋପାମୁଦ୍ରାର ଅନ୍ତର ଭିତରେ । ଦ୍ୱିତଳ କଲେଜ ପ୍ରାସାଦର ପାଉଛ... । ଉପରକୁ ଉଠି ଯାଉ ଯାଉ ମୁହଁ ଭାଙ୍ଗି ଚାହିଁଲା ଲୋପାମୁଦ୍ରା.... । ଉପସ୍ଥାନ ଖାତାଟାକୁ ହାତରେ ଧରି ଉପରକୁ ଉଠିଯାଥିଲା ହେମକାନ୍ତ... ।

 

‘‘ସାର୍‌, ଟିକେ ଶୁଣିବେ ?’’ ଲୋପାମୁଦ୍ରାର କୋମଳ ପ୍ରଶ୍ନବାଚୀ ।

 

ରୋକିଗଲା ହେମକାନ୍ତ, ନାଁ...ନାଁ...ଲୋପାମୁଦ୍ରାର ପ୍ରବଳ ନାରିତ୍ୱର ଆବାହନୀରେ ଉତ୍ତର ଦେବାକୁ ଠିଆ ହୋଇଗଲା ହେମକାନ୍ତ ।

 

ଲୋପାମୁଦ୍ରା କହିଲା...ଆଜି ସନ୍ଧ୍ୟାବେଳକୁ ଆମ ଘରକୁ ଯିବେ ହେମକାନ୍ତ ବାବୁ ! ବାପା ଖବର ଦେଇଛନ୍ତି । ବାପା ମଧ୍ୟ ଭାରତର ଖାଦ୍ୟ ସମସ୍ୟା ନେଇ କୌତୂହଳ ।

 

ଆଶ୍ଚର୍ଯ୍ୟ ହେଲାନି ହେମକାନ୍ତ । ଓଡ଼ିଶାର ବିଖ୍ୟାତ ବାରିଷ୍ଟର ଶାନ୍ତନୁ । ଭାରତର ଖାଦ୍ୟ ସମସ୍ୟା ନେଇ ସେ ଚିନ୍ତିତ ହେବେ ନାହିଁ ତ ଆଉ ହେବ କିଏ ? କିନ୍ତୁ....ହଁ....ତଥାପି ଚିନ୍ତା କରୁଛି ହେମକାନ୍ତ । ମଣିଷ ଆଜି ମଣିଷର କଥା ବୁଝେନା । ଆଜିର ମଣିଷ ପ୍ରେମପାଇଁ ଯେତେ ପାଗଳ...ସେତେ ଜୀବନ ପାଇଁ ନୁହେଁ, ଆଜିର ଯୁବକ ଚିନ୍ତା କରେ ରୂପସୀ ରୂପ ବହ୍ନିକୁ ଇନ୍ଧନ ଯୋଗାଇବା ଲାଗି ।

 

ହେମକାନ୍ତର ଚିନ୍ତାରେ ବାଧାଦେଇ ଲୋପାମୁଦ୍ରା ପୁଣି କହିଲା—‘‘ଆପଣ କ’ଣ ଯିବେ ନି ସାର୍‌... ?’’

 

ଉତସ୍ତତଃ ହେଲା ହେମକାନ୍ତ.... । ରୂପସୀର ଅନୁରୋଧ କ’ଣ କଦାପି ସହଜରେ ଏଡ଼ାଇ ଦେଇ ହୁଏ ?

 

ସାମାନ୍ୟ ହସର ରେଖାଟାଣି ହେମକାନ୍ତ କହିଲା—ନାଁ...ନାଁ...ନ ଯିବାର କାରଣ ନାହିଁ-। ନିଶ୍ଚୟ ଯିବ । କିନ୍ତୁ ସାମାନ୍ୟ ଡ଼େରି ହୋଇପାରେ । ବାପାଙ୍କୁ କହିବ...ସେଥିପାଇଁ ସେ ମନ କଷ୍ଟ କରିବେ ନାହିଁ । ଠିକ୍‌ ସମୟରେ ମୁଁ ଯାଇ ତାଙ୍କ ବୈଠକ ଖାନାରେ ପହଞ୍ଚିବି ।

 

ଆନନ୍ଦ ଗଦ୍‌ଗଦ୍‌ରେ ‘ହିଁ’ ବୋଲି କହି ଉପରକୁ ଉଠିଗଲା ଲୋପାମୁଦ୍ରା... ।

 

କଲେଜ ପ୍ରାସାଦର ଏ ଦ୍ୱିତଳ ପାଉଛ......। ଉପରେ ଆଜି ନୂଆ କରି ପାଦ ପିଟି ପିଟି ଚାଲୁନାହିଁ ଲୋପାମୁଦ୍ରା । ପରିଚିତ ଏ କଲେଜ । ନିତିଦିନିଆଁ ଦେହଘଷିଆ ଏଇ କଲେଜର ଜୀବନ-। ଏ କଲେଜ ପାଉଛି ଦେଇ ଅନେକ ତରୁଣ ଛାତ୍ର ଉପରକୁ ଉଠନ୍ତି...ଅନେକ ତରୁଣୀ ଛାତ୍ରୀ ଉପରକୁ ଉଠନ୍ତି । ତାଙ୍କ ସହିତ ସମତା ରକ୍ଷାକରି ମଧ୍ୟ ଉଠନ୍ତି ଅଧ୍ୟାପକ ଦଳ । ଅନେକ ସମୟରେ ଏହି ମୋଡ଼ ମୁହାଁ ପାଉଛ ଉପରେ ଦେହକୁ ଦେହ ଧକ୍‌କା ବାଜେ..ଅଙ୍ଗରେ ଅଙ୍ଗ ଛନ୍ଦି ହୁଏ, ମନରେ ରଙ୍ଗ ବୋଳି ହୋଇଯାଏ । କିନ୍ତୁ ହିସାବ ରଖେନି ଏ ନିର୍ଜୀବ ପାଉଛି ଶ୍ରେଣୀ-

 

ଲୋପାମୁଦ୍ରା ଯେଉଁଦିନ ନୂଆ କରି ଏ କଲେଜରେ ନାମ ଲେଖାଇଲା...ସେ ଦିନ ହୁଏତ ଏଇ ପାଉଛି ନିକଟରେ ସେ ଅନେକ ଟିଟିକାରୀ ଶୁଣିଛି । ଅନେକ ଅଶ୍ଳୀଳ ଆକ୍ଷେପକୁ ବରଦାସ୍ତ କରିଛି । ହେଲେ ଆଜି ସେ ସବୁରେ ଅଭ୍ୟସ୍ତା ଲୋପାମୁଦ୍ରା । ନୂଆ ସ୍ଥାନ ନୂଆ ଜୀବନ ଅନେକ ସମୟରେ ନୂଆ ନୂଆ ଲାଗେ । ହେଲେ ନୂଆ ପୁରୁଣା ହୋଇ ଗଲେ ଆପେ ଆପେ ଲିଭିଯାଏ ଅନେକ ଅନୁଭୂତି ।

 

ବେଶ୍ୟା ଯେଉଁଦିନ ନୂଆ କରି ପୁରୁଷ ଅଙ୍ଗକୁ ଉପଭୋଗ କରେ...ସେ ଦିନର ଅନୁଭୂତି, ସେ ଦିନର ଉତ୍ତେଜନା ନ ଥାଏ ଅନ୍ୟ ଦିନ ମାନଙ୍କରେ ।

 

ଦେହଘଷିଆ ଜୀବନ ଏ ମଣିଷ ଜୀବନ । ପୁରୁଣା ହେଲେ ମଣିଷ ଜୀବନ ପୋକ ଖାଇଯାଏ । ଘୂଣ ଲାଗିଯାଏ । ଠିକ୍‌ ସେମିତି ଏ କଲେଜ ଜୀବନ ନିହାତି ପୁରୁଣା ହୋଇ ପଡ଼ିଛି ଶିକ୍ଷିତା ବାଳିକା ଲୋପାମୁଦ୍ରା ନିକଟରେ ।

 

କିନ୍ତୁ...

 

ନାଁ...ଆଉ ଚିନ୍ତା କରି ହେଉନି । ଆଜି କିନ୍ତୁ ଲୋପାମୁଦ୍ରାର ଜୀବନରେ ଏକ ନୂତନ ଅନୁଭୂତି, ଏକ ନୂତନ ଚମକ । ଅଧ୍ୟାପକ ହେମକାନ୍ତ ଆଜି ନୂଆକରି ଯିବେ ତା’ର ଘରକୁ । ସାଙ୍ଗରେ ବସିବେ, ଆଲୋଚନା କରିବେ, କଥା କହିବେ...ବଥା ହାରିବେ... ।

 

ଏ ବଥା କାହାପାଇଁ... ?

 

ଏ ବଥା କ’ଣ ସତରେ ଖାଦ୍ୟହୀନ ଭାରତୀୟ ଜନତା ପାଇଁ... ? ନାଁ...ଯୌବନଦୀପ୍ତ ଲୋପାମୁଦ୍ରା ପାଇଁ... ।

 

ଅଡ଼ୁଆ ମନଟା ଗୋଳମାଳ ହୋଇଯାଇଛି କୁମାରୀ ଲୋପାମୁଦ୍ରାର । ସଂଖ୍ୟାଧିକ ଭାବକ୍ରାନ୍ତ ହୋଇପଡ଼ୁଛି ଲୋପାମୁଦ୍ରାର ସମଗ୍ର ମୁଖମଣ୍ଡଳ... ।

 

ଅଧ୍ୟାପକ ରାଉତରା ପଢ଼ାଉଛନ୍ତି ଡିମିନିସଂ ରିଟର୍ନର ଗୋଟାଏ ଅଧ୍ୟାୟ...

 

ଗୋଟିଏ ନିର୍ଦ୍ଦଷ୍ଟ ଜମିରେ ଅଧିକ ପରିଶ୍ରମ, ଅଧିକ ସାର, ବିହନ,ମୂଳଧନ ଖଟାଇଲେ, ନିର୍ଦ୍ଦିଷ୍ଟ ସମୟ ପରେ ଆମଦାନୀ କମି କମି ଆସେ... ।

 

ହେଲେ...

 

ଓଃ...ଆଉ ଚିନ୍ତା କରି ପାରୁନି ଲୋପାମୁଦ୍ରା । ଗୋଟିଏ ନିର୍ଦ୍ଦିଷ୍ଟ ଜମି ଏହି ହେମକାନ୍ତ । ସାର, ବିହନ, ମୂଳଧନ, ପରି ତାଙ୍କ ସହିତ ଆଲୋଚନା, ଯୁକ୍ତି, ପାରସ୍ପାରିକ ସାନିଧ୍ୟ । ହେଲେ ଏତେ ମିଳାମିଶା ପରେ ସ୍ନେହ କମି କମି ଆସିବା ପରିବର୍ତ୍ତେ ଗଭୀରରୁ ଗଭୀରତର ହେବାକୁ ଲାଗିଛି ଦିନକୁ ଦିନ.... ।

 

ହଠାତ୍‌ ଅଧ୍ୟାପକ ରାଉତର କହିଲା—‘‘ଖୁବ୍‌ କ’ଣ ବିବ୍ରତ ଥିବାପରି ଜଣାଯାଉଛି ଲୋପାମୁଦ୍ରା ? କ’ଣ କିଛି ହେଉଛି ନାଁ କ’ଣ ?’’

 

ଆକାଶରୁ ଖସି ପଡ଼ିବା ପରି ଚମକ ପଡ଼ିଲା ଲୋପାମୁଦ୍ରା । ସତେ...ସେ ଶ୍ରେଣୀରେ ବସି କ’ଣ ଗୁଡ଼ାଏ ଏଣୁ ତେଣୁ ଭାବୁଛି ?

 

ସେ ଦିନ ଖୁବ୍‌ କମ୍‌ ସମୟ ପାଠ ପଢ଼ାଇ କ’ଣ କାମ ଅଛି ବୋଲି ଶ୍ରେଣୀରୁ ବିଦାୟ ନେଲେ ଅଧ୍ୟାପକ ରାଉତରା । ତା’ପରେ....

 

ତା’ପରେ ହୁଏତ ତରବର ହୋଇ ଘରକୁ ଫେରିଆସି ଥାଆନ୍ତା ଲୋପାମୁଦ୍ରା । ହେଲେ ଅନ୍ୟତମା ଶ୍ରେଣୀ ସାଥୀ ଚିତ୍ରାଙ୍ଗଦା ଲୋପାମୁଦ୍ରାର ଜୋଡ଼ି ବେଣୀଟାକୁ ପଛଆଡ଼ୁ ଝିଙ୍କି ଦେଇ କହିଲା...‘‘କିଲୋ ଲୋପା ! ଆଜି କାହିଁକି ତୋ’ମନଟା ନଟୁ କଣ୍ଡାପରି ଘୂରିବାରେ ଲାଗିଛି ? କଥା କ’ଣ... ? ହୁଏତ...’’

 

ହଠାତ୍‌ ଚିତ୍ରାଙ୍ଗଦାର କଥାରେ ବାଧା ଦେଇ ଲୋପା କହିଲା ‘‘ନାଇଁ ଚିତ୍ରା, ଆଜି କାହିଁକି ମୁଣ୍ଡଟା ବିନ୍ଧୁଛି ।’’

 

ଠିକ୍‌ ଗୋଟିଏ ଲଗାମ ଛିଣ୍ଡା ଘୋଡ଼ୀ ଭଳି ହସିଉଠିଲା ଚିତ୍ରାଙ୍ଗଦା ।

 

ଇତସ୍ତତଃ ହେଲା ଲୋପାମୁଦ୍ରା । ଅନେକ ସମୟରେ ଅପର ନିକଟରେ ଧରାପଡ଼ି ଯିବାର ଭୟ ହିଁ ମଣିଷକୁ ଅସୁବିଧାରେ ପକାଇ ଥାଏ । ଠିକ୍‌ ସେହି ଯଶା ହେଲା ଲୋପାମୁଦ୍ରାର । ନିଜର ମନକୁ ସେ ଯେତେ ଘୋଡ଼ାଇବାକୁ ଚେଷ୍ଟା କରୁଛି ଚିତ୍ରା ନିକଟରେ ସେତେ ଆପେ ଆପେ ମନଟା ଫିଟି ପଡ଼ୁଛି ।

 

ଚିତ୍ରା କହିଲା...‘‘ମୁଁ ଜାଣେ ଲୋପା, କୁମାରୀ ଜୀବନରେ ଏ ଚଞ୍ଚଳତା ଆସେ ମାତ୍ର ଥରକ ପାଇଁ । ସେ ଥରଟା ପାର ହୋଇଗଲେ ନାରୀ ହୁଏ ପୁରୁଣା ଶିକାରୀ । ତା’ ନିକଟରେ ଆଉ ବାଘ ଭୟ ବଡ଼ ହୋଇ ରହେନାହିଁ ।’’

 

ବିରକ୍ତ ହୋଇ ଲୋପା କହିଲା—‘‘କ’ଣ ଗୁଡ଼ାଏ ଗପୁଛି ଚିତ୍ରା, ତୋ କଥା ତ ମୁଁ କିଛି ବୁଝି ପାରୁନାହିଁ ।’’

 

ପୁଣି ଥରେ ହସିଲା ଚିତ୍ରା, କହିଲା...କହିଲା....‘‘ହଁ ଲୋ ହଁ...ନୂଆ ନୂଆ ସବୁଟା ଲୁଚାଇବାକୁ ଚେଷ୍ଟାକରେ ନାରୀ । ହେଲେ ଶେଷରେ ସବୁ ପଦାରେ ପଡ଼େ । କଥା ପଦାରେ ପଡ଼ିଲେ ପୁରୁଷ ହୁଏ ପୁରୁଷ, କିନ୍ତୁ ନାରୀ ହୁଏ ପତୀତା ।’’

‘‘ବାଜେ କଥା ବକ୍‌ନା କହୁଛି....ଚାଲିଯିବାକୁ ବସିଥିଲା ଲୋପାମୁଦ୍ରା ।

ପୁଣି ଥରେ ଲୋପାମୁଦ୍ରାର ବେଣୀଟାକୁ ଭିଡ଼ିଧରି ଚିତ୍ରା କହିଲା ମୋତେ ତୁ ଫାଙ୍କି ଦେଇପାରୁ, ହେଲେ ତୋ ମନଟାକୁ ତୁ ଫାଙ୍କି ଦେବୁ କେମିତି ? ମୁଁ ପରା ଆଗତ ଭବିଷ୍ୟ ଜାଣେ । ତୋ ମୁହଁରୁ ହଁ ମୁଁ ସବୁ ଜାଣିପାରୁଛି, ତୋର ଯେଉଁଦିନ ଆଜି ଆସୁଛି...ସେ ଦିନ ମୋର ଅନେକ ଦିନ ତଳୁ ଆସିଯାଇଛି । ସେଇଥିପାଇଁ ଏ ମନରେ ଚଞ୍ଚଳତା ନାହିଁ । ଏ ଅନୁଭୂତିରେ ନୂତନତ୍ୱ ମଧ୍ୟ ନାହିଁ । ଖାଲି ମୁଁ ନୁହେଁ ଲୋ ଲୋପା, ଆମ ସଙ୍ଗରେ ଯେତେ ଝିଅ ପଢ଼ୁଛନ୍ତି....ସେମାନଙ୍କ ଭିତରୁ ହୁଏତ ଜଣେ ଦି’ଜଣ ଥିବେ...ଯେଉଁମାନଙ୍କ ଦେହରେ ପୁରୁଷ ହାତ ବାଜି ନ ଥିବ । ମୁହଁକୁ ଚାହିଁ ମଣିଷ ଚିହ୍ନି ହୁଏନାହିଁ..ଚିହ୍ନି ହୁଏ ଦେହକୁ ଛୁଇଁ... ।

ନିର୍ବାକ ସ୍ତମ୍ଭୀତ ହୋଇ ବସିଗଲା ଲୋପାମୁଦ୍ରା ।

ଚିତ୍ରା କହିଲା...ସତରେ ଲୋପା, ତୁ ହୁଏତ ମିଛ ମଣିପାରୁ । ହେଲେ ମୁଁ ଯାହା କହୁଛି ସବୁ ନିରାଟ ସତ । ମୋତେ ମାତ୍ର ଏଗାର ବାର ବର୍ଷ । ଯୌବନର ବାସ୍ନା ଆଘ୍ରାଣ କରିବା ପାଇଁ ମୋର ଅନେକ ଦିନ ବାକି ଥାଏ । ଠିକ୍‌ ସେଇ ବେଳର ଘଟଣା ।

ସେ ଦିନ ରବିବାର...

ସ୍କୁଲ ଜୀବନରେ ରବିବାରଟା ଗୋଟିଏ ଆଶୀର୍ବାଦ କହିଲେ ଅତ୍ୟୁକ୍ତି ହେବନାହିଁ । ଏଇ ରବିବାର ଦିନ ମୁଁ ମୋର ନୂଆ ଭାଉଜଙ୍କ ସହିତ ଲୁଡ଼ୁ ଖେଳିବାକୁ ଖୁବ୍‌ ଭଲ ପାଏ । ଭାଉଜ ମଧ୍ୟ ଆଗ୍ରହରେ ଲୁଡ଼ୁ ଖେଳନ୍ତି ମୋ ସହିତ । ଭାଇ ବିଦେଶୀ, ଯେଉଁ ରବିବାର ଦିନ ସେ ଘରେ ପାଦ ଦିଅନ୍ତି...ସେ ଦିନ ମୋ ଲୁଡ଼ୁ ଖେଳ ବନ୍ଦ୍‌ ହୁଏ । ସତରେ ସେ ଦିନ ମୁଁ ଖୁବ୍‌ ଚିଡ଼େ ଭାଇଙ୍କ ଉପରେ-

ସେ ଦିନ କି ଛୁଟିଥିଲା କେଜାଣି...ଭାଇ ଘରକୁ ଆସି ଥାଆନ୍ତି । ମୁଁ ମୋ ପଢ଼ାଘରେ ବସି ନିଜେ ନିଜେ ଲୁଡ଼ୁ ପାଲିରେ ଗୋଟି ଗଡ଼ାଇ ଥାଏ । ଠିକ୍‌ ଏମିତିବେଳେ ଭାଇଙ୍କ ଶୋଇବା ଘରୁ କିରି କିରି ହସ ଶୁଭିଲା । ମନରେ କୌତୁହଳ ଆସିଲା । ବାଡ଼ିପାଖ ଝରକା ପାଖକୁ ଯାଇ ଗଳି ଚାହିଁଲା ଭାଇଙ୍କ ଶୋଇବା ଘର ଭିତରକୁ ।

ଦେହ ମୋର ଶୀତେଇ ଉଠିଲା.... । ମୁଁ ତ କହିଛି ଲୋପା—ସେ ଦିନର ସେ ଅନୁଭୂତି ଆଜି ମଧ୍ୟ ମୋ ମନରେ ପଡ଼ିଲେ ରୁମ ଟାଙ୍କୁରି ଉଠେ । ଭାଇ ଆଉ ଭାଉଜ । ଦୁହେଁ ଦୁଇଟା କି ଗୋଟିଏ ମଣିଷ...ଜାଣିବା ମୋ ନିକଟରେ କଷ୍ଟ ହୋଇ ପଡ଼ିଲା । ତା‘ପରେ ମୁଁ ଚୋରଙ୍କ ଭଳି ଝରକା ପାଖରୁ ପଳାଇ ଆସିଲା । ହେଲେ ସେ ଦୃଶ୍ୟଟା ମୋତେ ପାଗଳ କରିଦେଲା ।

ତା’ପରେ...

ନୂଆବୋଉ ଚାଲିଗଲେ ରୋଷେଇ ଶାଳକୁ । ଭାଇ ଚାଲିଗଲେ ଗାଁ ଆଡ଼େ ବୁଲି । ମୁଁ କିନ୍ତୁ ଲୁଚି ଲୁଚି ପଶିଲି ତାଙ୍କ ଶୋଇବା ଘର ଭିତରେ । ଅନ୍ୟ ଦିନର ନିର୍ଭୀକତା ସେ ଦିନ ନ ଥିଲା ମୋଠି । ଘରେ ଯାଇ ଦେଖିଲି—ଭାଇଙ୍କ ତକିଆ ତଳୁ ଅଳ୍ପ ଅଳ୍ପ ଦିଶୁଛି ଖଣ୍ଡିଏ ବହି ।

 

ଦେହ ଆଉ ଟିକେ ଉଚ୍ଚାଟ ହୋଇ ଉଠିଲା । ବହିଟିକୁ ତକିଆ ତଳୁ କାଢ଼ି ଆଣିଲା । ଇଂରାଜୀ ବହି । ପଢ଼ି ବୁଝିବା ମୋ ପକ୍ଷରେ ସମ୍ଭବ ନୁହେଁ । ହେଲେ ତା ଭିତରେ ଯେଉଁ ଉଲଗ୍ନ ଅଶ୍ଳୀଳ ଚିତ୍ର ସବୁ ଅଙ୍କାଯାଇଛି...ତାକୁ ମୋ ଆଖି କେବେ ଦେଖି ନ ଥିଲା । କେଉଁଠି ତଳେ ପୁରୁଷ ଉପରେ ସ୍ତ୍ରୀ, କେଉଁଠି ଉପରେ ପୁରୁଷ ତଳେ ସ୍ତ୍ରୀ, ଆଉ କେଉଁଠି ସ୍ତ୍ରୀର ଗୋଡ଼ ପୁରୁଷ କାନ୍ଧ ଉପରେ...ଏମିତି କେତେ ନାହିଁ କେତେ ଛବି । ଛାତି ଦପ୍‌ଦପ୍ କରି ଉଠିଲା । ତରବରରେ ବହିଟିକୁ ଯଥା ସ୍ଥାନରେ ରଖି ଦେଇ ପଳାଇ ଆସିଲି ମୁଁ ।

 

ହେଲେ ମନ ଭିତରେ ଯେଉଁ ଛାପ ରହିଗଲା...ସେ ଛାପକୁ ଲିଭାଇବା ମୋ ପକ୍ଷରେ ସମ୍ଭବ ହେଲାନାହିଁ । ତା’ପରେ ପୁରୁଷ ଛୁଆଟିଏ ପାଇଲେ ମଧ୍ୟ ମୁଁ ଫିଟକୁ କଳ୍ପନାରେ ରଖି ତାକୁ ନିଜ ଉପରେ ଚାପି ଧରିବାକୁ ଚେଷ୍ଟାକରେ ।

 

ଠିକ୍‌ ସେହି ବେଳର ଘଟଣା । ମୋ ଛାତିରେ ମାଂସରେ ମାତ୍ର ନୂଆ ଉର୍ମିର ଇଙ୍ଗୀତ । ଆମ ଘରକୁ ଆସିଥିଲେ ମୋ ବଡ଼ ଭଉଣୀର ଦିଅର । ସେତେବେଳେକାର ନୂଆ ହୋଇ କଲେଜରେ ଯୋଗ ଦେଇ ଥିବା ଛାତ୍ର ।

 

ଆମ ତାଙ୍କ ସହିତ ଅନେକ କିଛି ଥଟ୍ଟା ତାମସା ହେଉଥାଉଁ । ମୁହଁରେ କାଳି ବେଳୁଥାଉଁ-। ସେ ଆମ ପିଠିରେ ଚାପୁଡ଼ା ମାରନ୍ତି । କାନ ମୋଡ଼ନ୍ତି । ବାହାକୁ ଚୁମୁଟି ଗୁଆ ବାହାର କରନ୍ତି । ଆମେ ତାଙ୍କୁ ଚୁମୁଟିବାକୁ ଚେଷ୍ଟା କଲେ ସେ ନିର୍ଭୀକଭାବରେ ଦେଖାଇ ଦିଅନ୍ତି । ଦୁର୍ବଳିଆ ହାତରେ ଯେତେ ଚୁମୁଟିଲେ ମଧ୍ୟ ତାଙ୍କ ହାତରୁ ଗୁଆ ବାହାରେ ନାହିଁ ।

 

ସେ ଦିନ କ’ଣ ହେଲେ କେଜାଣି...ମୋ ପଢ଼ାଘରେ ସେ ବସି ଥିବାବେଳେ ତାଙ୍କର ମୋର ଏମିତି ଜିଦ୍‌ ପଡ଼ିଲା । ମୁଁ କହିଲି ତୁମେ ଯେତେ ଚୁମୁଟିଲେ ମଧ୍ୟ ମୋ ହାତରୁ ଗୁଆ ବାହାରିବ ନାହିଁ । ସେ ହସିଦେଇ କହିଲେ—କେବଳ ହାଇ ନୁହେଁ ଯେଉଁଠି କହିବୁ ମୁଁ ସେଠୁ ଗୁଆ ବାହର କରି ଦେବି ।

 

ବାଜି ମାରି ହାତ ବଢ଼ାଇଦେଲି ମୁଁ....

 

ହଠାତ୍‌ ଚୁମୁଟି ଦେଇ ସେ ମୋର ହାତରୁ ଗୁଆ ବାହାର କରି ଦେଲେ । ତା’ପରେ

 

ତା’ପରେ ଅପେକ୍ଷା ନ କରି ମୋ ଗୋଡ଼ରୁ, ମୋ ପିଠିରୁ ମଧ୍ୟ ଚୁମୁଟି ଗୁଆ ବାହାର କରିଦେଲେ ସେ । ମୁଁ ସବୁ ସହି ନିର୍ଭୀକ ହୋଇ ବସି ରହିଥାଏ ।

 

ହଠାତ୍‌ ସେ ମୋ ପଛଆଡ଼େ ରହି କାଖ ତଳେ ହାତ ପୂରାଇ ଛାତିର ମାଂସଟାକୁ ଜୋର କରି ଦାବି ଦେଲେ ।

 

କିଲି କିଲି ହୋଇ ଉଠିପଡ଼ିଲି ମୁଁ.... ।

 

ଇସ୍‌..... । ସେତେବେଳକାର ସେ ଯେଉଁ ଅନୁଭୂତି...ଆଜି ମଧ୍ୟ ସବୁ ମନେପଡ଼ୁଛି, ନୂଆ ଜୀବନର ନୂଆ ସ୍ପର୍ଶ । ସେତେବେଳେ ଯେ ମୁଁ ତାଙ୍କ ଉପରେ ରାଗି ନ ଥିଲି ତାହା ନୁହେଁ...ହେଲେ ପରେ ପରେ ସେ ମୋତେ ଏମିତି ଆପଣାର କରି ନେଇଥିଲେ ଯେ ମୁଁ ତାଙ୍କ ବିରୁଦ୍ଧରେ ଆପତ୍ତି କରିବା ମୋ ପକ୍ଷରେ ସମ୍ଭବ ହୋଇ ନ ଥିଲା ।

 

ଠିକ୍‌ଏ ଦିନଟି ପରେ କଲେଜ ଛୁଟି ହେଲେ ସେ ନିୟମିତ ଆସନ୍ତି ଆମ ଘରକୁ । ଥଟ୍ଟା ହୁଅନ୍ତି ମୋ ସହିତ । କେତେ ରକମର ଥଟ୍ଟା ତା’ର ହିସାବ ନାହିଁ । ତାଙ୍କର ବେଶୀ ମୋହ ଥାଏ ମୋର ଛାତିର ମାଂସ ଉପରେ ।

 

ତେଣୁ ନାରୀ ଜୀବନରେ ଅନୁଭୂତିକୁ ମୁଁ ଅନେକଟା ଜାଣେ । ସେ ଅନୁଭୂତି ମାତ୍ର ଥରେ ଆସି ଚାଲିଯାଏ । ଆଉ କେବେ ଜୀବନରେ ଆସେ ନାହିଁ । ଆଉ ଯେଉଁ ଅନୁଭୂତି..ତାକୁ ଶହେ ଥର ଇଚ୍ଛା କଲେ ମଧ୍ୟ କଳନା କରି ହେବ ।

 

ଆଶ୍ଚର୍ଯ୍ୟ ହୋଇ ବଲ ବଲ କରି ଚିତ୍ରାର ମୁହଁକୁ ଚାହିଁ ରହିଥିଲା ଲୋପାମୁଦ୍ରା । ସତରେ ଏ ନାରୀ ଜାତିଟା ବଡ଼ ବିଚିତ୍ର । ତାକୁ ବୁଝିବା କଠିନ୍‌ ।

 

ଚିତ୍ରା ତା ଜୀବନରେ କେତୋଟି ପୃଷ୍ଠା ଓଲଟାଉଛି । ମିଉ କହୁ ନାହିଁ । ବିଚିତ୍ର ମଣିଷର ବଞ୍ଚିବା ପାଇଁ ଏ ସବୁ ଗୋଟିଏ ଗୋଟିଏ ମୁହୂର୍ତ୍ତ । ସ୍ଥାଣୁ ଭଳି ଉଠିଲା ଲୋପାମୁଦ୍ରା । ମୁଣ୍ଡଟା ଘୁରାଇ ଦେଉଛି । ତା’ ସହିତ ଘୁରୁଛି କଲେଜର ବାୟୁମଣ୍ଡଳ । ଏଇ ଘୂର୍ଣ୍ଣନ ସହିତ ତାଳ ଦେଇ ଘୁରୁଛନ୍ତି ଅଧ୍ୟାପକ ହେମକାନ୍ତ, ଚିତ୍ରାଙ୍ଗଦା ଆଉ ଅଗଣିତ ଭୋକିଲା କଲେଜ ଛାତ୍ର ।

 

ଘରେ ପହଞ୍ଚିଲା ବେଳକୁ ଏକରକମ୍‌ ସନ୍ଧ୍ୟା ଆଗତପ୍ରାୟ । ପଢ଼ା ଟେବୁଲ ଉପରେ ବହି ଗୁଡ଼ିକ ରଖି ଦେଇ ଚେୟାରଟି ଉପରେ ନଥ୍‌କରି ବସିଗଲା ଲୋପାମୁଦ୍ରା ।

 

କେଜାଣି କାହିଁକି ଶାନ୍ତନୁ ସେଦିନ ଲୋପାମୁଦ୍ରାର ଷ୍ଟଡ଼ି ରୁମ୍‌ଭିତରକୁ ପଶି ଆସି କହିଲେ—‘‘ମା, ଆଜି କାହିଁକି କଲେଜରୁ ଫେରୁ ଫେରୁ ଏତେ ଡ଼େରି ହେଲା ?’’

 

ଅବଶ୍ୟ ଏକଥା ଠିକ୍‌ ଯେ ଶାନ୍ତନୁଙ୍କର ପ୍ରଶ୍ନରେ ଗୁରୁତ୍ୱ ନ ଥିଲା । ଯେଉଦିନ ଶାନ୍ତନୁ ଶୀଘ୍ର କଚେରୀରୁ ଫେରିଥାଆନ୍ତି.....କୌଣସି ମହୋକିଲ ନ ଥାନ୍ତି, ସେ ଦିନ ବିନା କାରଣରେ ଲୋପାମୁଦ୍ରାର କୋଠରୀକୁ ଆସନ୍ତି ଶାନ୍ତନୁ । ଏମିତି କେତେକ ଅବାନ୍ତର ପ୍ରଶ୍ନ ମଧ୍ୟ ପଚାରନ୍ତି ସେ, ଅନ୍ୟ ଦିନମାନଙ୍କରେ ଲୋପାମୁଦ୍ରା ରାତିରେ ଘରକୁ ଫେରିଲେ ମଧ୍ୟ କୌଣସି ପ୍ରଶ୍ନ ପଚାରନ୍ତି କି ଶାନ୍ତନୁ । ପଚାରିବା ପାଇଁ ତାଙ୍କର ସମୟ ନ ଥାଏ ।

 

ଏପରି ବିଚିତ୍ର ଖିଆଲର ମଣିଷ ଯେ ଆଉ ଦୁନିଆଁରେ ନାହାଁନ୍ତି, ତା ନୁହେଁ । ଯେଉଁ ମଣିଷ ନିକଟରେ ଅର୍ଥର ମୋହ ଯେତେ ପ୍ରବଳ...ତାହାର ଅବଚେତନା ମଧ୍ୟ ସେତେ ପ୍ରବଳ ।

 

ସେ ଦିନ ଶାନ୍ତନୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ହୁଏତ ଅଡ଼ୁଆ ଅନୁଭବ କରିଥିଲା ଲୋପାମୁଦ୍ରା । ଆଜିକା ଘଟଣା ଜୀବନର ଅସଂଖ୍ୟ ଆହ୍ନିକା ଗତିର ଏକତମ ଗତି ହୋଇଥିଲେ ମଧ୍ୟ ଆଜିକା ଗତିରେ ନୂତନତ୍ୱ ରହିଛି । କାରଣ—ଚିତ୍ରାଙ୍ଗଦା କହିଛି ମନର ଭୋକ ହିଁ ଦୁନିଆଁର ସବୁଠାରୁ ବଡ଼ ଭୋକ । ଏ ଭୋକ ମାଛ, ମାଂସ ରସ ଗାଲାର ଭୋକଠାରୁ ଭିନ୍ନ । ଏ ଭୋକର ଜନ୍ମ ସ୍ୱତଃ ଦେହଜ ତାଡ଼ନାରୁ । ବୟସ ବୃଦ୍ଧିରେ ଏ ଭୋକ ବଢ଼େ । ପୁଣି ଗୋଟାଏ ନିର୍ଦ୍ଦିଷ୍ଟ ସୀମାରେଖାରୁ ଏ ଭୋକ କମେ । ଦୀର୍ଘ ନିଃଶ୍ୱାସ ଟାଣି ବାପାଙ୍କ ଆଡ଼କୁ ଫାଙ୍କା ଚାହାଁଣୀରେ ଅନାଇ କହିଲା ଲୋପାମୁଦ୍ରା ।

 

ସାମାନ୍ୟ ବିବ୍ରତ ହୋଇ ଶାନ୍ତନୁ କହିଲେ—କ’ଣ ହେଇଛି ମା...କିଛି କହୁନାହିଁ ଯେ....-?

 

ମନେ ମନେ ଅନ୍ତର ଖୋଲି ହସୁଛି ଲୋପାମୁଦ୍ରା । ମଣିଷ ମନର ଅନ୍ତିମ ଦୁଃଖକୁ ସମସ୍ତଙ୍କ ନିକଟରେ ପ୍ରକାଶ କରି ହେବ । ହେଲେ ବାପ ମାଆଙ୍କ ନିକଟରେ ସମ୍ଭବ ନୁହେଁ । ମଣିଷ ଯେତେ ଶିକ୍ଷିତ ହୋଇଥିଲେ ମଧ୍ୟ ବାପ ମାଆଙ୍କ ନିକଟରେ ଯେଉଁ ସ୍ୱଭାବିକ ସଙ୍କୋଚ ଆତ୍ମପ୍ରକାଶ କରେ ତାକୁ ଏଡ଼ାଇ ପାରିବା ସମ୍ଭବ ନୁହେଁ ।

ଏଥର ଲୋପାମୁଦ୍ରାର ନିକଟକୁ ଲାଗି ଆସିଲେ ଶାନ୍ତନୁ । ଶ୍ଳଥ ହାତର କୋମଳ ଶିରଳ ଆଙ୍ଗୁଳି ଗୁଡ଼ାକ ଲୋପାମୁଦ୍ରାର ଚୂର୍ଣ୍ଣ କୁନ୍ତଳ ଉପରେ ଚଳାଉ ଚଳାଉ କହିଲେ—‘‘ତୋର କ’ଣ ହେଇଛି କହ ମା.... । ଚୁପ୍‌ ହେଇ ବସିରହିଛି ଯେ... ।’’

ଆଉ ନୀରବରେ ବସି ନ ପାରି ମୁହଁ ଖୋଲିଲା ଲୋପାମୁଦ୍ରା । ‘‘ନାଇଁ ବାପା, ଆଜି ଆପଣଙ୍କ ଅନୁରୋଧ ରକ୍ଷାକରି ଅଧ୍ୟାପକ ହେମକାନ୍ତ ଆସିବେ । ଆପଣଙ୍କ ସହିତ ଆଲୋଚନା କରିବେ । ସେଇଥିପାଇଁ କେତେ କଥା ଚିନ୍ତା କରୁଥିଲି ମୁଁ ।’’

ଧରଡ଼ା ବାଉଁଶ ବାଡ଼ିର କମ୍ପନ ଭଳି ହସର କମ୍ପନ ଭିତରେ କମ୍ପିଉଠିଲେ ଶାନ୍ତନୁ...‘‘ଏଥିରେ ଆଉ ଚିନ୍ତା କ’ଣ ଅଛି ମା । ଆଲୋଚନା ହିଁ ଆଲୋଚନା । ପୁଣି ଖାଦ୍ୟ ସମସ୍ୟା ଉପରେ । ତା‘ ଉପରେ ଗୁରୁତ୍ୱ ଦେଇ ଲାଭ କ’ଣ ।’’

ଆଶ୍ଚର୍ଯ୍ୟ ହୋଇ ଲୋପାମୁଦ୍ରା । କହିଲା—‘‘ଭାରତର ଖାଦ୍ୟ ସମସ୍ୟା ଏକ ବିରାଟ ସମସ୍ୟା । ତା ଉପରେ ଆଲୋଚନା କରି ଲାଭ ନାହିଁ ବୋଲି ଆପଣ ଭାବୁଛନ୍ତି କେମିତି ?’’

ପୁଣି ଥରେ ହସିଲେ ଶାନ୍ତନୁ...କହିଲେ ‘‘ତୁ ପିଲାଲୋକ ମାଆ...ମୋ କଥାର ଅର୍ଥ ବୁଝି ପାରିବୁନି । ଯଦି ଆଲୋଚନା, ପ୍ରବନ୍ଧ, ଲେଖା ପ୍ରବନ୍ଧ ପାଠ ଦ୍ୱାରା ଖାଦ୍ୟ ସମସ୍ୟା ଭଳି ଏକ ବିରାଟ ସସମ୍ୟାର ସମାଧାନ ହୋଇ ପାରନ୍ତା, ତେବେ ଆଜି ଏହ ଏକ ସମସ୍ୟା ହୋଇ ନ ଥାନ୍ତା । ଖାଦ୍ୟ ସମସ୍ୟା ଉପରେ ମନ୍ତ୍ରୀ ଭାଷଣ ଦେଉଛନ୍ତି ଭୋଟ ପାଇବା ପାଇଁ । ଅଧ୍ୟାପକ ଭାଷଣ ଦେଉଛନ୍ତି ଡିଗ୍ରୀ ହାସଲ ପାଇଁ । ଆଉ ଅଫିସର ଫାଇଲ ଚାଷ କରୁଛନ୍ତି ଚାକିରୀ ବଜାୟ ରଖିବ ପାଇଁ । କୃଷି ଆଉ ଖାଦ୍ୟ ସମସ୍ୟା ଉପରେ ଆଜି ପର୍ଯ୍ୟନ୍ତ ଯେତେ ଭାଷଣ, ଯେତେ ପୁସ୍ତକ, ଯେତେ ଫାଇଲ ଚଷାଗଲାଣି ସେ ସବୁକୁ ଫର୍ଦ ଫର୍ଦ କରି ସଜେଇ ରଖିଲେ ହୁଏତ ସମଗ୍ର ଭାରତର ଚାଷ ଜମି ଯାକ ଘୋଡ଼ାଇ ହୋଇଯିବ, ହେଲେ ଫଳ କାହିଁ ?’’

 

ଭାବ ବିହ୍ୱଳ ହୋଇ ବାପାଙ୍କ ମୁହଁକୁ ଚାହିଁ ରହିଥିଲା ଲୋପାମୁଦ୍ରା । ବାପା ମିଛ କହୁ ନାହାନ୍ତି । କେବଳ ଆଲୋଚନା ଦ୍ୱାରା ସଂସାର ଚଳିପାରେ ନାହିଁ । କାମ ହିଁ ମାନବିକତାର ଅସଲ ମାନଦଣ୍ଡ । ମୁହଁ ଖୋଲିଲା ଲୋପାମୁଦ୍ରା, କହିଲା—ହଁ, ମୁଁ ଜାଣେ ବାପା,ଗୀତାରେ ଭଗବାନ କହିଛନ୍ତି..କାମ ହିଁ ସବୁଠାରୁ ଶ୍ରେଷ୍ଠ ଜିନିଷ । କାମ କରିବା ଠାରୁ ଆଉ ଶ୍ରେଷ୍ଠ ଧର୍ମ ନାହିଁ ।

 

ଗମ୍ଭୀର ହୋଇ ଉଠିଲେ ଶାନ୍ତନୁ । କହିଲେ—ମାଆ ଲୋପା...ମୁଁ ସବୁବେଳେ କେବଳ ଓକିଲ ମହୋକିଲ ମାନଙ୍କ ସହିତ କାମ କରୁଛି ବୋଲି କ’ଣ କିଛି ଅନ୍ୟ କଥା ଚିନ୍ତା କରୁନାହିଁ ? ଚିନ୍ତା କରୁଛି ନିଶ୍ଚୟ । ହେଲେ ନାଚାର...

 

ପ୍ରତିବାଦ କଲା ଲୋପାମୁଦ୍ରା । ‘‘କାହିଁକି ବାପା..ଏକ ସାର୍ବଭୌମ ଗଣତାନ୍ତ୍ରିକ ସାମ୍ୟବାଦୀ ରାଷ୍ଟ୍ରରେ ଆପଣଙ୍କର କ’ଣ କିଛି କରିବାର ନାହିଁ ?’’

 

ଶାନ୍ତନୁଙ୍କର ଶ୍ଳଥ ଜୀର୍ଣ୍ଣ ରକ୍ତରେ ମଧ୍ୟ ଉତ୍ତେଜନା ଦେଖା ଦେଲା । ସେ ଲୋପାର ଖଟ ଉପରେ ବସିଯାଇ କହିଲେ—‘‘ସାମ୍ୟବାଦୀ ରାଷ୍ଟ ?’’ ସେତେବେଳକୁ ଶାନ୍ତନୁଙ୍କ କପାଳର ରେଖାଗୁଡ଼ିକ ଏକରକମ ପୂର୍ଣ୍ଣ ଭାବରେ ଗଣି ହୋଈ ଯାଉଥିଲା ।

 

‘‘ସାମ୍ୟବାଦ...ଗଣତନ୍ତ୍ର ଭାରତକୁ ଏକ ନୂଆ କଥା ନୂହେଁ ଲୋପା । ଆଦିମ କାଳରୁ ଭାରତୀୟମାନେ ଗଣତନ୍ତ୍ର ପାଇଁ ପାଗଳ । ଗୀତା ଧର୍ମ ହିଁ ଗଣତନ୍ତ୍ରର ମୂଳ ରହସ୍ୟ । ଧନତନ୍ତ୍ରବାଦୀ କଂସର ବିପକ୍ଷରେ ସର୍ବହରା ଶ୍ରୀକୃଷ୍ଣଙ୍କ ଯୁଦ୍ଧ କାହାଣୀ ତ’ ତୁ ଶୁଣିଥବୁ । ଏ ଯୁଦ୍ଧ ତୋପ ବନ୍ଧୁକର ଯୁଦ୍ଧ ନୁହେଁ, ଖଣ୍ଡା ତରୁଆଲର ଯୁଦ୍ଧ ନୁହେଁ ।

 

ଗୋଟିଏ ଦିଗରେ ହଳ ଲଙ୍ଗଳ ଧାରୀ ଚଷାପୁଅ ବଳରାମ, ଆଉ ଗୋଟାଏ ଦିଗରେ ଗାଇ ବଳଦ ଧାରୀ ଗାଇଆଳ ଶ୍ରୀକୃଷ୍ଣ । ଏଇ ଥିଲା ଆମ ଦେଶର ଗଣତନ୍ତର ବା ସାମ୍ୟବାଦ । ଅର୍ଥାଥ ହଳ କରି ଗୋରୁ ପାଳି ଭାରତର ଦୁଃ କରିବାକୁ ଚେଷ୍ଟା ନ କଲେ ସାମ୍ୟବାଦ ସମମ୍ଭବ । ତେଣୁ ଧର୍ମଗୁରୁ ଶ୍ରୀକୃଷ୍ଣଙ୍କୁ ସାମ୍ୟବାଦୀ କହିଲେ ଅତ୍ୟୁକ୍ତ ହେବନାହିଁ । ଶାସକ କଂସ ବିରୁଦ୍ଧରେ ସେ ବିପ୍ଳବ କରିଥିଲେ ଏହି ଲଙ୍ଗଳ ଓ ଗୋରୁପଲ ଧରି ।’’

 

ନିର୍ବାକ୍‌ହୋଇ ଚାହିଁଛି ଲୋପାମୁଦ୍ରା । ଶାନ୍ତନୁଙ୍କ ଯୁକ୍ତି ଅକାଟ୍ୟ । ଶାନ୍ତନୁ କହୁଛନ୍ତି–’’ତୁ ତ’ ଖାଣ୍ଡବ ବନ ଦହନ ଇତ୍ୟାଦି କଥା ଜାଣି ଥିବୁ ଲୋପା ? ଖାଣ୍ଡବ ବନ ଦହନ ମୂଳରେ ଅନ୍ୟ କିଛି ଉଦ୍ଦେଶ୍ୟ ନ ଥିଲା । ବନ ଜଙ୍ଗଲକୁ ସଫା କରି ତାକୁ ଶସ୍ୟ କ୍ଷେତ୍ରରେ ପରିଣତ କରିବା ହିଁ ଥିଲା ଅସଲ ଉଦ୍ଦେଶ୍ୟ ।’’

 

ଠିକ୍‌ଏତିକିବେଳେ ଚାକର ମଧୁ ଆସି ଖବର ଦେଲା–‘‘ବାହାରେ କିଏ ଜଣେ ଅପେକ୍ଷା କରିଛନ୍ତି ଆଜ୍ଞା ।’’

 

ମୁହଁ ବୁଲାଇ ଶାନ୍ତନୁ ଉତ୍ତର ଦେଲେ–‘‘ଡ଼ାକି ଦେ ଭିତରକୁ ।’’

 

ଶାନ୍ତନୁ ଆଉ କିଛି ଆରମ୍ଭ କରିବା ଆଗରୁ ଘର ଭିତରକୁ ଆସିଲେ ଅଧ୍ୟାପକ ହେମକାନ୍ତ । ବିନମ୍ର ନମସ୍କାର ଜଣାଇ ଠିଆ ହୋଇଗଲେ ସେ ।

 

Unknown

ଟିକେ ଉତ୍ତେଜିତ ହୋଇଉଠେ ଶାନ୍ତନୁ କହିଲେ–ଆରେ...ଆସନ୍ତୁ ଆସନ୍ତୁ ହେମକାନ୍ତ ବାବୁ । ଆପଣଙ୍କ ପରି ଖ୍ୟାତିନାମା ଯୁବକ ଅଧ୍ୟାପକଙ୍କ ସହିତ ମୋର ସାମାନ୍ୟ ଆଲୋଚନା କରିବାର ଅଛି ।

 

ନୀରବରେ ଗୋଟିଏ ଚେୟାର ଦଖଲ କଲେ ହେମକାନ୍ତ । ବଳିପଡ଼ି ଶାନ୍ତନୁ କହିଲେ–‘‘ହେମକାନ୍ତ ବାବୁ । ମୁଁ ଆପଣଙ୍କୁ ଡ଼କାଇବାର କାରଣ ଅଛି । ଝିଅ ଲୋପାମୁଦ୍ରା ଠାରୁ ଶୁଣିଲା ଯେ ଆପଣ ଭାରତର ଖାଦ୍ୟ ସମସ୍ୟା ନେଇ ନୂଆ ନୂଆ କଥା ଚିନ୍ତା କରୁଛନ୍ତି । ଏପରି ଜଣେ ଯୁବକଙ୍କୁ ମୋର ବଧେଇ ଜଣାଇବା କଥା । ଆଉ କିଛି ନ ହେଲେ ମଧ୍ୟ ଆପଣଙ୍କୁ ଦୃଢ ସମର୍ଥନ ଜଣାଇବାର କ୍ଷମତା ତ’ ମୋର ଅଛି ।’’

 

ହସିଲା ହେମକାନ୍ତ । ଏ ହସ ଭିତରେ ଯେ ହେମକାନ୍ତର ଗଭୀର ଆତ୍ମସନ୍ତୋଷ ନ ଥିଲା ତା’ ନୁହେଁ । ବାରିଷ୍ଟର ଶାନ୍ତନୁଙ୍କର ସମର୍ଥନ କିଛି କମ୍‌ସମର୍ଥନ ନୁହେଁ । ତଥାପି କଥାଟାକୁ ଏଡ଼ାଇ ଦେଇ ହେମକାନ୍ତ କହିଲା–ମୋ ଚିନ୍ତା କିଛି ନୂଆ ଚିନ୍ତା ନୁହେଁ ସାର୍‌ । ମୋ ପରି ମୁଏତ ସଂଖ୍ୟାଧିକ ଲୋକ ଏ ଚିନ୍ତା କରୁଥିବେ । କିନ୍ତୁ ସେ ଚିନ୍ତାକୁ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରୁଛି କିଏ ? ଏଇ କାର୍ଯ୍ୟକାରୀତା ଉପରେ ହିଁ ନିର୍ଭର କରେ ବିରାଟ ଭାରତର ଭାଗ୍ୟ ।’’

 

ମୁଣ୍ଡ ହଲାଇ ସମର୍ଥନ ଜଣାଇଲେ ଶାନ୍ତନୁ । ହସି ହସି କହିଲେ–ମୋ ଝିଅ ଲୋପାମୁଦ୍ରା ମଧ୍ୟ ଏ ଗୁରୁତର ସମସ୍ୟା ପାଇଁ ଚିନ୍ତିତା । ଅବଶ୍ୟ ତା’ର ଏ ଭାବପ୍ରବଣତା ପାଇଁ ମୋଟାମୋଟି ମୁଁ ଦାୟୀ କହିଲେ ଚଳେ ।

 

ପ୍ରଶ୍ନାୟିତ ଦୃଷ୍ଟିରେ ଶାନ୍ତନୁଙ୍କ ମୁହଁକୁ ଚାହିଁ ରହିଲା ହେମକାନ୍ତ ।

 

ହେମକାନ୍ତର ଆଖିର ଉଦ୍ଦେଶ୍ୟଟାକୁ ବୁଝିଲେ ଶାନ୍ତନୁ । ହେଲେ କଥାଟାକୁ ବୁଲାଇ ନେଇ କହିଲେ–ସେ ସବୁ କଥା ମୁଁ ଆପଣଙ୍କୁ ପରେ କହିବି ହେମକାନ୍ତ ବାବୁ ! ଆଜି କେବଳ ଗୋଟିଏ ସୁନ୍ଦର କେସ୍‍କଥା ଆପଣଙ୍କୁ କହୁଛି । ଗତ କେତେଦିନ ହେଲା ଏ କେସ୍‍ଟି କୋର୍ଟରେ ବେଶ୍‌ସରଗରମ ବାତାବରଣ ସୃଷ୍ଟି କରିଛି ।

 

ଗଳା ଖଙ୍କାରୀ ହେମକାନ୍ତ କହିଲା—କି କେସ୍‍ସାର୍‌ ?

 

ଶାନ୍ତନୁ କହିଲେ କଟକ ସହରର ଗୋଟିଏ ଖ୍ୟାତିନାମା ହୋଟେଲ ରଙ୍ଗମହଲ । ଆପଣ ହୁଏତ ରଙ୍ଗମହଲ ହୋଟେଲରେ ଦିନେ ଅଧେ ମିଲ୍‌ଖାଇଥିବେ । ସେହି ରଙ୍ଗମହଲ ହୋଟେଲର କଥା । କଟକ ସହରର ଅନ୍ୟାନ୍ୟ ହୋଟେଲ ଭଳି ଏ ହୋଟେଲ ନୁହେଁ । କେବଳ ଛଅଣିଆଁ ଭାତ ପ୍ଳେଟ୍‌ବା ଆଠଣିଆଁ ମାଂସ ପ୍ଳେଟ୍‌ଯେ ଏ ହୋଟଲର ସାମଗ୍ରୀ, ତା’ ମଧ୍ୟ ନୁହେଁ ।

 

ଅଧୁନାତନ ସମୟର ଆଦବ କାଇଦା ସହିତ କ୍ୱଚିତ୍‌ ହୋଟେଲ ମଧ୍ୟରୁ ଏ ହୋଟେଲଟି ଗୋଟିଏ ।

ଏଠାରେ ଭାତ, ମାଂସ, ଅଣ୍ଡା ପାଖରୁ ଆରମ୍ଭ କରି ଡ୍ରଏଜିନ୍‌ ପର୍ଯ୍ୟନ୍ତ ବିଦେଶୀ ମାଲର ମଧ୍ୟ କାରବାର ହୁଏ । ଇଚ୍ଛା କଲେ କାମିନୀ କାଞ୍ଚନ ଏ ହୋଟେଲରେ ଦୁଲର୍ଭ୍ୟ ହୁଅନ୍ତି ନାହିଁ ।

ସେହି ରଙ୍ଗମହଲ...

ନାମକରା ହୋଟେଲ...

ବିଦେଶୀ ଆଗନ୍ତୁକଙ୍କର ରହିବା ପାଇଁ ମଧ୍ୟ ଏ ହୋଟେଲରେ କେତୋଟି ସିଟ୍‌ ରହିଛି । ଅନେକ ସମୟରେ ଏ ସିଟ୍‌ଗୁଡ଼ିକ ଭରପୁର ଥାଏ । କେତେବେଳେ ବିଭିନ୍ନ କମ୍ପାନୀର ଏଜେଣ୍ଟ ଏ ହୋଟେଲରେ ଆସ୍ଥାନ ଜମାନ୍ତି ତ କେତେବେଳେ ବିଦେଶୀ ଗୁପ୍ତଚର ମଧ୍ୟ ଗୋପନରେ ରଙ୍ଗମହଲ ହୋଟେଲର ମାଲିକ ।

ବ୍ୟକ୍ତିର ଭଲ ବା ମନ୍ଦ ପ୍ରତି ପରବାୟ ନଥାଏ ମାଲିକଙ୍କର । କେବଳ ଅତିଥି ବିଦାୟ ନେବାବେଳେ ସେ ଜୁଲମ କରନ୍ତି ଅର୍ଥ ଆଦାୟ କରିବା ପାଇଁ ।

ଏଇ ରଙ୍ଗମହଲ...

ଗତ ଦଶ ତାରିଖ ଦିନ ଏ ହୋଟେଲର ଚଉଦ ନମ୍ବର ରୁମ୍‌ରେ ଆସି ପହଞ୍ଚିଲେ ଜଣେ ଅତିଥି । ପରିଧେୟ ସାଧାରଣ । ହେଲେ ଅନେକ ଲୋକ ଆସୁଥିଲେ ତାଙ୍କ ପାଖକୁ । ସେ କହୁଥିଲେ ଯେ ସେ ଜଣେ ଚାହା କମ୍ପାନୀର ଏଜେଣ୍ଟ ।

ଦିନକୁ ହଜାର ହଜାର ଟଙ୍କାର କାରବାର କରୁଥିଲେ ସେ... । ତାଙ୍କ ପାଇଁ ହୋଟେଲର ମଧ୍ୟ ଏକରକମ୍‌ ଭିଡ଼ି ଜମି ଯାଇଥିଲା । ହୋଟେଲର କାଟତି ପାଇଁ ପ୍ରତିବାଦ କରିପାରୁ ନ ଥିଲେ ହୋଟେଲ ମାଲିକ ।

କିନ୍ତୁ ହଠାତ୍‌ ଗତ ୧୯ ତାରିଖରେ ଦେଖାଗଲା ଯେ ସେ ଭଦ୍ରବ୍ୟକ୍ତି ଜଣକ ମରି ଶୋଇଛନ୍ତି ତାଙ୍କ ସିଟ୍‌ ଉପରେ । ସଙ୍ଗେ ସଙ୍ଗେ ଚାରିଆଡ଼େ ଖବର ବ୍ୟାପିଗଲା । ପୋଲିସ ଅନୁସନ୍ଧାନ କଲେ । କୋର୍ଟରେ କେସ୍‍ ଚାଲିଲା । ପୋଲିସ ଅଭିଯୋଗ କଲେ ଯେ ଏଜେଣ୍ଟଙ୍କ ପାଖରେ ଲକ୍ଷାଧିକ ଟଙ୍କା ଥିବାରୁ ହୋଟେଲ ମାଲିକ ବିଷ ଦେଇ ତାଙ୍କୁ ହତ୍ୟା...କରିଛନ୍ତି ଓ ତାଙ୍କ ଥିବା ଲକ୍ଷାଧିକ ଟଙ୍କା ମଧ୍ୟ ମାରି ନେଇଛନ୍ତି ।

କାଳ ବିଳମ୍ବ ନ କରି ପୋଲିସ ହୋଟେଲ ଘେରାଉ କରି, ମାଲିକର ଟ୍ରେଜେରୀରୁ ଲକ୍ଷ ଲକ୍ଷ ଟଙ୍କା ଜବତ୍‌ କରିଛନ୍ତି । ବିଶ୍ୱାସ କରା ଯାଉଛି ଯେ—ହୋଟେଲ୍‌ ମାଲିକ ଏପରି ଅନେକ ହତ୍ୟା କେସ୍‍ରେ ଜଡ଼ିତ ।

ସ୍ତମ୍ଭୀଭୂତ ହୋଇ ଶାନ୍ତନୁଙ୍କ ମୁହକୁ ଚାହିଁ ରହିଥିଲା ହେମକାନ୍ତ... ।

ପୁଣି ଆରମ୍ଭ କଲେ ଶାନ୍ତନୁ...କୋର୍ଟକୁ କେସ୍‍ ଯିବାପରେ ମୋ ମନରେ କାହିଁକି ସନ୍ଦେହ ଜାତ ହେଲା । ସ୍ୱତଃପ୍ରବୃତ୍ତ ହୋଇ ମୁଁ ହୋଟେଲ ମାଲିକଙ୍କ ସପକ୍ଷରେ କେସ୍‍ ଲଢ଼ିବାକୁ ଆଗଭର ହେଲି । କେସ୍‍ ଚାଲିଲା । ହୋଟେଲ ମାଲିକ କହନ୍ତି ଯେ—ଏ ହତ୍ୟା ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ ।

କମ୍ପି ଉଠି ହେମକାନ୍ତ କହିଲା—ନାଁ...ନାଁ....ଏହା ହୋଇ ନ ପାରେ । ଖରାପ ଲୋକ ହିଁ ସଂଖ୍ୟାଧିକ ଖରାପ କାମ କରି ତା’ର ପାପର ସୀମାକୁ ବଢ଼ାଇ ଦିଏ । ଆପଣ ହୋଟେଲ ମାଲିକକୁ ସାହାର୍ଯ୍ୟ କରି ଭୁଲ୍‍ କରିଛନ୍ତି । ସଙ୍ଗେ ସଙ୍ଗେ ଆପଣ ସେ କେସ୍‍ରୁ ଦୂରେଇ ରହିବା ଉଚିତ ।

ଆହୁରି ପ୍ରବଳ ଭାବରେ ହସିଲେ ଶାନ୍ତନୁ....କହିଲା—My young friend, ମୁଁ କେବଳ ଏଇଥିପାଇଁ ହିଁ ଆପଣଙ୍କୁ ଡ଼କାଇ ପଠାଇ ଥିଲି । ବର୍ତ୍ତମାନର ଯୁଗରେ ମଣିଷ ଏତେ ଓପର ଠାଉରିଆ ହୋଇଯାଇଛି ଯେ ଭିତରକୁ ପ୍ରବେଶ କରିବା ତା’ ନିକଟରେ ସମ୍ଭବ ହେଉନାହିଁ ।

 

ଖବରକାଗଜର ଜ୍ଞାନ ନେଇ ଆମେ ମଣିଷ । ଓଡ଼ିଶାର ସି.ବି.ଆଇ ରିପୋର୍ଟ ଭଳି ଗାଳିଟାକୁ ଆମେ ଯେତେ ଶୀଘ୍ର ସତ ବୋଲି ବିଚାର କରି ନେଉ...ଭଲ ଗୁଣଟାକୁ ସେତେ ଶୀଘ୍ର ଗ୍ରହଣ କରିପାରୁ ନାହିଁ । ତେଣୁ ନାନା ଅସୁବିଧା ଆମ ଆଖି ଆଗରେ ଦେଖା ଦେଇଥାଏ ।

 

କଥାରେ ବାଧା ଦେଇ ହେମକାନ୍ତ କହିଲ—କିନ୍ତୁ ହୋଟେଲ ମାଲିକ ଯେ ଜଣେ ମଦ ବ୍ୟବସାୟୀ...ଅର୍ଥଖୋର ମଣିଷ ।

 

ନରମ ଭାବରେ ଶାନ୍ତନୁ କହିଲେ–ହଁ ସେ କଥା ଠିକ୍‌ । କିନ୍ତୁ ଜଗତର ସବୁ ମଦଖିଆ ବା ମଦ ବିକା ମଣିଷ ଖରାପ ନୁହଁନ୍ତି । ମଦଖିଆ ଏକ ଅଭ୍ୟାସ ମାତ୍ର । ମଦ ବିକା ଏକ ବ୍ୟବସାୟ ମାତ୍ର ।

 

ଏଥର ଆଉ ଟିକେ ଆଶ୍ଚର୍ଯ୍ୟ ହୋଇ ହେମକାନ୍ତ କହିଲା—ତା’ମାନେ ଆପଣ କହୁଛନ୍ତି ହୋଟେଲ ମାଲିକ ନିର୍ଦ୍ଦୋଷ ?

 

ନିର୍ବିକାର ଭାବରେ ହେମକାନ୍ତଙ୍କୁ ଚାହିଁ ଶାନ୍ତନୁ କହିଲେ—ନାଁ...ସେ କଥା ମୁଁ କହି ପାରୁନାହିଁ । କିନ୍ତୁ ପରେ ଜଣାପଡ଼ିଛି ଯେ ମୃତ ହୋଟେଲ ଅତିଥି ନିର୍ମମ ଘୋଷ ଚାହା ଏଜେଣ୍ଟ ନୁହଁନ୍ତି, ସେ ଜଣେ ପାକସ୍ଥାନୀ ଗୁପ୍ତଚର । ତାଙ୍କ ଅସଲ ନାମ ହେଉଛି ଅହମଦ୍‌ ବକ୍‌ସି । କଟକ ସହରର ନକ୍‌ସା କରି ଓ ଛୋଟ ଛୋଟ କଳ କାରଖାନାର ନକ୍‌ସା କରି ସେ ପାକିସ୍ଥାନକୁ ପଠାଉଥିଲେ । ଏହା ପୂର୍ବରୁ ସେ ରାଓରକେଲା କମ୍ପାନୀର ନକ୍‌ସା ମଧ୍ୟ ପଠାଇ ଦେଇଥିଲେ । ଏପରି ଅନେକ ନକ୍‌ସା ଓ ଚିଠିପତ୍ର ତାଙ୍କ ଛୋଟ ସୁଟ୍‌କେଶରେ ପରେ ଆବିଷ୍କୃତ ହୋଇଛି । ପୋଲିସ୍‌ଏ ଖବର ପାଇବା ପରେ ବର୍ତ୍ତମାନ ମହାଦ୍ୱନ୍ଦରେ ପଡ଼ିଛନ୍ତି । ତା’ହେଲେ କୁହନ୍ତି..ହୋଟେଲ ମାଲିକଙ୍କୁ ଦଣ୍ଡ ଦିଆଯିବ ଉଚିତ କି ନୁହେଁ ।

 

ଏଥର ଦୀର୍ଘନିଃଶ୍ୱାସ ଟାଣି ହେମକାନ୍ତ କହିଲା—ନାଁ...ନାଁ...ଓଲଟି ହୋଟେଲ ମାଲିକ ଆମ ଦେଶର ପରମ ବନ୍ଧୁ । ଏପରି ଜଣେ ଦେଶଦ୍ରୋହୀଙ୍କୁ ହତ୍ୟା କରି ସେ ଦେଶର ପରମ ଉପକାର କରିଛନ୍ତି ।

 

ପୁନର୍ବାର ହସିଲେ ଶାନ୍ତୁନୁ...ମୁହିଁ ବିକୃତ କରି କହିଲେ—ଆପଣଙ୍କର ନରମ ବୟସ ଯାଇନି ହେମକାନ୍ତ ବାବୁ । ସେ ବୟସ ନ ଗଲେ କୌଣସ ବିଷୟରେ ଚିନ୍ତା କରିବା ଅସମ୍ଭବ । ରଙ୍ଗମହଲର ହୋଟେଲ ମାଲିକ ମାତ୍ର ଜଣେ ଅର୍ଥଲୋଭୀ ବ୍ୟବସାୟୀ । ତାଙ୍କୁ ଅଜସ୍ର ଟଙ୍କା ଦେଇଥିଲେ ସେ ନିଜେ ମଧ୍ୟ ଏମିତି ଶହ ଶହ ନକ୍‌ସା ତିଆରି କରି ପ୍ରାୟ ପାକିସ୍ଥାନକୁ ଯୋଗାଇ ଦେଇଥାନ୍ତେ । ହେଲେ ଅହମଦ୍‌ ବକ୍‌ସଙ୍କୁ ହତ୍ୟା କରିବା ମୂଳରେ ତାଙ୍କର କି ସ୍ୱାର୍ଥ ଥାଇପାରେ ?

 

ନିର୍ବେଦ ଭଳି ବସିରହି ହେମକାନ୍ତ କହିଲା—ତା’ହେଲେ... ଆପଣ କହୁଛନ୍ତି...

 

ପ୍ରତିବାଦ କଲେ ଶାନ୍ତନୁ...ନା...ମୁଁ କିଛି କହୁନାହିଁ । ବିଚାର ଉପରେ ହିଁ କହିବା ନିର୍ଭର କରେ ।

 

ଏଥର କେବଳ ବୋକାଙ୍କ ଭଳି ବସିରହିଲା ହେମକାନ୍ତ ।

 

ଶାନ୍ତନୁ କହିଲେ—ଆଶ୍ଚର୍ଯ୍ୟ ହୁଅନ୍ତୁ ନି ହେମକାନ୍ତୁ ବାବୁ । ଏ ଦିଗରେ ମୋ ଝିଅ ଲୋପାମୁଦ୍ରାର ସାହାର୍ଯ୍ୟ ହିଁ ମୋତେ ଅନେକ ପରିମାଣରେ ଉପକୃତ କରିଛି । ପ୍ରଥମ କରି ଲୋପା କହିଲା ଯେ ନିର୍ମମ ଘୋଷଙ୍କର ମୃତ୍ୟୁ ଦିନରୁ ହିଁ ରଙ୍ଗମହଲ ବନ୍ଦ୍‌ ରହିଛି । ତେଣୁ ହୋଟେଲରେ ଖର୍ଚ୍ଚପାଇଁ ସେଦିନ କିଣା ଯାଇଥିବା ସମସ୍ତ ଖାଦ୍ୟ ଜିନିଷର ବୈଜ୍ଞାନିକ ପରୀକ୍ଷା କରାଯାଉ । କଥାଟା ମୋ ମନକୁ ପାଇଲା । ବୈଜ୍ଞାନିକ ପରୀକ୍ଷାର ପ୍ରସ୍ତାବ ଦେଲି । ପରୀକ୍ଷା କରି ଦେଖାଗଲା ଯେ ସେଦିନ କିଣା ଯାଇଥିବା ଗହମ ଅଟା ହିଁ ଭୀଷଣ ବିଷାକ୍ତ । ହୋଟେଲ ମାଲିକ ବେଶୀ ସୁନାମ ନେବାପାଇଁ ନୂଆ ଅଟାରୁ ପରଟ୍ଟା ତିଆରି କରି କେବଳ ନିର୍ମମ ଘୋଷଙ୍କୁ ହିଁ ଖାଇବାକୁ ଦେଇଥିଲେ ।

 

ସାମାନ୍ୟ ବିବ୍ରତ ହୋଇ ହେମକାନ୍ତ କହିଲା—ଯେଉଁ ଗୋଦାମରୁ ସେ ଅଟା କିଣା ଯାଇଥିଲା..ସେ ଗୋଦାମବାଲାକୁ ସଙ୍ଗେ ସଙ୍ଗେ ହାଜତ୍‌ରେ ପୂରାଇବା ଉଚିତ ।

 

ହସ ଚାପି ଶାନ୍ତନୁ କହିଲେ—କିନ୍ତୁ ସେଇଟା ଗୋଟିଏ ସମବାୟ ଖାଉଟି ଭଣ୍ଡାର । ଏ ଭଣ୍ଡାର ଅଟା ଆଣେ ଗୋଟିଏ ଅଟାକଳ ନିକଟରୁ ।

 

କାଳବିଳମ୍ବ ନ କରି ହେମକାନ୍ତ କହିଲା—ତା’ ହେଲେ ସଙ୍ଗେ ସଙ୍ଗେ ସେ ଅଟାକଳ ମାଲିକଙ୍କୁ ଦଣ୍ଡଦେବା ଉଚିତ ।

ନିର୍ଧୂମ ହସୁ ହସୁ ଶାନ୍ତନୁ କହିଲେ—ତା’ହେଲେ କାହାକୁ ଦଣ୍ଡଦେବା ନିଶ୍ଚିତ ଭାବରେ କୁହନ୍ତୁ ହେମକାନ୍ତ ବାବୁ । ଆପଣ ଗୋଟି କରି ହୋଟେଲ ମାଲିକ, ନିର୍ମମ ଘୋଷ, ଖାଉଟି ଭଣ୍ଡାର, ଅଟାକଳ ମାଲିକ ସମସ୍ତଙ୍କୁ ତ’ ଦଣ୍ଡଦେବା ପାଇଁ ପ୍ରସ୍ତାବ ଦେଇ ସାରିଲେଣି ।

ଆଉ କିଛି ଉତ୍ତର ନ ଦେଇ ଲଜ୍ଜିତ ହୋଇ ବସି ରହିଲା ହେମକାନ୍ତ ।

ଶାନ୍ତନୁ କହିଲେ—କିନ୍ତୁ ମୋ ମୋ ଲୋପାମୁଦ୍ରାର ଅନୁରୋଧ କ’ଣ ଜାଣନ୍ତି ହେମକାନ୍ତ ବାବୁ ?

ଶାନ୍ତନୁଙ୍କର ପ୍ରଶ୍ନ ଶୁଣି ଜଣେ ବାଧ୍ୟ ଛାତ୍ର ଭଳି ଲୋପାମୁଦ୍ରାର ମୁହଁକୁ ଚାହିଁ ରହିଲା ହେମକାନ୍ତ । ଶାନ୍ତନୁଙ୍କର ପାଟିରୁ କଥା ଛଡ଼େଇ ନେଇ ଲୋପାମୁଦ୍ରା । କହିଲା—ମୁଁ କିଛି ଭୁଲ୍‌ କହିନି ବାପା, ଆପଣ ମଧ୍ୟ ଗଭୀର ଗବେଷଣା କରି ଦେଖିଲେ ମୋ କଥାର ସତ୍ୟାସତ୍ୟ ବେଶ ବୁଝି ପାରିବେ ।

ଠିକ୍‌ ଜଣେ ପରାସ୍ତ ସୈନିକ ଭଳି ସଂକୁଚିତ ହୋଇ ହେମକାନ୍ତ କହିଲା—ତୁମେ ତା’ ହେଲେ କ’ଣ କହୁଛ ଲୋପାମୁଦ୍ରା ?

ମୁହଁ ଖୋଲିଛି ଲୋପାମୁଦ୍ରା... । ‘‘ଆପଣ ହୁଏତ ନିଜେ ବୁଝୁଥିବେ ସାର୍‌, ଯେ ଖାଦ୍ୟ ଅପମିଶ୍ରଣର ମୂଳ କାରଣ ହେଉଛି ଖାଦ୍ୟାଭାବ । ଯଦି ଦେଶରେ ଖାଦ୍ୟାଭାବ ନ ଥାନ୍ତା ତେବେ ଅପମିଶ୍ରଣ ହୁଅନ୍ତା ନାହିଁ । ଖାଦ୍ୟାଭାବ ଦୂର ନ ହେଲେ ଆପଣ ବା ମୁଁ ଏ ଅପମିଶ୍ରଣକୁ ରୋକିବା ମୋଟେ ସମ୍ଭବ ନୁହେଁ । ଯେତେ ଅଟାକଳ ମାଲିକ, ସମବାୟ ଭଣ୍ଡାରର ମାଲିକ, ହୋଟେଲ ମାଲିକ ବା ଗୁପ୍ତଚରଙ୍କୁ ଦଣ୍ଡ ଦେଲେ ଏ ଅପମିଶ୍ରଣ ଦୂର ହେବନାହିଁ । ଓଲଟି ଆମେ ଅପମିଶ୍ରଣକାରୀଙ୍କୁ ଦଣ୍ତ ନ ଦେଇ ଖାଦ୍ୟଭାବର କାରଣଭାବେ ଠିଆ ହେଉଥିବା ବ୍ୟକ୍ତିମାନଙ୍କୁ ଦଣ୍ଡ ଦେବା ଉଚିତ ।

 

ସଙ୍ଗେ ସଙ୍ଗେ ହେମକାନ୍ତ କହିଲା—କିନ୍ତୁ ଦେଶର ଜନସଂଖ୍ୟା ବୃଦ୍ଧି ଯେ ଆମ ଦେଶର ଖାଦ୍ୟାଭାବର ପ୍ରଥମ ଆଉ ପ୍ରଧାନ କାରଣ । ତା’ହେଲେ ତୁମେ କହୁଛ ଯେ ବହୁ ଶିଶୁ ପରିବେଷ୍ଟିତ ପରିବାର ଦଣ୍ଡିତ ହେବା ଉଚିତ ।

 

କଥାରେ ବାଧା ଦେଲେ ଶାନ୍ତନୁ...‘‘ନାଁ ଠିକ୍‌ ତା’ ନୁହେଁ, ଏହି ଜନ୍ମହାର କମାଇବା ଦିଗରେ ଆମର ନୂତନ ଉଦ୍‌ଭାବନ ହିଁ ଆମକୁ ବିଜୟ ମଣ୍ଡିତ କରି ପାରିବ ।

 

ଏଥର ହସିଲା ହେମକାନ୍ତ । କହିଲା—ହଁ ଏ ବିଷୟରେ ମୁଁ ଲୋପାମୁଦ୍ରାଙ୍କ ସହିତ ଅନେକ ଯୁକ୍ତି କରିଛି । ମୋ ମତରେ କେବଳ ମଣିଷର ସଂଯମ ପଣିଆଁ ହିଁ ଏ ସମସ୍ୟାର ସମାଧାନ କରି ପାରିବ ।

 

କଥାଟାରେ ଜୋର ଦେଇ ଶାନ୍ତନୁ କହିଲେ—ବେଶ୍‌..ବେଶ ମୋ ମାଆ ଲୋପାମୁଦ୍ରାର ମଧ୍ୟ ଠିକ୍ ସେହି ମତ । ଆଉ କାଳବିଳମ୍ବ ନ କରି ଶାନ୍ତନ କହିଲେ—ଯା ମାଆ ଲୋପା...ଶୀଘ୍ର ପୁଝାରୀକୁ କହି ହେମକାନ୍ତ ବାବୁଙ୍କ ପାଇଁ ଚା’ ଆଣ ।

 

ଅପେକ୍ଷା ନ କରି ଚା’ ପାଇଁ ଉଠିଗଲା ଲୋପାମୁଦ୍ରା ।

 

ପୁଣି କଥାର ଝିଅ ଯୋଡ଼ି ଆରମ୍ଭ କଲେ ଶାନ୍ତନୁ...ଜାଣନ୍ତି ହେମକାନ୍ତ ବାବୁ ! ମୋ ମା ଲୋପମୁଦ୍ରା କାହିଁକି ସଂଯମ ପାଇଁ ଏତେ ଆଗ୍ରହୀ ?

 

ମୁଣ୍ଡ ହଲାଇ ହେମକାନ୍ତ କହିଲା—‘‘ନାଁ, ମୁଁ ଜାଣେନି ।’’

 

ଗଳା ଝାଡ଼ି ଆରମ୍ଭ କଲେ ଶାନ୍ତନୁ—‘‘ସେ ଅନେକ ଦିନର କଥା । ଲୋପାର ମାଆ ଏକରକମ ନାସ୍ତିକ ଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ମୁଁ ତାଙ୍କୁ ଭଗବାନଙ୍କ ସମ୍ବନ୍ଧରେ ଅନେକ କଥା କୁହେ । ହେଲେ ସେ ଏ ସବୁକୁ ମୋଟେ ବିଶ୍ୱାସ କରନ୍ତି ନାହିଁ । ସମୟ ବିଶେଷରେ ମୁଁ ତାଙ୍କ ଉପରେ ଭୟାନକ ବିରକ୍ତ ହୁଏ । ତଥାପି ସେ ଥାଆନ୍ତି ଅଟଳ । ଚାହୁଁ ଚାହୁଁ ବିବାହ ପରେ ଏକ ଦୁଇ କରି ବର୍ଷ ଗଡ଼ିବାକୁ ଲାଗିଲା । ହେଲେ ସନ୍ତାନ ସନ୍ତତି ଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ନାରୀର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଏଇଠାରେ ।

 

ନାରୀ ସନ୍ତାନବତୀ ନ ହେଲେ ଜୀବନର ସବୁଠାରୁ ଅଧିକ ଚରମ ଦୁଃଖ ଅନୁଭବ କରେ । ଠିକ୍‌ ଏମିତି ବେଳେ ମୁଁ ଜୟନ୍ତୀଙ୍କୁ କହିଲି ତୁମର ତ’ ଭଗବାନଙ୍କ ଉପରେ ବିଶ୍ୱାସ ନାହିଁ..ସେ ତୁମର ଦୁଃଖ ଶୁଣିବେ କେମିତି ?...

 

ହଠାତ୍‌ ମୋ କଥା ଶୁଣି ଭାଙ୍ଗି ପଡ଼ିଲେ ଜୟନ୍ତୀ । ସେ ଦିନ ମୋ କଥାର ପ୍ରତିବାଦ କଲେ ନାହିଁ ବା ସମର୍ଥନ କଲେ ନାହିଁ ସତ, ହେଲେ ତା’ ପର ଦିନଠାରୁ ଦେଖାଗଲା ଯେ ଆମ ଦାଣ୍ଡର ବାଲିଗରଡ଼ା ମଧ୍ୟ ଭଗବାନ୍‌ ସାଜି ଖଟୁଲି ଉପରେ ପୂଜା ପାଉଛନ୍ତି । ମନେ ମନେ ଖୁବ୍‌ ହସିଲି । ଜୀବନର ଚରମ ବିଜୟ ପାଇଁ ମଧ୍ୟ ସୁଖ ଅନୁଭବ କଲି ।

 

ଆପଣ ଭାବୁଥିବେ ଯେ ମୁଁ ଖୁବ୍‌ ଆସ୍ତିକ ଥିଲି, ତା’ ନୁହେଁ । ନାସ୍ତିକତା ବା ଆସ୍ତିକତା ଉପରେ ମୋର ଗୁରୁତ୍ୱ ନ ଥିଲା । କିନ୍ତୁ ମୁଁ ଯେତେ ଦୂର ଜାଣେ....ନିକମା ମଣିଷର ମୁଣ୍ଡ ହେଉଛି ଦୁଶ୍ଚିନ୍ତାର କେନ୍ଦ୍ରଭୂମି । ପିଲାପିଲି ନ ଥିଲେ ନାରୀମାନେ ନିକମା ହୋଇ ପଡ଼ନ୍ତି । ଏପରି ସମୟରେ କେବଳ ଆନନ୍ଦ ଦିଏ ଭାଗବାନ ଚିନ୍ତା, ସେ ଦୃଷ୍ଟିରୁ ମୁଁ ସବୁବେଳେ ଚାହୁଁଥିଲି—ଜୟନ୍ତି ଭଗବାନଙ୍କୁ ଡାକି ଶିଖନ୍ତୁ ।

 

ଆଉ ଗୋଟିଏ କଥା ହେଉଛି—ସନ୍ତାନହୀନ ପୁରୁଷ ମଧ୍ୟ ତା’ କାମରେ ଆଗେଇବା କଠିନ । କାମର ଫେରିବା ପରେ ସେ ଅନ୍ୟ କିଛି ଗୁରୁତର ଚିନ୍ତା କରିପାରେ ନାହିଁ । କାରଣ—ଗୃହର ନିର୍ଜନତା ସ୍ତ୍ରୀଙ୍କୁ ଏତେ ଉଦ୍‌ବେଳିତ କରି ପକାଇଥାଏ ଯେ—ସ୍ୱାମୀ ଫେରିବା ପରେ ସ୍ତ୍ରୀର କ୍ରୀଡ଼ନକ ହୁଅନ୍ତି ସ୍ୱାମୀ । ମୁଁ ଜଣେ ଖ୍ୟାତନାମା ଆଇନ୍‌ ବ୍ୟବସାୟୀ । ଜୟନ୍ତୀଙ୍କ ସହିତ ପ୍ରେମାଳାପ କରିବାର ସମୟ ବା ମୋର କାହିଁ ।

 

ଠିକ୍‌ ଏମିତି ସମୟରେ ଜୟନ୍ତୀଙ୍କର ଅସ୍ତିକତା ଏକରକମ୍‌ ମୋ ମୁଣ୍ଡ ଉପରେ ଲଦି ହୋଇ ପଡ଼ିଲା ।

 

ଦିନେ ଅଚାନକ ଜୟନ୍ତୀ ମୋ କୋଠରୀ ଭିତରକୁ ପଶି ଆସି କହିଲେ—ହଇ ହେ..ବି..ଏ.. ଶ୍ରେଣୀରେ ତୁମର ସଂସ୍କୃତ ଗୋଟିଏ ବିଶେଷ ପାଠ୍ୟ ଥିଲା । ତୁମେ ଖୁବ୍‌ ଭଲଭାବେ ସଂସ୍କୃତ ବୁଝିପାର । ତେଣୁ ଭଗବତ୍‌ଗୀତା ମୋତେ ବୁଝାଇ ଦିଅ ।

 

ମହା ଅସୁବିଧାରେ ପଡ଼ିଲି । ସ୍ତ୍ରୀର ଅନୁରୋଧ । ନ ବୁଝାଇ ବାଟ ନାହିଁ । ତା’ଛଡ଼ା ଜୟନ୍ତୀ ଏକରକମ ମୂର୍ଖ ନୁହନ୍ତି । ସଂସ୍କୃତରେ ମଧ୍ୟ ତାଙ୍କର କମ୍‌ ଦଖଲ ନାହିଁ । ତେଣୁ ସତର୍କତାର ସହିତ ତାଙ୍କୁ ବୁଝାଇବାକୁ ହେବ । ଏଣେ ଗୀତା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ର । ତାକୁ ବୁଝାଇବାକୁ ହେଲେ ସେହି ପରିମାଣରେ ପ୍ରସ୍ତୁତି ଆବଶ୍ୟକ ।

 

ତଥାପି ଅନିଚ୍ଛା ସତ୍ୱେ ମୋତେ ହଁ ଭରିବାକୁ ହେଲା । ତା’ ପର ଦିନଠାରୁ ଚାଲିଲା ଗୀତା ଚର୍ଚ୍ଚା । ଦୀର୍ଘ ଦୁଇ ମାସ କାଳ ଅକ୍ଲାନ୍ତ ପରିଶ୍ରମ...ସମଗ୍ର ଗୀତାଟିକୁ ବୁଝାଇବାକୁ ସକ୍ଷମ ହେଲି ମୁଁ । ପୁଣି ଗଳା ଖଙ୍କାରି ଆରମ୍ଭ କଲେ ଶାନ୍ତନୁ.....କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେବେ ହେମକାନ୍ତ ବାବୁ, ଯେଉଁଦିନ ଗୀତା ଚର୍ଚ୍ଚା ଶେଷ ହୁଏ...ସେଦିନ ଜୟନ୍ତୀଙ୍କଠାରୁ ମୁଁ ଶୁଣିଲି ଏକ ଅଭିନବ କଥା-। ପ୍ରଥମେ ଶୁଣି ମୁଁ ନିଜେ ମଧ୍ୟ ବିଶ୍ୱାସ କରି ପାରିଲି ନାହିଁ ।

 

କାନ ଡେରି ବସିଲା ହେମକାନ୍ତ...

 

ଶାନ୍ତୁନୁ କହିଲେ—ସେଦିନ ମୁଁ ନୂଆ କରି ଜାଣିଲି ଯେ ଜୟନ୍ତୀ ଅନ୍ତଃସତ୍ୱା... । ମଣିଷ ଜଗତର ସବୁଠାରୁ ଦୁର୍ଲଭ୍ୟ ବସ୍ତୁ ପାଇଲେ ଯେପରି ଆନନ୍ଦିତ ହୁଏ...ଠିକ୍‌ ସେହି ଆନନ୍ଦ ସେଦିନ ଅନୁଭବ କରିଥିଲି ମୁଁ । ସେହି ଗର୍ଭର ସନ୍ତକ ଏହି ଲୋପାମୁଦ୍ରା ।

 

ଆଜି ମୋର ବିଶ୍ୱାସ ହୋଇଛି ଯେ ଶିଶୁ ଗର୍ଭଧାରଣ କଲାବେଳେ ବାପ ମାଆ ଯେଉଁ ଚିନ୍ତା କରନ୍ତି—ତାହାରି ପ୍ରଭାବ ପଡ଼େ ଶିଶୁ ଉପରେ.....

 

ଏ ଦୃଷ୍ଟିରୁ ମାଆ ଲୋପା...ସଂଯମ ଆଡ଼କୁ ଓହୋରି ଯିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

 

ଭାରତୀୟ ଗଣକମାନଙ୍କର ଗଣନା ହିଁ ଠିକ୍‌ ।

 

କଥା ମଝିରେ ବାଧା ସୃଷ୍ଟି କରି ଚା’ ଧରି କୋଠରୀ ଭିତରକୁ ଆସିଲା ଲୋପାମୁଦ୍ରା । ନିଃଶ୍ୱାସ ମାରିଲେ ଶାନ୍ତୁନୁ ।

 

ଲୋପାମୁଦ୍ରାର ଆନତ, ଗୌର, ସୌମ୍ୟ ମୁଖମଣ୍ଡଳ ଆଡ଼େ ଚାହିଁରହିଲା ହେମକାନ୍ତ । ଆଜି ନୂଆ କରି ଅନୁମାନ କରୁଛି ହେମକାନ୍ତ । ସତେ ଅବା ପ୍ରଶାନ୍ତ ମହାସାଗର ଭଳି ଲୋପାମୁଦ୍ରା ଗଭୀର । ବିଚ୍ଛୁରିତ ବରଫ ଭଳି ଲୋପାମୁଦ୍ରା କୋମଳ, ଆଉ ନୀଳ ଆକାଶର ସୀମାହୀନ ସୁଷମା ଭଳି ଲୋପାମୁଦ୍ରା ଗମ୍ଭୀର । ଅପଲକ ନୟନରେ ଚାହିଁଥିଲା ହେମକାନ୍ତ ।

 

ସାମାନ୍ୟ ଲାଜରା ହେଲା ଲୋପାମୁଦ୍ରା । ଯୁବକ ହେମକାନ୍ତ ଓ ବୃଦ୍ଧ ପିତା ଶାନ୍ତନୁଙ୍କ ସମବେଦନାକୁ ପରୀକ୍ଷା କରିବା ପାଇଁ ତା’ ହାତରେ ସମୟ ନ ଥିଲା । ପରିସ୍ଥିତିରୁ ତ୍ରାହି ପାଇବା ପାଇଁ ଲୋପାମୁଦ୍ରା କହିଲା—ଚା’ ।

 

ଆଗ୍ରହରେ ଲୋପାମୁଦ୍ରାର ହାତରୁ ଚା’ କପ୍‌ଟିଏ ଉଠାଇ ନେଲେ ଶାନ୍ତନୁ । ଓକିଲାତି ଜୀବନ ଆରମ୍ଭ ଦିନଠାରୁ ଶାନ୍ତନୁ ସବୁକିଛି ଛାଡ଼ି ଥିଲେ । ହେଲେ ଛାଡ଼ି ପାରି ନ ଥିଲେ ଏଇ ଚା’ ଅଭ୍ୟାସଟାକୁ । ଏଥିପାଇଁ ଯେ ଜୟନ୍ତୀ ତାଙ୍କୁ ବାରମ୍ବାର ତାଗଦା ନ କରିଛନ୍ତି ତା ନୁହେଁ । ହେଲେ ଚା’ ପ୍ରତି ଶାନ୍ତନୁଙ୍କର ଯେଉଁ ମୋହ ଥିଲା....ତାହା ଥିଲା ଏକାନ୍ତ ଆବଶ୍ୟକୀୟ । ଥରେ ଜୟନ୍ତୀଙ୍କ ବାରଣର ଉତ୍ତର ଦେବାକୁ ଯାଇ ଶାନ୍ତନୁ କହିଥିଲେ—ତୁମେ ମୋତେ ଚା’ ଖାଇବାକୁ ମନା କରନି ଜୟନ୍ତୀ ! ଠିକ୍‌ ତୁମପରି ଚା’ ମୋର ଗୋଟିଏ ଅତି ଦରକାରୀ ପଦାର୍ଥ । ତୁମେ ମୋର ଅନ୍ତର ଅଭ୍ୟନ୍ତରକୁ ଯେତିକି ଦରକାରୀ, ଚା’ ମୋର ବାହାରର ଦେହକୁ ଠିକ୍ ସେତିକି ଦରକାରୀ ।’’ ସେହି ଦିନଠାରୁ ଚା’ ବିଷୟରେ ଅସମ୍ଭବ ରକମ୍‌ ଚୁପ୍‌ ରହିଯାଇ ଥିଲେ ଜୟନ୍ତୀ ।

 

ଚା’ ଶାନ୍ତନୁଙ୍କର ଶିକାର ନୁହେଁ, ଶାନ୍ତନୁ ନିଜେ ଚା’ର ଶିକାର । କ୍ଲାଣ୍ଟଙ୍କ ସହିତ ଆଲୋଚନା କରିବା ବେଳେ, କୋର୍ଟରେ ଯୁକ୍ତିତର୍କ ପରେ—ଶାନ୍ତନୁ ଦରକାର କରନ୍ତି ମାତ୍ର କପେ ଚା’ । ତା’ ପରେ ପୁଣି ଘଣ୍ଟା ଘଣ୍ଟା ଗପିବାକୁ ସେ ପଛାନ୍ତି ନାହିଁ । ଆଜି ହେମକାନ୍ତ ସହିତ କଥାବାର୍ତ୍ତା କରିସାରିବା ପରେ ଦରକାର କରୁଥିଲେ ମାତ୍ର କପେ ଚା’ ।

 

ଠିକ୍‌ ବେଳେ ଚା’ ଧରି ହେଞ୍ଚଥିଲା ଲୋପାମୁଦ୍ରା ।

 

ଏକା ନିଃଶ୍ୱାସକରେ ଚା’ କପରୁ ଅଧା ଶେଷ କରି ଶାନ୍ତନୁ କହିଲେ—ବୁଝିଲେ ହେମକାନ୍ତ ବାବୁ ? ଏଇଠ ହେଉଛି ମୋ ଝିଅ ଲୋପାର ବାହାଦୁରୀ । ଠିକ୍‌ ଦରକାରବେଳେ ସେ ଆପଣଙ୍କର ଖାଦ୍ୟ ଯୋଗାଇ ଦେଇପାରେ । କେବଳ ପ୍ରତ୍ୟୁତ୍ପନ୍ନମତୀ ବାଳିକାଙ୍କ ଛଡ଼ା, ଏହା ଅନ୍ୟ ଦ୍ୱାରା ସମ୍ଭବ ନୁହେଁ ।

 

ନିଜର ପ୍ରଶଂସା ପୁଣି ସାମାନ୍ୟ ଲାଜରା ହେଲା ଲୋପାମୁଦ୍ରା ! ପକ୍ଷାନ୍ତରରେ ଯେ ଲୋପାମୁଦ୍ରା ଆନନ୍ଦିତା ହେଉ ନ ଥିଲା ତାହା ନୁହେଁ । ଅନେକ ସମୟରେ ଅନ୍ତରର ଆନନ୍ଦକୁ ପ୍ରକାଶ କରି ହୁଏନାହିଁ ।

 

ଏଣେ ଏ ସବୁ ପରିସ୍ଥିତିକୁ ଲକ୍ଷ୍ୟ କରୁଥିଲା ହେମକାନ୍ତ । ଯୁବକ ଅଧ୍ୟାପକ ହେମକାନ୍ତ-। ତା’ ନିକଟରେ ବାସ୍ତବତା ପରିବର୍ତ୍ତେ ଛଳନାର ଦିଗଟା ଅଧିକ । ଲୋପାମୁଦ୍ରାର ଆନତ ଗାମ୍ଭୀର୍ଯ୍ୟ ମଧ୍ୟରେ ସେ ଆବିଷ୍କାର କରୁଥିଲା ନିଜକୁ । ଏହିଠାରେ ହିଁ ପୁରୁଷ ସମାଜର ବଡ଼ ଦୁର୍ବଳତା-। ପ୍ରତ୍ୟେକ ନାରୀ ପ୍ରାଣରେ ପୁରୁଷ ତାହାର ପ୍ରଭାବ ପକାଇବା ପାଇଁ ବ୍ୟସ୍ତ । ଏ ପ୍ରଭାବ ପୁଣି ଅନେକ ପରିମାଣରେ କାୟିକ ପ୍ରଭାବ ।

 

ନାରୀ ସହିତ ପୁରୁଷର ପ୍ରଥମ ସାନିଧ୍ୟରେ ପୁରୁଷ ହୁଏ କୋମଳ ଆଉ ନାରୀ ହୁଏ କଠିନ, ଠିକ୍‌ ପରେ ପରେ ପୃଷ୍ଠା ଓଲଟି ପଡ଼େ । ତା’ ପରେ ସାନିଧ୍ୟର ବଳିଷ୍ଠତା ନେଇ ପୁରୁଷ ହୁଏ କଠିନ ଆଉ ନାରୀ ହୁଏ କୋମଳ ।

 

ସାମାନ୍ୟ କିଛି ସମୟ ଅତିବାହିତ ହେବାପରେ ହେମକାନ୍ତ କହିଲା—‘‘ହଉ ତେବେ ଆଜି ଏତିକିରେ ଆମ ଆଲୋଚନା ରହୁ । ପୁଣି କେବେ ପରେ ଏ ସମ୍ବନ୍ଧରେ ଆଲୋଚନା କରିବା-।’’

 

ପରିବେଶ ଭିତରକୁ ଫେରିଆସିଲେ ଶାନ୍ତନୁ । ସମବେଦନା ଜଣାଇ କହିଲେ—ସମୟ ଦେଖି ଆସୁଥିବେ ହେମକାନ୍ତ ବାବୁ, ଅନ୍ତତଃ ଏ ବୃଦ୍ଧ ଓକିଲ ସହିତ ଯୁକ୍ତି କରିବାକୁ ।’’

 

ତା’ପରେ ଅନେକ ସମୟରେ ଶାନ୍ତନୁଙ୍କ ଗୃହକୁ ଆସେ ଯୁବକ ଅଧ୍ୟାପକ ହେମକାନ୍ତ । ଏ ଆସିବା ଭିତରେ ଯୁକ୍ତି କରିବାର ମୋହ ନ ଥାଏ । ବାର୍ଦ୍ଧକ୍ୟକୁ ଉତ୍ସାହିତ କରିବାର କାମନା ନ ଥାଏ । ଥାଏ ଏକ ଲୀଳାଚପଳ ନାରୀ ପ୍ରତି ଆସକ୍ତି ।

 

ଜହ୍ନିଫୁଲିଆ ଜହ୍ନ ଆଲୁଅରେ ଯେମିତି ରାତ୍ରିର ପ୍ରଜାପତି ଫୁଲରୁ ଫୁଲକୁ ଉଡ଼ି ବୁଲେ, ସେମିତି ହେମକାନ୍ତ ଉଡ଼ି ବୁଲେ ଏକ ଅନନ୍ତ ବୁଭୁକ୍ଷାର ତାଡନାରେ । ଜ୍ୟାମିତି ପ୍ରମାଣ ଦିଏ—ସମବାହୁ ତ୍ରିଭୁଜର ଭୂମି ସଂଲଗ୍ନ କୋଣଦ୍ୱୟ ପରସ୍ପର ସମାନ ହେଲେ ତ୍ରିଭୁଜ ଦ୍ୱୟ ପରସ୍ପର ସମାନ । ଠିକ୍‌ଏଇ ରୀତିରେ ହେମକାନ୍ତ ଓ ଲୋପାମୁଦ୍ରା.... !! ଦୁଇ ଜଣଙ୍କର ଧର୍ମ ସମାନ । ଦୁଇ ଜଣଙ୍କ ପ୍ରାଣରେ ଉଛୁଳା ତାରୁଣ୍ୟ । ଦୁଇ ଜଣଙ୍କ ଅନ୍ତର ଭିତରେ ଭୋକର ବେଗଗାମୀ ସ୍ରୋତ । କେବଳ ଜଣେ ବ୍ୟସ୍ତ ଦୁନିଆଁ ପାଇଁ...ଆଉ ଜଣେ ବ୍ୟସ୍ତ ଜିନିଆଁ ପାଇଁ । ଜଣେ ଦେଖେ ଦୁନିଆଁ ଭୋକିଲା ଲୋକର ଆର୍ତ୍ତନାଦ । ଆଉ ଜଣେ ଦେଖେ ମନ ଭୁଲାଣିଆଁ ଜିନିଆଁ ଫୁଲର ସମାରୋହ-। କେହି କିନ୍ତୁ କାହାରି ମର୍ମବେଦନା ପ୍ରକାଶ କରି ପାରନ୍ତିନି । ନୀରବ ରୁହନ୍ତି ଉଭୟେ-

 

ସେଦିନ ପ୍ରାୟ ରବିବାର... ।

 

ନିଜ କୋଠରୀର ଟିକ୍‌ଉଡ଼୍‌ ପଲଙ୍କ ଉପରେ ପଡ଼ି ଆକାଶ ଆଉ ପାତାଳ ଚିନ୍ତା କରୁଥିଲା ଲୋପାମୁଦ୍ରା । ଆଜି ତା’ ମନରେ ଦ୍ୱନ୍ଦ୍ୱ । ଏକ ଦିଗରେ ସମଗ୍ର ଭାରତର ବିରାଟ ଖାଦ୍ୟ ସମସ୍ୟା । ଲକ୍ଷ ଲକ୍ଷ ଭୋକିଲା ଜନତାର ପଟୁଆର । ଅନ୍ୟ ଦିଗରେ ତରୁଣ ଅଧ୍ୟାପକ ଶ୍ରୀ ହେମକାନ୍ତଙ୍କର ବିନମ୍ର ଆବେଦନ, ଅନୁଭୂତିର ଭୋକ ।

 

ପୁଣି କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କରୁଛି ଲୋପାମୁଦ୍ରା । ମାନସିକ ଦ୍ୱନ୍ଦର ପର୍ଦ୍ଦାଗୁଡ଼ାକ ଛିଡ଼ି ଛିଡ଼ି ଖିନ୍‌ଭିନ୍‌ ହୋଇଯାଉଛି । କାହାକୁ ସମର୍ଥନ କରିବ ସେ । ନାରୀର ଜୀବନ ଥିଲେ ପୁରୁଷର ଆବଶ୍ୟକତା ରହିଛି । କାରଣ ନାରୀ ସ୍ୱୟଂସଂପୂର୍ଣ୍ଣ ନୁହେଁ । ଏଣେ ସଂସାର ଥିଲେ ମଧ୍ୟ ଜନତାର ଭୋକକୁ ରୋକିବାର ଆବଶ୍ୟକତା ସ୍ୱୀକାର୍ଯ୍ୟ । ତା’ହେଲେ....ଆଉ ଚିନ୍ତା କରି ପାରୁନି ଲୋପାମୁଦ୍ରା...

 

ପୁଣି କଡ଼ ଲେଉଟାଇ ଆଶ୍ଚର୍ଯ୍ୟ ହୋଇ ଉଠି ପଡ଼ିଲା ଲୋପାମୁଦ୍ରା...‘‘କିଏ ? ଚିତ୍ରାଙ୍ଗଦା-! ତୁ କେତେବେଳେ ?’’ ଠିକ୍‌ ଗୋଟିଏ ବେଗଗାମୀ ଝରଣା ଭଳି ହସରେ ଫାଟି ପଡ଼ୁଥିଲା ଚିତ୍ରାଙ୍ଗଦା ।

 

ଚିତ୍ରାଙ୍ଗଦାର ହାତକୁ ଜୋର କରି ଝିଙ୍କି ଦେଇ ଲୋପାମୁଦ୍ରା କହିଲା–‘‘ବସ୍‌...ଅବେଳରେ କେମିତି ?’’

 

ଲୋପାମୁଦ୍ରାର ଅନ୍ୟତମା ବାନ୍ଧବୀ ଚିତ୍ରାଙ୍ଗଦା । ଦୁଷ୍ଟାମୀରେ ଚିତ୍ରାଙ୍ଗଦା କଲେଜର ପ୍ରାୟ ସମସ୍ତ ଝିଅଙ୍କଚ ବଳାଇ ପଡ଼ିଥିଲା ଏଥିରେ ସନ୍ଦେହ ନାହିଁ । ଲୋପାମୁଦ୍ରାର ବିଛଣା ଉପରେ ଚିତ୍ରାଙ୍ଗଦା ବସି ଯାଉ ଯାଉ କହିଲା–‘‘ଦେଖ୍‌ଲୋପା...ମୋ ହାତ ଧରି ଖଟ ଉପରେ ବସାଇଲେ ତୋର ଲାଭ କ’ଣ ହେବ ? ଜ୍ଞାନ ଦେଈ ମାଲୁଣୀର ମନ୍ତରା ପାଉଁଶରେ ମୁଁ ଯଦି ଏଇ ବିଛଣା ଉପରେ ନବ ଯୁଆନ ହେଇ ପାରନ୍ତି—ତେବେ ସିନା ତୋର ଆଶା ପୂରଣ ହୁଅନ୍ତା । ମୁଁ ତ ତୋ’ରି ଭଳି କେବଳ ନେଗେଟିଭ୍‌ର ନେଗେଟିଭ୍‌ ।’’

 

ରାଗି ଉଠି ଲୋପାମୁଦ୍ରା କହିଲା–‘‘ଦେଖ୍‌ଚିତ୍ରା ! ତୋର ସବୁବେଳେ ଖାଲି ସେଇ କଥାଗୁଡ଼ାକୁ ମୁଁ ମୋଟେ ପସନ୍ଦ କରେ ନାହିଁ ।’’

 

ପ୍ରବଳ ଗତିରେ ହସିବାକୁ ଆରମ୍ଭ କଲ ଚିତ୍ରାଙ୍ଗଦା । କଥାର ଗୁରୁତ୍ୱ କମାଇ ଦେଇ କହିଲା–କାହିଁକି ଲୋପା ! ତୁ କ’ଣ ଭାବୁଛୁ ପ୍ରେମ କରିବା କେବଳ କଣଭୁଆସୁଣୀ ନବନବୀନାର ଏକାନ୍ତ ନିଜସ୍ୱ ? ନାରୀ ଶିକ୍ଷିତା ହେଲେ କ’ଣ ପ୍ରେମ କରି ଜାଣେନା ? ପ୍ରେମ ଏକ ଆଦାନ ପ୍ରଦାନନ ମହାନ୍‌ସାଧନ ପୀଠ । ଏଠାରେ ଲୋପାମୁଦ୍ରା ବା ଚିତ୍ରାଙ୍ଗଦାର ପ୍ରଶ୍ନ ନାହିଁ । ପ୍ରଶ୍ନ ଅଛଇ ଜୀବନ ଲାଗି ଜୀବନ ବିନିମୟର ।’’

 

ଚିତ୍ରାଙ୍ଗଦାର କଥା ଶୁଣି ଅବାକ୍‌ ହୋଇ ଚାହିଁରହିଲା ଲୋପାମୁଦ୍ରା । ଲୋପାମୁଦ୍ରା ଜାଣେ...ଚିତ୍ରାଙ୍ଗଦା ଏକ ସ୍ୱଭାବମୁଖରା ଝିଅ । ତା’ ନିକଟରେ ଗୁରୁତ୍ୱ ବୋଲି କିଛି ନାହିଁ । ଜୀବନ ହିଁ ତା’ର ସର୍ବସ୍ୱ । ହେଲେ ଆଜି ଏ କ’ଣ ଶୁଣୁଛି ସେ ? ଚିତ୍ରାଙ୍ଗଦା ମଧ୍ୟ କହୁଛି ମାନବ ଜୀବନର ନିର୍ବେଦ ଦର୍ଶନ ।

 

 

ବ୍ୟତିବ୍ୟସ୍ତ ହୋଇ ଲୋପାମୁଦ୍ରା କହିଲା—ତା’ ହେଲେ ତୁ କ’ଣ କହୁଛୁ ?

 

ପୁଣି ହସିଲା ଚିତ୍ରାଙ୍ଗଦା... ।

 

ଏକରକମ ଲୋପା ଉପରକୁ ତଳିପଡ଼ି କହିଲା—ମୋ ଜୀବନର ଆଂଶିକ ଇତିହାସ ମୁଁ ତୋତେ ଶୁଣାଇଛି । ଏବେ ଆଉ ଗୋଟିଏ ଅଧ୍ୟାୟ କହୁଛି ଶୁଣ... । ତୁ ଏ ଜୀବନଟାକୁ ଯେମିତି ଗୁରୁତର ବୋଲି ଭାବୁଛୁ...ମୁଁ ଠିକ୍‌ ସେମିତି ଭାବେ ନାହିଁ, ମୋ ମତରେ ଜୀବନଟା ହିଁ କେବଳ ଜୀବନ । ଏହାର ବିଗତ ନାହିଁ ବା ଭବିଷ୍ୟତ ନାହିଁ । ଅଛି କେବଳ ଏକ ବିରାଟ ବର୍ତ୍ତମାନ ।

 

ଦିନକର ଘଟଣା...

 

ସେଦିନ ବି ଠିକ୍‌ଏହି ରବିବାର । ତା’ ପୂର୍ବଦିନ ରାତିରୁ ବଡ଼ ଭଉଣୀଙ୍କ ଦିଅର ଆସି ଆମ ଘରେ ଗୋଡ଼ ଦେଇଥାଆନ୍ତି । ତାଙ୍କ ଆସିବା ସହିତ ତାଳ ଦେି ନାଚୁଥାଏ ମୋର ଛାତି । ସତେ ଲୋ ଲୋପା ! ଅନେକ ସମୟରେ ମନଲାଖି ପୁରୁଷ ପୁଅକୁ ଦେଖିଲେ ନାରୀ ଛାତି ଦୋହଲି ଉଠେ । ସଂଖ୍ୟାଧିକ ଆଶାର ଜୁଆର ମୁଣ୍ଡପିଟେ ଏଇ ପଞ୍ଜରା ଭିତରେ ।

 

ସକାଳ ପହରଟାରେ ମୁଁ ମୋ ପଢ଼ାଘରେ ବସିଛି...ଆସିଲେ ସେ । ମୁହଁରେ ଦୁଷ୍ଟାମୀର ହସ । ହଠାତ୍‌କହି ବସିଲେ–ଚିତ୍ରା ! ଆଜି ରବିବାର, ଛୁଟିଦିନ । ଭାଇଙ୍କି କହି ଆସ ଯିବା ନନ୍ଦନକାନନ ଆଡ଼େ ବୁଲି ଆସିବା । ପ୍ରସ୍ତାବଟା ମୋ ମନକୁ ପାଇଲା । ସଙ୍ଗେ ସଙ୍ଗେ ଧାଇଁଲି ଭାଇଙ୍କି କହିବା ପାଇଁ ।

 

ଭାଇ ମଧ୍ୟ ଜଣେ ଉଦାର ମଣିଷ । ସଂସାରର ଜଟିଳତା ଭିତରେ ସେ ପଗନ୍ତି ନାହିଁ । ପ୍ରତ୍ୟେକ କଥାକୁ ସହଜ ଭାବେ ଗ୍ରହଣ କରିନେବା ତାଙ୍କର ଗୋଟାଏ ବଡ଼ ଧର୍ମ । ମୋ ଅନୁରୋଧ ଉପରେ ଟୀକା ଟିପ୍‌ଟଣୀ ନ ଦେଇ ସେ ସଙ୍ଗେ ସଙ୍ଗେ ମୋତେ ଅନୁମତି ଦେଇଦେଲେ । କେବଳ କହିଲେ—ଦିନ ଥାଉଁ ଥାଉଁ ଫେରି ଆସିବ ।

 

ଦିନ ଥାଉଁ ଥାଉଁ ଫେରିବା ପାଇଁ ପ୍ରତ୍ୟେକ ଅଭିଭାବକଙ୍କର ପ୍ରତ୍ୟେକ ଅନୂଢା କନ୍ୟାପାଇଁ ଯେଉଁ ଅନୁରୋଧ ତାହା ଲକ୍ଷ୍ୟ କରିବାର କଥା । ଅନେକଙ୍କର ବିଶ୍ୱାସ ଯେ କେବଳ ରାତ୍ରିର ଅନ୍ଧକାରରେ ହିଁ ନାରୀ ହୁଏ ଅପବିତ୍ରା । ଅନ୍ଧକାର ମଧ୍ୟରେ ନାରୀତ୍ୱ ବିଗଳିତ ହୋଇ ପଡ଼େ ।

 

ତେବେ ସେ ଯାହାହେଉ, ଭାଇଙ୍କର ଆଉ ଜଣେ ସାଙ୍ଗର ପୁଅ ସହିତ ଆମେ ବାହାରି ପଡ଼ିଲୁ ।

 

ବାହାରିବା ପରେ କିନ୍ତୁ ଆମ ଯାତ୍ରାପଥ ବଦଳିଗଲା । ନନ୍ଦନକାନନ ଅଭିମୁଖେ ଯାତ୍ରା ନ କରି ଆମେ ବାହାରିଲୁ ମହାବିନାୟକ ଦର୍ଶନରେ ।

 

ହରିଦାସପୁର ଷ୍ଟେସନ୍‌ରେ ଟ୍ରେନ୍‌ରୁ ଓହ୍ଲାଇ ଆମେ ପାଦରେ ଚାଲି ଚାଲି ମହାବିନାୟକ ଅଭିମୁଖେ ଯାତ୍ରା କଲୁ । ବିଶାଳ ମହାବିନାୟକ ପାହାଡ଼ । ନୀଳବର୍ଣ୍ଣର ଶୃଗାଳଟିଏ ମୁହଁ ଯାକି ଶୋଇଥିବା ଭଳି ପାହାଡ଼ ଶୋଇଥିଲା । ସବୁଜ ପତ୍ରର ଘନୀଭୂତ ଆସ୍ତରଣ ତଳେ ବିଶାଳ ପାହାଡ଼ଟି ଥିଲା ଶୋଭାବନ୍ତ ।

 

ଆଗେ ଆଗେ ବିକ୍ରମ, ମଝିରେ ମୁଁ ଓ ଶେଷରେ ଭାଇଙ୍କ ସାଙ୍ଗ ବ୍ରଜନାଥଙ୍କ ପୁଅ ବିଷ୍ଣୁ ମୋହନ । ଠିକ୍‌ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଭଳି ଆମେ ଚାଲିଥାଉଁ । ସେତେବେଳେ ମନ ଭିତରେ ଯେଉଁ ଅବ୍ୟକ୍ତ ଆନନ୍ଦ ଲହରୀ ଭାଙ୍ଗୁଥାଏ–ତାହା କଥାରେ କହି ହେବ ନାହିଁ । ପାଦ ପରେ ପାଦ ପକାଇ ଆମେ ଆଗେଇ ଚାଲିଥାଉଁ ।

 

କଥା କହୁଁ କହୁଁ ଆମେ ଅନେକବାଟ ଆଗେଇ ଗଲୁ...

 

ଚଣ୍ଡୀଖୋଲର ରାସ୍ତା ଅତିକ୍ରମ କରି ଆମେ ମହାବିନାୟକର ସୀମା ଛୁଇଁଲୁ ।

 

କଥାର ଖିଅ ଲମ୍ବାଇ ବିକ୍ରମ କହିଲେ—‘‘ଚିତ୍ରା ! ଏଇ ମହାବିନାୟକ ପାହାଡ଼ର ଜଣେ ଆଦିବାସୀ ଭଳି ଯଦି ତୁମକୁ ସବୁଦିନ ଏଠାରେ ରହିବାକୁ ହୁଅନ୍ତା, ତେବେ କ’ଣ ତୁମେ ଏ ପରିବେଶକୁ ଅସ୍ୱୀକାର କରନ୍ତ ?’’

 

ଲାଜେଇଗଲି ମୁଁ । କଥାର ମୋଡ଼ ବୁଲାଇ କହିଲି—‘‘ନାଁ, ମୁଁ ଆଦିବାସୀ ହେବାକୁ ଭଲ ପାଏନି ।’’ ମୋ ନିଷ୍ଠୁର ଉତ୍ତର ଶୁଣି ହୁଏତ ବିକ୍ରମ ଟିକେ ଦବି ଯାଇଥିଲେ । ତା’ପରେ....ତା’ପରେ ପୁଣି ନୂଆ କଥାର ଖିଅ ମେଲାଇଲେ ସେ । କେବଳ ହଁ....ନାଁ...କହି କହି ଆଗେଇ ଚାଲିଥାଏ ମୁଁ । ବିଷ୍ଣୁମୋହନ ଏକରକମ ନୀରବ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ସେ ଅନେକାଂଶରେ ଆମ କଥାକୁ ହୁଏତ ସମର୍ଥନ କରିପାରୁ ନା ଥିଲା ।

 

ସତେ ଲୋ ଲୋପା.. ପୁରୁଷ ଜାତିଟା ବଡ଼ ଈର୍ଷାପର । ଗୋଟିଏ ନାରୀ ନିକଟରେ ଦୁଇଟି ପୁରୁଷ ରହିଲେ ପରସ୍ପର ପରସ୍ପର ପ୍ରତି ଈର୍ଷାପରାୟଣ ହେବା ସ୍ୱାଭାବିକ ।

 

ତେବେ ସେ ଯାହା ହେଉ—ଖୁବ୍‌କମ୍‌ ସମୟ ମଧ୍ୟରେ ଆମେ ମନ୍ଦିର ନିକଟରେ ପହଞ୍ଚିଲୁ । ସେତେବେଳକୁ ପ୍ରାୟ ମଧ୍ୟାହ୍ନ ହୋଇ ଯାଇଥିଲା । ଦିଅଂ ଦର୍ଶନ କରି ସାରିବା ପରେ ବିକ୍ରମ କହିଲେ—ଆସ ଚିତ୍ରା...ଏଇ ମହାବିନାୟକ ପାହାଡ଼ ଉପରକୁ ଯାଇ ଟିକେ ତଳର ଶୋଭା ଦେଖିବା । ବାରଣ କରି ପାରିଲନି ମୁଁ । ଜୀବନରେ ପ୍ରଥମଥର ପାହାଡ଼ ଚଢ଼ିବାର ଯେଉଁ ମୋହ ମୋ ଛାତି ଭିତରେ ଉଦ୍ରେକ ହୋଇଥିଲା୍ ସେହି ହିଁ ମୋତେ ବାଧ୍ୟ କରିଥିଲା... ବିକ୍ରମଙ୍କୁ ସମର୍ଥନ କରିବା ପାଇଁ । ଠିକ୍‌ ସେହି ସମୟରେ ବିଷ୍ଣୁମୋହନ କହିଲା–ତୁମେ ଉପରକୁ ଚାଲ, ମୁଁ ପାଖ ଦୋକାନରୁ ଟିକେ ଚାହା ଖାଇ ଆସୁଛି ।

 

ହଁ ଭରି ଆମେ ଆଗେଇ ଚାଲିଲୁ...

 

ଓଃ...ପାହାଡ଼ ଚଢ଼ାର କଷ୍ଟ ସେଦିନ ନୂଆ କରି ମୁଁ ଅନୁଭବ କରିଥିଲି । ଧୀରେ ଧୀରେ ଆମେ ପାହାଡ଼ର ଉପରକୁ ଉପରକୁ ଉଠି ଚାଲିଥିଲୁ । ପାହାଡ଼ ତଳର ଘରଦ୍ୱାରା, ପଶୁ, ମଣିଷ ଆମ ଆଖିରେ ଛୋଟରୁ ଛୋଟ ହୋଇ ଆସୁଥିଲେ । ଜଣେ ମଣିଷ ବଡ଼ ହୋଇଗଲେ ତା’ ଆଖିକୁ ଯେମିତି ତଳର ମଣିଷଗୁଡ଼ାକ ଛୋଟ ଦିଶନ୍ତି—ଠିକ୍‌ ସେମିତି ପାହାଡ଼ ତଳର ମଣିଷଗୁଡ଼ାକ ଆମକୁ ଛୋଟ ଦିଶୁଥିଲେ । ଆଗ ପଛ ହୋଇ ଆମେ ଆଗେଇ ଚାଲିଥିଲୁ ।

 

ସାମାନ୍ୟ କିଛି ଖଣ୍ଡ ପଥର ପାର ହେବାପରେ ମୁଁ ଆଉ ଉଠିପାରୁ ନ ଥିଲି । ମଝିରେ ମଝିରେ ବିକ୍ରମ ଫେରି ଆସି ମୋତେ ପୁଣି ସାହାଯ୍ୟ କରି ଉଠାଇ ନେଉଥିଲେ । କରି କରି ହୋଇ ହସି ଉଠି ମୁଁ କହୁଥିଲି–ନାଁ..ଆଉ ଯାଇ ହେବନି, ମୁଁ ଏଇଠି ବସୁଛି । ସେ କିନ୍ତୁ ନ ଛୋଡ଼ବନ୍ଧା । ମୋତେ ଉପରକୁ ନ ନେଇ ସେ ଛାଡ଼ୁ ନ ଥିଲେ । ସାମାନ୍ୟ ବିଶ୍ରାମ ପରେ ପୁଣି ଉପରକୁ ଉଠ ଥିଲି ମୁଁ ।

 

ମହାବିନାୟକ ପାହାଡ଼ରେ ସେଦିନ ସେ ଯେଉଁ ଅନୁଭୂତି, ତାହା ଆଜି ପର୍ଯ୍ୟନ୍ତ ଅକ୍ଷୂର୍ଣ୍ଣ ରହିଛି । ଅନେକ ସମୟରେ ଏଇ ଅନୁଭୂତି ହିଁ ଅକ୍ଷତ, ନିର୍ମଳ ହୋଇ ବଞ୍ଚିରହେ ଜୀବନ ପୃଷ୍ଠାରେ-

 

ତେଲ ଝର...

 

କେଉଁ ଆଦିମ କାଳରେ ହୁଏତ ଏ ଝରଣାରୁ ତେଲ ଝରୁଥିଲା । ଏବେ ତେଲ ନ ଝରୁଥିଲେ ମଧ୍ୟ ନାଁଟା ରହିଛି ତେଲ ଝର । ଚିତ୍କାର କରି ଉଠିଲି ମୁଁ । ‘‘ଆଉ ହବନି ବିକ୍ରମ ଭାଇ, ଟିକେ ପାଣି ପିଇବି ।’’

 

ହସରେ ଫାଟି ପଡ଼ୁ ପଡ଼ୁ ସେ ମୋତେ ଝରଣା ଆଡ଼କୁ ଝିଙ୍କି ନେଲେ । ଠିକ୍‌ ଗୋଟିଏ ହାଲୁକା କାଗଜ ଗୋଡ଼ି ଭଳି ମୁଁ ତାଙ୍କ ଆଡ଼େ ଝିଙ୍କି ହୋଇଗଲି । ଝରଣା ନିକଟରେ ଗୋଟିଏ ପଥର ମୁଣ୍ଡିଆ ଉପରେ ସେ ମୋତେ ଜବରଦସ୍ତ ବସାଇ ଦେଇ କହିଲେ—‘‘ବିଶ୍ରାମ ନିଅ, ମନ ଇଚ୍ଛା ପାଣି ପିଅ...ତା’ପରେ ପୁଣି ଉପରକୁ ଯିବା ।’’

 

କଥାରେ ବାଧା ଦେଇ ମୁଁ କହିଲି—‘‘ନାଁ, ଆଉ ଉପରକୁ ଯିବା ମୋ ଦ୍ୱାରା ହେବନି । ତୁମେ ପଛେ ଉପରକୁ ଯାଅ...ମୁଁ ଏକୁଟିଆ ଏଇଠି ବସୁଛି ।’’ ସେ ମୋତେ ଭୟ ଦେଖାଇ କହିଲେ–‘‘ବାଘ, ଭାଲୁ ଜାଗା..ତୁମକୁ ଏକୁଟିଆ ଛାଡ଼ି ମୁଁ ଯିବି କୁଆଡ଼େ ?’’ ବାଘ, ଭାଲୁ ନାଁ ଶୁଣି ମୁଁ ଅଜାଣତରେ ତାଙ୍କ ଆଡ଼କୁ ଲାଗି ଆସିଲି । ମୋ ପରିସ୍ଥିତିକୁ ସେ ହସରେ ଉଡ଼ାଇ ଦେଇ କହିଲେ–‘‘ଝିଅ ଗୁଡ଼ାକ ସତରେ ବଡ଼ ଡରକୁଳୀ ।’’ ଲଜ୍ଜା ଆଉ ଅପମାନରେ ଭାଙ୍ଗି ପଡ଼ୁଥିଲି ମୁଁ । ମନେ ମନେ ବିକ୍ରମ ପ୍ରତି ଆର୍ଦ୍ର ହୋଇ ଉଠୁଥିଲା ମୋର ମନ । ଭାବୁଥିଲି...‘‘ତୁମେ କ’ଣ ଜାଣିନାଁ ବିକ୍ରମ-? ଲଜ୍ଜା ଓ ଭୟ ନାରୀର ସର୍ବଶ୍ରେଷ୍ଠ ଧର୍ମ’’

 

ତା’ ପରେ...

 

ତା’ପରେ ସାମାନ୍ୟ ପାଣି ପିଇ ମୁଁ ପଥର ମୁଣ୍ଡିଆ ଉପରେ ବିଶ୍ରାମ ନେବାପାଇଁ ଢଳି ପଡ଼ିଲି । ସେତେବେଳକୁ ମୋର ଖୁବ୍‌ ନିକଟକୁ ଲାଗି ଆସିଥିଲେ ବିକ୍ରମ । ମୋର ଚୂର୍ଣ୍ଣ କୁନ୍ତଳରେ ହାତ ମାରୁ ମାରୁ ସେ କହିଲେ—‘‘ଜାଣିଛ ଚିତ୍ରା ! ସବୁଜ ବନାନୀର କୋମଳ ପରିବେଶ ମୋତେ ସବୁଠାରୁ ଖୁବ୍‌ ଭଲ ଲାଗେ ।’’

 

ଉତ୍ତର ଦେଇପାରୁ ନ ଥିଲି ମୁଁ । ସେ ମୋତେ କୁହୁକ କରୁଥିଲେ । ତାଙ୍କ ଦେହ ପ୍ରତି ମୋତେ ପ୍ରଲୋଭିତ କରୁଥିଲେ । ମୁଁ କେବଳ ଧୀରେ ଧୀରେ ମୂକ ହୋଇ ଯାଉଥିଲି । ଆସ୍ତେ ଆସ୍ତେ ସେ ମୋତେ ନିହାତି ଆପଣାର କରୁଥିଲେ । ମୁଁ ଭାଙ୍ଗି ପଡ଼ୁଥିଲି । ଗୋଟିଏ ତୁଳା ତକିଆକୁ ଦଳି ମକଚି ପକାଇଲେ ତକିଆ ଯେମିତି ପ୍ରତିବାଦ କରିପାରେ ନି, କେବଳ ଅସହାୟ ଭଳି ଆତ୍ମସମର୍ପଣ କରିବାର ଗୌରବ ଅର୍ଜନ କରେ—ଠିକ୍‌ ସେହିପରି ଧୀରେ ଧୀରେ ମୁଁ ଆତ୍ମସମର୍ପଣ କରୁଥିଲି । ଜୟ କରୁଥିଲେ ବିକ୍ରମ ।

 

କ୍ରମିକ ଧାରା ରଖି ମୋ ଅଙ୍ଗର ବସ୍ତ୍ର ଗୁଡ଼ିକ କୁଞ୍ଚିତ ହୋଇ ଯାଉଥିଲା । ମୁଁ ଆଉ ଲଜ୍ଜା କରିପାରୁ ନ ଥିଲି । ଠିକ୍‌ ଜଣେ ବିଜୟୀ ସୈନିକ ଭଳି ମୋ ଦେହ ଦୁର୍ଗକୁ ବାର ବାର ଆକ୍ରମଣ କରି ଜୟ କରୁଥିଲେ ବିକ୍ରମ । ମନେ ହେଉଥିଲା..ଦୁନିଆଁ ଭିତରେ କେବଳ ବିକ୍ରମ ହିଁ ଜଣେ ବିକ୍ରମୀ ବୀର । ଅନ୍ୟମାନେ ଭୀରୁ.... ଅନ୍ୟମାନେ ପଳାତକ.. ।

 

ନୂଆ ମନର ନୂଆ ପୁଲକ । ଅନେକ ସମୟରେ ଏ ପୁଲକକୁ ସହ୍ୟ କରିବା ମଧ୍ୟ ମୋ ନିକଟରେ ଅସମ୍ଭବ ମନେ ହେଉଥିଲା ।

 

ସାମାନ୍ୟ କେତେ ସମୟ ପରେ ଅସମ୍ଭବ ପରାଜୟର ଗ୍ଲାନିରେ ମୁଁ ଭାଙ୍ଗି ପଡ଼ିଲି, ବିକ୍ରମ ମଧ୍ୟ । ଆଉ ଉଠିବାର ଶକ୍ତି ନାହିଁ । ଅନୁଭବ କରିବାରେ ମୋହ ନାହିଁ । କେବଳ ଏକ ମ୍ଲାନ ଗୋଧୂଳିର ସଙ୍କେତରେ ଆମେ ଥିଲୁ ଦେହାତୀତ । ହଠାତ୍‌ ମୁହଁ ବୁଲାଇ ଚମକି ପଡ଼ିଲେ ବିକ୍ରମ..

 

ପଲକ ମାତ୍ରକେ ମୁଁ ମଧ୍ୟ ଚମକି ପଡ଼ିଲି । ସମସ୍ତ ଲଜ୍ଜା....ସମସ୍ତ ଅପମାନ ପୁଣି ମୋର ଉଲଗ୍ନ ଅଙ୍ଗକୁ ଜଡ଼ କରି ପକାଇଲା । ଦେଖିଲି.. ଆଶ୍ଚର୍ଯ୍ୟ ବିଷ୍ଫାରିତ ନୟନରେ ଏକ ଲୟରେ ଆମ ଆଡ଼କୁ ଚାହିଁରହିଛି ବିଷ୍ଣୁମୋହନ ।

 

ତ୍ରାହି ପାଇବାର ଉପାୟ ନାହିଁ । ଖସି ପଳାଇବାର ଯୁକ୍ତି ନାହିଁ । ଏକରକମ୍‌ ଭାଙ୍ଗି ପଡ଼ିଲି ମୁଁ । ଭାବି ଖଣ୍ଡ ପ୍ରଳୟର ଝଙ୍କାରରେ ଲୋମାଞ୍ଚ ସୃଷ୍ଟି ହେଲା ମୋର ସମଗ୍ର ଶରୀରରେ । ଆଉ ଅନ୍ୟ ଉପାୟ ନ ଥିଲା । ହଠାତ୍‌ ଉଠିପଡ଼ି ପରିସ୍ଥିତି ସମ୍ଭାଳିବା ପାଇଁ ମୁଁ ଧାଇଁଗଲି ବିଷ୍ଣୁମୋହନ ନିକଟକୁ ।

 

ବିଷ୍ଣୁମୋହନ ପ୍ରାୟ ବିକ୍ରମଙ୍କଠାରୁ ବୟସରେ ଛୋଟ ଥିଲା ହେଲେ ତଥାପି..ତା’ ମନରେ ପୁରୁଷ ପ୍ରାଣର ପାଶବିକ କ୍ଷୁଧା ଯେ କମ୍‌ ଥିଲା, ତା’ ନୁହେଁ । ସର୍ବଗ୍ରାସୀ କ୍ଷୁଧାରେ ସେ ମଧ୍ୟ ଥିଲା କ୍ଷୁଧାର୍ତ୍ତ ।

 

ବିଷ୍ଣୁମୋହନକୁ ମନାଇବା ପାଇଁ ମୋତେ ପୁଣି ନାରୀ ହେବାକୁ ପଡ଼ିଲା । ପୁଣି ଅନେକ ଅଭିନୟ କରିବାକୁ ହେଲା । ସେ ଦିନର ସେ ଅନୁଭୂତି କଥା ମନେ ପଡ଼ିଲେ ଆଜି ବି ଦେହରେ ବେପଥୁ ଜାତ ହୁଏ ।

 

ଚିତ୍ରାଙ୍ଗଦାର କାହାଣୀ ଶୁଣୁ ଶୁଣୁ ରୁଦ୍ର ବେଗରେ ବିଛଣା ଉପରୁ ଉଠିପଡ଼ିଲା ଲୋପାମୁଦ୍ରା । ଉତ୍ତେଜିତା ହୋଇ ଆଘାତ ଦେବା ଭଳି ସ୍ୱରରେ କହିଲା—ନାରୀ ଆଉ ବାର ନାରୀର ସୀମାଟାକୁ ତୁ ହୁଏତ ଠିକ୍‌ ବୁଝିନୁ ଚିତ୍ରାଙ୍ଗଦା । ତୁ ଏକାନ୍ତ ଭାବେ ନାରୀ ହେବାକୁ ଅଯୋଗ୍ୟ । କେବଳ ଶାଢ଼ି ପିନ୍ଧି ପୁରୁଷ ମନକୁ ଆକର୍ଷଣ କଲେ ନାରୀ, ନାରୀ ହୋଇ ପାରେନାହିଁ-। ନାରୀର ସୂକ୍ଷ୍ମ ଧର୍ମ ଟିକକ ଯାହା ନିକଟରେ ନାହିଁ.. ନାରୀ ନୁହେଁ—ରାକ୍ଷସୀ ।

 

ଆବାକ୍‌ ହୋଇ ଚିତ୍ରଙ୍ଗଦା ଚାହିଁ ରହିଥିଲା ଲୋପାମୁଦ୍ରାକୁ ।

 

ପୁଣି କଥା କହିବାକୁ ଆରମ୍ଭ କରିଛି ଲୋପାମୁଦ୍ରା । ସାପକୁ ଗଦ ଦେଇ ମନ୍ତ୍ର ଫୁଙ୍କି କେଳା ବଶ କରିବା ଭଳି ତୁ ମୋତେ ତୋ ବାଟରେ ମନାଉଛୁ...ମୋ ଦେହରେ ରଙ୍ଗ ବୋଳୁଛୁ, ମୋ ଗଣ୍ଡରେ ରୂପ ଦେଉଛୁ... ଅଧରକୁ ରଞ୍ଜିତ କରୁଛୁ । କିନ୍ତୁ କାହିଁକି ? କ’ଣ ପାଇଁ ତୋର ଏତେ ଅହମିକା ? ତୁ କ’ଣ ଭାବୁଛୁ ପ୍ରତ୍ୟେକ କଲେଜ ପାଠୋଇ ବାଳିକା କେବଳ ପୁରୁଷର ବିଳାସ ସାମଗ୍ରୀ ହେବେ... ?

 

ଥରିଲା ଗଳାରେ ଚିତ୍ରାଙ୍ଗଦା କହିଲା—ତୁ କ’ଣ ମୋ ଉପରେ ରାଗୁଛ ଲୋପା...

 

ହସିଲା ଲୋପାମୁଦ୍ରା । ଏ ହସ ଭିତରେ ଥିଲା ଏକ ରୁଦ୍ର କାରୁଣ୍ୟ । ଲୋପାମୁଦ୍ରା କହିଲା—‘‘ପ୍ରେମ କରିବା କେବଳ ନାରୀର ଐକାନ୍ତିକ ନିଜସ୍ୱ ନୁହେଁ । ପୁରୁଷ କେବଳ ପରିପୂରକ ନୁହେଁ । ଜୀବନଟାକୁ ଜୀବନ ଭଳି ଗ୍ରହଣ କଲେ ହୁଏତ ପ୍ରେମ କରିବାକୁ ହେବ । କିନ୍ତ ଏ ପ୍ରେମର ସମଗ୍ର ପରିସର ସୀମିତ ।’’

 

ଲୋପାମୁଦ୍ରାର ମୁହଁକୁ କେବଳ ବଲ ବଲ କରି ଚାହିଁ ରହିଥିଲା ଚିତ୍ରାଙ୍ଗଦା ।

 

ଲୋପାମୁଦ୍ରା କହିଲା—ତୁ ବି ଇଚ୍ଛା କଲେ ମଣିଷ ହୋଇ ପାରିବୁ ଚିତ୍ରାଙ୍ଗଦା । ତୋ ମୋଠାରୁ ମଣିଷ ଗୋଟିଏ ସ୍ୱତନ୍ତ୍ର ସୃଷ୍ଟି ନୁହେଁ । ଆମେ ସମସ୍ତେ ଧ୍ୟାନ ଯୋଗର ପୂଜାରୀ । ପ୍ରଶାନ୍ତମନା ହେବାରେ ଯେଉଁ ମୋହ...ବିକାରହୀନ ହେବାର ଯେଉଁ ଗୌରବ..ପାପହୀନ ହେବାରେ ଯେଉଁ ଆଗ୍ରହ...ସେହି ହିଁ କେବଳ ଆମକୁ ମଣିଷ କରି ପାରିବ ।

 

ଲୋପାମୁଦ୍ରା ନିକଟରେ ନିଜର ଅସ୍ତିତ୍ୱ ହରାଉଥିଲା ଚିତ୍ରାଙ୍ଗଦା । ବିରାଟ କଲେଜର ଛନ୍ଦଚପଳା...ରଙ୍ଗମୟୀ ଚିତ୍ରାଙ୍ଗଦା ଆଜି ନୂଆ କରି ହାର ମାନୁଛି ଲେପାମୁଦ୍ର ନିକଟରେ... ।

 

କିଛି ନ ଶୁଣିଲା ଭଳି ଉଠିବାକୁ ଉପକ୍ରମ କରିଛି ଚିତ୍ରାଙ୍ଗଦା....

 

ବାଧା ଦେଇ ଲୋପାମୁଦ୍ରା କହିଲା—ଚାଲି ଯାଉଛୁ କୁଆଡ଼େ ଚିତ୍ରା..ତୋର ଏହି ଗୌର ତନୁର ବାହାରେ ଯେ ଗୋଟାଏ ବିରାଟ ବିଭତ୍ସ ଦୁନିଆଁ ରହିଛି...ହୁଏତ ତୋର ସେ ଧାରଣା ନାହିଁ । ଆଜି ତୋତେ ସେ ଦୁନିଆଁକୁ ଦେଖିବାକୁ ହେବ । ସେ ଦୁନିଆଁ ପ୍ରତି ସମବେଦନା ଜଣାଇବାକୁ ହେବ । ଉତ୍ତେଜନାରେ ଉଠିପଡ଼ି ପଶ୍ଚିମ ପାଖ ଝରକାଟାକୁ ଖୋଲିଦେଲା ଲୋପା.. । ଦୂରର ତେଲଙ୍ଗା ବସ୍ତିଆଡ଼େ ହାତ ବଢ଼ାଇ କହିଲା—କେବଳ ସ୍ୱପ୍ନିଳ ବର୍ଣ୍ଣଛଟାରେ ତୁ ଯେଉଁ ଦୁନିଆଁକୁ ପଢ଼ିଛୁ..କେବଳ କୁମାରୀତ୍ୱର ନିହଣ ମୁନରେ ତୁ ଯେଉଁ ଦୁନିଆଁର ରୂପ ଆଙ୍କିଛୁ....ସେଇ ଦୁନିଆଁ କୁ ଦେଖ୍‌ । ଏମାନେ ବି ମଣିଷ । ଠିକ୍‌ ତୋ’ରି ଭଳି ଯୌବନ ଧାରୀ ଜୀବ ।

 

ମାତ୍ର ଗୋଟିଏ କୋଠରୀ ଭିତରେ ବାପ..ମା ଝିଅ ବହୂ..ପୂଅ ହୋଇ ରହନ୍ତି ଏମାନେ । ଏମାନେ ମଧ୍ୟ ଜୀବନ ପାଇଁ ପ୍ରେମ କରନ୍ତି । ଭାରତର ଜନସଂଖ୍ୟା ବଢ଼ାନ୍ତି । ମହାବିନାୟକ ପାହାଡ଼ର ଶିଳାକୁ ଏମାନେ ସ୍ୱୀକାର କରନ୍ତିନି । ଗୋଟିଏ କୋଠରୀ ଭିତରେ ମାତ୍ର ଖଣ୍ଡିଏ ଲୁଗା ଟାଙ୍ଗି ଏମାନେ ମାନବିକତାର ସ୍ୱପ୍ନ ଦେଖନ୍ତି । ଥରେ ମାତ୍ର ନିଜର ଉତ୍ତାଳ ଯୌବନ ଭିତରେ ଏମାନଙ୍କୁ ସ୍ଥାନ ଦେଇ ଦେଖ୍‌ ଚିତ୍ର..କେଡ଼େ ବିକଟାଳ ଏ ପୃଥିବୀର ଚିତ୍ର ।

 

ଆଉ ସହିପାରୁ ନ ଥିଲା ଚିତ୍ରାଙ୍ଗଦା...

 

କୋଠରୀ ଭିତରୁ ପଦାକୁ ବାହାରି ଆସୁ ଆସୁ ଚିତ୍ରାଙ୍ଗଦା କହିଲା—ମୁଁ ହାର ମାନିଗଲି ଲୋପା ! ମୋତେ କ୍ଷମା କରିବୁ ।

 

ସେତେବେଳକୁ ନିର୍ଘାତ ହସୁଥିଲା ଲୋପାମୁଦ୍ରା । ପରାଜିତ ସୈନିକ ଭଳି ଚିତ୍ରାଙ୍ଗଦାର ପଳାୟନରେ ଯେଉଁ ଗୌରବ ନ ଥିଲା—ତା’ଠାରୁ ଅଧିକ ଗୌରବ ଥିଲା ଲୋପମୁଦ୍ରାର ଦାର୍ଶନିକ ବିଜୟରେ । ଠିକ୍‌ ଦାଣ୍ଡ ଦୁଆର ପାଉଛରେ ଗୋଡ଼ ଦେଇ ଅଟକିଗଲା ଚିତ୍ରାଙ୍ଗଦା..ସତରେ...ନିଜର ବ୍ୟକ୍ତିଗତ ଚିନ୍ତାର ବାହାରେ ଯେ ଏଡ଼େବଡ଼ ଗୋଟାଏ ଦୁନିଆଁ ରହିଛି, ଏ କଥା ହୁ ତ ଅନେକ ବୁଝନ୍ତିନି, ଆଜି ଏ ସବୁ ନୂଆ କରି ବୁଝୁଛି ଚିତ୍ରାଙ୍ଗଦା ।

 

ଚିତ୍ରାଙ୍ଗଦାର ଚକ୍ଷୁ ନିବଦ୍ଧ ରହିଛି ସହରର ଗୋଟିଏ ସ୍ରୋତଗାମୀ ବିରାଟ ନର୍ଦ୍ଦମା ଉପରେ...

 

ସେତେବେଳକୁ ଠିକ୍‌ ଚିତ୍ରାଙ୍ଗଦାର ପଛପାଖରେ ଠିଆ ହୋଇ ଯାଇଥିଲା ଲୋପାମୁଦ୍ରା..., ହସର ଫୁଆରା ରୋକି ଲୋପାମୁଦ୍ରା କହିଲା.. ଏବେ ଦେଖ ଛୁ ତ’ ଚିତ୍ରା ! ଏ ସମଗ୍ର ଦୁନିଆଁ କି ବିଭତ୍ସ...କି ଭୟଙ୍କର...କି ବିକଟ ?

 

ନର୍ଦ୍ଦମାର ଜୀବ ଆଡ଼କୁ ଚାହିଁଥିଲା ଚିତ୍ରାଙ୍ଗଦା...

 

କଟକ ସହରର ନର୍ଦ୍ଦମା । ଏଇ ନର୍ଦ୍ଦମା ଦେହରେ ପାଣି ଜମି ରହେ, ମଇଳା ଜମି ରହେ । ପାଣି ବହିଯିବା ଯେମିତି ଏ ନର୍ଦ୍ଦମାର ଗୋଟିଏ ବିରୋଧୀ ଧର୍ମ । ସହରର ମ୍ୟୁନିସ୍‌ପାଲିଟ୍‌କୁ ଏଥିପାଇଁ ଦୋଷ ଦେଇ ହୁଏନାହିଁ । କାରଣ—ବହୁ ସପକ୍ଷ ଓ ବିପକ୍ଷ ସଭ୍ୟଙ୍କର ମତବାଦକୁ ସ୍ୱୀକାର କରିବା ପାଇଁ, ଏଇ କଟକ ସହରର ନର୍ଦ୍ଦମା ଶପଥ ନେଇଥାଏ ।

 

ଏ ନର୍ଦ୍ଦମାରେ କ’ଣ ଜୀବାଣୁ ଜନ୍ମ ନେଇ ପାରନ୍ତି ?

 

ଏ ନର୍ଦ୍ଦମାରୁ ଜନ୍ମ ନିଅନ୍ତି ମଣିଷ, ଜୀଅନ୍ତା ମଣିଷ..ଯେଉଁମାନେ କଥା କହନ୍ତି...ଚାଲନ୍ତି..ହସନ୍ତି ଆଉ ବସନ୍ତି । ଅନେକ ହୁଏତ ଏମାନଙ୍କୁ ମଣିଷ ବୋଲି ସ୍ୱୀକାର କରିବେ ନାହିଁ । ମଣିଷ ବୋଲି ନିଜକୁ ସାବ୍ୟସ୍ତ କରିବା ପାଇଁ ହୁଏତ ଭୋଟର ଲିଷ୍ଟରେ ଏମାନଙ୍କର ନାମ ନାହିଁ । ତଥାପି ଏମାନେ ସଜୀବ ମଣିଷ...କଟକ ସହର ଅଖ୍ୟାତ ଗଳିର ଉପଜୀବ ।

 

କହୁଥିଲା ଲୋପାମୁଦ୍ରା... । କଲେଜ ବହିରେ ଏ ପାଠ ନାହିଁ ଚିତ୍ରା ! ଏକ ଜୀବନ ବ୍ୟାପୀ କାରୁଣ୍ୟ ଭିତରେ ଏ ପାଠର ପାଠ୍ୟକ୍ରମ ନିହିତ ।

 

ଶୂନ୍ୟ ଆକାଶର ନୀଳାଭ ସୁଷମା ଆଡ଼େ ଚାହୁଁଥିଲା ଚିତ୍ରାଙ୍ଗଦା । ‘‘ସତକଥା, ଲୋପାମୁଦ୍ରା ମିଛ କହୁନାହିଁ, କଟକ ସହରକୁ ଚିହ୍ନିବାକୁ ହେଲେ ପ୍ରଥମେ ଏ ନର୍ଦ୍ଦମାର ଇତିହାସ ହିଁ ଜାଣିବାକୁ ହେବ । ନର୍ଦ୍ଦମାର ବଦାନ୍ୟତା ପ୍ରତି ଦୃଷ୍ଟି ଦେବାକୁ ହେବ ।’’

 

ନର୍ଦ୍ଦମାରୁ ଆହାର ସଂଗ୍ରହ କରନ୍ତି ଏଇ ମଣିଷ ଦଳ । ନଅଙ୍କ ଦୁର୍ଭିକ୍ଷର ଏ କାହାଣୀ ନୁହେଁ । ଏଇ ଊନବିଂଶ ଶତଷଠି ଶତାବ୍ଦୀର ଉଜ୍ଜ୍ୱଳ ଜୀବନ୍ତ କାହାଣୀ ।

 

ଏମାନେ ନର୍ଦ୍ଦମାରୁ ଭାତ ରୋଟି ଖୋଜନ୍ତି ନାହିଁ । ଏମାନେ ଖୋଜନ୍ତି ଖଣ୍ଡ ଖଣ୍ଡ ଅଙ୍ଗାର । ଠିକ୍‌ ଭୋକିଲା କୁକୁର ଭଳି ନର୍ଦ୍ଦମା ଉପରେ ହାମ୍ବୁଡ଼ାଇ ପଡ଼ି ଛୋଟ ଛୋଟ କୁଲେଇ ସାହାଯ୍ୟରେ ଏମାନେ କରନ୍ତି ସୁବର୍ଣ୍ଣର ସନ୍ଧାନ । ଏମାନେ ମଣିଷ, ଆମ ବିଂଶ ଶତାବ୍ଦୀର ମଣିଷ-

 

ବେଦନାରେ ଭାଙ୍ଗିପଡ଼ି ଚିତ୍ରାଙ୍ଗଦା କହିଲା—ଏ ସମସ୍ୟାର କ’ଣ ସମାଧାନ ନାହିଁ ଲୋପାମୁଦ୍ରା ?

 

ଆକାଶର ଚନ୍ଦ୍ର ଭଳି ଆଜି ଲୋପାମୁଦ୍ରା ନିର୍ମଳ । ଚିତ୍ରାଙ୍ଗଦାକୁ ସେ ମଣିଷ କରି ପାରିଛି-। ଜୀବନ ବିଷୟରେ ଅନେକ କିଛି ବୁଝାଇ ପାରିଛି । ସେମିତି ନିର୍ବେଦ ବଦନରେ ଚିତ୍ରାଙ୍ଗଦାକୁ ଚାହିଁ କହିଲା ଲୋପା....‘‘ଆଉ ଟିକେ ଆଖି ଖୋଲି ଦେଖ୍‌ ଚିତ୍ରା, ଏ କଟକ ସହରର ଏକ ନବୀନ ରୂପର ସମାରୋହ ତୁ ବେଶ୍‌ଦେଖି ପାରିବୁ ।’’

 

ରାସ୍ତା ଉପରକୁ ପାଦ ବଢ଼ାଉ ବଢ଼ାଉ ସେଦିନ ଅନେକ କିଛି ଚିନ୍ତା କରୁଥିଲା ଚିତ୍ରାଙ୍ଗଦା-

 

ଚିତ୍ରାଙ୍ଗଦାକୁ ବିଦାୟ ଦେବା ପରେ ଘର ଭିତରକୁ ଫେରିଆସିଲା ଲୋପାମୁଦ୍ରା । ଧଡ଼୍‌ଧାଡ଼୍‌କରି ଘରର ଝରକା କବାଟଗୁଡ଼ିକ ବନ୍ଦ୍‌କରି ଦେଇ ଖଟ ଉପରେ ଶୋଇପଡ଼ିଲା ସେ ।

 

ଆଃ...ନିର୍ଜନତା ହିଁ ମଣିଷର ସବୁଠାରୁ ବଡ଼ ସାଥୀ..ସବୁଠାରୁ ଶ୍ରେଷ୍ଠ ଶାନ୍ତିମୟ ସ୍ଥାନ ।

 

ଜୀବନରେ ନିର୍ଜନତା ବୋଲି ଯଦି କିଛି ନ ଥାନ୍ତା....ତେବେ ହୁଏତ ମଣିଷ ଜୀବନ ହୋଇଉଠନ୍ତା ନିହାତି ସାଂଘାତିକ ।

 

ଜୀବନର ଆରମ୍ଭରୁ ଲୋପାମୁଦ୍ରା ଭଲପାଏ ଅନ୍ଧାରକୁ । ତା’ ଜୀବନରେ ଅନ୍ଧାର ଏକ ଆଶୀର୍ବାଦ । ସମଗ୍ର ଦେଶ ଯେତେବେଳେ ଅନ୍ଧକାରମୟ...ସେତେବେଳେ ବା ଲୋପାମୁଦ୍ରାର ଜୀବନ ଅନ୍ଧାରୀ ନ ହେବା କାହିଁକି ?

 

ଆଜି କୋଠରୀର ନିର୍ଜନ ପରିବେଶ ମଧ୍ୟରେ ଭାବୁଛି ହେମକାନ୍ତ । ଏଇ ଲୋପାମୁଦ୍ରା ।

 

ସେଦିନ ଆଲୋଚନାର ଶେଷରେ ହୁଏତ ଭାବିଥିଲା ଅନେକ କିଛି । ଅନେକ ସ୍ମୃତିକୁ ହୁଏତ ମାଡ଼ି ମକଚି କରିଥିଲା ନିଜର ।

 

ନାଁ....ନାଁ....ସେ ଗତାୟୁ ସ୍ମୃତିର ନାଲି ନେଳି ବେଲୁନ୍‌ ଗୁଡ଼ିକୁ ଉଡ଼ାଇ ଆଉ ଲାଭ ନାହିଁ-। ଦୀର୍ଘାୟୁ ଅତୀତର ସୀମାହୀନ ତୃଷ୍ଣା ହିଁ ଅନେକ ସମୟରେ ଆଘାତ ଦେଇଥାଏ ଏଇ ମଣିଷକୁ-। ମଣିଷର ଉଡ଼ନ୍ତା ଛାଇ ଅନେକ କିଛି ଅନ୍ଧାର ଭଳି ମିଳାଇ ଯାଉଛି । ସେ ଛାଇକୁ ସ୍ୱତନ୍ତ୍ର କରି ହେବନାହିଁ । ଏଇ ମଣିଷ ମନର ସାମ୍ରାଜ୍ୟ କାହିଁକି...କେମିତି ଚଳେ—ତାହା କେହି କେବେ କହି ପାରିବେନି ।

 

କ୍ଲାନ୍ତ ଆଖିପରି ନିର୍ଜନ, ନିଃଶବ୍ଦ କୋଠରୀ । ଠିକ୍‌ ଗୋଟିଏ ବାରବୁଲା ଭିକାରୀ ପରି ଘୁରି ବୁଲୁଛି ଅଧ୍ୟାପକ ହେମକାନ୍ତର ହୃଦୟ ସେହି କୋଠରୀ ମଧ୍ୟରେ ।

 

ରାତ୍ରି....

 

ନିବିଡ଼ ଅନ୍ଧକାରାଚ୍ଛନ୍ନ ରାତ୍ରି...

 

ଗୋଟିଏ ପୃଥୁଳକାୟା ରମଣୀ ଭଳି ଶୋଇଛି ଏ ବାରବୁଲା ରାତ୍ରି । ସେହି ରାତ୍ରିର ଅନ୍ଧକାର ମଧ୍ୟରେ ନିଜକୁ ପୁଣି ଦେଖିବାକୁ ଚେଷ୍ଟା କରୁଛି ହେମକାନ୍ତ । ନିର୍ଲଜ ପରି ସେ ଆଜି ଖଟ, ବିଛଣା, ମଶାରୀ ସହିତ ମୁକାବିଲା କରିବାକୁ ଚାହୁଁଛି, କିନ୍ତୁ ନାଁ...କେହିହେଲେ ସ୍ୱୀକାର କରୁନାହାଁନ୍ତି ହେମକାନ୍ତକୁ । ଆଜି ଜୀବନ ଯୁଦ୍ଧର ପରାସ୍ତ ସୈନିକ ହେମକାନ୍ତ । ପ୍ରଗଳ୍‍ଭା ଲୋପାମୁଦ୍ରା ଆଜି ହେମକାନ୍ତକୁ ଠେଲି ଦେଇଛି—ଠିକ୍‌ ଗୋଟିଏ ଅଦରକାରୀ ବସ୍ତୁ ଭଳି । ରୁଗ୍‌ଣ ଛାତିର ଦୁର୍ବଳତାକୁ ଲୁଚାଇବାପାଇଁ ଚେଷ୍ଟା କରୁଛି ହେମକାନ୍ତ । ସତେ ଅବା ଚରମ ବିଫଳତାରେ ହିଁ ପୁଷ୍ଟ ହୁଏ ଅଧ୍ୟାପକର ଜୀବନ ।

 

ଏଇ ତରୁଣ ଅଧ୍ୟାପକ...

 

ଅନେକ ରୂପସୀ ତରୁଣୀଙ୍କୁ ମଣିଷ କରନ୍ତି । ଦେହରେ ରଙ୍ଗ ବୋଳନ୍ତି । ମନରେ ଚମକ ଆଣନ୍ତି । ଜ୍ଞାନକୁ ମାର୍ଜିତ କରନ୍ତି । ହେଲେ ଗଧ ନିଜ ପିଠିରେ ସବୁ ବହୁଥିଲେ ମଧ୍ୟ, ବୁହା ଜିନିଷରେ ଭାଗୀଦାର ନ ହେବା ପରି, ଦୀର୍ଘ ନିଃଶ୍ୱାସ ପକାଇ ନିଜର ସୀମିତ ପରିବାର ଦୁର୍ଗକୁ ଫେରିଯାଆନ୍ତି ଅଧ୍ୟାପକ ଦଳ । କଲେଜର...ମୁଦ୍ରାସ୍ଫୀତି, କାବ୍ୟାଲୋକର ଦର୍ଶନ, ଜୀବନ ଦର୍ଶନ, ଆର୍ଥନୀତିକ ବ୍ୟାଖ୍ୟା ପରିବର୍ତ୍ତେ ପରିବାର ଭିତରେ ଆରମ୍ଭ ହୁଏ ତେଲ ଲୁଣର ବିପ୍ଳବ ।

 

ସେହିପରି ଜଣେ ଅଧ୍ୟାପକ ହେମକାନ୍ତ । ଲୋପାମୁଦ୍ରା ପରି ଝିଅର ଯୌବନ ପ୍ରତି ଆକ୍ଷେପ କରିବାକୁ ହେମକାନ୍ତର ଅବା କି ଅଧିକାର ଥାଇପାରେ । ହେମକାନ୍ତ ଓ ଲୋପାମୁଦ୍ରା । ଦୁଇଟି ସାମନ୍ତରିକ ରେଖା । ଗୋଟିଏ ସହିତ ଅପରଟିର ମିଳନ କେବଳ ଅସମ୍ଭବ ଛଡ଼ା ଆଉ କ’ଣ ହୋଇପାରେ ?

 

ଅମନା ମନକୁ ମନାଇବା ପାଇଁ ବାରବାର ଚେଷ୍ଟା କରୁଛି ହେମକାନ୍ତ । କିନ୍ତୁ.. । ନାଁ...ଏ ମନ ଲଗାମ୍‌ ଛଡ଼ା ମନ । ଏ ମନ ମନା ମାନେନା । ସ୍ମୃତି ଯେ ଏକ ବିରାଟ ପାପ, ଏ କଥା ହେମକାନ୍ତ ବୁଝି ପାରିନି । ଆଦିମ ଜ୍ୱଳାରେ ପୃଥିବୀ ଜଳେ । ବୈଶାଖର ରୁଦ୍ର ତରଙ୍ଗରେ ବାଟୋଇର କଣ୍ଠ ଜଳେ । ଠିକ୍‌ ସେହିପରି ଏକ ସାଥୀହରା କପୋତର ଧର୍ମ ନେଇ ଜଳୁଛି ହେମକାନ୍ତ ।

 

ନଦୀର ଅପର ପାର୍ଶ୍ୱରେ ପ୍ରିୟାକୁ ଛାଡ଼ି କାନ୍ଦେ ଚକୁଆ । ଠିକ୍‌ ସେହି ଚକୁଆର କାନ୍ଦ ସହିତ ସୁର ତୋଳି କାନ୍ଦୁଛି ହେମାକନ୍ତ । ତୃଷାତୁର ରାତିର ପାହାଡ଼ ଦେହରେ ଯେଉଁ ମୁହୂର୍ତ୍ତର ଗୃହା...ତା ଭିତରେ ସେ ଯଦି ଲୋପାମୁଦ୍ରାକୁ ଆବିଷ୍କାର କରନ୍ତା ତେବେ କୈଫୟତ୍‌ ମାଗନ୍ତା ତାକୁ-। ହେଲେ...ଲୋପାମୁଦ୍ରାର ପ୍ରତାତ୍ମା ଏ ରାତିର ବଣ ପାହାଡ଼ରେ ଘୂରି ବୁଲିନାହିଁ । କାକଳୀହୀନ ସକାଳର ମୃତ ମୁର୍ଦ୍ଦାରକୁ ବହି ବହି ଚାଲିଛି ହେମକାନ୍ତ । ସେ ମୂର୍ଦ୍ଦାର ଆଉ ଜୀବନ୍ୟାସ ପାଇବନି-। ଧୂଳିର ଗଦା ଭଳି କେବଳ ବିଫଳତା ହିଁ ଜମାଟ ବାନ୍ଧି ଉଠୁଛି ହେମକାନ୍ତର କୋଠରୀ ଭିତରେ-। ସେ ଧୂଳିକୁ ସଫାକରି ହେବନି । ସେ ବିଫଳତାକୁ ଭୁଲି ଯାଇ ହେବନି । ଏଇ ଗ୍ଲାନିର ଏକ ଅଲିଭା ପଦଚିହ୍ନ ଅଧ୍ୟାପକ ହେମକାନ୍ତ ।

 

ଚଳଚିତ୍ରର ଦୃଶ୍ୟପଟ ପରି ହେମକାନ୍ତର ଚକ୍ଷୁ ସମ୍ମୁଖରେ ଉନ୍ନୋଚିତ ହୋଇଯାଉଛି ଦୀର୍ଘାୟୁ ଅତୀତ । ରଜୋବତୀ ନାରୀର ଗାମ୍ଭୀର୍ଯ୍ୟ ନେଇ ଏ ଅତୀତ ବିଶ୍ରାମ ନେଉନାହିଁ । ଠିକ୍‌ ଷୋଡ଼ଶୀର ଛନ୍ଦଚପଳ ରୂପଲାବଣ୍ୟ ଭିତରେ ଅତୀତ ନାଚୁଛି..ଅତୀତ ହତାଶାର ହାଇ ମାରୁଛି ।

 

ନବ ଜାତକର ପଞ୍ଜିକା ଧରି ଯେମିତି ଚଇତର ବସନ୍ତ ଆସେ, ସେମିତି ଦିନେ ଆସିଥିଲା ଏ ଅତୀତ । ପୁଣି ଗଲା..ଯିବାପରି ଗଲା । ସେ ଯିବାରେ ଯେମିତି ଗୁରୁତ୍ୱ ନ ଥିଲା । ସେହି ଯିବାର ଏକ ସାଙ୍କେତିକ ଧାରା ଏହି ଲୋପାମୁଦ୍ରା ।

 

ମୃତ ବସନ୍ତର ମୁର୍ଦ୍ଦାର ଉପରେ ଲୋପାମୁଦ୍ରାର ସ୍ମୃତି ଚିହ୍ନ କେବଳ ଗୋଟିଏ ସମାଧି ପରି ଶୋଭା ପାଉଛି । ସେ ଲୋପାମୁଦ୍ରାକୁ ଆଉ ମନେ ପକାଇ ଲାଭ କ’ଣ ? କିନ୍ତୁ... । ନାଁ...ଲୋପାମୁଦ୍ରାକୁ ସହଜରେ ଭୁଲିଯାଇ ହେଉନାହିଁ । ଯେଉଁ ଦୁର୍ବଳତା ନେଇ ଲୋପାମୁଦ୍ରା ହୋଇଥିଲା ହେମକାନ୍ତର ଅତି ଆପଣାର—ସେହି ଦୁର୍ବଳତା ହିଁ କେବଳ ଗ୍ରାସ କରୁଛି ହେମକାନ୍ତର ବର୍ତ୍ତମାନକୁ ।

 

ଲୋପାମୁଦ୍ରା.....

 

ହେମକାନ୍ତର ଏକ ଉଲଗ୍ନ ଦୁର୍ବଳ ଆତ୍ମଲିପି ଲୋପାମୁଦ୍ରା ।

 

ଆଜି ଦୂରେଇ ଦେଇଛି ହେମକାନ୍ତକୁ । ଆଜି ନିହାତି ପର କରି ଦେଇଛି ହେମକାନ୍ତକୁ ।

 

ଦିନ ଥିଲା—ଯେତେବେଳେ ସେ ହେମକାନ୍ତକୁ କରିଥିଲା ନିହାତି ଆପଣାର...ନିହାତି ନିଜର ।

 

ସ୍ପଷ୍ଟ ହୋଇ ସବୁକଥା ମନେପଡ଼ୁଛି ହେମକାନ୍ତର ।

 

ସେଦିନ ଅଧ୍ୟାପକ ଓ ଛାତ୍ରମାନଙ୍କୁ ନେଇ କଲେଜରେ ଗୋଟିଏ ଆଲୋଚନା ସଭା ହୋଇଥିଲା । ସଭାଟିକୁ ଏକ ଗୁରୁତର ଆଲୋଚନା ସଭା ବୋଲି କୁହାଯାଇପାରେ ।

 

ଖବର କାଗଜ ଲେଖୁଥିଲେ—ଭାରତର ଖାଦ୍ୟ ସମସ୍ୟା ଗୁରୁତର । ଏ ବର୍ଷ ଏ ସମସ୍ୟାକୁ ଅଧିକ ଗୁରୁତର କରିଛି ଶସ୍ୟ କ୍ଷେତ୍ରରେ କୀଟ ଆକ୍ରମଣ । ହଜାର ହଜାର ଏକର ଜମିରେ ପୋକ ଲାଗି ଶସ୍ୟକୁ ନଷ୍ଟ କରି ପକାଉଛନ୍ତି । ଅଧିକ ଅମଳକ୍ଷମ ତାଇଚୁଙ୍ଗ୍‌ ନେଟିଭ୍‌ୱାନ୍‌ଧାନର ଭାଗ୍ୟ ସବୁଠାରୁ ଅଧିକ ସାଂଘାତିକ୍‌ । ହୁଏତ ଆଉ ସାମାନ୍ୟ ଦିନ ପରେ ଶସ୍ୟକ୍ଷେତ୍ର କେବଳ ଚରାଭୂଇଁ ହୋଇଯିବ ।

 

ସମ୍ବାଦ ପାଇ ଛାତ୍ର, ଅଧ୍ୟାପକ, ନେତା, ବ୍ୟବସାୟୀ, ଖାଉଟୀ, ସମସ୍ତେ କେବଳ ହା–ହା–କାର କରି ଉଠିଲେ । କିନ୍ତୁ ଏ ଅମସ୍ଥାର ବା ସମାଧାନ କ’ଣ ? ଭାବୀ ଖାଦ୍ୟାଭାବର ଭୟଙ୍କରତା ପ୍ରତି ସତର୍କ ହୋଇ ପଡ଼ିଥିଲେ ସମସ୍ତେ । କେବଳ ସେଇଥିପାଇଁ ଏ ଆଲେଚନା ସଭା-। ସଭାର ଆଲୋଚନା ପରେ ସରକାରଙ୍କୁ ଜଣାଇ ଦିଆଯିବ—ଖାଦ୍ୟଶସ୍ୟ ନିୟନ୍ତ୍ରଣ କରାଯାଉ । ପ୍ରଦେଶ ବାହାରକୁ ଯାଉଥିବା ଖାଦ୍ୟଶସ୍ୟର ଚାଲାଣ ବନ୍ଦ କରି ଦିଆଯାଉ ।

 

ଅର୍ଥନୀତିର ଅଧ୍ୟାପକ ମିଷ୍ଟର ରାୟ ତାଙ୍କ ଭାରତୀୟ ଅର୍ଥଶାସ୍ତ୍ରର ନୂତନ ସଂସ୍କରଣର ପୃଷ୍ଠା ଓଲଟାଇବାରେ ଲାଗିଛନ୍ତି । ସତେ ଅବା ତାଙ୍କ ହିସାବ ଏ ଦେଶର ଖାଦ୍ୟ ସମସ୍ୟାକୁ ଦୂର କରି ଦେବ । ସେ କହନ୍ତି ଗତ ଦଶ ବର୍ଷ ତଳେ ଦେଶର ନାଗରିକମାନଙ୍କ ଆୟ (ପର୍‌କ୍ୟାପିଟା ଇନ୍‌କମ୍‌) ଯେତେ ଥିଲା, ଆଜି ତାହାଠାରୁ ବେଶୀ ହୋଇଛି । ହେଲେ ତଥାପି କାହିଁକି ଯେ ଅଭାବ ପଡ଼ୁଛି—ତାହା ବୁଝି ହେଉନାହିଁ । ଅର୍ଥଶାସ୍ତ୍ରର ଉକ୍ତିଟିକୁ ଗୁରୁତର ଭାବେ ପରୀକ୍ଷା କରୁଛନ୍ତି ଦର୍ଶନ ଶାସ୍ତ୍ରର ଅଧ୍ୟାପକ । ତାଙ୍କ ନିକଟରେ ଅର୍ଥନୀତିୀ ହିସାବ ନିକାସ ନ ଥିଲେ ମଧ୍ୟ ଅଧ୍ୟାପକ । ତାଙ୍କ ନିକଟରେ ଅର୍ଥନୀତିର ହିସାବ ନିକାସ ନ ଥିଲେ ମଧ୍ୟ ସେ କହନ୍ତି...ଅଭାବ ହିଁ ବର୍ତ୍ତମାନର ମଣିଷକୁ କେବଳ ରୁଗ୍‌ଣ କରିବାରେ ଲାଗିଛି ।

 

ସଭା ଆରମ୍ଭ ହୋଇଛି....

 

ଜଣ ପରେ ଜଣେ ବକ୍ତା ତାଙ୍କର ବକ୍ତୃତା ଦେବାରେ ଲାଗଛନ୍ତି...

 

ଆଲୋଚନା ସଭାର ଗୋଟାଏ ଜଣରେ ବସି ଭାବୁଛି ଲୋପାମୁଦ୍ରା । ‘‘ବିଂଶ ଶତାବ୍ଦୀର ଲୋକଗୁଡ଼ାକ କି ନିର୍ବୋଧ ସତେ ! ଭାରତର ଖାଦ୍ୟ ସମସ୍ୟା ନେଇ ଏମାନେ ଯେତେ ଚିନ୍ତିତ ନୁହଁନ୍ତି... ସେତେ ଚିନ୍ତିତ ନିଜର ଭାଷଣ ପାଇଁ ପ୍ରଶଂସା ନେବାର ।’’

 

ଠିକ୍‌ ଏମିତିବେଳେ ଭାଷଣ ଦେଲେ ଅଧ୍ୟାପକ ହେମକାନ୍ତ । ମନ ଦେଇ ଶୁଣୁଥିଲା ଲୋପାମୁଦ୍ରା । ନାଁ....ତଥାପି ହେମକାନ୍ତଙ୍କ ଗଠନମୂଳକ ପ୍ରସ୍ତାବକୁ ସ୍ୱୀକାର କରିପାରୁନି ଲୋପାମୁଦ୍ରା ।

ସଭାମଞ୍ଚକୁ ଉଠିଗଲା ସେ । ପ୍ରସିଦ୍ଧ ଯାଦୁକରର ହାତ କାରସାଦିକୁ ଦର୍ଶକ ଦଳ ଅପଲକ ନୟନରେ ଚାହିଁ ରହିବା ଭଳି ଲୋପାମୁଦ୍ରାକୁ ଚାହିଁଥିଲା ସମଗ୍ର ସଭାସ୍ଥଳ ।

ମଞ୍ଚଉପରେ ଠିଆ ହେଲା ଲୋପାମୁଦ୍ରା । କର୍କଶ ସ୍ୱରରେ କହିଲା—‘‘ପ୍ରିୟ ସଭାପତି, ଅଧ୍ୟାପକ ଓ ସହପାଠୀ, ସହପାଠିନୀ । ମୁଁ ଭାଷଣ ଦେବାକୁ ମଞ୍ଚ ଉପରକୁ ଆସିନି । ଅଭିନୟର ପାଟବତା ବା ଭାଷଣର ଚାତୁର୍ଯ୍ୟ ଉପରେ ମୋର ବିଶ୍ୱାସ ନାହିଁ । ମୋ ମତରେ ଖାଦ୍ୟଶସ୍ୟର ନିୟନ୍ତ୍ରଣ ଏକ ଭାବୀ ଯୋଜନା । କିନ୍ତୁ ବର୍ତ୍ତମାନର ମୁଖ୍ୟ ସମସ୍ୟା ହେଉଛି ଶସ୍ୟକ୍ଷେତ୍ରରୁ କୀଟନାଶନ । ଏଥିପାଇଁ ପନ୍ଦର ଦିନ କଲେଜ ବନ୍ଦ ରହୁ । ଅଧ୍ୟାପକ ଓ ଛାତ୍ରମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ଶସ୍ୟକ୍ଷେତ୍ରକୁ ଚାଲନ୍ତୁ । ଲୋକମାନଙ୍କୁ ପୋକମରା ଔଷଧ ପକାଇବା ଶିଖାନ୍ତୁ ଓ ନିଜେ ଖଟନ୍ତୁ । ଆବଶ୍ୟକୀୟ ସ୍ପ୍ରେ ଯନ୍ତ୍ରପାଇଁ ସରକାରଙ୍କୁ ଆବେଦନ କରାଯାଉ । ବ୍ୟକ୍ତିଗତ ଚେଷ୍ଟାରେ ମଧ୍ୟ ଆମ ତରଫରୁ କିଛି ଯୋଗାଡ଼ କରାଯାଉ । ତା’ ହେଲେ ଯାଇ ଏ ସମସ୍ୟାର ସମାଧାନ ସମ୍ଭବ ।’’

ତଟସ୍ଥ ହୋଇ ଚାହିଁ ରହିଲେ ସମସ୍ତେ । ଲୋପାମୁଦ୍ରାର ଯୁକ୍ତି ଅକାଟ୍ୟ । କେବଳ ଭାଷଣ ବା ପ୍ରସ୍ତାବରେ ସମସ୍ୟାର ସମାଧାନ ହୋଇପାରେନି । ବ୍ୟକ୍ତିଗତ ଚେଷ୍ଟା ବଳରେ ହିଁ ସମସ୍ୟାକୁ ଜୟ କରି ହୁଏ ।

କରତାଳି ମାଡ଼ରେ କମ୍ପିଉଠିଲା ସଭା ମଣ୍ଡପ । ହଠାତ୍‌ କଲେଜର ଅଧ୍ୟକ୍ଷ ମହାଶୟ ଗମ୍ଭୀର ହୋଇ ଠିଆ ହୋଇଗଲେ । କହିଲେ—‘‘ମୁଁ କୁମାରୀ ଲୋପାମୁଦ୍ରାଙ୍କ ପ୍ରସ୍ତାବକୁ ଆନ୍ତରିକ ସ୍ୱାଗତ କରୁଛି । ଦେଶକୁ ସାହାଯ୍ୟ କରିବା ଲାଗି ନିଶ୍ଚୟ ପନ୍ଦର ଦିନ କଲେଜ ବନ୍ଦ ରହିବ । ଏ ଦିଗରେ ସରକାରଙ୍କୁ ସାହାଯ୍ୟ ମଗାଯିବ । ମୋର ବିଶ୍ୱାସ..ନିଶ୍ଚୟ ଛାତ୍ର ଓ ଅଧ୍ୟାପକ ଦଳ ଏ ଦିଗରେ ସାହାଯ୍ୟ କରିବେ । ଆଗଭର ହୋଇ ଆଗକୁ ବାହାରି ପଡ଼ିବେ ।

ପୁଣି କରତାଳି କମ୍ପିଉଠିଲା...

ସତେ ଅବା ବାନର ସେନା ଏହି ଛାତ୍ର ଦଳ, ଏମାନେ ଇଚ୍ଛା କଲେ ଯେ କ’ଣ ନ କରି ପାରିବେ—ଏମିତି କିଛି ନାହିଁ । କେବଳ ତାଙ୍କ ମନ ମନେଇ ପାରିବା ହିଁ ସବୁଠୁ ବଡ଼ କଥା ।

ବିଭିନ୍ନ ସ୍ଥାନକୁ ଛାତ୍ର ଛାତ୍ରୀମାନେ ଯିବାପାଇଁ ନିର୍ଦ୍ଧାରିତ ଦିନ ଠିକ୍‌ ହୋଇଗଲା । ଦଳ ଦଳ ହୋଇ ଛାତ୍ର ଛାତ୍ରୀ ଅଧ୍ୟାପକମାନେ ସଜ ହୋଇ ପଡ଼ିଲେ ।

ଦୈନିକ ଖବରକାଗଜରେ ମଧ୍ୟ ଏ ଖବର ପ୍ରକାଶିତ ହୋଇଗଲା । ସମ୍ପାଦକୀୟ ସ୍ତମ୍ଭରେ କୁମାରୀ ଲୋପାମୁଦ୍ରାଙ୍କୁ ଭୂୟସୀ ପ୍ରଶଂସା କରାଗଲା । ସକାଳର ଖବରକାଗଜଟାରେ ଆଖି ବୁଲାଇ ଆଣୁ ଆଣୁ ଚମକି ପଡ଼ିଲେ ଶାନ୍ତନୁ । ଖବରଟି ପଢ଼ି ସାରିବା ବେଳକୁ ତାଙ୍କ ଚକ୍ଷୁ ଅଶ୍ରୁସିକ୍ତ ହୋଇ ଯାଇଥିଲା । ହଠାତ୍‌ ଚିତ୍କାର କରି ଉଠିଲେ ସେ । ...‘‘ଲୋପା..ଲୋପ !’’

ପଢ଼ା ଟେବୁଲ ନିକଟରୁ ଉଠିଆସିଲା ଲୋପାମୁଦ୍ରା ।

ବିଗଳିତ ନୟନରେ ଚାହିଁ ରହିଛନ୍ତି ଶାନ୍ତନୁ । କପାଳରେ ପ୍ରଶାସ୍ତିର ଅସଂଖ୍ୟ କୋକନଦ ଫୁଟି ଉଠୁଥିଲା । ନିଜର ପୁଲକିତ ବକ୍ଷ ଆଡ଼କୁ ସେ ଟାଣିନେଲେ ଲୋପାମୁଦ୍ରାକୁ । ହସି...ହସି ବେଦମ୍‌ ହୋଇପଡ଼ି କହିଲେ—‘‘କାହିଁକି ମାଆ..ମୁଁ ତୋ ନିକଟରେ କି ପାପ କରିଥିଲି ଯେ—ମୋତେ ଏପରି ଗୋଟିଏ ଖବର ତୁ କହିନାହୁଁ ।’’

 

ଆଶ୍ଚର୍ଯ୍ୟ ହୋଇ ବାପାଙ୍କ ଆଡ଼େ ଚାହିଁ ଲୋପା କହିଲା—‘‘କୋଉ କଥା ବାପା ! ମୁଁ ତୁମକୁ ତ’ କିଛି ଲୁଚାଇ ନାହିଁ ?’’ ଖବରକାଗଜଟାକୁ ଲୋପାମୁଦ୍ରା ନିକଟକୁ ବଢ଼ାଇ ଦେଇ ଶାନ୍ତନୁ କହିଲେ—‘‘ନାଇଁ...ନାଇଁ. ଏଇ ଖବର କଥା ମୁଁ ପଚାରୁଛି ।’’

 

ଖବରଟି ଆଡ଼େ ଆଖି ବୁଲାଇ ଆଣି କେବଳ ସ୍ଥାଣୁ ଭଳି ଠିଆ ହୋଇ ରହିଲା ଲୋପାମୁଦ୍ରା ।

 

ଆଶ୍ଚର୍ଯ୍ୟ ହୋଇ ଶାନ୍ତନୁ କହିଲେ—‘‘କାହିଁକି କ’ଣ ହେଲା ଲୋପା.. ! ଏମିତି ନୀରବ ହୋଇଗଲୁ ଯେ ?’’

 

ନୂଆ କରି ଆଜି ଲୋପାମୁଦ୍ରାର ଚକ୍ଷୁରୁ ଝରିପଡ଼ିଲା ଅଶ୍ରୁ । ବେଦନାର୍ତ୍ତ କଣ୍ଠରେ କହିଲା ସେ—‘‘ନାଇଁ ବାପା ! ପ୍ରସ୍ତାବଟି ଦେଇ ମୁଁ କଲେଜରୁ ବିଜୟ ଗର୍ବରେ ଚାଲି ଆସିଥିଲି । ହେଲେ ପରେ ଯେତେବେଳେ’’...

 

ଆଉ କହି ପାରିଲାନି ଲୋପାମୁଦ୍ରା । ବାଷ୍ପରୁଦ୍ଧ ହୋଇଗଲା ତା’ର କଣ୍ଠ...

 

କାତର ଭାବେ ମିନତି କଲା ଭଳି ଶାନ୍ତନୁ କହିଲେ—‘‘କିନ୍ତୁ କ’ଣ ହେଲା ତା’ ହେଲେ ତୋର ?’’

 

ଅକୁହା କଥା କହିଲେ ଅନେକ ସମୟରେ ବେଦନା ଲାଗେ ମଣିଷ ମନରେ । ତଥାପି ବାପାଙ୍କର ଅନୁରୋଧ ଏଡ଼ାଇ ନ ପାରି ଲୋପାମୁଦ୍ରା କହିଲା—‘‘ନାଇଁ ବାପା..ମନ ଦୁଃଖ କରିବାରେ ମୋର ଅନ୍ୟ କିଛି କାରଣ ନାହିଁ । ହେଲେ ପ୍ରତିନିଧି ଦଳଙ୍କ ସହିତ ମୁଁ ସହଯୋଗ କରି ନ ପାରୁ ଥିବାରୁ ଦୁଃଖିତା ।’’

 

କମ୍ପିତ ଗଳାରେ ଶାନ୍ତନୁ କହିଲେ—‘‘କିନ୍ତୁ କାହିଁକି...କାହିଁକି ଲୋପା..ସହଯୋଗ କରିବାରେ ତୋର ବାଧା କ’ଣ ଅଛି ?’’

 

ହସିଲା ଲୋପାମୁଦ୍ରା । ‘‘ନାଁ ବାପା ! କାରଣ କିଛିନାହିଁ ମୁଁ ଜାଣେ । ତୁମେ ମୋତେ ଯିବା ପାଇଁ ମନା କରିବନି ମୁଁ ଜାଣେ । ତଥାପି...’’ ପୁଣି ନୀରବ ରହିଲା ଲୋପାମୁଦ୍ରା ।

 

‘‘କହ.....କହ....ତୋର କ’ଣ ଅସୁବିଧା ।’’ ଶାନ୍ତନୁଙ୍କ କଣ୍ଠରେ ଏକରକମ୍‌ ମିନତିର ଆର୍ତ୍ତନାଦ ।

 

ବିଗଳିତ କଣ୍ଠରେ ଲୋପାମୁଦ୍ରା କହିଲା—‘‘ନାଁ ବାପା ! ଅସୁବିଧା କିଛିନାହିଁ । ହେଲେ ଦେଶର ଖାଦ୍ୟଶସ୍ୟକୁ ରକ୍ଷା କରିବା ଯେମିତି ଦେଶବାସୀଙ୍କର କାମ, ଏ ପରିବାରରେ ତୁମକୁ ରକ୍ଷା କରିବା ସେମିତି ମୋର କାମ । ତୁମକୁ ମୁଁ କାହ ଦାୟିତ୍ୱରେ ଛାଡ଼ିଯିବି ? ଏ କଥା ସତ ଯେ..ତୁମକୁ ମୁଁ ଖାଇବାକୁ ଦିଏନି..ରୋଷେଇ କରି ଦିଏନି, ତୁମ ଲୁଗା କାଚି ଦିଏନି, ତୁମ ଦେହ ହାତ ଘଷି ଦିଏନି । ହେଲେ ଅଲିଅଳ ଝିଅପରି ବଢ଼ି ମଧ୍ୟ ଦୂରବୀକ୍ଷଣ ଯନ୍ତ୍ର ଭଳି ଦୂରରେ ଥାଇ ମୁଁ ସବୁ ତନଖି କରୁଥାଏ । ସତର୍କ ଦୃଷ୍ଟି ରଖିଥାଏ । ଟିକିନିଖି ଖବର ବୁଝୁଥାଏ । ମୋ ଅନୁପସ୍ଥିତିରେ ଏ କାମ ଆଉ କିଏ କରିବ ବାପା ! ତୁମେ ସେବାରେ ଅବହେଳା ହେଲେ ମୁଁ କାହାକୁ ଦୋଷ ଦେବି-।’’

 

ନିର୍ବାକ୍‌ ହୋଇ ଠିଆ ହୋଇଥିଲେ ଶାନ୍ତନୁ । ଝର ଝର ଲୋତକର ସ୍ରୋତରେ ତିନ୍ତି ଯାଉଥିଲା ସିମେଟ୍‌ ଚଟାଣ-

 

ହଠାତ୍ କଥାର ମୋଡ଼ ବୁଲାଇ ଶାନ୍ତନୁ କହିଲେ—‘‘କାହିଁକି ମାଆ.., ତୋ ବାପାକୁ ତୁ କ’ଣ ଅଥର୍ବ ବୋଲି ଭାବୁଛୁ ? ଏଇ ସାମାନ୍ୟ କେତେ ଦିନ ପାଇଁ କ’ଣ ମୁଁ ନିଜକୁ ନିଜେ ଚଳାଇ ପାରିବିନି ? ମୁଁ ଯେମିତି ତୋ’ ନିକଟରେ ଗୁରୁତ୍ୱପୂର୍ଣ୍ଣ...ଏ ଦେଶଟା ବି ତ’ ଠିକ୍ ସେମିତି ଗୁରୁତ୍ୱପୂର୍ଣ୍ଣ ?’’

 

ପୁଣି ହସିବାକୁ ଚେଷ୍ଟାକଲା ଲେପା—‘‘ହଁ ବାପା ! କଥା ଛଳରେ ତୁମେ ତୁମ କର୍ତ୍ତବ୍ୟ କଥା ହିଁ କହୁଛ । ଠିକ୍‌ ଏହି ସମୟରେ ମୁଁ ତ’ ମୋ କର୍ତ୍ତବ୍ୟ ଦେଖିବି ।’’

 

ଯୁକ୍ତି ନ କରି ଶାନ୍ତନୁ କହିଲେ...‘‘ନାଁ ମାଆ..ମୋର କିଛି ଅସୁବିଧା ହେବନି, ଓଲଟି ବାପା ହିସାବରେ ମୁଁ ତୋତେ ଅନୁରୋଧ କରୁଛି, ତୁ ଦେଶକୁ ସାହାଯ୍ୟ କର । ଏଥିରେ ମୁଁ ଖୁବ ଖୁସି ହେବି । କିନ୍ତୁ ଯେତେଦିନ ତୁ ବାହାରେ ରହିବୁ..ସେତେଦିନ ଅନ୍ତତ୍‌ ନିଜ ଦେହ ପ୍ରତି ନିଜେ ସତର୍କ ରହିବୁ । ମଫସଲ ପାଣି ତୋ’ ଦେହରେ ଚଳିନି ତ’...’’

 

ମନେ ମନେ ହସୁଥିଲା ଲୋପାମୁଦ୍ରା । ପ୍ରତ୍ୟେକ ବାପା ମାଆଙ୍କର ନିଜର ସନ୍ତାନ ପ୍ରତି ଏ ଯେଉଁ ସତର୍କବାଣୀ..ସେ ଯୁଗକ ପାଇଁ । ବାପା ମାଆ ବୃଦ୍ଧ, ବୃଦ୍ଧା ହୋଇ ନିଜେ ଚାଲି ନ ପାରୁଥିଲେ ମଧ୍ୟ ପୁଅ ଝିଅଙ୍କୁ ସତର୍କ କରନ୍ତି, ନିରାପଦ ରଖିବାକୁ ଚେଷ୍ଟା କରନ୍ତି ।

 

ମୁହଁ ଖୋଲିଲା ଲୋପାମୁଦ୍ର—‘‘ହଁ ବାପା ! ମୁଁ ତୁମ କଥା ମିନିବ ।’’

 

ଲୋପାମୁଦ୍ରାର ସମ୍ମତିରେ ହସିଉଠିଲା ଶାନ୍ତନୁଙ୍କର ସମଗ୍ର ହୃଦୟ ରାଜ୍ୟ । ଓକିଲ ଶାନ୍ତନୁଙ୍କର ଏକମାତ୍ର କନ୍ୟା ଲୋପାମୁଦ୍ରା । କେବଳ ଲୋପାମୁଦ୍ରା ପାଇଁ ହିଁ ସେ କରନ୍ତି ଅକ୍ଲାନ୍ତ ପରିଶ୍ରମ । ସତ କହିବାକୁ ଗଲେ ଜଗତରେ ଅପତ୍ୟ ସ୍ନେହ ହିଁ ଏକ ବିଚିତ୍ର ମୋହ । ଏ ମୋହ ଆଦିମ । ଅନ୍ତରର ଅଭ୍ୟନ୍ତରରେ ଏ ମୋହ ଆତ୍ମପ୍ରକାଶ କରେ । ଏ ମୋହକୁ ଲେଖାରେ ଲେଖି ହୁଏନାହିଁ । କଥାରେ କହି ହୁଏନାହିଁ । ଏକ ଚରମ ଆତ୍ମଗ୍ଲାନି ମଧ୍ୟରେ ହିଁ ଏ ମୋହ ତାହାର ସ୍ୱରୂପ ପ୍ରକାଶ କରେ ।

 

ଖୁବ୍‌ ଅଳ୍ପ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଗଲେ ଛାତ୍ର, ଛାତ୍ରୀ ଓ ଅଧ୍ୟାପକ ଦଳ । ଲୋପାମୁଦ୍ରା ନିକଟକୁ ଖବର ଆସିଲା । ସେ ମଧ୍ୟ ପ୍ରସ୍ତୁତ ହେଲା । ଆର୍ଦ୍ର ନୟନରେ ଶାନ୍ତନୁ ବିଦାୟ ଦେଲେ ଲୋପାମୁଦ୍ରାକୁ, ଜାତିର ସେବା ପାଇଁ ।

 

ଲୋପାମୁଦ୍ର । ଜାଣିଲା—ତାଙ୍କ ଦଳର ଅଧିନାୟକତ୍ୱ କରୁଛନ୍ତି ଅଧ୍ୟାପକ ହେମକାନ୍ତ । ଏକ ନିଭୃତ ଶାନ୍ତିରେ ପୁଲକି ଉଠିଲା ସେ । ଅନେକ ସମୟରେ ମଣିଷ ବାଞ୍ଛତ ଜିନିଷ ପାଇଲେ ଏମିତି ହିଁ ଶାନ୍ତି ଅନୁଭବ କରେ ।

 

ଆଗେଇ ଚାଲିଲେ କୃଷି ସେନା ପ୍ରତିନିଧି ଦଳ..

 

ପାଟ ପରେ ପାଟ...ଗାଁ ପରେ ଗାଁ...ସେମାନଙ୍କର ଲକ୍ଷ୍ୟସ୍ଥଳୀ.....

 

କାନ୍ଧରେ ସ୍ପ୍ରେଅର ଯନ୍ତ୍ର ଧରି ଚାଲିଛି ଲୋପାମୁଦ୍ରା । କୀଟନାଶକ ଔଷଧ ଟିଣଟିଏ କାନ୍ଧରେ ବହି ବହି ଚାଲିଛନ୍ତି ଅଧ୍ୟାପକ ହେମକାନ୍ତ । ଭାର ବହିବାର ଅଭ୍ୟାସ ନାହିଁ । ପରିଶ୍ରମ କରିବାର କୌଶଳ ଜଣାନାହିଁ । ତଥାପି ଆଗେଇ ଚାଲିଛନ୍ତି ସେମାନେ । ଏଲଡ଼୍ରିନ୍‌, ଏନଡ଼୍ରେକ୍‌ସ, ମାଲାଥିଆନ୍‌, ଗ୍ୟାମାକ୍‌ସିନ୍‌, ଫଲିଡ଼ଲ୍‌, ଡ଼ି.ଡ଼ି.ଟି ଇତ୍ୟାଦି ପୋକମରା ଔଷଧ ଧରି ଏମାନେ ଯୁଦ୍ଧ କରିବେ ଫସଲର ଚିର ଶତ୍ରୁ କୀଟମାନଙ୍କ ସହିତ ।

 

ଶୁଣାଅଛି..ଆଫ୍ରିକାର କୃଷକମାନେ ଝିଣ୍ଟିକାମାନଙ୍କ ସହିତ ଯୁଦ୍ଧ କରନ୍ତି । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ଉଡାଜାହାଜ ଦ୍ୱାରା ମଧ୍ୟ ଏମାନଙ୍କ ସହିତ ଯୁଦ୍ଧ କରିବାକୁ ପଡ଼େ । ଠିକ ସେହି ଅବସ୍ଥା ହିଁ ଏବେ ଦେଖା ଦେଇଛି ଭାରତର ଶସ୍ୟ କ୍ଷେତ୍ରରେ ।

 

ପିଠିରୁ ସ୍ପ୍ରେଅର ଯନ୍ତ୍ରଟି ଓହ୍ଲାଇ କିଛି ସମୟ ପାଇଁ ବିଶ୍ରାମ କଲା ଲୋପାମୁଦ୍ରା । ମଫସଲ ରାସ୍ତା । କାଦୁଅ ପଚ ପଚ ରାସ୍ତାରେ ବର୍ଷାଦିନିଆଁ ଜୋତା ହଳକୁ ଛାଡ଼ି ଆସିବାକୁ ହୋଇଛି । ଗୋଡ଼ ଚଳୁ ନାହିଁ ।

 

ଯାଜପୁର ସହରରୁ ବାହାରି ଛାତ୍ର ଛାତ୍ରୀମାନେ ବୁଢ଼ା ନଈ ପାର ହୋଇ ଯାଇଛନ୍ତି । ଏହି ଗାଁ ଖଣ୍ଡକ ପାର ହେଲେ ବିରାଟ ବାରମାଣିଆଁ ପାଟ, ଆଖି ପାଉନାହିଁ । ଦିଗ ଦିଶୁ ନାହିଁ । ଚତୁର୍ଦିଗରେ କେବଳ ଧାନ ଗଛର ସମୁଦ୍ର ।

 

ଲୋକ କଥା ଅଛି—ଏହି ବାରମାଣିଆଁ ପାଟ ଭିତରେ ଖରାଦିନା ଖରାବେଳେ..ଚାଷ କରୁଥିଲା ଜଣେ ଚାଷୀ । ପାଣି ବିନା ଶୁଖି ଯାଉଥିଲା ତା’ର ତଣ୍ଟି ।

 

ବେଳ ଗଡ଼ି ଯାଇଥିଲା । ଅଗନା ଅଗନି ପାଟ । ପାଣିର ଦେଖା ଦର୍ଶନ ନାହିଁ । ବେଳେ ବେଳେ ଘରଣୀର ଆଗମନକୁ କାତର ନୟନରେ ଚାହୁଁଥିଲା ସେ ।

 

ଖରାଦିନର ଖରାଟା ପାଟ ମଝିରେ ମଣିଷଖିଆ ରାକ୍ଷସ ଭଳି ନାଚୁଥିଲା । ମରୀଚିକାର ତରଙ୍ଗ ଭିତରେ ଛାତି ଦୁଲୁକୁ ଥିଲା । ତଥାପି ପ୍ରଚଣ୍ଡ ଖରା ଆଉ ଶୁଖିଲା ମାଟି ସହିତ ଯୁଦ୍ଧ କରି ଚାଷୀ ଜଣକ ଅପେକ୍ଷା କରୁଥିଲା ପର ମୁହୂର୍ତ୍ତକୁ ।

 

ଏଣେ ନହୁଲୀ ରୂପବତୀ କୃଷକ ରମଣୀର ଘରକାମ ସରୁ ସରୁ ଡେରି ହୋଇଯାଇଛି । ମଦରଙ୍ଗା ଆଉ କାନିସିରୀ ପତରର ଖରଡ଼ା ସହିତ ଗଣ୍ଡାଏ ପଖାଳ ଓ ନୋଟାଏ ପାଣି ଧରି ଦୋହଲି ଦୋହଲି ଚାଲିଛି ସେ । ମନରେ ଭୟ । ଏ ଡେରି ହେଲା ବୋଲି ଗାଳି ଦେବେନି ତ ?

 

ପାଟ ମୁଣ୍ଡର ମୁଣ୍ଡିଆ ଉପରକୁ ଉଠିଲା କୃଷକ ରମଣୀ । ପାଖ ତଣ୍ଡିବଣ ପାର ହେଲେ ଆହୁରି ଅନେକ ବାଟ ଯିବାକୁ ହେବ । ପ୍ରାୟ ମଝି ପାଟରେ ହଳ କରୁଛନ୍ତି ସ୍ୱାମୀ ତା’ର ।

 

ମାଟି ଢେଲା ସହିତ କସରତ କରି କରି ଆଉ ମୋଡ଼ ବୁଲି ପାରୁନି ବାଉଁଆ କସରା ବଳଦଟା । ପାଞ୍ଚଣଟାକୁ ହାତରେ ଧରି ପାହାରେ ଦି’ପାହାରେ ପିଟି ଦଉଛି କୃଷକ ।

 

ନାଁ...ଆଉ ହେବନି । ପାଟି ଶୁଖିଯାଉଛି । ମୁଣ୍ଡ ଘୂରାଇ ଦେଉଛି । କାତର ନୟନରେ ଗାଁ ଆଡ଼କୁ ଚାହିଁଲା କୃଷକ । ଅନେକ ବାଟ । ହଳ ଛାଡ଼ି ଯାଇ ହେବନାହିଁ । ଗଲେ ଆଉ କାମ ସରିବନି । ଆସନ୍ତା କାଲି ଅନ୍ୟ ଥାନକୁ ହଳ ନେବାକୁ ହେବ । ତେଣୁ ଆଜି ଏ ବିଲ ସରିବା ଉଚିତ-। କିନ୍ତୁ କାହିଁ…ରତନୀ ବୋଉର ଦେଖାନାହିଁ । କ’ଣ କରିବ ! ଏକୁଟିଆ ଲୋକ..ଧାନଉଁସା ସାରି ଶାଗଟିକେ ଭାଜୁ ଭାଜୁ ଡେରି ହୋଇ ଯାଇଥିବ । ନିଜକୁ ନିଜେ ସାନ୍ତ୍ୱନା ଦେଲା ସେ ।

 

ନାଁ..ଆଉ ହେଉନି । ପାଣି ପାଇଁ ଜୀବ ଛାଡ଼ିଯିବ । ହଳ ଠିଆ କରି ପୁଣି ଗାଁ ଦାଣ୍ଡକୁ ଚାହିଁଲା । ମନରେ ଆଶାର ପ୍ରଳୟ ବହ୍ନି । ମୁଣ୍ଡରେ ପାଣି ନୋଟା ଧରି ଆସୁଛି ରତନୀ ବୋଉ । ଟିକେ ପରିଶ୍ରମ କରି ଧାଇଁଗଲେ ମିଳିବ ପାଣି ନୋଟାଟା । ଢକ୍‌ଢକ୍‌ କରି ମୁନ୍ଦାଏ ପିଇ ଦେଇ ହେବ । ପାଞ୍ଚଣଟାକୁ ସେମିତି ହାତରେ ଧରି ଆଗକୁ ଧାଇଁଗଲା କୃଷକ ।

 

ଏଣେ ରତନୀ ବୋଉ ଛାତି ଦୁଲୁ ଦୁଲୁ । ‘ଡେରି ହେଇ ଯାଇଥିଲା ଖରାଦିନ । ସେଥିପାଇଁ ରାଗିଛନ୍ତି ନିଶ୍ଚୟ । ନ ହେଲେ ପାଞ୍ଚଣ ଧରି ମୋ ଆଡ଼କୁ ମାଡ଼ି ଆସନ୍ତେ କାହିଁକି ।’ ଭାବୀ ମାଡ଼ର ଭୟରେ କମ୍ପି ଉଠିଲା ରତନୀ ବୋଉ । ନାଁ...ନାଁ....ମୋର ପଳାଇବା ଉଚିତ । ନ ହେଲେ ପାଟଟା ମଝିରେ ବାଟ ଓଗାଳିବାକୁ କେହି ନାହିଁ ।

 

ହଠାତ୍‌ପାଣି ନୋଟା ଓ ପଖାଳ କଂସାଟାକୁ ତଳେ କଚାଡ଼ି ଦେଇ ଦୌଡ଼ି ଦୌଡ଼ି ପୁଣି ଗାଁ ଭିତରକୁ ପଳାଇଲା ରତନୀ ବୋଉ ।

 

ଧଇଁ ସଇଁ ହୋଇ ପାଣିର ଆଶାରେ ଧାଇଁଛି କୃଷକ । ତଣ୍ଟି ଶୁଖିଯାଉଛି । ଦେହ ଥରି ଉଠୁଛି । ମୁଣ୍ଡ ଗୋଳମାଳ ହୋଇଯାଉଛି । କିନ୍ତୁ ଏ କ’ଣ ରତନୀ ବୋଉ ପଳାଇଗଲା ଯେ....

 

ଆଉ ଆଗକୁ ଯାଇ ପାରିଲାନି । ହାମ୍ବୁଡ଼ାଇ ପଡ଼ିଲା ସେ ପାଣି ନୋଟା ପଡ଼ିଥିବା ସ୍ଥାନକେ । ନୋଟାକଯାକ ପାଣିକୁ ପିଇଯାଇଛି ଖରାଦିନିଆଁ ଶୁଖିଲା ମାଟି । କୃଷକ ପାଇଁ କିଛି ନାହିଁ । ପ୍ରାଣ ବିକଳରେ ନୋଟାଟିକୁ କାମୁଡ଼ି ପକଇଲା ଚାଷୀ, ନାଁ...ଶୂନ୍ୟ ନୋଟା । ଆଉ ହେବନି... ପ୍ରାଣ ଛାଡ଼ିଯିବ । ପାଣି ଭିଜା ଓଦା ମାଟିକୁ ପୁଳାପୁଳା କରି କାମୁଡ଼ି ଚାଲିଛି ସେ, କିନ୍ତୁ ଓଦା ମାଟି କ’ଣ ମଣିଷର ଶୋଷ ମାରି ପାରେ ? ରକ୍ତ ଚିହୁଁଙ୍କିଛି କୃଷକର ନୟନ ଯୁଗଳରେ । କରୁଣ, ଆର୍ତ୍ତଚିତ୍କାର କରୁଛି କୃଷକ ‘‘ରତନୀ ବୋଉ, ପାଣି, ପାଣି, ପାଣି ।’’

 

କିନ୍ତୁ କାହିଁ ରତନୀ ବୋଉ ? ମାଡ଼ ଭୟରେ ସେ ଚାଲିଯାଇଛି ବହୁ ଦୂରକୁ । ଏ ଛାତିଫଟା ଚିତ୍କାର ଶୁଭୁନି ତାକୁ ।

 

ପାଣି ଆଶାରେ ଦୁଇ ହାତର ଆଙ୍ଗୁଳି ଦେହରେ ପାଣି ଭିଜା ଶୁଖିଲା ଭୂଇଁକୁ ବିଦାରିବାରେ ଲାଗିଛି କୃଷକ । ହେଲେ ବାରମାଣିଆଁ ପାଟର ଛାତି ଖୁବ୍‌ଟାଣ । ସେ ଛାତିକୁ ଫାଡ଼ି ପାଣି ବାହାର କରିବା କ’ଣ କଦାପି କୃଷକ ପକ୍ଷରେ ସମ୍ଭବ ?

 

ପ୍ରଚଣ୍ଡ ସୂର୍ଯ୍ୟ ତାପରେ ଏଣେ ଜଳି ଯାଉଛି ଦେହ ହାତ । ଉଠି ପାରୁନି । ଦେହ ହାତ ଅବଶ ହୋଇ ଆସୁଛି । ଶେଷରେ ଥରି ଥରି ନିଶ୍ଚଳ ହୋଇଗଲା କୃଷକର ଦୁଇ ଓସାରିଆ ଛାତିର ସ୍ପନ୍ଦନ । ଚିରଦିନ ପାଇଁ ଶାନ୍ତିର ନିଦ୍ରାରେ ସେ ଶୋଇଗଲା ସେହି ଭୂଇଁ ଉପରେ ।

 

କୃଷକର ଜଡ ଶରୀରଟା ତଳଲା ମାଟି ଉପରେ ପଡ଼ି ନ ଥିଲା ଯେ—ସେ ମାଟିରେ ପଡ଼ି ଅଳି କରୁଥିଲା ପାଣି ପାଇଁ । ସେହି ନିର୍ମମ କାହାଣୀର ସ୍ରଷ୍ଟା ଏଇ ଦିଗହଜା ବାରମାଣିଆଁ ପାଟ ।

 

ପାଟ ଆଡ଼ୁ ଆଖି ଫେରାଇଲା ଲୋପାମୁଦ୍ରା ।

 

ଆହା କି କରୁଣ ଏ ଦୃଶ୍ୟ । ଏଇ ପାଟ ଆମ ଦେଶର ଭାତ ଥାଳି । ଏଇ ପାଟରେ ଧାନ ହସିଲେ ମଣିଷର ମନ ହସିବ, କିନ୍ତୁ...

 

ଆଖି ହଜା ଧାନକ୍ଷେତର ଶ୍ରୀକୁ ସତେ ଯେମିତି କିଏ କାଢି ନେଇ ଯାଇଛି, ମଝିଗଡ଼ରୁ ଭାଙ୍ଗି ପଡ଼ୁଛି ଧାନଗଛ । ପ୍ରତ୍ୟେକ ଗଛରେ କେବଳ ପୋକ ସାଲୁବାଲୁ । କେଉଁଠି ଧଳି ପୋକତ କେଉଁଠି ନାଲି ପୋକ । ଧାନ ଗଛର ଥୋଡ଼ ଦେହରେ ପଶି ଏମାନେ ଗଛକୁ ଗଡ଼ ଗଡ଼ କରି କାଟି ନଷ୍ଟ କରି ପକାଉଛନ୍ତି । ମୁଣ୍ଡରେ ହାତ ଦେଇ ବସିଛନ୍ତି କୃଷକମାନେ ।

 

ପାଟର ଗୋଟିଏ ମୁଣ୍ଡରୁ ଆରମ୍ଭ ହେଲା ସ୍ପ୍ରେୟିଂ ।

 

ବିଷାକ୍ତ ଏନ୍‌ଡ୍ରିନ୍‌, ଫଲିଡ଼ଲର ଗନ୍ଧ ଖେଳି ବୁଲିଲା ସମଗ୍ର ପାଟର ବାୟୁମଣ୍ଡଳରେ । ଆଗକୁ ଆଗକୁ ମାଡ଼ି ଚାଳିଛନ୍ତି ଛାତ୍ର, ଛାତ୍ରୀ ଅଧ୍ୟାପକ ଦଳ ।

 

ଦିନ ଶେଷ ପ୍ରାୟ । ତଥାପି ପାଟର ଅନେକ ଅଂଶ ବାକି ଅଛି । ଆହୁରି ପରିଶ୍ରମ କରିବାକୁ ହେବ । ଜୀବନମୂର୍ଚ୍ଛା କିଆରୀ ପରେ କିଆରୀ ଆଗେଇ ଚାଲିଛି ଲୋପାମୁଦ୍ରା ।

 

ହଠାତ୍‌ ଲୋପାମୁଦ୍ରା ନିକଟକୁ ଲାଗି ଆସିଲା ହେମକାନ୍ତ ସାମାନ୍ୟ କେତେ ସମୟ ପାଇଁ ରୋକିଗଲା ଲୋପାମୁଦ୍ରାର ହାତ ।

 

‘‘ଏବେ ତୁମେ ଟିକେ ବିଶ୍ରାମ ନିଅ ଲୋପା ।’’ ଅଧ୍ୟାପକ ହେମକାନ୍ତର ପ୍ରାଣରେ ଦରଦ-

 

ଲକ୍ଷ୍ୟହୀନ ଭାବେ ହେମକାନ୍ତକୁ ଚାହିଁ ଲୋପାମୁଦ୍ରା କହିଲା..‘‘ନାଁ, ଆଜିକା କାମ ଶେଷ ହୋଇନି । ଆଉ କିଛି ପରିଶ୍ରମ କରିବାକୁ ହେବ ।’’

 

ଆଶ୍ଚର୍ଯ୍ୟ ହେଲା ହେମକାନ୍ତ । ଏଇ କ’ଣ ବାରିଷ୍ଟର ଶାନ୍ତନୁଙ୍କର କନ୍ୟା ସୁକୋମଳା ଲୋପାମୁଦ୍ରା ? କେଉଁଠି ବା ଗୁପ୍ତ ଥିଲା ଏ ଉତ୍ସାହ, ଏ ଉଦ୍ଦୀପନା, ଏ ଧୈର୍ଯ୍ୟ, ଏ ପରିଶ୍ରମ ?

 

ତଥାପି ବାଧ୍ୟ କରି ହେମକାନ୍ତ କହିଲା–‘‘ମୋ କଥା ମାନ ଲୋପାମୁଦ୍ରା ! ଅନ୍ତତ୍‌ଆଜିକା ପାଇଁ ତୁମେ ବିଶ୍ରାମ ନିଅ ।’’

 

ପ୍ରତିବାଦ କରିଉଠିଲା ଲୋପାମୁଦ୍ରା । ‘‘ନାଁ, ଆପଣ ମୋତେ ବାଧା ଦିଅନ୍ତୁ ନି । ମୋ କର୍ତ୍ତବ୍ୟ ମୁଁ ଶେଷ କରେ ।’’

 

ପୁଣି ସ୍ପ୍ରେୟର ଧରି ଆଗେଇଲା ଲୋପାମୁଦ୍ରା ।

 

ଲୋପାମୁଦ୍ରାର କଥାରେ ଅନୁପ୍ରାଣିତ ହୋଇ ହେମକାନ୍ତ ମଧ୍ୟ ଆଗେଇ ଚାଲିଲା କାମରେ ।

 

ସମୟ ଗଡ଼ି ଚାଲିଥାଏ ।

 

ହଠାତ୍‌ ମଝି ପାଟରୁ ଚିତ୍କାର କରି ଉଠିଲେ ଅଧ୍ୟାପକ ରାୟ । ‘‘ଦୌଡ଼ି ଆସନ୍ତୁ..ଦୌଡ଼ି ଆସନ୍ତୁ ହେମକାନ୍ତ ବାବୁ ! ବିଷାକ୍ତ ବାଷ୍ପକୁ ଆଉ ସହି ନ ପାରି କୁମାରୀ ଲୋପାମୁଦ୍ରା ସଂଜ୍ଞାହୀନା-।’’

 

ସ୍ପୋୟର ଯନ୍ତ୍ରଟାକୁ ଫୋପାଡ଼ି ଦେଇ ଆଗକୁ ଦୌଡ଼ିଗଲା ହେମକାନ୍ତ । ବଜ୍ରର ଗମ୍ଭୀର ନାଦରେ ଯେମିତି ପାହାଡ଼ର ଛାତି କମ୍ପି ଉଠେ, ସେମିତି କମ୍ପି ଉଠିଥିଲା—ହେମକାନ୍ତର ସମଗ୍ର ଶରୀର । ଭାବବିହ୍ୱଳରେ ଏକରକମ ଲୋପାମୁଦ୍ରାକୁ ଛାତିଉପରକୁ ଟେକି ନେଇ କହିଲା—‘‘ମୁଁ ବାର ବାର ଅନୁରୋଧ କରୁଛି ଲୋପା ! ତୁମେ ବିଶ୍ରାମ ନିଅ । ହେଲେ ମୋ କଥା ନ ମାନି ଏ କ’ଣ ହେଲା ? କିଛି ଭଲ ମନ୍ଦ ହେଲେ, କି କୈଫିୟତ ଦିଆଯିବ ଶାନ୍ତନୁ ବାବୁଙ୍କୁ ?’’

 

ଆଉ କାଳକିଳମ୍ବ ନ କରି ଛାତ୍ର, ଅଧ୍ୟାପକ ଦଳ ଫେରି ଆସିଲେ ଯାଜପୁର ଡାକ୍ତର ଖାନାକୁ । ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ...‘‘ଆଉ କ’ଣ ଲୋପାମୁଦ୍ରାର ସଂଜ୍ଞା ଫେରିବ ନି ?’’

 

ଭୋର ହୋଇ ଆସୁଛି । ସୂର୍ଯ୍ୟକିରଣର ପୂର୍ବରାଗରେ ରଞ୍ଚିତ ହେଉଛି ପୃଥିବୀ । ଆଖି ଖୋଲିଲା ଲୋପାମୁଦ୍ରା ।

 

ଏ କ’ଣ ? ଅଧ୍ୟାପକ ହେମକାନ୍ତଙ୍କ କୋଳରେ ମୁଣ୍ଡ ଦେଇ ଯେ ସେ ଶୋଇଛି ! !

 

କ୍ଲାନ୍ତି ମଦତିଙ୍କ ଭଳି ଆଖିଟେକି ଲୋପାମୁଦ୍ରା ଆଡ଼କୁ ଚାହିଁଲା ହେମକାନ୍ତ । ରାତିସାରା ଉନିଦ୍ର ରହି ହେମକାନ୍ତ ହୋଇଛି ଅବଶ ।

 

ଅପ୍ରତିଭ ହୋଇଥିଲେ ମଧ୍ୟ କୋଳରୁ ମୁଣ୍ଡ ଉଠାଇ ପଳାଇ ଯାଇ ପାରୁନି ଲୋପାମୁଦ୍ରା-। ଅଙ୍ଗପ୍ରତ୍ୟଙ୍ଗରେ ଅସରନ୍ତି ଯୁଗର କ୍ଲାନ୍ତି । ନିଥର ନୟନରେ ଲୋପାମୁଦ୍ରା କେବଳ ଚାହିଁଛି ମେଡିକାଲର କମ୍ପାଉଣ୍ଡ ଭିତରକୁ ।

 

କାଠଚମ୍ପା ଗଛରେ ଫୁଲ ଫୁଟିଛି । କିଏ ଜଣେ ଚେଷ୍ଟାକରୁଛି ସେ ଫୁଲ ତୋଳିବାକୁ । ହୁଏତ କେଉଁ ମନ୍ଦିରର ଶିବଲିଙ୍ଗ ଉପରେ ଏଇ ଫୁଲ ଥାପି ଦେଇ ଆରାଧନା କରିବା ପାଇଁ ତା’ ମନେ ପ୍ରବଳ ଆଗ୍ରହ । ଅମନା ହେଲା ଲୋପାମୁଦ୍ରା । ଜଗତରେ ଫୁଲ ସୃଷ୍ଟି କ’ଣ କେବଳ ଦେବତାର ପୂଜା ପାଇଁ ?

 

ଚମକି ପଡ଼ିଲା ସେ । ଭ୍ରମରର ପୁଲକିତ ଗୁଞ୍ଜନରେ ଏଇ ଫୁଲ ଆତ୍ମହରା ହୁଏ । ସୃଷ୍ଟିର ସ୍ୱପ୍ନ ଦେଖେ । ଫଳ ଧାରଣ ପାଇଁ ଅଳିକରି ବସେ ଭ୍ରମର ନିକଟରେ । ଫଳଲାଭର ଆଶା ଯଦି ଫୁଲ ମନରେ ଛନ୍ଦ ସୃଷ୍ଟି କରୁ ନ ଥାନ୍ତା..ତେବେ ଏତେ ପ୍ରାଣ ଖୋଲି ଫୁଟନ୍ତାନି ଫୁଲ ଦୋହଲି ଉଠିଲା ଲୋପାମୁଦ୍ରାର ଅଙ୍ଗଲତା ।

 

ଆଜି ନୂଆକରି ସେ ଅନୁଭବ କରୁଛି ହେମକାନ୍ତର ଉପସ୍ଥିତି । ହେମକାନ୍ତ ଅଧ୍ୟାପକ ନୁହଁନ୍ତି, ହେମକାନ୍ତ ମଣିଷ ନୁହଁନ୍ତି, ହେମକାନ୍ତ ପୁରୁଷ, ହେମକାନ୍ତ ଦରଦୀ, ହେମକାନ୍ତ ସ୍ନେହୀ । ଦୁର୍ବଳ ହୋଇପଡ଼ିଲା ଲୋପାମୁଦ୍ରାର ମନ ।

 

ପାଖ ବିଛଣାକୁ ଲାଗି ଅନେକ ରୋଗୀ । ସେହି ରୋଗୀମାନଙ୍କ ଭିତରୁ ସେ ଆଜି ଜଣେ । ଗତ ଦିନର କଥାଗୁଡ଼ାକ ନାଚିଉଠିଲା ଲୋପାମୁଦ୍ରା ମନ ଭିତରେ । ହେମକାନ୍ତ ଅନୁରୋଧ କରୁଥିଲେ—‘‘ତୁମେ ବିଶ୍ରାମ ନିଅ ଲୋପାମୁଦ୍ରା । ଅତ୍ୟଧିକ ପରିଶ୍ରମକୁ ତୁମେ ସହ୍ୟ କରି ପାରିବନି ।’’ ହେଲେ ତାଙ୍କ ଅନୁରୋଧକୁ ବେଖାତିର କରି ଉଡ଼ାଇ ହେଇଥିଲା ସେ ।

ମନକୁ ମନ ଦୁଃଖ କରୁଛି ଲୋପା ।

‘‘ମୋର ଭୁଲ୍‌ ହୋଇଯାଇଛି ହେମକାନ୍ତ ବାବୁ ।’’ ଲୋପାମୁଦ୍ରାର ଛଳ ଛଳ ବିଗଳିତ ଆର୍ଦ୍ରକଣ୍ଠ ଚମକ ସୃଷ୍ଟିକଲା ହେମକାନ୍ତର ଛାତିରେ ।

‘‘ଏ କ’ଣ ଲୋପା ? ମଣିଷ କ’ଣ ଭୁଲ୍‌କରେନି, ମଣିଷ ଭୁଲ୍‌ନ କରୁଥିବା ଠିକ୍‌ଟାକୁ ବୁଝନ୍ତା କେମିତି !’’ ଅଭିଭାବକ ଭଙ୍ଗୀରେ କହିଲା ହେମକାନ୍ତ ।

ହସି ଦେଇ ଲୋପାମୁଦ୍ରା କହିଲା—‘‘ତଥାପି ଭୁଲ୍‌ଟା ତ ଭୁଲ୍‌ ? ସେ ପାଇଁ କ୍ଷମାମାଗିଲେ ଦୋଷ କ’ଣ ?’’

ନୀରବ ରହିଲା ହେମକାନ୍ତ...

‘‘କିନ୍ତୁ’’....କଥା ଅଟକିଗଲା ଲୋପାମୁଦ୍ରା ମୁହଁରେ ।

‘‘କୁହ....କୁହ...କ’ଣ କହିବାକୁ ଚାହଁ ।’’ ହେମକାନ୍ତର ନିର୍ଭୟ ବାଣୀ ।

ଝଡ଼ ବେଗରେ ଲୋପାମୁଦ୍ରା କହିଲା—‘‘କିନ୍ତୁ ତୁମେ କୁହ ଦେଖି ମଣିଷର ଭୁଲଟା ନିଶ୍ଚିତମତେ କେତେବେଳେ ଭୁଲ୍‌ ।’’ ପରମୁହୂର୍ତ୍ତରେ ଜିଭ କାମୁଡ଼ି ପକାଇ ଲୋପାମୁଦ୍ରା କହିଲା–‘‘ଆପଣ କହନ୍ତୁ ଦେଖି ଭୁଲ୍‌ଟା କେତେବେଳେ ଭୁଲ୍‌ ।’’

 

ଏଇଥର ଖୁବ୍‌ ହସିଲା ହେମକାନ୍ତ । କହିଲା—‘‘ଠିକ୍‌ ଏତିକିବେଳେ । ଯେତେବେଳେ ମୋତେ ‘ତୁମେ’ ବୋଲି ସମ୍ବୋଧନ କରିବାକୁ ତୁମ ମନରେ ଆଗ୍ରହ ଜନ୍ମିଛି, ସେତେବେଳେ ତୁମେ ଜବରଦସ୍ତ ମୋଡ଼ ଭାଙ୍ଗି ‘ଆପଣ’ ବୋଲି ସମ୍ବୋଧନ କରୁଛ । ଏଇଟା ହିଁ ଜୀବନର ଚରମ ଭୁଲ୍‌ ।’’

 

ରଙ୍ଗା ପଡ଼ିଗଲା ଲୋପାମୁଦ୍ରାର ମୁଖମଣ୍ତଳ ।

 

ହେମକାନ୍ତ କହିଲା—‘‘ତୁମେ ଆଉ ମୋତେ ଆପଣ ବୋଲି ସମ୍ବୋଧନ କରିବନି । ମୁଁ ତୁମର ଅଧ୍ୟାପକ ହୋଇପାରେ । ହେଲେ ଦୁଇ ଜଣଙ୍କର ଧର୍ମ ସମାନ । ତେଣୁ ଆମ ଆଲୋଚନା ଭିତରେ ବଡ଼ ସାନର ବିଚାର ରହିବ କାହିଁକି ?’’

 

ପ୍ରତିବାଦ କରିପାରୁ ନ ଥିଲା ଲୋପାମୁଦ୍ରା....

 

ପୁଣି କଥା ଆରମ୍ଭ କଲା ହେମକାନ୍ତ—‘‘ଏଇ ଦେଖ ଲୋପା ! ବାହାରର ମଧୁମାଳତୀ ଲତାରେ ଫୁଲ ଫୁଟିଛି । ଗୋଟାଏ ଆବରଣ ତଳେ ତା’ର ରୂପକୁ ଘୋଡ଼ାଇ ରଖିବାକୁ ସେ କ’ଣ ଚେଷ୍ଟା କରୁଛି ? ତେବେ ଆମର ଏ ଆବରଣଦିଆ ଜୀବନର ମୂଲ୍ୟ କ’ଣ ?’’

 

ହେମକାନ୍ତର କଥାରେ ସମ୍ବେଦନଶୀଳା ହୋଇଉଠିଲା ଲୋପା । ହେମକାନ୍ତ ମିଛ କହୁ ନାହାଁନ୍ତି । ପାରସ୍ପାରିକ ଆତ୍ମିକତା ଭିତରେ ବଡ଼ ସାନର ବାଛ ବିଚାର ରହିବା ଠିକ୍‌ ନୁହେଁ ।

 

ନିଶ୍ଚଳ ସକାଳର ଛାତିରେ ଦୋଦୁଲ୍ୟମାନ ଉଦୟ ସୂର୍ଯ୍ୟର ବର୍ଣ୍ଣିଳ ମହୋତ୍ସବ । ଠିକ୍‌ ସେହି ମହୋତ୍ସବର ଆଂଶିକ ପୂର୍ବଧ୍ୱନି ପ୍ରକଟିତ ହେଉଛି ଲୋପାମୁଦ୍ରାର ମୁଖମଣ୍ଡଳରେ । ପ୍ରଶାନ୍ତ, ଗମ୍ଭୀର ହୋଇ ସେ ଶୋଇଛି—ହେମକାନ୍ତ କୋଳରେ ମୁଣ୍ଡ ଦେଇ । ଗର୍ବ ଆସୁଛି ଲୋପାମୁଦ୍ରାର-। ତା’ ପାଇଁ ସମବେଦନା ଜଣାଇବାକୁ ଜଗତରେ ଲୋକ ଅଛନ୍ତି...ଏ କମ୍‌କଥା ନୁହେଁ ।

 

ହେଲେ ଲୋପାମୁଦ୍ରା ଯଦି ପୁରୁଷ ମନର ମନସ୍ତତ୍ୱ ଜାଣିଥା’ନ୍ତା..ତେବେ ଅନୁଭବ କରିଥାନ୍ତା ଯେ ରୂପସୀ ନାରୀର ସେବା ପାଇଁ ଅନେକ ଯୁବକ ପାଗଳ । ଏ ପାଗଳାମୀ ଯେ ହେମକାନ୍ତର ନିଭୃତ ମନ ଭିତରେ ନ ଥିଲା ତା’ ନୁହେଁ । ଯୌବନର ଡାକରାକୁ ଅବା ଉତ୍ତର ନ ଦେଇ ରହି ପାରିବ କିଏ ? ସ୍ୱୟଂ ବିଶ୍ୱାମିତ୍ର ତ’ ଜଟା ଛିଣ୍ଡାଇ ଗୃହସ୍ଥ ହୋଇ ପଡ଼ିଲେ—ଆଉ ହେମକାନ୍ତ ବା କେତେ ମାତର ।

 

ସ୍ଥାଣୁ ଭଳି ହେମକାନ୍ତର ମୁହଁକୁ ଚାହିଁଛି ଲୋପାମୁଦ୍ରା । କଣ୍ଠରେ ଦରଦ—‘‘ମୁଁ ତୁମକୁ ଅନେକ କଷ୍ଟ ଦେଲି, ନୁହେଁ ?’’

 

ହସିଲା ହେମକାନ୍ତ । ଲୋପାମୁଦ୍ରାର କଥାରେ ହେମକାନ୍ତ ହସୁ ନ ଥିଲା । ହସୁଥିଲା ଲୋପାମୁଦ୍ରାର ନିର୍ବୋଧତା ପାଇଁ । ଖୁବ୍‌ ଶୀଘ୍ର ‘ତୁମେ’ ଶବ୍ଦଟାକୁ ମୁଖସ୍ଥ କରି ନେଇଛି ଲୋପାମୁଦ୍ରା-। ହୁଏତ ଝିଅମାନେ କଥାଗୁଡ଼ାକୁ ଚଞ୍ଚଳ ମନେ ରଖି ପାରନ୍ତି ।

 

ଗମ୍ଭୀର ହୋଇ ଲୋପାମୁଦ୍ରା କହିଲା—‘‘ମୁଁ ସବୁ ବେଶ୍‌ ଶୁଣି ପାରୁଛି ।’’

 

ଚମକି ପଡ଼ିଲା ହେମକାନ୍ତ । ଲୋପାମୁଦ୍ରା ଶୁଣୁଛି । କ’ଣ ଶୁଣୁଛି ସେ ?

 

ହେମକାନ୍ତକୁ ପ୍ରଶ୍ନ କରିବାପାଇଁ ସମୟ ନ ଦେଇ ଲୋପାମୁଦ୍ରା କହିଲା—‘‘ତୁମେ ହୁଏତ ଜାଣିଥିବ ଯେ ଆମେ ଶବ୍ଦ ପଛରେ ଧାଉଁଛୁ । ଯୁବତୀ ଯୁବକର ଶବ୍ଦ ଶୁଣି ପାଗଳୀ । ଯୁବକ ଯୁବତୀର ଶବ୍ଦ ଶୁଣି ପାଗଳ । ହେଲେ ନିଜର ଛାତି ଭିତରେ ବି ଶବ୍ଦ ଅଛି । ସେ ଶବ୍ଦକୁ ମୁଁ ବେଶ୍‌ ସ୍ପଷ୍ଟ ରୂପେ ଶୁଣି ପାରୁଛି ।

 

କଥାଟାକୁ ହସରେ ଉଡ଼ାଇ ଦେଇ ହେମକାନ୍ତ କହିଲା—‘‘ପାଗଳୀ ପରି କ’ଣ କହୁଛ ଲୋପା ? ଛାତି ଭିତରେ କି ଶବ୍ଦ ଅଛି ? ଗୀତା ଦେହରେ ଶବ୍ଦବ୍ରହ୍ମ ବୋଲି ଗୋଟାଏ କ’ଣ ଥିଲା । ଏବେ ମଣିଷ ତାକୁ ବେଶ୍‌ ଭୁଲି ଗଲେଣି ?’’

 

‘‘ନାଁ ମଣିଷ ଭୁଲିନି, ନିଜକୁ ନିଜେ ଆବିଷ୍କାର କରିବା ହିଁ ସବୁଠାରୁ ବଡ଼ ଆବିଷ୍କାର । ମୁଁ ଯାହା କହିବାକୁ ବସୁଛି....ସେହିକଥା ନିଜକୁ ପଚାରି ବୁଝୁଥିଲି—ମୁଁ ଭୁଲ୍‌ କହୁଛି ଠିକ୍‌ କହୁଛି ।’’

 

ଏଥର ହସି ହସି ବେଦମ୍‌ ହୋଇ ପଡ଼ି ହେମକାନ୍ତ କହିଲା—ମୁଁ ଦେଖୁଛି ଲୋପା ! ସତରେ ତୁମେ ନିହାତି ପାଗଳୀ । ଭାରତର ଖାଦ୍ୟ ସମସ୍ୟା ଦୂର ପାଇଁ ତୁମେ ଯେମିତି ଚିନ୍ତିତା...ନିଜକୁ ନିଜେ ଆବିଷ୍କାର କରିବାପାଇଁ ମଧ୍ୟ ସେମିତି ଚିନ୍ତିତା ।

 

ଲୋପାମୁଦ୍ରା କହିଲା—‘‘ହଁ, ଉଭୟଟା ଠିକ୍‌ । ଖାଦ୍ୟ ସମସ୍ୟାର ଦୂର ପାଇଁ ହିଁ ମୁଁ ଏତେ ବାଟ ଦୌଡ଼ି ଆସିଛି । ଆଜି ରୋଗ ବିଛଣାରେ ଶୋଇଛି । ହେଲେ ପରୀକ୍ଷା କରୁଛି କେବଳ ତୁମ ସଂଯମ ଶବ୍ଦଟାକୁ । କାହିଁ ? ନିଜକୁ ତ ମୁଁ ନିଜେ ସଂଯମୀ କରି ପାରୁନି ? ଦୌଡ଼ାମନ ନଟୁ କଣ୍ଡାପରି ଏଣେ ତେଣେ ଘୂରି ଯାଉଛି । ଏବେ ତୁମେ ସଂଯମ ଉପରେ ଜୋର ଦେଉଥିଲ କେମିତି-?’’

 

ନିଜକୁ ନିଜେ ସଜାଡ଼ି ନେଲା ହେମକାନ୍ତ । କଥାର ଖିଅରେ ସେ ଲୋପାମୁଦ୍ରାକୁ ନିଜର କରିବାକୁ ବସିଥିଲା । ହେଲେ ତୀବ୍ର ଭାବରେ ଆଘାତ ଦେଉଛି ଲୋପା ।

 

କଥାର ମୋଡ଼ ବୁଲାଇ ହେମକାନ୍ତ କହିଲା—ଏଇ ତ’ ସଂଯମ ବଣ ଜଙ୍ଗଲରେ ରହି ସଂଯମ ଶିକ୍ଷା କରାଯାଏନି । ଶିକ୍ଷା କରାଯାଏ ପାରସ୍ପରିକ ସାନିଧ୍ୟରେ । ତୁମେ ପୁରୁଷର ହାତ ଧରି ଯଦି ସଂଯମ ରକ୍ଷା କରିପାର, ତେବେ ଜଗତକୁ ନିଶ୍ଚୟ ଜୟ କରି ପାରିବ ।

 

ହଠାତ୍‌ କ୍ଷିପ୍ରବେଗରେ ବିଛଣାରୁ ଉଠିପଡ଼ି ଲୋପାମୁଦ୍ରା କହିଲା—ମୁଁ ତୁମକୁ ବିବାହ କରିବି ହେମକାନ୍ତ ବାବୁ । ଆଉ ସଂଯମୀ ହେବାକୁ ତୁମେ ଶିକ୍ଷା ଦେବ ମୋତେ ।

 

ନିଜକୁ ନିଜେ ବିଶ୍ୱାସ କରି ପାରୁନି ହେମକାନ୍ତ । ଜୀବନର ଚରମ ସଫଳତା ଆଜି ତା’ର । ହଠାତ୍‌ ଲୋପାମୁଦ୍ରାକୁ ନିଜ କୋଳ ଆଡ଼କୁ ଟାଣି ଆଣି କହିଲା..‘‘ତୁମେ ଆଜିଠାରୁ ମୋର ଲୋପାମୁଦ୍ରା, ତୁମେ ଏକାନ୍ତ ଭାବରେ କେବଳ ମୋର ।’’

 

ଛଳଛଳ ହୋଇ କାନ୍ଦି ପକାଇଲା ଲୋପାମୁଦ୍ରା ।

 

ମାତ୍ର କେତେଦିନ ପରେ ଛାତ୍ର ଓ ଅଧ୍ୟାପକ ଦଳ ଫେରି ଆସିଥିଲେ କଲେଜକୁ । ଆନନ୍ଦ ଗଦ୍‌ଗଦ୍‌ ହୋଇ ନିଜକୁ ନିଜେ ମଧ୍ୟ ଭୁଲିଯାଉଥିଲା ହେମାକାନ୍ତ । ଅଧ୍ୟାପକ ଜୀବନର ପ୍ରବଳ ପ୍ରଗଳ୍‌ଭତା ଭିତରେ ସେ କେବଳ ଦେଖୁଥିଲା ଲୋପାମୁଦ୍ରାର ପ୍ରତିଛବି । ଲୋପାମୁଦ୍ରାର ଶୋଭାମୟ ଅଙ୍ଗ । କିନ୍ତୁ ଠିକ୍‌ ଅପର ପକ୍ଷରେ ଲୋପାମୁଦ୍ରା ଭାବୁଥିଲା ଅନେକ କିଛି । ବିଗତ, ଭବିଷ୍ୟତ ଆଉ ବର୍ତ୍ତମାନ । ସେ ହେମକାନ୍ତର ହେବ । କିନ୍ତୁ...

କିନ୍ତୁ ବାପାଙ୍କର ଅବସ୍ଥା ପ୍ରତି ଦୃଷ୍ଟି ଦେବ କିଏ ? କିଏ ବୁଝିବ ବାପାଙ୍କର ଭଲ ମନ୍ଦ ? ଜୀବନରେ ଝିଅ ଜନ୍ମ କରିବା କ’ଣ ଭୁଲ୍‌ ? ଆଉ ଭାବିପାରିଲା ନି ସେ । କାତର ହୃଦୟରେ କେବଳ ଚାହିଁରହିଲା ଉପରକୁ ।

ନାଁ..ନାଁ..ନାଁ.. । ସେ କାହାରି ହୋଇ ପାରିବନି । ସେ କେବଳ ଏକାନ୍ତ ଭାବରେ ନିଜର-। କାନ୍ଥ ଉପରେ ନିଜର ଛାଇଟିକୁ ଦେଖି ଚମକି ପଡ଼ିଲା ଲୋପାମୁଦ୍ରା । କାହିଁ...ଏ ଛାଇ ତ’ କେବେ ହେମକାନ୍ତକୁ ସ୍ୱୀକାର କରୁନି ।

ତା’ପରେ....

ତା’ ପରେ ହେମକାନ୍ତ ଆସିଥିଲା ଲୋପାମୁଦ୍ରାର କୋଠରୀକୁ । ଆଉ ଲୋପାମୁଦ୍ରା ଅପ୍ରତ୍ୟାଶତ ଭାବେ ପ୍ରତ୍ୟାଖ୍ୟାନ କରିଥିଲା ହେମକାନ୍ତର ଆବେଦନ ।

ସବୁ ମନେପକାଉଛି ହେମକାନ୍ତ....

Unknown

ବିଗତ ଓ ବର୍ତ୍ତମାନ...

କାଲି ଓ ଆଜି...

ପ୍ରଭେଦ କିଛି ନାହିଁ, ପୁଣି ଅନେକ କିଛି ।

କିନ୍ତୁ ଏମିତି କ’ଣ ନିର୍ମମ ଭାବେ ଆଘାତ ଦେଇଥିଲା ଚନ୍ଦ୍ରାବତୀ !!

ନାଁ, ଚନ୍ଦ୍ରାବତୀ ନାରୀତ୍ୱକୁ ଉପଭୋଗ କରିଥିଲା । ଯୌବନକୁ ବୁଝିବାକୁ ଚେଷ୍ଟା କରିଥିଲା । ପ୍ରାଣର ଆଦାନ ପ୍ରଦାନ ଭିତରେ ଯେ ଗୋଟିଏ ସ୍ୱର୍ଗୀୟ ଆନନ୍ଦ ମିଳିପାରେ—ଏ କଥା ବେଶ୍ ବୁଝିଥିଲା ଚନ୍ଦ୍ରାବତୀ । ଚନ୍ଦ୍ରାବତୀ ମତରେ—ଯେ କୌଣସି ପୁରୁଷ ଯେ କୌଣସି ନାରୀକୁ ଉପଭୋଗ କରିପାରେ । ଜୀବନର ଡାକରାରେ ରୂପବତୀ ରାଜକନ୍ୟା ମଧ୍ୟ ଘୋଡ଼ା ଜଗୁଆଳ ନିକଟରେ ଆତ୍ମସମର୍ପଣ କରିବାର ପ୍ରମାଣ ରହିଛି ।

ତେଣୁ ପୋଡ଼ିବା ହିଁ କେବଳ ନିଆଁର ଧର୍ମ ନିଆଁଶାଳ କାଠକୁ ପୋଡ଼ିବ ଆଉ ଶିଶୁ କାଠକୁ ପୋଡ଼ିବନି...ଏ ଯୁକ୍ତି ହୋଇ ନ ପାରେ ।

ଚନ୍ଦ୍ରାବତୀ, ଜୀବନଯାତ୍ରାର ଅନ୍ୟତମା ଅଭିଯାତ୍ରିଣୀ ଚନ୍ଦ୍ରାବତୀ । ଦୁସ୍ଥ ମାଖନ ଚୌଧୁରୀଙ୍କ ଭଙ୍ଗା କୁଡ଼ିଆର ଅନ୍ୟତମା ଛନ୍ଦମୟୀ କାରୁଣ୍ୟର ଅବତାର । ତା’ ଜୀବନର ଛନ୍ଦ ସହିତ ଜୀବନର ଆର୍ଥିକ ମୂଲ୍ୟ ଅସମ ହୋଇ ଉଠୁଥିଲା । ଏଇ ଅସମତାକୁ ସମ ଆଉ କାନ୍ଦୁଥିଲା ମଧ୍ୟ ସେ ।

ଜୀବନ ଏକ ଜ୍ୟାମିତିକ ଉପପାଦ୍ୟ ନୁହେଁ । ଏକ ସାଙ୍କେତିକ ଧାରା ନୁହେଁ । ଲଜିକ୍‌ ବହିର ହାଇପୋଥେସିସ୍‌ ପରି କେବଳ ଜ୍ୟୋତିଷ ସାଜି ଜୀବନର ନକ୍‌ସା ପ୍ରସ୍ତୁତ କରିବାକୁ ହୁଏ । ଅନେକ ସମୟରେ କେବଳ ସେହି ନକ୍‌ସା ତିଆରି କରେ ଚନ୍ଦ୍ରାବତୀ ।

 

ଚନ୍ଦ୍ରାବତୀ ଚାହେଁ...ଏଇ ଛୋଟ କୁଡ଼ିଆ ଖଣ୍ଡକ ଗୋଟିଏ ବଡ଼ ଦ୍ୱିତଳ ପ୍ରାସାଦରେ ପରିଣତ ହୋଇ ଯାଆନ୍ତା କି ? ଟିକ୍‌ଉଡ଼ ପଲଙ୍କର ଡନ୍‌ଲପ୍‌ ପିଲୋ ଉପରେ ମୁଁ ବିଶ୍ରାମ ନିଅନ୍ତି । ଆମ୍ବାସଡ଼ର କାର୍‌ରେ ବମ୍ବେର ସମୁଦ୍ର କୂଳକୁ ଉପଭୋଗ କରନ୍ତି । ତରୁଣ ସ୍ୱାମୀକୁ ଏଇ ଘରଭିତରେ ବନ୍ଦୀ କରି ଯଥେଚ୍ଛା ଅତ୍ୟାଚାର କରନ୍ତି ।

 

କିନ୍ତୁ.....

 

ଚନ୍ଦ୍ରାବତୀର ଏ ସବୁ ନ ଥିଲା କିଛି ।

 

ବିଚିତ୍ର ଭାରବାହୀ ଜାନୁଆର ଏ ମଣିଷ ।

 

ଯାହାର କିଛି ନାହିଁ...ସେ ଚାହେଁ ସବୁକିଛି । ଆଉ ଯାହାର ସବୁ ଅଛି...ସେ କିଛି ନ ଥିଲା ଜୀବନକୁ ଉପଭୋଗ କରେ । ଠିକ୍‌ ଏହି ରୀତିରେ ଚନ୍ଦ୍ରାବତୀ ଆଶାପାଇଁ ଆଶ୍ଚର୍ଯ୍ୟ ହେବାର ନ ଥିଲା ।

 

ଏଇ ମାଖନ୍‌ ଚୌଧୁରୀଙ୍କ କୁଡ଼ିଆ ସାମନାରେ ଯେ ଖାଇବାପାଇଁ କୁକୁର କୁକୁରଙ୍କର କଳି ଲାଗେ, ଗଣ୍ଡାଏ ଭାତ ବା ମୁଠାଏ ମାଟି ପାଇଁ ଯୁଦ୍ଧ ଆରମ୍ଭ ହୋଇଯାଏ—ଏ କଥାର ହିସାବ ରଖେନି ଚନ୍ଦ୍ରାବତୀ ।

 

ସେ ଦିନ ଠିକ୍‌ଏହି ମାଖନ୍‌ ଚୌଧୁରୀଙ୍କର କୁଡ଼ିଆ ସାମନାର ଘଟଣା ।

 

ଦୁର୍ଗା ମେଢ଼ ଧରି ପୁରୀଘାଟକୁ ଯାଉ ଯାଉ ଦୁଇ ସାହୀ ମଧ୍ୟରେ ମାଡ଼ପିଟ୍‌ ଆରମ୍ଭ ହୋଇ ଯାଇଥିଲା । ଏ ମାଡ଼ପିଟ୍‌ର କାରଣ ନ ଥିଲା । ଯୁକ୍ତି ମଧ୍ୟ ନ ଥିଲା । ଦୁଇଟି ମେଢ଼ ଭିତରେ କିଏ ଆଗରେ ବା କିଏ ପଛରେ ଯିବ—ଏଥିରେ ବା ମାଡ଼ ପିଟାପିଟି ଆରମ୍ଭ ହେବାର କ’ଣ ଅଛି-? କିନ୍ତୁ ତଥାପି ବର୍ଷକୁ ବର୍ଷ ଏ ଦଙ୍ଗା ଆରମ୍ଭ ହୁଏ-। ମୂର୍ତ୍ତି ମୂର୍ତ୍ତି ମଧ୍ୟରେ ବଳ କଷାକଷି ହୁଏନି-। ହୁଏ ମଣିଷ ମଣିଷଙ୍କ ଭିତରେ ।

 

ମୁସଲମାନ୍‌ ଧର୍ମର ପ୍ରଚାରକଗଣ ତରୁଆଲ୍‌ ବଳରେ ଧର୍ମପ୍ରଚାର କରିବା ଭଳି...ଠେଙ୍ଗା ବାଡ଼ିର ହୁଙ୍କାରରେ ଆମ ଦୁର୍ଗା ଦେବୀ ପ୍ରସନ୍ନ ହୁଅନ୍ତି । ସନ୍ତୁଷ୍ଟ ହୁଅନ୍ତି । ହୁଏତ ସେ ମନବାଞ୍ଛା ପୂର୍ଣ୍ଣ କରୁଥିବେ, ତାଙ୍କ ଭକ୍ତମାନଙ୍କର ।

 

ବୈଦିକ ଆଚାର୍ଯ୍ୟମାନେ ସୋମରସ ପାନକରି ବେଦ ଉଚ୍ଚାରଣ କରିବା ଭଳି, ଏମାନେ ଦେଶୀ ଓ ବିଦେଶୀ ମଦ ପାନ କରି ଦିଅଁ ଆରାଧନା କରନ୍ତି । ଅଣନିଃଶ୍ୱାସିନୀ ମାଆ ଦୁର୍ଗା ମନବାଞ୍ଛା ପୂରଣ କରନ୍ତି ତଥାକଥିତ ଭକ୍ତ ବୃନ୍ଦଙ୍କର ।

 

ସେ ଦିନ ଏହି ଭକ୍ତମାନଙ୍କର ମତ୍ତପାଗଳାମୀ ଦ୍ୱାରା ମୁଣ୍ଡ ଫାଟିଥିଲା କେତେ ଜଣଙ୍କର-। ଫଳରେ ଆରେଷ୍ଟ ହୋଇଥିଲେ କେତେଜଣ । ଏ ସବୁ ପାକିସ୍ଥାନୀ ରିଫୁଇଜି ମାଖନ ଚୌଧୁରୀଙ୍କ ଘର ସମାନାର ଘଟଣା । ଦୁର୍ଯୋଗ ପଡ଼ିଲା ଚୌଧୁରୀଙ୍କର । ପୋଲିସ ତରଫରୁ ସାକ୍ଷୀ ଗ୍ରହଣ କରାଗଲା ତାଙ୍କଠାରୁ । ସତ ସତ କଥା କହିଗଲେ ମାଖନ ଚୌଧୁରୀ ।

 

ହେଲେ ଏ ଦୁନିଆଁ ରେ ସତ କହିଲେ କ’ଣ ତ୍ରାହି ଅଛି ? ସତର ଅନେକ ଶତ୍ରୁ ବାହାରନ୍ତି । କିନ୍ତୁ ମିଛର ସ୍ତାବକ ଅନେକ । କ’ଣ କରିବେ ମାଖନ୍‌ ଚୌଧୁରୀ ?

 

ସତ କହିଲେ ସେ ସାହୀର ବିରୋଧୀ ହେବେ । ଆଉ ମିଛ କହିଲେ ହେବେ ଏ ସାହୀର ଶତ୍ରୁ । ଏ କ୍ଷେତ୍ରରେ ଭଲ ଲୋକମାନେ କହନ୍ତି—ସବୁଠାରୁ ଚୁପ୍‌ ଭଲ ।

 

କିନ୍ତୁ ଚୁପ୍‌ ରହିବାଟା କ’ଣ ଅଣପୁରୁଷା କାମ ନୁହେଁ ? ମାଖନ୍‌ ଚୌଧୁରୀ ପୁରୁଷ । ସେ ଜୀବନପାଇଁ ପାକିସ୍ଥାନୀଙ୍କ ସହିତ ଯୁଦ୍ଧ କରିଛନ୍ତି । ସେ ବା ସତକୁ ଘୋଡ଼ାଇ ରଖିବେ କେମିତି ? ସତ କହିଲେ ମାଖନ ଚୌଧୁରୀ...

 

କିନ୍ତୁ...

 

ନାଁ, ଆଉ ଉପାୟ ନାହିଁ । ସତ କହି ମଧ୍ୟ ମଣିଷର ତ୍ରାହି ନାହିଁ । ରାତି ବେଳକୁ ମାଖନ୍‌ ଚୌଧୁରୀଙ୍କର ବସା ଘେରାଉ କଲେ ସାହୀବାଲା । କିଏ ରକ୍ଷା କରିବ ତାଙ୍କୁ ?

 

ଝଡ଼ ବେଗରେ ଉଳ୍‌କା ଭଳି ବାହାରକୁ ବାହାରି ଆସିଥିଲା ଚନ୍ଦ୍ରାବତୀ । ହାତ ହଲାଇ ଆରମ୍ଭ କରି ଦେଇଥିଲା ତାର ଭାଷଣ । ହେଲେ ଭାଷଣ ଶୁଣିବାପାଇଁ ଏ ଦେଶରେ ଲୋକେ ବଡ଼ ବୀତସ୍ପୃହ । ଚନ୍ଦ୍ରାବତୀକୁ ବୁଝିବା ପରିବର୍ତ୍ତେ ଏମାନେ ଆରମ୍ଭ କି ଦେଇଥିଲେ ଟେକାମାଡ଼ ।

 

ଭଙ୍ଗା ଇଟା, ରାସ୍ତା ଗେଟି, ନାଲି ମାଟିରେ ଭରପୁର ହୋଇଗଲା ମାଖନ୍‌ ଚୌଧୁରୀଙ୍କର ଛୋଟ କୁଡ଼ିଆ ଖଣ୍ଡକ ।

 

ଠିକ୍‌ ଏହି ସମୟରେ ଗୋଟିଏ ବଡ଼ ଇଟା ମାଡ଼ରେ ତଳେ ଢଳି ପଡ଼ିଲା ଚନ୍ଦ୍ରାବତୀ । ପରେ ପରେ ନାନା ଅଶ୍ରାବ୍ୟ, ଅଶ୍ଳୀଳ ଗାଳି ବର୍ଷଣ କରି କରି ଫେରିଗଲେ ସାହୀବାଲା । ମାଖନ ଚୈଧୁରୀ ବିକଳରେ ଘରୁ ବାହାରି ଆସି ଦେଖନ୍ତି ତ–ଚନ୍ଦ୍ରାବତୀ ସଂଜ୍ଞାହୀନ । ବୁଦ୍ଧି ହଜିଲା । କ’ଣ କରିବେ ସେ । କାତର ହୋଇ କେବଳ ଧାଇଁ ଆସିଥିଲେ ଅଧ୍ୟାପକ ହେମକାନ୍ତଙ୍କ ନିକଟକୁ ।

 

ଅନେକ ସମୟରେ ସେ ଚନ୍ଦ୍ରାବତୀଠାରୁ ଶୁଣୁଥିଲେ ହେମକାନ୍ତ ବିଷୟରେ । ଆଜି ଦୁର୍ଦ୍ଦିନ । ହୁଏତ ତାଙ୍କ ସାହାଯ୍ୟ ଖୋଜିଲେ ମିଳିପାରେ । ଅପେକ୍ଷା ନ କରି ମାଖନ୍‌ ଚୌଧୁରୀ ଜଣାଇଥିଲେ ତାଙ୍କ କାତର ଅନୁରୋଧ ।

 

ଚମକି ଉଠିଥିଲା ହେମକାନ୍ତ ।

 

ଆହା...କେବେ ଆଉ ଏ ବର୍ବର ମଣିଷ ସମାଜର ବୁଦ୍ଧି ବୃତ୍ତି ଆସିବ ?

 

ଅପେକ୍ଷା କରି ନ ଥିଲେ ଅଧ୍ୟାପକ ହେମକାନ୍ତ । ଆଜି ପ୍ରଥମ କରି ଚନ୍ଦ୍ରାବତୀକୁ ସହାଯ୍ୟ କରିବାକୁ ହେବ । ସାହୀବାଲାଙ୍କ ହେଙ୍ଗାମର ମୁକାବିଲା କରିବାକୁ ହେବ । ବାହାରକୁ ବାହାରି ଆସିଲା ହେମକାନ୍ତ...

 

କିନ୍ତୁ କଟକ ସହରର ସାହୀବାଲାମାନେ ବଡ଼ ସ୍ଥିତପ୍ରଜ୍ଞା ବିରାଟ ବିରାଟ ଘଟଣା ଘଟିଗଲେ ମଧ୍ୟ ସେ ଘଟଣା ସ୍ଥାୟୀ ହୋଇ ରହେନାହିଁ । ସମୟକ୍ରମେ ଘଟଣା ଅସ୍ତିତ୍ୱ ହରାଇ ବସେ । ଠିକ୍‌ ସେହି ଯଶା ହେଲା ଏ ଘଟଣାର । ହେମକାନ୍ତ ଭାବିଥିଲା—ସେ ଚନ୍ଦ୍ରାବତୀକୁ ସାହାଯ୍ୟ କରିବା ପାଇଁ ଆଗେଇ ଗଲେ ସାହୀବାଲାମାନେ ଆପତ୍ତି କରିବେ । ବାଟ ଓଗାଳିବେ, ଅଶ୍ରାବ୍ୟ ଭାଷାରେ ଗାଳି ଦେବେ ।

 

ହେଲେ....

 

ହେମକାକ୍ତ ଚନ୍ଦ୍ରାବତୀକୁ ଧରି ମେଡିକାଲ ଧାଇଁବାବେଳକୁ ଅନେକ ସାହୀବାଲା ହୁଏତ ଯେ ଯାହାର କାମରେ ଚାଲି ଯାଇଥିଲେ । କିଏ ଦେଶୀ ମଦ ଦୋକାନରେ ଆଉ ଏକ ଦଙ୍ଗାର ନାୟକ ସାଜିଥିଲା ତ କିଏ ନିଜ ଦୋକାନରେ ଖାଉଟିଙ୍କ ସହିତ ନିଜ ଜିନିଷର ତାରିଫ୍‌ କରୁଥିଲା ।

 

ଏଇ ଆମ ପରିଚିତ କଟକ ସହର ।

 

ଏଠାରେ ଚିପା ପୋଷାକ ପିନ୍ଧି ନବ ଯୁବତୀ ରାସ୍ତାର ଶ୍ରୀମଣ୍ଡନ କରନ୍ତି । ମଦତିର ଟଳ ଟଳ ଚାଲିରେ ଗାଡ଼ି ଘୋଡ଼ା ରାସ୍ତାରେ ଅଟକନ୍ତି । ଏଠାରେ ପଣ୍ଡିଚେରୀ, ଶ୍ରୀଠାକୁର ସତ୍‌ସଂଘର ପ୍ରଚାରକବୃନ୍ଦ ନିଜର ମତବାଦ ପ୍ରଚାର କରନ୍ତି । ହେଲେ କୌଣସି କଥା ଉପରେ ଜୋର ଦିଏ ନାହିଁ କଟକ ସହର ।

 

ଠିକ୍‌ ରାଜା ପରେ ରାଜା ଏ ବାରବଟୀ ଦୁର୍ଗର ଅଧିକାୟକତ୍ୱ କରିଯିବା ଭଳି....କଟକ ସହରର ଗଳି ଉପଗଳିରେ ମାନବିକତାର ଶୋଭାଯାତ୍ରା ଚାଲେ । ପାଶବିକତାର କବିତା ଆବୃତ୍ତି ହୁଏ ।

 

ଏ ସବୁକୁ ଅନେକ ସମୟରେ ଲକ୍ଷ୍ୟ କରେ ହେମକାନ୍ତ ।

 

ଆଜି ଚନ୍ଦ୍ରାବତୀକୁ ମେଡିକାଲରୁ ଆଣି ଘରେ ଛାଡ଼ିବାବେଳେ ଅନେକ ଲୋକ ହୁଏତ ସନ୍ଦିହାନ ହୋଇ ଚାହିଁ ରହିଥିଲେ ହେମକାନ୍ତକୁ କିନ୍ତୁ ହେମକାନ୍ତ.. । ସେ ସବୁ ଦୃଷ୍ଟି ପ୍ରତି ମୋଟେ ସତର୍କ ନ ଥିଲା ।

 

ଏ ଘଟଣା ପରେ ରିଫୁଇଜି ମାଖନ୍‌ ଚୌଧୁରୀ ହେମକାନ୍ତ ପ୍ରତି ଦୁର୍ବଳ ହୋଇ ଉଠିଛନ୍ତି-। ଚୌଧୁରୀ ଭାବୁଛନ୍ତି—ହୁଏତ ହେମକାନ୍ତର ସାନିଧ୍ୟ ହିଁ ସାହୀବାଲାଙ୍କୁ ନୀରବ କରି ପାରିଛି-। ନିଜର ଆନ୍ତରିକ କୃତଜ୍ଞତା ଜଣାଇବାକୁ ଚୌଧୁରୀ କହିଛନ୍ତି—‘‘ଆପଣଙ୍କ ସାହାଯ୍ୟ ମୁଁ ଆଉ ଜୀବନରେ ଭୁଲି ପାରିବିନି ହେମକାନ୍ତ ବାବୁ ।’’

 

ଗର୍ବିତ ହୋଇ ଉଠିଛି ହେମକାନ୍ତର ମନ । ଅନେକ ସମୟରେ ଏହି ସାହାଯ୍ୟ ହିଁ ମଣିଷକୁ ଦୁର୍ବଳ କରେ । ସାନିଧ୍ୟର ସମ୍ପର୍କ ବିବେକକୁ ଆଘାତ ଦିଏ ।

 

ହେମକାନ୍ତର ଏ ଅଚାନକ ସାହାଯ୍ୟ ମାଖନ ଚୌଧୁରୀଙ୍କର ଛୋଟ ପରିବାର ଓ ହେମକାନ୍ତ ଭିତରେ ଏକରକମ୍‌ ନିବିଡ଼ତା ଆଣି ଦେଇଥିଲା । ମାଖନ୍‌ ଚୌଧୁରୀ ଆଉ ହେମକାନ୍ତକୁ ପର ବୋଲି ଭାବୁ ନ ଥିଲେ ।

 

ସମୟ ଗଡ଼ିଲା । ନିବିଡ଼ତା ଆହୁରି ଘନୀଭୂତ ହେଲା ।

 

ଦିନେ ଦିନେ ହେମକାନ୍ତର କୋଠରୀକୁ ଆସି ମାଖନ୍‌ବାବୁ କହନ୍ତି—‘‘ବୁଝିଲେ ହେମକାନ୍ତ ବାବୁ ! ଓଡ଼ିଆମାନଙ୍କର ଗୋଟିଏ ବିଶିଷ୍ଟ ଗୁଣ ହେଉଛି ପରକୁ ନିଜର କରିବା । ଏ ନିଜର କରିବା ଭିତରେ ଆବିଳତା ନାହିଁ । ଠିକ୍‌ ସେହି ରୀତିରେ ଯଦି ଆମ ମୁସଲମାନ ଭାଇମାନେ ଆମକୁ ନିଜର କରିବାକୁ ଚେଷ୍ଟା କରିଥାଆନ୍ତେ—ତେବେ ହୁଏତ ଆମ ପରି କେତେକ ହତଭାଗ୍ୟଙ୍କୁ ବାସ୍ତୁହରା ହେବାକୁ ପଡ଼ି ନ ଥାନ୍ତା ।’’

 

ସମବେଦନାରେ ସମର୍ଥନ କରନ୍ତି ହେମକାନ୍ତ ।

 

ପ୍ରତିବାଦ କରିବାକୁ ତାଙ୍କ ମନ ବିକଳ ହୋଇ ଉଠୁଥିଲେ ମଧ୍ୟ ସେ ପ୍ରତିବାଦ କରି ପାରନ୍ତିନି । କାରଣ—ମାଖନ୍‌ ଚୌଧୁରୀ ରୂପସୀ ଚନ୍ଦ୍ରାବତୀର ପିତା ।

 

ଜଗନ୍ନାଥ ଧର୍ମର ଉନ୍ମେଷ କାଳରୁ ଯେଉଁ ମହାଭାରତୀୟ ଭାବ ଓଡ଼ିଆ ମାଟିରେ ଦେଖାଦେଇଛି—ସେହି ମହାଭାରତୀୟ ଭାବପାଇଁ ହିଁ ଓଡ଼ିଶା ଆଜି ଏକ ଅନୁନ୍ନତ ରାଜ୍ୟ । ରାଜନୀତି ଦୃଷ୍ଟିରୁ ଏହା ସ୍ୱୀକାର କରା ନ ଗଲେ ମଧ୍ୟ ଇତିହାସ ଦୃଷ୍ଟିରୁ ଏହା ସ୍ୱୀକାର କରିବାକୁ ହେବ । ଆଜି ଇତିହାସକୁ ପଛରେ ପକାଇ..ଯୁଗ ସହିତ ତାଳ ଦେଇ ଓଡ଼ିଆ ଦୌଡ଼ଛି...କେବଳ ଏକ ସାର୍ବଜନୀନ ସମାଜର ସୃଷ୍ଟି ପାଇଁ ।

 

ବେଳେ ବେଳେ କଥାର ମୋଡ଼ ବୁଲାଇ ହେମକାନ୍ତ କହେ—‘‘ମୁଁ ଜାତି ଜାତି ଭିତରେ ପ୍ରଭେଦ ଦେଖେ ନାହିଁ । କିଏ ବଙ୍ଗାଳୀ ଆଉ କିଏ ବା ଓଡ଼ିଆ ? ହେଲେ ଠିକ୍‌ ସେହି ଭାବ ଆମ ଆଗନ୍ତୁକ ପଡ଼ୋଶୀ ଅତିଥିମାନଙ୍କର ମଧ୍ୟ ରହିବା ଉଚିତ ।’’

 

ମାଖନ୍‌ବାବୁ ଟିକେ ଗମ୍ଭୀର ହୋଇଉଠନ୍ତି । ତା’ପରେ ପୁଣି ଗଳା ଝାଡ଼ି କହନ୍ତି–‘‘ଏଥିରେ କ’ଣ ଦ୍ୱିମତ ଥାଇପାରେ ? ଓଡ଼ିଶାକୁ ଯେତେବେଳେ ଆମେ କର୍ମକ୍ଷେତ୍ର ବୋଲି ଧରିନେଲୁ, ସେତେବେଳେ ଆମେ ଓଡ଼ିଆ । ଆମ ଜୟଦେବ ଓଡ଼ିଶାର ବା ବଙ୍ଗଳାର ବୋଲି ଯୁକ୍ତି କରିବାନି, ଆମେ ଜୟଦେବ ହେବାକୁ ଚେଷ୍ଟା କରିବା ।’’

 

ହସି ହସି ବେଦମ୍‌ ହୋଇପଡ଼ି ହେମକାନ୍ତ କହେ—‘‘ନାଁ...ନାଁ...ମାଖନ ବାବୁ । କେବଳ ପୀନ ପୟୋଧର ପରିସର ମର୍ଦନର କାମନ ନେଇ ଆଜି ଆଉ ଜୟଦେବ ହେବାରେ ଗୌରବ ନାହିଁ । କେଉଁ ରକ୍ତର ସଞ୍ଚାର ହୋଇ ପାରିଲେ ପୟୋଧର ପୀନ ହେବ ବା କେଉଁ ମାଟି ଓ ସାର ପ୍ରୟୋଗ କଲେ ଲଳିତ ଲବଙ୍ଗଲତା ଅଧିକରୁ ଅଧିକ ଲଟେଇ ପାରିବ, ତାହା ହିଁ ଆମର ଦେଖିବାର କଥା ।’’

 

ହେମକାନ୍ତର ଯୁକ୍ତିକୁ ବାଧ୍ୟ ହୋଇ ସ୍ୱୀକାର କରନ୍ତି ମାଖନ୍‌ଚୌଧୁରୀ । ମନେ ମନେ ଅନେକ କଥା ଚିନ୍ତା କରନ୍ତି ସେ । ହେମକାନ୍ତ ଜଣେ ଅନାକୃଷ୍ଟ ଯୁବକ । ଶିକ୍ଷାର ମାନଦଣ୍ଡରେ ଯେଉଁ ସଂସ୍କାର ସୃଷ୍ଟି ହୁଏ—ସେହି ସଂସ୍କାର ହିଁ ହେମକାନ୍ତକୁ ମଣିଷ କରି ପାରିଛି ।

 

ସମୟ ଗଡ଼େ । ହେମକାନ୍ତର କୋଠରୀରେ ମାଖନ୍‌ ଚୌଧୁରୀଙ୍କ ମନ ଧୀରେ ଧୀରେ ବନ୍ଦୀ ହେବାକୁ ଲାଗେ । ମହାକାଶଚାରୀ ଗାଗାରିନ୍‌ଙ୍କ ଭଳି ଜୀବନର ଯାତ୍ରାପଥରେ ପ୍ରଥମ ଅଭିଯାତ୍ରୀ ସାଜି ମାଖନ୍‌ଚୌଧୁରୀ ତାଙ୍କ ଯାତ୍ରା ଆରମ୍ଭ କରି ନାହାଁନ୍ତି । ଜୀବନ ପଥର ସେ ଅଭିଜ୍ଞ ଅଭିଯାତ୍ରୀ । ତଥାପି ଅନେକ କିଛି ନୂତନ ଅଭିଜ୍ଞତା ତାଙ୍କୁ ଅନେକ ସମୟରେ ଆଚମ୍ବିତ କରେ । ସେହି ଅଭିଜ୍ଞତାର ହାତୁଡ଼ିକୁ ଆହୁରି ଶକ୍ତ ଓ ବଳିଷ୍ଠ କରିଛି ହେମକାନ୍ତର ପରିଚିତି ।

 

ମାଖନ୍‌ ଚୌଧୁରୀ ଭାବନ୍ତି...ଏ ଶତାବ୍ଦୀର ମଣିଷ ଏକ ଅନାବିଷ୍ଟ ପ୍ରାଣୀ । ତା’ ନିକଟରେ ଭଲ ମନ୍ଦ ନ୍ୟାୟ ଅନ୍ୟାୟ କିଛି ନାହିଁ । ରାସ୍ତାର କରୁଣୀ ଉପରେ ଭୋକିଲା ଆଖି ନିକ୍ଷେପ କରିବା ଯେମିତି ଏ ଯୁଗ ଯୁବକର ଏକ ମହାନ୍‌ଗୁଣ..ଠିକ ସେହିପରି ସେହି ସୌନ୍ଦର୍ଯ୍ୟ ଦର୍ଶନକୁ ଭୁଲିଯିବା ମଧ୍ୟ ଏକ ମହାନ କର୍ତ୍ତବ୍ୟ । ଆଜି ଆଉ ଚାରିଚକ୍ଷୁ ମିଳନରେ ବ୍ୟକ୍ତିତ୍ୱ ତରଳେ ନାହିଁ । ଶକୁନ୍ତଳାର ଦର୍ଶନରେ ଦୁଷ୍ମନ୍ତଙ୍କ ଧୈର୍ଯ୍ୟବନ୍ଧ ଭାଙ୍ଗେ ନାହିଁ । ଲଭ୍‌ ଆଟ୍‌ ଦି ଫାଷ୍ଟ୍‌ ସାଇଟ୍‌ର ଦର୍ଶନ ଆଜି ଅନିଶ୍ଚିତ । ଦୃଢ଼ ମାନବିକତାର ପଛରେ ଆଜିକାର ପ୍ରାଣବତ୍ତା କେବଳ ଧାବମାନ ।

 

କିନ୍ତୁ ଏସବୁର ଏକ ବ୍ୟତିକ୍ରମ ହେମକାନ୍ତ ।

 

ହେମକାନ୍ତର ସାନିଧ୍ୟ ପରେ ଆଉ ତାକୁ ଭୁଲି ହୁଏ ନାହିଁ ।

 

ସେହି ସୁବିଧା ନେଇ ହେମକାନ୍ତ କୁହୁକ କରେ । ଯୁକ୍ତି କରେ । ବନ୍ଧୁତ୍ୱ ଜମାଏ । ସେହି ବନ୍ଧୁତାର ଶୀକାର ହୁଅନ୍ତି ଚନ୍ଦ୍ରାବତୀ ପରି ଯୁବତୀ ।

 

ହେମକାନ୍ତକୁ ଦେଖିଲେ ଚନ୍ଦ୍ରାବତୀ ପାଗଳୀ ହୁଏ । ଯୁବକ ପ୍ରାଣର ଉଦ୍ଦାମ ମାଂସପେଶୀ ଭିତରେ ଯୁବତୀ ପାଇଁ ନିଭୃତ ଆବେଗ ରହିଛି ସେହି ଆବେଗ ହିଁ ଚନ୍ଦ୍ରାବତୀକୁ ଉନମନା କରେ । ଚନ୍ଦ୍ରାବତୀ ଲୋଟିପଡ଼େ ହେମକାନ୍ତର କଠିନ ପୁରୁଷାଙ୍ଗ ଭିତରେ ।

 

ଦେହାତୀତ ଆନନ୍ଦରେ କମ୍ପିଉଠେ ହେମକାନ୍ତ । ଚୁର୍ଣ୍ଣ କୁନ୍ତଳର ସମୁଦ୍ରରେ ନୋଳିଆ ପରି, ବୁଡ଼ ଦେଉ ଦେଉ ହେମକାନ୍ତ କହେ—‘‘ତୁମେ କ’ଣ ମୋତେ ଆଉ ଜୀବନରେ କେବେ ଭୁଲି ପାରିବ ଚନ୍ଦ୍ରାବତୀ ?’’

 

ମୂକ, ବଧୀର, ଅଥର୍ବ ଭଳି ହେମକାନ୍ତ ଲାଳସାମୟ ମୁଖମଣ୍ଡଳକୁ ଚାହିଁରହେ ଚନ୍ଦ୍ରାବତୀ..‘‘ନାଁ, ଜୀବନ ଲୋଭୀ ଚନ୍ଦ୍ରାବତୀ ଯେ କେବଳ ଏ ଜନ୍ମପାଇଁ ଆପଣଙ୍କର ।’’

 

ପ୍ରେମିକ ପ୍ରେମିକାଙ୍କର ଏ ଗୋଟିଏ ଆଦିମ ଅଭିବ୍ୟକ୍ତି । ଏଥିରେ ନୂତନତା ନାହିଁ, ନୂତନ ସୌନ୍ଦର୍ଯ୍ୟ ବୋଧର ଆବେଗ ନାହିଁ । ପ୍ରତ୍ୟେକ ପ୍ରେମିକ ହିଁ ପ୍ରତ୍ୟେକ ପ୍ରେମିକାଙ୍କଠାରୁ ଠିକ ଏମିତି ପଦେ କଥା ଶୁଣିବା ଆଶ୍ଚର୍ଯ୍ୟକର କଥା ନୁହେଁ ।

 

ଚନ୍ଦ୍ରାବତୀର କଥା ଶୁଣି ହସେନି ହେମକାନ୍ତ । କେବଳ ବେଦନାଭଗ କଣ୍ଠରେ ଅନୁଯୋଗ କରି କହେ—‘‘ଚନ୍ଦ୍ରାବତୀ ! ତୁମ ଅତୀତକୁ ମୁଁ ଭୁଲିଛି । ତୁମ ବର୍ତ୍ତମାନକୁ ମୁଁ ପ୍ରଶ୍ରୟ ଦେଇଛି । ତୁମେ ମଧ୍ୟ ତୁମ ଅତୀତକୁ ଭୁଲ । ବର୍ତ୍ତମାନର ସ୍ୱପ୍ନ ଦେଖ ।’’

 

ହସି...ହସି....ପ୍ରତିବାଦ କରେ ଚନ୍ଦ୍ରାବତୀ ‘‘କିନ୍ତୁ ଏ କ’ଣ ସମ୍ଭବ ହେମକାନ୍ତ ବାବୁ । ଯେଉଁ ଜୀବନର ଦୌଡ଼ରେ ଯୋଗ ଦେଇ ମୁଁ ମୋର ଅତୀତ ହରାଇଛି, ସେ ଦୌଡ଼ ଯେ ଆଜି ମଧ୍ୟ ଶେଷ ହୋଇନି । ତେବେ ମୁଁ ମୋର ଅତୀତକୁ ଭୁଲିବି କେମିତି ?’’

 

ଚନ୍ଦ୍ରାବତୀର ଯୁକ୍ତି ଶୁଣି ସ୍ଥିର ହୋଇ ବସିଥାଏ ହେମକାନ୍ତ । ଆନମନା ହୋଇ କଥାର ଆଳ ଦେଖାଇ ପଳାଇଯାଏ ଚନ୍ଦ୍ରାବତୀ ।

 

ଚନ୍ଦ୍ରାବତୀ ଭାବେ—ବାସ୍ତୁହରା ମଣିଷର ଭବିଷ୍ୟତ ନାହିଁ, ବର୍ତ୍ତମାନ ନାହିଁ, ଅଛି କେବଳ ଏକ ବିରାଟ ବିଗତ । ଏ ବିଗତର ଗନ୍ଧରେ ବାସ୍ତୁହରା ବସ୍ତୁର ଗୁଣ ଆଘ୍ରାଣ କରେ, ସୃଷ୍ଟିର ସୌରଭକୁ ଉପଭୋଗ କରେ ।

 

ନିଜର ଛୋଟ କୁଡ଼ିଆ ଖଣ୍ଡକୁ ପୁଣି ଫେରିଆସେ ଚନ୍ଦ୍ରାବତୀ । ଆକାଶର ରେଶମୀ ଫିତାରେ ଗୁନ୍ଥା ହୋଇଥିବା ତାରାର ପୋହଳାକୁ ଲକ୍ଷ୍ୟକରେ ସେ । ଅନାଦି ଯୁଗର ଏ ତାରାର ରାଜ୍ୟ । ଏଠାରେ ଶୈଶବ କାଳ ନାହିଁ, ଯୌବନପ୍ରାପ୍ତି ନାହିଁ, ଜୀବନ ବିଜ୍ଞପ୍ତି ନାହିଁ ମୃତ୍ୟୁର ଅହମିକା ନାହି, ଏଠାରେ ଅଛି କେବଳ ଏକ ସଦୃଶ୍ୟ ଶୋଭାମୟ ପଟଳ । ଶଙ୍କିତା ହୋଇ ଚନ୍ଦ୍ରାବତୀ ସଜାଡ଼ି ନିଏ ନିଜକୁ । କାଳପୁରୁଷ ନକ୍ଷତ୍ରର ଲାଲ ଜ୍ୱତି ଗ୍ରାସ କରିବାକୁ ବସେ ଚନ୍ଦ୍ରାବତୀର ନାରୀତ୍ୱ ।

 

ନାଁ..ନାଁ...ଆକାଶରେ ମଧ୍ୟ ଏକ ସଂଜ୍ଞାହୀନ କାମୁକତା ରହିଛି । ଏ ଆକାଶକୁ ବିଶ୍ୱାସ କରି ହେବନି ।

 

ପୁଣି ଅଥୟ ହୋଇ ହେମକାନ୍ତର କୋଠରୀକୁ ପଶିଆସେ ଚନ୍ଦ୍ରାବତୀ । ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇଯାଏ ହେମକାନ୍ତ ।

 

‘‘ଅସମୟରେ ପୁଣି କୁଆଡ଼େ ଆସିଲ ଚନ୍ଦ୍ରାବତୀ ?’’

 

ସ୍ଥିର ହୋଇ କାନ୍ଥକୁ ଆଉଜି ଠିଆ ହୁଏ ଚନ୍ଦ୍ରାବତୀ । ‘‘ସତ କହନ୍ତୁ ହେମକାନ୍ତ ବାବୁ ! ବୋଝବାଲାର ମୁଣ୍ଡରୁ ବୋଝ ଖଲାସ କରିବାର କଥା ମୋତେ ଶୁଣାଅଛି । ହେଲେ ଶବବାହୀ ମଡ଼ାସାଙ୍ଗିଆର କାନ୍ଧରୁ କ’ଣ କେହି ବୋଝ ଖଲାସ କରିପାରେ ?’’

 

ଆଶ୍ଚର୍ଯ୍ୟ ହୁଏ ହେମକାନ୍ତ– । ନରମ ଗଳାରେ କହେ—‘‘ବେଳେ ବେଳେ ତୁମେ ଏମିତି କାହିଁକି ଅବୋଧ୍ୟା ହେଉଛ ଚନ୍ଦ୍ରାବତୀ ?’’

 

ହସିଉଠେ ଚନ୍ଦ୍ରାବତୀ—ନାଁ, ହେମକାନ୍ତ ବାବୁ ! ମୁଁ ସତ କଥା ହିଁ କହୁଛି । ବିଗତର ପାପରୂପକ ଶବକୁ ନିଜ କାନ୍ଧରେ ବୋହି ବୋହି ମୁଁ ଚାଲିଛି । ଏ ଶବ ମୋ ନିଜର ଶବ । ମୁଁ ଯୁଗ ଯୁଗ ପାଇଁ ଜଣେ ମଡାସାଙ୍ଗିଆ । ବର୍ତ୍ତମାନର ପବିତ୍ର କଳରେ ମୋର ମାର୍ଜନା ନ ହେବା ପର୍ଯ୍ୟନ୍ତ ମୁଁ କାହାକୁ ପ୍ରତାରିତ କରିବା ଉଚିତ ନୁହେଁ ।

 

ଆଜି ମଧ୍ୟ ମୋ ଛାତିରେ ଅନେକ ନିଆଁ ଜଳୁଛି । ସେ ନିଆଁକୁ ମୁଁ ଲିଭାଇନି, ବର୍ତ୍ତମାନ ଲିଭାଇ ପାରିବିନି ମଧ୍ୟ । ମୋତେ କ୍ଷମା କରନ୍ତୁ... ମୋତେ କ୍ଷମା କରନ୍ତୁ ।

 

ହସି ହସି ଅନେକ ସମୟରେ ବେଦମ୍‌ ହୁଅନ୍ତି ହେମକାନ୍ତ । କଥାଟାକୁ ଉଡ଼େଇ ଦେଇ କହନ୍ତି—ମୁଁ ତୁମର ମୃତ ଶବକୁ ଭଲ ପାଏନି ଚନ୍ଦ୍ରାବତୀ । ମୁଁ ତୁମକୁ ଭଲପାଏ । ମୁଁ ତୁମର ବର୍ତ୍ତମାନକୁ ଭଲପାଏ । ଯଦି ତୁମର ବର୍ତ୍ତମାନ ନିର୍ମଳ ହୋଇପାରେ—ତେବେ ତୁମେ ମଡାସାଙ୍ଗିଆ ହେଲେ ମଧ୍ୟ ନିର୍ମଳ ।

 

କମ୍ପି ଉଠେ ଚନ୍ଦ୍ରାବତୀ...‘‘ନାଁ...ନାଁ....ମୋର ବର୍ତ୍ତମାନ, ବିଗତଠାରୁ ଆହୁରି ଆବିଳ । ଜାଣି ଜାଣି ଯେଉଁ ପାପରୁ ଦୂରେଇ ଆସି ନ ହୁଏ—ସେ ପାପ ଅଜଣା ପାପଠାରୁ ଗୁରୁତର । ଏ ଅନ୍ତର ଭିତରେ ଅନେକ କିଛି ବର୍ତ୍ତମାନର ଅକୁହା ପାପ ରହିଛି । ସେ ପାପକୁ ପ୍ରକାଶ କଲେ ମୁଁ ମଣିଷ ହେବିନି । ମୁଁ ହେବି ପଶୁ । ମୋତେ କ୍ଷମାକର । ମୋତେ ମୁକ୍ତି ଦିଅ । ମୁଁ ମଣିଷ ନୁହେଁ..ରିଫୁଇଜି ବାଳିକା ।’’

 

କେବଳ ଗୁମ୍‌ମାରି ଠିଆ ହୋଇଯାଏ ହେମକାନ୍ତ ।

 

ମନଭିତରେ ଖେଳିବୁଲେ ଅଜଣା ଭ୍ରାନ୍ତିର ଭଉଁରୀ । ଆବେଗରେ କହିବସେ ହେମକାନ୍ତ—‘‘କୁହ, କୁହ ଚନ୍ଦ୍ରାବତୀ ? କେଉଁ ଅନାଗତ ଭୟରେ ତୁମେ ଏମିତି ଶଙ୍କିତା ? ମୁଁ ତୁମର ବିଗତକୁ କ୍ଷମା ଦେଇଛି । ଅଧ୍ୟାପକ ଜୀବନର ସମସ୍ତ ପ୍ରାପ୍ୟ ମୁଁ ଆଦାୟ କରିବାକୁ ଚାହେଁ କେବଳ ତୁମଠାରୁ ।’’

 

ଆଉ ଠିଆ ହୋଇ ପାରେନାହିଁ ଚନ୍ଦ୍ରାବତୀ । ବିଗଳିତ ପ୍ରାଣରେ ଲୋଟିପଡ଼େ ହେମକାନ୍ତର ପାଦ ତଳେ । ‘‘ମୋତେ ସମୟ ଦିଅନ୍ତୁ ହେମକାନ୍ତ ବାବୁ ! ମୋତେ ଚିନ୍ତା କରିବାକୁ ସମୟ ଦିଅନ୍ତୁ । ଯେଉଁ ଜୀବନକୁ କୋଡ଼ିଏ କି ବାଇଶି ବସନ୍ତ ପିଟି ଛେଚି କଠିନ କରି ସାରିଲାଣି–ସେ ଜୀବନ ସାମାନ୍ୟ ତୁଆଏ ମଳୟ ପବନରେ ଓହରି ପଡ଼ିପାରେ ନାହିଁ ।’’

 

ଚୁପ୍‌ ରହେ ହେମକାନ୍ତ...

 

କିନ୍ତୁ କାହିଁକି ? କାହିଁକି ଚନ୍ଦ୍ରାବତୀର ଏ ଅନ୍ତର୍ଦ୍ୱନ୍ଦ୍ୱ ? କ’ଣ କହିବାକୁ ଚାହେଁ ଚନ୍ଦ୍ରାବତୀ-? ପରିସ୍ଥିତିରେ ପଡ଼ି ଚନ୍ଦ୍ରାବତୀ ହୋଇଛି ରିଫୁଇଜି । କିନ୍ତୁ—ରିଫୁଇଜି ହେଲେ କ’ଣ କଦାପି ମଣିଷ ମଣିଷତାଠାରୁ ଦୂରେଇ ରହିପାରେ । ହେମକାନ୍ତ ମଣିଷତା ଚାହୁଁଛି-। ବଞ୍ଚିବାକୁ ଚାହୁଁଛି । କାହିଁକି ଏତକ ଦେବନି ଚନ୍ଦ୍ରାବତୀ ।

 

ନାଁ....ନାଁ...., ଅନେକ ସମୟରେ ଅନେକ କୁହାକଥା ମଧ୍ୟ ଅକୁହା ରହିଯାଏ । ସେ କଥାକୁ କହି ହୁଏନାହିଁ..ବୁଝାଇ ହୁଏନାହିଁ । ଫଳରେ ବିଶ୍ୱାସ ବିଶ୍ୱାସ ମଧ୍ୟରେ ସୃଷ୍ଟି ହୁଏ ଏକ ଅଲଂଘ୍ୟ ପ୍ରାଚୀର । ସେହି ଭାବୀ ପ୍ରାଚୀର କଥା ମନରେ ପକାଇ ମ୍ରିୟମାଣ ହୋଇ ପଡ଼ୁଛି ଚନ୍ଦ୍ରାବତୀ...

 

ଭୋକିଲା ମଣିଷ ଖାଦ୍ୟ ପାଇଁ ପାଗଳ ହୁଏ । ଖାଦ୍ୟ ପାଇବାପରେ ଯଦି ସେ ତାକୁ ନ ଖାଇ ଚାଲିଯାଏ ତାକୁ ଲୋକେ କହିବେ ପାଗଳ । ଠିକ୍‌ ସେହି ଯଶା ଆଜି ଭୋଗ କରୁଛି ଚନ୍ଦ୍ରାବତୀ ।

 

ହେମକାନ୍ତର ପୁରୁଷତ୍ୱକୁ ନିଜର କରିବା ପାଇଁ ସେ ହାତ ବଢ଼ାଉଛି । ପୁଣି ନିଜକୁ ନିଜେ ଥକ୍‌କା ମାରି ଠିଆ ହୋଇ ରହିଛି । ନାଁ...ନାଁ.... ହେମକାନ୍ତକୁ ନଷ୍ଟ କରିବାର ଅଧିକାର ଚନ୍ଦ୍ରାବତୀର ନାହିଁ ।

 

ଠିକ୍‌ ସେହି ସମୟରେ ଚନ୍ଦ୍ରାବତୀର ଆଖି ଆଗରେ ଠିଆ ହେଉଛନ୍ତି ବୟସ୍କ ମାଖନ୍‌ଚୌଧୁରୀ । ଆଜି ଆଉ ଚୌଧୁରୀଙ୍କର ଆଭିଜାତ୍ୟ ନାହିଁ । ସେ ଶ୍ରମିକ । ଲୁଗା କଳର ଶ୍ରମିକ । ମ୍ୟାନେଜରଙ୍କର ବଦାନ୍ୟ ଦୃଷ୍ଟି ଉପରେ ନିର୍ଭର କରେ ଚାକିରୀ ଖଣ୍ଡକ ।

 

ସେହି ବଦାନ୍ୟତାକୁ ବଞ୍ଚାଇ ରଖିବା ପାଇଁ ପଳ ପଳ ଆହୁତି ଢାଳେ ଚନ୍ଦ୍ରାବତୀ । ମନରେ କ୍ଷୋଭ ଆସେ, ପରିତାପ ଆସେ, ବିଦ୍ରୋହ ଜାଗେ । ତଥାପି ସମସ୍ତ ଆପତ୍ତି ସତ୍ୱେ ଚନ୍ଦ୍ରାବତୀକୁ କରିବାକୁ ହୁଏ ସବୁ କିଛି ।

 

ଯଦି ମାଟି ଖାଇ ପାଣି ପିଇ ଆଉ ପବନ ଦେହରେ ବିଚରଣ କରି ମଣିଷ ବଞ୍ଚିପାରୁ ଥାଆନ୍ତା—ତେବେ ହୁଏତ ଚନ୍ଦ୍ରାବତୀକୁ ଏତେ ନିମ୍ନଗାମୀ ହେବାକୁ ହୁଅନ୍ତା ନାହିଁ ।

 

ବଡ଼ ନିଷ୍ଠୁର ଏ ଦୁନିଆଁ । ଯାହା ଦରକାରୀ ତାହା ହିଁ ଏ ଦୁନିଆଁରେ ଅଭାବ ପଡ଼େ । ଯାହା ଅଦରକାରୀ ତାହା ପ୍ରଚୁର । ମନେ ମନେ ପୁଣି କାନ୍ଦିବାକୁ ଚେଷ୍ଟାକରେ ଚନ୍ଦ୍ରାବତୀ । କିନ୍ତୁ କାନ୍ଦି ପାରେ ନି ସେ...ସେ କହିବାକୁ ଚାହେଁ । ସେ ଉପଭୋଗ କରିବାକୁ ଚାହେଁ । ସେ ମଣିଷ ହୋଇ ପଶୁର ଆନନ୍ଦ ଆଉ ପଶୁ ହୋଇ ମଣିଷର ଆନନ୍ଦ କାମନା କରେ ।

 

ବେଳେ ବେଳେ ଚନ୍ଦ୍ରାବତୀକୁ ଦେଖି ଦୁଃଖିତ ହୁଅନ୍ତି ମାଖନ୍‌ଚୌଧୁରୀ । ଆଦରଣୀୟା ଝିଅର ମୁଣ୍ଡରେ ହାତ ବୁଲାଉ ବୁଲାଉ କହନ୍ତି—କେତେଦିନ ହେଲା ତୁ କାହିଁକି ଏମିତି ଶୁଖିଯାଉଛୁ ମା ? କ’ଣ ହେଇଛି ତୋ’ର ? ନୂଆଖାଲିରୁ ପଳାଇ ଆସିବା ଦିନ ତ’ ମଧ୍ୟ ତୁ ଏମିତି ଦୁଃଖ କରୁ ନ ଥିଲୁ ?’’

 

ନିର୍ବୋଧ ଭଳି ହସିଉଠେ ଚନ୍ଦ୍ରାବତୀ । ‘‘ହେଁ..ବାପା, ମୁଁ ଦୁଃଖ କରୁଛି, କାରଣ ମୁଁ ବଞ୍ଚିଛି, ଏହି ଦୁଃଖ କରିବା ହିଁ ମଣିଷର ଚରମ ପ୍ରାପ୍ତି । ହେଲେ ସେ ଦୁଃଖକୁ ସ୍ୱୀକାର ନ କରି ଯେ ଆନନ୍ଦ କରେ ସେ ପରିସ୍ଥିତିକୁ ଜୟ କରିଯାଏ । ଏ ଦୁନିଆଁର ପରିବେଶ ମୋତେ ବେଳେ ବେଳେ ପରାସ୍ତ କରି ପକାଉଛି ।’’

 

କଥା ଶୁଣିସାରି ସଂକ୍ଷିପ୍ତ ମନ୍ତବ୍ୟ ଦିଅନ୍ତି ‘‘ପାଗଳୀ ।’’

 

ଆହୁରି ଦୁଃଖିତା ହୁଏ ଚନ୍ଦ୍ରାବତୀ । ମନେ ପକାଇ ମୁହଁ ପୋତି ହୋଇ ପଡ଼ିଥିବା ବିରାଟ ଅତୀତଟା ।

 

ମାଖନ୍‌ ଚୌଧୁରୀ ଥିଲେ ବିରାଟ ଜମିଦାର । ଜମିବାଡ଼ି ସବୁ କିଛି ଥିଲା । ପରିବାରର ଲୋକ ଯେ କମ୍‌ ଥିଲେ ତାହା ମଧ୍ୟ ନୁହେଁ । ବେଶ୍ ସୁନ୍ଦର ସୁନ୍ଦର ଝିଅ ପୁଅଙ୍କୁ ନେଇ ଗଢ଼ି ଉଠିଥିଲା ମାଖନ୍‌ ଚୌଧୁରୀଙ୍କର ପରିବାର । ସବୁ ପୁଅ ଝିଅଙ୍କ ମଧ୍ୟରେ ଝିଅ ଥିଲା ବଡ଼ । ନାଁ....କଳ୍ପନା । ଠିକ୍‌ ତା’ରି ତଳେ ଏ ଚନ୍ଦ୍ରାବତୀ ।

 

ପିଲାଦିନରୁ କଳ୍ପନା ଥିଲା ଧର୍ମଭୀରୁ । ସେଇ ଦିନରୁ ବାଲିଗରଡ଼ା ଥୋଇ ସେ ଘଣ୍ଟା ଘଣ୍ଟା ସେବା ପୂଜା କରୁଥିଲା । ତାକୁ ଦେଖିଲେ ମାଖନ୍‌ ଚୌଧୁରୀ କହୁଥିଲେ—‘‘ପାଗଳୀ ।’’

 

ସତରେ କିନ୍ତୁ କଳ୍ପନା ଥିଲା ପାଗଳୀ । ଖାଇବା ବେଳେ ହେଲେ ସେ ସାନ ସାନ ଭାଇ ଭଉଣୀମାନଙ୍କୁ ନ ଖୋଇ ଖାଏନାହିଁ । କଥା କଥାକେ କହେ—ଖାଇବାକୁ ପାଇବାରେ ଶାନ୍ତି ନାହିଁ, ଖୋଜିବାରେ ଶାନ୍ତି । କଳ୍ପନାର ଏ ଯୁକ୍ତିରେ ଅନେକ ସମୟରେ ରାଜି ହେଉ ନ ଥିଲା ଚନ୍ଦ୍ରାବତୀ । ତଥାପି କାହିଁକି କେଜାଣି ଅନେକ ସମୟରେ କଳ୍ପନା ଦିନି ପାଖରେ ବସି ରହିବାକୁ ପସନ୍ଦ କରୁଥିଲା ଚନ୍ଦ୍ରାବତୀ ।

 

ସେ କଳ୍ପନା ଦିଦି ଯାଇଛି...

 

ସାମ୍ପ୍ରଦାୟିକ ଦଙ୍ଗାରେ କ’ଣ କଳ୍ପନା ଦିଦି ମୃତା ?

 

କହି ହେବନାହିଁ । କେବଳ କୋଠରୀର ରକ୍ତସ୍ନାନରୁ ଅନୁମିତ ହୁଏ—ଦୁର୍ବୃତ୍ତମାନେ କଳ୍ପନାକୁ ହତ୍ୟା କରିଛନ୍ତି । ସେଦିନ ଆଉ କାହାର ଅନୁସନ୍ଧାନ କରିବା ମାଖନ୍‌ ଚୌଧୁରୀଙ୍କ ନିକଟରେ ସମ୍ଭବ ହୋଇ ନ ଥିଲା । କେବଳ ଚନ୍ଦ୍ରାବତୀକୁ ହାତ ପାହାନ୍ତାରେ ପାଇ ସେ ଘେନି ପଳାଇ ଆସିଥିଲେ ଜୀବନ ବିକଳରେ ।

 

ଆଜି ଅନେକ ସମୟରେ ନିଜର ପରିବାର କଥା ଚିନ୍ତା କରନ୍ତି ମାଖନ ଚୌଧୁରୀ ।

 

ମାଖନଚୌଧୁରିଙ୍କର ପାରିବାରିକ ସୁଖ ନାହିଁ । ହେଲେ ବଞ୍ଚିରହିବାର ମୋହ ଅଛି କେବଳ ଚନ୍ଦ୍ରାବତୀ ପାଇଁ ।

 

ଛୋଟ ଛପର ଘରଭିତରେ ଘରଚଟୀର ବସା ଦେଖି ଘଡ଼ିଏ ଚାହିଁ ରହନ୍ତି ମାଖନ୍‍ ଚୌଧୁରୀ । ମନଭିତରେ କୌତୁହଳ ଜାଗେ , ଟିକି ଚଢ଼େଇଟିଏ ଘରଚଟୀ, କିନ୍ତୁ ଘର କରିବାରେ କି ବିଚିତ୍ର ମୋହ ତା’ର । ଛୋଟ ଛୋଟ ଛୁଆମାନଙ୍କ ସେ ଆଧାର ଦେଉଛି, ନିଜେ ନଖାଇ ଛୁଆଙ୍କୁ ଖୋଉଛି, ଘରର ଏପାଖରୁ ସେପାଖକୁ ଉଡ଼ିଯାଇ ଆନନ୍ଦ ପାଉଛି । ହେଲେ ନିଜେ ମାଖନ୍‍ ଚୌଧୁରୀ ଏ ଛୋଟ ଘରଚଟୀଠାରୁ ମଧ୍ୟ ହୀନ ।

 

ଅନେକ ସମୟରେ ଏହି ଘରଚଟୀ ହିଁ ମାଖନ୍‍ ଚୌଧୁରୀଙ୍କ ମନରେ ମୋହ ଆଣେ । ଘରଚଟୀ ଉପରୁ ମୁହଁ ଫେରାଇ ଚନ୍ଦ୍ରାବତୀର ମୁହଁକୁ ଚାହାନ୍ତି ମାଖନ ଚୌଧୁରୀ । ପ୍ରାଣରେ ଖେଳିଯାଏ ଅସରନ୍ତି ଗ୍ଲାନି ।

 

ଏଇ ଚନ୍ଦ୍ରାବତୀ ପାଇଁ ଦିନେ ମାଖ୍‍ନ ଚୌଧୁରୀଙ୍କ ମନରେ ମୋହ ଆଣେ । ଘରଚଟୀ ଉପରୁ ମୁହଁ ଫେରାଇ ଚନ୍ଦ୍ରାବତୀର ମୁହଁକୁ ଚାହାନ୍ତିଁ ନାହିଁଚ।

 

ପରମୁହୂର୍ତ୍ତରେ ହସି ହସି ମାଖ୍‍ନ କହନ୍ତି—‘‘ନାଁ ......ମା ! ଏମିତି କ’ଣ ଭଲମନ୍ଦ କଥା ମନରେ ମନରେ ପଡ଼ିଗଲା । ଆଖିରେ ଲୁହଗ୍ରନ୍ଥି ଉପରେ ବା ମୋର କି ଆୟତ୍ତ ଅଛି ?’’

 

ନିରୁତ୍ତର ରହେ ଚନ୍ଦାବତୀ ।

 

ସେଦିନ ଏମିତି କେତେ କ’ଣ ସୁଖଦୁଃଖ ହେଉ ହେଉ ମାଖନ୍‍ ଚୌଧୁରୀ ଲୁଗାକଳକୁ ବାହାରି ଗଲେ । ଅବସର ଦେଖି ଚନ୍ଦ୍ରାବତୀ ବାହାରିଲା ହେମକାନ୍ତର ବସାକୁ ।

 

ଜୁନ୍‍ମାସ, ପ୍ରବଳ ଗ୍ରୀଷ୍ମ, କଲେଜ ବନ୍ଦ ଥାଏ । ହେମକାନ୍ତ ରହୁଥାଏ ବସାରେ । ଗାଁକୁ ଯିବାପାଇଁ ଇଚ୍ଛା କରେନି ହେମକାନ୍ତ । ଗାଁରେ ବା କ’ଣ ଅଛି ତା’ର ? ଅନ୍ୟ ଅଧ୍ୟାପକମାନେ ଘରକୁ ବାହାରିଲେ ତା’ ମନରେ ଦୁଃଖ ଲାଗେ, ବିଗତର ସ୍ମୃତି ହସିଉଠେ । ସେ ସବୁକୁ ପୁଣି ମନ ଭିତରେ ଚାପିରଖି ଶୂନ୍ୟ ଖଟିଖିଆ ଉପରେ ପଡ଼ିରହେ ହେମକାନ୍ତ । ଏଇ ଚିର ପରିଚିତ ଆପଣାର ଖଟିଖିଆ ତା’ର ଭାଇ ବନ୍ଧୁ, ଘର ଓ ନିଜର ।

 

ଅନେକ ପୁରୁଣା ଜିନିଷ ଏବେ ହେମକାନ୍ତର କୋଠରୀରୁ ବାଦ୍‍ ପଡ଼ିଲେଣି । କେତେ ନୂଆ ଜିନିଷ ଆସନ ଜମାଇଲେଣି । ହେଲେ ରହିଛି ଏ ଖଟିଆଟି । ମୂକ, ବଧୀର, ନିର୍ବାକ୍‍ ଭଳି ହେମକାନ୍ତର ସମସ୍ତ ଅଳି ଅର୍ଦ୍ଦଳି, ବୋଝ ସହି ।

 

ହେମକାନ୍ତ କଡ଼ ଲେଉଟାଇଲେ ଖଟିଆଟି କଟ୍‍କଟ୍‍ ହୁଏ...... ଯନ୍ତ୍ରଣା ଅନୁଭବ କରେ, କିନ୍ତୁ ପ୍ରତିବାଦ କରେନି ସେ । ସ୍ୱାଗତ ଜଣାଏ—ଜୀବନବ୍ୟାପୀ ହେମକାନ୍ତର ଭାର ବହିବାକୁ ।

 

ସେଦିନ ହେମକାନ୍ତର କୋଠରୀ ମଧ୍ୟକୁ ପଶି ଆସି ଆଶ୍ଚର୍ଯ୍ୟ ହୋଇ କିଛି ସମୟ ଠିଆ ହୋଇ ରହିଲା ଚନ୍ଦ୍ରାବତୀ । ହେମକାନ୍ତର କୋଠରୀର ଆଜି କି ପରିବର୍ତ୍ତନ? ଏ କି ନୂଆ ପରିପାଟୀ? ଅନେକ ଗୁଡ଼ିଏ ନୂଆ କିଣା ଜିନିଷ ଥାକ ଥାକ ହୋଇ ଥୁଆଯାଇଛି ଖଟିଆଟି ଉପରେ-। ତା’ ଦେହରେ ରହିଛି ଚା, ବିସ୍କୁଟ, ଘିଅ ମଇଦା ଓ ଫୁଲଦାନୀ ପାଖରୁ ଆରମ୍ଭ କରି—କେତେଗୁଡ଼ିଏ ନୂଆ ନୂଆ ଧରଣର କ୍ୟାଲେଣ୍ତର ପର୍ଯ୍ୟନ୍ତ ।

 

ଅନେକ କଥା ଚିନ୍ତା କରିବାରେ ଲାଗିଛି ଚନ୍ଦ୍ରାବତୀ । ହଠାତ୍‍ ଚନ୍ଦ୍ରାବତୀର ଚିନ୍ତାର ବାଧାଦେଇ ବାଥରୁମ୍‍ ଆଡ଼ୁ ପଶି ଆସୁ ଆସୁ ହେମକାନ୍ତ କହିଲା—‘‘ଆରେ ଚନ୍ଦ୍ରାବତୀ ! ଆସ..... ଆସ...., ମୁଁ ତୁମକୁ ହିଁ ମନେ ମନେ ଖୋଜୁଥିଲି । ଆପେ ଆପେ ତୁମେ ନ ଆସିଥିଲେ ହୁଏତ ମୋତେ ବର୍ତ୍ତମାନ ଯିବାକୁ ପଡ଼ିଥାନ୍ତା ।’’

 

ହେମକାନ୍ତର କଥା ପ୍ରତି ଲକ୍ଷ୍ୟ ନ ଦେଇ ଖଟିଆଟି ଉପରେ ବସି ଯାଉ ଯାଉ ଚନ୍ଦ୍ରାବତୀ କହିଲା—‘‘ଆଜି ଏ କି ନୂଆ କଥା । ମୁଁ ତ କିଛି ବୁଝିପାରୁନି । କ’ଣ ଆମକୁ ସବୁ ଆପଣ ନିମନ୍ତ୍ରଣ କରୁଛନ୍ତି ନାଁ କ’ଣ ?’’

 

ହସରେ ଫାଟି ପଡ଼ୁ ପଡ଼ୁ ହେମକାନ୍ତ କହିଲା—‘‘ନାଁ...ନାଁ ଠିକ୍‍ ତା’ ନୁହେଁ, ତଥାପି ତୁମକୁ କିନ୍ତୁ ଅନ୍ୟମାନଙ୍କୁ ନିମନ୍ତ୍ରଣ କରିବାକୁ ହେବ ।’’

 

ହେମକାନ୍ତର କଥା ଶୁଣି ଦୁଷ୍ଟାମୀର ହସ ହସିଲା ଚନ୍ଦ୍ରାବତୀ ।

 

ଠିକ୍‌ ସେହି ସମୟରେ ହୁଡ଼ୁକା ପବନ ତୁଆଏ ଖେଳିଗଲା କୋଠରୀଟି ମଧ୍ୟରେ । ଗୋଟିଏ ଦୁଇଟି ପୁରୁଣା କ୍ୟାଲେଣ୍ଡର ଖସିପଡ଼ିଲା ତଳେ ।

 

ହେମକାନ୍ତ କହିଲା—‘‘ହେଇ ଦେଖ....ଏ ପୁରୁଣା କ୍ୟାଲେଣ୍ଡର, ପୁରୁଣା ଟେବୁଲ କ୍ଲଥ୍ ଆଜି ବିପ୍ଲବ କରିଛନ୍ତି । ସେମାନଙ୍କୁ ତୁମେ ବହୁଦିନ ପରେ ମୁକ୍ତି ଦେବ । ସେ ସ୍ଥାପରେ ସଜାଇ ରଖିବ ଏଇ ନୂଆ ଜିନିଷଗୁଡ଼ିକୁ ।’’

 

‘‘କିନ୍ତୁ କାହିଁକି ? କ’ଣ ହେଇଛି ଶୁଣେ ।’’ ଚନ୍ଦ୍ରାବତୀର କଣ୍ଠରେ ରହସ୍ୟମୟୀ ଭାଷା ।

 

କଥାଟାକୁ ସହଜ କରିବା ପାଇଁ ହେମକାନ୍ତ କହିଲା—‘‘ନାଇଁ ଚନ୍ଦ୍ରାବତୀ, ତୁମପାଇଁ ମୋ ଜୀବନ ଗତି ବଦଳାଇଛି । ନୂଆ ପ୍ରବାହ ଆରମ୍ଭ ହୋଇଛି, ନୂଆ ଉପନ୍ୟାସ ସୃଷ୍ଟି କରିଛି, ନୂଆ ଦର୍ଶନତ ସଙ୍କେତ ପାଇଛି । ତେବେ ଏ ପୁରୁଣା ଜିନିଷଗୁଡ଼ିକ ଆଉ ଏ ଘରେ ରହିବ କାହିଁକି-? ନୂଆ ମନ ସହିତ ଏ ସ୍ଥାନରେ ନୂଆ ଜିନିଷ ରହୁ । ସେଥିରେ କ୍ଷତି କ’ଣ ଅଛି ?’’

 

ଝରକା ଦେଇ ବାହାର ଆକାଶକୁ ଚାହିଁଲା ଚନ୍ଦ୍ରାବତୀ । ଜୁନ୍‌ମାସର ପ୍ରଚଣ୍ଡ ରୁଦ୍ର ଆକାଶରେ ମଧ୍ୟ ନୂଆ ମେଘର ସଞ୍ଚାର । ଏ ବର୍ଷ ପାଇଁ ନୂଆ ବର୍ଷା ଆରମ୍ଭ ହେବ । ସେହି ନୂଆ ବର୍ଷା ପାଣିରେ ଗଜୁରି ଉଠିବ ନୂଆ ଧାନ, ବାଇଗଣ, କଖାରୁ, କଦଳୀ । ପୁରୁଣା ଗଛ ଝାଉଁଳିଛି । ସେଥିରେ ମୋହ ନାହିଁ କି ମମତା ନାହିଁ ।

 

ହେମକାନ୍ତର ବ୍ୟବହାର କୁହୁକ ଭଳି ଲାଗିଲା ଚନ୍ଦ୍ରାବତୀକୁ । ନିକଟକୁ ଲାଗି ଆସି କହିଲା—‘‘ସତ କହନ୍ତୁ..କ’ଣ ପାଇଁ ଏ ସବୁର ଆୟୋଜନ । ବଙ୍କା ବଙ୍କା କଥାରୁ ମୁଁ କିଛି ବୁଝି ପାରେନାହିଁ । ମୁଁ ଚାହେଁ ନିହାତି ସିଧା ବ୍ୟବହାର ।’’

 

ହେମକାନ୍ତ ବୁଝିଲା—ତା’ର ବ୍ୟବହାର ଚନ୍ଦ୍ରାବତୀକୁ କେବଳ କୁହୁକ ପରି ଲାଗୁଛି । ଅସ୍ଥିରା ହୋଇ କେବଳ ସତ୍ୟ ଉଦ୍‌ଘାଟନ କରିବାରେ ସେ ବ୍ୟସ୍ତା । ଧୀରେ ଅତି ଧୀରେ ଚନ୍ଦ୍ରାବତୀର ଚୂର୍ଣ୍ଣ କୁନ୍ତଳ ଦେହରେ ହାତ ରଖି ହେମକାନ୍ତ କହିଲା—‘‘ଆପଣାର ଲୋକକୁ କେବଳ ବଙ୍କେଇ ବଙ୍କେଇ କହି ହୁଏ । ରହସ୍ୟ ଭିତରେ ବୁଡ଼ାଇରଖି ଆନନ୍ଦ ପାଇବାକୁ ହୁଏ । କଥାରେ କହନ୍ତି—ବକ୍ର ଉକ୍ତିରେ ପରା ସବୁଠାରୁ ବଡ଼ ଆନନ୍ଦ । ତୁମ ଦେହଟା ଯଦି ଉଠା, ପଡ଼ା, ବଙ୍କା, ଟଙ୍କା ନ ହୋଇଥାନ୍ତା ତେବେ କ’ଣ ମୁଁ ତୁମକୁ ଏତେ ସ୍ନେହ କରି ପାରନ୍ତି ?’’

 

ଉଦ୍‌ବେଗରେ ଝୁଙ୍କି ପଡ଼ି ହେମକାନ୍ତକୁ ହଲେଇ ଦେଇ ଚନ୍ଦ୍ରାବତୀ କହିଲା–‘‘ନାଁ...ନାଁ...ସିଧା ସିଧା ମୋତେ ବୁଝାଇ ଦିଅନ୍ତୁ ହେମକାନ୍ତ ବାବୁ ! ମୋତେ ନ କହି ଦୁଃଖ ଦେଇ କ’ଣ ଆପଣ ସୁଖ ପାଇବେ ?’’

 

ଆଉ ନୀରବ ରହି ପାରିଲାନି ହେମକାନ୍ତ । ଚନ୍ଦ୍ରାବତୀର ପିଠି ଥାପୁଡ଼ାଇ ଥାପୁଡ଼ାଉ କହିଲା—‘‘ନାଁ..ଚନ୍ଦ୍ରାବତୀ ! କାଲି ମୋର ଜନ୍ମବାର୍ଷିକୀ । ଘର ଛାଡ଼ି ଆସିବା ଦିନଠାରୁ କେବେ ଏ ଜନ୍ମବାର୍ଷିକୀ ମୁଁ ପାଳିନାହିଁ । ବାପା ମାଆ ଥିବାବେଳେ ଏଇ ଦିନଟି ଥିଲା ଆମ ଘରର ବଡ଼ ପର୍ବ । ଘର ଛାଡ଼ିବା ପରେ ମୁଁ ଏ ପର୍ବକୁ ଭୁଲି ଯାଇଥିଲି । ତୁମ ସହିତ ବନ୍ଧୁତ୍ୱ ପୁଣି ସେ ପୂର୍ବ ସ୍ମୃତିକୁ ଫେରାଇ ଆଣିଛି । ମୁଁ ଆନନ୍ଦରେ ଜନ୍ମବର୍ଷିକୀ ପାଳନ କରିବାକୁ ଚାହେଁ । ଏଥିପାଇଁ ମୋର ବନ୍ଧୁମାନଙ୍କୁ ମୁଁ ଆଜି ନିମନ୍ତ୍ରଣ କରି ଆସିଛି ।’’

 

ହସରେ ଫାଟି ପଡ଼ୁ ପଡ଼ୁ କଥାର ମୋଡ଼ ବୁଲାଇ ଚନ୍ଦ୍ରାବତୀ କହିଲା—‘‘ବେଶ୍‌ ଭଲ କଥା । ବନ୍ଧୁମାନେ ଦୁଆରେ ଗୋଡ଼ ଦେବେ ଏହାଠାରୁ ଆଉ ସୁଖବର କ’ଣ ଥାଇପାରେ ? କିନ୍ତୁ ବନ୍ଧୁମାନଙ୍କର ଚର୍ଚ୍ଚା କରିବ କିଏ ? ଆଗରୁ କ’ଣ ହୋଟେଲରେ ବରାଦ ଦେଇଛନ୍ତି ?’’

 

ଲଜ୍ଜିତ ହେଲା ହେମକାନ୍ତ.....

 

କିନ୍ତୁ ସହଜ ଭାବରେ ମୁହଁ ବୁଲାଇ ହେମକାନ୍ତ କହିଲା—‘‘ନାଁ...ଚନ୍ଦ୍ରାବତୀ ! ହୋଟେଲରେ ଖବର ଦିଆଯାଇ ନାହିଁ । ମୁଁ ଜାଣେ.. ତୁମକୁ, ସବୁ କାମ ବଳେଇ ଯିବନାହିଁ । ତୁମ ଅପେକ୍ଷା କ’ଣ ହୋଟେଲ ବାଲା ମୋର ଏତେ ଆପଣାର ଯେ—ଅଧିକ କାମ କରି ପାରିବ ? ଅଧିକ ଚର୍ଚ୍ଚା କରି ପାରିବ ?’’

 

କୋଠରୀର ଛାତକୁ ଚାହିଁ ମୂକ ହୋଇ ଯାଉଥିଲା ଚନ୍ଦ୍ରାବତୀ... କାହିଁକି...କାହିଁକି ହେମକାନ୍ତ ବାବୁଙ୍କର ଏ ଆତ୍ମବିଶ୍ୱାସ ? କ’ଣ ବା ମୁଁ ଦେଇଛି ତାଙ୍କୁ ? ନୂଆଖାଲିରୁ କଟକ ଆସିବା ରାସ୍ତାରେ ମୁଁ ଯେତେ ଆନ୍ତରିକତା ବିତରଣ କରି ଆସିଛି...ତା’ ଦେହରୁ କାଣିଚାଏ ମଧ୍ୟ ପାଇ ନାହାନ୍ତି ହେମକାନ୍ତ । ତଥାପି....ହେମକାନ୍ତଙ୍କୁ ବନ୍ଦୀ କରି ପାରିଛି ମୋର ଆତ୍ମିକତା... ।

 

ଆଉ ଚିନ୍ତା କରି ପାରୁନି ଚନ୍ଦ୍ରାବତୀ ।

 

ଚନ୍ଦ୍ରାବତୀକୁ ନୀରବ ଦେଖି ହେମକାନ୍ତ ପୁଣି କହିଲା.... ‘‘କୁହ ଚନ୍ଦ୍ରାବତୀ ! ତୁମେ କ’ଣ ଏତିକ ପାରିବନି ?’’

 

ସାହାସ ଦେବା ସ୍ୱରରେ ଚନ୍ଦ୍ରାବତୀ କହିଲା—‘‘ସବୁକିଛି ମୁଁ ପାରିବି ହେମକାନ୍ତ ବାବୁ...ଆପଣଙ୍କ ଦୟା ହିଁ ଏସବୁ କରାଇ ନେବ ।’’

 

ଚନ୍ଦ୍ରାବତୀର କଥାକୁ ବିଶ୍ୱାସ କରି ପାରୁନାହିଁ ହେମକାନ୍ତ । ଦୟା... । କି ଦୟା ସେ ଦେଖାଇଛି ଚନ୍ଦ୍ରାବତୀକୁ ? ହେଇପାରେ..ସୃଷ୍ଟି ଛଡ଼ା ଚନ୍ଦ୍ରାବତୀକୁ ନିଜ ନିକଟରେ ଆସନ ଦେବା ହିଁ ଏକ ବିରାଟ ଦୟା ।

 

ଉଠିଲା ଚନ୍ଦ୍ରାବତୀ...

 

ବାର ବାର ଅନୁରୋଧ କଲାଭଳି ହେମକାନ୍ତ କହୁଥିଲା...କାଲି ଯେମିତି ସହଜ ସହଜ ଆସି କାମ ଆରମ୍ଭ କରିଦିଅ ଚନ୍ଦ୍ରାବତୀ । ଅତିଥୀ ବେଶୀ ନୁହଁନ୍ତି । ମାତ୍ର ଦଶ କୋଡ଼ିଏ ଜଣ । ମୁଁ ମଧ୍ୟ ତୁମକୁ ସାହାଯ୍ୟ କରିବି । ଅସୁବିଧା କିଛି ନାହିଁ ।

 

ଉଲ୍ଲସିତ ଚିତ୍ତରେ ପଦାକୁ ବାହାରି ଯାଉଥିଲା ଚନ୍ଦ୍ରାବତୀ । ବାହାର ପାଉଛରେ ଗୋଡ଼ ଦେଇ ଭାବୁଛି ସେ....କି ମୁହୂର୍ତ୍ତରେ ପାଉଛରେ ଗୋଡ଼ ଦେଇଥିଲି...କେଜାଣି...ଜୀବନ ସଫଳ ହୋଇଛି...ମାଦକତା ବଢ଼ିଛି..ସବୁ କିଛି ବଢ଼ିଛି ।

 

ଆଜି ଚନ୍ଦ୍ରାବତୀ ନିଜ ଘରକୁ ଫେରିଲା ବେଳକୁ ସବୁ କିଛି ନୂଆ ନୂଆ ଭାବୁଛି । ମନରେ ନୂଆ ଅନୁଭୂତି, ନୂଆ ଅଭିଳାଷ । ଦ୍ୱି’ପ୍ରହରର ସୂର୍ଯ୍ୟତାପରୁ ସେ ଅନୁଭବ କରୁଛି ଶୀତ ରାତିର ମାଦକତା । ପାଦର ଗତି ଦୋହଲି ଯାଉଛି । ମନର ଗତି ସହିତ ସମତା ରକ୍ଷା କରି ପାରୁନି ଅସ୍ଥିର ସ୍ରୋତମୁଖୀ ପାଦ ।

 

ବସା ଘରର ସମ୍ମୁଖରେ ପହଞ୍ଚିଲା ଚନ୍ଦ୍ରାବତୀ । ମନେ ମନେ ଅନୁଭବ କଲା ସତେ ଯେମିତି କଟକ ସହରର ଏଇ ନୁଆଣିଆଁ ଚାଳଘରଟି ନୂଆଖାଲିର ବିରାଟ ଦ୍ୱିତଳ ପ୍ରାସାଦ ପାଲଟି ଯାଇଛି । ସେହି ଦ୍ୱିତଳ ପ୍ରାସାଦର ମୁଲାମ ଗାଲିଚା ଉପରେ ଚପଳ କିଶୋରୀ ପରି ନାଚୁଛି ଚନ୍ଦ୍ରାବତୀ ।

 

କିନ୍ତୁ ଆଜି କାହିଁକି ଏ ଅନୁଭୂତି ? ଅନେକ କିଛି ବିଶ୍ଲେଷଣ କରୁଛି ଚନ୍ଦ୍ରାବତୀ । ନାରୀ ଜୀବନର ଏହି ବିଶ୍ଲେଷଣ ପ୍ରବୃତ୍ତି ହିଁ ନାରୀତ୍ୱକୁ ବଳିଷ୍ଠ କରେ । ସାଂସାରିକ ଜ୍ଞାନ ବଢ଼ାଏ । କେବଳ ଚନ୍ଦ୍ରବାତୀ ନୁହେଁ...ଯେ କେହି ତରୁଣୀ ରୂପ ବନ୍ୟାର ତରଙ୍ଗରେ ଜୀବନ ବିଳାସୀ ହେବାର ବିଚିତ୍ରତା ନାହିଁ ।

 

ଆଜି ନୂଆକରି ହୃଦୟର ପରିପୂର୍ଣ୍ଣ ଉପଭୋଗ କଥା ଭାବିବାରେ ଲାଗିଛି ସେ, ହେମକାନ୍ତର ଦେହକୁ ଜୟ କରିଥିଲା ସେ । ହେମକାନ୍ତ ତା’ର ରୂପଲୋଭା ଦେହକୁ..ଶଙ୍କାହୀନ ବ୍ୟବହାରକୁ ନିଜର କରିଥିଲା । ଆଜି ସେହି ଅଧ୍ୟାପକ ହେମକାନ୍ତ..ଚନ୍ଦ୍ରାବତୀକୁ ନିଜର ଲୋକବୋଲି ଭାବିଛନ୍ତି । ଏହାଠାରୁ ଅଧିକ କି ଚରମ ସଫଳତା ବା’ ଥାଇପାରେ ଚନ୍ଦ୍ରାବତୀ ନିକଟରେ ?

 

ନୂଆଖାଲିରୁ ଜୀବନ ବିକଳରେ ଆତ୍ମଗୋପନ କରି ପଳାଇ ଆସିବା ଦିନ କ’ଣ ଚନ୍ଦ୍ରାବତୀ କେବେ ସ୍ୱପ୍ନରେ ସୁଦ୍ଧା ଭାବିଥିଲା ଯେ ଅଧ୍ୟାପକ ହେମକାନ୍ତଙ୍କ ପରି ପୁରୁଷ ତା’ର ନିକଟକୁ ଟାଣି ହୋଇ ଆସିବେ ? ତା’ ଭିବିଥିଲେ ସେ ନିଜକୁ ଅନେକ ପରିମାଣରେ ସଂଯତ କରି ପାରିଥାନ୍ତା । ଏ ସବୁ କଥା ଚିନ୍ତା କଲେ ଭାଗ୍ୟବାଦୀ ହେବାକୁ ବାଧ୍ୟ ହୁଏ ଚନ୍ଦ୍ରାବତୀ ।

 

ପୁଣି ମନର ମଙ୍ଗ ମୋଡ଼ି ହୋଇଯାଏ । ପ୍ରବଳ ବେଗରେ ହସି ଉଠି ଚନ୍ଦ୍ରାବତୀ କହେ...‘‘ନାଁ....ନାଁ...ଏ ସବୁ ମୋ ପରି ଜଣେ ସୁଦକ୍ଷା ଯାଦୁକରର ଖେଳ । ମୁଁ ଖେଳ ଜାଣେ । ମୁଁ ଖେଳେଇ ଜାଣେ । ନାରୀ ପ୍ରାଣରେ ଯେଉଁ ଅହେତୁକୀ ମାୟା ଆତ୍ମଗୋପନ କରିଛି ସେହି ମାୟା ହିଁ କରିଛି ହେମକାନ୍ତଙ୍କ ପରି ପ୍ରବୀଣ ଅଧ୍ୟାପକଙ୍କୁ ବନ୍ଦୀ !’’

 

ଏକ ମୁହାଁ ହୋଇ ଘର ଭିତରକୁ ପଶି ଆସିଲା ଚନ୍ଦ୍ରାବତୀ । ଏକୁଟିଆ ଘର । ବାପା ଫେରି ନାହାଁନ୍ତି । ସେହି ଶୂନ୍ୟ କୋଠରୀରେ ତାକୁ ଦିନଟା ସାରା କେବଳ ଅପେକ୍ଷା କରିବାକୁ ହେବ । ବେଖିଆଲୀ ଭାବେ ଚାଳ ଦେହରେ ଝୁଲୁଥିବା ଅଲୁଗୁଣୀଟାକୁ ଆଉଜି ଛିଡ଼ା ହୋଇଗଲା ଚନ୍ଦ୍ରାବତୀ ।

 

ହଠାତ୍‌ ହଲିଉଠିଲା ଅଲୁଗୁଣୀଟି...

 

ଅଯତ୍ନ ଭାବରେ ଅନେକ ଦିନରୁ ରଖାଯାଇଥିବା କେତୋଟି ବ୍ଲାଉଜ୍‌, ସାୟା, ଶାଢ଼ି ଖସିପଡ଼ିଲା ଅଲୁଗୁଣୀ ଉପରୁ । ଚମକି ପଡ଼ିଲା ଚନ୍ଦ୍ରାବତୀ । ଠିକ୍‌ ଏତିକିବେଳେ କିଚିରି ମିଚିରି କରି ରାବିଉଠିଲା ଘରଚଟୀଟି । ଥରିଲା ପାଦରେ ଚନ୍ଦ୍ରାବତୀ ଦୁଇ ପାଦ ଆଗେଇ ଯାଇ ଉଠାଇ ଆଣିଲା ବ୍ଲାଉଜ୍‌ ଓ ସାୟ ଗୁଡ଼ିକୁ ।

 

ବସାରୁ ବାହାରି ଘରଚଟୀଟି ଖଣ୍ଡିଉଡ଼ା ଦେବାକୁ ଆରମ୍ଭ କରି ଦେଇଛି ।

 

ଘରଚଟୀ ପ୍ରତି ଦୃଷ୍ଟି ନ ରଖି ସତେ ଯେମିତି ଚନ୍ଦ୍ରାବତୀ ଏଇ ସାୟା ଓ ବ୍ଲାଉଜ୍‌ ଭିତରୁ ଖୋଜୁଛି ବହୁତ କିଛି । ଅନେକ ଦାମିକା ଏ ଶାଢ଼ି, ସାୟା ଓ ବ୍ଲାଉଜ୍‌ । ହୁଏତ ଅଧ୍ୟାପକ ହେମକାନ୍ତଙ୍କର ଗୋଟାଏ ମାସର ପାରିଶ୍ରମିକ ସହିତ ସମାନ । କିନ୍ତୁ ଏ ସବୁକୁ ଗୋଟାଏ ରାତିରେ ରୋଜଗାର କରିଥିଲା ଚନ୍ଦ୍ରାବତୀ । ଏ ଶାଢ଼ି, ସାୟା, ବ୍ଲାଉଜ କେଉଁ ଗାଦିମଡ଼ା ସ୍ମୃତିର ସ୍ମାରକୀ ନୁହେଁ—ଏକ ବିଗତରି ଶବାଧାର । ଏଇ ସାମାନ୍ୟ କେତେ ଖଣ୍ଡ ପରିଧାନ ଭିତରେ ସେଦିନ ବନ୍ଦିନୀ ହୋଇଥିଲା ଚନ୍ଦ୍ରାବତୀ ।

 

ସେ କଫିନ୍‌ରେ ସଜଫୁଟା ଗୋଲାପ ଫୁଲର ମହକ ନାହିଁ । ଅଛି କେବଳ ଛାତିଫଟା ହା...ହା...କାର । ହୃଦୟଫଟା କାରୁଣ୍ୟ । ପଚନଶୀଳ ଶବ ଯେମିତି ପଚି ସଢ଼ି ନଷ୍ଟ ହୋଇଯାଏ....ଦୁର୍ଗନ୍ଧରେ ନାକ ଫଟାଏ...ସେମିତି ଆଜି ଚନ୍ଦ୍ରାବତୀର ସମଗ୍ର ଶରୀର ପଚି ଯିବାକୁ ବସିଛି । ଏ ଶବର ବାହକ ଅନ୍ୟ କେହି ନୁହେଁ..ନିଜେ ଚନ୍ଦ୍ରାବତୀ । କାତର ଭାବେ ପରିଧାନ ଗୁଡ଼ିକୁ ଦୂରକୁ ଫିଙ୍ଗି ଦେଲା ଚନ୍ଦ୍ରାବତୀ ।

 

ଦୃଢ଼ ବେଗରେ ଘର ଭିତରେ ଏପାଖରୁ ସେପାଖକୁ ଉଡ଼ିବାକୁ ଲାଗିଛି ଘରଚଟୀଟି । ହୁଏତ ଭୋକିଲା ବିରାଡ଼ିର କ୍ରନ୍ଦନ ଶୁଣି କାତର ଭାବେ ଉଡ଼ିବାକୁ ଲାଗିଛି ଘରଚଟୀ ।

 

ନାଁ...ଆଉ ହେବନି । ଚନ୍ଦ୍ରାବତୀ ପ୍ରତି ଘରଚଟୀର ବିଦ୍ରୂପକୁ ସହି ପାରିବନି ଚନ୍ଦ୍ରାବତୀ । କ୍ରୋଧାନ୍ୱିତା ହୋଇ ଲୁଗା, ବ୍ଲାଉଜ୍‌ଗୁଡ଼ିକୁ ଘରଚଟୀ ଉପରକୁ ଫିଙ୍ଗିଲା ଚନ୍ଦ୍ରାବତୀ । ଛୋଟ ଘର, ଦ୍ୱାର ବନ୍ଦ୍‌, ଦୂରକୁ ଯାଇ ପାରୁନି ଘରଚଟୀ । ଉଡ଼ି ଉଡ଼ି ବେଦମ୍‌ହୋଇ ପଡ଼ିଲାଣି ସେ । ଡେଣାର ଜୋର କମି କମି ଆସୁଛି...ଦେହ ଅବଶ ହୋଇ ଆସୁଛି...

 

ହେଲେ ବେଳକୁ ବେଳ ରାଗ ବଢ଼ିଛି ଚନ୍ଦ୍ରାବତୀର । ପୁଣି ମନେ ପକାଉଛି ଚନ୍ଦ୍ରାବତୀ । ହେମାକାନ୍ତର ସହିତ ବନ୍ଧୁତା ସ୍ଥାପନ ଦିନ ଏଇ ଘରଚଟୀ ବାଟ ଓଗାଳି ବାଧା ଦେଇଥିଲା...ସାହୀବାଲା ଘର ଆକ୍ରମଣ କଲାଦିନ ଏଇ ଘରଚଟୀ ଏପାଖ ସେପାଖ ଉଡ଼ି ଅଶୁଭ ସୂଚନା ଦେଇଥିଲା । ଆଜି ହେମକାନ୍ତ ତାକୁ ନିଜର ଘର ମଣିଷ ଭାବେ ଗ୍ରହଣ କଲାବେଳେ ଏଇ ଘରଚଟୀ ପ୍ରତିବାଦ କରୁଛି । ତାକୁ ଶେଷ କରିବାକୁ ହେବ । ତାକୁ ଘରୁ ନିକାଲିବାକୁ ହେବ । ହୁଏତ ନୂଆଖାଲିର ଦ୍ୱିତଳ ପ୍ରାସାଦର ସ୍କାଇଲାଇଟ୍‌ ଦେହରେ ଘରଚଟୀଟିଏ ବସାବାନ୍ଧି ନ ଥିଲେ.. ଚନ୍ଦ୍ରାବତୀର ଏ ଅବସ୍ଥା ହୋଇ ନ ଥାନ୍ତା । ଆଉ ଅଧିକ କିଛି ଚିନ୍ତା କରିପାରିନି ଚନ୍ଦ୍ରାବତୀ, ସତେ ଅବା ପାଗଳୀ ହୋଇ ଉଠିଛି ସେ ।

 

ଘରଚଟୀ ଉପରେ ଆରମ୍ଭ କରିଛି ଘନ ଘନ ଆକ୍ରମଣ । ବିଚରା ଘରଚଟୀ ଆଉ ଉଡ଼ି ପାରୁନାହିଁ, ପୁଳା ପୁଳା ପର ଛିଡ଼ି ଜମା ହୋଇ ପଡ଼ୁଛି ତଳେ । ବିଜୟ ଗର୍ବରେ ଚନ୍ଦ୍ରାବତୀ ଆଘାତ କରୁଛି ଘରଚଟୀକୁ ।

 

ଆଉ ନୁହେଁ....

 

ଘରର ଗୋଟାଏ କଣରେ ଖଣ୍ଡିଉଡ଼ା ଦେଇ କଚାଡ଼ି ହୋଇ ପଡ଼ିଲା ଘରଚଟୀ । ଦ୍ୱିଗୁଣିତ ପ୍ରତିହିଂସାରେ ଛୋଟ ଘରଚଟୀ ଉପରକୁ ଝାମ୍ପାଦେଇ ଲୁଗା ସହିତ ମାଡ଼ି ବସିଲା ଚନ୍ଦ୍ରାବତୀ । ଚିତ୍କାର କରି ଉଠୁଛି ଘରଚଟୀ । ଛୋଟ ଛୋଟ ପରଗୁଡ଼ିକ ଛିଡ଼ି ବିଛାଡ଼ି ହୋଇ ପଡ଼ୁଛି ଭୂଇଁ ଉପରେ । ହସରେ ଫାଟି ପଡ଼ୁଛି ଚନ୍ଦ୍ରାବତୀ ।

 

‘‘ସଇତାନ...ମୋରି ବସାରେ ରହି ମୋର ଅମଙ୍ଗଳ କାମନା ମୁଁ ତୋତେ ଶେଷ କରି ଦେବି । ଆଜି ବୁଝିବୁ ଚନ୍ଦ୍ରାବତୀ କେଡ଼େ ନିର୍ଦୟ..କେଡ଼େ ନିଷ୍ଠୁର ।’’

 

ଥରି ଥରି ସ୍ଥିର ହୋଇଗଲା ଘରଚଟୀ.. । ଠିକ୍‌ ସେହି ସମୟରେ ଘରର ଦୁଆର ମୁହଁରେ କବାଟକୁ ଆଘାତ କରି ଡାକିଲେ ମାଖନ୍‌ଚୌଧୁରୀ—‘‘ମା..ଘରେ ଅଛୁ ?’’

 

ରକ୍ତାକ୍ତ ଚଢ଼େଇଟିକୁ ହାତରେ ଧରି କବାଟ ଖୋଲିଲା ଚନ୍ଦ୍ରାବତୀ । ଚମକି ପଡ଼ିଲେ ମାଖନ୍‌ ଚୌଧୁରୀ—‘‘ଏ କ’ଣ ମା ! ମୋର ନିର୍ଜନତାର ଏକମାତ୍ର ସାଥୀ ଘରଚଟୀଟିକୁ ତୁ ମାରି ପକାଇଲୁ ?’’

 

ପ୍ରତିହିଂସାରେ ଜଳୁ ଜଳୁ ଚନ୍ଦ୍ରାବତୀ କହିଲା..‘‘ଏ ଚଢେଇଟି ତୁମର ସାଥୀ ନୁହେଁ ବାପା-! ତୁମର ଚିର ଶତ୍ରୁ । କେବଳ ଇଆରି ପାଇଁ ହିଁ ଜଗତର ସବୁ ଅମଙ୍ଗଳ । ଏବେ ଦେଖ...ଆମର ଏଇ ଛୋଟ ଘର ସୁନା ପାଲଟି ଯିବ ।’’

 

ଦୀର୍ଘ ନିଃଶ୍ୱାସ ପକାଇ କପାଳରେ ହାତ ରଖି ଭୂଇଁ ଉପରେ ବସି ପଡ଼ିଲେ ମାଖନ୍‌ଚୌଧୁରୀ । ତାଙ୍କ ଅନ୍ତର ଭିତରୁ ଏକ ବେଦନାର ସ୍ୱର ଉଠିଲା । ସେ ସ୍ୱର କିନ୍ତୁ ଶୁଭୁ ନ ଥିଲା ଚନ୍ଦ୍ରାବତୀକୁ । ସେ ଏକ ନିଃଶବ୍ଦସ୍ୱର । ଅନାଦି କାଳରୁ ଏ ସ୍ୱରରୁ ଝଙ୍କାର ଉଠୁଛି । କିନ୍ତୁ ଶୁଭୁନାହିଁ ସମସ୍ତିଙ୍କି । ଏ ସ୍ୱରକୁ ଯିଏ ଶୁଣିପାରେ..ସେ କେବଳ ହାୟ...ହାୟ ହୋଇ ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତ କଥା ଚିନ୍ତା କରି କରି ମରେ । ମନର ରାଜ୍ୟରେ ସେ ସ୍ୱରର ତରଙ୍ଗ ଚମକ ଖେଳାଏ ।

 

ଚଢ଼େଇଟିକୁ ଫିଙ୍ଗିଦେଇ ମୁହଁ ଖୋଲିଲା ଚନ୍ଦ୍ରାବତୀ—‘‘ଏମିତି ଅକ୍‌କା ହୋଇ ବସିଗଲା କାହିଁକି ବାପା ? କ’ଣ ହେଇଛି ? ଆଜି ଏଡ଼େ ସହଜ ଚାଲି ଆସିଲ କେମିତି ?’’

 

ଉତ୍ତର ଦେଇ ପାରିଲେ ନି ମାଖନ୍‌ଚୌଧୁରୀ । କିଛି ସମୟ ଗୁମ୍‌ମାରି କହିଲେ–‘‘କହିବି ମା ! ମୋତେ ଗିଲାସେ ପାଣି ପ୍ରଥମେ ପିଇବାକୁ ଦେ ।’’

 

ମାଟି ମାଠିଆରୁ ପାଣି ଗଡ଼ାଇ ବାପାଙ୍କ ବାପାଙ୍କ ହାତକୁ ବଢ଼ାଇ ଦେଲା ଚନ୍ଦ୍ରାବତୀ । ଆଶାପୂର୍ଣ୍ଣ କରି ପାଣି ପିଇଲେ ମାଖନ୍‌ଚୌଧୁରୀ । ଅନେକ ସମୟରେ ଏ ମାଠିଆର ପାଣିକୁ ନିର୍ବିକାର ଚିତ୍ତରେ ପିଇଯାଆନ୍ତି ସେ । କଟକ ସହରର ପାଣି ପାଇପାରୁ ପାଣି ନ ବାହାରୁଥିଲେ ମଧ୍ୟ ଯେଉଁ ପାଣି କଷ୍ଟରେ ଚନ୍ଦ୍ରାବତୀ ସଂଗ୍ରହ କରି ଆଣେ—ସେ ହୁଏ ମାଖନ୍‌ଚୌଧୁରୀଙ୍କର କୋଟିନିଧି ଜଳଖିଆ ।

 

ଦିନେ ହୁଏତ ଏଇ ମାଖନ୍‌ଚୌଧୁରୀଙ୍କୁ ଉପମା...ଦୋସା...ଖିରିମୋହନ ଭଲ ଲାଗୁ ନ ଥିଲା । ଆଜି କିନ୍ତୁ...କଟକ ସହରର ଔଷଧହୀନ କୀଟାଣୁଯୁକ୍ତ ପାଇପ୍‌ ପାଣିକୁ ସେ ପିଇ ଯାଆନ୍ତି ଆଦରରେ । ଚନ୍ଦ୍ରାବତୀ ପ୍ରଶ୍ନକଲେ ସେ କହନ୍ତି..ମୋତେ ଭୋକ ନାହିଁ ମା ! ତୁ ଖାଇ ଶୋଇ ଯା, ମୁଁ ପରେ ଖାଇବି । ଦିନକରେ ଓଳିଏ ଖାଇଲେ ଯଥେଷ୍ଟ, ତା’ପରେ କେବଳ ପାଇପ୍‌ପାଣି ହିଁ ମାଖନ୍‌ବାବୁଙ୍କର ଆଦରର ପାନୀୟ ।

 

ମାଖନ୍‌ବାବୁଙ୍କୁ ବାହାରେ ଦେଖିଲେ ତାଙ୍କ ଅବସ୍ଥାର ବିଚାର କରିବା କଷ୍ଟକର କଥା । କେବଳ ଏଇଥିପାଇଁ ଯେତେବେଳେ ମାଖନ୍‌ଚୌଧୁରୀ ନୂଆ କରି କଟକ ମାଟିରେ ଗୋଡ଼ ଦେଲେ–ସେତେବେଳେ ଅନେକ ଭାବିଲେ ଯେ—ମାଖନ୍‌ଚୌଧୁରୀ ପାକିସ୍ଥାନୀ ଗୁପ୍ତଚର । ତା’ପରେ କେତେକ ଭାବିଲେ...ମାଖନ୍‌ବାବୁ ଜଣେ ବଡ଼ ଡାକୁ ସର୍ଦ୍ଦାର । ପରେ ପରେ ଏ ସବୁ ଭାବନା ଦୂରେଇ ଗଲା । ମାଖନ୍‌ବାବୁ ଜୀବନ ସହିତ ଯୁଦ୍ଧ କଲେ ।

 

ଆଜି ଯେ କଟକ ସହରର ସାହୀବାଲାଙ୍କଠାରୁ ମାଖନ୍‌ବାବୁଙ୍କ ଗଞ୍ଜଣା ସହିବାକୁ ପଡ଼େ ନାହିଁ...ତାହା ନୁହେଁ । ମାସକୁ ମାସ ଏ ସାହୀ ଭିତରେ ନାନା ଚାନ୍ଦାର ହିସାବ ଫର୍ଦ୍ଦ ଆସେ । ପାଖରେ ପଇସା ନ ଥିଲେ ମାଖନ୍‌ ମୁଣ୍ଡ ହଲାନ୍ତି । ତା’ପରେ ଚାଲେ ସାହୀବାଲାଙ୍କ ଗୁଣ୍ତାମୀ । ତାଗିଦା କରି କେହି କେହି କହନ୍ତି—‘‘ଯାବେ ଶଳା ଭଡ଼ାଟିଆ..ଏଇ ବର୍ଷ ଅଗିରା ପୂନେଇକି ଦେଖିନେବା ତୋତେ ।’’

 

ଡରିଯାଆନ୍ତି ମାଖନ୍‌ଚୌଧୁରୀ । କାରଣ ସେ ଜାଣନ୍ତି...କଟକ ସହରର ସାହୀବାଲାଙ୍କ ନିକଟରେ ଭଲ ମନ୍ଦ ବୋଲି କିଛି ନାହିଁ । ଅସମ୍ଭବ ବୋଲି କିଛି ନାହିଁ । ସେମାନେ କରି ପାରନ୍ତି ସବୁକିଛି । ଏମିତି ଭାବୁ ଭାବୁ ଅନେକ ସମୟରେ ଢୋଳାଇ ପଡ଼ନ୍ତି ମାଖନ ଚୌଧୁରୀ ।

 

ସେଦିନ ସେମିତି ବସୁ ବସୁ ଢୋଳାଇ ପଡ଼ୁଥିଲେ । ହଠାତ୍ ଚନ୍ଦ୍ରାବତୀ ହଲାଇ ଦେଇ କହିଲା—‘‘ବାପା ! କ’ଣ ହେଇଛି କହିଲା ନାହିଁ ଯେ ? ଏମିତି ବସି କି ଚିନ୍ତା ତୁମେ କରୁଛ ?’’

 

ମାଖନ ଚୌଧୁରୀ ଗଣ୍ଡଦେଇ ବହିଗଲା ଦୁଇଧାରା ଲୁହ । ସେ ଚନ୍ଦ୍ରାବତୀକୁ ଆଉଜାଇ ନେଲେ ନିଜ ଛାତି ନିକଟକୁ । ଅନେକ ଦିନ ପରେ ଆଜି ଏ ଆଶ୍ଲେଷ । ହୁଏତ ନୂଆଖାଲି ଛାଡ଼ିବା ପରେ ଆଉ ସେ ଚନ୍ଦ୍ରାବତୀକୁ କୋଡ଼କୁ ଟାଣିନେଇ ନ ଥିଲେ । ଅନେକ ସମୟ ପରେ ଚେତନା ଆସିଲା ମାଖନ୍‌ଚୌଧୁରୀଙ୍କର । ଝିଅ ବଡ଼ ହେଇଛି । ତାକୁ ଆଉ କୋଡ଼ରେ ପୂରାଇ ହେବନାହିଁ । ଧୀରେ ପୁଣି ସେ ଚନ୍ଦ୍ରାବତୀକୁ ଉଠାଇ ଦେଲେ କୋଳ ଉପରୁ । ତା’ପରେ ମୁଣ୍ଡରେ ହାତ ମାରୁ ମାରୁ କହିଲେ—‘‘ପାରିଲିନି ମା ! ବାପା ହେଇ ତତେ ଆଉ ଜୀବନବ୍ୟାପୀ ପରିଶ୍ରମ କରି ମୁଁ ମଣିଷ ଭାବରେ ଦେଖି ପାରିଲି ନି । ତେତେ ପାପ ଆଉ କରିବି ମୁଁ ?’’

 

ଆଶ୍ଚର୍ଯ୍ୟ ହୋଇ ବାପାଙ୍କ ମୁହଁକୁ ଚାହିଁଲା ଚନ୍ଦ୍ରାବତୀ—‘‘କ’ଣ ହୋଇଛି ବାପା ! ତୁମେ ଏମିତି ଅସ୍ଥିର ହେଉଛ କାହିଁକି ?’’ ବୃଦ୍ଧ ମାଖନ୍‍ ଚୌଧୁରୀଙ୍କର କଣ୍ଠ ରୁଦ୍ଧ ହୋଇ ଆସୁଥିଲା । କଣ୍ଠ ଥରାଇ ସେ କହିଲେ—‘‘ବହୁ ବାରଣ କଲି କିନ୍ତୁ ହେଲାନି ମା...ହେଲାନି ।’’..

 

ପୁଣି ଥରେ ଉଦ୍‌ବେଗର ସହିତ ଚନ୍ଦ୍ରାବତୀ କହିଲା..‘‘କ’ଣ ହେଲାନି କୁହ ବାପା ! ଏମିତି ଦୁଃଖ କରି ଲାଭ କ’ଣ ?’’

 

ଆଖିରୁ ଲୁହ ପୋଛି ମାଖନ୍‌ବାବୁ କହିଲେ...ଆସନ୍ତା କାଲି ଲୁଗାକଳର ବାର୍ଷିକ ଉତ୍ସବ । ମାନ୍ୟଗଣ୍ୟ କର୍ମକର୍ତ୍ତା ଏ ଉତ୍ସବରେ ଯୋଗ ଦେବାକୁ ଆସୁଛନ୍ତି । ମ୍ୟାନେଜର ସୁଖାଡ଼ିଆଙ୍କର କଡ଼ା ନିର୍ଦ୍ଦେଶ, ତୋତେ କାଲି ଅତିଥି ଚର୍ଚ୍ଚ କରିବାପାଇଁ ଯିବାକୁ ହେବ ।’’

 

ଆକାଶକୁ ପଡ଼ିଲା ପରି ଗୁମ୍‌ମାରି ବସିପଡ଼ିଲା ଚନ୍ଦ୍ରାବତୀ । ସେ ଜାଣେ..ଅତିଥି ଚର୍ଚ୍ଚା ପାଇଁ ନ ଗଲେ କି ଭୟଙ୍କର ପରିସ୍ଥିତି ହେବ । ବାପାଙ୍କ ଚାକିରି ଯିବ । ମ୍ୟାନେଜରଙ୍କର ଜୁଲମ୍‌ ବଢ଼ିବ । ଶେଷରେ କଟକରୁ ମଧ୍ୟ ରିଫୁଇଜି ହୋଇ ଯିବାକୁ ପଡ଼ିବ ଅନ୍ୟଆଡ଼େ !

 

ଏଇ ଚାକିରୀ ଖଣ୍ଡକ ଯୋଗାଡ଼ କରିବାକୁ କମ୍‌ ପରିଶ୍ରମ କରିବାକୁ ହୋଇ ନ ଥିଲା ତାକୁ । ଏଥିପାଇଁ ଅନ୍ୟର ଦ୍ୱାରସ୍ଥ ହୋଇଥିଲା । ଦେହ ଦେଇଥିଲା । ମନ ଦେଇଥିଲା । ସେହି ଅଧିକାରକୁ ଜାହିର କରିବା ଲାଗି ଆଜି ଏ ଡାକରା । ସେ ବେଶ୍‌ଜାଣେ..ତାକୁ କି କାମ କରିବାକୁ ହେବ ।

 

ତେବେ କ’ଣ ଅତିଥି ଚର୍ଚ୍ଚା ପାଇଁ ଯିବାକୁ ବାରଣ କରି ଦେବ ଚନ୍ଦ୍ରାବତୀ... ?

 

ନାଁ...ନାଁ...ବାପା ଭାଙ୍ଗି ପଡ଼ିବେ । ନିଜର ସ୍ଥିତି ପୁଣି ଅସ୍ଥିର ହୋଇ ଉଠିବ । କ’ଣ ତେବେ ସେ କରିବ ଆଜି । ଗୋଟିଏ ପାଖରେ ଅଧ୍ୟାପକ ହେମକାନ୍ତ—ଅନ୍ୟ ଗୋଟିଏ ପାଖରେ ଲୁଗାକଳର ମ୍ୟାନେଜର ଧନୀ ସୁଖଡ଼ିଆ... ।

 

ପରାଜିତ ହେଲା ସମସ୍ତ ଆଦର୍ଶ..ସମସ୍ତ ମତବାଦ । ଆଖିରୁ ଲୁହ ପୋଛି ଚନ୍ଦ୍ରାବତୀ କହିଲା—‘‘ଦୁଃଖ କରନା ବାପା ! ଗୋଟିଏ ଭାବୀ ସ୍ୱର୍ଗରାଜ୍ୟର ପ୍ରତିଷ୍ଠାପାଇଁ ମୁଁ ସବୁ କିଛି ପାପ କରିପାରିବି । ତୁମେ ନୀଳକଣ୍ଠ ହୁଅ, ଏ ଶତାବ୍ଦୀର ବିଷ ପାନ କରି ଶିଖ । ତୁମରି ଆଖି ଆଗରେ ଯେତେବେଳେ ତୁମର ଆଦରର ଝିଅ ଉପରେ ଏ ମଣିଷ ଅତ୍ୟାଚାର କରିପାରିଛି—ସେତେବେଳେ ଆଉ ଅଧିକି ଭୟ ଅଛି ? ମୁଁ ଯିବି...ଆଉ ସୁଖାଡ଼ିଆଙ୍କୁ ଅନୁରୋଧ କରିବି ମୋତେ ମୁକ୍ତି ଦେବାପାଇଁ ।’’

 

ସବୁ ଶୁଣି କିଛି ନ ଶୁଣିଲା ଭଳି ଚାହିଁ ରହିଥାଆନ୍ତି ମାଖନ୍‌ଚୌଧୁରୀ ।

 

ଏ ମଣିଷ ନିକଟରେ କିଛି ଅସମ୍ଭବ ନୁହେଁ । ଏଇ ମଣିଷ ଚୋର, ଏଇ ମଣିଷ ସାଧ, ଧର୍ମ ପ୍ରଚାରକ । ଏଇ ମଣିଷ କରେ ଅତ୍ୟାଚାର—ପୁଣି ସହେ ମଧ୍ୟ ଏଇ ମଣିଷ । ମଣିଷକୁ ସିଂହ ଆକ୍ରମଣ କରିବା ବିଚିତ୍ର ହୋଇପାରେ—କିନ୍ତୁ ମଣିଷକୁ ମଣିଷ ଆକ୍ରମଣ କରିବା ବିଚିତ୍ର ନୁହେଁ ।

 

କ’ଣ ନ ଦେଖୁଛି ଏ ପୃଥିବୀ ? ଏଇ ପୃଥିବୀର ଗ୍ରୀନ୍‌ଭିଲ୍ଲା ହୋଟେଲରୁ ପଲାଉ... କଟଲେଟ୍‌...କାଲିଆ... ନଳାପାଣିର ବହିଯାଏ । ପୁଣି ଏଇ ପୃଥିବୀର ଡଷ୍ଟବିନ୍‌ କଡ଼ରେ ଲାଗେ କୁକୁର ଓ ମଣିଷର ଯୁଦ୍ଧ । ମଣିଷ ଆଜି ଚନ୍ଦ୍ରଲୋକ ଆବିଷ୍କାର ପାଇଁ ଧାଇଁଛି ସିନା...ହେଲେ ନିଜକୁ ନିଜେ ଆବିଷ୍କାର କରି ପାରିନାହିଁ । ପୃଥିବୀର ସବୁଠାରୁ ବଡ଼ ଆବିଷ୍କାର ହେଉଛି ମଣିଷ ଆବିଷ୍କାର-

 

ଯେଉଁମାନଙ୍କର ମନ ବା ଦେହ ଅଛି ସେମାନେ ମଣିଷ ନୁହଁନ୍ତି । ଏ ମଣିଷ ଭିତରେ ପଶୁର ସଂଖ୍ୟା ଅଧିକ । କଟକ ସହରର ମଣିଷ ପ୍ରସେସନ୍‌ଭିତରୁ ଖୋଜି ବସିଲେ ଗୋଟିଏ କି ଦୁଇଟା ମଣିଷ ବାହାରିବେ କି ନାହିଁ ସନ୍ଦେହ । ସମସ୍ତେ କେବଳ ପଶୁ । କିଏ ଦିନରେ ପଶୁ, କିଏ ରାତିରେ ପଶୁ, କିଏ ପରିସ୍ଥିତିରେ ପଡ଼ି ପଶୁ, ଅବା କେହି ନିଜର ଅହମିକା ପାଇଁ ପଶୁ । ପାଶବିକତା ହିଁ ଏ ଯୁଗର ଶ୍ରେଷ୍ଠସ୍ମୃତି ଚିହ୍ନ ।

 

ବସୁ ବସୁ ସେଇଠି ଅଚେତନ ଭଳି ଶୋଇପଡ଼ିଲେ ବୃଦ୍ଧ ମାଖନ୍‌ଚୌଧୁରୀ ।

 

ସକାଳର କୋମଳ ସୂର୍ଯ୍ୟକିରଣରେ କଟକର ରାସ୍ତା ଲାଲ ହୋଇ ଉଠିଛି । ସହ ମୁଖରିତ ହେବାକୁ ବସିଛି । କାରଖାନା ମାଲିକର ଥନ୍ତଲ ପେଟପରି ଓହଳା ଆକାଶର ଗାମ୍ଭୀର୍ଯ୍ୟ ଅନେକ ପରିମାଣରେ ମନ୍ଥର କରିଛି ସହରର ଜୀବନ ଯାତ୍ରାକୁ । ଏଇ କେତେଦିନ ଭୀଷଣ ଗରମ ପଡ଼ୁଥିବାରୁ ଲୋକେ ରାତିରେ ଶୋଇପାରୁ ନାହାଁନ୍ତି—ତେଣୁ ଉଠ ଉଠ ସାଧାରଣତଃ ଡେରି ହୋଇଯାଉଛି ।

 

ସାମାନ୍ୟ ଡେରିରେ ଆଖି ମଳି ମଳି ନିଦରୁ ଉଠିଲା ଚନ୍ଦ୍ରାବତୀ । ମନଭିତରେ ସଂଖ୍ୟାଧିକ ଚିନ୍ତାର ସ୍ରୋତ । କ’ଣ କରିବ ସେ । ଆଜି ପ୍ରାଣପ୍ରିୟ ହେମକାନ୍ତର ଦାୟିତ୍ୱପୂର୍ଣ୍ଣ ଜନ୍ମବାର୍ଷିକୀ । ଏଥିପାଇଁ ସମସ୍ତ ଭାର ନିଜ ଉପରେ । ଅନ୍ୟଆଡ଼େ ପୁଣି ଲୁଗାକଳର ବାର୍ଷିକୋତ୍ସବ, ମ୍ୟାନେଜର ସୁଖଡ଼ିଆଙ୍କର ଅନୁରୋଧ ।

କୌଣସି ଚନ୍ଦ୍ରାବତୀ ନିକଟରେ କମ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଗୋଟିଏ ଅନୁରୋଧ ମମତା ପାଇଁ..ଆଉ ଗୋଟିଏ ଅନୁରୋଧ ଜୀବନ ପାଇଁ । ଚନ୍ଦ୍ରାବତୀର ଉଭୟଟା ଦରକାର । କ’ଣ କରିବ ସେ.. ? ଚିନ୍ତାରେ ବାଧା ଦେଇ ସକାଳର ବିଛଣାରୁ ଉଠିଲେ ମାଖନ୍‌ ଚୌଧୁରୀ । ମୁହଁ ଧୋଉ ଧୋଉ କହିଲେ—‘‘ସହଳ ସହଳ ଗଣ୍ଡିଏ ଫୁଟାଇ ଦେ ମା ! ନଚେତ୍‌ ଡାକରା ଆସିଲେ ମୁଠିଏ ଖାଇ ମଧ୍ୟ ହେବନି ।’’

 

ମାଖନ୍‌ ଚୌଧୁରୀଙ୍କ କଥାରେ ବାଧାଦେଇ ଅନେକ କିଛି କହିଯିବାକୁ ବସିଥିଲା ଚନ୍ଦ୍ରାବତୀ—କିନ୍ତୁ ପାଟି ନେଉଟିଲା ନି...ମନର କଥା ମନରେ ଭଉଁରୀ ଖେଳି ଚୁପ୍‌ରହିଲା । ଚନ୍ଦ୍ରାବତୀ ଭାବିଥିଲା କହିବ–ଆଜି ହେମକାନ୍ତ ବାବୁଙ୍କର ଜନ୍ମୋତ୍ସବ ବାପା ! ମୁଁ କାରଖାନାର ନିମନ୍ତ୍ରଣ ରକ୍ଷା କରି ପାରିବନି । କିନ୍ତୁ ଜୀବନଲୋଭୀ ବାଳିକା ଚନ୍ଦ୍ରାବତୀର ଜୀବନ ପ୍ରତି ଯେଉଁ ମୋହ, ସେ ମୋହ–ଏ କଥା କହିବାକୁ ସାହସ ବା ସ୍ୱାଧୀନତା ଦେଇ ପାରି ନ ଥିଲା । ଚନ୍ଦ୍ରାବତୀର ମନ କଥା ମନରେ ରହିଲା । କେବଳ ରୋଷେଇ ଘର ଭିତରକୁ ପଶି ଯାଉ ଯାଉ ସେ ମନେ ମନେ କହିଲା—ଡାକରାର ଜବାବ ଦିଅ । ସେହି ହିଁ ଜୀବନର ଚରମ ସଫଳତା ।

ଚନ୍ଦ୍ରାବତୀର ମନ କଥା ବୁଝିପାରି ନ ଥିଲେ ମାଖନ୍‌ବାବୁ । ସେକେଣ୍ଡ, ମିନିଟ୍‌, ଘଣ୍ଟା ସହିତ ସମୟ ଆଗେଇଲା । ଆଜି ଆଉ ସବୁଦିନ ପରି ଚନ୍ଦ୍ରାବତୀର ପ୍ରାଣରେ ଚାଞ୍ଚଲ୍ୟ ନାହିଁ । ମନରେ ତରଙ୍ଗର ସୂଚନା ନାହିଁ । କେବଳ ସ୍ଥିର ଅବଚେତନ ମନରେ ଚନ୍ଦ୍ରାବତୀ ଅନୁଭବ କରୁଥିଲା ନିଜର ସତ୍ତାହୀନ ସ୍ଥିତିକୁ । ଦୀର୍ଘ ନିଃଶ୍ୱାସ ପକାଇ ବୋକା ଭଳି ଉପରକୁ ଚାହିଁ ରହୁଥିଲା ଚନ୍ଦ୍ରାବତୀ ।

ଦିନ ଏଗାରଟା...

ଦରିଦ୍ର ମାଖନ୍‌ଚୌଧୁରୀଙ୍କ ଦ୍ୱାରା ମୁହଁରେ ଆମ୍ବାସଡ଼ର କାର୍‌ର ହର୍ଣ୍ଣ ବାଜିଲା । ଚମକି ଉଠିଲା ଚନ୍ଦ୍ରାବତୀ । ଆଉ ଡେରି କରି ହେବ ନାହିଁ, ଯିବାକୁ ହେବ । କାରାଖାନାର ପୁଙ୍ଗା ସହିତ ତାଳ ଦେଇ ନିଜକୁ ସମର୍ପି ଦେବାକୁ ହେବ ମ୍ୟାନେଜର ସୁଖାଡ଼ିଆଙ୍କ କ୍ଷମତା ନିକଟରେ ।

ପ୍ରସ୍ତୁତ ହେଲା ଚନ୍ଦ୍ରାବତୀ...

ରୂପବତୀ ଚନ୍ଦ୍ରାବତୀକୁ ଧରି ଛୁଟିଚାଲିଲା ଆମ୍ବାସଡ଼ର କାର୍‌ । ଏ କାର୍‌ଭିତରେ ଆଜି ନୂଆକରି ଚନ୍ଦ୍ରାବତୀ ବସୁନାହିଁ । ଅନେକ ଥର ବସିଛି ସେ । ଚନ୍ଦ୍ରାବତୀ ପରି ଆହୁରି ଅନେକ ଝିଅ ଯେ ଏ କାର ଦେହରେ ବସି ନ ଥିବେ ତା ନୁହେଁ । କିନ୍ତୁ ଏ କାର୍‌.. । କାହାରି ସ୍ମୃତିକୁ ବାନ୍ଧି ରଖିନାହିଁ । କାହାରି ପଦଚିହ୍ନ ରଖିନାହିଁ । ସବୁ ଭୁଲିଛି, ଠିକ୍‌ ଚନ୍ଦ୍ରାବତୀକୁ ଭୁଲି ଯାଇଥିବା ଭଳି ।

ମାତ୍ର ଅଳ୍ପ ସମୟ ମଧ୍ୟରେ କାର୍‌ଟି ଯାଇ ପହଞ୍ଚିଲା କାରଖାନାର ଦ୍ୱାର ଦେଶରେ । ମ୍ୟାନେଜର ସୁଖାଡ଼ିଆ ତରବରରେ ବାହାରକୁ ବାହାରି ଆସି କହିଲେ—‘‘ହ୍ୟାଲୋ ମିସ୍‌ ଚନ୍ଦ୍ରାବତୀ-! ତୁମକୁ ଅପେକ୍ଷା କରି ହିଁ ମୁଁ ଏତେବେଳଯାଏ ଏଠାରେ ଥିଲି । ମୋର ବିଶ୍ୱାସ ଥିଲା ତୁମେ ନିଶ୍ଚୟ ଆସିବ । ଅନ୍ତତ୍‌ କାରଖାନାର ଆର୍ଥିକ ଉନ୍ନତି ପାଇଁ...ମାନ ମର୍ଯ୍ୟାଦାର ବୃଦ୍ଧି ପାଇଁ ତୁମପରି ବୁଦ୍ଧିମତୀ ବାଳିକା ହିଁ ଲୋଡ଼ା ।’’

 

ପ୍ରତି ଉତ୍ତର ଦେଇପାରୁ ନ ଥିଲା ଚନ୍ଦ୍ରାବତୀ....

 

ଅନ୍ତରର ଅନ୍ତିମ ବେଦନା କେବଳ ଚିତ୍କାର ସୃଷ୍ଟି କରୁଥିଲା ଛାତି ଭିତରେ । ଚନ୍ଦ୍ରାବତୀ ଇଚ୍ଛା କରୁଥିଲା–ସେହି ମୁହୂର୍ତ୍ତରେ ସେ ସୁଖଡ଼ିଆଙ୍କ ପରି ମ୍ୟାନେଜରଙ୍କୁ ହତ୍ୟା କରନ୍ତା । ପୁଣି ପରମୁହୂର୍ତ୍ତରେ ନିଜକୁ ନିଜେ ସଂଯତ କରୁଥିଲା ଚନ୍ଦ୍ରାବତୀ । ଲଜ୍ଜିତ ହେଉଥିଲା ନିଜର ସନ୍ନାସୀ ଚିନ୍ତାପାଇଁ ।

 

ଅଭ୍ୟର୍ଥନା ଗୃହ ମଧ୍ୟକୁ ଚନ୍ଦ୍ରାବତୀକୁ ନେଇଯାଇ ସୁଖାଡ଼ିଆ ଅନ୍ୟ କାମରେ ବାହାରିଗଲେ । କୌଣସି କଥା କହିବାକୁ ସୁବିଧା ପାଇ ନ ଥିଲା ଚନ୍ଦ୍ରାବତୀ । କେବଳ ମନ କଥା ମନରେ ମାରି ସେ ଲାଗିଗଲା ନିଜ କାମରେ—

 

ଏଣେ ଅସ୍ଥିର ହେବାର ଲାଗିଛି ହେମକାନ୍ତ । ସମୟ ଗଡ଼ିଲା, ତଥାପି ଚନ୍ଦ୍ରାବତୀର ଦେଖାନାହିଁ । ତେବେ କ’ଣ ଆସିବନି ସେ ? ବନ୍ଧୁମାନଙ୍କୁ ନିମନ୍ତ୍ରଣ କରାଯାଇଛି, ଠିକ୍‌ ସମୟରେ ଆସିବେ ସେମାନେ । କ’ଣ ଦେଇ ଚର୍ଚ୍ଚା କରିବ ସେ ସେମାନଙ୍କର ?

 

ଏଇ ଉତ୍ସବରେ ଚନ୍ଦ୍ରାବତୀକୁ ଦେଖାଇ ବନ୍ଧୁମାନଙ୍କ ଆଗରେ ବିବାହପାଇଁ ସୁପାରିଶ କରିଥାନ୍ତା ହେମକାନ୍ତ । କିନ୍ତୁ ହେଲା କ’ଣ ? କାହିଁକି ଆସିଲାନି ଚନ୍ଦ୍ରାବତୀ ? ତେବେ କ’ଣ ହେମକାନ୍ତକୁ ଚନ୍ଦ୍ରାବତୀ ଭଲ ପାଏନି ? ଯଦି ଭଲ ପାଏ ତେବେ ଏ ଦାରୁଣ ଆଘାତ କାହିଁକି ? ଅସ୍ଥିର ହୋଇ ଘରଭିତରେ ପଦଚାରଣ କରୁ କରୁ ହେମକାନ୍ତ ଭାବୁଥିଲ ଆକାଶ ଆଉ ପାତାଳ ।

 

ପ୍ରତିହିଂସାର ବହ୍ନିରେ ଜଳି ଉଠୁଥିଲା ହେମକାନ୍ତ । ଚନ୍ଦ୍ରାବତୀ ନଷ୍ଟ୍ରା, ଚନ୍ଦ୍ରାବତୀ ପତୀତା-। ତାକୁ ସାହାରା ଦେଇ ଭୁଲ୍‌ହୋଇଛି । ଯେଉଁ ଚଢ଼େଇ ଗଛରୁ ଗଛ ଉଡ଼ି ଶିଖିଲାଣି ତାକୁ ସୁନା ପିଞ୍ଜରାରେ ବାନ୍ଧି ରଖିବାକୁ ଚେଷ୍ଟା କରିବା ନିହାତି କଠିନ୍‌ । ଏ ସୁନା ପିଞ୍ଜରାରୁ ଖସିଲେ ସେ କେବଳ ଉଡ଼ିଯିବ ସେହି ଗଛ ଡାଳକୁ । କଥାରେ କହନ୍ତି—ଯିଏ ମାଗି ଖାଇଲାଣି ସେ ଲାଗି ଖାଇବନି ।

 

ପରମୁହୂର୍ତ୍ତରେ ପୁଣି ପ୍ରକୃତିସ୍ଥ ହେଲା ହେମକାନ୍ତ । ନାଁ....ଚନ୍ଦ୍ରାବତୀ ଦରଦୀ ରୂପବତୀ ବାଳିକା, ହେମକାନ୍ତକୁ ସେ ଭଲପାଏ । ହେମକାନ୍ତଠାରୁ ସେ ଦୂରେଇ ପାରିବନି । ଉଦ୍‌ବେଗରେ କୋଠରୀ ମଧ୍ୟରୁ ବାହାରକୁ ବାହାରି ଆସିଲା ହେମକାନ୍ତ । ଏକମୁହାଁ ହୋଇ ଚାଲିଲା ମାଖନ୍‌ ଚୌଧୁରୀଙ୍କ ଘରଆଡ଼େ ।

 

ଠିକ୍‌ ମାଖନ୍‌ଚୌଧୁରୀଙ୍କ ଦ୍ୱାରା ସମ୍ମୁଖରେ ସ୍ତମ୍ଭୀଭୂତ ହୋଇ ଠିଆ ହୋଇଗଲା ହେମକାନ୍ତ । ଏ କ’ଣ ? ଘର ଆଗରେ ତାଲା ଝୁଲୁଛି । ତେବେ ଚନ୍ଦ୍ରାବତୀ ଗଲା କୁଆଡ଼େ ?

 

ଅନ୍ୟମନସ୍କ ଭାବରେ ତଳକୁ ଚାହିଁଲା ହେମକାନ୍ତ । ହଠାତ୍‌ ହେମକାନ୍ତର ଭ୍ରୂକୁଞ୍ଚିତ ହୋଇଗଲା । କୋଠରୀ ସମ୍ମୁଖରେ କାର୍‌ର ଚକ ଚିହ୍ନ । ତେବେ କ’ଣ ଚନ୍ଦ୍ରାବତୀ କେଉଁ ବନ୍ଧୁଙ୍କର ଅନୁରୋଧ ରକ୍ଷାକରି କୁଆଡ଼େ ଯାଇଛି ? ଯାଇପାରେ...ଚନ୍ଦ୍ରାବତୀ ପରାଙ୍ଗପୁଷ୍ଟା ବାଳିକା ।

 

ଅନେକ କଥା ଆଜି ମନେ ପକାଉଛି ହେମକାନ୍ତ । ସମୟ ବିଶେଷରେ ମାଖନ୍‌ ଚୌଧୁରୀଙ୍କର ଘର ଆଗରେ କଳା ଆମ୍ବାସଡ଼ର କାର୍‌ଟିଏ ଲାଗେ । କିଛି ସମୟ ପରେ ତା’ ଭିତରେ ବସେ ଚନ୍ଦ୍ରାବତୀ । ପବନ ବେଗରେ ଛୁଟିଚାଲେ କାର୍‌ର ଗତି... । କେବେ କ’ଣ...

 

ଆଉ ଭାବି ପାରୁନି ହେମକାନ୍ତ । ଅଧ୍ୟାପକ ଜୀବନର ଏ ଚରମ ବିଫଳତା ତାକୁ ଗ୍ରାସ କରିଯାଇଛି । ପାଗଳ ଭଳି ସେ ଫେରି ଆସିବାକୁ ଚେଷ୍ଟାକରିଛି ନିଜର କୋଠରୀକୁ ।

 

ଆଜି କଟକ ସହରର ଏ ରାସ୍ତା...ଏ ଘର...ଏ ପାଣିପାଇପ୍‌ ସମସ୍ତେ ବିଦ୍ରୂପ କରୁଛନ୍ତି ତାକୁ । ସୃଷ୍ଟି ଛଡ଼ା ମଣିଷ ହେମକାନ୍ତ । ତା’ ମନରେ ଅଧ୍ୟାପକତ୍ୱର ଗ୍ଲାନି ନାହିଁ । ହେଲେ ରହିଛି ଏକ ଅହେତୁକୀ ମର୍ମ ବେଦନା । ଏଇ ବେଦନା ଲାଗି ସେ ଚିତ୍କାର କରେ କଲେଜର ଶ୍ରେଣୀ ଗୃହରେ ।

 

ହୁଏତ ହେମକାନ୍ତର ଚିତ୍କାରକୁ ଅନ୍ୟ କେହି ବୁଝନ୍ତିନି । ଅନ୍ୟ କାହାରି ବୁଝିବାର ମଧ୍ୟ ଆବଶ୍ୟକତା ନ ଥାଏ । କିନ୍ତୁ ହେମକାନ୍ତ ଯେ ଜଣେ ମଣିଷ ଏକଥା ଅସ୍ୱୀକାର କରନ୍ତିନି କେହି....

 

କୋଠରୀ ଭିତରକୁ ପଶି ଆସି ଚିତ୍‌ ହୋଇ ଖଟଉପରେ ଶୋଇପଡ଼ିଲା ହେମକାନ୍ତ । ପ୍ରବଳ ପରାଜୟ ପରେ ପାକିସ୍ଥାନୀ ସୈନିକମାନେ ଯେମିତି ଲହୋର ସହରରୁ ଦୂରେଇ ଯାଇଥିଲେ—ସେମିତି ପରାଜୟର ଆତ୍ମଶୋଚନାରେ ଚନ୍ଦ୍ରାବତୀଠାରୁ ଦୂରେଇ ଆସିଛି ହେମକାନ୍ତ-

 

ରାତି ପ୍ରାୟ ବାରଟା । କଡ଼ ଲେଉଟାଇବାକୁ ଚେଷ୍ଟା କରୁଛି ହେମକାନ୍ତ । ବାହାରେ ଝଞ୍ଜିରକୁ ଆଘାତ କରି କେହି ଡାକିବାକୁ ଚେଷ୍ଟା କରୁଛି । ତେବେ କ’ଣ କେହି ଅତିଥି ଆହୁରି ବାକି ରହି ଯାଇଥିଲେ ? ?

 

ଠିକ୍‌ ସମୟରେ ନିମନ୍ତ୍ରଣ ରକ୍ଷାକରି ଆସିଥିଲେ ଅତିଥିମାନେ । କିନ୍ତୁ ହେମକାନ୍ତର ଦେହ ଖରାପ ଶୁଣି ଫେରି ଯାଇଥିଲେ ଯେ ଯୁଆଡ଼େ । କେତେ ଜଣ ଖଟ ଉପରେ ବସି ସମବେଦନାର ସ୍ୱର ତୋଳି ସାନ୍ତ୍ୱନା ଦେଇଥିଲେ ହେମକାନ୍ତକୁ । ଯାହାହେଉ...ପରିସ୍ଥିତିରୁ ରକ୍ଷା ପାଇଥିଲା ହେମକାନ୍ତ ।

 

କବାଟ ଉପରେ ଆଘାତ ଦୃଢ଼ରୁ ଦୃଢ଼ତର ହେଉଛି । ଆଉ ନୀରବ ରହି ହେବନି, ଉଠିଯାଇ କବାଟ ଖୋଲିଲା ହେମକାନ୍ତ । ଆଶ୍ଚର୍ଯ୍ୟ ଓ ଅଭିମାନରେ ଭାଙ୍ଗି ପଡ଼ିଲା ହେମକାନ୍ତ । ସ୍ୱର୍ଗ ଅପସରାର ଅଙ୍ଗ ସଜ୍ଜା ନେଇ କୋଠରୀ ମଧ୍ୟକୁ ପଶିଆସୁଛି ଚନ୍ଦ୍ରାବତୀ... । ଚିତ୍କାର କରି କମ୍ପି ଉଠିଲା ହେମକାନ୍ତ—‘‘ଚନ୍ଦ୍ରାବତୀ !’’

 

ଭୟବିହ୍ୱଳିତ କାତର କଣ୍ଠରେ କରୁଣ ଭାବରେ ଚନ୍ଦ୍ରାବତୀ କହିଲା—ମୋତେ କ୍ଷମା କରିବେ ହେମକାନ୍ତ ବାବୁ ! ମୁଁ ଆପଣଙ୍କ ଅନୁରୋଧ ରକ୍ଷାକରି ପାରିନି । ବହୁ ଡେରି ହୋଇଯାଇଛି, ଦିଅନ୍ତୁ... ଦିଅନ୍ତୁ ହେମକାନ୍ତ ବାବୁ ! ମୁଁ ବର୍ତ୍ତମାନ ସବୁ କାମ କରିଦେବି ।’’

 

ତାତ୍ସଲ୍ୟ କରି ହେମକାନ୍ତ କହିଲା—ଜନ୍ମବାର୍ଷିକୀର ପବିତ୍ର ସମୟ ରାତି ତାରଟା ପର୍ଯ୍ୟନ୍ତ ଅପେକ୍ଷା କରେନି ଚନ୍ଦ୍ରାବତୀ ସେ ଠିକ୍‌ ଚାଲିଯାଏ ତା’ର ନିର୍ଦ୍ଧାରିତ ସମୟରେ । ତୁମେ ସିନା ସମୟ ଜ୍ଞାନ ଶିଖିନା—ହେଲେ ବେଶ୍‌ ଶିଖିଛି ଏ ଜନ୍ମବାର୍ଷିକୀ । ତା’ ଛଡ଼ା ବନ୍ଧୁମାନେ ମଧ୍ୟ ସମୟ ଜ୍ଞାନରେ କମ୍‌ ସଚେତନ ନୁହଁନ୍ତି । ମୋତେ ଆଉ ବିରକ୍ତ ନ କରି ତୁମେ ଯାଅ । ତୁମେ ରିଫୁଇଜି, ସ୍ଥିତିବାଦୀ ମଣିଷର ସତ୍ତାକୁ ତୁମେ ବୁଝିପାରିବନି... ।’’

 

କାତର ହୋଇ ହେମକାନ୍ତର ପାଦତଳେ ଲୋଟିପଡ଼ିଲା ଚନ୍ଦ୍ରାବତୀ—‘‘ମୋତେ କ୍ଷମା କରନ୍ତୁ ହେମକାନ୍ତ ବାବୁ...ମୋତେ କ୍ଷମା କରନ୍ତୁ । ମୋର ଦୋଷ ପାଇଁ ମୁଁ ଭୁଲ ମାଗିବାକୁ ଆସିଛି... ।’’

 

ନିଷ୍ଠୁର ହୋଇ ହେମକାନ୍ତ କହିଲା—‘‘ମିଛଟାରେ ଚିତ୍କାର କରନି ଚନ୍ଦ୍ରାବତୀ । ତୁମେ ମୋ ନିକଟରେ କେବେ କିଛି ଭୁଲ୍‌କରି ନ ଥିଲ ବା ଆଜି କରିନାହିଁ । ତୁମ ବାଟରେ ତୁମେ ଯାଅ...ମୋତେ ଆଉ ବାଟ ଓଗାଳି ବ୍ୟସ୍ତ କରନି ।’’

 

ଏଥର ହେମକାନ୍ତର ପାଦ ଦୁଇଟିକୁ ଜାବୁଡ଼ି ଧରିଛି ଚନ୍ଦ୍ରାବତୀ । ‘‘କୁହନ୍ତୁ...କୁହନ୍ତୁ ହେମକାନ୍ତ ବାବୁ..ମୁଁ କ’ଣ କ୍ଷମାର ପାତ୍ରୀ ନୁହେଁ ? ଆଜି ଅବଶ୍ୟ ତୁମ ପବିତ୍ର ଜନ୍ମବାର୍ଷିକୀର ମାହେନ୍ଦ୍ର ବେଳ ଅତିକ୍ରାନ୍ତ ହୋଇଛି—ହେଲେ ଏ ଜୀବନରେ ତ’ ସଂଖ୍ୟାଧିକ ଜନ୍ମବାର୍ଷିକା ଆସିବ-। ସେ ସବୁ ଜନ୍ମବାର୍ଷିକୀକୁ ଏକା ପାଳନ କରିବି ମୁଁ । ତେବେ ଆଜି ମୋତେ ଏକା ପାଳନ କରିବାକୁ ନ ଦେବ କାହିଁକି ? ଆସ...ଏଇ ଖଟ ଉପରେ ବସାଇ...ତୁମେ ମୁଣ୍ଡରେ ସିନ୍ଦୂର ଚନ୍ଦନ ଲଗାଇ ମୁଁ ତୁମର ଦୀର୍ଘ ଯୌବନ କାମନା କରିଯିବ । ଏଇ ତ ମୋର କର୍ତ୍ତବ୍ୟ....ଏଇ ତ ମୋର ଧର୍ମ.... । ଏଥିରୁ ମୋତେ ବଞ୍ଚିତ କରୁଛ କାହିଁକି ?’’

 

ରାଗରେ ଚନ୍ଦ୍ରାବତୀକୁ ପ୍ରବଳ ଗତିରେ ଠେଲି ଦେଇ ହେମକାନ୍ତ କହିଲା—ପ୍ରତ୍ୟେକ ଜିନିଷର ସୀମା ଅଛି ଚଂଦ୍ରାବତୀ । ସେ ସୀମା ପାର ହୋଇଗଲେ ମଣିଷ ପକ୍ଷରେ ସବୁ ହୁଏ ଅସହ୍ୟ । ତୁମ ଅତୀତକୁ ମୁଁ କ୍ଷମା ଦେଇଥିଲି । ହେଲେ ବର୍ତ୍ତମାନକୁ କେବେ କ୍ଷମା ଦେବି ବୋଲି କହିନାହିଁ । ତୁମେ ପାପ ପରେ ପାପ କରିପାର..ସେ ସ୍ୱାଧୀନତା ତୁମର ଅଛି.. ହେଲେ କ୍ଷମା ପରେ କ୍ଷମା ଦେବା ମୋର ଶକ୍ତିର ବାହାର । ମୁଁ ରକ୍ତ ମାଂସର ମଣିଷ... । ମୋ କ୍ଷମା ଗୋଟିଏ ନିର୍ଦ୍ଦିଷ୍ଟ ସ୍ୱାର୍ଥସିଦ୍ଧିର କ୍ଷମା । ତୁମେ ଯାଅ...ମୋତେ ବ୍ୟସ୍ତ କରନି । ମୁଁ ତୁମର ଉପସ୍ଥିତି ଚାହେଁ ନି...’’

 

ଉତ୍ତ୍ୟକ୍ତ ହୋଇ ପଦଚାରଣ କରୁଥିଲା ହେମକାନ୍ତ । ଆଖିରୁ ଝରି ପଡ଼ୁଥିଲା ବିନ୍ଦୁ ବିନ୍ଦୁ ଲୁହ....

 

ପୁଣି ହୃଦୟରେ ଯଥେଷ୍ଟ ସାହସ...ଯଥେଷ୍ଟ ଧୈର୍ଯ୍ୟ ସଞ୍ଚୟ କରି ଚଂଦ୍ରାବତୀ କହିଲା...‘‘ମୁଁ ଅନୁରୋଧ କରୁଛି...ମୋତେ ଭୁଲ୍‌ବୁଝନ୍ତୁନି ହେମକାନ୍ତ ବାବୁ । ଆଜି ମୋର ବିସ୍ମୃତ ଅତୀତର ମୁଁ ପୁନରାବୃତ୍ତି କରିନି । ସୁଖଡ଼ିଆଙ୍କ ଅନୁରୋଧ କ୍ରମେ ମୁଁ ଲୁଗାକଳକୁ ଯାଇଥିଲି ସତ...ହେଲେ ଆକ୍ଷରିକ ଭାବେ ତାଙ୍କ ଅନୁରୋଧ ରକ୍ଷାକରି ନ ପାରି ମୁଁ ଫେରି ଆସିଛି । ମୁଁ ଯାଇଥିଲି ତାଙ୍କୁ ଜୀବନ ବିଷୟରେ ଅନେକ କିଛି ଶିକ୍ଷା ଦେବାକୁ । ସେ ମାନିଲେନି । ମୁଁ ପ୍ରତିବାଦ କଲି..ସେ ରୋକିଲେନି । ଶେଷରେ ଏଇ ହାତଦ୍ୱାରା ତାଙ୍କ କପାଳରେ ବଜ୍ରାଘାତ କରି ମୁଁ ଧାଇଁ ଆସିଛି ଆପଣଙ୍କ ନିକଟକୁ । ଆପଣ କ’ଣ ମୋତେ କ୍ଷମା ଦେବେନି ? ମୋତେ ଗ୍ରହଣ କରିବେନି-?’’

 

ଏଥର ହସୁଛନ୍ତି ଅଧ୍ୟାପକ ହେମକାନ୍ତ । ‘‘ଦୁନିଆଁଟାକୁ ତୁମେ ଏତେ ସହଜ ବୋଲି କାହିଁ ଭାବୁଛ ଚନ୍ଦ୍ରାବତୀ । ତୁମେ ଯେମିତି ଆବିଳ....ଏ ଦୁନିଆଁ ତାହାଠାରୁ ଶତଗୁଣେ ଆହୁରି ଆବିଳ । ଆଉ ଯୁକ୍ତି ନ କରି ଯାଅ । ତୁମ ଗତିପଥକୁ ମୁଁ କେବେ ରୋକିବିନି । ତୁମ ଆସିବାକୁ ମୁଁ ସ୍ୱାଗତ କରି ନ ଥିଲି ବା ଯିବାକୁ ବଧାଇ ଜଣାଉ ନାହିଁ । ହେଲେ ତୁମକୁ ମୁଁ ଆଉ ସ୍ୱୀକାର କରି ପାରୁନି । ତୁମେ ଯାଅ...’’

 

କାନ୍ଦି କାନ୍ଦି ଆହୁରି ଅଥୟ ହେଲା ଚନ୍ଦ୍ରାବତୀ...

କିନ୍ତୁ ବେଳକୁ ବେଳ ନିଷ୍ଠର ହେଲା ହେମକାନ୍ତ ।

 

ଆଉ ଏ ଯନ୍ତ୍ରଣା ସହ୍ୟ କରି ପାରିବନି ବନ୍ଦ୍ରାବତୀ...ଉଠିଲା ସେ... । ହୁଏତ ଆଜି ଏ କୋଠରୀରୁ ତା’ର ସବୁଦିନ ପାଇଁ ବିଦାୟ... । ପାଦ ଥରୁଛି...ମନ ଅସ୍ଥିର ହେଉଛି । ହୃଦୟ ଫାଟି ପଡ଼ୁଛି । ଚନ୍ଦ୍ରାବତୀ ଚାଲିଛି ଆଗରୁ ଆଗକୁ ।

 

କିନ୍ତୁ ଏ ଯନ୍ତ୍ରଣା କ’ଣ ନୂଆଖାଲିରୁ ପଳାଇ ଆସିବା ଦିନର ଯନ୍ତ୍ରଣାଠାରୁ କଷ୍ଟକର । ନାଁ... । ଜୀବନରେ ସେ ଅନେକ ଯନ୍ତ୍ରଣା ସହିଛି । ଏଇ ସାମାନ୍ୟ ଯନ୍ତ୍ରଣାରେ ବା ଭାଙ୍ଗି ପଡ଼ିବ କାହିଁକି ?

 

ଥରି ଥରି ବସା ପାଉଛରେ ଗୋଡ଼ ଦେଇ ଉପରକୁ ଉଠିଲା ଚନ୍ଦ୍ରାବତୀ । ନିର୍ଜନ କୋଠରୀ । ମାଖନ୍‌ ଚୌଧୁରୀ ଶୋଇ ପଡ଼ିଛନ୍ତି କେତେବେଳୁ ଶ୍ରାନ୍ତ କ୍ଲାନ୍ତ ହୋଇ । ଚତୁର୍ଦିଗ ଅନ୍ଧକାର, ବିଳପି ଉଠିଲା ଚନ୍ଦ୍ରାବତୀର ହୃଦୟ । ଏ ଅନ୍ଧକାର କ’ଣ ସମଗ୍ର ଜୀବନଟାକୁ ଗ୍ରାସ କରିଯିବ ? ଆଲୋକର ଝଲକରେ ସତେ କ’ଣ ଆଉ ଚନ୍ଦ୍ରାବତୀର ହୃଦୟ ତୀର୍ଥ ଉଦ୍‌ଭାସିତ ହେବନି !! ନ ହେଉ—ସେଥିପାଇଁ ଚନ୍ଦ୍ରାବତୀ ମନରେ ଦୁଃଖ ନାହିଁ । ଜୀବନବ୍ୟାପୀ କେବଳ ଅନ୍ଧକାରକୁ ସେ ସ୍ୱାଗତ କରି ଆସିଛି...ଆଜି ବା ପଛାଇ ଯିବ କାହିଁକି ?

 

ଅଣ୍ଡାଳି ଅଣ୍ତାଳି କୋଠରୀର ଗୋଟିଏ କୋଣରେ ବିଶ୍ରାମ ନେଲା ସେ... । ନିଥର ହୋଇ ପଡ଼ିରହିଲା ଚନ୍ଦ୍ରାବତୀର ଶ୍ରାନ୍ତ ଶରୀର ।

 

କେବଳ ସ୍ଥିର ହୋଇ ପାରୁ ନଥିଲା ଚନ୍ଦ୍ରାବତୀର ମନ, ଘୋଡ଼ଦଉଡ଼ ଆରମ୍ଭ କରି ଦେଇଥିଲା ସେ । ଭାବୁଥିଲା ଅନେକ କିଛି.... ଏଇ ଭାବନା ଭିତରେ କେତେବେଳେ ଚନ୍ଦ୍ରାବତୀକୁ ନିଦ ଲାଗିଯାଇଛି–––ଜାଣି ପାରିନି ସେ.... ।

 

ସକାଳ ହେଲାବେଳକୁ ମାଖନ୍‌ବାବୁ ଆଗରୁ ଉଠି ଅନେକ କାମ ସାରି ଦେଇଥିଲେ । ଉଠା କରତଗୁଣ୍ଡି ଚୁଲୀ ଉପରେ ଚାଉଳ ମୁଠାଏ ବସାଇ ରୋଷେଇ ଆରମ୍ଭ କରି ଦେଇଥିଲେ । ଦୁଇ ଦିନର ଉପବାସ । ସେଇଥିପାଇଁ ମାଖନ୍‌ ଚୌଧୁରୀ ସହଳ ସହଳ ଆରମ୍ଭ କରି ଦେଇଥିଲେ ରୋଷେଇ କାମ ।

 

ଗତକାଲି କାରଖାନାର ବାର୍ଷିକୋତ୍ସବ ହୋଇଥିଲା । ଅନେକ କିଛି ଭଳି ଭଳି ଜିନିଷରେ ପରିପୂର୍ଣ୍ଣ ହୋଇଥିଲା କାରଖାନାର କ୍ୟାଣ୍ଟିନ୍‌ । କିନ୍ତୁ ସେ ସବୁ ଜିନିଷରୁ କିଏ ବା କାହିଁକି ଦେବ ମାଖନ୍‌ ଚୌଧୁରୀଙ୍କୁ । ମାଖନ୍‌ ଚୌଧୁରୀ ମାତ୍ର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । କାରଖାନାରେ ତାଙ୍କର ସମ୍ମାନ ନାହିଁ....ପ୍ରତିଷ୍ଠା ନାହିଁ..ଅଛି କେବଳ ଭାରାକ୍ରାନ୍ତ ଉପସ୍ଥିତି ।

 

କୌଣସି ଅଫିସ ବା କାରଖାନାରେ କିଛି କାମ ହେଲେ ଚେୟାର ବୋହିବାଠାରୁ ରୋଷଇ ପର୍ଯ୍ୟନ୍ତ ସବୁ କିଛି କରନ୍ତି ଏ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦଳ । ଏମାନେ ହଣ୍ଡା ବୁହନ୍ତି...ହଣ୍ଡା ମାଜନ୍ତି—କିନ୍ତୁ ହଣ୍ଡା ତିଆରି ଜିନିଷରେ ଅଧିକାର ନ ଥାଏ ଏମାନଙ୍କର । ଏମାନେ ବ୍ୟାସକୃତ ଗୀତାର ଅନାସକ୍ତ ସଂଯମୀ ପୁରୁଷ ।

 

ମାଖନ ଚୌଧୁରୀଙ୍କ ଭାଗ୍ୟରେ ଯେ ଆଜି ନୂଆକରି ଏ ଯଶା ଘଟିଛି ତାହା ନୁହେଁ...ପ୍ରତ୍ୟେକ ବର୍ଷ ଏମିତି ଦୁଇ ତିନି ଥର ତାଙ୍କ ଭାଗ୍ୟରେ ଘଟେ । ଏଥିପାଇଁ ଦୁଃଖ କରନ୍ତିନି ମାଖନ୍‌ ଚୌଧୁରୀ । ହସି ହସି ବରଦାସ୍ତ କରନ୍ତି ସବୁ ଅତ୍ୟାଚାରକୁ । ସମସ୍ତ ଅତ୍ୟାଚାରକୁ ସହିନେବା ମାଖନ୍‌ ଚୌଧୁରୀଙ୍କର ଗୋଟିଏ ସ୍ୱଭାବ ସୁଲଭ ପ୍ରକୃତି ।

 

ସତ କହିବାକୁ ଗଲେ ମାଖନ୍‌ ଚୌଧୁରୀଙ୍କର ହୃଦୟ ଗୋଟିଏ ଭିନ୍ନ ଉପାଦାନରେ ଗଢ଼ା-

 

ଆଜି କିନ୍ତୁ ରୋଷେଇ ଶାଳରେ ବସି ଅନେକ କିଛି ଭାବୁଛନ୍ତି ମାଖନ୍‌ ଚୌଧୁରୀ । ଠିକ୍‌ ଏମିତିବେଳେ ଉଠିଲା ଚନ୍ଦ୍ରାବତୀ । ଜିଭ କାମୁଡ଼ି ପକାଇ କହିଲା—‘‘ଛି ବାପା ! ତୁମେ ରୋଷେଇ କରୁଛ...ମୁଁ କ’ଣ ମରିଗଲିଣି ?’’

 

ଆବାକାବା ହୋଇ ଠିଆ ହୋଇଗଲେ ମାଖନ୍‌ବାବୁ । ‘‘ଏ କ’ଣ ଚନ୍ଦ୍ରାବତୀ ? ଛି...ଛି... ଆଉ ଯେମିତି ଏକଥା ତୋ ମୁହଁରୁ ମୁଁ ନ ଶୁଣେ । କାହାପାଇଁ ଏ ଯନ୍ତ୍ରଣା ? କାହାପାଇଁ ଏ ପରିଶ୍ରମ ? ତୋ ମୁହଁରେ ଟିକେ ହସ ଦେଖିବି ବୋଲି ମୁଁ ତୋତେ କାମରେ ସାହାଯ୍ୟ କରେ । ତୁ ଯଦି....’’ ଆଉ କହି ପାରିଲେନି ମାଖନ୍‌ ଚୌଧୁରୀ ।

 

ତରତର ହୋଇ ଲୁଗାଟା ବଦଳାଇ ରୋଷେଇ ଘରକୁ ଆସିଲା ଚନ୍ଦ୍ରାବତୀ । ରୋଷେଇ ଘରର କାନ୍ଥକୁ ଆଉଜି ବସିଲେ ମାଖନ୍‌ବାବୁ, ଚାଲିଲା ବାପ ଝଅଙ୍କର ସୁଖ ଦୁଃଖ.....

 

ଅନେକ ସମୟ ବିତିଲା । ଗାଧୋଇସାରି ଖାଇବାକୁ ବସିଲେ ମାଖନ୍‌ବାବୁ । ଠିକ୍‌ ସେହି ସମୟରେ ଲୁଗା କଳର ଚପରାଶିଟିଏ ଡାକ ଛାଡ଼ିଲା ଦୁଆର ମୁହଁରେ ।

 

ଭାତ ଗୁଣ୍ଡାଟି ପାଟିକୁ ନେଉ ନେଉ...ପୁଣି ଥାଳି ଉପରେ ଥୋଇଦେଇ ଉଠିଗଲେ ସେ-

 

ଚପରାଶି ଚିଠି ଖଣ୍ଡେ ବଢ଼ାଇ ଦେଲା ମାଖନ୍‌ବାବୁଙ୍କ ହାତକୁ । ବାମ ହାତରେ ଚିଠିଟି ଆଣି ପୁଣି ହାତ ଧୋଇ ଖାତାରେ ଦସ୍ତଖତ କରି ଦେଲେ ସେ । ମନରେ ଉଦ୍‌ବେଗ...ପ୍ରାଣରେ ଶୀତ୍‌କାର....କି ଆଦେଶ ପୁଣି ଆସିଲା କାରଖାନାରୁ.... ।

 

ସମୟ ନ ନେଇ ଚିଠିଟି ଖୋଲି ପଢ଼ିବାକୁ ବାହରିଲେ ମାଖନ୍‌ବାବୁ । ଚନ୍ଦ୍ରାବତୀ କହିଲା–‘‘ପ୍ରଥମେ ଖାଇସାର ବାପା ! ତା’ପରେ ଚିଠି ପଢ଼ିବ ।’’ ମାଖନ୍‌ବାବୁ କହିଲେ—‘‘ନାଁ ମା ! ଚାକିରୀ କୋଳିଗଛ କୁଆ । କେତେବେଳେ କେଉଁ କଥା, ଦେଖେ କି ଆଦେଶ ଆସିଛି ।’’ ନୀରବ ରହିଲା ଚନ୍ଦ୍ରାବତୀ ।

 

ପଢ଼ୁପଢ଼ୁ ଚିଠିଟି ଖସିପଡ଼ିଲା ମାଖନ୍‌ ଚୌଧୁରୀଙ୍କ ହାତରୁ । ସତେ ଅବା ପଥର ପାଲଟି ଗଲେ ସେ । ଠକ୍‌ଠକ୍‌ ହୋଇ ଆଖିରୁ ଖସିପଡ଼ିଲା ଲୁହ କେତେ ଧାର । ବଲ୍‌ବଲ୍‌ କରି ବାପାଙ୍କୁ ଚାହିଁ ରହି ଧାଇଁଗଲା ଚନ୍ଦ୍ରାବତୀ । ‘‘କ’ଣ ହେଲା..କ’ଣ ହେଲା ବାପା ?? ଏମିତି କାନ୍ଦୁଛନ୍ତି କାହିଁକି ?’’

 

କିଛି କହିବା ଆଗରୁ ଏକରକମ ମୂକ ହୋଇ ଯାଇଥିଲେ ମାଖନ୍‌ ଚୌଧୁରୀ....

 

ଚିଠିଟିକୁ ଉଠାଇ ନେଇ ନିଜେ ପଢ଼ିଗଲା ଚନ୍ଦ୍ରାବତୀ ।

 

ହାୟ ଭଗବାନ୍‌...ଏ କି ଦାରୁଣ ଆଘାତ ! ଏ କି ନିଷ୍ଠୁର ବ୍ୟବହାର !!

 

ଚନ୍ଦ୍ରାବତୀର ଦୋଷପାଇଁ ମାଖନ୍‌ ଚୌଧୁରୀଙ୍କୁ ଚାକିରୀକୁ ବରଖାସ୍ତ କରାଯାଇଛି । ହେଲେ ଚିଠିରେ ଲେଖାଯାଇଛି—ତୁମକୁ ବାରମ୍ବାର ସତର୍କ ନୋଟିସ ଦେବା ସତ୍ୱେ....ତୁମେ ଠିକ୍‌ ସମୟରେ କାରଖନାରେ ଉପସ୍ଥିତ ନ ହୋଇ ପାରୁଥିବା ହେତୁ....କାରଖାନାର ଅନେକ କାମ ବାଧାପ୍ରାପ୍ତ ହେଉଛି । ତେଣୁ ତୁମକୁ ଆଜିଠାରୁ ଚାକିରୀରୁ ବିନା ସର୍ତ୍ତରେ ବରଖାସ୍ତ କରାଗଲା ।

 

କଟକ ସହରର ରାସ୍ତା ଉପରକୁ ଚାହିଁଲା ଚନ୍ଦ୍ରାବତୀ । ଏବେ ସେ ପୁଣି ରାସ୍ତାର ପଥୁକୀ-। ଅଧ୍ୟାପକ ହେମକାନ୍ତ ଦୂରେଇଛନ୍ତି...ତାଙ୍କ ସହିତ ତାଳ ଦେଇ ବାପାଙ୍କର କଷ୍ଟଲବ୍‌ଧ ଚାକିରୀ ଖଣ୍ଡକ ଗଲା–– । ଏବେ କ’ଣ କରିବ ସେ–ପୁଣି କ’ଣ ଜୀବନ ପାଇଁ ପୂତିଗନ୍ଧ ନରକକୁ ଫେରିଯିବ-?

 

ନାଁ..ନାଁ..., ମ୍ୟାନେଜର ସୁଖାଡ଼ିଆଙ୍କ ପାଖକୁ ଯାଇ ସେ ଅନୁରୋଧ କରିବ । ଅତିଥି ଚର୍ଚ୍ଚାର ଦାୟିତ୍ୱ ନେବ । ନାରୀତ୍ୱର ସମସ୍ତ ସମ୍ପତ୍ତି ବିନିମୟରେ ସେ ଚାହେଁ ବଞ୍ଚି ରହିବାକୁ ବାପାଙ୍କ ଚାକିରୀ ଖଣ୍ଡକ ।

 

ଅସ୍ଥିରା ହୋଇ ଧାଇଁବାକୁ ଲାଗିଲା ଚନ୍ଦ୍ରାବତୀ... ।

 

ଅଫିସ ଗୃହରେ ରାକ୍ଷସ ଭଳି ହସୁଥିଲେ ସୁଖଡ଼ିଆ । କେତେଜଣ ଅଧସ୍ତନ କର୍ମଚାରୀ କେବଳ ପିଇ ଯାଉଥିଲେ ତାଙ୍କ ଭାଷଣକୁ । ଆଦେଶ ଦେବା ଭଙ୍ଗୀରେ ସେ କହୁଥିଲେ—‘‘ତୁମେ କାରଖାନାରେ ଯୋଗଦେବା ଆଗରୁ ପ୍ରଥମେ ବ୍ୟବସାୟୀ ହୋଇ ଶିଖ । ବ୍ୟବସାୟ ଏକ ସ୍ୱତନ୍ତ୍ର କଳା । ଡିଗ୍ରୀ ପାଠରେ ଏ କଳା ନାହିଁ !’’

 

ଶ୍ରୋତାମାନେ ମୁଣ୍ଡ ଟୁଙ୍ଗାରି ସମର୍ଥନ କରୁଥିଲେ ମ୍ୟାନେଜର ସୁଖାଡ଼ିଆଙ୍କ କଥାକୁ ।

 

ଠିକ୍ ସେହି ସମୟରେ ଝଡ଼ଭଳି ଅଫିସ ଗୃହ ମଧ୍ୟକୁ ପଶି ଆସିଲା ଚନ୍ଦ୍ରାବତୀ । ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ । ରୂପସୀ ତରୁଣୀର ଉପସ୍ଥିତ ଦେଖି ଯେ ଯୁଆଡ଼େ ବିଭିନ୍ନ କାମର ଆଳ ଦେଖାଇ ଉଠିଗଲେ—କୋଠରୀ ମଧ୍ୟରେ କେବଳ ରହିଲେ ସୁଖଡ଼ିଆ ଓ ଚନ୍ଦ୍ରାବତୀ ।

 

ସୁଖାଡ଼ିଆଙ୍କ ଆଖି ଦେହରେ ଜଳୁଥିବା ପ୍ରତିହିଂସାର ନିଆଁ । ଏଇ ବିନ୍ଦୁଏ ନିଆଁ ଜାଳି ଦେବାକୁ ବସିଥିଲା ଚନ୍ଦ୍ରାବତୀର ସମଗ୍ର ଅତୀତ, ବର୍ତ୍ତମାନ, ଭବିଷ୍ୟତ । କାତର ହୋଇ ଥରି ଉଠୁଥିଲା ଚନ୍ଦ୍ରାବତୀ ।

 

ବିଦ୍ରୂପ କରି ଛାଏଁ ଛାଏଁ ତୁହାଏ ସୁଖାଡ଼ିଆ...

 

ଅସହ୍ୟ ବୋଧକଲା ଚନ୍ଦ୍ରାବତୀ.. । ଠକ୍‌ ଠକ୍‌ହୋଇ ଆଖିରୁ ଝରିପଡ଼ୁଥିଲା ଲୁହ । ଜୀବନ ରୂପକ ଇନ୍ଧନରେ ମାତ୍ର ବିନ୍ଦୁଏ ନିଆଁର ଯେଉଁ ଭୋକ ଆତ୍ମଗୋପନ କରିଥିଲା—ସେହି ଭୋକକୁ ମେଣ୍ଟାଇବାଲାଗି..ପାଗଳୀ ହୋଇ ଉଠିଥିଲା ଚନ୍ଦ୍ରାବତୀ । ସେ ରୁଦ୍ର ଦେବତାର ଆବାହନୀ ଗାଇ ବିପ୍ଲବ କରି ଜାଣେ । ପୁଣି ପଞ୍ଚବାଣର ଶୀତଳ ପରଶରେ ପରକୁ ଆପଣାର କରି ଜାଣେ । ଆଜି କିନ୍ତୁ ଚନ୍ଦ୍ରାବତୀ ସୁଖାଡ଼ିଆଙ୍କ ନିକଟକୁ ଧାଇଁ ଆସିଛି...ଜୀବନ ମୋହରେ ଅନୁରୋଧ କରିବାକୁ ।

 

ଉଦ୍ଦେଶ୍ୟପୂର୍ଣ୍ଣ ଦୃଷ୍ଟିରେ ଚନ୍ଦ୍ରାବତୀକୁ ଚାହିଁଲେ ସୁଖାଡ଼ିଆ ।

 

ନୟନର ସମସ୍ତ ଲାଳିତ୍ୟକୁ ଭୂଇଁ ଉପରେ ଅଜାଡ଼ି ଦେଇ ଆତ୍ମସମର୍ପଣ କଲା ଚନ୍ଦ୍ରାବତୀ । ଠିକ୍‌ ଜଣେ ଦରିଦ୍ର ପ୍ରଜା ରାଜା ଆଗରେ ଲୋଟିଯିବା ଭଳି...କାତର ହୋଇ ଲୋଟିଗଲା ସେ ।

 

ସତେ ଯେମିତି କିଛି ବୁଝୁନ ଥିଲେ ସୁଖାଡ଼ିଆ....

 

ଆଖି ଉଠାଇ ସୁଖାଡ଼ିଆ କହିଲେ—‘‘ଅବେଳଟାରେ କୁଆଡ଼େ ଧାଇଁ ଆସିଲ ଚନ୍ଦ୍ରାବତୀ-?’’

 

ଚନ୍ଦ୍ରାବତୀର ଆଗମନ ଉଦ୍ଦେଶ୍ୟ ଯେ ସୁଖାଡ଼ିଆ ଜାଣି ନାହାନ୍ତି ତାହା ନୁହେଁ । ତଥାପି ପରିହାସ କରିବା ଭଙ୍ଗୀରେ ପଚାରିବାକୁ ଚେଷ୍ଟା କରୁଥିଲେ ସୁଖଡ଼ିଆ ।

 

ଆଉ ସହି ପାରିଲାନି ଚନ୍ଦ୍ରାବତୀ । ବିନୀତ ଭାବରେ କହିଲା ‘ମୁଁ ଦୋଷ କଲି—ହେଲେ ମୋ ବାପାଙ୍କୁ କାହିଁକି ଆପଣ ଦଣ୍ଡ ଦେଲେ ମ୍ୟାନେଜର ବାବୁ ? ସେ ଦରିଦ୍ର...ବୃଦ୍ଧ.. । ଦୟା କରି ଆପଣ ଆପଣଙ୍କ ଆଦେଶ ନାମାଟି ଫେରାଇ ନିଅନ୍ତୁ ।’’

 

ପ୍ରବଳ ଗତିରେ ହସିଲେ ସୁଖଡ଼ିଆ—‘‘ସଂକ୍ରମିତ ଦେହକୁ ଅପରେସନ୍‌ରେ ଉଡ଼ାଇ ଦିଆଯାଏ ନାହିଁ...ଚନ୍ଦ୍ରାବତୀ । ତା’ର ଉପରୁ ଅପରେସନ କଲେ ରୋଗ ଆଉ ସଂକ୍ରମଣ କରିବାକୁ ସୁବିଧା ପାଏ ନାହିଁ ।’’

 

‘କିନ୍ତୁ !’...କଥା କହୁ କହୁ ଭାଙ୍ଗି ପଡ଼ୁଥିଲା ଚନ୍ଦ୍ରାବତୀ... ।

 

ପୁଣି ସୁଖାଡ଼ିଆ କହିଲେ—ଦୁଃଖ କରନି ଚନ୍ଦ୍ରାବତୀ । ତୁମକୁ ତୁମ ବାପାଙ୍କ ଲାଗି ଚାକିରୀ ଠିକ୍‌ କରିବା କଷ୍ଟକର ନୁହେଁ । ମାତ୍ର ସାମାନ୍ୟ କେତେ ଘଣ୍ଟ ମଧ୍ୟରେ ତୁମେ ଚାକିରୀ ଠିକ୍‌ କରିପାର । ତୁମ ବାପାଙ୍କ ସହିତ ତ ମୋର ପରିଚୟ ନ ଥିଲା—ଅଥବା ଚାକିରୀରେ ଯୋଗ ଦେବାପାଇଁ ତୁମ ବାପାଙ୍କର ମଧ୍ୟ ଯୋଗ୍ୟତା ନ ଥିଲା । କେବଳ ତୁମରି କଥାରେ ହିଁ ମୁଁ ତାଙ୍କୁ ଚାକିରୀ ଯୋଗାଇ ଦେଇଥିଲି । ତୁମରି ଅନୁରୋଧ କ୍ରମେ ତାଙ୍କପାଇଁ ମୁଁ ଗୋଟିଏ ନୂଆ ଚାକିରୀ ସୃଷ୍ଟି କରିବାକୁ ବାଧ୍ୟ୍ୟ ହୋଇଥିଲି ।’’

 

‘‘ଆଜି ସେମିତି ନୂଆ କରି ଗୋଟିଏ ଅନୁରୋଧ କରୁଛି ସୁଖାଡ଼ିଆ ବାବୁ ! ମୋ ଅନୁରୋଧ ରକ୍ଷା କରନ୍ତୁ ।’’ ଚନ୍ଦ୍ରାବତୀର ହୃଦୟ ମଧ୍ୟରେ ନାରୀତ୍ୱର ଘୋର ପରାଜୟ ।

 

ପୁଣି ଥରେ ହସିଲେ ସୁଖାଡ଼ିଆ—ଗଦ୍‌ଗଦ୍‌ କଣ୍ଠରେ କହିଲା—‘‘ମୁଁ ଦୁଃଖିତ ଚନ୍ଦ୍ରାବତୀ-। ତୁମର ଅନୁରୋଧକୁ ମୁଁ ଯଥେଷ୍ଟ ସମ୍ମାନ ଦେଇଛି । ଆଉ ନୁହେଁ । ତୁମ ଅନୁରୋଧକୁ ମୁଁ ସମବେଦନାରେ ବିଚାର କରିଥିଲି ସିନା—ହେଲେ ତୁମେ ମୋର ଅନୁରୋଧକୁ ଗୋଡ଼ରେ ଆଡ଼େଇ ଦେଲ । ଆଉ କାହିଁକି ବିଗତର ପୁନରାବୃତ୍ତି ।’’

 

କୋହରେ କେବଳ ଫାଟି ପଡ଼ୁଥିଲା ଚନ୍ଦ୍ରାବତୀ । ସୁଖାଡ଼ିଆଙ୍କ ଟେବୁଲ ନିକଟକୁ ଲାଗି ଆସି କହିଲା—‘‘ମୁଁ ଜାଣେ ନାରୀ । ନାରୀତ୍ୱର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆପଣଙ୍କ ଅନୁରୋଧକୁ ଏଡ଼ାଇ ଦେଇଥିଲି ସୁଖାଡ଼ିଆ ବାବୁ ! ମୋର ଏହି ନଷ୍ଟ ନାରୀତ୍ୱ ପ୍ରତି କ’ଣ ଆପଣଙ୍କର ତିଳେ ମାତ୍ର ସମବେଦନା ନାହିଁ ?’’

 

‘‘ସମବେଦନା... ?? କେବଳ ସେହି ସମବେଦନା ପାଇଁ ହିଁ ତୁମକୁ ମୁଁ ସ୍ୱୀକାର କରିଥିଲି । ନ ହେଲେ ଏ କାରଖାନାରେ ନାରୀର ଅଭାବ ନାହିଁ । ନାରୀର ଶ୍ରେଷ୍ଠ ସମ୍ପଦ ତା’ର ଯୌବନ । ସେହି ଯୌବନକୁ ଉତ୍ସାହିତ କରିବାପାଇଁ ମୁଁ ତୁମକୁ ଅନୁରୋଧ କରୁଥିଲି ।’’ ସୁଖାଡ଼ିଆଙ୍କ କଣ୍ଠରେ ଦରଦ ।

 

‘‘ଆପଣଙ୍କ ମା..ଭଉଣୀଙ୍କୁ ଆପଣ କ’ଣ ଏଥିପାଇଁ ଛାଡ଼ି ଦେଇ ଥାଆନ୍ତେ ??’’ ଚନ୍ଦ୍ରାବତୀର କଣ୍ଠରେ ଦୃଢ଼ତା ।

 

ହଠାତ୍‌ ଗମ୍ଭୀର ହୋଇ ଉଠି ସୁଖାଡ଼ିଆ କହିଲେ––‘‘ମୁଁ ବୁଝୁଛି ଚନ୍ଦ୍ରାବତୀ ! ତୁମେ ମୋତେ ଆଘାତ କରିବାକୁ ଚେଷ୍ଟା କରୁଛ । କିନ୍ତୁ ସତ କହିବାକୁ ଗଲେ ତୁମ ଯୁକ୍ତି ହିଁ ସତ । କାରଖାନାର ମାଲିକଙ୍କ ନିକଟରେ ମୁଁ ମୋ ଭଉଣୀ...ସ୍ତ୍ରୀକୁ ଅନାୟାସରେ ଜଳିବା ପାଇଁ ଛାଡ଼ି ଦେଇ ନ ଥିଲେ ଆଜି ମ୍ୟାନେଜର ଆସନରେ ବସି ନ ଥାନ୍ତି । ମୁଁ ଥିଲି ମାତ୍ର ଜଣେ ସାଧାରଣ କର୍ମଚାରୀ । ଆଜି ହୋଇଛି କାରଖାନାର ମ୍ୟାନେଜର । ଏଇ ପଦବୀପାଇଁ ମୁଁ ଯେ ମଣିଷତାର କେତେ ତଳକୁ ଖସି ଯାଇଛି..ତା’ର ଘନତ୍ୱ ମାପି ହେବନାହିଁ ।’’

 

ନିର୍ଭୀକ ଭାବରେ ସୁଖାଡ଼ିଆଙ୍କ ମୁହଁକୁ ଚାହିଁ କେତେ କ’ଣ ଭାବୁଥିଲା ଚନ୍ଦ୍ରାବତୀ । ପରମୁହୂର୍ତ୍ତରେ ସ୍ୱର ବଦଳାଇ ଅନୁନୟ ବିନୟ ହୋଇ କହିଲା...‘‘ତଥାପି...ତଥାପି ମୋତେ କ୍ଷମା ଦିଅନ୍ତି ସୁଖାଡ଼ିଆ ବାବୁ ! ମୋ ବାପାଙ୍କୁ ତାଙ୍କ ଚାକିରୀ ଫେରାଇ ଦିଅନ୍ତୁ । ଆପଣଙ୍କର ସବୁ କିଛି ଆଦେଶ ମୁଁ ଏବେ ପାଳନ କରିବାକୁ ରାଜି ଅଛି । ଚାହାନ୍ତି ତ ମୁଁ ନିଜେ ଆପଣଙ୍କ କାରଖାନାରେ ଚାକିରୀ କରିବି ।’’

 

ହେୟ ଭାବରେ କଥାଟାକୁ ଉଡ଼ାଇ ଦେଇ ସୁଖାଡ଼ିଆ କହିଲେ—‘‘ନେଡ଼ି ଗୁଡ଼ କହୁଣୀକୁ ବହିଯାଇଛି ଚନ୍ଦ୍ରାବତୀ । ଆଉ ତାକୁ ଫେରାଇ ଆଣି ହେବନାହିଁ । ତୁମ ସମ୍ମାନ ରଖି ତୁମେ ଫେରିଗଲେ ସିନା...ହେଲେ ସଙ୍ଗେ ସଙ୍ଗେ ଅତିଥି ସେବାପାଇଁ ଅନ୍ୟ ଜଣେ ରୂପସୀ ବାଳିକା ଠିକ୍ କରିବାକୁ ବେଳ ଲୋଡ଼ା ହେଲାନାହିଁ । ପୂର୍ବରୁ ଦରଖାସ୍ତ ଦେଇ ଚାକିରୀ ପାଇଁ ଅପେକ୍ଷା କରିଥିବା ଜଣେ ମହିଳାଙ୍କୁ ସଙ୍ଗେ ସଙ୍ଗେ ନିଯୁକ୍ତି ଦିଆଯାଇଛି । ସେ ମଧ୍ୟ ତୁମ ଠାରୁ ଆହୁରି ସୁନ୍ଦରୀ । ତା’ ହେଲେ ତୁମର ଆବଶ୍ୟକତା ଆଉ କ’ଣ ଅଛି ?’’

 

କମ୍ପିଉଠି ଚନ୍ଦ୍ରାବତୀ କହିଲା–‘‘ଆପଣ ନାରୀତ୍ୱର ସମ୍ମାନ ଦେଇ ଶିଖନ୍ତୁ ସୁଖାଡ଼ିଆ ସାହେବ । ଆଉ ଖେଳ କଣ୍ଡେଇ କରି କେତେଦିନ ରଖିବେ ? କେଉଁ ଅଧିକାରରେ ଆପଣ ସେମାନଙ୍କ ପ୍ରତି ଏ ଅତ୍ୟାଚାର କରିବାରେ ଲାଗିଛନ୍ତି ?’’

 

ହଠାତ୍‌ ନରମ ହୋଇଯାଇ ସୁଖାଡ଼ିଆ କହିଲେ—‘‘ତୁମେ ପ୍ରତି ମୁଁ ସମବେଦନା ଜଣାଉଛି ଚନ୍ଦ୍ରାବତୀ । ତୁମେ ଶ୍ରମିକ ନେତ୍ରୀ ହେବାର ସମସ୍ତ କ୍ଷମତା ଏବେ ହାସଲ କରି ପାରିଛ । ଭାଷଣ ଦେଇ ଶିଖିଛ । ଯାଅ..କାରଖାନାରେ ନେତା ବା ନେତ୍ରୀଙ୍କର ସ୍ଥାନ ନାହିଁ ।’’

 

ବେଳୁବେଳ ସୁଖାଡ଼ିଆଙ୍କ ବ୍ୟବହାର ଅସହ୍ୟ ହେଲା ଚନ୍ଦ୍ରାବତୀକୁ । ଥରିବାକୁ ଲାଗିଲା ସମଗ୍ର ଶରୀର । ତଥାପି ନିଜକୁ ସଂଯତ ରଖି ଚନ୍ଦ୍ରାବତୀ କହିଲା—‘‘ମୋ ଅବସ୍ଥା କଥା ଟିକେ ଚିନ୍ତା କରନ୍ତୁ ସୁଖାଡ଼ିଆ ସାହେବ ! ବାପାଙ୍କ ଚାକିରୀଟି ଚାଲିଗଲେ ମୁଁ ଦାଣ୍ଡର ଭିକାରୁଣୀ ହେଇଯିବି । ଆଉ ଥରେ ଅନୁରୋଧ କରି କହୁଛି...ପାରିବେ ତ ବାପାଙ୍କ ଚାକିରୀ ନେଇ ଆପଣ ମୋତେ ନିଯୁକ୍ତି ଦିଅନ୍ତୁ । ମୁଁ ଏବେ ସବୁ କିଛି ଅତ୍ୟାଚାର ସହି ଆପଣଙ୍କ ନିକଟରେ ପଡ଼ି ରହିବାକୁ ଚାହେଁ ।’’

 

ଏଥର ନିଷ୍ଠୁର ହୋଇ ଉଠି ସୁଖାଡ଼ିଆ କହିଲେ–‘‘ମୁଁ ଥରେ କହିଛି ଚନ୍ଦ୍ରାବତୀ...ଅତିଥି ଚର୍ଚ୍ଚାପାଇଁ ଅନ୍ୟ ବାଳିକାକୁ ନିଯୁକ୍ତି ଦିଆ ସରିଛି । ତୁମକୁ ଆଉ ନିଯୁକ୍ତି ଦେବାର କି ଆବଶ୍ୟକତା ରହିଛି । ସେ ବାଳିକା ତୁମଠାରୁ ଯଥେଷ୍ଟ ସୁନ୍ଦରୀ । କଣ୍ଠରେ ଲାଳିତ୍ୟ ଅଛି । ଯୌବନରେ ଆବେଗ ଅଛି । ତାକୁ ନିଯୁକ୍ତି ଦେଲେ କାରଖାନାର ତୁମ ଅପେକ୍ଷା ଯଥେଷ୍ଟ ଅଧିକ ମଙ୍ଗଳ ହେବ । ଚାହିଁବ ତ ମୁଁ ତୁମକୁ ତା’ର ଫଟୋ ଦେଖାଇ ପାରେ ।’’

 

ନବନିଯୁକ୍ତ କାଳିକାର ଫଟୋ ଦେଖିବା ଚନ୍ଦ୍ରାବତୀ ପକ୍ଷରେ ଅଦରକାରୀ ଥିଲା ।

 

ତଥାପି ଚନ୍ଦ୍ରାବତୀ ଉପରକୁ ଖଣ୍ଡେ ପାସ୍‌ପୋର୍ଟ ସାଇଜର ଫଟୋ ଫିଙ୍ଗି ଦେଲେ ସୁଖାଡ଼ିଆ.... ।

 

କମ୍ପି ଉଠିଲା ଚନ୍ଦ୍ରାବତୀ...‘‘କଳ୍ପନା ଦିଦି’’ ??

 

ଆଶ୍ଚର୍ଯ୍ୟ ହୋଇ ଚନ୍ଦ୍ରାବତୀକୁ ଚାହିଁ ସୁଖାଡ଼ିଆ କହିଲେ ‘‘ତୁମେ କ’ଣ ଏ ଝିଅଟିକୁ ଚିହ୍ନିଛ ଚନ୍ଦ୍ରାବତୀ... ?’’

 

ପ୍ରବଳ ଭୂମିକମ୍ପରେ ଥରି ଉଠୁଥିବା ପୃଥିବୀ ଭଳି ଥରି ଥରି ଚନ୍ଦ୍ରାବତୀ କହିଲା..‘‘ନାଁ...ନାଁ...ମୁଁ ଚିହ୍ନିନି...ମୁଁ ଚିହ୍ନିନି...ନ ଚିହ୍ନିବାରେ ହିଁ ଶାନ୍ତି....ନ ଚିହ୍ନିବାରେ ହିଁ ଗୌରବ । ମୁଁ ଆଉ ମୋର ନିଯୁକ୍ତ ଚାହେଁନି...ମୋତେ ମୁକ୍ତି ଦିଅନ୍ତୁ...ମୋତେ ମୁକ୍ତି ଦିଅନ୍ତୁ ସୁଖାଡ଼ିଆ ସାହେବ...-। ମୁଁ ମୁକ୍ତ ବିହଙ୍ଗ ଭଳି ଗଗନ ପବନରେ ଉଡ଼ିଯିବାକୁ ଚାହେଁ । କିନ୍ତୁ ଥରେ ଚିନ୍ତା କରନ୍ତୁ ସୁଖାଡ଼ିଆ ସାହେବ...ନୂଆଖାଲିର ସାମ୍ପ୍ରାଦାୟିକ ହତ୍ୟା ଅପରାଧ ଠାରୁ କ’ଣ ଏ ମାନବିକତା ହତ୍ୟା ଅପରାଧ କୌଣସି ଗୁଣରେ କମ୍‌ ?’’

 

ଚନ୍ଦ୍ରାବତୀର ଭାଷଣ ଶୁଣି ହୋ..ହୋ...ହୋଇ ହସିଲେ ସୁଖାଡ଼ିଆ ।

 

ଆଉ ସହି ପାରିଲାନି ଚନ୍ଦ୍ରାବତୀ.... । କାରଖାନାର ଅଫିମ ଗୃହରୁ ବାହାରି ଧାଇଁବାକୁ ଲାଗିଲା ସେ । ଧାଇଁଛି ଚନ୍ଦ୍ରାବତୀ....ତା ସହିତ ଧାଇଁଛି ବିନମ୍ର ନାରୀତ୍ୱ ।

 

ଠିକ୍‌ ଏହି ସମୟରେ ହୁଏତ କଟକ ସହରରେ ଅନେକ ନାରୀତ୍ୱ ଘାତ ପ୍ରତିଘାତ ସହି ପଥର ହୋଇଯିବାକୁ ବସିଥିବ । ନାଲି ରାସ୍ତାର ନରମ ଧୂଳି ଉପରେ ବିଗତକୁ ଅଜାଡ଼ି ଅଜାଡ଼ି ଭବିଷ୍ୟତର ସ୍ୱପ୍ନ ଦେଖି ଦେଖି ଚାଲିଥିବ । କିନ୍ତୁ ଏ ସବୁର ହିସାବ ରଖୁ ନ ଥିବେ କେହି ।

 

କଟକ ସହର... ।

 

ସମଗ୍ର ଓଡ଼ିଶାର ଏକ ଇତିହାସର ଭଗ୍ନାଂଶ ।

 

ଏଠି ଓଡ଼ିଆ, ବଙ୍ଗାଳି, ମାରୱାଡ଼ି, ଶିଖ, ତେଲଙ୍ଗା ସବୁ ଜାତିର ମଣିଷ ଅଛନ୍ତି । କିନ୍ତୁ କାହାର ଜୀବନ ଭିତରେ ଯେ କି ଝଡ଼....କି ଝଞ୍ଜର ବହିଛି—ତାହାର ହିସାବ ରଖୁଛି କିଏ ? ଏ ସହର ସମସ୍ତଙ୍କୁ ପିଠିରେ ବହି ଚାଲିଛି—ଠିକ୍‌ ସର୍ବଂସହା ଧରିତ୍ରୀ ଭଳି । ତା’ର ମାନ ନାହିଁ..ଅଭିମାନ ନାହିଁ...କେବଳ ରହିଛି ଆତ୍ମମାନର ଅଭିଜ୍ଞାନ ।

 

ଘର ମୁହାଁ ହୋଇ ଏକା ନିଃଶ୍ୱାସରେ ଦୌଡ଼ି ଚାଲିଛି ଚନ୍ଦ୍ରାବତୀ । ମନରେ ଅସରନ୍ତି ଭାବନା । ଠିକ୍‌ ସୂତାକଳର ସୂତାକଣ୍ଡା ଭଳି ଖିଅ ମେଲେଇ ଚାଲିଛି ଏ ଭାବନା । ଘର ଦୁଆର ମୁହଁରେ ବସିରହେ ଅପେକ୍ଷା କରିଥିବେ ବାପା । ଚାକିରୀ ଫେରିପାଇବାର ଆଶା ମନରେ ପ୍ରବଳ ହୋଇ ଉଠୁଥିବ । ଦେଖିବା ମାତ୍ରେ ଉତ୍କଣ୍ଠାର ସହିତ ପଚାରିବେ । ‘‘କ’ଣ ହେଲା ମା ! ସୁଖାଡ଼ିଆ କ’ଣ ଚାକିରୀ ଫେରାଇ ଦେବାକୁ ରାଜି ହେଲେ ?’’ ମନରେ ତାଙ୍କର ଉଦ୍‌ବେଗର ଜୁଆର ଉଠୁଥିବ । ହେଲେ ଯେତେବେଳେ ସେ ଶୁଣିବେ ଯେ ଚନ୍ଦ୍ରାବତୀ ବିଫଳ ହୋଇ ଫେରିଛି ସେତେବେଳେ !! ଆଉ ଚିନ୍ତା କରି ପାରୁନି ଚନ୍ଦ୍ରାବତୀ । ଲକ୍ଷ ଯୁଗର ଅନ୍ଧାର ଗ୍ରାସ କରି ଯାଉଛି ତା’ର କଳ୍ପନାକୁ ।

 

ବୃଦ୍ଧ ମାଖନ୍‌ ଚୌଧୁରୀଙ୍କର ମେରୁଦଣ୍ଡ ଦୋହଲିଯିବ । ଆର୍ତ୍ତନାଦ କଲାଭଳି ଟଳି ପଡ଼ିବେ ସେ ।

 

ଝିଅ ହୋଇ...ସହିବାକୁ ପଡ଼ିବ ସବୁ କିଛି... ।

 

ତା’ ପରେ....

Unknown

 

ତା’ପରେ ବୃଦ୍ଧ ମାଖନ୍‌ ଚୌଧୁରୀ ପୁଣି ଅନ୍ନ ବସ୍ତ୍ରର ଚିତ୍କାର ଦେଇ ଦେଇ ଖୋଜି ବୁଲିବେ ଚାକିରୀ । ବାର ଦ୍ୱାରରୁ ମୁହଁ ଭାଙ୍ଗି ଫେରିବାକୁ ପଡ଼ିବ । କିଏ କହିବ ଆସନ୍ତା କାଲି ଆସ ଦେଖିବା । କିଏ କହିବ ଦୁଇ ଦିନ ଆଗରୁ କହିଥିଲେ କିଛି ହୋଇଥାନ୍ତା, ଆଜି କହି ଲାଭ ନାହିଁ । ଆଉ କିଏ କହିବ—ଚାକିରୀଟିଏ ପାଇବା ସହଜ କଥା ନୁହେଁ । ଏଥିପାଇଁ ଅନେକ ଉତ୍କୋଚ ଦେବାକୁ ହେବ । ଆଉ କିଏ କହିବ...ମୁଁ ଚେଷ୍ଟା କରିବି ସତ...ହେଲେ ସବୁ ବଡ଼ବାବୁ ହାତରେ । ଅତି କମ୍‌ରେ ତିନି ଶହ ଟଙ୍କା ନ ଦେଲେ ତାଙ୍କ ପାଖରୁ କାମ ଉଠାଇବା ସହଜ ନୁହେଁ ।

 

ଏଥିପାଇଁ ମାଛ ଘିଅ ବୁଝା ଚାଲିବ । ସାହେବଙ୍କ ବନ୍ଧୁର ବନ୍ଧୁର ବନ୍ଧୁଙ୍କ ଚିହ୍ନାଙ୍କୁ ଧରି ଅତି କମ୍‌ରେ କୋଡ଼ିଏ ଥର ଦୌଡ଼ିବାକୁ ହେବ । କେଉଁଥର ସାହେବ ଟୁର୍‌ରେ ଚାଲି ଯାଇଥିବେ–କେଉଁଥର ପ୍ରବଳ କାମ ଚାପରେ ସାହେବ ସାକ୍ଷାତ ଦେବା ବନ୍ଦ ରହିବ । ତା’ପରେ ହୁଏତ ମନ୍ତ୍ରୀଙ୍କ ସୁପାରିଶ୍‌ ନେଇ ସାକ୍ଷାତ କରିବା ପରେ––ଶୁଣିବାକୁ ମିଳିବ—ନିଶ୍ଚୟ..ନିଶ୍ଚୟ...ତୁମ କଥା ମୋ ମନରେ ରହିଲା.... । ହେଲେ ସମୟ ସାପେକ୍ଷ । ବର୍ତ୍ତମାନ ଭ୍ୟାକେନ୍‌ସି ନାହିଁ । ମାତ୍ର କେତେଦିନ ଭିତରେ ଭ୍ୟାକେନ୍‌ସି ସୃଷ୍ଟି ହେବା ସମ୍ଭବ । ଏଥିପାଇଁ ମୁଁ ମଧ୍ୟ ଉପରକୁ ଲେଖା ଲେଖି କରିଛି ।

 

ତା’ପରେ ଚାକିରୀ ଖୋଲିବ । ଲୋକ ନିଯୁକ୍ତି ପାଇବେ । ସାହେବଙ୍କୁ ପଚାରିଲେ ସାହେବ କହିବେ—ଆରେ ହେଇ ଦେଖ..ତୁମ କଥା ମୁଁ ବିଲ୍‍କୁଲ ଭୁଲି ଯାଇଛି । କିନ୍ତୁ ଏଥର ଆଉ ଭୁଲିବାର ଅବକାଶ ନାହିଁ । ତା’ପରେ ଷ୍ଟେନୋଙ୍କୁ ଡକାଯିବ । ସେ ନାଁଟାକୁ ନୋଟ୍‌କରି ରଖିବେ... ।

 

କିନ୍ତୁ ଏଥିରେ କ’ଣ ବୃଦ୍ଧ ମାଖନ ଚୌଧୁରୀଙ୍କ ଅବସ୍ଥାର ସମାଧାନ ହୋଇ ପାରିବ ?

 

ଏମିତି ଅନେକ ଭାବନାରେ ପୋତି ହୋଇ ପଡ଼ୁଛି ଚନ୍ଦ୍ରାବତୀ । ଟ୍ରେନ୍‌ର ଗତିରେ ବିରାମ ଅଛି । ହେଲେ ଚନ୍ଦ୍ରାବତୀର ଭାବନାରେ ବିରାମ ନାହିଁ ।

 

ବସା ଦୁଆର ମୁହଁରେ ଆସି ଅଟକିଗଲା ଚନ୍ଦ୍ରାବତୀ... । ପାଉଛ ଦେଇ ଉଠିଗଲା କବାଟ ଖୋଲିବାକୁ । ହଠାତ୍‌ ତା’ର ନଜର ପଡ଼ିଲା ଝଞ୍ଜିର ଦେହରେ ଝୁଲୁଥିବା ଗୋଟିଏ ଚିଠି ଉପରେ । ଝାମ୍ପିଆଣି ପଢ଼ିବାରେ ଲାଗିଲା ଚନ୍ଦ୍ରାବତୀ । ଲେଖାଥିଲା...

 

ମା ଚନ୍ଦ୍ରାବତୀ !

 

ମୋ ଚାକିରୀ ଯିବା କଥା ଶୁଣି ତୁ ଦୌଡ଼ିଗଲୁ କାରଖାନାକୁ । ହୁଏତ ଭାବିଲୁ ଯେ ସୁଖାଡ଼ିଆଙ୍କୁ ଅନୁରୋଧ କଲେ ସେ ତୋ କଥା ଶୁଣିବେ, କିନ୍ତୁ ମୁଁ ବେଶ୍‌ ଚିହ୍ନିଛି ସର୍ବଗ୍ରାସୀ ମ୍ୟାନେଜର ସୁଖାଡ଼ିଆଙ୍କୁ । ସେ କଦାପି ଚାକିରୀ ଫେରାଇ ଦେବେନି..ଏ ବିଷୟରେ ମୁଁ ନିଶ୍ଚିତ । ତାଙ୍କ ନିକଟରେ ମଣିଷ ଜୀବନ ଗୋଟାଏ ଖେଳଘର । ମୋରି ଆଖି ଆଗରେ ସେ ଅନେକଙ୍କ ଚାକିରୀ ଖାଇଛନ୍ତି । କାହାରି ଅନୁରୋଧ ରକ୍ଷା କରି ନାହାନ୍ତି । ତୋ ଅନୁରୋଧ ବା ରଖିବେ କାହିଁକି ?

 

ମୋ ଜୀବନରେ ମୁଁ ଅନେକ ଯନ୍ତ୍ରଣା, ଅନେକ ଅତ୍ୟାଚାର ସହିଛି । ଛାତିକୁ ପଥର କରି ପରିସ୍ଥିତିର ମୁକାବିଲା କରିଛି । କିନ୍ତୁ ଆଜି ଆଉ ପାରୁନି । ନୂଆଖାଲିରୁ ଆସିବା ଦିନରୁ ଅନେକ ଗାଳି..ଅନେକ ମାଡ଼... ଅନେକ ଅତ୍ୟାଚାର ମୁଁ ସହିଛି..ହେଲେ ସବୁ କେବଳ ତୋରି ସୁଖ ଦେଖିବା ପାଇଁ । ତୋ ପ୍ରତି ଏ ସମାଜରେ ଯେଉଁ ଅଶ୍ଳୀଳ ଆକ୍ଷେପ..ସବୁ ମୁଁ ଏଇ ଦୁଇ ଆଖିରେ ଦେଖିଛି । ପୁଣି ଛାତିପାତି ସହିଛି । କାରଣ ପ୍ରତ୍ୟେକ ବାପା ଚାହାନ୍ତି..ମୋ ପୁଅ..ମୋ ଝିଅ...ନଷ୍ଟ....ଭ୍ରଷ୍ଟ ହେଉନ୍ତୁ ପଛକେ..ଦୀର୍ଘଜୀବୀ ହୋଇ ବଞ୍ଚି ରୁହନ୍ତୁ ।

 

ଆଜି କିନ୍ତୁ ଆଉ ପାରୁନି । ରକ୍ତ ନିଗାଡ଼ି ପରିଶ୍ରମ କରି ମୁଁ ସୁନାମ ନେଇ ପାରିନାହିଁ । ତୋତେ ବଞ୍ଚାଇ ପାରିନାହିଁ । ଏ ସମାଜ ଚାହିଁଛି ମୋ ଦେହରୁ ଆହୁରି ରକ୍ତ । ହେଲେ ଏ ବୃଦ୍ଧ ଯେ ସମସ୍ତ ରକ୍ତ ନୂଆଖାଲିରେ ଅଜାଡ଼ି ଦେଇ ଆସିଛି !

 

କ’ଣ କରିବି...ଦୋଷ ଦେବୁନାହିଁ । କେତେ ସହିବି ଆଉ ଅଲିଅଳ ଝିଅଟାର ବୁକୁଫଟା ଆର୍ତ୍ତନାଦ ? ଶେଷ ଭରସା ଚାକିରୀ ଖଣ୍ଡକ ଗଲା । ପୁଣି କାଲିଠାରୁ ଆଉ କାହା ଦ୍ୱାରା ମୁହଁରେ ଗୋଡ଼ ଭାଙ୍ଗି ଠିଆ ହେବାକୁ ହେବ । କେତେ ଅନୁରୋଧ କରିବାକୁ ହେବ । କିନ୍ତୁ ମୁଁ ଆଉ ପାରିବିନି ଚନ୍ଦ୍ରାବତୀ । ନୂଆ କରି ତୋର ଏ ବୁଢ଼ା ପୁଅ ତୋତେ ଛାଡ଼ି ଚାଲିଯାଉଛି । ତା’ର ଦୋଷ ଧରିବୁନି । ତାକୁ କ୍ଷମା ଦେବୁ । ଠିକ୍‌ ଯେମିତି ସଂଖ୍ୟାଧିକ କାମୁକ ଅତ୍ୟାଚାରୀ ପୁରୁଷଙ୍କୁ ତୁ ତୋ ଜୀବନରେ କ୍ଷମା ଦେଇଛୁ । ଯାଉଛି...କାନ୍ଦିବୁନି । ଯୁଦ୍ଧ କରି ବଞ୍ଚିବାକୁ ଚେଷ୍ଟା କରିବୁ । ଯଦି କେବେ ଜୀବନରେ ପୁଣି ପରିପୂର୍ଣ୍ଣତା ଆସେ...ତେବେ ନିଶ୍ଚୟ ମୁଁ ଫେରିବି ତୋରି କୋଳକୁ । ତୋରି କୋଳରେ କୁନି ପୁଅ ପରି ମୁଣ୍ଡ ଦେଇ..ଛାଡ଼ିବି ମୋର ଶେଷ ନିଃଶ୍ୱାସ.. । ଯାଉଛି ମା... । ବିଷ ଖାଇ ମୁଁ ଆତ୍ମହତ୍ୟା କରି ପାରୁନି..କାରଣ..ତଥାପି ତୋର ସୁଖ ଦେଖିବି ବୋଲି ମୋର ଆଶା ରହିଛି ।

 

ଇତି

ତୋର ବାପା...

 

ଚନ୍ଦ୍ରାବତୀର ଗଣ୍ଡ ଦେଇ ଝରି ପଡ଼ୁଥିଲା ଉଷୁମ ଲୁହଧାର । ଛାତି ଭିତରେ କୋରି ହୋଇଗଲା । ମନେହେଲା ସତେ ଯେମିତି ମାଖନ୍‌ ଚୌଧୁରୀ କେଉଁଠି ଲୁଚିରହି ଥଟ୍ଟା କରୁଛନ୍ତି ଚନ୍ଦ୍ରାବତୀ ସହିତ । ଠିକ୍‌ ମାଖନ୍‌ଚୌଧୁରୀଙ୍କ ଖୋଜିଲା ଭଳି ଚିତ୍କାର କରି ଡାକିଲା ଚନ୍ଦ୍ରାବତୀ....‘‘ବାପା ! କୋଉଠି ଲୁଚିଛ ବାପା ! ଆସ..ମୋ ଆଖିରୁ ଲୁହ ପୋଛିଦିଅ, ମୁଁ ପରା କାନ୍ଦୁଛି । ତୁମକୁ ନ ପାଇ ମୁଁ ପରା ଡରୁଛି ।’’

 

କିନ୍ତୁ ଚନ୍ଦ୍ରାବତୀର ଆଖିରୁ ଲୁହ ପୋଛି ଦେବାକୁ ଆଉ ନ ଥିଲେ କେହି । ପଡ଼ି ରହିଥିଲା କେବଳ ନିର୍ଜନ କୋଠରୀ ଆଉ ତା ସହିତ ଛିଣା ପର ଘେନି ଘରଚଟୀ ବସା ।

 

ମୁହଁ ଫେରାଇଲା ଚନ୍ଦ୍ରାବତୀ...

 

ଇତିହାସ ହୀନ ଭିଟାମାଟି ଉପରେ ଠିଆ ହୋଇ ଲେଉଟାଇବାକୁ ଚେଷ୍ଟା କଲା ଚୌଧୁରୀ ବଂଶର ପୂର୍ବ ଇତିହାସ ।

 

କରୁଣ ଭାବରେ କହିଲା—ଦେଖି ଯା ବୋଉ...ଥରେ ତୋର ସ୍ୱର୍ଗରାଜ୍ୟର କବରତଳୁ ତୁ ଥରେ ଓହ୍ଲାଇ ଆସି ଦେଖି ଯା..ତୋ ଅଲିଅଳ ଝିଅ କେମିତି ଧନ, ଜନ, ଗୋପ, ଲକ୍ଷ୍ମୀପାଇଁ କାନ୍ଦୁଛି ।

 

ଥରେ ବାପା ମୋ ଗାଲରେ ଗୋଟିଏ ଚାପୁଡ଼ା ମାରିଥିଲେ ବୋଲି ତୁ ତିନି ଦିନ ଖାଇ ନ ଥିଲୁ, ଭିମାନ କରୁଥିଲୁ । ସେଥିପାଇଁ ବାପାଙ୍କୁ ଦୋଷ ମାଗିବାକୁ ହୋଇଥିଲା । ମୋତେ କାଖରେ କୋଡରେ ତିନି ଦିନ ପୂରାଇ ରଖିବାକୁ ପଡ଼ିଥିଲା । ଆଜି ଦେଖ୍‌ବୋଉ !...ସେହି ବାପା... ଭାବୀ ଭୟରେ ମୋତେ ଏକୁଟିଆ ଛାଡ଼ି ଚାଲି ଯାଇଛନ୍ତି ।

 

ସେ ଦିନ ଶିବରାତ୍ରୀ ଦେଖିବାକୁ ମୁଁ ମାତ୍ର କେତେ ଖୋଜ ବାଟ ଆଗେଇ ଯାଇଥିଲି ବୋଲି ତୁ ପାଗଳୀ ହୋଇ ମା ପଛେ ପଛେ ପାଞ୍ଚ ଜଣ ଖୋଜାଳି ପଠାଇ ଦେଇଥିଲୁ । କିନ୍ତୁ ଆଜି ଦେଖ୍‌...ଏ ଶତାବ୍ଦୀର ରୟାଲ ବେଙ୍ଗଲ ଟାଇଗରଙ୍କ ସମ୍ମୁଖରେ ମୋତେ ପକାଇ ଦେଇ ବାପା ପଳାଇଛନ୍ତି । ଦେଖାହେଲେ ତୁ ତାଙ୍କ ବାଟ ଓଗାଳି ପଚାରିବୁ ବୋଉ.. କାହିଁକି ସେ ମୋ ଉପରେ ଏ ପ୍ରତିଶୋଧ ନେଲେ... ।

 

କହ ବୋଉ...ଉତ୍ତର ଦେଉନୁ କାହିଁକି ? ତେବେ ତୁ କ’ଣ ମଧ୍ୟ ମୋତେ ଭୁଲିଗଲୁଣି ? କାହିଁକି...ବୋଉ ? ମୁଁ ତୋର କି ଦୋଷ କଲି ? ଥରେ ବି ତ ତୁ ସପନରେ ମୋତେ ଦେଖା ଦେଉନୁ । ଆ ବୋଉ... ଏ ନିର୍ଜନ କୋଠରୀକୁ ତୁ ଓହ୍ଲାଇ ଆ । ଆମେ ଦିହେଁ ସାଙ୍ଗ ହୋଇ ଚାଲିଯିବା । କାହାକୁ କିଛି କହିବାନି ।

 

ଆ ବୋଉ...ମୋ ରାଣ ତୁ ଓହ୍ଲାଇ ଆ । ଅନେକ କଥା ମୁଁ ତୋତେ କହିବି । ତୋ ଅଲିଅଳ ଝିଅ କଳ୍ପନା ଦିଦି ମଧ୍ୟ ମୋରି ଭଳି ପାଇଛି । କିନ୍ତୁ ସେ ଜୀଇବା ଆଉ ମରିବା ମଧ୍ୟରେ ପ୍ରଭେଦ ନାହିଁ ବୋଉ ! ଆଜି ତୋ ଅଳିଅଳ କଳ୍ପନା..କାମୁକ ସୁଖାଡ଼ିଆଙ୍କ ହାତରେ... ।

 

ଧାର ଧାର ଲୁହରେ ଭିଜିଯାଉଛି ଚନ୍ଦ୍ରାବତୀର ବକ୍ଷଦେଶ । ପର ମୁହୂର୍ତ୍ତରେ ସଚେତନ ହୋଇ ଉଠିଛି ସେ । କାହିଁକି...କାହିଁକି ଏ ଦୁଃଖ ? ବାପା ଯାଇଛନ୍ତି..ମୁଁ ଅସହାୟା । ତେବେ କ’ଣ ଆତ୍ମହତ୍ୟା କରିବି ?

 

ନାଁ ନାଁ ଆତ୍ମହତ୍ୟାଠାରୁ ବଡ଼ ପାପ ନାହିଁ । ମଣିଷ ଜୀବନ ଦୁର୍ଲଭ ଜୀବନ । ଏ ଜୀବନ ଆଉ ଆସିବ ନାହିଁ । ଏ ଜୀବନ ଥରେ ଭସ୍ମ ହେଲେ ଆଉ ଫେରେନାହିଁ । ଏଇ ରକ୍ତ ମାଂସର ଦେହ ଧରି ହିଁ ସୁଖ କରିବାକୁ ହେବ । ଜୀବନର ସନ୍ଧାନ କରିବାକୁ ହେବ । ଅପରଠାରୁ ସାହାଯ୍ୟ ନେବାକୁ ହେବ । ଅପରକୁ ନିଜର କରିବାକୁ ହେବ । ଅପରକୁ ସୁଖ ଦେବାକୁ ହେବ । ମଣିଷ ୠଣ କରି ଘିଅ ଖାଇବାକୁ ଇଚ୍ଛାକରେ, କେବଳ ଏଇ ଜୀବନପାଇଁ । ତେବେ ସେ ଦୁଃଖ କରୁଛି କାହିଁକି-? ବୃଦ୍ଧ ମାଖନ୍‌ ଚୌଧୁରୀ ଆଉ ତା’ ଭିତରେ ପ୍ରଭେଦ କେଉଁଠି ରହିଲା ।

 

ସେହି ଲୁହଭରା ଆଖିରେ ମଧ୍ୟ ହସିଉଠିଲା ଚନ୍ଦ୍ରାବତୀ ।

 

ହଁ...ହଁ....ମୁଁ ଜୀବନ ନେଇ ବଞ୍ଚିବି ଠିକ୍‌ ମଣିଷ ଭଳି ।

 

ଆଉ ଅପେକ୍ଷା କରିନି ଚନ୍ଦ୍ରାବତୀ । ହାତରେ ଧରିଥିବା ବାପାଙ୍କର ଚିଠିଟିକୁ ଟିକି ଟିକି କରି ଚିରି ପକାଇଦେଲା ଭୂଇଁ ଉପରେ । ଘରର ଚଟାଣରେ ହାତମାରି ପୁଣି ସେ ହାତକୁ ମୁଣ୍ଡରେ ମାରିଲା ଚନ୍ଦ୍ରାବତୀ...

 

ବିଦାୟ.....

 

ସେ ଭାଇ ଭଉଣୀ...ବାପା....ମାଆ...ସମସ୍ତଙ୍କୁ ଅନାୟାସରେ ଛାଡ଼ିଛି । ଆଜି ବା କାହିଁକି ଦୁଃଖ କରିବ । ଏଇ ସାମାନ୍ୟ କୋଠରୀ ବା କି ସୁଖ ଦେଇପାରେ ?

 

ମୁହଁ ଫେରାଇ ରାସ୍ତାକୁ ଓହ୍ଲାଇଗଲା ଚନ୍ଦ୍ରାବତୀ ।

 

ସୂର୍ଯ୍ୟାସ୍ତର ଶେଷ ରଶ୍ମିରେ ଲାଲ ହୋଇ ଉଠୁଛି କଟକର ରାସ୍ତା । ଚନ୍ଦ୍ରାବତୀକୁ ଚାଲିଯିବାକୁ ହେବ ଅନିର୍ଦ୍ଦଷ୍ଟ ପଥରେ ଦୀର୍ଘ ନିଃଶ୍ୱାସ ଛାଡ଼ି ଆଗେଇଲା ଚନ୍ଦ୍ରାବତୀ ।

 

ଆଜି ଯେ କଟକ ସହର ରାସ୍ତାର କୃଷ୍ଣଚୂଡ଼ା ଗଛରେ ରଙ୍ଗୀନ ସ୍ତବକ ଝୁଲୁ ନ ଥିଲା ତା’ ନୁହେଁ । ରାସ୍ତାର ଶୋଭା ମଣ୍ଡନ କରି କୃଷ୍ଣଚୂଡ଼ା ଶାଖା ମେଲାଇ ଠିଆ ହୋଇଥିଲା । ସେଇ ଶାଖାରେ ଶଙ୍ଖଚିଲ ପକ୍ଷୀ ମେଲାଇ ଡେଣା ଝାଡ଼ୁଥିଲା । ଏଇ ଫୁଲର ସ୍ତବକକୁ ମୁଣ୍ଡରେ ଗୁଞ୍ଜି ପାଗଳ ପାଣ୍ଡେ ରାସ୍ତାରେ ନାନା ବାଇଆ ଗୀତ ଗାଇ ଗାଇ ଯାଉଥିଲା ।

 

ଠିକ୍‌ ସବୁଦିନ ଭଳି ଏ ଗଛ ମୂଳରେ ମଦାରୀ ଟୋକା ମଧ୍ୟ ତା’ ଖେଳ ଆରମ୍ଭ କରି ଦେଇଥିଲା । ହାତର ବିଚିତ୍ର କାରସାଦୀ ଭିତରେ ସେ ବଞ୍ଚିବାକୁ ଚେଷ୍ଟା କରୁଥିଲା ।

 

ଏଇ ଗଛର ସାମନା କୋଠାରୁ ସବୁଦିନ ଭଳି ଆଜି ବି ବେହେଲାର ଛାତିଫଟା ଆର୍ତ୍ତନାଦ ଭାସି ଆସୁଥିଲା । ଠିକ ସ୍ୱରଲହର ପରେ ପରେ କୃଷ୍ଣଚୂଡ଼ାର ସ୍ତବକକୁ ଚାହିଁରହି ଦୀର୍ଘ ନିଃଶ୍ୱାସ ଟାଣୁଥିଲା ଜଣେ ଯୁବତୀ ।

 

ଏଇ ଗଛ ମୂଳରେ ଦେଶ ବିଦେଶର ଯାତ୍ରୀଙ୍କର ସୁଅ ଆଜି ବି ଛୁଟିଥିଲା । ସବୁ ପୁରାତନ, ସବୁ ଚିରାଚରିତ, ସବୁ ନିତିଦିନିଆଁ । କଟକ ସହର କିଛି ପରିବର୍ତ୍ତନ ହୋଇନାହିଁ । କେବଳ ବଦଳିଛି ରୂପସୀ ଚନ୍ଦ୍ରାବତୀର ଅବନମିତ ଭାଗ୍ୟ ।

 

ଆଜି ଇଚ୍ଛା କରୁଛି ଚନ୍ଦ୍ରାବତୀ...ଚିତ୍କାର କରି କାନ୍ଦିବି ସେ... । ପୁଣି ନିଜେ ନିଜକୁ ସାନ୍ତ୍ୱନା ଦେଉଛି..ନାଁ...ନାଁ...ମୁଁ ଭୀରୁ ନୁହେଁ । ମୁଁ ପଳାତକ ନୁହେଁ । ମୁଁ ମଣିଷ..ବଞ୍ଚିବା ମୋର ଐକାନ୍ତିକ ଅଧିକାର ମୁଁ ବଞ୍ଚିବି...

 

ଆହୁରି ଆଗକୁ ଚାଲିଛି ଚନ୍ଦ୍ରାବତୀ । କଟକ ସହର ଶେଷ ହୋଇ ଆସୁଛି । ତା’ପରେ ବିରାଟ ମହାନଦୀ । ଅନେକ ଲୋକଙ୍କର ଭୋକ ଓ ଶୋଷ ମାରେ ଏ ନଈର ପାଣି । ଏଇ ନଈ କୂଳରେ ଦିନେ ଗଢ଼ି ଉଠିଥିଲା ବିରାଟ ବାରବାଟୀ ଦୁର୍ଗ । ଦୁର୍ଗ ଯାଇଛି, ରାଜା ଯାଇଛନ୍ତି, କେବଳ ମୂକସାକ୍ଷୀ ହୋଇ ରହିଛି ସେ ଗଡ଼ଖାଇ । ମନେ ମନେ ପୁଣି ଚନ୍ତା କରୁଛି ଚନ୍ଦ୍ରାବତୀ... । ଠିକ୍‌ ନୂଆଖାଲି ଭଳି ଏଠି ବି ହୁଏତ ଦିନେ ସାମ୍ପ୍ରଦାୟିକ ନିଆଁ ଜଳିଥିଲା । ସୁବର୍ଣ୍ଣ ଥାଳିରେ ହୀରା ପରଷି ମୁକ୍ତି ଚାହିଁଥିଲେ ଓଡ଼ିଶା ସମ୍ରାଟ ମୁକୁନ୍ଦ ଦେବଙ୍କ ପାଟ ମହାଦେଈ ।

 

ଚନ୍ଦ୍ରାବତୀକୁ ବିଦାୟ ଦେବପାରେ କିଛିଦିନ ଉଦ୍‌ଭ୍ରାନ୍ତ ହୋଇ ଉଠିଥିଲା ହେମକାନ୍ତ । ଅବନମିତ ହୃଦୟର ଭ୍ରମପାଇଁ ପ୍ରାୟଶ୍ଚିତ ଚାହିଁଥିଲା ସେ... । ସମୟ ଗଡ଼ିଲା.... ।

 

ଘଣ୍ଟା..ମାସ...ଆଉ ବର୍ଷ.....

 

ଏଇ ସମୟ ସହିତ ତାଳ ଦେଇ ସବୁକିଛି ବିଗତକୁ ଭୁଲିବାକୁ ଚେଷ୍ଟା କରିଥିଲା ହେମକାନ୍ତ । ସଫଳ ହୋଇଥିଲା ସେ । ହୁଏତ ବିଗତକୁ ଭୁଲିବା ପାଇଁ ଚେଷ୍ଟା କରିବା ମଣିଷର ଗୋଟିଏ ବିରାଟ ଧର୍ମ

 

ଅନେକ ସମୟରେ ଏ ଚିରାଚରିତ ମଣିଷ ଧର୍ମ ଓ ଅଧର୍ମ ପ୍ରତି ଦୃଷ୍ଟି ଦିଏନାହିଁ । ସେ କେବଳ କର୍ତ୍ତା ହୁଏ । କର୍ମର ଅନ୍ତର୍ଦାହ ପ୍ରତି ସମବେଦନା ଜଣାଇବା ତା’ ନିକଟରେ ଅସମ୍ଭବ ହୋଇପଡ଼େ । ଠିକ୍‌ ସେହିଭଳି ହେମକାନ୍ତ ଚନ୍ଦ୍ରାବତୀକୁ ଭୁଲିବାରେ ଶାନ୍ତି ଖୋଜୁଥିଲା ।

 

ଚନ୍ଦ୍ରାବତୀକୁ ସମ୍ପୂର୍ଣ୍ଣ ଭୁଲିବାକୁ ସକ୍ଷମ ହେଲା ହେମକାନ୍ତ...

 

ହଠାତ୍‌ ଏ ସମୟରେ ବନ୍ଧୁତ୍ୱ ଜମେ ଲୋପାମୁଦ୍ରା ସହିତ ।

 

ଅଧ୍ୟାପକ ଜୀବନର ଅସଂଖ୍ୟ ଛାତ୍ରଙ୍କ ମଧ୍ୟରୁ ଜଣେ ହୋଇ ହେମକାନ୍ତ ଜୀବନରେ ଦେଖା ଦେଇଥିଲା ଲୋପାମୁଦ୍ରା । ସ୍ନେହ ଦେଇଥିଲା, ମାନ ଦେଇଥିଲା...ଶେଷରେ ମନ ମଧ୍ୟ ଦେଇଥିଲା । ଲୋପାମୁଦ୍ରାର ଉପସ୍ଥିତି ହିଁ ସମ୍ପୂର୍ଣ୍ଣ ରୂପେ ଦୂର କରି ପାରିଥିଲା ଚନ୍ଦ୍ରାବତୀର ଭୂତକୁ ।

 

ପୋଖତ ଗୁଣିଆର ଗାରେଡ଼ି ମନ୍ତ୍ରରେ ଯେମିତି ଗୋଖର ସାପର ବିଷ ଖସିବାକୁ ଆରମ୍ଭ କରେ—ସେମିତି ଚନ୍ଦ୍ରାବତୀର ସମ୍ମୋହିତ ବିଷ ଲୋପାମୁଦ୍ରା ପରି ପୋଖତ ଗୁଣିଆର ଉପସ୍ଥିତିରେ କମିବାକୁ ଆରମ୍ଭ କରିଥିଲା । କେବଳ ଲୋପାମୁଦ୍ରାକୁ ନେଇ ହେମକାନ୍ତ ଭାବୁଥିଲା ଅତୀତ.....ବର୍ତ୍ତମାନ...ଓ ଭବିଷ୍ୟତର ସାମ୍ରାଜ୍ୟ କଥା ।

 

ବାଗ୍‌ଦତ୍ତା ହୋଇଥିଲା ଲୋପାମୁଦ୍ରା...

 

କିନ୍ତୁ...

 

ଲୋପାମୁଦ୍ରା ଯେ ପୁଣି ଏମିତି ଅଚାନକ ଭାବେ ଆଘାତ ଦେଇ ନିଜର ଦର୍ଶନ ଗାଇ ଗାଇ ଦୂରେଇ ଯିବ...ଏ କଥା କଳ୍ପନାରେ ମଧ୍ୟ ଚିନ୍ତା କରି ନ ଥିଲା ହେମକାନ୍ତ ।

 

ଆଜି କେବଳ ଏସବୁ ବିଗତ କଥା ଚିନ୍ତା କରି କରି ପାଗଳ ହୋଇଉଠିଛି ହେମକାନ୍ତ । ମୁଣ୍ଡ ଭିତରେ ଘୂରିବାକୁ ଲାଗିଛି ସମଗ୍ର ପୃଥିବୀ । ଚନ୍ଦ୍ରାବତୀ ଓ ଲୋପାମୁଦ୍ରା... । ଠିକ୍‌ ତୁଳାଦଣ୍ଡର ଦୁଇଟି ବସ୍ତୁ ଭଳି ଝୁଲି ରହିଛନ୍ତି ଦୁଇଜଣ । ମଝିରେ କେନ୍ଦ୍ର ଭଳି ଠିଆ ହୋଇଛି ହେମକାନ୍ତ ।

 

ଆଉ ଚିନ୍ତା କରି ପାରୁନାହିଁ ହେମକାନ୍ତ । ଆଜି ହେମକାନ୍ତ ଭାବୁଛି...ଏ ସମାଜରେ ସେ ଗୋଟିଏ ସୃଷ୍ଟି ଛଡ଼ା ମଣିଷ । ପର ଉପରେ ବିଶ୍ୱାସ ନାହିଁ ତା’ର । ବା ନିଜକୁ ମଧ୍ୟ ସେ ନିଜେ ବିଶ୍ୱାସ କରି ପାରୁନାହିଁ । ସବୁ କେବଳ ଗୋଲକଧନ୍ଦା ପରି ସତ ଓ ମିଛ ହୋଇ ପ୍ରସେସନ୍‌ଆରମ୍ଭ କରିଛି ତା’ର ଚତୁର୍ଦିଗରେ ।

 

ଆଜି ଅନେକ ସମୟରେ ଆକାଶକୁ ଚାହିଁ ମୂକ ପାଲଟି ଯାଉଛି ହେମକାନ୍ତ । କାହାର ଏ ଭୁଲ । ସୃଷ୍ଟିହୀନା ଚନ୍ଦ୍ରାବତୀର, ଅଥବା ରୂପମୟୀ ଲୋପାମୁଦ୍ରାର ? ହୁଏତ ମେନକାର ରୂପଲାବଣ୍ୟ ନେଇ ଅପରକୁ ଆମୋଦିତ କରିବା ଲାଗି ପୃଥିବୀକୁ ଆସିଛି ଚନ୍ଦ୍ରାବତୀ । ତା’ ନିକଟରେ ନିଜତ୍ୱ ବୋଲି କିଛି ନାହିଁ । ସେ ଚାହେଁ ସୁଖ...ସେ ଚାହେଁ ସମ୍ଭୋଗ । କିନ୍ତୁ...ଲୋପାମୁଦ୍ରା... । ଏକ ଅସ୍ପଷ୍ଟ ଦର୍ଶନ ପ୍ରୟାସୀ ବାଳିକା ଲୋପାମୁଦ୍ରା.... । ନିଜକୁ ନିଜେ ବୁଝିବାର କ୍ଷମତା ଅଛି ତା’ର । ହେଲେ ନିଶ୍ଚିତ..ଗତି...ନିଶ୍ଚିତ ପଥ ଆବିଷ୍କାର କରି ଆଗକୁ ଆଗେଇବା ତା’ ନିକଟରେ ସମ୍ଭବ ନୁହେଁ । ସେଇଥିପାଇଁ ଅନିଶ୍ଚିତ ତୁଳାଦଣ୍ଡ ଭଳି ଉପର ତଳ ହେଉଛି ସେ ।

 

ଲୋପାମୁଦ୍ରା...

ତା’ ନିକଟରେ ପ୍ରେମର ମହତ୍ୱ ରହିଛି । ପାରିପାର୍ଶ୍ୱିକ ପରିସ୍ଥିତିର ଗୁରୁତ୍ୱ ରହିଛି । ଦେଶଗତ ସମସ୍ୟାର ବିଚାର ରହିଛି...ପୁଣି ପିତାଙ୍କ ଗୁରୁଦାୟିତ୍ୱ ସମ୍ବନ୍ଧରେ ଚେତନା ରହିଛି । ପୁଣି ଏ ସବୁକୁ ଦୂରେଇ ସେ ଚାହିଁଛି ଦୌଡ଼ିବା ଲାଗି... ।

ଭାରତୀୟ ଆତ୍ମଦର୍ଶନକୁ ନିଜର କରିଛି ଲୋପାମୁଦ୍ରା...

କିନ୍ତୁ ହୁଏତ ଲୋପାମୁଦ୍ରା ବୁଝିନାହିଁ ଯେ—ଦର୍ଶନ ଏକ ମାନସିକ ପ୍ରକ୍ରିୟା । ମନର ଚାଳନାରେ ସେ ଚାଳିତ ହୁଏ । ଯୌବନର ତାଡ଼ନାରେ ସେ ତାଡ଼ିତ ହୁଏ । ବିବେକର ଚାବୁକରେ ସେ ଶାସିତ ହୁଏ.... । ହୃଦୟର ପ୍ରକୋପରେ ସେ ନିର୍ବିସିତ ହୁଏ । ପୁଣି ଚେତନା ରାଜ୍ୟରେ ସେ ଆସନ ଜମାଏ.... ।

ତଥାପି...

ତଥାପି ଏ ସମାଜରେ କାହାର କି ଆଦର୍ଶ...ତାହା ଠିକ୍‌ କରିବା ହିଁ ବଡ କାମ । ଏ ସବୁର ବିଚାର ନ କରିପାରି ହେମକାନ୍ତ ଯେଉଁ ଭ୍ରମ କରିଛି...ଆଜି ସେଇଥିପାଇଁ ହିଁ ସେ ଚିନ୍ତିତ ।

ନାଁ...କେବଳ ଚିନ୍ତିତ ନୁହେଁ ହେମକାନ୍ତ । ହେମକାନ୍ତ ଆଜି ବଦ୍ଧ ପାଗଳ । ଏଇ ପାଗଳାମୀର ମୃଦୁ ଗୁଞ୍ଜନ ବେଶ୍‌ ଚମକ ସୃଷ୍ଟି କରିଛି କଲେଜ ମଧ୍ୟରେ । କେତେ କିଏ ଆଖି ଠାରାଠରି ହୋଇ ଟିପା ଟିପ୍‌ପଣୀ ଦେଉଛନ୍ତି ହେମକାନ୍ତ ଉପରେ । ସବୁ ଶୁଣି ନ ଶୁଣିଲା ପରି ନିଜ କାମରେ ଚାଲିଛି ହେମକାନ୍ତ ।

 

କିନ୍ତୁ ଗୋପନ କଥା କ’ଣ ସବୁ ସମୟରେ ଗୋପନ ରହିପାରେ ? ଛୋଟ କଥାଟିଏ ଆତ୍ମପ୍ରକାଶ କରେ ଅନେକ ଗୁଡ଼ିଏ ଶାଖା ପ୍ରଶାଖା ମେଲାଇ । ଠିକ ଏମିତି ମଧ୍ୟ ଘଟିଥିଲା ହେମକାନ୍ତର ଭାଗ୍ୟରେ । ସେଦିନ କଲେଜ ଭିତରକୁ ପଶି ଯାଉ ଯାଉ ଆଉ ଠିଆ ହୋଇ ପାରିଲାନି ସେ..... । କେତେ କଣ ଅଶ୍ଳୀଳ କଥା କହି ହେମକାନ୍ତକୁ ବିଦ୍ରୂପ କଲେ କେତେ ଜଣ । ଶୁଖିଲା କାଠ ଗଛ ଭଳି ଏ ସବୁକୁ ସହି ଯାଉଥିଲା ହେମକାନ୍ତ ।

 

ହେମକାନ୍ତର ନିଶ୍ଚିତ ଦର୍ଶନ ନ ଥିଲେ ମଧ୍ୟ ସହିବାର କ୍ଷମତା ଥିଲା । କଠୋର ହେବାର ଦୃଢ଼ତା ଥିଲା । ସେଇଥିପାଇଁ ସେ ନୀଳକଣ୍ଠ ଭଳି ସବୁ ବିଷ ପାନ କରି ଚାଲିଥିଲା କଲେଜ ପ୍ରାଙ୍ଗଣରେ ।

 

ଅର୍ଥଶାସ୍ତ୍ରର ଗୋଟିଏ ଶ୍ରେଣୀ ଭିତରକୁ ହେମକାନ୍ତ ପଶିଗଲା ବେଳକୁ ଦେଖିଲା..କାନ୍ଥ...ବ୍ଲାକ୍‌ବୋର୍ଡ଼... ଟେବୁଲ.....ପ୍ରତ୍ୟେକ ଜାଗାରେ କେବଳ ତା’ରି ନାଁରେ ନାନା କଥା ଲେଖାଯାଇଛି । ନାନା ପ୍ରକାରର ଅଶ୍ଳୀଳ ଇଙ୍ଗିତ ସୂଚୀତ ହୋଇଛି । ଛାତ୍ରମାନେ ମଧ୍ୟ ଭାଷଣ ନ ଶୁଣି ବିଦ୍ରୂପ କରିବାକୁ ଆରମ୍ଭ କରି ଦେଇଛନ୍ତି । ଆଉ ସହ୍ୟ କରି ପାରିଲାନି ହେମକାନ୍ତ । ଥରିବାକୁ ଲାଗିଲା ସେ.... ।

 

ଆଜି ପର୍ଯ୍ୟନ୍ତ ହେମକାନ୍ତକୁ କେହି କେବେ ରାଗିବାର ଦେଖି ନ ଥିଲେ । ଏଇ ମାତ୍ର ନୂଆ ରାଗ । ଏଇ ମାତ୍ର ନୂଆ ବିଷୋଦ୍‌ଗାର । ପାଟିକଲା ହେମକାନ୍ତ—‘‘କିଏ ଲେଖିଛ ଏ ସବୁ ? କୁହ, କିଏ ଲେଖିଛି...’’

 

ନୀରବ ହୋଇଗଲା ଶ୍ରେଣୀ ଗୃହ ।

 

ପ୍ରବଳ ଗତିରେ ଅନର୍ଗଳ ଗାଇଚାଲିଛି ପାଗଳ ହେମକାନ୍ତ ।

 

ମୁଁ ପ୍ରେମ କରିଛି । ମୁଁ କଲେଜ ଛାତ୍ରୀ ଲୋପାମୁଦ୍ରାକୁ ପ୍ରେମ କରିଛି । ସେଥିରେ ଭୁଲ ରହିଲା କେଉଁଠି ? ପ୍ରେମ କରିବା କ’ଣ ଏକ ମସ୍ତବଡ଼ ପାପ ? ମୁଁ ତା’ର ଯୌବନକୁ ଉପଭୋଗ କରିଛି...ନାରୀର ଯୌବନକୁ ଉପଭୋଗ କରିବା କ’ଣ ଏକ ସାମାଜିକ ଅପରାଧ ? ଚୁପ୍‌ ରହିଲ କାହିଁକି କୁହ ? ତୁମର ବୟସ ହୋଇଛି..ତୁମେ ପ୍ରତ୍ୟେକ ମଧ୍ୟ ପ୍ରେମ କରିପାର । ଲୋପାମୁଦ୍ରା ପରି ସହସ୍ର ବାଳିକାଙ୍କର ତନୁରେ ତଡ଼ିତ୍‌ର ସ୍ପନ୍ଦନ ଖେଳାଇ ଦେଇପାର । ତୁମକୁ ବାରଣ କରୁଛି କିଏ ? ହେଲେ ଏଥିପାଇଁ କୁତ୍ସା କାହିଁକି ?

 

ତୁମେ ଡିମାଣ୍ଡ ଓ ସପ୍ଲାଇ ଥିଓରୀ ପଢ଼ିଛ । ଡିମାଣ୍ଡ ବଢ଼ିଲେ ଜିନିଷର ଦର ବୃଦ୍ଧି ସୁନିଶ୍ଚିତ । ଡିମାଣ୍ଡ ଓ ସପ୍ଲାଇ ସମ ଥିବାବେଳେ କେବଳ ଦର ଧାର୍ଯ୍ୟ ରହେ । ମୋ ପ୍ରେମ ମଧ୍ୟ ଦିନେ ସମ ଥିଲା । ଏବେ ଅସମ ହୋଇଛି । ଡିମାଣ୍ଡ ବଢ଼ିବାବେଳେ ସପ୍ଲାଇ କମିଛି । ଏଥିରେ ବିଦ୍ରୂପ କରିବାର ସ୍ଥାନ କାହିଁ ?

 

ହଠାତ୍‌ ହସିଉଠିଲେ କେତେଜଣ ଛାତ୍ର....

 

ଆହୁରି ରାଗି ଉଠିଲା ହେମକାନ୍ତ । ଲେକଚର ଥେଟର ଉପରୁ ତଳକୁ ଓହ୍ଲାଇ ଆସି ପ୍ରିନ୍‌ସପାଲ୍‍ଙ୍କ ପାଖକୁ ନେବା ପାଇଁ ଟାଣିବାକୁ ଲାଗିଲା କେତେଜଣ ଛାତ୍ରଙ୍କୁ । ପ୍ରତିବାଦ କଲେ ଅନ୍ୟାନ୍ୟ ଛାତ୍ରମାନେ । କିନ୍ତୁ ତଥାପି ବଳ ଖଟାଇ ଟାଣିବାକୁ ଲାଗିଥିଲା ହେମକାନ୍ତ ।

 

ନିଜକୁ ନିଜେ ବିଲ୍‌କୁଲ୍‌ ଭୁଲି ଯାଉଥିଲା ହେମକାନ୍ତ ସେ ଯେ ଜଣେ ଅଧ୍ୟାପକ, ସମ୍ମାନସ୍ପଦ ବ୍ୟକ୍ତି....ଏକଥା ଆଉ ଚିନ୍ତାରେ ମଧ୍ୟ ନ ଥିଲା ତା’ର ।

 

ସମସ୍ତ ଶକ୍ତି ଖଟାଇ ମଧ୍ୟ ହାର ମାନିଛି ହେମକାନ୍ତ । ଆଉ ହେବନି । ଝାଳ ନାଳ ହୋଇ ବାହାରକୁ ବାହାରି ଆସିଲା ଅଧ୍ୟାପକ ହେମକାନ୍ତ ।

 

ଆହୁରି ଥଟ୍ଟା ଆହୁରି ପରିହାସରେ ପରିପୂର୍ଣ୍ଣ ହୋଇଗଲା କଲେଜର ବାୟୁମଣ୍ଡଳ... । ଅସହ୍ୟ.... । ଆଉ ହେମକାନ୍ତ ଠିଆ ହୋଇପାରୁନି... । ଲଜ୍ଜା, ଅପମାନରେ ଭାଙ୍ଗି ପଡ଼ୁଛି ସେ...ସତେ ଯେମିତି ଆଜି କଲେଜର କୋଠା,...ଶ୍ରେଣୀଗୃହ, ଲାଇବ୍ରେରୀ ସମସ୍ତେ କହୁଛନ୍ତି ହେମକାନ୍ତ—ତୁମେ ଅପରାଧୀ..ତୁମେ ପାଗଳ....ତୁମେ ଏକ ଅସାମାଜିକ ଜୀବ ।

 

ରାଗରେ, ପ୍ରତିହିଂସାରେ...ଆତ୍ମଶୋଚନାରେ ଆଗକୁ ଆଗକୁ ଚାଲିବାରେ ଲାଗିଛି ହେମକାନ୍ତ । କଟକ ସହରର ରାସ୍ତା ଯେମିତି ଆଜି ବିଦ୍ରୂପ କରୁଛି ତାକୁ । ଅସ୍ଥିର ହେମକାନ୍ତ ।

 

ଯେଉଁ ଦିନ ପ୍ରଥମେ କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲା ସେଦିନ ହୁଏତ କେହି ଚିହ୍ନି ନ ଥିଲେ ହେମକାନ୍ତକୁ । କିନ୍ତୁ କେତେ ଘଣ୍ଟା ମଧ୍ୟରେ ଆଜି ସମସ୍ତେ ଚିହ୍ନିନ୍ତି ହେମକାନ୍ତକୁ । ମଣିଷର ପ୍ରଶଂସା ପ୍ରଚାର ହେବାକୁ ଅନେକ ସମୟ ଦରକାର କରେ । ହେଲେ ବଦନାମ ଉଠିବା ପାଇଁ ସମୟର ଲୋଡ଼ାନାହିଁ ।

 

ଆଜି କଲେଜର ଗୋଟିଏ ହୀନ ସୃଷ୍ଟି ହେମକାନ୍ତ ।

 

ରାଗରେ....ଅଭିମାନରେ ଶ୍ରୀଣୀ ଗୃହ ମଧ୍ୟରେ ହେମକାନ୍ତ ଯେଉଁ ଉନ୍ମତ୍ତ ଭାଷଣ ଦେଇଗଲା ତାହା ଯେ ଓଲଟା ପ୍ରତିକ୍ରିୟା ସୃଷ୍ଟି କରିବ ଏହା ଭାବିପାରି ନ ଥିଲା ହେମକାନ୍ତ । ସମୟକ୍ରମେ ଭାଷଣ ସମ୍ବନ୍ଧରେ ସବୁ କଥା ଶୁଣିଥିଲା ଲୋପାମୁଦ୍ରା । ବିଳମ୍ବ ନ କରି ପ୍ରିନସପାଲ୍‍ଙ୍କ ନିକଟକୁ ଲେଖିଥିଲା ଗୋଟିଏ ଆପତ୍ତି ଦରଖାସ୍ତ ।

 

ଦରଖାସ୍ତର ସୁବିଚାର ନ ହେଲେ ଲୋପାମୁଦ୍ରା ଉପରିସ୍ଥ କର୍ମକର୍ତ୍ତାଙ୍କ ନିକଟକୁ ଜଣାଇବ ବୋଲି ମଧ୍ୟ ଧମକ୍‌ ଦେଇଥିଲା ।

 

ଅସୁବିଧାରେ ପଡ଼ିଲେ ପ୍ରିନ୍‌ସପାଲ....

 

କଲେଜ ମଧ୍ୟରେ ଛାତ୍ରୀଙ୍କ ପ୍ରତି ଅଶୋଭନୀୟ ଅପରାଧ କିଛି କମ ଦୋଷ ନୁହେଁ । ପୁଣି ଲୋପାମୁଦ୍ରା ବାରିଷ୍ଟର ଶାନ୍ତନୁଙ୍କ କନ୍ୟା ।

 

ଏଣେ ହେମକାନ୍ତ ମଧ୍ୟ ପ୍ରିନ୍‌ସପାଲଙ୍କର କମ୍‌ ଆଦରର ଅଧ୍ୟାପକ ନୁହଁନ୍ତି । ତାଙ୍କ ଅଧ୍ୟାପକତ୍ୱରେ ସମ୍ମାନ ରହିଛି । ସାଧନା ରହିଛି ସୁନାମ ରହିଛି । ତାଙ୍କରି ପାଇଁ ସଂଖ୍ୟାଧିକ ଛାତ୍ର ପ୍ରତ୍ୟେକ ବର୍ଷ କଲେଜର ସୁନାମ ବଜାୟ ରଖୁଛନ୍ତି ତଥାପି...

 

ତଥାପି ହେମକାନ୍ତଙ୍କ ବିରୋଧରେ ଶାସ୍ତି ବିଧାନ କରିବାକୁ ହେବ । ଉପରିସ୍ଥ କର୍ମର୍ତ୍ତାଙ୍କୁ ଜଣାଇବାକୁ ହେବ । ଶାସନ ଓ ସମ୍ପର୍କ ଏ ଦୁଇଟା ଭିନ୍ନ ଭିନ୍ନ ଜିନିଷ । ଏ ଦୁଇଟିର ଯୋଗାଯୋଗ ସ୍ଥାପନ କରିବା ସହଜ କଥା ନୁହେଁ....

 

ଚିନ୍ତା କରୁଥିଲେ ପ୍ରିନ୍‌ସପାଲ ମହାଶୟ....

 

ଅନେକ ଦିନ ବିତିଯାଇଛି । ମାଖନ୍‌ ଚୌଧୁରୀ ଘର ଛାଡ଼ି ଚାଲିଯିବା ପରେ ରାସ୍ତାର ବାଳିକା ହୋଇଯାଇଛି ଚନ୍ଦ୍ରାବତୀ । ପେଟର ଆର୍ତ୍ତନାଦରେ ସେ ଦ୍ୱାରା ଦ୍ୱାର ବୁଲିଛି । ଘରେ ଘରେ ହାତ ପତାଇଛି । କିନ୍ତୁ କେହି କେବେ ଶୁଣିବାକୁ ଇଚ୍ଛା କରିନାହିଁ ଚନ୍ଦ୍ରାବତୀର ଆକୁଳ ଆର୍ତ୍ତନାଦ ।

 

ମାରୱାଡ଼ିର ମଖମଲୀ ଗଦି ନିକଟରେ ଗୋଡ଼ ଭାଙ୍ଗି ଠିଆହୁଏ ଚନ୍ଦ୍ରାବତୀ । ଦଦରା କଣ୍ଠରେ କମ୍ପନ ସୃଷ୍ଟି କରି ଥରିଉଠେ ମାରୱାଡ଼ିର ସ୍ୱର ଲହର । ସହେ ସବୁ ଚନ୍ଦ୍ରାବତୀ । ମନର ତାଡ଼ନା ଅପେକ୍ଷା ପେଟର ତାଡ଼ନା ବଳେଇ ପଡ଼େ ଚନ୍ଦ୍ରାବତୀର ।

 

ମାରୱାଡ଼ିର ଗଦି ଛାଡ଼ି କେଉଁ ଭଦ୍ରଲୋକର କଲିଂ ବେଲ୍‌ ଟିପେ ସେ । ହସି ହସି ବାହାରି ଆସନ୍ତି ଭଦ୍ରଲୋକ । ସାମାନ୍ୟ କେତେ ସମୟ ପାଇଁ ସେ ନିଜର କରି ନିଅନ୍ତି ଚନ୍ଦ୍ରାବତୀକୁ-। ଆପତ୍ତି କରେନାହିଁ ଚନ୍ଦ୍ରାବତୀ । ଯୌବନ ଅପେକ୍ଷା ଯେ ଜୀବନ ଅଧିକ ମୂଲ୍ୟବାନ–ଏ କଥା ବେଶ୍‌ ବୁଝିଛି ସେ । ଫେରିଲା ବେଳକୁ ହାତରେ ସାମାନ୍ୟ ଟଙ୍କା ଧରି ଫେରିବାକୁ ଚେଷ୍ଟାକରେ ଚନ୍ଦ୍ରାବତୀ । ହସ ଲାଗେ ତାକୁ ।

 

ହାୟରେ ମଣିଷ । ମୁହୂର୍ତ୍ତକର ବିନ୍ଦୁଏ ଭୋକ ପାଇଁ ତୋର କି ଆଶ୍ଚର୍ଯ୍ୟକର ଉନ୍ନାଦନା-!! ଏଇ ବିନ୍ଦୁଏ ନିଆଁର ଭୋକ ଲାଗି ବୃଦ୍ଧ ମାରୱାଡ଼ିର କଣ୍ଠ ଥରୁଛି...ଭଦ୍ରଲୋକର ମୁହଁରେ ହସର ଜୁଆର ଛୁଟୁଛି...ପୁଣି ହେମକାନ୍ତର ଅଧ୍ୟାପକ ଜୀବନ ମଧ୍ୟ ଦ୍ରବୀଭୂତ ହେଉଛି...

 

ଚିନ୍ତା କରୁଛି ରୂପସୀ ଚନ୍ଦ୍ରାବତୀ...

 

କେତେଦିନ ଏ ଯୁଦ୍ଧ ଚାଲିବ ? ମଣିଷ ସୃଷ୍ଟି ଦିନରୁ ହିଁ ଖାଦ୍ୟ ପାଇଁ..ବସ୍ତ୍ର ପାଇଁ ଯୁଦ୍ଧ ଚାଲିଛି । ଏ ଯୁଦ୍ଧର ଅବସାନ ନାହିଁ । ସନ୍ଧି ନାହିଁ..ସମାଧାନ ନାହିଁ । ଅଛି କେବଳ ଯୁଦ୍ଧକୁ ପ୍ରଖର କରିବାର ଦ୍ୱେତନା ।

 

ଏଇ ଖାଦ୍ୟ ଆଉ ବସ୍ତ୍ରର ତାଡ଼ନାରେ ସତି ହୁଏ ଅସତୀ । ଭଦ୍ର ହୁଏ ଅଭଦ୍ର । ନାରୀ ହୁଏ ବେଶ୍ୟା, କୁଳଟା । ମଣିଷର ମନ ଭିତରେ ଯଦି ଏହି ବିନ୍ଦୁଏ ଭୋକର ନିଆଁ ହୁ...ହୁ...ହେଇ ଜଳୁ ନ ଥାନ୍ତା ତେବେ ଦାର୍ଶନିକ ଦର୍ଶନ ପାଇଁ ପାଗଳ ହୁଅନ୍ତାନି..ଛାତ୍ର...ସାଧନା ପାଇଁ ଆଗେଇ ଆସନ୍ତାନି । ଅଧ୍ୟାପକ ଅଧ୍ୟାପନା ପାଇଁ ଇଚ୍ଛା କରନ୍ତାନି... ପ୍ରେମିକ ପ୍ରେମପାଇଁ ପାଗଳ ହୁଅନ୍ତାନି...ଅଥବା ମଣିଷ..ଜୀବନପାଇଁ ରକ୍ତ ନିଗାଡ଼ ପରିଶ୍ରମ କରନ୍ତାନି ।

 

ସବୁ ଏଇ ବିନ୍ଦୁଏ ନିଆଁ । ଏ ନିଆଁ ସବୁଠି ଜଳୁଛି । କେଉଁଠି ଦିକି ଦିକି ହେଇ..କେଉଁଠି ହୁ...ହୁ...ହେଇ । ଠିକ୍‌ ଗୋଟିଏ ଦିଆସିଲି କାଠି ସମଗ୍ର ପୃଥିବୀକୁ ଜାଳି ଦେବାର ଶକ୍ତି ରଖିଥିବା ଭଳି...ଏ ବିନ୍ଦୁଏ ନିଆଁରେ ଦୁନିଆଁ ଜଳିବାର ଶକ୍ତି ଅଛି ।

 

ଏ ନିଆଁ କଟକ ସହରର ଗଳି କନ୍ଦିରେ ଦିକି ଦିକି ହେଇ ଜଳେ.. । ଗଛରେ ପତ୍ରରେ ଦିକି ଦିକି ହେଇ ଜଳେ । ପୁଣି ମହାନଦୀ କାଠଯୋଡ଼ି ପାଣିରେ ମଧ୍ୟ ଏ ନିଆଁ ତା’ର ବିରାଟ ଜିଭକୁ ଲହ ଲହ କରେ । ଏ ନିଆଁ ଯଦି ଅନାଦି କାଳରୁ ଜଳୁ ନ ଥାନ୍ତା..ତେବେ ଅନେକ ଦିନରୁ ପୃଥିବୀ ଭସ୍ମୀଭୂତ ହୋଇ ଯାଇଥାନ୍ତା ।

 

ସେହି ବିନ୍ଦୁଏ ନିଆଁର ଡାକରାରେ ହିଁ ଚନ୍ଦ୍ରାବତୀ ଆଜି ପଥପ୍ରାନ୍ତର ବାଳିକା । ସେ ସାମ୍ୟବାଦ ବା ସମାଜବାଦର ସ୍ୱପ୍ନ ଦେଖୁନାହିଁ । ହିନ୍ଦୁ ବା ଖ୍ରୀଷ୍ଟିଆନ୍‌ ଧର୍ମର ପ୍ରଚାର କରୁନାହିଁ । ସେ ଖୋଜୁଛି ମଣିଷର ବଞ୍ଚି ରହିବାର ଧର୍ମ । ଏ ଧର୍ମ ସମସ୍ତଙ୍କର । ଏ ଧର୍ମ କଳ୍ପନା ଦିଦିର, ମାଖନ୍‌ ଚୌଧୁରୀଙ୍କର...ଅଧ୍ୟାପକ ହେମକାନ୍ତଙ୍କର ।

 

ଏମିତି କେତେ କ’ଣ ଚିନ୍ତା କରି ଆହୁରି ଆଗକୁ ଆଗେଇ ଚାଲୁଛି ଚନ୍ଦ୍ରାବତୀ । ଚନ୍ଦ୍ରାବତୀର ଗତିକୁ ଅନେଇ ଇଙ୍ଗୀତ କରନ୍ତି ଅନେକ ମଣିଷ । ଏମାନେ ଭଦ୍ର, ଏମାନେ ଶିକ୍ଷିତ । ଏମାନେ ମଧ୍ୟ ଚାହାଁନ୍ତି ଚନ୍ଦ୍ରାବତୀକୁ ଜାଳି ଜାଳି ପାଉଁଶ କରିଦେବାକୁ । କିନ୍ତୁ..

 

ଶତାବ୍ଦୀର ଭଦ୍ରାମୀ ପଛାଇ ନିଏ ଏମାନଙ୍କୁ । ଏମାନେ ଆଖିର ଗ୍ରାହକ । ଏଇ ଆଖିରେ ନିଆଁ ଜାଳନ୍ତି । ଚନ୍ଦ୍ରାବତୀକୁ ନିମନ୍ତ୍ରଣ କରିବା ପାଇଁ ଏମାନଙ୍କର ସାହସ ହୁଏନାହିଁ, ଭୟାଳୁ ଏମାନେ । ସମାଜରେ ଲୁଚି ଛପି ରହି କେବଳ ଶିକାରୀ ବାଘ ଭଳି ବେଳ ଉଣ୍ଡି ଝାମ୍ପ ଦିଅନ୍ତି ଏମାନେ ।

 

ସମସ୍ତଙ୍କୁ ଦେଖି ଦେଖି ପରୀକ୍ଷା କରି କରି ପୁଣି ଆଗକୁ ଚାଲେ ଚନ୍ଦ୍ରାବତୀ ।

 

ଶତାବ୍ଦୀର ନଗ୍ନ ପ୍ରତିରୂପ ଚନ୍ଦ୍ରାବତୀ....

 

ସେଦିନ କଟକର ପିଚୁ ରାସ୍ତା ଉପରେ ଚାଲିଛି ଚନ୍ଦ୍ରାବତୀ ଆଖିରେ ଆଖିଏ ନିଦ...ପେଟରେ ପେଟେ ଭୋକ, ଗୋଡ଼ ଆଉ ଆଗକୁ ଚଳୁନି । କେବଳ ଜୀବନା ମୋହ ହିଁ ତାକୁ ହାର ହାର ବୁଲାଇବାରେ ଲାଗିଛି ।

 

ପିଲ୍‌ଗ୍ରିମ୍‌ ହୋଟେଲ...

 

ଚନ୍ଦ୍ରାବତୀର ଗୋଡ଼ ଅଟକିଗଲା...

 

କେତେ ଜଣ ଶିଖ ଭଦ୍ରବ୍ୟକ୍ତି ନିଶ ମୋଡ଼ି ମୋଡ଼ି ବାହାରି ଆସୁଛନ୍ତି ହୋଟେଲ ଭିତରୁ-। ମାଂସ କୁର୍ମାର ତେଲଚିଟା ହୁଏତ ଛାଡ଼ିନାହିଁ ସେମାନଙ୍କ ମୁହଁରୁ । ରସାସିକ୍ତ ହୋଇଗଲା ଚନ୍ଦ୍ରାବତୀର ମୁଖମଣ୍ଡଳ । ହୋଟେଲର ପାଉଛରେ ଗୋଡ଼ ରଖି ଉପରକୁ ଉଠିଲା ଚନ୍ଦ୍ରାବତୀ...

 

‘‘କ’ଣ କିଛି ଖାଇବେ ?’’ ଉଦ୍ଦେଶ୍ୟପୂର୍ଣ୍ଣ ପ୍ରଶ୍ନ ଭିତରେ ନାଚିଉଠିଲା ହୋଟେଲ ମାଲିକ ବଳରାମ ମିଶ୍ରଙ୍କର ଚକ୍ଷୁ ଯୁଗଳ ।

 

ହସି ହସି ଚନ୍ଦ୍ରାବତୀ କହିଲା ‘‘ହଁ..., କିନ୍ତୁ ଖାଇଦେଇ ମୁଁ ଚାଲିଯିବାକୁ ଆସିନାହିଁ । ଆଠ ଦଶ ଦିନ ଆପଣଙ୍କ ଲଜିଂ ରୁମ୍‌ରେ ମୁଁ ରହିବି । ଇଣ୍ଡିଆ ଟାବ୍‌ଲେଟ୍‌ ଫ୍ୟାକ୍‌ଟାରୀର ଏଜେଣ୍ଟ୍‌ ମୁଁ । କଟକରୁ କାମସାରି ପୁଣି ମୁଁ ଫେରିଯିବି ସଦର କାର୍ଯ୍ୟାଳୟ କଲିକତାକୁ ।’’ ମିଛ କହି...ଚନ୍ଦ୍ରାବତୀ ନିଜକୁ ମଧ୍ୟ ନିଜେ ବିଶ୍ୱାସ କରି ପାରୁ ନଥିଲା । ଏପରି ମିଛ କହିବା ଏଇ ମାତ୍ର ତା’ ଜୀବନରେ ପ୍ରଥମ । ଆଜି ନୂଆ କରି ଚନ୍ଦ୍ରାବତୀ ବୁଝୁଛି ମିଛ କହିବା ମଧ୍ୟ ଜୀବନର ଏକ ଆବଶ୍ୟକତା ।

 

ଆଗ୍ରହରେ ଆସନ୍ତୁ ଆସନ୍ତୁ କହି ଉପରକୁ ଉଠିଗଲେ ମାଲିକ ବଳରାମ ମିଶ୍ର । ଚନ୍ଦ୍ରାବତୀକୁ ସେ ଅବିଶ୍ୱାସ କରୁ ନ ଥିଲେ । କାରଣ, ବଙ୍ଗାଳୀ ଝିଅଠାରୁ କୌଣସି ଗୁଣ କମ୍‌ ନ ଥିଲା ଚନ୍ଦ୍ରାବତୀର । ଏଇ କେତେଦିନ ଭିତରେ ବେଶ୍‌ ଅଭିନୟ ଚନ୍ଦ୍ରାବତୀ କରି ଶିଖିଛି । କାହା ନିକଟରେ କାନ୍ଦି ନିଜର ଅବସ୍ଥା କହିବ...କାହା ନିକଟରେ ଆଖି ମାରି ମନ ନେବ...କାହା ନିକଟରେ ନିଜର ବଡ଼ପଣିଆଁ ଦେଖାଇ କାମ ହାସଲ କରିବ...ଏସବୁ ବିଦ୍ୟା ଖୁବ୍‌ଅଳ୍ପ ଦିନ ମଧ୍ୟରେ ହାସଲ କରି ପାରିଛି ଚନ୍ଦ୍ରାବତୀ ।

 

ବଳରାମ ମିଶ୍ର ବା ତା’ ନିକଟରୁ ବଳେଇ ଯାଆନ୍ତେ କେମିତି ?

 

ଆଗ୍ରହରେ ଦୋ’ମହଲା ଉପରକୁ ଉଠିଗଲା ଚନ୍ଦ୍ରାବତୀ । ଗୋଟିଏ ଏକୁଟିଆ କୋଠରୀ ଦେଖାଇ ଦେଇ ବଳରାମ ମିଶ୍ର କହିଲେ—‘‘ଏଇଟି ଆପଣଙ୍କ ପାଇଁ ଛାଡ଼ି ଦିଆଗଲା, ଯେତେ ଦିନ ଇଚ୍ଛା ରହନ୍ତୁ । ଦିନକୁ ଭଡ଼ା ମାତ୍ର ଛଅ ଟଙ୍କା । ଖାଇବା ପିଇବା ବାବଦ୍‌ ଆଉ ତିନି ଟଙ୍କା ଅଧିକ ।’’

 

ଚନ୍ଦ୍ରାବତୀ ରୁମ୍‌ଟିକୁ ଦେଖି ଦେଖି ମୁହଁ ବୁଲାଇ କହିଲା—‘‘ବେଶ୍‌....ଶୀଘ୍ର ମିଲ୍‌ ପିଠାଇବାର ବନ୍ଦୋବସ୍ତ କରନ୍ତୁ ।’’

 

ବିଶ୍ୱସ୍ତ ଭୃତ୍ୟ ଭଳି ତଳକୁ ଓହ୍ଳାଇଗଲେ ବଳରାମ ମିଶ୍ର ।

 

ଚନ୍ଦ୍ରାବତୀ ପରି ଝିଅ ଯେ ପିଲ୍‌ଗ୍ରିମ ହୋଟେଲରେ ଆଜି ନୂଆ ରହୁଛନ୍ତି, ତା’ ନୁହେଁ । ଏମିତି ଅନେକ ଝିଅ ଆସନ୍ତି...ପୁଣି ଯାଆନ୍ତି । କିଏ ହୁଏତ କାହା ସହିତ ପଳାଇ ଆସି ହୋଟେଲରେ ଆଶ୍ରୟ ନିଏ । ଆଉ କିଏ ବିଭିନ୍ନ କମ୍ପାନୀର ଏଜେଣ୍ଟ ହୋଇ ହୋଟଲରେ ଆଶ୍ରୟ ନିଏ । କିନ୍ତୁ ସେମାନଙ୍କଠାରୁ ଯଥେଷ୍ଟ ସ୍ୱାତନ୍ତ୍ର୍ୟ ଥିଲା ଚନ୍ଦ୍ରାବତୀଠାରେ । ଆଖିରେ ଜ୍ୟୋତି ଥିଲା...ଦେହରେ ମାଦକତା ଥିଲା...ମୁଣ୍ଡରେ ମଧ୍ୟ ବୁଦ୍ଧି ଥିଲା । ତେଣୁ ମ୍ରିୟମାଣ ହୋଇ ପଡ଼ିଥିଲେ ବଳରାମ ମିଶ୍ର ।

କିଛିଦିନ ଶାନ୍ତିରେ ରହିଯିବା କଥା ଚିନ୍ତା କରି ଡନ୍‌ଲପ୍‌ଗଦିର ଖଟ ଉପରେ ଗଡ଼ି ପଡ଼ିଲା ଚନ୍ଦ୍ରାବତୀ.... । ମନର କେଉଁ ଆଦିମ ଯୁଗର କ୍ଲାନ୍ତି ଧୀରେ ଧୀରେ ଅପସରି ଯିବାକୁ ଲାଗିଲା ।

ଅସହ୍ୟ ଅପମାନରେ ମୁଣ୍ଡ ଟେକି ପାରୁନାହିଁ ହେମକାନ୍ତ । ଲୋପାମୁଦ୍ରାର ଆପତ୍ତି ଦରଖାସ୍ତ ପାଇଁ କଲେଜ ୱାର୍‌କିଂ କମିଟିର ବୈଠକ ବସୁଛି ଆଜି । ଆପତ୍ତି ଉପରେ ବିଚାର ଆଲୋଚନା ହେବ । ଯଦି ଆପତ୍ତି ସତ୍ୟ ହୋଇଥାଏ—ପ୍ରମାଣ ଯୋଗ୍ୟ ତଥ୍ୟ ଉଦ୍‌ଘାଟିତ ହୁଏ....ତେବେ... ??

ତେବେ ଦଣ୍ଡାବେଶ ହେବ ଅଧ୍ୟାପକ ହେମକାନ୍ତକୁ....

ଦୁଇଦିନ ହେଲା ଛୁଟି ନେଇ ଘରେ ରହିଛି ହେମକାନ୍ତ । ବେଳକୁ ବେଳ ଅଧିକ ପାଗଳ ହୋଇ ଉଠୁଛି ସେ...

ଚନ୍ଦ୍ରାବତୀ ଓ ଲୋପାମୁଦ୍ରା ।

କିଏ ତା’ର ଭାଗ୍ୟପାଇଁ ଦାୟୀ ? କିଏ ତା’ର ପାଗଳାମୀପାଇଁ ଦାୟୀ ? ନିଜକୁ ନିଜେ ଅସଂଖ୍ୟ ପ୍ରଶ୍ନ ପଚାରୁଛି ହେମକାନ୍ତ...କିନ୍ତୁ ନାଁ...ସେ ନିଜେ ମଧ୍ୟ କୌଣସି ପ୍ରଶ୍ନର ସମାଧାନ କରି ପାରୁନାହିଁ । ବିରାଟ ଦୁନିଆଁରେ ଯେ ଭୁଲ୍‌ ଠିକ୍‌ ନାହିଁ ତାହା ନୁହେଁ...ହେଲେ ଏ ଭୁଲ୍‌ ଠିକ୍‌ କ’ଣ କେବଳ ହେମକାନ୍ତ ପାଇଁ ?

ଭାଗ୍ୟକୁ ଯଦି ପ୍ରଶ୍ନ ପଚାରି ହେଉଥାନ୍ତା...ତେବେ ସଂଖ୍ୟାଧିକ ପ୍ରଶ୍ନ ପଚାରି ତାକୁ ଘାଉଲା କରନ୍ତା ହେମକାନ୍ତ.....

କିନ୍ତୁ...

‘‘କିନ୍ତୁ କ’ଣ ?’’ ଚିତ୍ରାଙ୍ଗଦାର କଥା ଶୁଣି ତାତ୍ସଲ୍ୟର ହସ ହସୁଛି ଲୋପାମୁଦ୍ରା । ଜୀବନକୁ ଫାଙ୍କିଦେବା ଭଳି ଅକାଟ୍ୟ ଯୁକ୍ତି କରୁ କରୁ କହୁଛି—‘‘ଏଇ ସମ୍ମୁଖ ଦର୍ପଣକୁ ଚାହାଁ ଚିତ୍ରଙ୍ଗଦା ! ଏଇ ଦର୍ପଣ ଭିତରେ ଦେଖାଯାଉଛି କେବଳ ଦେଖିବାବାଲାର ମୁହଁ । ସେ ମୁହଁ କହୁଛି ହେ ମଣିଷ.... । ତୁମେ ପ୍ରଥମେ ନିଜକୁ ଚିହ୍ନ...ନିଜକୁ ଦେଖ....ଶହ ଶହ କ୍ଷତ ଚିହ୍ନରେ ତୁମ ମୁହଁ ପରିପୂର୍ଣ୍ଣ...ତୁମେ ଅପର କଥା ଚିନ୍ତା କରୁଛ କେମିତି ?’’

ଅଥୟ ହୋଇ ଚିତ୍ରାଙ୍ଗଦା କହିଲା—‘‘ଦେଖ୍ ଲୋପା ! ମୁଁ ତୋ ସହିତ ଯୁକ୍ତି କରି ପାରିବି ନାହିଁ...ଯୁକ୍ତି କରି ବୁଝାଇ ପାରିବି ନାହିଁ ଅବା ଯୁକ୍ତି କରି ତୋ ପ୍ରତିଯୁକ୍ତିକୁ ବୁଝି ପାରିବି ନାହିଁ-। ହେଲେ ସିଧା ଭାବରେ କହୁଛି..କଲେଜ ୱାରକିଂ କମିଟି ଅଧ୍ୟାପକ ହେମକାନ୍ତଙ୍କୁ ବହିଷ୍କାର କରି ଦେଇପାରେ । ଚରିତ୍ରକୁ କଳଙ୍କିତ କରି ଦେଇପାରେ । ଏମିତି ବେଳେ ତୋର କ’ଣ ତାଙ୍କ ପ୍ରତି କିଛି କର୍ତ୍ତବ୍ୟ ନାହିଁ ? ତୁ କ’ଣ ନିଧାର୍ଯ୍ୟ ଭାବରେ ଜାଣୁ ଯେ ହେମକାନ୍ତ ନିଶ୍ଚୟ ଦୋଷୀ...’’

ଥରି ଉଠିଲା କୁମାରୀ ଲୋପାମୁଦ୍ରା...

ଅଧ୍ୟାପକ ହେମକାନ୍ତ ଗୋଟିଏ କୁହୁକ, ତାଙ୍କ ଦେହରେ ଯୌବନ ଅଛି । ମନରେ କ୍ଷୁଧା ଅଛି । ନାରୀ ପ୍ରାଣକୁ ତରଳାଇବାର ମାଦକତା ଅଛି...କିନ୍ତୁ ନାରୀ କ’ଣ କେବଳ ତରଳି ଜାଣେ-? କେବଳ ଅପରର ହୋଇପାରେ ? ସେ କ’ଣ ନିଜର ସାମ୍ରାଜ୍ୟ ଭିତରେ ନିଜକୁ ଦେଖିପାରେ ନାହିଁ-?

 

ପୁଣି ଥରେ ଯୁକ୍ତି କରି ଚିତ୍ରାଙ୍ଗଦା କହିଲା—‘‘ଆଜି ହୁଏତ ତୋ ଆଖିରେ ହେମକାନ୍ତ ପର, କିନ୍ତୁ ଦିନେ ତ ନିଜର ଥିଲେ ଦିନେ ତ ନିକଟରେ ଥିଲେ । ଏଇ ନିକଟ ସମ୍ପର୍କୀୟ ଲୋକଙ୍କୁ କ’ଣ କେବେ ଆଘାତ କରି ହୁଏ... ? କହ...ଚୁପ୍‌ ରହିଲୁ କାହିଁକି...’’

 

ଦୀର୍ଘ ନିଃଶ୍ୱାସ ଟାଣି ଅସ୍ପଷ୍ଟ ସ୍ୱରରେ ଉଚ୍ଚାରଣ କଲା ଲୋପାମୁଦ୍ରା ‘‘ଆଧ୍ୟାପକ ହେମକାନ୍ତ ।’’

 

ଭାରତର କ୍ଷୟୀଷ୍ଣୁ ଅର୍ଥନୀତିର ଜଣେ ପ୍ରବୀଣ ଅଧ୍ୟାପକ...ଯୁକ୍ତି ପ୍ରିୟ ଅଧ୍ୟାପକ...

 

ପର ମୁହୂର୍ତ୍ତରେ ପୁଣି ଭାବ ବଦଳାଇ ଲୋପାମୁଦ୍ରା କହିଲା କାନ୍ଥରେ ଝୁଲୁଥିବା ଏଇ କ୍ୟାଲେଣ୍ଡରଟି ଆଡ଼କୁ ଚାହାଁ ଚିତ୍ରାଙ୍ଗଦା । ବିରାଟ କୁରୁକ୍ଷେତ୍ର ରଣ ଭୂମିରେ ଅବ୍ୟର୍ଥ ଶରସନ୍ଧାନୀ ଅର୍ଜ୍ଜୁନଙ୍କ ହାତ ଗାଣ୍ଡିବ ଉପରୁ ଖସି ଆସୁଛି । ଶୀଥିଳ ହୋଇ ପଡ଼ୁଛି ତାଙ୍କ ବୀରୋଚିତ ପୁରୁଷାକାର....ହେଲେ ଭଗବାନ୍‌ ଶ୍ରୀକୃଷ୍ଣ ସାହସ ଦେବା ଲାଗି କ’ଣ କହୁଛନ୍ତି ଶୁଣ !

 

ସମ୍ପର୍କ ବୋଲି କିଛି ନାହିଁ ସଂସାରରେ । ନିଜର ସ୍ଥିତି ହିଁ ସବୁ ସମ୍ପର୍କକୁ ଦୃଢ଼ କରିପାରେ-। ଧର୍ମ ସଂସ୍ଥାପନ ପାଇଁ ପାପ ଓ ପାପୀଙ୍କୁ ଧ୍ୱଂସ କଲେ ଦୋଷ ନାହିଁ । ତେବେ ମୁଁ ବା ପଛେଇ ଯିବି କାହିଁକି ? ଏ ତ ମୋର ଗୀତାର ଦର୍ଶନ ।

 

ହସିଲା ଚିତ୍ରାଙ୍ଗଦା । ସହଜ ଭାବରେ କହିଲା—ସବୁବେଳେ କେବଳ ଆଦର୍ଶକୁ ଆଖି ଆଗରେ ରଖିଲେ ମଣିଷ, ମଣିଷ ହୋଇ ପାରେନି ଲୋପାମୁଦ୍ରା ! ମଣିଷର ପଶୁ ହେବା ମଧ୍ୟ ଗୋଟିଏ ପ୍ରୟୋଜନୀୟତା.... ।

 

କମ୍ପି ଉଠିଲା ଲୋପାମୁଦ୍ରା...

 

ଏ କ’ଣ କହୁଛି ଚିତ୍ରାଙ୍ଗଦା... ?

 

କଲେଜ ଜୀବନରେ ଜନୈକା ସହପାଠିନୀ ଭାବରେ ଅନେକ କଥା କହେ ଚିତ୍ରାଙ୍ଗଦା । ହେଲେ ସେ ସବୁ ଥାଏ ଦେହର କଥା ଯୌବନର କଥା । ଆଜି ଚିତ୍ରାଙ୍ଗଦା କହୁଛି ମଣିଷ ଜୀବନର କଥା । ତେବେ କ’ଣ ଜଗତର ସବୁ ମଣିଷ ଜଣେ ଜଣେ ଦାର୍ଶନିକ ?

 

ଲୋପାମୁଦ୍ରା ଆଉ କିଛି କହିବା ଆଗରୁ ଚିତ୍ରାଙ୍ଗଦା କୋଠରୀ ଛାଡ଼ି ଚାଲି ଯାଇଥିଲା...

 

ବାହାରେ ଦ୍ୱିପ୍ରହରର ସୂର୍ଯ୍ୟାଲୋକ—

 

ପଛକୁ ଚାହିଁଲା ଲୋପାମୁଦ୍ରା.... । ସୂର୍ଯ୍ୟାଲୋକରୁ ପ୍ରତିଫଳିତ ଛାୟା ମଧ୍ୟ ପୁଣି ପଡ଼ିଛି କାନ୍ଥ ଉପରେ । ଆଉ ଚାହିଁ ପାରୁନି ଲୋପାମୁଦ୍ରା । ସେ ଯେ ସ୍ୱତନ୍ତ୍ର...ସେ ଯେ ଏକକ...ପୁଣି ଏକ ବିରାଟ ବ୍ୟାସର ପରିଧି ମଧ୍ୟରେ ମାତ୍ର ଗୋଟିଏ ବିନ୍ଦୁ...

 

ତେବେ କ’ଣ ସେ... ? କିଏ ସେ... ?

 

ଚିତ୍କାର କରିଉଠିଲା ଲୋପାମୁଦ୍ରାର ନାରୀତ୍ୱ.... ।

 

କଟକର ସକାଳ ଆକାଶ ବେଶ୍‌ ଓଜନ୍‌ଦାର ବସ୍ତୁ ଭଳି ଲଦି ହୋଇପଡ଼ୁଛି ଚନ୍ଦ୍ରାବତୀର ଅଳସଭରା ତନୁ ଉପରେ । ଖଟିଆଟି ଉପରେ ସେ ସେମିତି ପଡ଼ି ରହି ଚାହିଁଛି ଦୂର ଦିଗ୍‌ବଳୟକୁ । ଦ୍ୱିମହଲାର ଝରକା ବାଟରେ ଦିଶୁଛି ବିରାଟ କଟକ ସହରର ସ୍ୱରୂପ । ଠିକ୍‌ ଏମିତି ଦିନେ ସେ ହେମକାନ୍ତର କୋଠରୀ ଭିତରକୁ ପଶିଯାଇଥିଲା ଅଚାନକ ଭାବେ...

 

ନାଁ...ଆଉ ଚିନ୍ତା କରି ପାରୁନାହିଁ ଚନ୍ଦ୍ରାବତୀ....

 

ତା’ ଜୀବନରେ ସବୁ କିଛି ଅତୀତ । କେବଳ ନିଜେ ସେହି ହିଁ... ବର୍ତ୍ତମାନ ଓ ଭବିଷ୍ୟତ-। ଏଇ ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ସେ ବଞ୍ଚି ରହିବ.... ।

 

ଆହୁରି ଆଗକୁ ଚାହିଁବାକୁ ଚେଷ୍ଟା କରୁଛି ଚନ୍ଦ୍ରାବତୀ....

 

ପ୍ରଭାତ ସିନେମାର ସମ୍ମୁଖ ଗଳିଟି ଦିଶୁଛି ସ୍ପଷ୍ଟ ଭାବରେ.... । ସେହି ଗଳି... । ହୁଏତ ଅନେକ ଥର ସେ ସେହି ଗଳି ଦେଇ ଆସିଛି ଓ ଯାଇଛି.... । କିନ୍ତୁ ସେ ଗଳିକୁ କ’ଣ କେବେହେଲେ ପଢ଼ିବାକୁ ଚେଷ୍ଟା କରୁଛି ସେ ? ଏମାନେ ତ ପୁଣି ଏ ଦେଶର ମଣିଷ ! ଏମାନେ ତ ପୁଣି ଏ ଦେଶର ମଣିଷ ! ଏମାନେ ତ’ ପୁଣି ଭାରତର କ୍ରମବର୍ଦ୍ଧିଷ୍ଣ ଜକସଂଖ୍ୟାର ଅଂଶବିଶେଷ । ତେବେ ଏମାନଙ୍କର ଇତିହାସ ଗଲା କେଉଁଆଡ଼େ ? ଏମାନେ କ’ଣ ଅଧ୍ୟାପକ ହେମକାନ୍ତଠାରୁ ଏଡ଼େ ହୀନ...ଏଡ଼େ ନିକୃଷ୍ଟ ।

 

ଆଉ ଚିନ୍ତା କରି ପାରୁନାହିଁ ଚନ୍ଦ୍ରାବତୀ...

 

ହୁଏତ ଏଇ ଗଳିର ସାମନାରେ ଯେଉଁ ଡାଲି ଚାଉଳ ଦୋକାନଟି ରହିଛି...ସେହି ଦୋକାନର ମାଲିକ ରାମୁଲକୁ ସଉଦା ବାକି ଦେଇଥିଲା । ରିକ୍‌ସା ଟାଣେ ରାମୁଲ୍‌... । ଘରେ ନୂଆ ବୟସୀ ସ୍ତ୍ରୀ । ମୁଣ୍ଡରେ ବୋଝ ବହି ଜାଣେ... । ବଜାରରୁ ସଉଦା କରି ଜାଣେ... । ବସିଲାବାଲା କେବଳ ଛୋଟ ଭାଇ ଆପାରଓ । ପରିଶ୍ରମ କରିବାର ବୟସ ତା’ର ହୋଇନାହିଁ । ତଥାପି ହୋଟେଲର ପତ୍ର ଉଠାଇ ସେ ରୋଜଗାର କରେ ରାମୁଲର ଅଭାବି ପରିବାରକୁ ସାହାଯ୍ୟ କରିବାକୁ ଚେଷ୍ଟା କରେ ।

 

ରାମୁଲ୍‌ ଯେ ତା’ ପରିବାର ଚଳାଇବାକୁ ଅକ୍ଷମ ତା’ ନୁହେଁ । ରିକ୍‌ସା ଟାଣି ଅନେକ ରୋଜଗାର୍‌ କରେ ରାମୁଲ୍‌ ।

 

କିନ୍ତୁ ହଠାତ୍‌ ବଡ଼ଲୋକ ହେବାର ନିଶା ରାମୁଲର ମଧ୍ୟ ଥିଲା । ସେଇଥିପାଇଁ ସେ ତାଆସ ମୁଠା ଧରି ଜୁଆ ଖେଳେ । ଅନେକ ପଇସା ସାରେ । ଜୟ କରିବା ତା ଭାଗ୍ୟରେ ଜୁଟେ ନାହିଁ । ମନ ଦୁଃଖରେ ଘରକୁ ଫେରେ ରାମୁଲ୍‌ । ଭାଙ୍ଗି ପଡ଼େ ରାମୁଲର ପରିଶ୍ରାନ୍ତ ଶରୀର ।

 

ଦିନେ ଦିନେ ପଇସା ବଳିପଡ଼ିଲେ ଦେଶୀ ମଦ ଦୋକାନ ଆଡ଼େ ମୁହାଁଏ ରାମୁଲ୍‌ । ରାମୁଲ୍‌ ଶାନ୍ତି ପ୍ରୟାସୀ, ଗିଲାସେ ଦେଶୀ ମଦ ଦେହରୁ ସେ ଖୋଜେ ଗୋଟିଏ ଦିନର ଶାନ୍ତି । ଦିନଟାସାରା ଯେଉଁ ପରିଶ୍ରମ..ତା’ ଘଡ଼ିକେ ଦୂର ହୋଇଯାଏ...ଟଳି ଟଳି...ଛୋଟିଆ ବରଡ଼ା ତାଟି ଘେରା କୋଠରୀ ଦେହରେ ପ୍ରବେଶ କରେ ରାମୁଲ୍‌ ।

 

ଏଇ ହେଉଛି ରାମୁଲ୍‌ର ଦୈନନ୍ଦିନର ଜୀବନ....

ସେ ଦିନ ଅଚାନକ ବର୍ଷା....

ହୁଏତ ବର୍ଷାକୁ ଖାତିର ନ କରି ରାମୁଲ୍‌ ଟାଣୁଥିଲା ରିକ୍‌ସା । ରାମୁଲ୍‌ର ଦେହ ନିକଟରେ ହାର ମାନିଥିଲା ବର୍ଷା ପାଣି...

କିନ୍ତୁ...ତା ପରଦିନକୁ ରାମୁଲ୍‌ର ଦେହରେ ଭର୍ତ୍ତିହେଲା ତାତି । ଏ ତାତି ଆଉ କମିଲାନି-। ବେଳୁ ବେଳ ବଢ଼ିବାକୁ ଲାଗିଲା । ଦୀର୍ଘ ତିନି ମାସ କାଳ ଆଉ ବିଛଣାରୁ ଉଠି ପାରିଲାନି ରାମୁଲ୍‌-

ଏଇ ଅବସରରେ ବାକି ପଇସା ପାଇଁ ଆପତ୍ତି କରିଥିଲା ଡାଲି ଚାଉଳ ଦୋକାନୀ ।

ପଞ୍ଚାୟତ ବସିଥିଲା ପଡ଼ା ଭିତରେ.... । ମୁଖିଆମାନେ ବସି ବିଚାର କରିଥିଲେ ରାମୁଲ୍‌ର ଦୋଷ...

ଶେଷରେ ରାମୁଲ୍‌ ଦୋଷୀ ସାବ୍ୟସ୍ତ ହୋଇଥିଲା । ପଞ୍ଚାୟତ ଆବେଶ ଦେଲେ—ବାକୀ ପଇସା ପରିଶୋଧ ହେବା ପର୍ଯ୍ୟନ୍ତ ରାମୁଲ୍‌ର ସ୍ତ୍ରୀ ହେବ ଡାଲି ଚାଉଳ ଦୋକାନୀର...

ଏଇ ଆମ ଗରିବ ରିକ୍‌ସା ଚାଳକ ତେଲଗୁ ପରିବାର ଇତିହାସ...

ପୁଣି ଆଖି ଫେରାଇଲା ଚନ୍ଦ୍ରାବତୀ– । ତେବେ ଏ ଦୁନିଆଁରେ ଚରିତ୍ର କ’ଣ ? ମଣିଷତା କ’ଣ ? କେବଳ ବଞ୍ଚି ରହିବା ହିଁ ମଣିଷ ପଣିଆଁ... ।

 

ଦିନ ପରେ ଦିନ ଗଡ଼ିଛି । ପିଲ୍‌ଗ୍ରିମ ହୋଟେଲରେ ମହା ଆନନ୍ଦରେ କାଳାତୀପାତ କରୁଛି ଚନ୍ଦ୍ରାବତୀ । ମାଖନ୍‌ ଚୌଧୁରୀ ଘର ଛାଡ଼ିବା ଦିନରୁ ଦିନେ ମଧ୍ୟ ଏମିତି ଆନନ୍ଦରେ, ସୁଖରେ ରହି ପାରି ନ ଥିଲା ଚନ୍ଦ୍ରାବତୀ । ଦୀର୍ଘ ଦିନ ପରେ ଏଇ ମାତ୍ର ତା’ର ନୂତନ ଏ ଅନୁଭୂତି ।

 

ସେଦିନ ଚନ୍ଦ୍ରାବତୀର କୋଠରୀକୁ ଅଚାନକ ଭାବେ ପଶି ଆସିଲେ ବଳରାମ ମିଶ୍ର । ପଇସା ଆଦାୟ ପାଇଁ ବିଭିନ୍ନ କୋଠରୀକୁ ଯିବା ତାଙ୍କ ଜୀବନରେ ନୂଆ ନୁହେଁ । ଅନେକ ଥର ତାଙ୍କୁ ଆସିବାକୁ ପଡ଼େ ବୋଡ଼ର୍‌ମାନଙ୍କ ନିକଟକୁ । କେତେବେଳେ ସେ ଗଳା ଥରାଇ ଅନୁନୟ କଣ୍ଠରେ ମାଗନ୍ତି ତାଙ୍କର ପାଉଣା, ଅବା କେତେବେଳେ କଠୋର ହୋଇ ଜୋର କରି ଆଦାୟ କରିବାକୁ ଇଚ୍ଛା କରନ୍ତି ତାଙ୍କ ପ୍ରାପ୍ୟ ।

 

ବୋଡ଼ର୍‌ମାନେ ତାଙ୍କ ସହିତ ତାଳ ଦେଇ ପାରନ୍ତି ନାହିଁ । ସମସ୍ତେ ଜାଣନ୍ତି—ପିଲଗ୍ରିମ ହୋଟେଲ ଗୋଟିଏ ଅଦ୍‌ଭୂତ ଧରଣର ହୋଟେଲ । ଏ ହୋଟେଲରେ ସାକୀ ଓ ସୁରାର କାରବାର ଚାଲେ । ଅନେକ ଓମରଖାୟାମ ପାଗଳ ହୋଇ ଫେରନ୍ତି ହୋଟେଲ ବାରଣ୍ଡାରୁ । ଏ ହୋଟେଲ ଭିତରେ ଯେ ଦଙ୍ଗା ହୁଏ ନାହିଁ ତା’ ନୁହେଁ, ସବୁ କିଛି ହୁଏ । ଜୁଆ ଖେଳ ବି ହୋଟେଲର ଛାତ ଉପରେ ଚାଲେ ।

 

କିନ୍ତୁ କେହି ଆପତ୍ତି କରି ପାରନ୍ତିନି—ସମସ୍ତେ ଜାଣନ୍ତି କଟକ ସହରର ଅଧିକାଂଶ ଗୁଣ୍ଡା ବଳରାମ ମିଶ୍ରଙ୍କର ହାତାବରଶୀ । ତା’ଛଡ଼ା ପୋଲିସ୍‌ବାଲା ମଧ୍ୟ ମିଶ୍ରଙ୍କଠାରୁ ଦି’ପଇସା ପାଆନ୍ତି । ସେଇଥିପାଇଁ ସେମାନଙ୍କ ମୁହଁ ବନ୍ଦ ହୋଇଯାଏ ।

 

ଠିକ୍‌ କଟକ ସହରର ଛାତି ଉପରେ ପିଲ୍‌ଗ୍ରିମ ହୋଟେଲ ଆଗେଇ ଚାଲେ । ଏ ହୋଟେଲର ଦିନର ଗ୍ରାହକ ଓ ରାତିର ଗ୍ରାହକଙ୍କ ମଧ୍ୟରେ ପ୍ରଭେଦ ଅନେକ ବେଶୀ । ସବୁ ଦେଖି ଆଖି ବୁଜି ନୀରବ ରହେ ଚନ୍ଦ୍ରାବତୀ । ସେ ଯେ ମାତ୍ର ଦୁଇ ଦିନର ଅତିଥି... ।

 

ସେଦିନ ଚନ୍ଦ୍ରାବତୀର କୋଠରୀଭିତରକୁ ପଶିଆସି ଭଦ୍ରାମୀ ସହକାରେ ବଳରାମ ମିଶ୍ର କହିଲେ—‘‘ଚନ୍ଦ୍ରାଦେବୀ ! ଦୀର୍ଘଦିନ ହେଲା ଆପଣଙ୍କ ଉପରେ ପାଉଣା ବାକି । ଆଜି ପଇସା ନ ଛିଡ଼ାଇଲେ ଆସନ୍ତା କାଲିଠାରୁ ଆପଣଙ୍କ ମିଲ୍‌ବନ୍ଦ ହୋଇଯିବ । ଦୟାକରି ଆପଣଙ୍କ ପାଉଣାଟ ଆପଣ ଦେଇ ଦିଅନ୍ତୁ ।’’

 

ହଠାତ୍‌ ଆକାଶରୁ ଛିଡ଼ି ପଡ଼ିଲା ପରି ଚମକି ଉଠିଲା ଚନ୍ଦ୍ରାବତୀ । ସେ ଯେ ଦେୟ ନ ଦେଇ ଆଜି ପର୍ଯ୍ୟନ୍ତ ହୋଟେଲରେ ରହିଛି—ଏ କଥା ଖିଆଲ ନ ଥିଲା ତା’ର । ଅଜାଣ ଭୟରେ ଛାତି ଥରିବାକୁ ଲାଗିଲା । ନିଜକୁ ମଧ୍ୟ ଭାଗ୍ୟବତୀ ମନେ କରୁଥିଲା ଚନ୍ଦ୍ରାବତୀ । ଏତେ ଦିନଯାଏ ତା’ର ଅଭିନୟ ପଦାରେ ଜଣା ନ ପଡ଼ିବା କମ୍‌ ଗୌରବର କଥା ନୁହେଁ ।

 

ପର ମୁହୂର୍ତ୍ତରେ ପୁଣି ଅନେକ କଥା ଚିନ୍ତା କଲା ଚନ୍ଦ୍ରାବତୀ—ଏଇ କେତେଦିନ ଭିତରେ ସେ ବଳରାମ ମିଶ୍ରଙ୍କୁ ଚିହ୍ନିଛି । ବୋଡ଼ର୍‌ ପଇସା ଦେବାକୁ ହେଳା କଲେ ବଳରାମ ମିଶ୍ର କେମିତି ନିଷ୍ଠୁର ହୁଅନ୍ତି...ସେ ଆଖିରେ ଦେଖିଛି । ତେବେ... !!

 

ହଠାତ୍‌ କିଛି ଚିନ୍ତା କରି ନ ପାରି ସହଜ ଭାବରେ ଚନ୍ଦ୍ରାବତୀ କହିଲା—‘‘ବେଶ୍‌...ଆଜି ଆପଣଙ୍କ ଦେୟ ପରିଶୋଧ କରି ଦେବାକୁ ଚେଷ୍ଟା କରିବି, ଆପଣ ରାତିକୁ ଆସନ୍ତୁ ।’’

 

ଚନ୍ଦ୍ରାବତୀର ଏଇ କଥା ପଦକ ତଳେ ଥିଲା ଅସମ୍ଭବ ଲାଳିତ୍ୟ..ସୀମହୀନ କୋମଳତା...ଆଉ ଉଦାର ନାରୀତ୍ୱ । ଗୋଲାପୀ ଅଧରର ସୀମାନ୍ତରେ ନାଚି ଉଠୁଥିଲା ଦୁଷ୍ଟାମୀର ଚଳଚଞ୍ଚଳ ହାସ୍ୟରେଖା । କୋମଳ ଭ୍ରୂଲତା ତଳେ ମଦାଳସା ଚକ୍ଷୁର ଚାଞ୍ଚଲ୍ୟ, ଆହତ କରୁଥିଲା ସମସ୍ତ ନିଷ୍ଠୁରତାର କାଠିନ୍ୟକୁ । ବନ୍ଧର ଦେହର ଶୋଭାଯାତ୍ରାକୁ ପ୍ରଖର କରି ଚନ୍ଦ୍ରାବତୀ ଅନେକ କିଛି ଇସାରା ଦେଇଥିଲା ବଳରାମ ମିଶ୍ରଙ୍କୁ ।

ବଳରାମ ମିଶ୍ର ବୃଦ୍ଧ ହେଲେ ମଧ୍ୟ ପୁରୁଷ । ଏଇ ପୁରୁଷତ୍ୱକୁ ଅର୍ଥ ମୋହ ପାଗଳ କରିଥିଲେ ମଧ୍ୟ ଚନ୍ଦ୍ରାବତୀ ନିକଟରେ ହାର ମାନିଥିଲେ ବଳରାମ ମିଶ୍ର । ମିଶ୍ରଙ୍କର ଅନେକ ଦିନର ବିଗତ ଯୌବନ ଦୋହଲି ଉଠିଲା । ଚନ୍ଦ୍ରାବତୀର କଥାକୁ ସମର୍ଥନ କରି କହିଲେ ସେ....

‘‘ହଉ....ହଉ...ରାତିକୁ ନିଶ୍ଚୟ ଆସିବି । ପାଉଣା ଠିକ୍‌ କରି ରଖିଥିବେ ।’’

ଆଉ ଅପେକ୍ଷା କରି ନାହାନ୍ତି ବଳରାମ ମିଶ୍ର... । ଫେରି ଯାଉଛନ୍ତି ଆସିବା ବାଟରେ ।

ଆଶ୍ୱସ୍ତା ହୋଇ ନିଃଶ୍ୱାସ ମାରିଲା ଚନ୍ଦ୍ରାବତୀ... ।

କିନ୍ତୁ....

କିନ୍ତୁ...ରାତିକୁ ଯଦି ବଳରାମ ମିଶ୍ର ପୁଣି ଆସନ୍ତି ତେବେ କ’ଣ ତାଙ୍କର ଦେୟ ଦେଇ ପାରିବ ଚନ୍ଦ୍ରାବତୀ ?

ଏକ୍‌...ଦୁଇ...ତିନ୍‌....

 

ସମୟ ଗଡ଼ୁଛି...ତା’ ସହିତ ଗଡ଼ୁଛି ଘଣ୍ଟା, ମାସ ଆଉ ବର୍ଷ । ସମୟ ଗତିର ବିରାମ ନାହିଁ । ଅନନ୍ତ ସମୟ ସ୍ରୋତ ଯେ କେତେ ସୂର୍ଯ୍ୟୋଦୟର ସ୍ୱର୍ଣ୍ଣାଭ ଆଲୋକ ଦେଖିଲାଣି—ତାହା କହି ହେବନାହିଁ । ତଥାପି ଏ ସୂର୍ଯ୍ୟୋଦୟର ନୂତନତ୍ୱ ଅଛି...ନୂଆ ନୂଆ ଅନୁଭୂତି ଅଛି ।

 

ସେଦିନ ସେହି ସୂର୍ଯ୍ୟୋଦୟକୁ ଚାହିଁ ଆତ୍ମହରା ହୋଇ ଉଠୁଥିଲା ଲୋପାମୁଦ୍ରା । ଠିକ୍‌ ଏ ସମୟରେ ଘର ଭିତରକୁ ପଶିଆସିଲେ ବାରିଷ୍ଟର ଶାନ୍ତନୁ । ଲୋପାମୁଦ୍ରାକୁ ଦେଖଇ ପକାଇ କିଛି ସମୟ ଠିଆ ହୋଇଗଲେ ନିଶ୍ଚଳ ହୋଇ ।

 

ବାପାଙ୍କର ଆସିବା କଥା ଜାଣିପାରି ନ ଥିଲା ଲୋପାମୁଦ୍ରା ।

 

ପାଖକୁ ଲାଗିଆସିଲେ ଶାନ୍ତନୁ । ଲୋପାମୁଦ୍ରାର କପାଳରେ ହାତ ମାରୁ ମାରୁ କହିଲେ–‘‘କ’ଣ ଏମିତି ଆକାଶ ପାତାଳ ଚିନ୍ତା କରୁଛୁ ମା ? କେତେ ଦିନ ହେଲା ତୋ ମୁହଁରେ ତ ମୁଁ ଟିକେ ହସ ଦେଖୁ ନାହିଁ ?’’

 

ଚମକି ଉଠିଲା ଲୋପାମୁଦ୍ରା । ମନରେ ଭୟ......ବାପାଙ୍କ ଆଖିକୁ ସେ ଏଡ଼ାଇ ଦେଇ ପାରିନାହିଁ । କଥାର ମୋଡ଼ ବୁଲାଇ ଲୋପାମୁଦ୍ରା କହିଲା—‘‘ନାଁ ବାପା....ଏମିତି....’’

 

ଶାନ୍ତନୁ ପିଲା ନୁହଁନ୍ତି, ସ୍ୱନାମଧନ୍ୟ ବାରିଷ୍ଟର ଶାନ୍ତନୁ । ପ୍ରତିବାଦୀଙ୍କ ସାକ୍ଷୀଙ୍କୁ ଜେରା କଲାବେଳେ ସେ ତାଙ୍କ ତାଙ୍କର ମନସ୍ତତ୍ୱ ବିଶ୍ଳେଷଣ କରି ଯୁକ୍ତି କରିବାକୁ ଆରମ୍ଭ କରନ୍ତି..... । ଆଜି ସାମାନ୍ୟ ଲୋପାମୁଦ୍ରା ବା ତାଙ୍କୁ ଭୁଲାଇ ଦେବ କେମିତି ?

 

ହସି ଦେଇ ଶାନ୍ତନୁ କହିଲେ—‘‘ନାଁ....ମା....ତୁ ମୋତେ ଠକି ଦେଇ ପାରିବୁନି । ଅନେକ ଦିନ ଲକ୍ଷ୍ୟ କରି କରି ମୁଁ ତୋତେ ଏକଥା ପଚାରୁଛି । କ’ଣ ହେଇଛି ସତକଥା କହ......’’

 

ଅଡ଼ୁଆରେ ପଡ଼ିଲା ଲୋପାମୁଦ୍ରା ।

 

କି ଉତ୍ତର ସେ ଦେବ ବାପାଙ୍କୁ ? ମନର କଥା ସବୁବେଳେ ମନର ଅନନ୍ତ ଗହ୍ୱରରେ ଗୁମୁରି ଉଠେ । ଏ ମନକୁ କ’ଣ ଅନ୍ୟ ନିକଟରେ ଖୋଲି ହୋଇପାରେ ? ଲୋପାମୁଦ୍ରାର ଅନ୍ତର ଘାଣ୍ଟି ଚକଟି ହୋଇ ଯାଉଥିଲା ।

 

କଥାରେ ଜୋର ଦେଇ ପୁଣି ଶାନ୍ତନୁ କହିଲେ—‘‘କହ ମା ! କ’ଣ ହୋଇଛି କହ ! ତୋରି ପାଇଁ ସିନା ଏ ବୁଢ଼ା ବୟସରେ ମଧ୍ୟ ମୋର ଏ ମୋହ...ମୋର ଏ ପରିଶ୍ରମ....ତୋ ଆଖିରେ ଲୁହ ଦେଖି ମୁଁ ଚୁପ୍‌ ରହିବି କେମିତି ?’’

 

ଆଉ ସ୍ଥିର ରହିପାରିଲାନି ଲୋପାମୁଦ୍ରା...

 

ବାପାଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ ରହି କହିଲା‘‘କୁହ ବାପା ! ମଣିଷ କ’ଣ ଅନେକ ସମୟରେ ପଶୁ ହେବାକୁ ସୁଖ ମନେକରେ ?’’

 

ହଠାତ୍‌ ଲୋପାମୁଦ୍ରାଠାରୁ ଏପରି ଗୋଟିଏ ଦାର୍ଶନିକ ପ୍ରଶ୍ନ ଶୁଣି କିଛି ସମୟ ଗୁମ୍‌ ଖାଇଗଲେ ଶାନ୍ତନୁ । ତା’ପରେ କଥାକୁ ସହଜ କରି କହିଲେ...‘‘ହିଁ...ମା ! ମଣିଷ ପଶୁ ହେବାକୁ ଭଲପାଏ...କିନ୍ତୁ ପଶୁ ହେବାପରେ ସେ ଆଉ ମଣିଷ ହୋଇ ପାରେନି । ଏଇ ପଶୁରେ ହିଁ ସେ ରହିଯାଏ...’’

 

ଆଶାନ୍ୱିତା ହେଲା ଲୋପାମୁଦ୍ରା....ସାଙ୍ଗେ ସାଙ୍ଗେ ପୁଣି ପଚାରିଲେ ତେବେ ଖାଦ୍ୟାଭାବରେ ଯେତେବେଳେ ସଂଖ୍ୟାଧିକ ବ୍ୟକ୍ତି ପଶୁ ଭଳି ଅଖାଦ୍ୟ ଖାଇ ପଶୁ ହେବାକୁ ଯାଉଛନ୍ତି—ସେତେବେଳେ ତଥାକଥିତ ବୃଦ୍ଧି ଜୀବୀମାନେ ନୀରବ ରହୁଛନ୍ତି କେମିତି ?

 

ଚିନ୍ତିତ ହେଲେ ଶାନ୍ତକୁ । ଲୋପାମୁଦ୍ରାର କଥାରେ ବାଧାଦେଇ କହିଲେ–‘‘ନାଁ....ମା ! କେହି କାହାରିକି ପଶୁ ହେବାକୁ ଛାଡ଼ିଦିଏ ନାହିଁ । କେହିୁ କାହାରିକି ପଶୁ ହେବାକୁ ଛାଡ଼ିଦେଲେ ସେ ପଶୁ ହେବନାହିଁ । ନିଜେ ମଣିଷ ହିଁ ନିଜକୁ ପଶୁ କରେ । ତୋ ପାଇଁ ମୁଁ ପଶୁ ହେଇ ପାରିବିନିବା ମୋ ପାଇଁ ତୁ ପଶୁ ହେଇପାରିବୁନି... । ଯଦି ଜଣକର ବିନା ସାହାଯ୍ୟରେ ସମାଜରେ ଆଉ ଜଣେ ମଣିଷ ନ ବଞ୍ଚୁଥାନ୍ତା....ତେବେ ମୁଁ କାହାରି ପାଖରେ ଜୁନିଅର ନ ରହି ନିଜେ ଓକିଲାତି କରିଥାନ୍ତି କେମିତି ?’’

 

ହଠାତ୍‌ ହସିଉଠିଲା ଲୋପାମୁଦ୍ରା...ବାପାଙ୍କ ଦୁଇ ବାହାକୁ ଧରି ହଲାଇ ହଲାଇ କହିଲା–ତେବେ ତୁମେ କହୁଛ ମୁଁ କିଛି ଦୋଷ କରିନି ବାପା ? ଚିତ୍ରାଙ୍ଗଦାର ଯୁକ୍ତି ଭୁଲ

 

କିଛି ବୁଝି ପାରୁ ନ ଥିଲେ ଶାନ୍ତନୁ....

 

ହସି ହସି....ଦୋ ମହଲା ଉପରକୁ ଦୌଡ଼ି ଯାଉ ଯାଉ ଲୋପାମୁଦ୍ରା କହିଲା....ମୁଁ ଆଉ ଦୁଃଖ କରୁନି ବାପା ! ମୁଁ ଆନନ୍ଦିତା ।

 

ରାତି ପ୍ରାୟ ଏଗାରଟା । ପିଲ୍‌ଗ୍ରିମ ହୋଟେଲ୍‌ରୁ ଭିଡ଼ କମି କମି ଆସୁଛି । ଲଜିଂ ହାଉସ୍‌ର ବୋଡ଼ରମାନେ ବେଶ୍‌ ନିଶ୍ଚିନ୍ତରେ ନିଦ୍ରା ଯାଇଛନ୍ତି । ଦୋମହଲା କୋଠରୀର ଡନ୍‌ଲପ୍‌ଗଦି ଉପରେ ଶ୍ରାନ୍ତ କ୍ଳାନ୍ତ ହୋଇ ଶୋଇଛି ଚନ୍ଦ୍ରାବତୀ । ଆଜି ସେ ନୂଆ କରି ଯାଇଥିଲା ବାହାରକୁ । ହୋଟେଲର ଦେୟ ଦେବାକୁ ହାତ ପାତିଥିଲା ଅନେକ ଲୋକଙ୍କ ନିକଟରେ ।

 

କିନ୍ତୁ କେହି ରକ୍ଷା କରି ନ ଥିଲେ ଚନ୍ଦ୍ରାବତୀର ଅନୁରୋଧ । ଶୂନ୍ୟ ହାତରେ ଫେରି ଆସୁ ଆସୁ ଚନ୍ଦ୍ରାବତୀ ଭାବୁଥିଲା ହୋଟେଲ ମାଲିକ ବଳରାମ ମିଶ୍ରଙ୍କ କଥା । ତା’ପରେ । ତା’ପରେ କ୍ଳାନ୍ତ ହୋଇ ଚନ୍ଦ୍ରାବତୀ ପଡ଼ିଗଲା ବିଛଣା ଉପରେ । ଜାଣି ପାରିନି ଚନ୍ଦ୍ରାବତୀ....କେତେବେଳେ କାଳ ନିଦ୍ରା ତାକୁ ଗ୍ରାସ କରି ଯାଇଛି...

 

ଶୂନ୍ୟ ହାତରେ ହୋଟେଲକୁ ଫେରିଥିବା ବେଳେ କେବଳ ଚନ୍ଦ୍ରାବତୀ ସଂଗ୍ରହ କରିଥିଲା ହୋଟେଲର କୀଟଦ୍ରଂଷ୍ଟ ଇତିହାସ ପୃଷ୍ଠା....ସେ ଅନେକ ଦିନର....ସେ ଅନେକ ବିଗତର... ।

 

ଚନ୍ଦ୍ରାବତୀ...

 

ଅନୁଭବ କରୁଛି ଚନ୍ଦ୍ରାବତୀ... । ସତେ ଯେମିତି ଠିକ୍‌ ହେମକାନ୍ତଙ୍କ ଭଳି କାହାର ଗରମ ନିଃଶ୍ୱାସ ତା’ର ବକ୍ଷ ଦେଶକୁ ଆନ୍ଦୋଳିତ କରୁଛି । ଉତ୍ତାପ ଦେଉଛି । ସତେଜ ହୋଇ ଉଠୁଥିଲା ଚନ୍ଦ୍ରାବତୀ । ସ୍ପଷ୍ଟରୁ ସ୍ପଷ୍ଟତର ହେଉଥିଲା ସେ ନିଶ୍ୱାସ ।

 

ଆଖି ଖୋଲିଲା ଚନ୍ଦ୍ରାବତୀ...

 

ଏ କ’ଣ....ଚତୁର୍ଦିଗ ଯେ କେବଳ ନିବିଡ଼ ଅନ୍ଧକାର !! ପିଲ୍‌ଗ୍ରିମ ହୋଟେଲକୁ ସେ ଏମିତି ଅନ୍ଧାରିଆ କେବେ ଦେଖି ନ ଥିଲା । ଏ ହୋଟେଲରେ ଦିନର ପାପଠାରୁ ରାତିର ପାପ ବେଶୀ ହେଉଥିଲା ବି ଆଲୁଅଟା କିନ୍ତୁ ପାପର ଭାଗୀଦାର ହୁଏନି । ସେଇଥିପାଇଁ ଦିନ ଭଳି ନିର୍ଭୟରେ ଜଳନ୍ତି ଏ ବିଜୁଳିବତୀଗୁଡ଼ିକ ।

 

ଶିହରି ଉଠିଲା ଚନ୍ଦ୍ରାବତୀର ଦେହ । କାତର କଣ୍ଠରେ ଆର୍ତ୍ତନାଦ କଲା ଭଳି କହିଲା କିଏ ? ‘‘କିଏ ମୋ ବିଛଣାରେ ?’’

 

ପ୍ରତ୍ୟୁତ୍ତରରେ ଚାପା ଚାପା କଣ୍ଠ......‘‘ନାଁ......ମୁଁ ।’’

 

‘‘କିଏ ଆପଣ ?’’ ଚନ୍ଦ୍ରାବତୀର କଣ୍ଠରେ ଦୃଢ଼ତା......

 

‘‘ଆରେ ମୋତେ କ’ଣ ଚିହ୍ନି ପାରୁନାହିଁ ?’’ ପୁଣି ସେହି ଚାପା ଚାପା କଣ୍ଠ....

 

ଝାମ୍ପମାରିଲା ଭଳି ଡେଇଁ ପଡ଼ି ବିଜୁଳି ଆଲୁଅଟା ଜାଳିଦେଲା ଚନ୍ଦ୍ରାବତୀ । ସ୍ତମ୍ଭୀଭୂତ ହୋଇ ଠିଆ ହୋଇଗଲା କିଛି ସମୟ । ନିଜର ଆଖିକୁ ସେ ନିଜେ ମଧ୍ୟ ବିଶ୍ୱାସ କରି ପାରିଲାନି । ବୃଦ୍ଧ ବଳରାମ ମିଶ୍ର ପ୍ରେମିକ ସାଜି ଆସିଛନ୍ତି ତା’ର କୋଠରୀକୁ । ବେକରେ ମଲ୍ଲିହାର....ଦେହରେ ସୁବାସିତ ସେଣ୍ଟ୍‌....ସତେ ଯେମିତି ନାରୀ ମନ ଦୋହଲାଇବାପାଇଁ ଏଗୁଡ଼ିକ ଅବ୍ୟର୍ଥ ମହୋଷଧୀ ।

 

ଗଦ୍‌ଗଦ୍‌ କଣ୍ଠରେ ମିଶ୍ର କହିଲେ—‘‘ନାଇଁ, କହିଥିଲେ ରାତିରେ ଟଙ୍କାପାଇଁ ଆସିବ । ସେଥିପାଇଁ ଆସିଥିଲି । ଦେଖିଲି....ଆପଣ ଶୋଇଛନ୍ତି....ତେଣୁ ଡରାଇ ଦେବି ବୋଲି ଆଲୁଅ ଲିଭାଇ ଦେଇ....’’

 

କଥାରେ ବାଧା ଦେଇ ହୋ....ହୋ....ହୋଇ ହସିଉଠିଲା ଚନ୍ଦ୍ରାବତୀ । ଏଇ କେତେଦିନ ଭିତରେ ସେ ଅନେକ ପୁରୁଷଙ୍କ ସହିତ ମିଶିଛି....ଅନେକ ପୁରୁଷଙ୍କୁ ଆପଣାର କରିଛି...ପୁରୁଷଙ୍କ ସମ୍ୱନ୍ଧରେ ଜାଣିବା ପାଇଁ ଆଉ କ’ଣ ବାକି ଅଛି ତା’ର । ଏମିତି ଅନେକ ପୁରୁଷ ଆଳ ଦେଖାଇ ଆସନ୍ତି....ପୁଣି ଅଳ୍ପ ସମୟ ମଧ୍ୟରେ ସବୁ କିଛି ଲୁଣ୍ଠନ କରିନେବାକୁ ଚେଷ୍ଟା କରନ୍ତି... ।

 

ସବୁକୁ ଦେହପାତି ସହିନିଏ ଚନ୍ଦ୍ରାବତୀ । କିନ୍ତୁ ଏହା ବୋଲି କ’ଣ ଆଜି ସେ ବୃଦ୍ଧ ବଳରାମ ମିଶ୍ରଙ୍କ ଅତ୍ୟାଚାର ସହିବ ?

 

ଚନ୍ଦ୍ରାବତୀର ହୃଦୟରେ ଲୁଚି ରହିଥିବା କୋମଳ ନାରୀର ହଠାତ୍‌ପ୍ରତିବାଦ କରି ଉଠିଲା-। ଘାଉଲା ସିଂହୀ ଭଳି ସେ ଆକ୍ରମଣ କରିବାକୁ ଇଚ୍ଛାକଲା ବଳରାମ ମିଶ୍ରଙ୍କୁ । କିନ୍ତୁ...

 

ପୁଣି ପରମୁହୂର୍ତ୍ତର କଥା ଚିନ୍ତା କରୁଛି ଚନ୍ଦ୍ରାବତୀ । ଟଙ୍କାର ଆଳ ଦେଖାଇ ଆସିଛନ୍ତି ବଳରାମ ମିଶ୍ର । ଟଙ୍କା ନ ଦେଲେ ସେ କଳି କରିବେ, ଜୋର କରି ବାଧ୍ୟ କରିବେ, ଶେଷକୁ ବେଜିତ୍‌ କରିବେ । ନାରୀର କୋମଳ ସ୍ପର୍ଶ ପାଇଁ ପୁରୁଷତ୍ୱ ଯେତେବେଳେ ଆଘାତ ପାଏ ସେତେବେଳେ ସେ କଠିନ ହୋଇଉଠେ । ନିଷ୍ଠୁର ହୋଇଉଠେ । ଠିକ୍‌ ସେହିଭଳି ବଳରାମ ମିଶ୍ର ଜୋର କରିବେ... । କି ପ୍ରତିବାଦ କରି ଉଧୁର ଯାଇ ହେବ ତାଙ୍କ କବଳରୁ... ?

 

ଅସହାୟ ଭଳି ଠିଆ ହୋଇ ରହିଲା ଚନ୍ଦ୍ରାବତୀ....

 

ଇତସ୍ତତଃ ହୋଇ ବଳରାମ ମିଶ୍ର କହିଲେ—ନାଇଁ....ନାଇଁ ଆଉ ଆପଣ ଭାବୁଛନ୍ତି କ’ଣ....ଟଙ୍କାଟା ଦେଇ ଦିଅନ୍ତୁ......ଆଉ ମୁଁ ଆପଣଙ୍କୁ ବ୍ୟସ୍ତ କରିବିନି ।’’

 

ବିଚାର କରୁଥିଲା ଚନ୍ଦ୍ରାବତୀ...

 

ଚନ୍ଦ୍ରାବତୀର ଦେହର ମୂଲ୍ୟଠାରୁ ନିଶ୍ଚୟ ବଳରାମ ମିଶ୍ରଙ୍କ ନିକଟରେ ଟଙ୍କାର ମୂଲ୍ୟ ବେଶୀ...... । ଟଙ୍କା ନ ପାଇଲେ ନିଆଁ ଭଳି ଜଳିବେ ସେ.... । ଠିକ୍‌ ରାହୁ ଗ୍ରାସ କଲା ଭଳି ଗ୍ରାସ କରିଯିବେ ଚନ୍ଦ୍ରାବତୀକୁ......

 

ଚନ୍ଦ୍ରାବତୀ କହିଲା—ଆଜି ଟଙ୍କା ଆଣି ପାରିନାହିଁ....ଆସନ୍ତା କାଲି ଦେଇଦେଲେ ହେବନାହିଁ.... ?

 

ନିଷ୍ଠୁର ଭଳି ମୁହଁ ମୋଡ଼ ବଳରାମ ମିଶ୍ର କହିଲେ—‘‘ନାଁ....ନାଁ ଚନ୍ଦ୍ରାଦେବୀ ! ମୋ ହୋଟେଲକୁ ମାଗଣା ଜିନିଷ ଆସେନାହିଁ । ନଗଦ ପଇସା ଦେଇ ମୁଁ ବେପାର କରେ । ଆପଣଙ୍କ ଉପରେ ଆଉ ମୁଁ ବାକି ରଖି ପାରିବି କେମିତି ?’’

 

ଅନୁନୟ କରିବା ଭଙ୍ଗୀରେ ଚନ୍ଦ୍ରାବତୀ କହିଲା—ଆଉ ମାତ୍ର ଗୋଟିଏ ଦିନ ଅପେକ୍ଷା କରନ୍ତୁ...କାଲି ରାତିକୁ ମୁଁ ସବୁ ସୁଝିଦେବି....’’

 

ଚନ୍ଦ୍ରାବତୀର ଅନୁରୋଧକୁ ଶୁଣିବା ଭଳି ଅବସ୍ଥାରେ ନ ଥିଲେ ବଳରାମ ମିଶ୍ର । ହଠାତ୍‌ ଚନ୍ଦ୍ରାବତୀ ନିକଟକୁ ଲାଗିଆସି କହିଲେ—‘‘ନାଁ....ନାଁ...ମୋତେ ଆଜି କଡ଼ାଗଣ୍ତା କରି ମୋର ପାଉଣା ନେବାକୁ ହେବ ।’’

 

ପିଞ୍ଜରାବଦ୍ଧ ଶୁଆ ଭଳି କମ୍ପି ଉଠିଲା ଚନ୍ଦ୍ରାବତୀ....

 

ନରମ ଗଳାରେ କହିଲା—ବେଶ୍‌....ଆପଣଙ୍କ ଅସୁବିଧା କଥା ମୁଁ ବୁଝୁଛି । ମୋ ସଙ୍ଗରେ ଚାଲନ୍ତୁ....ଆଜି ମୁଁ ଆପଣଙ୍କ ସମସ୍ତ ଟଙ୍କା ପରିଶୋଧ କରିଦେବି ।

 

ବଳରାମ ମିଶ୍ରଙ୍କ ମୁହଁ ଉଜ୍ଜ୍ୱଳ ହୋଇଉଠିଲା । ସାହସ ପାଇଲା ଭଙ୍ଗିରେ କହିଲେ–‘‘କୋଉଠିକି ଯିବାକୁ ହେବ ?’’

 

କଥାଟାକୁ ସ୍ପଷ୍ଟ ନ କରି ଚନ୍ଦ୍ରାବତୀ କହିଲା—‘‘ଏଇ ସାମାନ୍ୟ ଦୂର...ଆସନ୍ତୁ ମୋ ସଙ୍ଗରେ ।’’ କଥା କହୁଁ କହୁଁ ଚନ୍ଦ୍ରାବତୀ ପ୍ରଖର ଗତିରେ ଚାଲିବାକୁ ଲାଗିଲା । ପଛେ ପଛେ ଛାଇ ପରି ଚାଲିଲେ ବଳରାମ ମିଶ୍ର ।

 

ହୋଟେଲ ସାମନାରୁ ଖଣ୍ତେ ରିକ୍‌ସା ଧରି ବସିଲେ ଦି ଜଣ...ଏଗାରଟା ପରେ କଟକ ବଜାର ପଡ଼ି ପଡ଼ି ଆସୁଛି । ଚନ୍ଦ୍ରାବତୀର ସେ ଆଡ଼କୁ ଲକ୍ଷ୍ୟ ନାହିଁ । ସେ କେବଳ ନାନା କଥା ଚିନ୍ତା କରୁଛି ଆସନ୍ନ ଭାବୀ ବିପଦରୁ ରକ୍ଷା ପାଇବା ପାଇଁ... । ଡବଲ୍‌ଗତିରେ ଗଡ଼ି ଚାଲିଛି ରିକ୍‌ସା ଖଣ୍ତିକ ।

 

ହଠାତ୍‌ ପୁରୀଘାଟ ନିକଟରେ ରିକ୍‌ସାଟି ବନ୍ଦ କରି ରିକ୍‌ସାବାଲା ପଚାରିଲା—କୁଆଡ଼େ ଯିବ ବାବୁ ?

 

ଚେତନା ପଶିଲା ଚନ୍ଦ୍ରାବତୀର....

 

ସମ୍ମୁଖରେ କାଠଯୋଡ଼ି ନବୀର ଦିଗହଜା ବାଲୁକାରାଶି । କଡ଼େ କଡ଼େ ଆଦିମ କାଠଯୋଡ଼ିର ପଥର ବନ୍ଧ.... । କୁଆଡ଼େ ବା ଯିବ ସେ ? କ’ଣ କହିବ ବଳରାମ ମିଶ୍ରଙ୍କୁ ?

 

ବୁଦ୍ଧି ଜୁଟୁନାହିଁ.... । ଭାଷା ଫେରୁନାହିଁ । ତଥାପି ରିକ୍‌ସା ଅଟକାଇ ଓହ୍ଲାଇବାକୁ କହିଲା ବଳରାମ ମିଶ୍ରଙ୍କୁ । ଓହ୍ଲାଇଲେ ମିଶ୍ର । ରିକ୍‌ସାର ପାଉଣା ଦେଇ ଆଗେଇଲେ ଚନ୍ଦ୍ରାବତୀ ସହିତ ।

 

ଚାଲିଛି ଚନ୍ଦ୍ରାବତୀ....କାଠଯୋଡ଼ି ବନ୍ଧେ ବନ୍ଧେ...

 

ଆଗରେ ଖାନ୍‌ନଗର ମଶାଣି । କଟକ ସହରର ବହୁ ମଣିଷଙ୍କର ସ୍ୱର୍ଗରାଜ୍ୟ । କାହିଁ କେତେ ମଲା ମଣିଷଙ୍କ ଇତିହାସ ଧରି ଏ ମଶାଣି ରହିଛି ଆଦିମ କାଳରୁ....

 

ବାଟରେ ଅଟକିଯାଇ ବଳରାମ ମିଶ୍ର କହିଲେ—‘‘ଆଉ କୁଆଡ଼େ ମୋତେ ନେଉଛନ୍ତି ଶୁଣେ ?’’

 

ହସି ହସି ଚନ୍ଦ୍ରାବତୀ କହିଲା—‘‘ନାଇଁ ଏଇ ମାତ୍ର ଦି’ ଖୋଜ ଆଗକୁ । ଆସନ୍ତୁ......ଏଇଠି ପରା ମୁଁ ମୋ ଟଙ୍କା ପୋତି ରଖିଛି......’’

 

ମନେ ମନେ ଅସମ୍ଭବ ମନେ କରୁଥିଲେ ବଳରାମ ମିଶ୍ର...

 

ହଠାତ୍‌ ଗୋଟିଏ ଜାଗାରେ ନଥ୍‌କରି ବସିପଡ଼ିଲା ଚନ୍ଦ୍ରାବତୀ....ବଳରାମ ମିଶ୍ରଙ୍କୁ ହାତଠାରି କହିଲା‘‘ବସନ୍ତୁ ।’’ ପ୍ରତିବାଦ କରି ବଳରାମ ମିଶ୍ର କହିଲେ–‘‘ଏଠି ବସି କ’ଣ ମିଳିବ-? ମୋ ଟଙ୍କା ମୋତେ ଦିଅନ୍ତୁ....ବେଳ ଡେରି ହେଉଛି....ମୁଁ ଯିବି.... ।’’

 

ଚନ୍ଦ୍ରାବତୀ କହିଲା‘‘ହଁ ଦେବି ତ ନିଶ୍ଚୟ । କିନ୍ତୁ ଆପଣଙ୍କୁ ଏତେବାଟ ଡ଼ାକି ଆଣିଛି....ଅନେକ କଥା ଶୁଣାଇବା ଲାଗି । ତା’ ନ ଶୁଣାଇ ଦେବି କେମିତି ? ବସନ୍ତୁ, କହୁଛି ସବୁ ।’’

 

ବାଧ୍ୟ ହୋଇ ବସିଲେ ବଳରାମ ମିଶ୍ର...

 

ଆରମ୍ଭ କଲା ଚନ୍ଦ୍ରାବତୀ...

 

‘‘ନଈ କୂଳରେ ଏଇ ଯେଉଁ ଦୁଇଟି ସମାଧି ଲଗାଲଗି ହୋଇ ରହିଛି......ତା’ ବିଷୟରେ ଆପଣ କିଛି ଜାଣନ୍ତି କି ?’’

 

କଥାରେ ବାଧା ଦେି ବଳରାମ ମିଶ୍ର କହିଲେଏସବୁ ବାଜେ କଥା ମୋତେ ପଚାରୁଛନ୍ତି କାହିଁକି ? ମୁଁ ଯେ ଟଙ୍କାପାଇଁ ଆସିଛି । ଅନେକ ରାତି ହେଲାଣି....ଶୀଘ୍ର ଟଙ୍କା ଦେଇ ବିଦା କରନ୍ତୁ ।

 

ଆଉ ଟିକେ ଗମ୍ଭୀର ଓ କୋମଳ ହୋଇ ଚନ୍ଦ୍ରାବତୀ କହିଲା ମୁଁ ଥରେ କହିଛି ବଳରାମ ବାବୁ......ସଙ୍ଗେ ସଙ୍ଗେ ଆପଣଙ୍କର ସବୁ ପଇସା ପରିଶୋଧ କରିଦେବି । ହେଲେ ଆପଣଙ୍କୁ ଗୋଟିଏ ଗୁରୁତର କଥା ନ କହି ମୁଁ ଚୁପ୍‌ ରହିବାକୁ ଠିକ୍‌ ମନେ କରୁନାହିଁ । ଦୟାକରି ମୋତେ ସାମାନ୍ୟ ଉତ୍ତର ଦିଅନ୍ତୁ ।

 

ସଜିଲ ହୋଇ ଉତ୍ତର ଦେବାକୁ ବସିଲେ ବଳରାମ ମିଶ୍ର

 

ସେତେବେଳକୁ ଖାନ୍‌ନଗରର ରାସ୍ତା ପ୍ରାୟ ଜନଶୂନ୍ୟ ହୋଇ ଯାଇଥିଲା...ରାତିର ଅନ୍ଧକାର ମଧ୍ୟରେ ହାହାକାର କରୁଥିଲା କାଠଯୋଡ଼ି ନଈର ବାଲି । ଥଣ୍ତା ଥଣ୍ତା ଶୀତୁଆ ପବନରେ ଶୀତେଇ ଉଠୁଥିଲା ଚନ୍ଦ୍ରାବତୀର ଦେହ...

 

ପୁଣି ଆରମ୍ଭ କଲା ଚନ୍ଦ୍ରାବତୀ...

 

‘‘ଆଚ୍ଛା କହନ୍ତୁ ବଳରାମ ବାବୁ ! ଆପଣ କ’ଣ ଏ ପିଲ୍‌ଗ୍ରିମ ହୋଟେଲର ଦୁଇ ମହଲା କୋଠାଟି ତିଆରି କରିଥିଲେ ?’’

 

ବଳରାମ ମିଶ୍ର ଟିକେ ଅପ୍ରସ୍ତୁତ ହୋଇ କହିଲେ‘‘ନାଁ....କିନ୍ତୁ ଆପଣ କାହିଁକି ଏ ବସୁ ପ୍ରଶ୍ନ ପଚାରୁଛନ୍ତି ମୁଁ ଜାଣି ପାରୁନି ।’’

 

ଚନ୍ଦ୍ରାବତୀ କଥାଟା ଉପରେ ଗୁରୁତ୍ୱ ଦେଇ କହିଲା ‘‘ବେଶ୍‌....ବେଶ୍‌....ଏବେ ସାମାନ୍ୟ ସମୟ ପାଇଁ ମୋ କଥା ଶୁଣନ୍ତୁ । ଏଇ ପିଲ୍‌ଗ୍ରିମ୍‌ ହୋଟେଲର ଦ୍ୱିତଳ ପ୍ରାସାଦଟି ନିର୍ମାଣ କରିଥିଲେ ଶ୍ରୀ ଶକ୍ତିଧର ଆଚାର୍ଯ୍ୟ । ଆପଣ ତାଙ୍କଠାରୁ କୋଠାଟିକୁ ଟଙ୍କା ଦେଇ ଖରିଦ୍‌କରିଛନ୍ତି ।’’

 

ଏଥର ସାମାନ୍ୟ ବିରକ୍ତ ହେବା ଭଳି ବଳରାମ ମିଶ୍ର କହିଲେ‘‘ହଁ...କ’ଣ ହେଲା ସେଠୁ ?’’

 

‘‘ନାଁ....କିଛି ନୁହେ । ଏ ହେଉଛି ପିଲ୍‌ଗ୍ରିମ ହୋଟେଲ ଦ୍ୱିତଳ ପ୍ରାସାଦର ଆଦିମ ଇତିହାସ ।’’ ଚନ୍ଦ୍ରାବତୀର ମୁଖରେ ସ୍ମିତ ହାସ୍ୟରେଖା । ବାଧ୍ୟ ହୋଇ ଆପଣଙ୍କୁ ସେ ଇତିହାସ ସମ୍ୱନ୍ଧରେ କିଛି ନାଁ କିଛି ଶୁଣିବାକୁ ହେବ ।

 

ବାଧ୍ୟ ହୋଇ ପୁଣି କାନପାତି ଅପେକ୍ଷା କଲେ ବଳରାମ ମିଶ୍ର...ଚନ୍ଦ୍ରାବତୀ କହିଲା–‘‘ଶକ୍ତିଧର ଆଚାର୍ଯ୍ୟ ଜଣେ ବିରାଟ ଧନୀ । ମନରେ ଅନେକ କିଛି ସୁଖ କଳ୍ପନା କରି ସେ ନିର୍ମାଣ କରିଥିଲେ ଏଇ ପ୍ରାସାଦଟି । ଏଇ ପ୍ରାସାଦ ଦେହରେ କାଳାତୀପାତ କରିବାର ଆଗ୍ରହ ତାଙ୍କର ଥିଲା-। କିନ୍ତୁ କହି ପାରିବେ ବଳରାମ ବାବୁ....ତଥାପି ସେ ଆପଣଙ୍କୁ କୋଠାଟି ବିକ୍ରୀ କଲେ କାହିଁକି ?’’

 

ଚିଡ଼ି ଉଠିବା ଭଳି ବଳରାମ ମିଶ୍ର କହିଲେ‘‘ସେ କଥା ମୁଁ ଜାଣିବି କେମିତି ?’’

 

କଥା ଉପରେ ଗୁରୁତ୍ୱ ଦେଇ ଚନ୍ଦ୍ରାବତୀ କହିଲା‘‘ନାଁ......ନାଁ......ଆପଣ ଫାଙ୍କି ଦେଲେ ଚଳିବ ନାହିଁ.... । ଆପଣ ସାମାନ୍ୟ କିଛି ଜାଣିଛନ୍ତି ନିଶ୍ଚୟ....’’

 

ଚୁପ୍‌ ହେଇଗଲେ ବଳରାମ ମିଶ୍ର....

 

ପୁଣି ଆରମ୍ଭ କଲା ଚନ୍ଦ୍ରାବତୀ‘‘ଏଇ ଶକ୍ତିଧର ଆଚାର୍ଯ୍ୟଙ୍କର ମାତ୍ର ଗୋଟିଏ ବୋଲି ଝିଅ । ଆଚାର୍ଯ୍ୟଙ୍କର ସମସ୍ତ ଆଶା ଆଉ ଭରସା ଥିଲା କେବଳ ଏଇ ଝିଅଟି ଉପରେ । ଶକ୍ତିଧରଙ୍କର ଇଚ୍ଛାନୁସାରେ ଝିଅଟି କଲିକତାରେ ରହି ଟାବ୍‌ଲେଟ୍‌ ବିଜ୍ଞାନ ସମ୍ୱନ୍ଧରେ ତାଲିମ୍‌ ନେଉଥିଲା । କାରଣନିଜେ ଶ୍ରୀ ଆଚାର୍ଯ୍ୟ ଥିଲେ ଜଣେ ଔଷଧ ବ୍ୟବସାୟୀ । ଏଇ ଝିଅଟି କଲିକତାରେ ଥିବାବେଳେ ତା’ରି ଅଚାନକ ଆସକ୍ତି ଜନ୍ମେ ବଙ୍ଗଳାର ବିଖ୍ୟାତ ଔଷଧ ବ୍ୟବସାୟୀ ମୋହିତ ଚୌଧୁରୀଙ୍କ ସହିତ । ଶକ୍ତିଧର ଏ ପ୍ରସ୍ତାବକୁ ସ୍ୱୀକାର କରନ୍ତିନି....କାରଣ ସେ ଥିଲେ ସେଣ୍ଟପରସେଣ୍ଟ ଓଡ଼ିଆ । ବଙ୍ଗାଳୀଙ୍କ ଉପରେ ତାଙ୍କର ଗୋଟିଏ ସ୍ୱଭାବିକ ଘୃଣା ଥିଲା.... ।’’

 

ଆହୁରି ବିରକ୍ତ ହୋଇ ଉଠିଲେ ବଳରାମ ମିଶ୍ର....ବ୍ୟସ୍ତ ହୋଇ କହିଲେ ‘‘ଏ ସବୁ ବାଜେ କଥା ମୋତେ କହୁଛନ୍ତି କାହିଁକି ?’’

 

ସାନ୍ତ୍ୱନା ଦେଲା ଚନ୍ଦ୍ରାବତୀ....‘‘ନାଇଁ ବଳରାମ ବାବୁ....ଆଉ ମାତ୍ର ସାମାନ୍ୟ କିଛି ସମୟ ଅପେକ୍ଷା କରନ୍ତୁ.... ।’’

 

ଅଚାନକ ଦିନେ ଝିଅଟି ମୋହିତ ଚୌଧୁରୀଙ୍କୁ ସଙ୍ଗରେ ଧରି କଟକ ଆସିଥିଲା । ବହୁ ଆଶା ଓ ଭରସା ଧରି ଏଇ ପିଲ୍‌ଗ୍ରିମ ହୋଟେଲର ପ୍ରାସାଦ ଭିତରକୁ ଯାଇଥିଲା । ଠିକ୍‌ ମୁଁ ରହିଥିବା ଦୁଇମହଲା ରୁମ୍‌ ଦେହରେ ଆଶ୍ରୟ ନେଇଥିଲେ ସେମାନେ । ଏକଥା କିନ୍ତୁ ଶକ୍ତିଧରଙ୍କୁ ଭଲ ଲାଗିଲା ନାହିଁ । ସଙ୍ଗେ ସଙ୍ଗେ ସେ ଆପତ୍ତି କରି ମୋହିତକୁ ନାନା କୁଭାଷାରେ ଭର୍ତ୍ସନା କଲେ-। ପ୍ରାସାଦ ଛାଡ଼ି ଚାଲି ନ ଗଲେ ବଳ ପୂର୍ବକ ବାହାର କରି ଦେବାକୁ ଧମକ୍‌ଦେଲେ... ।

 

କଥା ବେଳକୁବେଳ ଅସହ୍ୟ ଲାଗିଲା ଝିଅଟିକୁ । ପ୍ରାସାଦର ନିର୍ମାଣ କୌଶଳ ଦେଖି ଝିଅଟିର ଅନେକ ଆଶା ଜମାଟ ବାନ୍ଧିଥିଲେ । ଏଇ ପ୍ରାସାଦ ଦେହରେ ଦିନ ଦିନ କଟାଇ ଦେବାକୁ ସେ କାମନା କରିଥିଲା । ଜୀବନକୁ ଉପଭୋଗ କରିବା ପାଇଁ ପୋଷଣ କରିଥିଲା ।

 

କିନ୍ତୁ ପୂରଣ ହେଲାନି ଝିଅଟିର ଆଶା । ଶକ୍ତିଧରଙ୍କର ନିଷ୍ଠୁର ବ୍ୟବହାର ଯୋଗୁଁ ସବୁ କିଛି ଓଲଟ ପାଲଟ ହୋଇଗଲା.... ।

 

ଏଥର ଉଠିବାକୁ ଚେଷ୍ଟା କଲେ ବଳରାମ ମିଶ୍ର.... ।

 

ଚନ୍ଦ୍ରାବତୀ ତାଙ୍କ ହାତ ଧରି ବସାଇ ଦେଉଁ ଦେଉଁ କହିଲା....ଆଉ ମାତ୍ର ସାମାନ୍ୟ କେଇପଦ କଥା....ଅପେକ୍ଷା କରନ୍ତୁ ।

 

ଆପଣଙ୍କୁ ଆପଣଙ୍କ ପ୍ରାପ୍ୟ ନ ଦେଇ ମୁଁ ଛାଡ଼ିବି ନାହିଁ....

 

ଶକ୍ତିଧର ମୋହିତଙ୍କୁ ମାରିବା ପାଇଁ ଧାଇଁ ଆସିଲେ । ଆଉ ସହ୍ୟ କରି ପାରିଲେନି ପ୍ରେମିକ ପ୍ରେମିକା । ସେହି ଦ୍ୱିତଳ ପ୍ରାସାଦ ଉପରୁ ଡେଇଁ ପଡ଼ି ଆତ୍ମହତ୍ୟା କଲେ ସେମାନେ । ରକ୍ତାକ୍ତ ହୋଇଗଲା ଦ୍ୱିତଳ ପ୍ରାସାଦର ଅଗଣା । କିନ୍ତୁ ପରମୁହୂର୍ତ୍ତରେ ଶକ୍ତିଧର ନିଜର ଭ୍ରମ ବୁଝିପାରିଲେଆଉ କିଏ ଅଛି ତାଙ୍କର ଏ ସଂସାରରେ ? ଝିଅ ଯେ ତାଙ୍କର ସବୁ । କିନ୍ତୁ ସେତେବେଳକୁ ସବୁ ଶେଷ । ଦୁଃଖରେ ମର୍ମାହତ ହୋଇ ଶକ୍ତିଧର ଦୁଇଟିଯାକ ଶବକୁ ମହା ସମାରୋହରେ ଆଣି ସମାଧି ଦେଇଥିଲେ...ସେ ଦୁଇଟି ହେଉଛି ଏଇ ସମ୍ମୁଖର ସମାଧି ।

 

‘‘ହାତ ବଢ଼ାଇ ଦଇଟି ସମାଧିକୁ ଦେଖାଇ ଦେଲା ଚନ୍ଦ୍ରାବତୀ ।’’

 

ଚମକି ପଡ଼ିଲେ ବଳରାମ ମିଶ୍ର...

 

ପୁଣି ଆରମ୍ଭ କଲା ଚନ୍ଦ୍ରାବତୀ....‘‘ଶକ୍ତିଧରଙ୍କର ଝିଅର ନାଁ....ଟା କହିପାରିବେ ଆପଣ-?’’

 

‘ନାଁ’...ଅଲକ୍ଷ୍ୟରେ ବାହାରି ପଡ଼ିଲା ବଳରାମ ମିଶ୍ରଙ୍କ ମୁହଁରୁ...

 

ହସି ହସି ଚନ୍ଦ୍ରାବତୀ କହିଲାଏଇ ସମାଧି ଉପରକୁ ଅନାନ୍ତୁତା ନାଁଚନ୍ଦ୍ରାବତୀ । ତା’ ମନରେ ଯେଉଁ ଆଶାଯେଉଁ ଅଭିଳାଷ ଥିଲା—ପ୍ରାସାଦରେ କିଛିଦିନ ତହିବାତ ଯେଉଁ ମୋହ ଥିଲାସେହି ହିଁ ତାକୁ ବାର ବାର ଆଘାତ ଦେଉଥିଲା । ତେଣୁ ଏ ସମାଧି ଭିତରେ ଥାଇ ସେ ଅନେକଥର ଇଚ୍ଛା କରୁଥିଲାଏ ପ୍ରାସାଦକୁ ଯାଇ ରହି ଆସିବାକୁ ।

 

ମୁଁ ସେହି ଶକ୍ତିଧରଙ୍କ କନ୍ୟା ଚନ୍ଦ୍ରାବତୀ । କିଛିଦିନ ଆପଣଙ୍କ ପ୍ରାସାଦରେ ରହି ଉପଭୋଗ କରିବାର ମୋହକୁ ସମ୍ୱରଣ କରି ନ ପାରି ଯାଇଥିଲିମୋର ସେ ଆଶା ପରିପୂର୍ଣ୍ଣ ହୋଇଛି । ମୁଁ ଆପଣଙ୍କୁ ଆପଣଙ୍କ ଦେୟ ନ ଦେବି କାହିଁକି ?

 

ସେତେବେଳକୁ ଭୟରେ ପାଟି ଠକ ଠକ ବାଜି ଯାଇଥିଲା ବଳରାମ ମିଶ୍ରଙ୍କର

 

ଚନ୍ଦ୍ରାବତୀ କହିଲା‘‘ଭୟ କରନ୍ତୁନି ବଳରାମ ବାବୁ...ମୁଁ ଭୂତ ହୋଇ ଯେ ଆପଣଙ୍କର କିଛି କ୍ଷତି କରିବି ସେ କଥା ନୁହେଁ... । ଆସନ୍ତୁ...ଏଇ ସମାଧି ନିକଟକୁ ଆସନ୍ତୁ...ଆପଣଙ୍କ ଟଙ୍କା ନେଇଯିବେ ଆପଣ... ।’’

 

କଥାର ସମ୍ପୂର୍ଣ୍ଣାଂଶ ଶୁଣିବା ପର୍ଯ୍ୟନ୍ତ ସେଠାରେ ନ ଥିଲେ ବଳରାମ ମିଶ୍ର...ଜୟ ବିହ୍ୱଳିତ ହୋଇ ଦୌଡ଼ି ଦୌଡ଼ି ପଳାଇ ଯାଉ ଯାଉ ଚିତ୍କାର କରୁଥିଲେ ସେ....‘ଭୂତ’....‘ଭୂତ’ ।

 

ଭାବୀ ଅନିଶ୍ଚିତ ବିପଦର ଦୂରୀକରଣ ପରେ ଆଶ୍ୱସ୍ତିର ନିଃଶ୍ୱାସ ମାରିଲା ଚନ୍ଦ୍ରାବତୀ....

 

ଦେହରୁ ଗମ ଗମ ହୋଇ ବହି ଯାଉଥିଲା ଶ୍ରମ ଝାଳ । ଆଉ ବଳରାମ ମିଶ୍ର ଫେରିବାର ସମ୍ଭାବନା ନାହିଁ....ବା ଟଙ୍କା ମାଗି ବ୍ୟସ୍ତ କରିବାର ସମ୍ଭାବନା ନାହିଁ । ମନେ ମନେ ବେଦମ୍‌ ହସୁଥିଲା ଚନ୍ଦ୍ରାବତୀ ଏଇ ମଣିଷମାନଙ୍କର କଥା ଭାବି ଭାବି । ସମୟ ବିଶେଷରେ ଏଇମାନେ ଭୂତ ହୋଇ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି । ପୁଣି ଭୂତର ନାଁ ଶୁଣିଲେ ପ୍ରାଣ ବିକଳରେ ପଳାନ୍ତି ଏମାନେ । ଏମାନେ ଭୀରୁ । ଏମାନେ ପଳାତକ । ଏମାନେ ସ୍ୱାର୍ଥପର ମଣିଷ ।

 

ଥକ୍‌କା ହୋଇ ସମାଧି ନିକଟରେ କିଛି ସମୟ ବସିଥିଲା ଚନ୍ଦ୍ରାବତୀ । ଜୀବନର ଭୟ ପୁଣି ଗ୍ରାସ କରି ବସିଲା ତାକୁ । ରାତି ପ୍ରାୟ ବାରଟା । କଟକର ରାସ୍ତା ନିଶୂନ ହୋଇ ଆସୁଛି । ବାୟୁମଣ୍ତଳ ଶୀତଳ ହୋଇ ଉଠୁଛି । କୋମଳତାର ନରମ ଆସ୍ତରଣ ବିଛେଇ ହୋଇଯାଉଛି କଟକର ଆକାଶ ପବନରେ । କୁଆଡ଼େ ଯିବ ସେ? ଯୁବତୀ ସେ । ଦିନ ଅପେକ୍ଷା ରାତିଟା ଯେ ଚନ୍ଦ୍ରାବତୀ ପରି ପୂର୍ଣ୍ଣଯୌବନା ସୃଷ୍ଟିଛଡ଼ା ଯୁବତୀଙ୍କ ନିକଟରେ କେଡ଼େ ଭୟଙ୍କର ତାହା କେବଳ ଚନ୍ଦ୍ରାବତୀ ହିଁ ଜାଣେ । ଏଇ ରାତିରେ ରାସ୍ତାର ଗୋଡ଼ି ମାଟି ମଧ୍ୟ ବାଘ ହୋଇ ଘାଉଲା କରିବାକୁ ବସନ୍ତି ଯୁବତୀ ପ୍ରାଣକୁ ।

 

ମଣିଷ ହୋଇ ଜୀବନରେ ଯୌବନ ଅଛି । ଯୌବନର ଡାକରା ମଧ୍ୟ ଅଛି । ଏଇ ଡାକରା ଧରାକୁ ସ୍ୱର୍ଗ କରେ । ପୁଣି ଏଇ ଡାକରା ଧରାକୁ ମଧ୍ୟ ନରକ କରିପାରେ । ସାମାନ୍ୟ କେତେ ବର୍ଷର ଦୌଡ଼ ଭିତରେ ଚନ୍ଦ୍ରାବତୀ କେବଳ ଦେଖିଛି ନରକର ପୂତିଗନ୍ଧ । ସ୍ୱର୍ଗ ଦେଖିବା ତା’ ନିକଟରେ ସମ୍ଭବ ହୋଇ ପାରିଲା ନାହିଁ । ସେଇଥିପାଇଁ ସେ ଅନେକ ସମୟରେ ଭୟକରେ ନିଜକୁ ।

 

ନିଜ ଅଙ୍ଗରେ ଯଦି ଯୌବନର ଚନ୍ଦ୍ରାତପ ଢାଙ୍କି ହୋଇ ନ ଥାନ୍ତାତେବେ ପଥ ହରାଇ ଦିଗହଜା ନାବିକ ପରି ପ୍ରାଣ ବିକଳରେ ଚିତ୍କାର କରନ୍ତାନି ଚନ୍ଦ୍ରାବତୀ । ଏଇ ଯୌବନ ହିଁ ତା’ ଜୀବନର ସବୁଠାରୁ ମସ୍ତବଡ଼ ଆତଙ୍କ । ବଣ ମଲ୍ଲି ବଣରେ ଫୁଟି ପଡ଼ି ଝଡ଼ି ନଷ୍ଟ ହେବାପରି ଏ ଯୌବନକୁ ସେ ନଷ୍ଟ ହେବାପାଇଁ ଛାଡ଼ି ଦେବାକୁ ଚାହେଁନି । ସେ ଚାହେଁତା’ର କଡ଼ା ଗଣ୍ତା ପ୍ରାପ୍ୟ ଆଦାୟ କରିବାକୁ । କିନ୍ତୁ

 

କିନ୍ତୁ ଏ ସମାଜ କ’ଣ ସମସ୍ତଙ୍କୁ ସମସ୍ତଙ୍କର ପ୍ରାପ୍ୟ ଦେଇ ଜାଣେ ? ଅନେକ ସମୟରେ ଜୋର କରି ପ୍ରାପ୍ୟ ଆଦାୟ କରିବାକୁ ହୁଏ । ସେହି ପ୍ରାପ୍ୟ ଆଦାୟ କରିବାପାଇଁ ଚାହେଁ ଚନ୍ଦ୍ରାବତୀ.... ।

 

ସେଇଥିପାଇଁ ତା’ ଜୀବନରେ ଏତେ ଦୁଃଖଏତେ ନିର୍ଯାତନା ।

 

ଉଠିଲା ଚନ୍ଦ୍ରାବତୀ...

 

ଅସୀମର ଆହ୍ୱାନରେ ଚନ୍ଦ୍ରାବତୀ ଦୌଡ଼େ ନାହିଁ । ସମୀମ ଦୈହିକ କାମନା ହିଁ ତା’ ଜୀବନର ମସ୍ତବଡ଼ କାମନା । ଏଇଥିପାଇଁ ସେ ରାତି ରାତି ହାର ହାର ଦ୍ୱାର ଦ୍ୱାର ବୁଲେ....ଜୀବନ ଭିକ୍ଷା କରେ ।

 

ଅନେକ ରାତି ସେ ଅନେକ ପୁରୁଷଙ୍କ ଘରେ କଟାଇଛି । ତୂଳିତଳ୍ପର ଶଯ୍ୟା ଉପରେ ଚାହିଁଛି ଗୋଟିଏ ଦିନର ଖୋରାଜ । ଏ ସବୁ ଦିନମାନଙ୍କରେ ଟିକେ ବୋଲି ଅନୁତପ୍ତ ହୋଇନି ସେ-। ଆଜି କିନ୍ତୁ ତା’ ଜୀବନରେ ଗୋଟିଏ ନୂଆ ଦିନ । ଆଜି ସେ ଚାହେଁନା କାହାର ଉଷୁମ କୋଳ ଭିତରେ ରାତିର ନିବିଡ଼ତା ଅନୁଭବ କରିବାକୁ । ଆଜି ସେ ଚାହେଁ ଏକ ନିର୍ବିକଳ୍ପ ଆତ୍ମିକ ଶାନ୍ତି-

 

ଠିଆ ହେଲା ଚନ୍ଦ୍ରାବତୀ......

 

ଏକ ଅହେତୁକୀ ତାଡ଼ନାରେ ଆଗେଇଲା ଆଗକୁ ।

 

ବାଁ ପାଖରେ କାଠଯୋଡ଼ି ବାଲି । ପଛରେ ବିରାଟ ଖାନ୍‌ନଗର ମଶାଣି । ହୁଏତ କେତୋଟି ବିଲୁଆ ପୁଳାଏ ପଚା ମାଂସ ପାଇଁ କଳି ଆରମ୍ଭ କରି ଦେଇଛନ୍ତି । ଆଉ ଟିକେ ପରେ ସେମାନେ ନିକଟତର ହେବେ । ନୂଆ ଶବର ଅନୁସନ୍ଧାନ କରିବେ ।

 

ଆଉ ଚିନ୍ତାକରି ପାରୁନି ଚନ୍ଦ୍ରାବତୀ.....

 

ଖାନନଗରର ଇତିହାସଠାରୁ ଯେ ଏ ବିଲୁଆମାନଙ୍କର ଇତିହାସ ମଧ୍ୟ କମ୍‌ ନୁହେଁ....ଏକଥା ବେଶ୍‌ ଜଣାଥିଲା କୁମାରୀ ଚନ୍ଦ୍ରାବତୀକୁ ।

 

ବାଟ ଦେଖିଲା ମଣିଷ ଭଳି ଆଗକୁ ଚାଲିବାରେ ଲାଗିଛି ଚନ୍ଦ୍ରାବତୀ । କେଉଁଆଡ଼େ ଯିବ ସେ ? କେତେ ବାଟ ବା ଯିବାକୁ ହେବ ତାକୁ ?

 

ସମ୍ମୁଖରେ ଦ୍ୱିମହଲା ପ୍ରାସାଦ । ନୀଳ ରଙ୍ଗର ଆଲୁଅ ଜଳୁଛି । ହୁଏତ କେଉଁ ଅଚିହ୍ନା ମଣିଷ ଏଇ ନୀଳ ଆଲୋକ ତଳେ ଜୀବନର ନୂଆ ସ୍ୱପ୍ନ ଦେଖୁଥିବେ । ସୁନାର ସଂସାର ଗଢିବାକୁ କାମନା କରୁଥିବେ ।

 

ପ୍ରାସାଦ ଆଡ଼େ ଚାହିଁ କିଛି ସମୟ ଅଟକିଗଲା ଚନ୍ଦ୍ରାବତୀ....

 

ତା’ ପରେ....

 

ତା’ ପରେ ଗେଟ୍‌ଖୋଲି ଭିତରକୁ ମୁହାଁଇଲା....

 

ଆଜି ଲୋପାମୁଦ୍ରାକୁ ନିଦ ନାହିଁ । ମାତ୍ର ସଞ୍ଜବେଳେ ଚିତ୍ରାଙ୍ଗଦା ଖବର ଦେଇଯାଇଛି....ଅଧ୍ୟାପକ ହେମକାନ୍ତଙ୍କୁ କଲେଜରୁ ବହିଷ୍କାର କରାଗଲା । ତାଙ୍କ ପଛରୁ ଏମ୍‌. ଏ. ଡିଗ୍ରୀ କାଢ଼ି ନେବାପାଇଁ ବିଶ୍ୱବିଦ୍ୟାଳୟକୁ ଲେଖାଗଲା ।

 

କିନ୍ତୁ ଏମିତି ନିଷ୍ଠୁର ଦଣ୍ତାଦେଶ ପାଇଁ କ’ଣ ଆପତ୍ତି ଦରଖାସ୍ତ ଦେଇଥିଲେ ଲୋପାମୁଦ୍ରା-?

 

ଚିତ୍ରାଙ୍ଗଦା କହୁଥିଲା....ଲୋପାମୁଦ୍ରାର ଅଭିଯୋଗ ସହିତ ଯୋଗ କରି ଅନେକ ଅଭିଯୋଗ ବାଢିଥିଲେ ସଦସ୍ୟମାନେ । କିଏ କହିଲାମୋ ପୁଅ ଉପରେ ଗ୍ରଜ୍‌ ରଖି ସେ ଫେଲ୍‌ କରାଇଛନ୍ତିକିଏ କହିଲାଅନେକ ଛାତ୍ର କ୍ଳାସରେ ଉପସ୍ଥିତ ଥିଲେ ମଧ୍ୟ ଗ୍ରଜ୍‌ ରଖି ସେ ଉପସ୍ଥାନ ନେଇ ନାହାନ୍ତିଁ । କିଏ କହିଲାଛାତ୍ରୀମାନଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ଦେଖାଇବା ତାଙ୍କ ନିକଟରେ ନୂଆ ନୁହେଁ । ଏମିତି ବହୁ ଘଟଣାରେ ସେ ସମ୍ପୃକ୍ତ ।

 

ଠକ ଠକ ହୋଇ ଲୋପାମୁଦ୍ରା ଆଖିରୁ ଲୁହ ଝରି ପଡ଼ିଲା ।

 

ହଁ...., କୁକୁରକୁ ଥରେ ପାଗଳ କହିବା ପରେ ବାଡ଼େଇ ବାଡ଼େଇ ମାରି ଦେଲେ ଆଉ ଦୋଷ ଲାଗେ ନାହିଁ । ଏ ମଣିଷ ବଡ଼ ସୁବିଧାକାରୀ । କାହାରି ବିରୁଦ୍ଧରେ ଗୋଟିଏ ଛୋଟ ଅଭିଯୋଗ ଉଠିଲେ ସେ ଶାଖା ପ୍ରଶାଖା ମେଲାର ଗତି କରିବାକୁ ଲାଗେ । ତାକୁ ଆଉ ରୋକି ହୁଏନାହିଁ । ତାକୁ ଆଉ ଅଟକାଇ ହୁଏନାହିଁ ।

 

କିନ୍ତୁ ସାମାନ୍ୟ କେତେ ଦିନ ଆଗରୁ କେଉଁଆଡ଼େ ଥିଲେ ଏ ଅଭିଯୋଗକାରୀମାନେ ?

 

ଆଉ ଭାବିପାରୁନି ଲୋପାମୁଦ୍ରା...

 

ଚିତ୍ରାଙ୍ଗଦା ଚାଲିଯାଇଛି ସତ....ହେଲେ ଲୋପାମୁଦ୍ରା ପାଇଁ ଛାଡ଼ି ଯାଇଛି ଭାବନାର ବିରାଟ ବୋଝ । ସେ ବୋଝକୁ ଆଉ ଓହ୍ଲାଇ ପାରୁନାହିଁ ଲୋପାମୁଦ୍ରା ।

 

ଠିକ୍‌ଏ ଖବର ପାଇବା ପରେ ହଠାତ୍‌ ଦେହର ଗହଣାତକ ଓହ୍ଲାଇ ଲୋପାମୁଦ୍ରା ଥୋଇ ଦେଇଥିଲା ଦାଣ୍ତଘର ଟେବୁଲ ଉପରେ । ସତେ ଅବା ସେ ଭାବୁଥିଲା...ସେ ସନ୍ନ୍ୟାସିନୀ ହେବ । ସେ....ଅନାସକ୍ତା ହେବ... ।

 

ଏ ସମୟରେ ପହଞ୍ଚି ଯାଇଥିଲେ ବାରିଷ୍ଟର ଶାନ୍ତନୁ । ଥକ୍‌କା ମାରି ଠିଆ ହୋଇଯାଇ କହିଥିଲେ–‘‘ଏ କ’ଣ ମା ଲୋପା । ତୋର ଆଦରର ନେକ୍‌ଲେସ୍‌ଟିକୁ ଓହ୍ଲାଇ ଥୋଇଦେଲୁ ଯେ-?’’

 

ଆଖିରୁ ଲୁହ ଗଡ଼ାର ଅଧୀର ହୋଇପଡ଼ି ଲୋପାମୁଦ୍ରା କହିଲା‘‘କୁହ ବାପା ! ମୋ ଅପେକ୍ଷା କ’ଣ ଏ ନେକ୍‌ଲେସ୍‌ ଆହୁରି ସୁନ୍ଦର ? ଏ ସୁନାକାଠି ପରି ଦେହ କ’ଣ ତୁମକୁ ଆନନ୍ଦ ଦେଇ ପାରିବନି ବାପା ?’’

 

‘‘କିନ୍ତୁ କାହିଁକି ? କୋହିଁକି ଲୋପା ତୁ ବେଳେ ବେଳେ ଏମିତି ପାଗଳି ହୋଇ ଉଠୁଛୁ ?’’ ଶାନ୍ତନୁଙ୍କ ବୃଦ୍ଧ ଜରାଜୀର୍ଣ୍ଣ ଶରୀରରେ ରହସ୍ୟର ସୂଚନା-

 

କଥାର ମୋଡ଼ ବୁଲାଇ ଲୋପାମୁଦ୍ରା କହିଲା‘‘ନାଁ ବାପା ! ତୁମେ ଏଣୁ ତେଣୁ ଭାବନି-। ଏ ଦେଶର ଅନେକ ଝିଅ ତ ଗହଣା ପିନ୍ଧି ନାହାଁନ୍ତି....ତୁମେ ତାଙ୍କ ପାଇଁ ତ କେବେ ବ୍ୟସ୍ତ ହେଉନାହିଁ....ତେବେ ମୋ ପାଇଁ ଏମିତି ଅଧୀର ହେଉଛ କାହିଁକି ?’’

 

ଲଜ୍ଜିତ ହେଲେ ବାରିଷ୍ଟର ଶାନ୍ତନୁ । ଲୋପାମୁଦ୍ରା ନିକଟରୁ ହାର ମାନିବା ତାଙ୍କ ଜୀବନରେ ଏ ନୂଆ ନୁହେଁ । ଅନେକବାର ସେ ଲୋପାମୁଦ୍ରା ନିକଟରେ ପରାସ୍ତ ହୋଇଛନ୍ତି । ତାଙ୍କ ବାରିଷ୍ଟରୀ ପାଠ ହାରମାନିଛି । ଆଜି ବି ସେମିତି ଗୋଟିଏ ଦିନ ।

 

ହସି ହସି ଶାନ୍ତନୁ ଚାଲି ଯାଉ ଯାଉ କହିଲେ‘‘ବେଶ୍‌…. ତୋର ଇଚ୍ଛା ଯାହା ତୁ କର… ମୁଁ ସେଥିରେ ବାଧା ଦେବି କାହିଁକି ?’’

 

କଥା କହୁ କହୁ ଚାଲି ଯାଇଥିଲେ ଶାନ୍ତନୁ । ଦାଣ୍ତଘରୁ ସିଧା ସେମିତି ଆସି ଖଟ ଉପରେ ଶୋଇ ଯାଇଥିଲା ଲୋପାମୁଦ୍ରା । ଟେବୁଲ ଉପରେ ପଡ଼ି ରହିଥିଲା ସମସ୍ତ ଅଳଙ୍କାର ।

 

ଘର କବାଟରେ ଠକ୍‌ ଠକ୍‌ ଶଦ୍ଦ କଲା ଚନ୍ଦ୍ରାବତୀ । କିନ୍ତୁ କାହିଁ...କେହି ଉତ୍ତର ଦେଲେ ନାହିଁ । ଧୀରେ କବାଟକୁ ଠେଲିଦେଲା ସେ । ଖୋଲିଗଲା କବାଟ । ନିର୍ଭୟରେ ଆଗକୁ ପାଦ ବଢ଼ାଇ ଘର ଭିତରକୁ ପଶିଲା ଚନ୍ଦ୍ରାବତୀ ।

 

ଝଲସି ଉଠିଲା ଚନ୍ଦ୍ରାବତୀର ଆଖି...

 

ଟେବୁଲ ଉପରେ ବହୁମୂଲ୍ୟ ଅଳଙ୍କାର । ଦମକି ଠିଆ ହୋଇଗଲା ସେ । ଦଣ୍ତକ ମାତ୍ରେ ଚନ୍ଦ୍ରାବତୀ ଭିତରେ ରାକ୍ଷସୀ ପ୍ରବୃତ୍ତି ଚେଇଁ ଉଠିଲା । ତାଣ୍ତବଲୀଳା ଆରମ୍ଭ କଲା ପ୍ରଲୋଭନର ମାୟା ।

 

ମୂଲ୍ୟବାନ ଗହଣା ପ୍ରତି ଜାତିର ଯେଉଁ ମୋହ ତାହା ଚନ୍ଦ୍ରାବତୀ ନିକଟରୁ ଦୂରେଇ ରହନ୍ତା କେମିତି ? ଏଇ ଗହଣା ପାଇଁ ସ୍ତ୍ରୀ, ପୁରୁଷକୁ ମିଛ କହେ...ଅଳି କରେ...ଛଳନାର ଜାଲ ମେଲାଏ । ଦରକାର ହେଲେ ଆଖିରୁ ଲୁହ ଗଡ଼ାଏ । ଅନେକ ସମୟରେ ନାରୀ ସ୍ତ୍ରାମୀଠାରୁ ମୂଲ୍ୟବାନ ମଣେ ଗହଣାକୁ । ରୋଗଗ୍ରସ୍ତ ସ୍ୱାମୀର ସେବାପାଇଁ ଗହଣାକୁ ମୁରୁଛେ ନାହିଁ ନାରୀ....-

 

ଏଇ ଗହଣା ପାଇଁ ଅଭାବି ପରିବାର ସରଗରମ୍‌ହୁଏ । ସ୍ୱାମୀର ରକ୍ତ ପାଣି ହୁଏ...ତଥାପି ପୂର୍ଣ୍ଣ ହୁଏନି ଗହଣାର ବରାଦ । ମୂଠାଏ ପାଣିକାତ ପାଇଁ ଯେଉଁ ସ୍ତ୍ରୀ ଅଚିହ୍ନ କାଚରା ନିକଟରେ ହାତ ପତାନ୍ତି....ସେହି ସ୍ତ୍ରୀ ଜାତି ମଧ୍ୟରୁ ତ ଜଣେ ଚନ୍ଦ୍ରାବତୀ.... ।

 

ପ୍ରତ୍ୟେକ ସ୍ତ୍ରୀ ଭାବନ୍ତିଆମେ ଭାରି ସୁନ୍ଦରୀ । ଗହଣା ନାଇଲେ ଆମେ ଆହୁରି ସୁନ୍ଦର ହୋଇଯିବୁ । ସେଇ ସୌନ୍ଦର୍ଯ୍ୟର ପ୍ରଶଂସା ଚାହାଁନ୍ତି ସ୍ତ୍ରୀମାନେ ।

 

ଠିକ୍ ଏହି ପ୍ରଶଂସା ଆଶାରେ ହିଁ ଅନେକ ସ୍ତ୍ରୀ ପଥ ହୁଡ଼ନ୍ତି । ପୁଣି ଠିକ୍‌ବାଟକୁ ଫେରି ଆସିବା ତାଙ୍କ ନିକଟରେ ସମ୍ଭବ ହୁଏନାହିଁ । ନାରୀ ରୂପର ତାରିଫ୍‌କରି ଅସାବଧାନତାରେ ଅଙ୍ଗ ସ୍ପର୍ଶ କଲେ ଆପତ୍ତି କରି ପାରେନି ନାରୀ– ।

 

ସେହି ନାରୀ ସମାଜର ଅନ୍ୟତମା ଅଭିନେତ୍ରୀ ଚନ୍ଦ୍ରାବତୀ । ଲୋପମୁଦ୍ରାର ମୂଲ୍ୟବାନ୍‌ ହାରକୁ ଦେଖି ଗୋଡ଼ ଉଠାଇ ପାରିଲାନି ଆଉ । ହାତରେ ଧରି ଟେବୁଲ୍‌ ନିକଟରେ ପରୀକ୍ଷା କଲା ଅନେକ ସମୟ । ତା’ପରେ....

 

ନାଁ କାହାରି ସୋଶଦ୍ଦ ନାହିଁ । ନିର୍ଦ୍ଦିଘ୍ନରେ ସବୁକୁ ନିଜର କରି ହେବ । ଧୀରେ ପୁଣି ପାଦ କାଢ଼ି ବାହାରି ଯିବାକୁ ଲାଗିଲା ଚନ୍ଦ୍ରାବତୀ...

 

ହଠାତ୍‌ ସମ୍ମୁଖପଟୁ ଗୁରୁଗମ୍ଭୀର ନାଦ କରି କମ୍ପିଉଠିଲେ ବାରିଷ୍ଟର ଶାନ୍ତନୁ......‘‘କିଏ-?’’

 

ପାଣି ଫାଟିଗଲା ଚନ୍ଦ୍ରାବତୀର ସାହସ । ଚନ୍ଦ୍ରାବତୀ ଅସତୀ ସତ....ହେଲେ ଚୋରଣୀ ନୁହେଁ । ଚୋରୀ କରିବାର କଳା ମାଲୁମ ନାହିଁ ଚନ୍ଦ୍ରାବତୀକୁ । ଚନ୍ଦ୍ରାବତୀ ମନ ଚୋରୀ କରି ଜାଣେ....ହୃଦୟ ଚୋରୀ କରି ଜାଣେ ହେଲେ ନେକ୍‌ଲେସ୍‌ ଚୋରୀ କରି ଜାଣେ ନାହିଁ । ଏଇ ମାତ୍ର ତା’ ଜୀବନରେ ପ୍ରଥମ । ଚୋରୀ କରୁଥିବାବେଳେ ଚୋର ମନରେ ଯେଉଁ ଦୁର୍ବଳତା ତାହା ପ୍ରଥମ । ଚୋରୀ କରୁଥିବାବେଳେ ଚୋର ମନରେ ଯେଉଁ ଦୁର୍ବଳତା ତାହା ପ୍ରଥମ କରି ଅନୁଭବ କରୁଥିଲା ଚନ୍ଦ୍ରାବତୀ....

 

ପୁଣି ଚିତ୍କାର କଲେ ଶାନ୍ତନୁ....‘‘କିଏ ତୁମେ ?’’

 

ଖନି ବାଜିଗଲା ଚନ୍ଦ୍ରାବତୀର ପାଟି । ପ୍ରଗଳ୍‌ଭା ଚନ୍ଦ୍ରାବତୀ ଆଜି ନୂଆକରି ମୂକ ଯାଉଛି-। ମଣିଷର ଜୀବନରେ ଯେ ଏମିତି ଦୁର୍ବଳ ସମୟ ଆସେ ଏଇ ନୂଆକରି ଅନୁଭବ କରୁଛି ସେ...-। ହୃଦୟର ସମସ୍ତ ସାହସ......ସମସ୍ତ ଦାମ୍ଭୀକତା ଉଭେଇ ଯାଉଛି କେଉଁଆଡ଼େ । ନୂଆ କରି ପ୍ରେମ କରୁଥିବା ବେଳେ ବଳଶାଳୀ ଯୁବକର ପାଟି ଖନି ବାଜିଗଲା ଭଳି, ଦୋହଲି ଉଠଛି ଚନ୍ଦ୍ରାବତୀ ।

 

ଏଣେ ଶାନ୍ତନୁ ମଧ୍ୟ ଛାଡ଼ିବା ଲୋକ ନୁହଁନ୍ତି । ବହୁଦିନର ପୁରୁଣା ରାଇଫଲ୍‌ଟାକୁ ହାତରେ ଧରି ସମ୍ମୁଖରେ ଠିଆ ହୋଇଛନ୍ତି ସେ । ବିଗତ ଶିକାରୀ ଜୀବନରେ ଅସ୍ପଷ୍ଟ ଆଲୋକ ଖେଳିଯାଉଛି ତାଙ୍କ ମୁଖମଣ୍ତଳରେ । ଠିକ୍‌ ବାଘକୁ ଓଗାଳିଲା ସେ ଠିଆ ହୋଇଛନ୍ତି ସମ୍ମୁଖରେ ।

 

ଟ୍ରିଗର ଉପରେ ଶାନ୍ତନୁଙ୍କ ଆଙ୍ଗୁଳି...

 

ଯୁଦ୍ଧ ସମୟରେ ନିଜର ରନ୍‌ଓ୍ୱେ ନଷ୍ଟ ହେବା ପରେ ଯେମିତି ପାକିସ୍ଥାନୀ ବିମାନଗୁଡ଼ିକ ବାଟବଣା ହୋଇ....ନିଜ ଜାହାଜକୁ ନିଜେ ଗୁଳି କରୁଥିଲେଠିକ୍‌ ସେମିତି ନିଜକୁ ନିଜେ ଅସମ୍ଭବ ରକମ ଧିକ୍‌କାର କରୁଥିଲା ଚନ୍ଦ୍ରାବତୀ ।

 

ବୃଦ୍ଧ ଶାନ୍ତନୁଙ୍କ ମୁହଁରେ କିନ୍ତୁ ସେହି ଗୋଟିଏ ପ୍ରଶ୍ନ....‘‘କିଏ ତୁମେ ?’’

 

‘‘ମୁଁ ଚନ୍ଦ୍ରାବତୀ’’ ଥରି ଥରି ଉତ୍ତର ଦେଲା ଚନ୍ଦ୍ରାବତୀ ।

 

ହଠାତ୍‌ ଟ୍ରିଗର ଉପରୁ ହାତ କୋହଳ ହୋଇଗଲା ଶାନ୍ତନୁଙ୍କର । ବନ୍ଧୁକଟାକୁ ଧରି ଠିଆ ହୋଇଗଲେ ଶାନ୍ତନୁ । ମନରେ ଏକ ଅତୀତ ସ୍ମୃତିର ଛାୟା ।

 

ଦିନେ ସେ ନିଜର ନିଃସନ୍ତାନ ଜୀବନର ଉତ୍ତପ୍ତ କାହାଣୀ ଶୁଣାଉଥିଲେ ବନ୍ଧୁ ଶକ୍ତିଧର ଆଚାର୍ଯ୍ୟଙ୍କୁ । ଅନ୍ତରଙ୍ଗ ବନ୍ଧୁ ଶକ୍ତିଧର ଆଚାର୍ଯ୍ୟ ହଠାତ୍‌ ସମବେଦନା ଜଣାଇ କହିଥିଲେ–ଶାନ୍ତନୁ-! ମୋର ମଧ୍ୟ ପୁଅ ନାହିଁ । କିନ୍ତୁ ନିଃସନ୍ତାନ ନୁହେଁ ମୁଁ । କନ୍ୟା ଚନ୍ଦ୍ରାବତୀ ଉପରେ ସବୁ ଆଶା ଓ ଭରସା ରଖି ମୁଁ ବଞ୍ଚିଛି । ଆଜିଠାରୁ ସେ ଆମ ଦୁଇଜଣଙ୍କର ହେଉ । କଲିକତାର ତାଲିମ୍‌ ଶେଷକରି ଫେରିବା ପରେ ସେ ତୋ ପାଖରେ ମାସେ ରହିଲେ ମୋ ପାଖରେ ମାସେ ରହିବ ।

 

ଆନନ୍ଦିତ ହୋଇଥିଲେ ଶାନ୍ତନୁ....

 

କଲିକତାରୁ ଚନ୍ଦ୍ରାବତୀର ଆଗମନ କଥା ଶୁଣି ସେ ଧାଇଁ ଯାଇଥିଲେ ପ୍ରଥମଥର ପାଇଁ ପାଛୋଟି ଆଣିବାକୁ । କିନ୍ତୁ....କିନ୍ତୁ....ଆଉ ଭାକିପାରୁ ନାହାଁନ୍ତି ଶାନ୍ତନୁ । କ’ଣ ନ ଦେଖିଥିଲେ ସେ.... । ଦ୍ୱିମହଲା ପ୍ରାସାଦ ତଳେ ରକ୍ତାକ୍ତ ହୋଇ ପଡ଼ିଥିଲା ଚନ୍ଦ୍ରାବତୀ । ତା ସହିତ ଜଣେ ଅଜଣା ଯୁବକ ।

 

ସେଦିନ ନୂଆ କରି ଶାନ୍ତନୁଙ୍କ ମୁହଁରେ ଦେଖା ଦେଇଥିଲା ଲୁହ । ସେ ଲୁହ ଶୁଣିଲା ଯାଇ ଲୋପାମୁଦ୍ରାର ଜନ୍ମ ପରେ......

 

ଆଜି ଦେଖୁଛନ୍ତି ଶାନ୍ତନୁ......

 

ସେ ଚନ୍ଦ୍ରାବତୀର ଅଦ୍‌ଭୂତ ସାମଞ୍ଜସ୍ୟ ଏ ଚନ୍ଦ୍ରାବତୀର ଦେହରେ । ସେହି ଆଖି....ସେହି ନାକ....ସେହି ଚେହେରା......ସୁଷମା......

 

ଅତୀତଟା ଜୀବନ୍ତ ହୋଇ ଉଠୁଛି ଶାନ୍ତନୁଙ୍କ ଆଗରେ । ଶିହରୀ ଉଠୁଛନ୍ତି ଶାନ୍ତନୁ । ତେବେ କ’ଣ ସେ ଚନ୍ଦ୍ରାବତୀର ଭୂତ ଆଜି ଆସିଛି ପରିହାସ କରିବା ପାଇଁ.... ? ନାଁ....ନାଁ....ସେ ଚନ୍ଦ୍ରାବତୀ ଏତେ ହୀନା ହୋଇ ନ ପାରେ....

ପୁଣି ଥରେ ନିଷ୍ଠୁର ଭାବେ ଶାନ୍ତନୁ ପଚାରିଲେ‘‘ଏଣେ କୁଆଡ଼େ ଆସିଥିଲ ତୁମେ ?’’

ଡରି ଡରି ଚନ୍ଦ୍ରାବତୀ କହିଲା‘‘ମାତ୍ର ରାତିଏ ରହିଯିବା ପାଇଁ ।’’

ହସି ଉଠିଲେ ଶାନ୍ତନୁ......‘‘ମାନେ ?’’

ଅସହାୟା ଭଳି ଚନ୍ଦ୍ରାବତୀ କହିଲା –‘‘ହଁ......ଏମିତି ରାତିଏ ରାତିଏ ତ ମୁଁ ଜଣ ଜଣକ ଘରେ ଅତିବାହିତ କରେ ।’’

‘‘ମାନେ ?’’ ଆହୁରି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଶାନ୍ତନୁ ।

‘‘ଗୃହହୀନା.....ପିତା ମାତାହୀନା....ମୁଁ ଜଣେ ରିଫୁଇଜି ବାଳିକା ।’’

ସାମାନ୍ୟ ଚିନ୍ତିତ ହୋଇ ପୃଣି କହିଲେ ଶାନ୍ତନୁ—‘‘ଯଦି ଆଶ୍ରୟ ନେବାକୁ ଆସିଥିଲ....ତେବେ ଚୋରୀ କରୁଥିଲ କାହିଁକି ?’’

ଡରି ଡରି ଚନ୍ଦ୍ରାବତୀ କହିଲା—‘‘ଜୀବନରେ କେତେ ମୂଲ୍ୟବାନ୍‌ ଅଳଙ୍କାର ମୁଁ ଦେଖିନି-। ହଠାତ୍‌ ନିର୍ଜନ କୋଠରୀରେ ଦେଖିବା ପରେ ଲୋଭ ହେଲା.... ।’’

ଆଶ୍ଚର୍ଯ୍ୟ ହୋଇଗଲେ ଶାନ୍ତନୁ ଚନ୍ଦ୍ରାବତୀର ବିନମ୍ର ସ୍ତ୍ରୀକାରୋକ୍ତି ଶୁଣି । ଚନ୍ଦ୍ରାବତୀର ଦ୍ୱିଧାହୀନ ଆତ୍ମପ୍ରକାଶ ହିଁ ଶାନ୍ତନୁଙ୍କୁ ତରଳାଇ ଦେଇଥିଲା । ଉପଦେଶ ଦେବା ଭଙ୍ଗୀରେ ଶାନ୍ତନୁ କହିଲେ—‘‘ଚୋରୀ କରିବା ମହାପାପ ବୁଝିଲ ?’’

ନୀରବରେ ସମ୍ମତି ଜଣାଇ ଅଳଙ୍କାରଗୁଡ଼ିକୁ ପୁଣି ଯାଥାସ୍ଥାନରେ ରଖିଦେଇ ବାହାରକୁ ବାହାରି ଯାଉଥିଲା ଚନ୍ଦ୍ରାବତୀ....

ପୁଣି କମ୍ପିଉଠିଲେ ଶାନ୍ତନୁ....‘‘ଯାଉଛ କେଉଁଆଡ଼େ ?’’

ନୀରବ ରହିଲା ଚନ୍ଦ୍ରାବତୀ । କହିବାକୁ ତା’ର ସତେ ଯେମିତି ଇଚ୍ଛା ହେଉଥିଲା–‘‘ଅସୀମର ସନ୍ଧାନରେ ।’’ କିନ୍ତୁ ବୃଦ୍ଧ ଶାନ୍ତନୁଙ୍କ ବ୍ୟକ୍ତିତ୍ୱ ନିକଟରେ ହାର ମାନୁଥିଲା ଚନ୍ଦ୍ରାବତୀର ସମସ୍ତ ଦାମ୍ଭୀକତା ।

ମୁଣ୍ତ ଟୁଙ୍ଗାରି ପୁଣି କହିଲେ ଶାନ୍ତନୁ—‘‘ଯାଅ....ଏଇ ସାମ୍‌ନା କୋଠରୀରେ ବିଶ୍ରାମ ନିଅ । ଏ ଗହଣାଠାରୁ ଯେ ତୁମେ ଆହୁରି ମୂଲ୍ୟବାନ୍‌ । ଅନ୍ଧାର ଭିତରେ ତୁମେ ଯିବ କୁଆଡ଼େ ?’’

ପ୍ରତିବାଦ କରିପାରି ନ ଥିଲା ଚନ୍ଦ୍ରାବତୀ । ଶାନ୍ତନୁଙ୍କୁ ଚାହିଁ ଚାହିଁ ପଶିଗଲା କୋଠରୀ ଭିତରକୁ । ଭଗବାନ୍‌ ବିଶ୍ୱରୂପ ଦେଖାଇବା ଭଳିଠିଆ ହୋଇଥିଲେ ଶାନ୍ତନୁ ।

ଆଜି ଯେ ନୂଆ କରି ଶାନ୍ତନୁ ରାତି ବାରଟା ପରେ ମଧ୍ୟ ଚେଇଁ ରହିଛନ୍ତି ତା ନୁହେଁ । ଅନେକ ରାତି ସେ ଏମିତି ଉନିଦ୍ର ରହି କଟାଇ ଦେଇଛନ୍ତି । ସେହି ଅସଂଖ୍ୟ ଉନିଦ୍ର ରାତି ମଧ୍ୟରୁ ଆଜି ମାତ୍ର ଗୋଟିଏ ।

ରାତି ବାରଟା ପରେ ଶାନ୍ତନୁ ବଗିଚାର କମ୍ପାଉଣ୍ତ ଭିତରେ ବୁଲିବାକୁ ଭଲ ପାଆନ୍ତି । ଅନେକ କଥା ଚିନ୍ତା କରନ୍ତି । ଏଇ ବଗିଚାରେ ଆଦରର ସ୍ତ୍ରୀଙ୍କ ସହିତ ଦିନ ଦିନ କଟିଛି । ସେଇ ସ୍ମୃତି ପୁଣି ଫିଟିପଡ଼େ ଶାନ୍ତନୁଙ୍କର । ପୁଣି ଯୁବକ ହୋଇ ଉଠନ୍ତି ଶାନ୍ତନୁ ।

 

ହାତରେ କିନ୍ତୁ ଶାନ୍ତନୁ ଧରିଥାନ୍ତି ଏଇ ରାଇଫଲଟିକୁ । ଯୁବକ ସମୟରେ ଶାନ୍ତନୁ ଥିଲେ ଜଣେ ପ୍ରବୀଣ ଶିକାରୀ । ରାତିର ଅନ୍ଧକାରରେ ସେ ଜଙ୍ଗଲରେ ବୁଲି ଶିକାର କରୁଥିଲେ । ଖୁରିଙ୍ଗ ହରିଣଙ୍କ ପଛରେ ଧାଉଁଥିଲେ । ଏଇ ଶିକାର ପ୍ରିୟକାକୁ ଉତ୍ସାହିତ କରିବା ପାଇଁ ଜଉଗଡ଼ର ରାଜା ସାହେବ ତାଙ୍କୁ ଉପହାର ଦେଇଥିଲେ ରାଇଫଲଟିକୁ ।

 

ସେ ଅନେକ ଦିନର ଘଟଣା । କିନ୍ତୁ ସେ ବନ୍ଧୁକଟିକୁ ଭୁଲି ନାହାଁନ୍ତି ଶାନ୍ତନୁ । ଠିକ୍‌ ରାତିର ଘନୀଭୂତ ନିଷିଦ୍ଧ ଅନ୍ଧକାର ଯେବେଳେବେ ଗାଢ଼ରୁ ଗାଢ଼ତର ହୋଇଉଠେ ସେତେବେଳେ ପାଗଳ ହୋଇ ଉଠନ୍ତି ଶାନ୍ତନୁ । ଏଇ କମ୍ପାଉଣ୍ତର ଜିନିଆଁ ଫୁଲ ବଗିଚାରେ ସ୍ତ୍ରୀ ଜୟନ୍ତୀଙ୍କ ଟ୍ୱିଙ୍କଲ୍‌ଶାଢ଼ିଟାକୁ ଟାଣିଧରି କହନ୍ତି......ତୁମକୁ ଦେଖି ମୁଁ ପାଗଳ ହେଉଛି ଜୟନ୍ତୀ......ତୁମେ ଆକାଶୀ ରଙ୍ଗର ଶାଢ଼ି ପିନ୍ଧି ଏ ଆକାଶରେ ମିଶିଯାଅ । ଠିକ୍ ସର୍ବବ୍ୟାପୀ ଇଥର ଭଳି ଚାଳିଆଡ଼େ ବ୍ୟାପୀଯାଇ ମୁଁ ତୁମକୁ ଖୋଜିବାକୁ ଚେଷ୍ଟା କରିବି । ଆମ ଜୀବନର ଏ ଲୁଚକାଳି ଖେଳ ଖୁବ୍‌ ସୁଖକର ହେବ ।

 

ହସି ହସି ବେଦମ୍‌ ହୁଅନ୍ତି ଜୟନ୍ତୀ......

 

ଲୁଗା କାନିଟାକୁ ଟାଣିଦେଇ କହନ୍ତି....‘‘ହଉ ଛାଉ....ରାତି ବେଶୀ ହେଲାଣି....ଶୋଇବ ଆସ.... ।’’

 

ଚମକି ଉଠନ୍ତି ଶାନ୍ତନୁ.....କଥାର ମଙ୍ଗ ବୁଲାଇ କହନ୍ତି .. ‘‘ଚେଇଁବା ଅପେକ୍ଷା କ’ଣ ଶୋଇବା ଅଧିକ ସୁଖକର ଜୟନ୍ତୀ ?’’ ଜୟନ୍ତୀଙ୍କ ମୁହଁରୁ କଥା ଓଲଟେ ନାହିଁ । ଶାନ୍ତନୁଙ୍କ ନିକଟକୁ ଲାଗିଆସି କହନ୍ତି......‘‘ଛି ସବୁ ବେଳେ.....’’

 

ଆହୁରି ଦୁଷ୍ଟ ହୋଇ ଉଠନ୍ତି ଶାନ୍ତନୁ । ଜିନିଆଁ ଫୁଲରୁ କେତୋଟି ଜୟନ୍ତୀଙ୍କ ମୁଣ୍ତରେ ଖୋସି ଦେଉଁ ଦେଉଁ କହନ୍ତି ତୁମେ ମୋ ବେକରେ ଗୋଟିଏ ସୁନ୍ଦର ମଲ୍ଲିହାର ଭଳି ଯେମିତି ସୁନ୍ଦର ଦିଶୁଛ—ଏ ଫୁଲ ତୁମ ମୁଣ୍ତରେ ସେମିତି ଦିଶୁଛି ।

 

ଲାଜରା ହୋଇ ଶାନ୍ତନୁଙ୍କ କୋଳରେ ମୁଣ୍ତ ଲୁଚାନ୍ତି ଜୟନ୍ତୀ । ଅବଶ ହୋଇ ଆସେ ଜୟନ୍ତୀଙ୍କ ଅଙ୍ଗଲତା...

 

ତା’ପରେ...... .

 

ତା’ପରେ କାତର ହୋଇ ଚିତ୍କାର କରନ୍ତି ଶାନ୍ତନୁ । ଏ କ’ଣ ଜୟନ୍ତୀ ଯେ ମୂର୍ଚ୍ଛିତା !

 

ମୂର୍ଚ୍ଛା ରୋଗୀ ଜୟନ୍ତୀ । ସମୟ ଅସମୟରେ ମୂର୍ଚ୍ଛା ଯାଆନ୍ତି ସେ । ଜୟନ୍ତୀଙ୍କୁ ଦେଖି ଭାଙ୍ଗି ପଡ଼ନ୍ତି ଶାନ୍ତନୁ । ଶୂନ୍ୟେ ଶୂନ୍ୟେ ଘର ଭିତରକୁ ଟେକି ଆଣୁ ଆଣୁ କହନ୍ତି—ଏ ପାଗଳକୁ ତୁମେ କ’ଣ ସୁସ୍ଥ କରି ପାରିବନି ଜୟନ୍ତୀ ? କେବଳ ପାଗଳର ପାଗଳାମୀ ଦେଖି....ଏମିତି ମୂର୍ଚ୍ଛା ଯାଉଥିବ ?

 

ସେହି ବାରିଷ୍ଟର ଶାନ୍ତନୁ....

 

ଆଜି ଜୀବନର ଅନେକ ପୃଷ୍ଠା ଓଲଟ ପାଲଟ ହୋଇଛି । ଅନେକ ଭବିଷ୍ୟତ ବିଗତ ହୋଇଯାଇଛି । ସେଇଥିପାଇଁ ରାତି ରାତି ଉନିଦ୍ର ରହି ସେ ଖୋଜୁଛନ୍ତି ଶାନ୍ତି ।

 

ମଣିଷର ଜୀବନ କୈନ୍ଦ୍ରିକ ଆଶା ଆଉ ଅଭିଳାଷ ସର୍ବଦା ଶାନ୍ତି କାମନା କରେ । କାମନା ତାଡ଼ନାରେ ମାନବିକତା ତାଡ଼ିତ ହୁଏ । ସୀମାହୀନ ସାଗର ଦେହରେ ନାଗ ପିଠିରେ ଅନନ୍ତ ଶୟନ ପରିମାବିକତା ଶୋଇରହେ ଜୀବନରେ ନିଭୃତ କୋଠରୀ ଭିତରେ । ସେହି ମାନବିକତାକୁ ହାତମାରି ଉଠାଇବା ଲାଗି ଚେଷ୍ଟା କରନ୍ତି ଶାନ୍ତନୁ ।

 

ଆଜି ଚନ୍ଦ୍ରାବତୀକୁ ଦେଖିବା ପରେ ଚେଷ୍ଟା କରନ୍ତି ମନ ଦୋହଲି ଉଠିଛି । କେତେ କ’ଣ ଚିନ୍ତା କରୁଛନ୍ତି ସେ ।

 

ଚନ୍ଦ୍ରାବତୀ....

 

ସୁଶ୍ରୀ ସ୍ୱାସ୍ଥ୍ୟବତୀ ବାଳିକା ଚନ୍ଦ୍ରାବତୀ........

 

ହୁଏତ ଜୀବନରେ କାହାରି ସାହାରା ପାଇ ନାହିଁ....କାହାରି ସ୍ନେହ ପାଇ ନାହିଁ....ସେଥିଲାଗି ଚୋରୀ କରିବାକୁ ଛଚ୍ଛା କରିଛି ସେ...

 

କିନ୍ତୁ ଲୋପାମୁଦ୍ରା...... । ସବୁ ଥିବା ଭିତରେ ଗୋଟିଏ ବିରାଟ ନାହିଁ ଭଳି ଆସିଛି ଲୋପାମୁଦ୍ରା । ତା’ ନିକଟରେ ପଦାର୍ଥର ମୋହ ନାହିଁ ..ଅର୍ଥର କାମନା ନାହିଁ....ସୌନ୍ଦର୍ଯ୍ୟର କୁହୁକ ନାହିଁ....ଅଛି କେବଳ ନିର୍ବେଦ ନାରୀତ୍ୱ ।

 

ଚିନ୍ତାରେ ଟଳି ଟଳି ନିଜର କୋଠରୀ ଆଡ଼କୁ ଆଗେଇ ଗଲେ ଶାନ୍ତନୁ ।

 

ରାତି ଜମାଟବାନ୍ଧି ଉଠିଲା । ପଲଙ୍କ ଉପରେ ପଡ଼ିରହି ବାରିଷ୍ଟର ଶାନ୍ତନୁ ଭାବୁଥିଲେ ଅନେକ କିଛି....‘‘ଜୟନ୍ତୀ....ଲୋପାମୁଦ୍ରା ଓ ଚନ୍ଦ୍ରାବତୀ ।’’

 

ସକାଳ ହେଲା......

 

ବିଛଣା ଉପରୁ ଉଠି ଆସି ଲୋପାମୁଦ୍ରା ଆଗେଇ ଗଲା ଦାଣ୍ତଘର ଆଡ଼େ । ଏଇ ଦାଣ୍ତଘରର ସୋଫା ଉପରେ ବସି ସକାଳଟାକୁ ଉପଭୋଗ କରେ ଲୋପାମୁଦ୍ରା । ହଠାତ୍‌ ସୋଫା ଉପରେ ବସି ଯାଉ ଯାଉ....ସମ୍ମୁଖ କୋଠରୀରେ ଶୋଇଥିବା ଜଣେ ସମବୟସୀ ତରୁଣୀକୁ ଦେଖି ଆଶ୍ଚର୍ଯ୍ୟ ହେଲା ସେ । କ’ଣ ଭାବି ଯିବାକୁ ବସିଥିଲା ବାପାଙ୍କ କୋଠରୀ ଆଡ଼େ....

 

ଠିକ୍‌ ଏତିକିବେଳେ ପଛଆଡ଼ୁ ପଶି ଆସୁ ଆସୁ ଶାନ୍ତନୁ କହିଲେ—‘‘ଚନ୍ଦ୍ରାବତୀକୁ ଉଠାଇ ଦେ ମା, ଗତକାଲି ରାତିରେ ଅଚାନକ ଭାବରେ ସେ ଆସି ପହଞ୍ଚିଛି ଆମ ଘରେ ।’’

 

ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁ ରହିଲା ଲୋପାମୁଦ୍ରା...

 

କଥାଟାକୁ ସହଜ କରି ଶାନ୍ତନୁ କହିଲେ—‘‘ଚନ୍ଦ୍ରାବତୀ ଗୋଟିଏ ପିତୃମାତୃହୀନା ରିଫୁଇଜି ବାଳିକା । ରାତିଟା ବିଶ୍ରାମ ନେବା ପାଇଁ ହଠାତ୍‌ ଆସି ପହଞ୍ଚିଥିଲା ଆମ ଘର ଭିତରେ ।’’

 

ଶାନ୍ତନୁଙ୍କ ଗଦଗଦ୍‌ ବକ୍ତବ୍ୟକୁ ଶୁଣି ଯାଉଥିଲା ଲୋପାମୁଦ୍ରା । ଲୋପାମୁଦ୍ରା ଜାଣେ—ଶାନ୍ତନୁ ଜଣେ ମଣିଷ ଲୋଭୀ ମଣିଷ । ନିଜର ଆଉ ପୁଅ ଝିଅ ନାହାଁନ୍ତି ବୋଲି…ସେ ସମସ୍ତଙ୍କୁ ନିଜର ପରି ଭାବନ୍ତି । ନିଜ ନିକଟରେ ଆଶ୍ରୟ ଦିଅନ୍ତି । ସେମିତି ଏକ ଦୁର୍ବଳ ମୁହୂର୍ତ୍ତରେ ଦେଖା ଦେଇଥିବ ଚନ୍ଦ୍ରାବତୀ ।

 

ସେତେବେଳକୁ ଚନ୍ଦ୍ରାବତୀର ନିଦ ଭାଙ୍ଗି ଯାଇଥିଲା । ରାତିର କ୍ଳାନ୍ତି ଦୂର ହୋଇ ଯାଇଥିଲା । କିନ୍ତୁ ସାହସ କରି ଉଠିପାରୁ ନ ଥିଲା ଚନ୍ଦ୍ରାବତୀ । ମୁହଁ ଦେଖାଇବାକୁ ଲଜ୍ଜା ଲାଗୁଥିଲା ତାକୁ... । ଛି….. ଛି….. ଚୋର କ’ଣ କେବେ ମୁହଁ ଟାଣ କରି ସମାଜ ଆଗରେ ଠିଆ ହୋଇପାରେ-?

 

ଆଜି ନୂଆକରି ଚନ୍ଦ୍ରାବତୀ ହୋଇଛି ଚୋରଣୀ, ହୁଏତ ଗୃହସ୍ୱାମୀ ଆହୁରି କେତେ କ’ଣ ପ୍ରଶ୍ନ ପଚାରିବେ ଚୋରୀ ସମ୍ୱନ୍ଧରେ । କି ଉତ୍ତର ଦେବ ଚନ୍ଦ୍ରାବତୀ ? କି ସଫେଇ ଦେବ ତା’ ଚରିତ୍ର ସମ୍ୱନ୍ଧରେ ??

 

ଠିକ୍‌ ଏତିକିବେଳେ କୋଠରୀ ଭିତରକୁ ପଶି ଆସି ଶାନ୍ତନୁ କହିଲେ—ଅନେକବେଳ ହେଲାଣି ଉଠ ଚନ୍ଦ୍ରାବତୀ....

 

ଧଡ଼ ପଡ଼ ହୋଇ ବିଛଣା ଉପରୁ ଉଠିପଡ଼ିଲା ଚନ୍ଦ୍ରାବତୀ । ମୁହଁ ତଳକୁ କରି କହିଲା–‘‘କ୍ଷମା କରିବେ, ଅନେକ ସମୟ ଶୋଇଗଲି ।’’ କଥା କହୁ କହୁ ବାହାରକୁ ଚାଲି ଆସିଥିଲା ସେ-

 

ତା’ର ଗତିପଥକୁ ଚାହିଁଥିଲେ ଶାନ୍ତନୁ....ହଠାତ୍‌ ପଛରୁ ଡାକି କହିଲେ—ଯାଉଛ କୁଆଡ଼େ ? ବାଧ୍ୟ ହୋଇ ମୁହଁ ଖୋଲିଲା ଚନ୍ଦ୍ରାବତୀ....‘‘ମୋ ଗତି ପଥର ସୀମା ନ ଥାଏ ଆଜ୍ଞା....ପହଞ୍ଚିବାର ନିର୍ଦ୍ଦିଷ୍ଟ ସ୍ଥାନ ମଧ୍ୟ ନ ଥାଏ । ଠିକ୍ ଆପଣଙ୍କ ଘରେ ପହଞ୍ଚିବା ପରି ମୁଁ ଅଚାନକ ଭାବରେ ପହଞ୍ଚେ ଜଣ ଜଣଙ୍କ ଘରେ । ସେହି ରାତିକ ପାଇଁ ସେ ଘରଟି ହୁଏ ମୋର....-। ତା’ପରେ ସକାଳୁ ପୁଣି ଚାଲେ ଜୀବନର ଡାକରାରେ....ପେଟର ତାଡ଼ନାରେ ।’’

 

ସମବେଦନା ଜଣାଇଲେ ଶାନ୍ତନୁ । ବସିବାକୁ ଇସାରା ଦେଇ କହିଲେ—ହଉ ଶୁଣ ! ମୁଁ ହେଉଛି ବାରିଷ୍ଟର ଶାନ୍ତନୁ....ଆଉ ଏ ହେଉଛି ମୋର ଝିଅ ଲୋପାମୁଦ୍ରା ।

 

ଶଙ୍କିତା ହୋଇଗଲା ଚନ୍ଦ୍ରାବତୀ....

 

ଅନେକ ଲୋକଙ୍କଠାରୁ ସେ ଶୁଣିଛି ବାରିଷ୍ଟର ଶାନ୍ତନୁଙ୍କ ଗୁଣାଢ଼୍ୟ ଜୀବନର କଥା । ଅନେକ ପ୍ରଶଂସା ଶୁଣିଛି ଶାନ୍ତନୁଙ୍କ ବିଷୟରେ । ଅଚାନକ ଆଜି ସେ ପହଞ୍ଚିଛି ତା’ର ଖୋଜିଲା ଜାଗାରେ । ହୁଏତ ଚନ୍ଦ୍ରାବତୀ ଇଚ୍ଛା କରୁଥିଲା ଥରେ ଶାନ୍ତନୁଙ୍କୁ ଦେଖା କରିବା ପାଇଁ । କିନ୍ତୁ ଗତକାଲି ରାତିରେ ଯେଉଁ ଦୁର୍ଘଟଣା ଘଟିଛି—ସେଥିରେ କ’ଣ ଶାନ୍ତନୁ କଦାପି ସମବେଦନା ଜଣାଇବେ ?

 

ଚିନ୍ତିତା ହୋଇଥିଲା ଚନ୍ଦ୍ରାବତୀ....

 

ଶାନ୍ତନୁ କିନ୍ତୁ ଗତରାତିରେ ଘଟଣାକୁ ପୂରାପୂରି ଭୁଲି ଯାଇଥିଲେ । ଥରେ ମାତ୍ର ଚନ୍ଦ୍ରାବତୀକୁ ସେ ପଚାରି ନାହାଁନ୍ତି ଗତରାତିର ଘଟଣା ସମ୍ୱନ୍ଧରେ । କେବଳ ମୁଣ୍ତ ହଲାଇ କହିଛନ୍ତି–‘‘ନା....ଚନ୍ଦ୍ରାବତୀ ! ତୁମ ଜୀବନର ସଂକ୍ଷିପ୍ତ ଇତିହାସ ଶୁଣିବା ପରେ ଆଉ ତୁମକୁ ଛାଡ଼ି ଦେବାକୁ ମୁଁ ଇଚ୍ଛା କରୁନି । ତୁମେ ଏଇଠି ରୁହ । ଲୋପାମୁଦ୍ରାକୁ ସାନ ଭଉଣୀ ପରି ଗ୍ରହଣ କର । ଏ ତୁମ ଘର । ବାରିଷ୍ଟର ଶାନ୍ତନୁ ଆଉ ଅଧିକ ତୁମ ପାଇଁ କ’ଣ କରିପାରେ ?’’

 

ଶାନ୍ତନୁଙ୍କ ସମ୍ୱେଦନଶୀଳ କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିଲା ଚନ୍ଦ୍ରାବତୀ....ଲଜ୍ଜା....ଅପମାନରେ ଭାଙ୍ଗି ପଡ଼ୁଥିଲା ସେ । କାତର କଣ୍ଠରେ ନିଃସହାୟା ଭଳି କହିଲା–‘‘କିନ୍ତୁ......’’

 

ପ୍ରତିବାଦ କରି ଶାନ୍ତନୁ କହିଲେ—ନାଁ ଚନ୍ଦ୍ରାବତୀ, ମୋ ବକ୍ତବ୍ୟ ଉପରେ କିନ୍ତୁର ପ୍ରଶ୍ନ ନାହିଁ । ଅବାଧ୍ୟ ହୋଇ ତୁମେ ଯିବାକୁ ବସିଲେ ମୁଁ ମନା କରିବି ନାହିଁ । କିନ୍ତୁ ତୁମଭଳି ଝିଅ ରାସ୍ତାର ବାଳିକା ହୋଇ ନ ବୁଲିବା ହିଁ ସବୁଠାରୁ ଭଲ ।

 

ବାଧାଦେଇ ପାରୁ ନ ଥିଲା ଚନ୍ଦ୍ରାବତୀ । ଗୁପ୍ତ କଥା ପ୍ରକାଶ କରି ଦେବକନ୍ୟା ଧୀରେ ଧୀରେ ପଥର ପାଲଟୁଥିଲା ପରି ପଥର ପାଲଟି ଯାଉଥିଲା ଚନ୍ଦ୍ରାବତୀ । ସତ କହିବାକୁ ଗଲେ ଶାନ୍ତନୁଙ୍କ ସାମ୍ରାଜ୍ୟ ହିଁ ଗୋଟିଏ କୁହୁକର ସାମ୍ରାଜ୍ୟ....ଏ ସାମାଜ୍ୟରେ ଅଭିମାନ ଅଛି....ଅଭିଯୋଗ ନାହିଁ ।

 

ନୀରବରେ ବସି ସବୁ କିଛି ଶୁଣିବାକୁ ଲୋପାମୁଦ୍ରା । ବାପାଙ୍କ କଥାର ପ୍ରତିବାଦ କରୁ ନ ଥିଲା ସେ । ଏ ଯେ ଆଜି ଲୋପାମୁଦ୍ରା ନିକଟରେ ନ ଥା ତା’ ନୁହେଁ । ଶାନ୍ତନୁଙ୍କର କୌଣସି କାମର ପ୍ରତିବାଦ କରେନି ଲୋପାମୁଦ୍ରା । ସବୁକୁ ସେ ଗ୍ରହଣ କରିନିଏ ଆଦରରେ । ଶାନ୍ତନୁଙ୍କ ମନରେ ଦୁଃଖ ଦେଖିଲେ କମ୍ପିଉଠେ ଲୋପାମୁଦ୍ରା । ଦୁନିଆଁର ସବୁ ଘନିଷ୍ଠତାକୁ ଲୋପାମୁଦ୍ରା ଅନାୟାସରେ ଦୂରେଇ ଦେଇପାରେ—ହେଲେ ଶାନ୍ତନୁଙ୍କୁ ନୁହେଁ ।

 

ସେଇଥିପାଇଁ କେବଳ ବସିରହି ସବୁ ଶୁଣୁଥିଲା ଲୋପାମୁଦ୍ରା । ଶେଷରେ ଛୋଟ ଟିପ୍‌ପଣୀ ଦେଇ କହିଲା—ବାପାଙ୍କ ପ୍ରସ୍ତାବ ମନ୍ଦ ନୁହେଁ ଚନ୍ଦ୍ରାଅପା ! ତାଙ୍କ କଥା ମାନି ରହିଯିବା ହିଁ ତୁମ ପକ୍ଷରେ ମଙ୍ଗଳ.... ।

 

ନୀରବରେ ମୁଣ୍ତ ହଲାଇ ସମର୍ଥନ ଜଣାଇଲା ଚନ୍ଦ୍ରାବତୀ ।

 

ଆଜି ଶାନ୍ତନୁଙ୍କ ପରିବାରରେ ଜଣେ ହୋଇଉଠିଛି ରିଫୁଲଜି ବାଳିକା ଚନ୍ଦ୍ରାବତୀ ।

 

ପରିବାର କହିଲେ ଆକ୍ଷରିକ ଭାବେ ଯାହା ବୁଝାଏ......ସେମିତି ଏକ ଜଟିଳ ପରିବାର ଯେ ଶାନ୍ତନୁଙ୍କର ଥିଲା–ତାହା ନୁହେଁ । ଶାନ୍ତନୁଙ୍କ ପରିବାର ଖୁବ୍‌କ୍ଷୁଦ୍ର ପରିବାର । ଏ ପରିବାରର ମୁଖ୍ୟ ବ୍ୟକ୍ତି ବାରିଷ୍ଟର ଶାନ୍ତନୁ ଓ ଲୋପାମୁଦ୍ରା...... । ଅନ୍ୟମାନେ କେବଳ ପରିବାରର ଚାକର ଓ ପୂଝାରୀ ।

 

ସେ ପରିବାର ଭିତରେ ଜଣେ ହେବାରେ ଚନ୍ଦ୍ରାବତୀ ନିକଟରେ କଷ୍ଟକର ବ୍ୟାପାର ନ ଥିଲା । ତଥାପି ଚନ୍ଦ୍ରାବତୀ ଯେ ଖୁବ୍‌ଅଳ୍ପ ସମୟ ମଧ୍ୟରେ ଶାନ୍ତନୁଙ୍କ ପରିବାରରେ ଖାପଖାଇଲା ଭଳି ମିଶି ଯାଇଥିଲା......ସେହି ହେଲା ଜାଣିବାର ବିଷୟ ।

 

ଶାନ୍ତନଙ୍କ ପରିବାର ଜଟିଳତାଠାରୁ ବହୁ ଦୂରରେ......

 

କିନ୍ତି ଏବେକାର ପାରିବାରାକ ଜୀବନ କଥା ଚିନ୍ତା କଲେ ଆମ ଆଖି ଆଗରେ ଗୋଟିଏ ନୂଆ ଦୁନିଆଁ ଦେଖାଦିଏ ।

 

ପରିବାର....

 

ଖୁବ୍‌ ଆନନ୍ଦଦାୟକ ଶଦ୍ଦଟିଏ । ହେଲେ ଏଡ଼େ ଜଟିଳତା ଯେ ଏ ଶଦ୍ଦଟି ତଳେ ଆତ୍ମଗୋପନ—କରିଥାଏ ତାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । ପରିବାର ମଧ୍ୟରେ ସ୍ତ୍ରୀଙ୍କର ପଡ଼େନାହିଁ । ଜା ଜାଙ୍କର ମେଳ ଥାଏନାହିଁ । ଶାଶୁ ବୋହୂକୁ ଦେଖି ପାରେନାହିଁ । ଭାଇ ଭାଇ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରେ । ଭାଉଜ ଦିଅର ନାଁରେ ଚୁଗୁଲି କରେ । ନଣନ୍ଦ ଭାଉଜର ଅପବାଦ ରଟାଏ....ଏଇ ଆମ ଆଜି କାଲିକାର ପରିବାର ।

 

ଏ ପରିବାରରେ ସୁଖ ନାହିଁ....ଶାନ୍ତି ନାହିଁ....ଅଛି କବଳ ସୀମାହୀନ ଅଶାନ୍ତି । ଅନନ୍ତ କ୍ଷେଦୋକ୍ତି । ପରିବାରକୁ ଯଦି ଭାଙ୍ଗି ରୁଜି ଗଢି ହେଉଥାନ୍ତା....ତେବେ ଆଜିର ମଣିଷ ନୂଆ ରୂପରେ ଗଢି ସାରନ୍ତେଣି ଏ ସମାଜକୁ । ପୁଣି ଆମ ଦେଶର ସମାଜ ବଡ କଠୋର । ଏ ସମାଜ ପରିବାରକୁ ଜାବୁଡ଼ି ଧରେ । ହେଲେ ଲଗାମ ଧରି ପରିବାରକୁ ଠିକ୍‌ବାଟରେ ଚଳାଇ ପାରେନାହିଁ । ସଂଖ୍ୟାହୀନ ବ୍ୟକ୍ତି କେବଳ ଏଇ ପରିବାରର ବହୁ ଗ୍ରାସରେ ସର୍ବହରା ହେଉଛନ୍ତି ।

 

ଏ ପରିବାର ଦେହରେ ହୁଏତ ଭାଉଜ ଦିଅର ବିରୁଦ୍ଧରେ ଅଭିଯୋଗ କରୁଛି । ଲାଜରେ......ଅପମାନରେ ଦିଅର ଆଉ ତା’ର ପ୍ରାପ୍ୟ ଆଦାୟ କରି ପାରୁନାହିଁ । ଠିକ୍‌ସେହିଭଳି ବଡ଼ ଜା ହୁଏତ ଭାଇବୋହୂ ଦେଢ଼ଶୁରଙ୍କୁ କେନ୍ଦ୍ରକରି ଅନେକ କପୋଳ କଳ୍ପିତ କାହାଣୀ ସୃଷ୍ଟି କରୁଛି । ଏଥିରେ କେଉଁ ମଣିଷ ମୁଣ୍ତ ଟେକି ଠିଆ ହୋଇ ପାରିବ ? ଅପବାଦ ହିଁ ତ ଦୁନିଆଁର ସବୁଠାରୁ ବଡ଼ ସାଂଘାତିକ ବିପଦ ।

 

ଅପବାଦର ବିଚାର ପାଇଁ ବିଚାରାଳୟ ନାହିଁ । ଲଢ଼ିବା ପାଇଁ ଓକିଲ ନାହାନ୍ତି......ମଣିଷର ଲଗାମ୍‌ ଛଡ଼ା ମୁହଁ ହିଁ ଅପବାଦର ବିଚାରକ ।

 

ତେବେ ସେ ଯାହାହେଉ......ଏମିତି ଏକ ନିଷ୍ଠୁର ପରିବାର ଦେହରେ ବଢ଼ି ନ ଥିଲେ ଶାନ୍ତନୁ । ଶାନ୍ତନୁଙ୍କ ପରିବାର ଥିଲା ଆଧୁନିକ ସହରୀ ପରିବାର । ସହରୀ ପରିବାର ଆଉ ମଫସଲୀ ପରିବାର ଭିତରେ ସତ କହିବାକୁ ଗଲେ ଆକାଶ ଆଉ ପାତାଳ ପ୍ରଭେଦ ।

 

ସହରୀ ପରିବାରରେ ଜୀବନ ନ ଥାଇ ପାରେ–ହେଲେ ସଂକ୍ରାମକ ରୋଗର ଜୀବାଣୁ ନାହାଁନ୍ତି । ଚାଖଣ୍ତେ ମାଟିପାଇଁ ଯେଉଁ ମଫସଲୀ ପରିବାର ଲହୁ ଲୁହାଣ ହୁଏ......ସେ ମାଟିକୁ ହେୟଜ୍ଞାନ କରେ ସହରୀ ଜୀବନ । ସହରରେ ମାଟିର ମୋହ ନାହିଁ......ବେଲା, କଂସା, ସୁନା, ରୂପାର ମୋହ ନାହିଁ । ଅଛି କେବଳ ଶିକ୍ଷା ଆଉ ସଭ୍ୟତାର ମୋହ ।

 

ଏହିପରି ଏକ ଖାଣ୍ଟି ସହରୀ ପରିବାରରେ ଗୋଡ଼ ଦେଇ ନିଜକୁ ଧନ୍ୟ ମନେ କରୁଥିଲା ଚନ୍ଦ୍ରାବତୀ......

 

ଖୁବ୍‌ କମ୍‌ଦିନ ଭିତରେ ସେ ନିଜର କରି ନେଇଥିଲା ସମସ୍ତଙ୍କୁ । କେହି ଘଡ଼ିଏ ଚନ୍ଦ୍ରାବତୀକୁ ନ ଦେଖିଲେ ପାଗଳ । ଏକରକମ୍‌ଚନ୍ଦ୍ରାବତୀ ସମ୍ପୂର୍ଣ୍ଣ ବଦଳି ଯାଇଥିଲା କହିଲେ ହୁଏତ ଠିକ୍‌ ହେବ ।

 

ନୂଆ ଜୀବନର ପରଶରେ ଅନେକ ମଣିଷଙ୍କର ପରିବର୍ତ୍ତନ ହୁଏ । ଅନେକ ମଣିଷ ଜୀବନକୁ ଭୁଲି ସୁନାର ସ୍ୱପ୍ନ ଦେଖନ୍ତି । ଠିକ୍‌ ତାହା ହିଁ ଘଟିଥିଲା ରୂପସୀ ଚନ୍ଦ୍ରାବତୀ ଭାଗ୍ୟରେ ।

 

ସୂର୍ଯ୍ୟୋଦୟ ପୂର୍ବରୁ ଚନ୍ଦ୍ରାବତୀ ବିଛଣା ଛାଡ଼େ । ତରବରରେ ଲୁଗା ବଦଳାଇ ଚା’ ଟିକେ ତିଆରି କରେ ଶାନ୍ତନୁ ଓ ଲୋପାମୁଦ୍ରାଙ୍କ ପାଇଁ । ଆନନ୍ଦ ଗଦ ଗଦ ହୋଇ ବିଛଣାରୁ ଉଠି ଚନ୍ଦ୍ରାବତୀକୁ ପ୍ରଶଂସା କରନ୍ତି ଶାନ୍ତନୁ.... ।

 

ଚନ୍ଦ୍ରାବତୀ କିନ୍ତୁ ପ୍ରଶଂସାକୁ ଅପେକ୍ଷା କରେ ନାହିଁ । ସଙ୍ଗେ ସଙ୍ଗେ ଆରମ୍ଭ କରିଦିଏ ବାସନ ମଜା । ଶାନ୍ତନୁ ପ୍ରତିବାଦ କରନ୍ତି....ଚାକର ପୂଝାରୀମାନେ କରିବେ ବୋଲି ତାଗିଦା କରନ୍ତି.....ହେଲେ କିଛି କଥାକୁ କାନ ଦିଏନାହିଁ ଚନ୍ଦ୍ରାବତୀ.... ।

 

ପରେ–ପରେ ରୋଷେଇ ଆରମ୍ଭ କରେ ଚନ୍ଦ୍ରାବତୀ...ଚାକର ପୂଝାରୀମାନେ ମଧ୍ୟ ଆନନ୍ଦିତ ହୁଅନ୍ତି ଅଚାନକ ସାହାଯ୍ୟ ପାଇଁ ।

 

ପରିବାରର ସମସ୍ତଙ୍କୁ ଖାଇବାକୁ ନ ଦେବାଯାଏ ନିଜେ ଖାଏନି ଚନ୍ଦ୍ରାବତୀ । ଶାନ୍ତନୁଙ୍କ ବାଧ୍ୟ ବାଧକତା ସତ୍ୱେ ମଧ୍ୟ ଅବାଧ୍ୟ୍ୟ ଭଳି ଲାଗିଥାଏ ନିଜର କାମରେ ।

 

ଦିନ ଗଡ଼େ...

 

ଯେ ଯାହା କାମରେ ଚାଲି ଯାଆନ୍ତି... । ହେଲେ ଚନ୍ଦ୍ରାବତୀର କାମ ସରେ ନାହିଁ । କେତେବେଳେ ସେ ଲୁଗା ସଫା କରେ...କେତେବେଳେ ବା ଘର ଦ୍ୱାର ସଜାଏ...ଏମିତି ସବୁବେଳେ ଲାଗିଥାଏ ଚନ୍ଦ୍ରାତୀର ନିତିଦିନିଆ କାମ ।

 

ଚନ୍ଦ୍ରାବତୀକୁ ଦେଖି ଭାବବିହ୍ୱଳ ହୋଇ ଅନେକ ସମୟରେ ଚାହେଁ କହନ୍ତି ଶାନ୍ତନୁ । ମନ ଭିତରେ ଚେଇଁଉଠେ ଅବ୍ୟକ୍ତ ପ୍ରଶ୍ନବାତୀ.... । ଏଇ କ’ଣ ଚୋରଣୀ ଚନ୍ଦ୍ରାବତୀ ? ଯାହାକୁ ପୋଲିସରେ ଦେଇଥିଲେ ହୁଏତ ଯିଏ ଆଜି ହାଜତ୍‌ରେ ପଡ଼ି ସଢୁଥାନ୍ତି । କିଏ ବା ଆସିଥାନ୍ତା ତାକୁ ମୁକୁଳାଇବାକୁ ? କିଏ ଲଢ଼ିଥାନ୍ତା ତା’ ପାଇଁ ?

 

ସତରେ ଅନେକ ସମୟରେ ଏ ସମାଜର ମଣିଷଙ୍କୁ ଚିହ୍ନିବା ବଡ଼ କଷ୍ଟ ।

 

କାହାର ମଣିଷ ପଣିଆଁ ଅଛି ବା କାହାର ନାହିଁ ତାହା ଜାଣିବା ମଧ୍ୟ ସହଜ କଥା ନୁହେଁ-

 

ଲୋପାମୁଦ୍ରାର ନିର୍ଜନ ଜୀବନକୁ ମଧ୍ୟ ଅନେକ ସମୟରେ ଆମୋଦିତ କରୁଛି ଚନ୍ଦ୍ରାବତୀ...

 

ପ୍ରଥମ ଦିନରେ ଲୋପାମୁଦ୍ରାର ଚନ୍ଦ୍ରାଅପା ଡାକ ହିଁ ଅନେକ ପରିମାଣରେ ଆଣି ଦେଇଛି ଏ ଘନିଷ୍ଠତା । ନିର୍ଜନରେ ବସି ରହି ନୀରବରେ ଆଖିରୁ ଲୁହ ଗଡ଼ାଇବା ଥିଲା ଲୋପାମୁଦ୍ରାର ଏକ ବିଶିଷ୍ଟ ଗୁଣ । ଝିଅଟିଏ ହେଲେ ମଧ୍ୟ ଲୋପାମୁଦ୍ରା ଏଡ଼େ ସ୍ୱଭାବ ଗମ୍ଭୀର ଯେ ଚାକର ପୂଝାରୀମାନେ କିଛି କହିବାକୁ ଭୟ କରନ୍ତି ତାକୁ ।

କିନ୍ତୁ ଚନ୍ଦ୍ରାବତୀର ଉପସ୍ଥିତି ଏ ଗାମ୍ଭୀର୍ଯ୍ୟକୁ ଲଘୁକରି ଦେଇଛି । କୋହଳ କରି ଦେଇଛି-। ଲୋପାମୁଦ୍ରା ଏକୁଟିଆ ବସିଗଲେ ତା’ ପାଖରେ ପହଞ୍ଚିଯାଏ ଚନ୍ଦ୍ରାବତୀ । କେତେ ନରମ ଗପର ଆସନ ଜମାଟ ସେ । ଏ ଗପରେ ଯୌନକ୍ଷୁଧାର ତାଡ଼ନା ନ ଥାଏ—ଲୋପାମୁଦ୍ରାକୁ ବିରକ୍ତ କରବାର ଉପାଦାନ ନ ଥାଏ—ହେଲେ ଥାଏ ଆମୋଦିତ କରିବାର ପ୍ରେରଣା..... । ଚମକି ନିଜକୁ ଅନାଏଁ ଲୋପାମୁଦ୍ରା ।

ଯୁକ୍ତି ପ୍ରବୀଣା ଲୋପାମୁଦ୍ରା ହାରମାନେ ଚନ୍ଦ୍ରାବତୀ ନିକଟରେ....ବେଳେବେଳେ ଚନ୍ଦ୍ରାବତୀ କହେ—ଲୋପା ! ତୁମେ ଯଦି ସତରେ ମୋର ସାନ ଭଉଣୀ ହୋଇଥାନ୍ତ—ତେବେ କ’ଣ କଦାପି ମୋ ପାଖରୁ ଦୂରେଇ ରହିବାକୁ ମନ ବଳାନ୍ତ ? ମୁଁ ସୃଷ୍ଟି ଛଡ଼ା ରିଫୁଇଜି । ସେଇଥିପାଇଁ ତୁମେ ମୋତେ ଘୃଣାକରି ପାଖରୁ ଦୂରେଇ ହେଉଛ...

ବାଧ୍ୟ ହୋଇ ହସିଉଠେ ଲୋପାମୁଦ୍ରା । .....‘‘ନାଁ ଚନ୍ଦ୍ରାଅପା ! ମୋ ନିକଟରେ ବଡ଼ ସାନର ଭେଦ ନାହିଁ । ଜୀବନରେ ମୁଁ ଘୃଣା କରିବା ଶିଖି ନାହିଁ । କିନ୍ତୁ ମୁଁ ନିଜେ ଘୃଣା କରେ ମୋତେ ।’’

ଶୀତେଇ ଉଠେ ଚନ୍ଦ୍ରାବତୀ......‘‘ବାଧ୍ୟ କରେ କେତେ କଥା କହିବାକୁ ।’’

ହେଲେ ଲୋପାମୁଦ୍ରା କହେ—‘‘ନାଁ ଚନ୍ଦ୍ରାଅପା ! ମନଖୋଲି ସବୁ କଥା କହି ହୁଏନାହିଁ-। କହିଲେ ରହି ହୁଏନାହିଁ ।’’

ଡରି ଡରି ଆଉ ଅଧିକ କିଛି ପଚାରି ପାରେନି ଚନ୍ଦ୍ରାବତୀ....

ତଥାପି ଚନ୍ଦ୍ରାବତୀର ଗୁପ୍ତ ମନ ଭିତରେ ଖେଳିବୁଲେ ସନ୍ଦେହ । ତେବେ କ’ଣ ମୋ’ରି ଜୀବନ ଭଳି ଲୋପାମୁଦ୍ରାର ଜୀବନ ପଥଭ୍ରଷ୍ଟ ? .....କ୍ଷତ ବିକ୍ଷତ ? କିନ୍ତୁ ସାହସ କରି କିଛି ପଚାରି ପାରେନି ଚନ୍ଦ୍ରାବତୀ....

କେବଳ ଯୁକ୍ତିକରି ଚନ୍ଦ୍ରାବତୀ କହେ....ଜୀବନ ହିଁ ଏଇ ଆନନ୍ଦର କ୍ଷେତ୍ର । ଆନନ୍ଦ ଭିତରେ ଜୀବନଟାକୁ କଟେଇ ଦେବାକୁ ଚେଷ୍ଟାକର ଲୋପା ! ସବୁ ଦୁଃଖ....ସୁଖ ସବୁ ଅଭିମାନ ଆପେ ଆପେ ଦୂରେଇ ଯିବା । ମୋଠାରୁ ଏ ସଂସାରେ ଆଉ ଦୁଃଖୀ କିଏ ଅଛି ? ....କିନ୍ତୁ କାହିଁ......ଦୁଃଖ କେବେ ମୋତେ ଭାଙ୍ଗି ଦେଇ ପାରିନାହିଁ ।

ହସି ହସି ଲୋପା କହେ—ନାଁ ଚନ୍ଦ୍ରାଅପା ! ଏ ତୁମର ଭୁଲ୍‌ଧାରଣା । ଏଇ ସୁଖର ବାହାରେ ଯେ କେଡ଼େ ବଡ଼ ଦୁଃଖର ଦୁନିଆଁ ରହିଛି ତାହା ତୁମେ ଚିନ୍ତା କରି ପାରିନାହିଁ । ସୁଖ ଜୀବନକୁ ଶାନ୍ତି ଦିଏ ସତ......ସରସ କରିପାରେ ନାହିଁ । ସାମାନ୍ୟ ସୁଖ ପାଇଁ ଯେଉଁ ଦୁଃଖର ସୋପାନ ଅତିକ୍ରମ କରିବାକୁ ପଡ଼େ ତାହା ଅତିକ୍ରମ ନ କଲେ ସୁଖ ସ୍ଥାୟୀ ହୁଏନାହିଁ ।

ବଡ଼ ଦେଉଳର ଦିଅଁ ଦେଖିବାକୁ ଚାହିଁଲେ ବାଇଶି ପାଉଛ ଅତିକ୍ରମ କରିବାର କ୍ଳାନ୍ତିକୁ ଭୁଲିଯାଇ ହେବନାହିଁ । ସମଗ୍ର ଦିନ ଭିତରେ ହସିବାର ସମୟ ହୁଏତ ମାତ୍ର କେତେ ମିନିଟ୍‌ । ଆଉ ସବୁ ସମୟରେ ହୁଏତ ନୀରବତା....ନ ହେଲେ ଦୁଃଖ....ନତୁବା ଶୟନ । ତା’ହେଲେ ତୁମେ କେବିତି କହୁଛ ଯେ ସୁଖ ହିଁ ଜୀବନର ସର୍ବସ୍ୱ ?

 

ଆଶ୍ଚର୍ଯ୍ୟ ହୁଏ ଚନ୍ଦ୍ରାବତୀ....ଜୀବନ ସମ୍ୱନ୍ଧରେ ଏ ନୂତନ ବ୍ୟାଖ୍ୟା ଶୁଣି । ପର ମୁହୂର୍ତ୍ତରେ ପୁଣି ଆଶା ବାନ୍ଧି ଯୁକ୍ତି କରିବାକୁ ଚାହେଁ ସେ.... । କିନ୍ତୁ ଶିକ୍ଷିତା ଲୋପାମୁଦ୍ରା ନିକଟରେ ହାରମାନେ ତା’ର ସମସ୍ତ ଯୁକ୍ତି । ଠିକ୍‌ ତର୍କଶାସ୍ତ୍ରର ଅଧ୍ୟାପିକା ଭଳି ଅନାୟାସରେ ଲୋପାମୁଦ୍ରା ପରାସ୍ତ କରେ ଚନ୍ଦ୍ରାବତୀକୁ ।

 

ଚନ୍ଦ୍ରାବତୀ କହେ......ମଣିଷ ମନରେ ସୁଖ ଆଣିବାପାଇଁ ସମାଜ ହିଁ ଦାୟୀ । ଏ ସମାଜ ଅନେକ ସମୟରେ ସୁଖ ଦେବାକୁ ଅକ୍ଷମ ହୁଏ ତେଣୁ ମଣିଷ ହୁଏ ଦୁଃଖୀ ।

 

ଚନ୍ଦ୍ରାବତୀର ଯୁକ୍ତିକୁ ହସରେ ଉଡ଼ାଇ ଦିଏ ଲୋପାମୁଦ୍ରା । ଯୁକ୍ତି କରି କହେ....ନିଜ ଉପରେ ଅସୀମ ବିଶ୍ୱାସ ରଖ ଚନ୍ଦ୍ରାଅପା ! ତା’ହେଲେ ସବୁ ଦୁଃଖ ଆପେ ଆପେ ଦୂରେଇ ଯିବ । ସୁଖ କେହି କାହାକୁ ଦିଏନାହିଁ...ନିଜେ ମଣିଷ ଖୋଜି ନିଜ ପାଇଁ ପାଏ ।’’

 

ନୀରବ ରୁହେ ଚନ୍ଦ୍ରାବତୀ....

 

ବେଳେ ବେଳେ ଯୁକ୍ତି ଦେହରେ ଯୋଗ ଦିଅନ୍ତି ଶାନ୍ତନୁ । ଚନ୍ଦ୍ରାବତୀକୁ ସାହାଯ୍ୟ କରିବା ପାଇଁ ମଧ୍ୟ ସେ ନିଅନ୍ତି ଚନ୍ଦ୍ରାବତୀର ପକ୍ଷ । ଆନନ୍ଦିତା ହୁଏ ଚନ୍ଦ୍ରାବତୀ....

 

ସେଦିନ ସକାଳର ଘଟଣା....

 

ସକାଳୁ ସହଳ ସହଳ ଚାହାଟିକେ ନ ପାଇ...ଆପତ୍ତି କରିବେ ବୋଲି ଚନ୍ଦ୍ରାବତୀର କୋଠରୀକୁ ପଶିଆସିଲେ ଶାନ୍ତନୁ । ଦେଖିଲେ.....ତଥାପି ସେଯାଏ ଶୋଇଛି ଚନ୍ଦ୍ରାବତୀ....ବିଛଣା ନିକଟକୁ ଲାଗି ଆସି କହିଲେ–‘‘ଏ କ’ଣ ଚନ୍ଦ୍ରା, ଆଜି ଏ ପର୍ଯ୍ୟନ୍ତ ଶୋଇଛ ଯେ ?’’

 

କଷ୍ଟରେ ମୁଣ୍ତ ଉଠାଇ ଚନ୍ଦ୍ରାବତୀ କହିଲା....‘‘ନାଁଇ କାଲି ରାତିରୁ କାହିଁକି ଦେହଟା ଖରାପ .. ଖରାପ ଲାଗୁଛି । ସେଇଥିପାଇଁ ଉଠିବା ଡେରି ହୋଇଗଲା ।’’

 

ତରବରରେ ଶାନ୍ତନୁ ଖଟ ପାଖକୁ ଲାଗିଯାଇ ଚନ୍ଦ୍ରାବତୀ ଦେହରେ ହାରମାରି ଚମକି ଉଠିଲେ—‘‘ଏଁ ଏତେ ତାତି ?’’

 

ହସି ହସି ଚନ୍ଦ୍ରାବତୀ କହିଲା ‘‘ନାଁ...ଇଏ କିଛି ନୁହେଁ । ଜୀବନରେ ଅନେକ ପାଣି କାଦୁଅରେ ବୁଲିଛି...ଏମିତି ଅନେକ ଥର ମଧ୍ୟ ଜର ଆକ୍ରମଣ କରିଛି । ହେଲେ କିଛି କ୍ଷତି ପାରିନାହିଁ ।’’

 

ଚନ୍ଦ୍ରାବତୀର ସାହସ ଦେଖି ଅବଶ୍ୟ ବିସ୍ମିତ ହୋଇଥିଲେ ଶାନ୍ତନୁ ।

 

ସଙ୍ଗେ ସଙ୍ଗେ ଫୋନ କଲେ ଡାକ୍ତର ବନ୍ଧୁଙ୍କ ନିକଟରେ । ଡାକ୍ତର ଆସିଲେ । ପରୀକ୍ଷା କଲେ । ଔଷଧର ବ୍ୟବସ୍ଥା କଲେ । ସେମିତି ଖଟ ଉପରେ ବସି ରହିଥାନ୍ତି ଶାନ୍ତନୁ । ଲୋପାମୁଦ୍ରାକୁ ଜର ହୋଇଥିଲେ ଶାନ୍ତନୁ ଯେତିକି ଦୁଃଖ ଅନୁଭବ କରିଥାନ୍ତେ—ତାଠାରୁ କମ୍‌ ଦୁଃଖ ଅନୁଭବ କରୁ ନ ଥିଲେ ଶାନ୍ତନୁ.... ।

 

ଚନ୍ଦ୍ରାଅପାର ଅବସ୍ଥା ଦେଖି ଲୋପାମୁଦ୍ରା ମଧ୍ୟ ଦୂରେଇ ରହି ପାରି ନ ଥିଲା । ଏଇ କେତେଦିନ ଭିତରେ ଚନ୍ଦ୍ରାବତୀ ହୋଇଥିଲା ସମ୍ପୂର୍ଣ୍ଣ ସମସ୍ତଙ୍କର । ତେଣୁ ସମସ୍ତେ ବ୍ୟଥିତ ହେଉଥିଲେ ତା’ ପାଇଁ ।

 

ଏଇ ସମାନ୍ୟ ଜର ହେବାପରେ ଚନ୍ଦ୍ରାବତୀ ଜାଣିଲା–ଶାନ୍ତନୁଙ୍କ ପରିବାରର ସମସ୍ତେ ତାକୁ ଭଲ ପାଆନ୍ତି । ତା’ ପାଇଁ ବ୍ୟସ୍ତ ହୁଅନ୍ତି । ରାସ୍ତା ଉପରେ ସେ ଅନେକ ଦିନ ବୁଲିଛି । ଅନେକ ମଣିଷଙ୍କର ଦେହର, ମନର କ୍ଷୁଧା ମେଣ୍ଟାଇଛି...ହେଲେ କାହିଁ...ଆଜିଯାଏ କେହି ତ ତା’ ପାଇଁ ଏମିତି ବ୍ୟସ୍ତ ହେଉ ନ ଥିଲେ—ଏଇମାତ୍ର ପ୍ରଥମ ।

 

ଭଲ ପାଇବା ମଣିଷ ମନର ଏକ ସୂକ୍ଷ୍ମ ପ୍ରବୃତ୍ତି । ଏ ପ୍ରବୃତ୍ତି କେତେବେଳେ କେଉଁ ଯୁକ୍ତି ନେଇ ଯେ ଚେଇଁ ଉଠେ—ତାହା କହି ହେବ ନାହିଁ । ସମାନ୍ୟ କେତେଦିନର ମିଳାମିଶା ପରେ ସେ ଭଲ ପାଇଛି ଶାନ୍ତନୁଙ୍କ ପରିବାରର ସମସ୍ତଙ୍କୁ । ତେଣୁ ସମସ୍ତେ ମଧ୍ୟ ଭଲପାନ୍ତି ତାକୁ....

 

ସେଦିନ ବାଲି ତାଟିଆଟିଏ ହାତରେ ଧରି ଶାନ୍ତନୁଙ୍କ ପୂଝାରୀ କୋଠରୀ ଭିତରକୁ ପଶି ଆସୁ ଆସୁ କହିଲା—‘‘ଚନ୍ଦ୍ରାଅପା ମ ! ତମ ଭଳି ରୂପ ନେଇ ବାହା ନ ହେଇଥିବା ଝିଅ ମୁଁ ଦେଖିନି-। ରାଇଜ ଯାକର....କାଣୀ କୁଜୀ ଝିଅ ବାହା ହେଉଛନ୍ତି—ତୁମ ପାଇଁ କ’ଣ ବର ମିଳିଲା ନାହିଁ-?’’

 

ପୂଝାରୀର ସରଳିଆ କଥା ଶୁଣି ଲାଜରେ ଝାଉଁଳି ପଡ଼ିଥିଲା ଚନ୍ଦ୍ରାବତୀ । ଠିକ୍‌ ମନକୁ ଛୁଇଁଲା ପରି ପୂଝାରୀ କହିଥିଲା—‘‘ତୁମ ଦେହର ତାତି ଦେଖି ଭିଣୋଇ ବର୍ତ୍ତମାନ କି ବ୍ୟସ୍ତ ହେଉଥାନ୍ତେ କହିଲ ?’’

 

ଆହୁରି ଲାଜରା ହେଲା ଚନ୍ଦ୍ରାବତୀ....

 

ସତେ ଅବା ଚନ୍ଦ୍ରାବତୀ କହୁଥିଲା—ଲାଜକୁଳୀ ! ତୁ କ’ଣ କେବଳ ଏକା ଲାଜ କରି ଜାଣୁ ବୋଲି ଭାବୁଛୁ ? ଅପରର ହାତ ବେଜିଲେ ତୁ ଲାଜରେ ଝାଉଁଳି ପଡ଼ୁ ହେଲେ ମୁଁ ଝାଉଁଳେ ମୋ ନିଜ ରୂପ ଦେଖି । ଚଢ଼େଇଟିଏ ଆକାଶର ନୀଳିମା ଦେହରେ ନିଜ ପରର ନୀଳିମାକୁ ଘଷି ଘଷି ଉଡ଼ିଗଲା ବେଳେ...ପର ଭିତରେ ପବନ ପଶି ଯେମିତି କୁତୁକୁତୁ କରିବାକୁ ଇଚ୍ଛା କରେ—ଠିକ୍‌ ସେମିତି ଚନ୍ଦ୍ରାବତୀର ମନକୁ କୁତୁକୁତୁ କରୁଥିଲା ପୂଝାରୀର ଉତ୍ସାହଭରା ମନମତାଣିଆ କଥା-

 

ମୁହଁ ଖୋଲିଲା ଚନ୍ଦ୍ରାବତୀ....

 

‘‘କିରେ ! ମୋର କ’ଣ ବାହାବେଳ ଚଟିଗଲାଣି ବୋଲି ତୁ ଭାବୁଛୁ ?’’

 

ପୂଝାରୀର ମନରେ ପ୍ରଶ୍ନବାଚୀର ପ୍ୟାରେଡ଼....

 

ଚନ୍ଦ୍ରାଅପାର ରୂପ ଅଛି ସତ....ହେଲେ ଚନ୍ଦ୍ରାଅପା କ’ଣ ବାହା ହେଇ ପାରିବ ?

 

କେଉଁ ମଫସଲରୁ ଆସି ଲୋକନାଥ ଶାନ୍ତନୁଙ୍କ ଘରେ ପୂଝାରୀ କାମ କରୁଛି । ତା’ ଗାଁରେ ଏଡ଼େ ବଡ଼ ବଢିଲା ଝିଅ ସେ କେବେ ଦେଖିନାହିଁ । ଭଉଣୀ ଥିଲା ମାତ୍ର ତା’ର ଗୋଟିଏ । ବାର ବର୍ଷ ଦିନରୁ ସେ ତାକୁ ବାହାକରି ଦେଇଛି । ଭଉଣୀକୁ ମୋଟେ ବାର ବର୍ଷ ହେବାପରେ ଲୋକନାଥର ବୋଉ କହିଥିଲା—କିରେ ଲୋକା ! ଭଉଣୀକୁ କ’ଣ ବାଡ଼ୁଅ ରଖିବୁ ? ଝିଅ ବେଶୀଦିନ ରଖି ହେବନାହିଁ । ତା’ପାଇଁ ବରଟିଏ ଦେଖ୍‌...

 

ସେଇଦିନୁ ମୁଣ୍ତ ଘୂରିଥିଲା ଲୋକନାଥର । କଷ୍ଟେ ମଷ୍ଟେ ହାତକୁ ଦି’ ହାତ କଲା ଭଉଣୀକୁ । ପରେ ପରେ ନିଜର ପାଳି ପଡ଼ିଲା । ପଣ୍ତା ସାହିରେ ବାହା ହେଲା ସେ—ମାତ୍ର ନ ବର୍ଷର କନିଆଁକୁ । ଆଜିଯାଏ ମଧ୍ୟ ଲୋକନାଥର ପୁଆଣି ହୋଇନି । ବେଳେ ବେଳେ ଲୋକନାଥ ମନରେ ଭଉଁରୀ ଖେଳେ ବଢ଼ିଲା ଝିଅର ଶୋଭା । ଭାବେ ସେ....ବଢ଼ିଲା ଝିଅଗୁଡ଼ାକ ମାଲିଆଣୀ । ପୁରୁଷ ମନକୁ ବାନ୍ଧି ପାରନ୍ତି ସେମାନେ ।

 

କିନ୍ତୁ ଲୋକନାଥ ଦେଖିଛି......ତା’ ଗାଁର କରଣ ସାହିରେ ଅନେକ ବର୍ଷ କାଏ ଝିଅଗୁଡ଼ାକ ବାହା ନ ହେଇ ରୁଅନ୍ତି । ସେଇଥିପାଇଁ ତାଙ୍କ ନାଁରେ କାହିଁ କେତେ ଅପବାଦ...

 

ଲୋକନାଥ କହିଲା—‘‘ନାଁ ଅପା ! ବଅସ ଯାଇନାହିଁ ଯେ...... ମନ ତ ଚାଲିଯାଉଛି । ଏ ମନ କ’ଣ ଆଉ ଆସିବ ?’’

 

ଗମ୍ଭୀରା ହୋଇଉଠିଲା ଚନ୍ଦ୍ରାବତୀ । ଲୋକନାଥ ଠିକ୍‌ କହୁଛି । ଏ ମନ ଆଉ ଆସିବ ନାହିଁ । ଦିନ ଗଡ଼ିଗଲେ ନୂଆ ମନ ପୁରୁଣା ହୁଏ...ମନ ଦେହରୁ ରଙ୍ଗ ଲିତ୍ତେ....ବାସନା ମରେ....ମନ ହୁଏ ବିଷାକ୍ତ । ହଠାତ୍‌ କ’ଣ ଭାବିଲା କେଜାଣି ଚନ୍ଦ୍ରାବତୀ ବିଛଣାରୁ ଉଠିପଡ଼ି କହିଲା–‘‘ଆଚ୍ଛା ଲୋକନାଥ ! ତୁ ମତେ ବାହା ହେଇପାରିବୁ ?’’

 

ବାଲି ତାଟିଆଟା ଥୋଇ ଦେଇ ଦି’ହାତ ପଛକୁ ଘୁଞ୍ଚିଗଲା ଲୋକନାଥ । ଛି....ଛି....ଏ କ’ଣ କହୁଛ ଅପା ! କାହିଁ କେଉଁଠି ତୁମର ଆସନ...ଆଉ ମୁଁ... । ଛାର ଛିକର ପୂଝାରୀଟାଏ ।

 

ଦୁର୍ବଳତାକୁ ବେଖାତିର କରି ହସିଲା ଚନ୍ଦ୍ରାବତୀ—କହିଲା—‘‘ଆଚ୍ଛା କହିଲୁ ଲୋକନାଥ....ନାରୀ ଜଣେ ଆଇ. ଏ. ଏସ....ସ୍ୱାମୀଠାରୁ ଯେଉଁ ଆନନ୍ଦ ପାଏ—ଜଣେ ବିଲର ମୂଲିଆଠାରୁ କ’ଣ ସେହି ଆନନ୍ଦ ପାଇ ପାରିବନି ?’’

 

ଅନେକ କିଛି ଯୁକ୍ତି କରିବାକୁ ଇଚ୍ଛା ହେଲା ଲୋକନାଥର । ସେ ପୂଝାରୀ ହେଲେ ମଧ୍ୟ ମଣିଷ । ଅନେକ ଅନୁଭୂତି ଅଛି ତା’ର । ଚନ୍ଦ୍ରାବତୀର ଯୁକ୍ତିକୁ ସେମିତି ସମର୍ଥନ କରିଯିବ କେମିତି-?

 

କହିଲା—‘‘ନାଁ ଅପା ? ପ୍ରଭେଦ ନିଶ୍ଚୟ ଅଛି । ଜଣେ ଗଜବନ୍ତ ପଲଙ୍କ ଉପରେ ବସୁଛି—ଆଉ ଛିଣ୍ତା କନ୍ଥା ଉପରେ ବସୁଛି । ବସିବା ଦେହରେ ପାର୍ଥକ୍ୟ ନାହିଁ ସତ । ହେଲେ ଅନୁଭୂତିରେ ନିଶ୍ଚୟ ପାର୍ଥକ୍ୟ ଅଛି । ତୁମେ ମନା କଲେ ହେବନାହିଁ ।’’

 

ଲଜ୍ଜିତା ହେଲା ଚନ୍ଦ୍ରାବତୀ । ଉତ୍ତେଜନାରେ କ’ଣ ବୋଲି କ’ଣ କହି ପକାଉଛି ସେ । ଛି......ଛି କ’ଣ ଭାବିଥିବ ଲୋକନାଥ ?

 

ଖୁବ୍‌ କମ୍‌ ଦିନରେ ଜର ଛାଡ଼ିଲା ଚନ୍ଦ୍ରାବତୀର । ସ୍ୱଭାବିକ୍‌ ଭାବେ କାମରେ ଲାଗିଲା ଚନ୍ଦ୍ରାବତୀ । ଏଣେ ରାତି ଦିନ ମଧ୍ୟ କାମରେ ଲାଗିଥାଏ ଲୋକନାଥ । କିନ୍ତୁ ଏବେ ବେଳେ ବେଳେ କେମିତି ଅହେତୁକ ହୋଇ ଚମକି ପଡ଼େ ସେ ।

 

ସେ ଦିନକାର—ଚନ୍ଦ୍ରାଅପାର କଥାର ଦାଗଟା ରହିଯାଇଛି ତା’ ଛାତି ଭିତରେ । ଦୋହଲି ଉଠୁଛି ତା ଯୁବକ ପ୍ରାଣ । ନଈ ସୁଅପରି ସୁଅ କାଟି ବେଳେ ବେଳେ ଅଥୟ କରୁଛି ତାକୁ-। ଖଣ୍ତାମଗର ଯେମିତି ପ୍ରତିକୁଳ ସ୍ରୋତରେ ଆଗକୁ ମାଡ଼ିଚାଲେ—ସେମିତି ବେଳେ ବେଳେ ଆଗେଇବାରେ ଲାଗିଛି ଲୋକନାଥ ।

 

ଏବେ ଶାନ୍ତନୁଙ୍କ ଅପେକ୍ଷା ଚନ୍ଦ୍ରାବତୀକୁ ଅଧିକ ଭକ୍ତି କରିବାକୁ ଚେଷ୍ଟା କରୁଛି ଲୋକନାଥ....

 

କିନ୍ତୁ ଲୋକନାଥକୁ ଶାସନ କରେ ଲୋପାମୁଦ୍ରା । ବେଳେ ବେଳେ ତାକିବା କରି କହେ–‘‘ଦେଖ୍‌ ଲୋକା ! ଯଦି ତୋର କାମ କରିବାର ଇଚ୍ଛା ଅଛି ତେବେ କାମ କର ନ ହେଲେ ସିଧା ସିଧା ଏ ଘର ଛାଡ଼ି ଚାଲିଯା....’’

 

ଥରିଉଠେ ଲୋକନାଥ...

 

ଚାରି ମାସ ହେଲା ଶାନ୍ତନୁଙ୍କଠାରୁ ଗୋଟିଏ ହେଲେ ପଇସା ନେଇନି ସେ । ମନେ ମନେ କେତେ କଳ୍ପନା କରିଛି—

 

ଏକାଥରେ ସବୁ ପଇସା ନେଇ ପୁଆଣୀ ଘର କରିବ । ଗରିବ ଲୋକ ସେ....ନିମନ୍ତ ପାଇଁ ପଇସା ପାଇବ କାହୁଁ ଏକାବେଳେ ।

 

ମଣିଷ ପ୍ରତି ମୋହ ନାହିଁ ଲୋପାମୁଦ୍ରାର । ମଣିଷତା ପ୍ରତି ତା’ର ମୋହ । ଉପର ମଣିଷକୁ ଦେଖିବାକୁ ସେ ଘୃଣା କରେ । ହେଲେ ଭିତର ମଣିଷ ତା’ର ଦେବତା । ସବୁ ଜିନିଷର ଗୋଟିଏ ବାହାର ଆଉ ଗୋଟିଏ ଭିତର ଅଛି । ଠିକ୍‌ ଏ ଦୃଷ୍ଟିରୁ ଚନ୍ଦାବତୀ ବାହାରର ଆଉ ଲୋପାମୁଦ୍ରା ଭିତରର....ମଣିଷ ।

 

ସେଦିନ ସକାଳର ଚାହା ଖାଉ ଖାଉ ଚନ୍ଦ୍ରାବତୀ କହିଲା....ଦେଖୁଛ ଲୋପା ! ଲୋକନାଥଟି କେଡ଼େ ସରଳ ପିଲା । ମନ ଭିତରେ ପର ଆପଣାର ଭେଦ ନାହିଁ । ବାବୁ ଘରେ ଅଛି ବୋଲି ସନରେ ବି ଟିକେ ଡର ନାହିଁ ।

 

ବାଧା ଦେଇ ଲୋପାମୁଦ୍ରା କହିଲା—‘‘ନାଁ ଚନ୍ଦ୍ରାଅପା ! ଏ ମଣିଷଙ୍କୁ ମୁଁ ଭଲପାଏ ନାହିଁ-। ନିଜ ଗୋଡ଼ରେ ଯେଉଁମାନେ ନିଜେ ଠିଆ ନ ହୋଇ ପାରନ୍ତି......ମୁଁ ସେମାନଙ୍କୁ ଘୃଣା କରେ-। ଲୋକନାଥ ପୂଝାରୀ । ହେଲେ ବିନା ବରାଦରେ କିଛି ବୋଲି କିଛି କରି ପାରିବ ନାହିଁ । ଏମିତି ଲୋକ ଥାଇ କେତେ ବା ନ ଥାଇ କେତେ ?’’

 

ହଠାତ୍‌ ଉଠିପଡ଼ି ନିଜର କୋଠରୀକୁ ଚାଲିଗଲା ଚନ୍ଦ୍ରାବତୀ । ଆଖି କୋଣରେ ହୁଏତ ଜରେଇ ଉଠିଥିଲା ଧାରଟିଏ ଲୁହ । ଆଖିରେ ଗୁଣ୍ତି ପଡ଼ିଲା ବୋଲି ବାହାନା କରି ଚାଲି ଯାଇଥିଲା ଚନ୍ଦ୍ରାବତୀ ।

 

‘‘ନିଜ ଗୋଡ଼ରେ ଯେଉଁମାନେ ନିଜେ ଠିଆ ନ ହୋଇ ପାରନ୍ତି....ମୁଁ ସେମାନଙ୍କୁ ଘୃଣା କରେ ।’’ କଥା ପଦକ ବାରମ୍ୱାର ଚନ୍ଦ୍ରାବତୀର ମନ ଭିତରେ ଘେରଖାଇବାକୁ ଲାଗିଲା । ତେବେ କ’ଣ ମୋତେ ଘୃଣା କରେ ଲୋପାମୁଦ୍ରା ? ହଁ....ମୁଁ ପରାଶ୍ରିତା....ପର ଅନ୍ନରେ ପ୍ରତିପାଳିତା....ନିଶ୍ଚୟ ଘୃଣା କରୁଥିବ ଲୋପାମୁଦ୍ରା ।

 

କୋହରେ ଫାଟି ପଡ଼ିଲା ଚନ୍ଦ୍ରାବତୀର ହୃଦୟ । ଆଉ ଠିଆ ହୋଇ ପାରିଲାନି ସେ । ରାତିର ଅନ୍ଧାରରେ ନଈର ସେପାଖରେ ଥାଇ ଚକୁଆ ଯେମିତି ବିକଳରେ ବିଳାପ କରେ—ସେମିତି ବିଳାସ କରି ଉଠିଲା ଚନ୍ଦ୍ରାବତୀ । ଏ ବିଳାପ କିନ୍ତୁ ଶୁଭିଲାନି ଅନ୍ୟକୁ । ଏ ଯେ....ମନର ବିଳାପ.... ।

 

କଟକ ଆକାଶ ସହିତ ଲୁଚକାଳି ଖେଳି ଠିକ୍‌ ଖପୁରିଆ ଶିଳ୍ପାଞ୍ଚଳ ଆଡ଼ୁ ଗଜହାତୀ ଭଳି ଢଳି ଢଳି ଆସୁଥାଏ ମାଘମାସିଆ ସଞ୍ଜ । ଦୋ’ ମହାଲା କୋଠରୀର ଝରକା ନିକଟରେ ଠିଆ ହୋଇ ସେ ଆଡ଼କୁ ଚାହିଁ କେତେ କ’ଣ ଭାବୁଥାଏ ଚନ୍ଦ୍ରାବତୀ....

 

ଏଇ ସଞ୍ଜ....

 

ଅନେକ ଦିନର ପୁରୁଣା ସଞ୍ଜ....

 

ଆଜି ଆସୁଛି ନୂଆ ହେଇ । କିନ୍ତୁ ପ୍ରାଣରେ ପୁଲକ ନାହିଁ....ଛାତିରେ ମୋହ ନାହିଁ...ଅଛି କେବଳ ନିର୍ଲପ୍ତ ଭାବାବେଗ ।

 

କାହା ହାତର ପରଶ ପାଇ ଶିହରି ଉଠିଲା ଚନ୍ଦାବତୀ ।

 

ତେବେ କ’ଣ ସାମାନ୍ୟ ପଦେ ଦୁର୍ବଳ କଥା ପାଇଁ ଦେହ ଛୁଇଁବାର ସାହସ କରିଛି ଲୋକନାଥ ?

 

ନାଁ....ଚୂର୍ଣ୍ଣ କୁନ୍ତଳରୁ ବଢ଼ିଲା ଝିଅର ଲାଳିତ୍ୟ ଖୋଜୁଛି ଲୋକନାଥ । ଚନ୍ଦ୍ରାବତୀର ଚୂର୍ଣ୍ଣକୁନ୍ତଳରୁ ଅପତ୍ୟ ସ୍ନେହର ମାଦକତା ଖୋଜୁଛନ୍ତି ଶାନ୍ତନୁ.....

 

ମୂକ....ବଧୀର....ପାଷାଣ ଭଳି ଠିଆ ହୋଇଥିଲା ଚନ୍ଦ୍ରାବତୀ...

 

ଆଶ୍ଚର୍ଯ୍ୟ ହେଲେ ଶାନ୍ତୁନୁ...ଏ କ’ଣ ମା, ଏମିତି ଠିଆ ହୋଇ କ’ଣ ଭାବୁଛୁ.... ?

 

ଚନ୍ଦ୍ରାବତୀ ଜାଣେ.....କଥାକୁ ଯେତେ ବୁଲାଇ ଦେବାକୁ ଚାହିଁଲେ ମଧ୍ୟ ଛାଡ଼ି ଦେବେନି ଶାନ୍ତନୁ । ବାରବାର କରି ସେ ପଚାରିବେ ନାନା କଥା ।

 

ତାହା ହିଁ ହେଲା । ଶାନ୍ତନୁ ଜିଦ୍‌ଧରି ବସିଲେ କଥା କ’ଣ ଜାଣିବାକୁ । କାତର କଣ୍ଠରେ ଅନୁଜୟ କଲାଭଳି ଚନ୍ଦ୍ରାବତୀ କହିଲା—‘‘ମୋର ଗୋଟିଏ ସାମାନ୍ୟ ଅନୁରୋଧ ରଖିବେ ? ତାହାହେଲେ ମୁଁ ଭାବିବି ଆପଣ ହିଁ ବାସ୍ତବିକ୍‌ ମୋର ବାପା ବଦଳି ବାପା ।’’

 

ଗମ୍ଭୀର ହୋଇ ଠିଆ ହୋଇ ଶାନ୍ତନୁ କହିଲେ—କ’ଣ କହିବ କୁହ...ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ପାଳନ କରିବାକୁ ।

 

ଆନନ୍ଦରେ ନାଚିଉଠି ଚନ୍ଦ୍ରାବତୀ କହିଲା—‘‘ମୁଁ ଜାଣେ ଆପଣ ନିଶ୍ଚୟ ପାରିବେ ।’’

 

ପୁଣି ଥରେ ଶାନ୍ତନୁ କହିଲେ—‘‘ପ୍ରଥମେ କୁହ...’’

 

ସେମିତି ଅଳି କରିବା ଭଙ୍ଗୀରେ ଚନ୍ଦ୍ରାବତୀ କହିଲା—‘‘ମୋତେ ଖଣ୍ଡିଏ ଚାକିରୀ ଯୋଗାଡ଼ କରିଦେଇ ପାରିବେ ?’’

 

ଅଚାନକ ଅନୁରୋଧରେ ଆଶ୍ଚର୍ଯ୍ୟ ହୋଇପଡ଼ି କହିଲେ—‘‘କିନ୍ତୁ ତୁମର ଏଠି ଅସୁବିଧା କ’ଣ ହେଉଛି ଚନ୍ଦ୍ରାବତୀ ?’’

 

ଅସୁବିଧାରେ ପଡ଼ିଲା ଚନ୍ଦ୍ରାବତୀ । ତଥାପି କଥାର ମୋଡ଼ ବୁଲାଇ କହିଲା—‘‘ଆପଣ କ’ଣ ଭାବୁଛନ୍ତି ମୁଁ ସବୁଦିନ କେବଳ କୁମାରୀ ହୋଇ ଛୋଟ ଝିଅଟିଏ ଭଳି ଆପଣଙ୍କ ନିକଟରେ ପଡ଼ିଥିବି ? ମୋର କ’ଣ ଆଉ ଭବିଷ୍ୟତରେ ସ୍ୱପ୍ନ କିଛି ନାହିଁ ?’’

 

ଚାବୁକ୍‌ ଖାଇଲା ପରି ଫେରିପଡ଼ିଲେ ଶାନ୍ତନୁ । ଆପେ ଆପେ ଶାନ୍ତନୁଙ୍କ ମୁହଁରୁ ବାହାରି ପଡ଼ିଥିଲା...‘‘ବ୍ୟସ୍ତ ନାହିଁ...ଚାକିରୀ ନିଶ୍ଚୟ ହେବ ।’’

 

ଫେରି ଆସିଲାବେଳେ ଅନେକ କଥା ଭାବି ଯାଉଥିଲେ ବାରିଷ୍ଟର ଶାନ୍ତନୁ... । କଅଁଳ ବୟସର ଝିଅ ଚନ୍ଦ୍ରାବତୀ । ତା’ର ଭବିଷ୍ୟତ ଅଛି । ସଂସାର କରିବାର ମୋହ ଅଛି । ଜୀବନକୁ ଉପଭୋଗ କରିବାର ସମୟ ଅଛି । ନିଜକୁ ନିଜେ ପ୍ରତିଷ୍ଟିତ କରିବାର ସମୟ ଅଛି । କି ଯୁକ୍ତିରେ...କି ଅଧିକାରରେ ସେ ତାକୁ ନିଜ ଘରେ ବନ୍ଦୀ କରି ରଖିବେ ? .....ନାଁ ....ନାଁ ନିଜର ଭାଗ୍ୟ ଖୋଜିବା ପାଇଁ ବାହାରି ପଡ଼ ଚନ୍ଦ୍ରାବତୀ । ତାକୁ ବାଧା ଦେବେ କାହିଁକି ?

 

ଠିକ୍‌ସେତିକିବେଳେ ଲୋପାମୁଦ୍ରା କଥା ମଧ୍ୟ ଚିନ୍ତା କରୁଥିଲେ ବାରିଷ୍ଟର ଶାନ୍ତନୁ । ଆଉ ଛୁଆହୋଇ ରହିନାହିଁ ଲୋପାମୁଦ୍ରା । ତା’ର ମଧ୍ୟ ବୟସ ହୋଇଛି । ସଂସାରକୁ ଚିହ୍ନିବାର ବେଳ ଆସିଛି । ଏଣିକି ନିଜ ପାଖରୁ ତାକୁ ଦୂରେଇବାକୁ ହେବ । ନିଜକୁ ନିଜେ କଥାଟାକୁ ବିଶ୍ଳେଷଣ କରି କାନ୍ଦି ଉଠିଲେ ଶାନ୍ତନୁ ।

 

ଦୀର୍ଘଦିନ ପରେ ତାଙ୍କର ଏଇ ମାତ୍ର ପ୍ରଥମ ଅନୁଚିନ୍ତା.... ।

 

ଯେଉଁ ଜୀବନକୁ ଜଳିବା ପାଇଁ ଲୋପାମୁଦ୍ରା ଇନ୍ଧନ ଯୋଗାଇ ଦେଇଥିଲା....ସେହି ଲୋପାମୁଦ୍ରା ଆଉ ନିଜର ହୋଇ ରହିବ ନାହିଁ । ନିଜେ ଶାନ୍ତନୁ ମଧ୍ୟ ହେବେ ତା‘ ନିକଟରେ ପର । ବିଚିତ୍ର ଏ ନାରୀ ଜଗତ । ବିଚିତ୍ର ଏ ସଂସାର ଦୌଡ଼ ।

 

ଆଜି ଭାବୁଛନ୍ତି ଶାନ୍ତନୁ....ଜୟନ୍ତୀକୁ କୋଳରେ ଧରି ସୁଖରେ ସ୍ୱପ୍ନ ଦେଖୁଥିବାବେଳେ ତାଙ୍କ ବାପାଙ୍କ ମନସ୍ତର ପ୍ରତି ଦୃଷ୍ଟିବେଦା ତାଙ୍କ ନିକଟରେ ସମ୍ଭବ ହୋଇଥିଲା ? ତା‘ହେଲେ ଆଜି ଏ ଦୁଃଖ କାହିଁକି ? ହିନ୍ଦୁ ସମାଜ କହେ–ଝିଅ ବାପାର ନୁହେଁ...ଝିଅ ସ୍ୱାମୀର ।

 

ଯୌବନ ହୀନା ଶ୍ୟାମଳୀ ସ୍ତ୍ରୀକୁ ସ୍ୱାମୀ ଗୋଇଠା ମାରି ବାର ବାର ନିଜ ବିଛଣା ଉପରୁ ତଡ଼ି ଦେଉଥିଲେ ମଧ୍ୟ ସ୍ତ୍ରୀ ସ୍ୱାମୀର, ସ୍ୱାମୀ ସ୍ତ୍ରୀର । ଏ ବନ୍ଧନରେ ନିବିଡ଼ତା ଅଛି । ସେ ନିବିଡ଼ତାକୁ ଛିଡ଼ାଇ ହେବନାହିଁ । ବାଲିଗରଡ଼ାଟାକୁ ସିନ୍ଦୁର ମାରି ପୂଜା କରିବା ପରେ ସେ ଦିଅଁ ହୋଇ ଉଠିବା ପରି—ଥରେ ଦିଗପାଳଙ୍କୁ ସାକ୍ଷୀରଖି ବିବାହ କରିବା ପରେ ସେ ହୁଏ ଅର୍ଦ୍ଧାଙ୍ଗିନୀ । ଅବଶ୍ୟ ଅମନା ସ୍ତ୍ରୀ ବେଳେ ବେଳେ ବଳପୂର୍ବକ ତା’ର ପ୍ରାପ୍ୟ ମାଗି ବସେ । ବୃଥାରେ ସ୍ୱାମୀକୁ ଦୋଷୀ କରିବାକୁ ଚେଷ୍ଟାକରେ । ସ୍ୱାମୀ ଯେ ନିର୍ଦ୍ଦେଶ କହେ ତା ନୁହେଁ....ପରସ୍ପର ବୁଝାମଣାରେ ଜନ୍ମେ ଭ୍ରମ । ତା‘ପରେ ମନୋମାଳିନ୍ୟ.... ତା‘ପରେ.... । କିନ୍ତୁ ତଥାପି ସ୍ୱାମୀ ରହେ ସ୍ୱାମୀ ଆଉ ସ୍ତ୍ରୀ ରହେ ସ୍ତ୍ରୀ... ।

 

ଏଇ ଆମ ପବିତ୍ର ହିନ୍ଦୁ ସମାଜ । ଏ ସମାଜରେ ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ ସବୁଠାରୁ କଠିନ ସମ୍ପର୍କ । ଯିଏ ଏ ସମ୍ପର୍କରେ ଥରେ କାନ୍ଧି ନ ହୋଇଛି ସେ ହିନ୍ଦୁ ହୋଇ ପାରିନାହିଁ । ଏମିତି କେତେ କ’ଣ ଚିନ୍ତା କରୁକରୁ ଲୋପାମୁଦ୍ରା ଆଉ ଚନ୍ଦ୍ରାବତୀ କଥା ଭାବୁଥିଲେ ଶାନ୍ତନୁ ।

 

ଚିନ୍ତା ମଣିଷର ସବୁଠାରୁ ବଡ଼ ରୋଗ । ଏ ରୋଗ ଯଦି ଥରେ ମଣିଷକୁ ଗ୍ରାସ କରିଛି–ତା’ କବଳରୁ ରକ୍ଷା ପାଇବା ମୋଟେ ସହଜ କଥା ନୁହେଁ.... ।

 

ଦିନ ଗଡ଼ିଚାଲେ....

 

ସମୟରେ ସ୍ରୋତରେ ଯେ ବିରାମ ନାହିଁ.....

 

ଏଣିକି ବେଳେବେଳେ କାନ୍ଦିବାକୁ ଚେଷ୍ଟାକରେ ଚନ୍ଦ୍ରାବତୀ । ହସି ପାରେନି ସେ...

 

ସେଦିନ ପ୍ରାୟ ରବିବାର... । ନିଜର କୋଠରୀ ଭିତରେ ବସି ପୁରୁଣା ବ୍ଲାଉଜ୍‌ ଖଣ୍ଡେ ମରାମତି କରୁଛି ଚନ୍ଦ୍ରାବତୀ । ହଠାତ୍‌ ସେ କୋଠରୀ ମଧ୍ୟକୁ ପଶି ଆସିଲେ ଶାନ୍ତନୁ । ବସିବା ଜାଗାରୁ ଉଠିପଡ଼ି ଠିଆ ହେଲା ଚନ୍ଦ୍ରାବତୀ......

 

ଆନନ୍ଦିତ ହୋଇ ଶାନ୍ତନୁ କହିଲେ.....‘‘ତୁମର ଚାକିରୀ ସମ୍ବନ୍ଧରେ ସମ୍ବଲପୁରରେ ଜଣେ ଡାକ୍ତର ବନ୍ଧୁଙ୍କ ନିକଟକୁ ମୁଁ ଲେଖିଥିଲି । ସେ ଉତ୍ତର ଦେଇଛନ୍ତି ?’’

 

ଆଶାୟୀ ହୋଇ ଚାହିଁରହିଲା ଚନ୍ଦ୍ରାବତୀ.....

 

ମୁଣ୍ଡ ଟେକି ପୁଣି ଶାନ୍ତନୁ କହିଲେ—‘‘ସେ ତୁମକୁ ସେଠାରେ ନର୍ସ ଟ୍ରେନିଂରେ ଭର୍ତ୍ତି କରିଦେବେ ବୋଲି ଲେଖିଛନ୍ତି । ତୁମର ମତାମତ କ’ଣ ?’’

 

ଆପତ୍ତି ନ ଥିଲା ଚନ୍ଦ୍ରାବତୀର......

 

ବ୍ୟସ୍ତ ହେଲା ପରି କହିଲା—ଯେ କୌଣସି ଚାକିରୀରେ ମୁଁ ଯୋଗ ଦେବାକୁ ରାଜି । ଅବଶ୍ୟ ଏ ରାଜ୍ୟରେ ନର୍ସମାନଙ୍କ ବିରୁଦ୍ଧରେ ଗୋଟିଏ ସ୍ୱଭାବିକ୍‌ ଘୃଣା ରହିଛି....ତଥାପି ସେହି ଖତ ଗଡ଼ିଆରେ ମୁଁ ପଦ୍ମ ଫୁଟାଇ ପାରିଲେ...ନିଶ୍ଚୟ ଅନ୍ୟମାନଙ୍କର ସମ୍ମାନ ପାଇବି । ଆପଣଙ୍କ ସ୍ନେହ ପାଇବି ।’’

 

ଆଖିରୁ ଲୁହ ଝରି ଆସୁଥିଲା ଶାନ୍ତନୁଙ୍କର । ମୁହଁ ବୁଲାଇ କହିଲେ—‘‘ବେଶ୍‌ତା’ ହେଲେ ଆସନ୍ତା କାଲି ସମ୍ବଲପୁର ଯିବା ପାଇଁ ପ୍ରସ୍ତୁତ ହୋଇଯାଅ ।’’

 

ଆନନ୍ଦିତା ହୋଇ ହସିଉଠିଲା ଚନ୍ଦ୍ରାବତୀ ।

 

ଚାକିରୀ ଯିବା ପରେ ଓ ବିଶ୍ୱବିଦ୍ୟାଳୟ ଡ଼ିଗ୍ରୀ କାଢ଼ି ନେବାପରେ ହେମକାନ୍ତ ଏକରକମ ବଦ୍ଧପାଗଳ କହିଲେ ଚଳେ । ସୃଷ୍ଟି ଛଡ଼ା ମଣିଷ ଭଳି ରାସ୍ତାରେ ବୁଲୁଛି ହେମକାନ୍ତ । ଆଜି ଆଉ କାହାରି ସମ୍ମାନ ନାହିଁ ହେମକାନ୍ତ ପ୍ରତି । ଲୋକଚକ୍ଷୁରେ ହେମକାନ୍ତ ନଷ୍ଟଚରିତ୍ର, ସ୍ୱାର୍ଥପରପରଶ୍ରୀକାତର ମଣିଷ ।

 

ଏଣୁ ତେଣୁ ଗପି ଗପି ରାସ୍ତା ଉପରେ ଚାଲି ଯାଉଥିବାବେଳେ ଅନେକ ଅଶ୍ଳୀଳ ଆକ୍ଷେପ ଶୁଣେ ସେ । ତଥାପି ରାଗି ପାରେନି ହେମକାନ୍ତ । ଯାହାର ସମାଜରେ ସ୍ଥିତି ନାହିଁ....ବଞ୍ଚିବାର ଅଧିକାର ନାହିଁ...ତାହାର ରାଗିବାର ମଧ୍ୟ ସ୍ୱାଧୀନତା ନାହିଁ । ସେ ରାଗକୁ ବା ସମର୍ଥନ କରିବ କିଏ ? ସାକ୍ଷୀର ସମର୍ଥନ ନ ପାଇଲେ କୋର୍ଟରେ କେସ୍‌ ଚାଲିପାରୁ ନାହିଁ......ହେମକାନ୍ତ ବା କେତେ ମାତର ।

 

ଆଜି ମଧ୍ୟ ହେମକାନ୍ତକୁ ଡ଼ଞ୍ଚି ରହିବାର ମୋହ ପାଗଳ କରେ... ପୁଣି ନିଜ ପ୍ରତି ନିଜେ ବିଶ୍ୱାସ କରିବାର ଆବେଗ ଉନମନା କରାଏ । ସବୁକୁ ବିଶ୍ଳେଷଣ କରି ସମାଧାନର ବାଟ ଖୋଜେ ହେମକାନ୍ତ । ରାସ୍ତାକଡ଼ର ହିତଳ ପ୍ରସାଦ ଦେଖି ବେଳେ ବେଳେ ପଶୁ ହେବାକୁ ଚିନ୍ତାକରେ ହେମକାନ୍ତ । ପ୍ରାସାଦ ଭିତରେ ପ୍ରବେଶ କରି ସୁନା, ରୂପା, ଧନ ସମ୍ପତ୍ତି ଲୁଟି ନେବାକୁ ଇଚ୍ଛାକରେ ସେ । ପରମୁହୂର୍ତ୍ତରେ ପୁଣି ଭାଗ୍ୟବାଦୀ ହୁଏ ହେମକାନ୍ତ । ନାଁ.....ନାଁ.....ଏ କି ହୀନ ଚିନ୍ତା.....ଭଗବାନ୍‌ତାକୁ ଛୋଟ ଭାଗ୍ୟ ଦେଇ ଜନ୍ମ ଦେଇଛନ୍ତି...ସେ ବୃଥା ଆଶା କରୁଛି କାହିଁକି ?

 

ଦ୍ୱନ୍ଦବହୁଳ ଦର୍ଶନ ଭିତରେ ବଞ୍ଚିବାକୁ ଚେଷ୍ଟାକରେ ହେମକାନ୍ତ । ନିଜକୁ ନିଜେ ବିଶ୍ୱାସ କରେ ସେ । ପୁଣି ଚନ୍ଦ୍ରାବତୀ ଓ ଲୋପାମୁଦ୍ରାର ତତ୍ୱ ମଧ୍ୟ ତାକୁ ଗ୍ରାସ କରିଥାଏ । ବେଳେ ବେଳେ ହେମକାନ୍ତ ଭାବେ–ମୁଁ ମହାପାପୀ । ମୋତେ ଠିକ୍‌ଶାସ୍ତି ହୋଇଛି । ନିରୀହା ଚନ୍ଦ୍ରାବତୀକୁ ମୁଁ ବିନା କାରଣରେ ଦୂରେଇ ଦେଇଛି । ସେହି ମନ ଭିତରେ ଆଶ୍ରା ଦେଇଛି ଲୋପାମୁଦ୍ରାକୁ । ଲୋପାମୁଦ୍ରାକୁ ନିଜର କରିଥିବାବେଳେ ଥରେ ହେଲେ ଚିନ୍ତା କରିନାହିଁ ଚନ୍ଦ୍ରାବତୀ କଥା । ଏହାଠାରୁ ବଡ଼ ପାପ କ’ଣ ଥାଇପାରେ ?

 

ପୁଣି ପର ମୁହୁର୍ତ୍ତରେ ଭାବେ ହେମକାନ୍ତ । ଲୋପାମୁଦ୍ରା ଯଦି ଚନ୍ଦ୍ରାବତୀ କଥା ଜାଣିଥାନ୍ତା....ତେବେ କ’ଣ କଦାପି ନିଜର କରିବାକୁ ଉଚ୍ଛା କରିଥାନ୍ତି ? ନାଁ.......ନାଁ.....ଲୋପାମୁଦ୍ରା ଠିକ୍‌କରିଛି.....ପାପପାଇଁ ପ୍ରାୟଶ୍ଚିତ ହିଁ ବାଢି ଦେଇଛି । ଏଇ ଦୀର୍ଘଦିନ ଭିତରେ ଯଦି ଲୋପାମୁଦ୍ରାକୁ ଥରେ ହେଲେ ଚନ୍ଦ୍ରାବତୀ କଥା କହି ପାରିଥାନ୍ତି....ତେବେ ହୁଏତ ଲୋପାମୁଦ୍ରା ସମବେଦନା ଜଣାଇଥାନ୍ତି.... । ମଣିଷ ସ୍ୱାର୍ଥପର । ଗୋଟିଏ ସୁଖରେ ଥିବାବେଳେ ଆଉ ଗୋଟିଏ ସୁଖକୁ ଭୁଲିଯାଏ ସେ ।

 

ବ୍ୟତିବ୍ୟସ୍ତ ହୋଇ ଗସ୍ତା ଉପରେ ଦୌଡ଼ିବାକୁ ଲାଗେ ହେମକାନ୍ତ । ହସିଉଠନ୍ତି ରାସ୍ତାର ମଣିଷ । ହୁଏତ ଇସ୍କୁଲ ଫେରନ୍ତା ପିଲା ଥୋଡ଼େ ବାଟ ଦୌଡ଼ନ୍ତି ହେମକାନ୍ତର ପଛରେ ।

 

ରାସ୍ତାରେ ଚାଲି ଯାଉ ଯାଉ ବେଳେ ବେଳେ ବାରିଷ୍ଟର ଶାନ୍ତନୁଙ୍କ ପ୍ରାସାଦ ଆଡ଼େ ଚାହିଁରହେ ହେମକାନ୍ତ । ମନ ବିଷାକ୍ତ ହୋଇଉଠେ । ଘୃଣାତେ ପାଦ ବଢ଼ାଇ ଆଗକୁ ଚାଲେ ହେମକାନ୍ତ.... । ଏଇ ପ୍ରାସାଦ ଯେ ତା‘ ଜୀବନର ଗୋଟିଏ ଜୀର୍ଣ୍ଣ ପୃଷ୍ଠାକୁ ଶ୍ରୀମନ୍ତ କରିଥିଲା—ଏ କଥା ଚିନ୍ତା କରି ପାରେନି ହେମକାନ୍ତ ।

 

ଆଜି ମଧ୍ୟ କଟକ ସହରର ରାସ୍ତାରେ ଠିକ୍‌ଆଗପରି ମଣିଷର ଭିଡ଼ ଲାଗିଛି । କୃଷ୍ଣଚୂଡ଼ା ଗଛରେ ଫୁଲର ଶୋଭାଯାତ୍ରା ହେଉଛି । ଫୁଲ ଝଡ଼ୁଛି ଓ ଫୁଟୁଛି । ପରିବର୍ତ୍ତନ କିଛି ନାହିଁ । ମାରଓ୍ୱାଡ଼ୀ ଦୋକାନୀର ସାମନାତେ ଭୋକିଲା ଭିକାରୀ ପିଲା ଖଣ୍ଡେ ରୁଟି ପାଇଁ କୁକୁର ସହିତ ଯୁଦ୍ଧ କରୁଛି.... । ଠିକ୍‌ ଆଗ ପରି ।

 

କିନ୍ତୁ ପରିବର୍ତ୍ତନ ହୋଇଛି କେବଳ ହେମକାନ୍ତର । ସେତେବେଳେ ହେମକାନ୍ତ ଥିଲା ଖ୍ୟାତନାମା ଅଧ୍ୟାପକ । ଆଜି ହୋଇଛି ଦୁଃଶ୍ଚରିତ୍ର ପାଗଳ । ନିଜର ପାଗଳାମୀକୁ ଅନେକ ସମୟରେ ନିଜେ ବିଚାର କରେ ହେମକାନ୍ତ । କିଏ ଏ ପାଗଳାମୀ ପାଇଁ ଦାୟୀ ? ଜୀବନର ମହୁଆ ସମୟରେ ଯୌବନ ଆସେ । ଏଇ ଯୌବନ ହିଁ ସବୁ ପାଗଳାମୀର ମୂଳ କାରଣ...ସବୁ ପାଗଳାମୀର କେନ୍ଦ୍ର ଭୂଇଁ । ମଣିଷର ଯଦି ଯୌବନ ସମୟଟା ନ ଥାନ୍ତା ତେବେ ହୁଏତ ଅନେକ ପାଗଳ ପାଗଳ ହୋଇ ନ ଥାନ୍ତେ ।

 

କିନ୍ତୁ ହେମକାନ୍ତକୁ କେହି କେବେ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ହେମକାନ୍ତ ରହେ ଅବୁଝା...ଠିକ୍‌ ଅବୁଝା କେର୍‌କିଗାର୍ଡ଼ ଦର୍ଶନ ଭଳି ।

 

ଚନ୍ଦ୍ରାବତୀ ସମ୍ବଲପୁର ଚାଲିଯିବା ପରେ ନିହାତି ଏକୁଟିଆ ଏକୁଟିଆ ଅନୁଭବ କରୁଛି ଲୋପାମୁଦ୍ରା । ଗତ କେତେ ଦିନ ଧରି ଚନ୍ଦ୍ରାବତୀ ହିଁ ଲୋପାମୁଦ୍ରାକୁ ଏକରକମ୍‌ଭୁଲେଇ ରଖିଥିଲା-। ସେ ଚାଲିଯିବା ପରେ ଲୋପାମୁଦ୍ରା ପୁଣି ଚିନ୍ତା କରୁଛି ନିଜର ବିଗତ ଇତିହାସ କଥା । ଅନେକ ସମୟରେ ବିଗତକୁ ଘାଣ୍ଟି ଘୁଣ୍ଟି ଆନନ୍ଦ ପାଇବାକୁ ଚେଷ୍ଟାକରେ ଏଇ ମଣିଷ ।

 

ହିତଳ ପ୍ରାସାବର ଘରକା ନିକଟରେ ଠିଆ ହୋଇ ତଳକୁ ଅନାଏ ଲୋପାମୁଦ୍ରା । ହା.....ହାକାର କରିଉଠେ ତା‘ର ନାରୀତ୍ୱ ।

 

ହେମକାନ୍ତର ଭୂତ ଲୁଚି ଛପି ସାମନା ଗେଟ୍‌ଦେଇ ପଶିଆସେ ଭିତରକୁ । ଆଖିକୁ ଜାବୁଡ଼ି ଧରି ଅନ୍ଧପୁଟୁଳୀ ଖେଳିବାକୁ ଅଳି କରି ବସେ ସେ । ଆଖିରେ ପଟିବାନ୍ଧି ହେମକାନ୍ତକୁ ଖୋଜିବସେ ଲୋପାମୁଦ୍ରା । ପ୍ରାଣର ଉଦ୍ଦାମ ଆନନ୍ଦ ଭିତରେ ଲୋପାମୁଦ୍ରା ଭୁଲିଯାଏ ନିଜକୁ ।

 

ପୁଣି ବେଳେବେଳେ ଶୋଇବା ଖଟ ଉପରକୁ ମଧ୍ୟ ଦେବଦୂତ ସାଜି ଆସେ ହେମକାନ୍ତ-। ବାଦଲ ଭିତରେ ଛପି ଛପି ବାଦୁଡ଼ି ଧରିବାକୁ ହାତ ବଢାଏ ସେ । ଉଲଗ୍ନ ନାରୀତ୍ୱକୁ ଲୁଚାଇବାକୁ ଜୀବନ ବିକଳରେ ଅନନ୍ତ ଆକାଶରେ ଲୀନ ହୋଇଯାଏ ଲୋପାମୁଦ୍ରା । ଖୋଜି ଖୋଜି ବେଦମ୍‌ହୋଇ ସପ୍ତର୍ଷିମଣ୍ଡଳର କେତୁ ତାରକା ନିକଟରେ ଆପତ୍ତି କରି ଧ୍ୟାନମଗ୍ନ ଋଷି ଭଳି ଅଭିମାନ କରି ବସିରହେ ହେମକାନ୍ତ ।

 

ଏମିତି ଲୋପାମୁଦ୍ରାର କୋଠରୀକୁ ଅନେକଥର ଆସେ ହେମକାନ୍ତ । କାତର ହୋଇ ଲୋପାମୁଦ୍ରା ଚାହେଁ ଆତ୍ମରକ୍ଷା ।

 

ଲୋପାମୁଦ୍ରା ଅନୁଭବ କାରେ.....

 

ସତେ ଅବା ଯାଜପୁର ଡାକ୍ତରଖାନାରେ ଏନ୍‌ଡ଼୍ରେକ୍‌ସ୍‌ ବିଷରେ ଘାରି ହୋଇ ସଜ୍ଞାହୀନା ଭାବରେ ପଡ଼ିଛି ସେ । ଶଯ୍ୟା ଉପରେ ବସି ହେମକାନ୍ତ ଶୁଣାଉଛି ଉତ୍ସାହର ବାଣୀ । ଆଉ ସହିପାରେନି ଲୋପାମୁଦ୍ରା, ଝରକା ରେଲିଂ ଧରି ସେ କୁଦି ପଡ଼ିବାକୁ ଚାହେଁ ତଳକୁ ।

 

କିନ୍ତୁ ଆତ୍ମହତ୍ୟା.... ???

 

ନିଜ ଉପରୁ ନିଜର ବିଶ୍ୱାସ ନ ତୁଟିଲେ ମଣିଷ କ’ଣ କଦାପି ଆତ୍ମହତ୍ୟା କରିପାରେ ?

 

କାନ୍ଥ ଉପରେ ପୁଣି ନାଚିଉଠେ ଲୋପାମୁଦ୍ରାର ଛାଇ । ନରମ ଗଳାରେ କହେ.....‘‘ଏ ଛାଇକି ତୁମେ ଅସ୍ୱୀକାର କରି ପାରିବନି ଲୋପାମୁଦ୍ରା । ଏ ଛାଇ ତୁମ ଜୀବନର ଚିର ସହଚର । ତୁମର ମୃତ୍ୟୁ ସହିତ ହିଁ ଏ ଛାଇର ମୃତ୍ୟୁ ।’’

 

କରୁଣ ଭାବରେ ଛାଇଆଡ଼େ ଚାହିଁ ରହି ସାହସ ସଞ୍ଚୟ କରେ ଲୋପାମୁଦ୍ରା ।

 

ସତ କହିବାକୁ ଗଲେ ମଣିଷ ନିଜେ ହିଁ ନିଜର ଶତ୍ରୁ । ଏଇ ମଣିଷ ଯଦି ନିଜର ମୃତ୍ୟୁ କଥା ଚିନ୍ତା କରୁ ନ ଥାନ୍ତା—ତେବେ ହୁଏତ ମଣିଷ ହୋଇଥାନ୍ତା ଚିର ଅମର । ବାର ବାର ପ୍ରାଣ ବିକଳରେ ମଣିଷ ଭୟ କରେ ବୋଲି ସେ ମରେ । ଏଇ ଭୟ ହିଁ ଆଣିଦିଏ ମୃତ୍ୟୁ ଯନ୍ତ୍ରଣା ।

 

କଠିନ ହୋଇଉଠେ ଲୋପାମୁଦ୍ରା.....

 

ନିଦ୍ରିତ ମଣିଷତା ପୁଣି ଜାଗିଉଠେ ତା‘ ଭିତରେ । ତା‘ ଆଖି ଆଗରେ ପୁଣି ନାଚିଉଠନ୍ତି ସହସ୍ରାଧିକ ବୁଭୁକ୍ଷୁ ଜନତା । ଆଖିରୁ ଲୁହ ବୋଛି ଲୋପାମୁଦ୍ରା । ମନେ ମନେ କହେ–‘‘ଗୋଟିଏ ହେମକାନ୍ତକୁ ହରାଇ ମୁଁ କ’ଣ କୋଟିଏ ହେମକାନ୍ତଙ୍କୁ ନିଜର କରି ପାରିବିନି ?’’

 

ଠିକ୍‌ଏତିକିବେଳେ ଚିନ୍ତାରେ ବାଧା ଦେଇ ଅନେକ ସମୟରେ ପହଞ୍ଚି ଯାଆନ୍ତି ଶାନ୍ତନୁ । ନାନା ଭାବରେ ଝିଅର ମନ ପରିବର୍ତ୍ତନ କରିବାକୁ କହନ୍ତି—‘‘କ’ଣ ମା ! କ‘ଣ ଏମିତି ସବୁବେଳେ ଭାବୁଛୁ ? ଚନ୍ଦ୍ରାଅପା କ’ଣ ଚିଠି ଦେଇନି ?’’

 

ମନେ ମନେ ହସିବାକୁ ଚେଷ୍ଟାକରେ ଲୋପାମୁଦ୍ରା ।

 

ଚନ୍ଦ୍ରାଅପାର ବାହାରେ ଯେ ଲୋପାମୁଦ୍ରାର କେଡ଼େବଡ଼ ଗୋଟାଏ ବିରାଟ ସଂସାର ରହିଛି—ସେକଥା ହୁଏତ ଚିନ୍ତା କରି ପାରନ୍ତିନି ଶାନ୍ତନୁ..... ।

 

ତଥାପି ବାପାଙ୍କ କଥାରେ ସମର୍ଥନ ଜଣାଇ ଲୋପାମୁଦ୍ରା କହେ.....‘‘ହଁ ଚନ୍ଦ୍ରାଅପା ଚିଠି ଦେଇଛନ୍ତି...ସେ ଭଲ ଅଛନ୍ତି ।’’

 

ପରିପୂର୍ଣ୍ଣ ଶାନ୍ତିରେ ନିଃଶ୍ୱାସ ମାରନ୍ତି ଶାନ୍ତନୁ ।

 

ପରିବାରର ସୁଖ ଶାନ୍ତି କଥା ଶୁଣିଲେ ହସିଉଠେ ବୃଦ୍ଧ ଜୀବନଟା ।

 

କିନ୍ତୁ ଲୋପାମୁଦ୍ରା ଖୋଜିବସେ ଏକ ଅସୀମ ରାଜ୍ୟର ସୁଖ । ସେ ରାଜ୍ୟରେ ମାଦକତା ନ ଥାଏ...ସମପ୍ରାଣତା ନ ଥାଏ....ସମବେଦନା ନ ଥାଏ.....ଥାଏ ଏକ ଦାର୍ଶନିକ ଜୀବନର ଅନୁଚିନ୍ତା । ଚନ୍ଦ୍ରାଅପାର କଥା ଭାବି ନିଜକୁ ନିଜେ ଅନେକ ସମୟରେ ଚାହିଁରହେ ଲୋପାମୁଦ୍ରା । ଲଜ୍ଜା, ଅପମାନ, ଭୟରେ ଥରିଉଠେ ସେ.... । ବିରହିଣୀ ଦମୟନ୍ତୀ ନିଜର ଆତ୍ମିକ ଶାନ୍ତି ପାଇଁ ପଦ୍ମପତ୍ରରେ ପ୍ରେମ ସମ୍ଭାଷଣ ଲେଖି ଭସାଇ ଦେଉଥିଲେ ସରୋବର ଜଳରେ... । ସେତିକିରେ ସେ ମଦମତ୍ତ ହସ୍ତିନୀ ଭଳି ଉପଭୋଗ କରୁଥିଲେ ନଳ ରାଜାଙ୍କର ପ୍ରୀତି ପାର୍ବଣ । କିନ୍ତୁ ଲୋପାମୁଦ୍ରା.... !!!

 

ଦୋହଲି ଉଠେ ଲୋପାମୁଦ୍ରାର ସମଗ୍ର ଶରୀର.....

 

ଯଦି ପୁରୁଷର କାମନା ମଧ୍ୟରେ ଜଡ଼ି ହୋଇ ରହିବା ନାରୀର ଏକାନ୍ତ ବାସନା ହୋଇଥାନ୍ତା.....ତେବେ ହୁଏତ ପୁରୁଷକୁ ସଙ୍ଗରେ ଧରି ଜାଆଁଳା ହୋଇ ଜନ୍ମ ହୁଅନ୍ତା ନାରୀ... । ନାରୀ ଆଉ ପୁରୁଷର ସମ୍ପର୍କ...କେବଳ ବିବାହର ହୋମାଗ୍ନି ନୁହେଁ... । ସମାଜରେ ନାରୀ ଆଉ ପୁରୁଷ ଦୁଇ ଜାତିର ସ୍ଥିତିସର୍ବସ୍ୱ ମଣିଷ । ଏମିତି ଅନେକ କଥା ଚିନ୍ତା କରି ଅସ୍ଥିର ହୋଇଉଠେ ଲୋପାମୁଦ୍ରା ।

 

ସମ୍ବଲପୁର ବୁର୍ଲା ଡାକ୍ତରଖାନାର ନର୍ସ ହଷ୍ଟେଲ...

 

ସକାଳୁ ଉଠି ମେଡ଼କାଲ କଲେଜର କମ୍ପାଉଣ୍ଡ ଭିତରକୁ ଚାହିଁଲା ଚନ୍ଦ୍ରାବତୀ । ଅନେକ ମଣିଷ ଯିବା ଆସିବା କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ହୁଏତ ଅଧ୍ୟାପକ...ଅନେକ ଛାତ୍ର...ଆଉ ଅନେକ ନର୍ସ । ଏମାନେ ସମସ୍ତେ ସେବାପରାୟଣ ମଣିଷ । ରୋଗୀର ସେବା କରି ଏମାନେ ବୈଦ୍ୟରାଜ ଧନ୍ୱନ୍ତରୀର ବଂଶଧର ସାଜିଛନ୍ତି ।

 

ନିଜକୁ ନିଜେ ପ୍ରଶଂସା କଲା ଚନ୍ଦ୍ରାବତୀ ।

 

ହିନ୍ଦୁ ଶାସ୍ତ୍ର କହେ.....ପାପର ପ୍ରାୟଶ୍ଚିତ କଲେ ପାପ କ୍ଷୟ ହୋଇଯାଏ । ରୋଗୀର ସେବା କରି ଚନ୍ଦ୍ରାବତୀ ନିଜ କୃତ ସମସ୍ତ ପାପକୁ ଧୋଇଦେବାକୁ ଚେଷ୍ଟା କରିବ । ତେବେ କ’ଣ ଭଗବାନ୍‌ ତା’ର ଦୁଃଖ ଶୁଣିବେନି ?

 

ଆଖି ଫେରାଇ ପୁଣି ହୀରାକୁଦର ବିସ୍ତୀର୍ଣ୍ଣ ଜଳଭଣ୍ଡାର ଆଡ଼େ ଅନାଇଲା ଚନ୍ଦ୍ରାବତୀ । ସାଗରୀ କାମନା ଧରି ଆଁ କରି ଚାହିଁ ରହିଛି ଜଳଭଣ୍ଡାର । ହୁଏତ ଏଇ ଜଳଭଣ୍ଡାର ଭିତରେ ଅନେକ ଛୋଟ ଛୋଟ ଗାଁର ଇତିହାସ ବୁଡ଼ି ରହିଛି...ଅନେକ ଭଙ୍ଗାଗଢ଼ା କାହାଣୀ ବୁଡ଼ି ରହିଛି । ତଥାପି ସେଥିପ୍ରତି ଖେଦ ନାହିଁ ଜଳଭଣ୍ଡାରର । ସେ ଚାହେଁ....ବିଜୁଳି ଶକ୍ତିର ଉଦ୍ଭାବକ ହୋଇ ଆଲୋକିତ କରିବ ସମଗ୍ର ଓଡ଼ିଶାକୁ ।

 

ପୁଣି ମୁହଁ ଫେରାଇଲା ଚନ୍ଦ୍ରାବତୀ.....

 

ନୂଆଖାଲିରୁ ଜୀବନ ବିକଳରେ ପଳାଇ ଆସିଥିବା ଚନ୍ଦ୍ରାବତୀ.... ସମ୍ବଲପୁର.....ହୀରାକୁଦ....

 

କେବେ ହୁଏତ ପୃଥିବୀ ବିଖ୍ୟାତ ହୀରା ଖଣି ପାଇଁ ଖ୍ୟାତି ଅର୍ଜନ କରିଥିଲା ଏଇ ହୀରାକୁଦ । ତାମ୍ରଲିପ୍ତ ବନ୍ଦର ନିକଟରୁ ଜାହାଜ ନେଇ ଛୁଟି ଆସୁଥିଲେ ବ୍ୟବସାୟୀ ଦଳ । ହୁଏତ ଏଇ ସମ୍ବଲପୁର ଥିଲା ହୀରା ବ୍ୟବସାୟର ଏକ କେନ୍ଦ୍ରସ୍ଥଳୀ ।

 

ଏଇ ସମ୍ବଲପୁରରେ ବୌଦ୍ଧ ସହଜିଆ ମତବାଦୀ ବଜ୍ରଯାନୀ ଧର୍ମର ପ୍ରଚାର ହୋଇଥିଲା । ରାଣୀ ଲକ୍ଷ୍ମୀଙ୍କର ଥିଲେ ଏ ଧର୍ମର ପୃଷ୍ଠପୋଷିକା । ସେତେବେଳେ ଏଇ ସମ୍ବଲପୁର କହୁଥିଲା....ଯାହା ଅଛି ଆଉ ନାହିଁ...ଯାହା ଅସୀମ ନୁହେଁ ବା ସସୀମ ନୁହେଁ....ଯାହା ନିକଟରେ ନୁହେଁ ବା ଦୂରରେ ନୁହେଁ.....ଯାହା ଛିଡ଼ାଇ ହୁଏ ନାହିଁ ବା ଯୋଡ଼ି ହୁଏନାହିଁ....ଯାହା ମହାଶୂନ୍ୟ ପୁଣି ବର୍ତ୍ତୁଳ....ସେହି ହେଉଛି ବଜ୍ର ।

 

ଏ ବଜ୍ର କେବଳ ସମ୍ବଲପୁର ମାଟିକୁ ପାଗଳ କରି ନ ଥିଲା । ଚଉରାଅଶୀ ସିଦ୍ଧାଚାର୍ଯ୍ୟ ଏଇ ବଜ୍ରରେ ପାଗଳ ହୋଇ ଆରମ୍ଭ କଲେ ତାଙ୍କ ବୌଦ୍ଧଗାନ ଓ ଦୋହା । ହୁଏତ ସମ୍ବଲପୁରର ଏଇ ଟାଙ୍ଗରା ପାହାଡ଼ ଦେହରେ ରୂପସୀ ଶବରୀ ଗୁଞ୍ଜରୀ ମାଳି ଗୁଛୁ ଗୁଛୁ ଲୋଟି ପଡ଼ୁଥିଲା ସହସ୍ର ଦଳ ପଦ୍ମର ନୈରାତ୍ମ୍ୟ ଦେବୀ ନିକଟରେ । ଏ ସବୁ ସମ୍ବଲପୁର ମାଟିର ଇତିହାସ...ଧାର୍ମିକ ଇତିହାସ....

 

ଏଇ ସମ୍ବଲପୁରରେ ମଧ୍ୟ ଦିନେ ବ୍ରିଟିଶ୍‌ ବିରୋଧୀ ଆନ୍ଦୋଳନ ହୋଇଥିଲା । ପାହାଡ଼ ପର୍ବତରେ ବୁଲି ବୁଲି ଆନ୍ଦୋଳନକୁ ଚଳାଉଥିଲେ ବୀର ସୁରେନ୍ଦ୍ର ସାଏ । ସେତେବେଳେ ସମ୍ବଲପୁର କହୁଥିଲା....ଆମେ ସ୍ୱାଧୀନ....ଆମେ ସ୍ୱତନ୍ତ୍ର ।

 

କିନ୍ତୁ ଏ ସବୁ ସତ୍ୱେ ଯେ ସମ୍ବଲପୁର ଦରଦଭରା ପ୍ରାକୃତିକ ସୌନ୍ଦର୍ଯ୍ୟର ପୂଜା କରି ଶିଖି ନ ଥିଲା ତା’ ନୁହେଁ... । ଏଇ ପଥୁରିଆ ମାଟିର ଉଚ୍ଚା ଉଚ୍ଚା ଗଛ ତଳେ ବସି ହୁଏତ କବି ଲେଖୁଥିଲେ...ମଙ୍ଗଳେ ଅଇଲା ଉଷା....ବିକଚ ରାଜିବ ଦୃଶା...ଜାନକୀ ଦର୍ଶନ ତୃଷା ହୃଦୟେ ବହି...-

 

ଜାନକୀ ଦର୍ଶନର ଏ ତୃଷା ଆଜି ମଧ୍ୟ ସମ୍ବଲପୁର ମାଟିରୁ ଚଟିନାହିଁ.....ଆଜିର ସମ୍ବଲପୁର ବଞ୍ଚିଛି ଠିକ୍‌ ପୁରୁଣା ସମ୍ବଲପୁର ପରି ।

 

ମୁହଁ ଫେରାଇଲା ଚନ୍ଦ୍ରାବତୀ.....

 

ବାଜି ଉଠୁଛି ହଷ୍ଟେଲର ଘଣ୍ଟି.....

 

ଦଳ ଦଳ ହୋଇ ନର୍ସ ଛାତ୍ରୀମାନେ ବାହାରି ଯାଉଛନ୍ତି ସେ ଯାହା କାମରେ.... । ସେମାନଙ୍କ ସହିତ ଯୋଗଦେବ ଚନ୍ଦ୍ରାବତୀ । ଏ ହେବ ତା‘ର ନିତିଦିନିଆଁ କାର୍ଯ୍ୟ । ମଣିଷ ଦେହର ପଚା ଘାକୁ କାଟି ସଫା କରିବ ସେ ।

 

ଆହା....ଏଇ ରକ୍ତମାଂସ ଭରା ମଣିଷ ଦେହ କେଡ଼େ କଷ୍ଟ ସହିଛି ସତେ । ଏଇ ମଣିଷର ମନ ଯେମିତି ବିଷାକ୍ତ ହୁଏ....ସେମିତି ଦେହର ମାଂସ ପଚେ । ପୂଜା ରକ୍ତ ବହେ । ତାକୁ ସଫା କରି ବଞ୍ଚିବାକୁ ଚେଷ୍ଟା କରେ ମଣିଷ ।

 

ସାହସ ହୁଏ ଚନ୍ଦ୍ରାବତୀର....

 

ତେବେ ସେ ନ ବଞ୍ଚିବ କାହିଁକି ?

 

ବଞ୍ଚି ରହିବା ମଣିଷର ଗୋଟିଏ ସ୍ୱତନ୍ତ୍ର ଅଧିକାର । ଏ ଅଧିକାରକୁ ଜବରଦସ୍ତ ଆଦାୟ କରେ ମଣିଷ । ଦୁଃଖ କଷ୍ଟର ଅଗ୍ନିବାହ ମଧ୍ୟରେ ମଣିଷ ବଞ୍ଚି ରହିବାର ସୁଖ ନାହିଁ । ମଣିଷ ଚାହେଁ ସୁଖ ସମ୍ଭୋଗର ଦୁନିଆଁ । ସ୍ନେହ ଦିଆ ନିଆର ଦୁନିଆଁ । ଅଢ଼େଇ ଦିନ ପରେ ଏ ଦୁନିଆଁ ରହିବନି-। ମରିବାର ମୁହୂର୍ତ୍ତ ପରେ ସେ ହେବ ଭୂତ । ମଣିଷର ଯେ ଭଲ ମନ୍ଦ ପୁନର୍ଜନ୍ମ ରହିଛି ସେ ବିଶ୍ୱାସ ନାହିଁ ଚନ୍ଦ୍ରାବତୀର । ଏଇ ପୃଥିବୀ ହିଁ ତା’ ନିକଟରେ ସ୍ୱର୍ଗ...ପୁଣି ନରକ ।

 

ଚନ୍ଦ୍ରାବତୀ ନିକଟରେ ଘୃଣା ବୋଲି କିଛି ନାହିଁ । ସେ ଭଲ ପାଏ ସମସ୍ତଙ୍କୁ । ସେ ନିଜର କରେ ସମସ୍ତଙ୍କୁ । ଶାନ୍ତନୁ ଓ ଲୋପାମୁଦ୍ରା ଯେମିତି ତା’ର ନିଜର...ଠିକ୍‌ ସେମିତି ମେଡିକାଲର ରୋଗୀ ମଧ୍ୟ ତା’ର ନିଜର । ଏମିତି କେତେ କ’ଣ ଚିନ୍ତା କରୁ କରୁ ପୁଣି ଚମକି ପଡ଼ିଲା ଚନ୍ଦ୍ରାବତୀ...

 

ନାଁ....ନାଁ...ଶାନ୍ତନୁ ଓ ଲୋପାମୁଦ୍ରାଙ୍କ ନିକଟରେ ନିଶ୍ଚୟ ସ୍ୱତନ୍ତ୍ର୍ୟ ରହିଛି । ସମପ୍ରାଣତା ରହିଛି ।

 

ଯଦି ଶାନ୍ତନୁଙ୍କ ନିକଟରେ କିଛି ନୂତନତା ନ ଥାନ୍ତା ତେବେ ବିଦାୟ ନେଲାବେଳେ କାହିଁକି କୁନି ଝିଅଭଳି କୋଳରେ ମୁହଁ ଗୁଞ୍ଜି କାନ୍ଦି ଉଠିଥାନ୍ତା ଚନ୍ଦ୍ରାବତୀ ?

 

ବାରିଷ୍ଟର ଶାନ୍ତନୁ

 

ବିଶ୍ୱପିତାର ଗୌରବ ନେଇ ଶାନ୍ତନୁଙ୍କର ଜନ୍ମ ।

 

ସମସ୍ତ ଐନ୍ଦ୍ରଜାଲିକ କଳ୍ପନା ହାରମାନେ ଚନ୍ଦ୍ରାବତୀର । ଶାନ୍ତନୁଙ୍କ ବଦାନ୍ୟତା ନିକଟରେ ଋଣୀ ହୋଇପଡ଼େ ସେ । ଭାବିବସେ ଚନ୍ଦ୍ରାବତୀ... । ଶାନ୍ତନୁ ମଣିଷ ନୁହଁନ୍ତି ଦେବତା । ପରକୁ ସେ ଆପାଣାର କରନ୍ତି ନାହିଁ । ହେଲେ ଆପେ ଆପେ ପର ହୋଇ ବସେ ତାଙ୍କର ନିହାତି ଆପଣାର । ଏହି ହିଁ ମଣିଷର ଚରମ ବିଜୟ ।

 

ତରଳ ବରଫ ଭଳି ଯେଉଁ ମଣିଷ ତରଳି ଜାଣେ...ସେହି ମଣିଷ ପୁଣି ବଜ୍ରଠାରୁ ମଧ୍ୟ କଠିନ ହୋଇପାରେ । ଶାନ୍ତନୁ ତରଳି ଜାଣନ୍ତି..... ହେଲେ କଠିନ ହୋଇ ଜାଣନ୍ତିନି । ଏଥିପାଇଁ ଶାନ୍ତନୁଙ୍କ ନିକଟରେ ମୁଣ୍ଡ ନଇଁଯାଏ ଚନ୍ଦ୍ରାବତୀର.... । ଲୋଟିପଡ଼େ ଚନ୍ଦ୍ରାବତୀ

 

ଦିନ ଆଗେଇବାରେ ଲାଗିଛି.....

 

ତା’ ସହିତ ଆଗୋଉଛି ଚନ୍ଦ୍ରାବତୀର ନୂଆ ଜୀବନର ଅନୁଭୂତି । ଏ ଚନ୍ଦ୍ରାବତୀ ଝିଅ ହୋଇଛି....ନାୟିକା ହୋଇଛି....ପ୍ରେମିକା ହୋଇଛି...ହେଲେ ସେବିକା ହୋଇନାହିଁ । ଆଜି ମାତ୍ର ତା’ର ନୂଆ ଏହି ଅନୁଭୂତି ।

 

ସେ ସେବିକା ହେବ....

 

ସେ ମନୁଷ୍ୟତ୍ୱ ଖୋଜିବ.....

 

ସେ ବଞ୍ଚି ରହିବ.....

 

ସେ ସୁଖ ପାଇଁ....କେବଳ ଉପଭୋଗ ପାଇଁ ।

 

ସୁଖ ଆନନ୍ଦଠାରୁ ବହୁ ଦୂରରେ ରହି ହେମକାନ୍ତ ମ୍ରିୟମାଣ ହୋଇପଡ଼ୁଛି । ତା’ ଆଖି ଆଗରେ ନାଚୁଛନ୍ତି ଚନ୍ଦ୍ରାବତୀ ଓ ଲୋପାମୁଦ୍ରା । ଗୋପବନ୍ଧୁ ପାର୍କର ସିମେଟ୍‌ ଚଟାଣ ଉପରେ ବସିଛି ସେ । ତା’ରି ଚାରିପାଖରେ ଗୀତ ଗାଉଛି ରୂପସୀ ରାତ୍ରୀର ଚଳଚଞ୍ଚିଳ ତାରୁଣ୍ୟ । ଅନ୍ଧାର ଜମାଟ ବାନ୍ଧୁଛି । ଗତିର କାଞ୍ଚୁଲା ତଳୁ ଦୋହଲି ଉଠୁଛି ବର୍ତ୍ତୁଳ ମୁହୂର୍ତ୍ତର ସୌରଭ ।

 

ଆହା.....ଏ ରାତି ଆଦିମ ବୈଦିକ ଯୁଗର ରାତି ଭଳି ଅଶୋକ ବୃକ୍ଷର ରକ୍ତାଭ ସ୍ତବକକୁ ଦୋହଲାଇ ହୁଏତ ଆସିଛି ଗୋପବନ୍ଧୁ ପାର୍କ ଭିତରକୁ । ଏ ପାର୍କର ପିପ୍‌ପଳୀ ଗଛର ଶୀତଳ ଛାୟା ତଳେ ହୁଏତ ବୁଦ୍ଧ ଜ୍ଞାନ ପାଇ ନାହାଁନ୍ତି... । ତଥାପି....ତଥାପି....ଭୂତପୂର୍ବ ଅଧ୍ୟାପକ ହେମକାନ୍ତକୁ ଏ ପାର୍କ ଦେଉଛି ଉତ୍ସାହ...ପ୍ରେରଣା...କେବଳ ଯୁଦ୍ଧ କରିବାପାଇଁ....

 

ଏଇ ପାର୍କ ଭିତରେ ପ୍ରଥମେ ଗାଇବ ହେମକାନ୍ତ...ଅଗ୍ନି ମିଳେ ପୁରୋହିତଂ..ଅଥବା ବୁଦ୍ଧଂ ଶରଣଂ ଗଚ୍ଛାମି... । ଭାବୁଛି ହେମକାନ୍ତ.... ସେ ଭାବନାର ସୀମା ନାହିଁ...ସରହଦ ନାହିଁ ।

 

ରୁଦ୍ରାଣୀ ଗତିକୁ ଅଭ୍ୟର୍ଥନା ଜଣାଉଛି ହେମକାନ୍ତ....

 

ଏଇ ରାତି.....

 

ସେଦିନ ଲୋପାମୁଦ୍ରା ତା’ର ବ୍ୟର୍ଥ ଦର୍ଶନ ଗାଇ ଫେରାଇ ଦେଇଥିଲା ହେମକାନ୍ତକୁ । କାନ୍ଦି କାନ୍ଦି କୋଠରୀ ଭିତରୁ ଫେରି ଆସିଥିଲା ସେ । ନାଁ.....ନାଁ....ଆଉ ହେମକାନ୍ତ ଚିନ୍ତା କରି ପାରୁନାହିଁ....

 

ଚିନ୍ତାଶୀଳ ବ୍ୟକ୍ତିମାନେ କହନ୍ତି—ଆଲୋଚନା ଅବୋଧ୍ୟ ହେଲେ ସମ୍ପର୍କ କୋହଳ ହୋଇପଡ଼େ । ଜୀବନାନୁଭୂତି ଗଭୀର ହୋଇ ପାରେନାହିଁ । ଭାବରେ ଆଦାନ ପ୍ରଦାନରେ ଦର୍ଶନର ସ୍ଥାନ ନାହିଁ । ତେବେ ଲୋପାମୁଦ୍ରା । ବା ନିଜର ଦର୍ଶନ ପାଇଁ ଏମିତି ପାଗଳୀ ହୋଇ ଉଠିଲା କାହିଁକି ?

 

ତେବେ କ’ଣ ସେ ହେମକାନ୍ତକୁ ଭଲ ପାଉ ନ ଥିଲା....

 

ଯୁଗ ବଦଳିଛି...ମଣିଷର ଦର୍ଶନ ବଦଳିଛି.....

 

ସ୍ତ୍ରୀ ପୁରୁଷର ସମ୍ବନ୍ଧ ବଦଳିଛି.....

 

Unknown

କେବଳ ଅପରିବର୍ତ୍ତିତ ରହିଛି ମଣିଷର ସ୍ଥିତି ।

 

ଆଉ ବସି ପାରୁନାହିଁ ହେମକାନ୍ତ ।

 

କ୍ଷୁଦ୍ର ପୁଷ୍କରିଣୀର ନିଥର ଜଳ ଉପରେ ଭାସିଉଠୁଛି ଛୋଟ ଦଣ୍ଡ କୁରୀ ମାଛଟିଏ । ତା’ ଜୀବନରେ ହୁଏତ ପହଁରିବାର ସୁଖ ନାହିଁ.....ଅନୁଭୂତିର ନୂତନତା ନାହିଁ...ସେ ପହଁରୁଛି କେବଳ ବିନ୍ଦୁଏ ଖାଦ୍ୟର ଅନୁସନ୍ଧାନରେ । ଆବାକାବା ହୋଇ ପୁଣି କିଛି ସମୟ ସ୍ଥିର ଭାବରେ ବସି ରହିଲା ହେମକାନ୍ତ....

 

ଜୀବ ଜଗତର ଏକ ମୁଖ୍ୟ କର୍ତ୍ତବ୍ୟ ଆହାର ଅନୁସନ୍ଧାନ...

 

କେଉଁ ଆଦିମ ଯୁଗରୁ ଯେ ଏ ଆହାର ଅନୁସନ୍ଧାନ ଚାଲିଛି ତାହା କହି ହେବନାହିଁ । ତଥାପି ଏହାର ସଫଳ ସମାଧାନ ହୋଇପାରିନି । ଠିକ୍‌ସମୁଦ୍ର ବୁଡ଼ାଳି ଭଳି ମଣିଷ ଖୋଜୁଛି ପଶୁ ପକ୍ଷୀ ଖୋଜୁଛନ୍ତି ଆହାରର ରତ୍ନ...

 

କିନ୍ତୁ...

 

ଏହି ଆହାର ଅନୁସନ୍ଧାନଠାରୁ ହୁଏତ ଏକ ସ୍ୱତନ୍ତ୍ର ବିଶିଷ୍ଟ କର୍ତ୍ତବ୍ୟ ନେଇ କେବଳ ଜନ୍ମ ନେଇଛି ମଣିଷ । ମଣିଷ ଆହାର ଖୋଜେ...ତା ସହିତ ଖୋଜେ ନିଜ ବୁଦ୍ଧି....ବିବେକ....ଜ୍ଞାନ...ଅନୁଭୁତିର ବ୍ୟାପ୍ତି । କେବଳ ସେଇଥିପାଇଁ ହୁଏତ ଲୋପାମୁଦ୍ରା ଶୂନ୍ୟ ହସ୍ତରେ ଅତି ନିଷ୍ଠୁର ଭାବେ ଫେରାଇ ଦେଇଛି ହେମକାନ୍ତକୁ....

 

ଉଠିଲା ହେମକାନ୍ତ....

 

ପାଗଳ ହେମକାନ୍ତ....

 

ଆଜି ଆଉ ସଫଳ ଅଧ୍ୟାପନା ପାଇଁ ହେମକାନ୍ତ କାଣ୍ଡି କାଣ୍ଡି ବହି ସହିତ କୁସ୍ତି କରୁନାହିଁ-। ଛାତ୍ରଙ୍କୁ ବୁଝାଇବା ଭଳି ଯୁକ୍ତି ଠିକ୍‌ କରୁନାହିଁ । କେବଳ ହେମକାନ୍ତ ହୋଇଛି ପାଗଳ...-। ଏଇ ପାଗଳାମୀ ହିଁ ତାକୁ ଦେଇଛି ଶାନ୍ତି.....

 

ମାତାଲ ମଣିଷ ଯେମିତି ସନସ୍ତ ଜାଗତିକ ଦୁଃଖ କଷ୍ଟକୁ ଭୁଲି ଏକ ସ୍ୱର୍ଗରାଜ୍ୟର କଳ୍ପନା କରେ...ହେମକାନ୍ତ ସେମିତି ସମସ୍ତ ପରିବେଷ୍ଟନୀର ଊର୍ଦ୍ଧ୍ୱରେ ରହି ଖୋଜୁଛି ଆନନ୍ଦ...ଖୋଜୁଛି ସୁଖ....ଖୋଜୁଛି ଆନ୍ତରିକତା.....

 

ରାତି ବେଶୀ ହୋଇଛି...

 

ଉଠିଲା ହେମକାନ୍ତ....

 

ରାତି ଆସେ ନାହିଁ ଯେ.....ସତେ ଅବା ବୁର୍ଲା ଆକାଶରେ ଲାଞ୍ଜ ବିଛେଇ ଦେଖାଦିଏ ଧୂମକେତୁ । ଶଙ୍କିତା ହୁଏ ଚନ୍ଦ୍ରାବତୀ । ବେଳେ ବେଳେ ହେମକାନ୍ତର ଆନ୍ତରିକ ସାନିଧ୍ୟର ଶୀତ୍‌କାର ପାଗଳୀ କରେ ତାକୁ । ନର୍ସ ହଷ୍ଟେଲର ବିଛଣାରୁ ଉଠି ଠିଆ ହୁଏ ସେ । ଇଚ୍ଛା କରେ ଚନ୍ଦ୍ରାବତୀ....ଏଇ ହୀରାକୁଦର ଅତଳ ଜଳରାଶି ଭିତରେ ପଶି ମୁଁ ନିଶ୍ଚିହ୍ନ ହୋଇଯାଆନ୍ତି କି । କାହାଲାଗି ଏ ଜୀବନର ମୋହ... ??

 

ସେ ବିବାହ କରିବ....ଘରସଂସାର କରିବ.....

 

କିନ୍ତୁ କେମିତି..... ?

 

ଘରସଂସାର କରିବା କ’ଣ ନାରୀର ଏକାନ୍ତ କାମ୍ୟ ଜୀବନରେ ? ନିଜକୁ ନିଜେ ଧିକ୍‌କାର କରେ ଚନ୍ଦ୍ରାବତୀ । ଜୀବନର ଦ୍ୱନ୍ଦ୍ୱ ଭିତରେ ସେ ଖୋଜିବସେ ସମୟକୁ.... ।

 

ସମୟ ଗତିଶୀଳ । ଯେଉଁ ସମୟ ଯାଉଛି ସେ ଆଉ ଆସିବନି । ସମୟ କଥା ଭାବି ବା ଲାଭ କ’ଣ ? ଶାନ୍ତନୁ ଚିଠି ଦେଇଛନ୍ତି....‘‘ମା ଚନ୍ଦ୍ରାବତୀ ଦେହପା ଦେଖି ଚଳିବୁ । ନୂଆ ପାଣି...ନୂଆ ଜାଗା....ପ୍ରଥମେ ଦେହ ପ୍ରତି ନଜର ଦେବୁ ।’’ ହସୁଛି ଚନ୍ଦ୍ରାବତୀ.....

 

କାହିଁ, କେବେହେଲେ ଦିନକରୁ ଦିନେ ସେ ଦେହ ପ୍ରତି ନଜର ଦେଇ ପାରିନାହିଁ । ଅପରିଚିତ ପୁରୁଷ ଏଇ ଦେହକୁ ମାଡ଼ିମକଚି ସୁଖ ଖୋଜୁଥିବାବେଳେ ସେ ପ୍ରତିବାଦ କରିନାହିଁ...ତେବେ ଆଜି ବା ଏ ଦେହ ପ୍ରତି ସେ ନିଜର ଦେବ କେମିତି ? ଶାନ୍ତନୁ ଯଦି ଜାଣିଥାନ୍ତେ ଯେ ଏ ଦେହଟା ଗଣତାନ୍ତ୍ରିକ ରୀତିରେ ସମସ୍ତଙ୍କର...ତେବେ ହୁଏତ ପ୍ରଥମେ ଦାବୀ କରି ବସିଥାନ୍ତେ ତାଙ୍କର ଭାଗ । ସମବେଦନା ଜଣାଇବା ତାଙ୍କ ନିକଟରେ ସମ୍ଭବ ହୋଇ ନ ଥାନ୍ତା ।

 

ଆଉ ଶୋଇ ପାରେନାହିଁ ସେ.....

 

ହଷ୍ଟେଲ ଛାଡ଼ି ବାହାରକୁ ଆସି ଖୋଲା ପଡ଼ିଆରେ ଇଚ୍ଛାକରେ ବୁଲିବାକୁ । ମନେ ମନେ ଭାବେ.....ଏହି ହିଁ ଜୀବନର ବିଜସ୍କ ମୁହୁର୍ତ୍ତ ।

 

ଅନ୍ୟାନ୍ୟ ନର୍ସ ଛାତ୍ରୀମାନେ ସନ୍ଦେହ ଦୃଷ୍ଟିରେ ଦେଖନ୍ତି ଚନ୍ଦ୍ରାବତୀକୁ....

 

କେତେ କାହିଁ ଅଜବ୍‌ପ୍ରଶ୍ନ ପ୍ରଚାରନ୍ତି କେହି କେହି...ସାଥୀ ନର୍ସମାନଙ୍କର ଯେ ଏମିତି ପ୍ରଶ୍ନ ପଚାରିବାର ଆବଶ୍ୟକତା ନ ଥିଲା ତା‘ ନୁହେଁ...ଯେଉଁ ଅନୁଷ୍ଠାନର ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ବିରାଟ ଉପନ୍ୟାସ...ସେମାନଙ୍କୁ ଅନେକ ପ୍ରଶ୍ନ ପଚରା ଯାଇପାରେ..... ।

 

ଏଇ ଅନୁଷ୍ଠାନ....

 

ଅବୈଧ ସନ୍ତାନ ଜନ୍ମ କରି ସମାଜରୁ ବଡ଼ାଖାଇ ହୁଏତ କେହି ଜୀବିକା ନିର୍ବାହ ପାଇଁ ଯୋଗ ଦେଇଛି ନର୍ସ ଟ୍ରେନିଂରେ । ଆଉ କାହାକୁ ତା‘ର ଶିକ୍ଷିତ ସ୍ୱାମୀ ଛାଡ଼ପତ୍ର ଦେଇଛି—ତେଣୁ ସେ ଆସିଛି ନର୍ସ ହେବାକୁ । ଏହାଛଡ଼ା ଅପ୍ରାପ୍ତ ବୟସରେ କାହାର ସ୍ୱାମୀ ମରିଯିବା ପରେ କିଏ ହୁଏତ ଆସିଛି ନର୍ସ ହେବାପାଇଁ । ଜଣେ କହୁଥିଲା....

 

ଶାଶୁର ଗଞ୍ଜଣା ସହି ନ ପାରି ଦିନେ ଘରୁ ଗୋଡ଼କାଢ଼ି ବାପଘରକୁ ପଳାଇ ଆସୁଥିଲା ସେ । ବାଟରେ କେତେକ ଅସାମାଜିକ ଲୋକଙ୍କ ଦ୍ୱାରା ଆକ୍ରାନ୍ତ ହୋଇ ଆସିଲା ପୋଲିସ୍‌ଥାନାକୁ-। ବାପ ଓ ଶାଶୁଘରର ଲୋକେ ଶୁଣିଲେ ଏ କାହାଣୀ । କିନ୍ତୁ ନିଷ୍ଠୁର ହୋଇଗଲେ ସେମାନେ-। ଫେରାଇ ନେବାକୁ ଆଉ ଆସିଲେନି କେହି । ସବୁଠି କେବଳ ଦୂର....ଦୂର...ମାର ମାର । ଓଲଟା ସମାଜ କହିଲା...ମୁଁ ଇଚ୍ଛାକୃତ ଭାବେ ଘରଛାଡ଼ି କାହା ସହିତ ପଳାଇ ଆସିଛି ।

 

ସେଦିନ ନିଜର କାହାଣୀ କହୁ କହୁ ଆଖିରୁ ଲୁହ ଝରାଇ ବ୍ୟଥିତ ହୋଇ ପଡ଼ିଥିଲା ସେ ଝିଅଟି....

 

ଚିନ୍ତାକରୁଛି ଚନ୍ଦ୍ରାବତୀ....

 

ଏମାନେ ତା‘ର ବନ୍ଧୁ...ଏଇମାନେ ତା’ର ସହଚାରୀ...ଠିକ୍‌ ତା’ରି ଭଳି ଯେ କେତେ ଇତିହାସ ଏମାନଙ୍କ ଛାତି ଭିତରେ ଲୁଚିରହିଛି ତାହାର ସୀମା ନାହିଁ । ଏମାନେ ସମସ୍ତେ ଜଣେ ଜଣେ ସମାଜର ମୂର୍ତ୍ତିମନ୍ତ ଅଭିଶାପ ? ଚନ୍ଦ୍ରାବତୀ ନିକଟରେ ବା ନୂଆ କଥା କ’ଣ ଅଛି..... ?

 

ପ୍ରତିବାଦ କରିଉଠେ ଚନ୍ଦ୍ରାବତୀ...ନାଁ...ନାଁ ଏମାନଙ୍କର ବଞ୍ଚିବାରେ ମଧ୍ୟ ଆବଶ୍ୟକତା ଅଛି...ସମାଜରେ ଅଧିକାର ଅଛି....ଉପଭୋଗର ସ୍ୱାଧୀନତା ଅଛି.....

 

ସ୍ୱାଧୀନତା.....

 

ମଣିଷର ସବୁଠାରୁ ବଡ଼ ସମ୍ପଦ ଏ ସ୍ୱାଧୀନତା । ଏଇ ସ୍ୱାଧୀନତା ପାଇଁ ହିଁ ଲୋପାମୁଦ୍ରା-। ଆଜି ପାଗଳୀ । ସ୍ୱାଧୀନତାର ସ୍ୱପ୍ନ ଯଦି ଲୋପାମୁଦ୍ରାକୁ ବ୍ୟଥିତ କରି ନ ଥାନ୍ତା....ତେବେ ହେମକାନ୍ତକୁ ନିଷ୍ଠୁର ଭାବେ ଦୂରେଇ ଦେଇ ନ ଥାନ୍ତା ଲୋପାମୁଦ୍ରା । ସେ ବାନ୍ଦିନୀ ହେବାକୁ ଚାହିଁ ନ ଥିଲା ହେମକାନ୍ତର ବଳିଷ୍ଟ ବାହୁ ବନ୍ଧନରେ.....

 

ସୀତା...ସାବିତ୍ରୀ...ଦମୟନ୍ତୀ...ସମସ୍ତେ ଥିଲେ ନାରୀ....କିନ୍ତୁ ଲୋପାମୁଦ୍ରା ମଣିଷ । ମଣିଷ ଭାବରେ ଯେଉଁ ସ୍ୱାତନ୍ତ୍ର୍ୟ ଟିକକ ରହିଛି....ତାକୁ ସେ ତିଳ ତିଳ କରି ହାସଲ କରିବାକୁ ଚାହେଁ । ତଥାପି ବେଳେ ବେଳେ ଲୋପାମୁଦ୍ରା କାତର ହୋଇ ପଡ଼ୁଛି ହେମକାନ୍ତ କଥା ଭାବି । ନାରୀର ଶ୍ରେଷ୍ଠ ପରିପୂରକ ପୁରୁଷ । ପୁରୁଷର ସାନିଧ୍ୟ ନ ପାଇଲେ ନାରୀ ହୁଏ ନୀଡ଼ହରା ବିଚ୍ଛଙ୍ଗୀ... । ତେବେ କ’ଣ ସେ ଦିନ ଭୁଲ୍‌ କରିଛି ଲୋପାମୁଦ୍ରା.... ??

 

ନାଁ...ନାଁ...ଏ ଭୁଲ୍‌ ଠିକ୍‌ର ବିଚାର ହୋଇ ପାରିବନି । ସତ କହିବାକୁ ଗଲେ ଲୋପାମୁଦ୍ରା ନିଜର ପୂଜାରାଣୀ ।

 

କିନ୍ତୁ ତଥାପି ସମସ୍ତ ବାରଣ ସତ୍ୱେ ଲୋପାମୁଦ୍ରାର ଛାତି ଭିତରକୁ ପଶିଆସେ ହେମକାନ୍ତ... । ଚୁପୁ ଚୁପୁ କଥା କହେ....ଯୁକ୍ତି କରେ....ସାହସ ଦିଏ....ଉତ୍ସାହ ଦିଏ....କାନ୍ଦେ...ପୁଣି ବିକଳ ହୋଇ ଫେରିଯାଏ । ଆଉ ସହି ପାରେନାହିଁ କୁମାରୀ ଲୋପାମୁଦ୍ରା । କାନ୍ଦି କାନ୍ଦି ବ୍ୟଥିତା ହୋଇ ପଡ଼ିଯାଏ ନିଜର ବିଛଣା ଉପରେ । ଠିକ୍‌ ସେତିକିବେଳେ ମନ ଭିତରେ ନାଚିଉଠେ ବୃଦ୍ଧ ଶାନ୍ତନୁଙ୍କ ଆଶା ଓ ଅଭିଳାଷ । ଏ ସବୁକୁ ବେଖାତିର କରି ଲୋପାମୁଦ୍ରା ଚେଷ୍ଟା କରେ ହସିବାକୁ । କିନ୍ତୁ ପାରେନି...ଦେହ ଭିତରେ ଆତ୍ମଗୋପନ କରିଥିବା ବିନ୍ଦୁଏ ନିଆଁର ଭୋକ ଗ୍ରାସ କରିବାକୁ ବସେ ସମସ୍ତ ଅନୁଭୁତିକୁ ।

 

ଆଉ ପାରେନି ଲୋପାମୁଦ୍ରା....

 

କାନ୍ଦେ ସେ.....

 

କାନ୍ଦିବାର ସୀମା ରହେନି...ସମୟ ରହେନି ।

 

ସେଦିନ ଲୋପାମୁଦ୍ରା । ବସିଥିଲା ଅଗଣାର ବଗିଚା ଦେହରେ । ଆସିଲେ ଶାନ୍ତନୁ । ହଠାତ୍‌ ଝାମ୍‌ମାରି ଠିଆ ହୋଇଗଲେ କିଛି ସମୟ... । କିଛି ନ ଭାବି ଫାଙ୍କା ମନରେ ଚାହିଁ ରହିଥିଲା ଲୋପାମୁଦ୍ରା... ।

 

ଅନେକ ସମୟ ପରେ ମୁହଁ ଖୋଲି ଶାନ୍ତନୁ କହିଲେ—କ’ଣ ହୋଇଛି ମା ! ଦିନକୁ ଦିନ ତୁ ଏମିତି ଶୁଖି ଯାଉଛୁ କାହିଁକି ? କ’ଣ ତୋର ଅଭାବ ? କହ..ଏ ବୁଢ଼ା ବାପା କ’ଣ ତୋତେ ସାହାଯ୍ୟ କରି ପାରିବନି ?

 

ହସିଲା ଲୋପାମୁଦ୍ରା... । ମନେ ମନେ କହୁଥିଲା—ଏ ଅଭାବର ପରିପୂରଣ ନାହିଁ ବାପା । କୌଣସି ଡାକ୍ତର ମଧ୍ୟ ଏ ରୋଗର ଚିକିତ୍ସା କରି ପାରିବେନି । ଏ ରୋଗର ମୂଳ ନାହିଁ କି ଶେଷ ନାହିଁ ।

 

କିନ୍ତୁ ମୁହଁ ଖୋଲି କିଛି କହି ନ ଥିଲା ଲୋପାମୁଦ୍ରା ।

 

ପୁଣି ଥରେ ବାଧ୍ୟ କରି ଶାନ୍ତନୁ ପଚାରିଲେ—କ’ଣ ହେଇଛି କହ ମା ! ଏମିତି କ’ଣ ଦିନକୁ ଦିନ ଶୁଖି କଳାକାଠ ହେଉଥିବୁ ?

 

ପିତୃ ହୃଦୟର ବ୍ୟସ୍ତତାକୁ କି ସାନ୍ତ୍ୱନା ଦେଇ ଶାନ୍ତ କରିବ ଲୋପାମୁଦ୍ରା ? ସହଜ କରି କହିଲା—ନାଁ ବାପା ! ସେମିତି ମୁଁ ତ କିଛି ଜାଣି ପାରୁନାହିଁ । ତଥାପି ବେଳେ ବେଳେ ଦୁର୍ବଳ ଲାଗୁଛି ନିଶ୍ଚୟ ।

 

ଥକ୍‌କା ମାରି କିଛି ସମୟ ବସିଗଲେ ଶାନ୍ତନୁ । ତା‘ପରେ ଲୋପାମୁଦ୍ରାର ପିଠିରେ ହାତ ମାରି କହିଲେ—ହଉ କାଲି ତା’ ହେଲେ ଡାକ୍ତର ଡ଼ାକି ଦେଖାଇବି । ତୁ ଆଉ ଏଣୁ ତେଣୁ ଚିନ୍ତା କରନାଁ... । ଏକମୁହାଁ ହୋଇ ଘର ଭିତରକୁ ଉଠିଗଲେ ଶାନ୍ତନୁ... ।

 

ବିଚାର ଭିତରେ ବସି ନବାଗତ ଆଲସେସିଆନ୍ କୁକୁରଟାକୁ ଆଉଁଶି ଦେଉଥିଲା ଲୋପାମୁଦ୍ରା... ।

 

ଅନେକ ସମୟରେ ମଣିଷ ସାଙ୍ଗ ହେବାକୁ ମଣିଷ ନ ପାଇଲେ ବନ୍ଧୁତ୍ୱ ଜମାଏ ପଶୁ ସହିତ । ଏଇ ପଶୁମାନେ ଦିଅନ୍ତି ଆନନ୍ଦ । ବେଳେ ବେଳେ ଏଇ ପଶୁମାନେ ହିଁ ନିହାତି ନିଜର ହୋଇଉଠନ୍ତି । ଦିନ ଦିନ ରାତି ରାତି କୋଡ଼ରେ ପୂରାଇ ରଖିବାକୁ ଇଚ୍ଛା ହୁଏ ଏମାନଙ୍କୁ.....

 

ସୁଦୁର କଲିକତା ସହରରୁ କିଣା ହୋଇ ଆସିଛି ଆଲ୍‌ସେସିଆନ୍ କୁକୁର ଜକି । ସୁନ୍ଦର କୁକୁରଟିଏ । ମାତ୍ର ଚାରି ପାଞ୍ଚ ମାସର ଛୁଆ । ଦେଖିବାକୁ ଡ଼ଉଲ ଡ଼ାଉଲ । ଧୂଷର ରଙ୍ଗର ତେଲ ନିଗିଡ଼ା ରୁମ ଚମତ୍କାର ଦିଶେ ଜକି ଦେହରେ । ଶାନ୍ତନୁଙ୍କ ଘରେ ବାହାରେ କଅଁଳା ବାଛୁରୀ ପରି ସର୍ବଦା ନାଚୁଥାଏ ଜକି....

 

ଲୋପାମୁଦ୍ରାକୁ ଦେଖିଲେ ଜକିର ଆନନ୍ଦ ସୀମା ଟପେ । ମାଲିକାଣୀର ସମ୍ମାନ ଦେଇ ଗୋଡ଼ତଳେ ଲୋଟିଯାଏ ଜକି । ଲୋପାମୁଦ୍ରା ଦୂରେଇ ଦିଏନି ଜକିକୁ । କୋଳ ଭିତରକୁ ଝିଙ୍କି ଆଣି ଚୁମା ଦେବାକୁ ଚେଷ୍ଟା କରେ ସେ । ପ୍ରତିବଦଳରେ ଲମ୍ବ ଜିଭ କାଢ଼ି ମଧ୍ୟ ଚାଟିବାକୁ ଆରମ୍ଭ କରିଦିଏ ଜକି ।

 

ପ୍ରତିବାଦ କରେନି ଲୋପାମୁଦ୍ରା....

 

ଦେହ ସହିତ ଦେହଉ ସାନିଧ୍ୟରେ ଶୀତ୍‌କାର ଆସି ରୋମାଞ୍ଚିତ କରେ ଲୋପାମୁଦ୍ରାକୁ..... । ଲୋପାମୁଦ୍ରା ଭୁଲେ ନିଜକୁ....

 

ସେହି ଆଲ୍‌ସେସିଆନ୍‌ କୁକୁର ଜଳି ଏବେ ଲୋପାମୁଦ୍ରାର ଅନ୍ତରଙ୍ଗ ବନ୍ଧୁ.....ଆଦରର ସାଥୀ...

 

ଅବସର ସମୟରେ ଏଇ ଜଳି ହିଁ ଆନନ୍ଦ ଦେଉଛି ଲୋପାମୁଦ୍ରାକୁ । ଠିକ୍‌ ମଣିଷ ଭଳି.... ।

 

ଏମିତି ଦିନ ଗଡ଼ୁଛି...

 

ଦିନକୁ ଦିନ ଲୋପାମୁଦ୍ରାର ଅଙ୍ଗ ଶ୍ରୀହୀନ ହେଉଛି । ଦୁର୍ବଳ ହେଉଛି । ମସ୍ତିଷ୍କ ଭାରାକ୍ରାନ୍ତ ହେଉଛି । ଆଉ ଠିଆ ହେବାକୁ ସାହସ କରୁନି ଲୋପାମୁଦ୍ରା

 

ସେଦିନ ଡାକ୍ତର ଡ଼ାକି ଆଣିଥିଲେ ଶାନ୍ତନୁ.....

 

ଅନେକ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ମୁଣ୍ଡରେ ହାତ ଦେଇ ବସି ଯାଇଥିଲେ କିଛି ସମୟ । ଉଦ୍‌ଗ୍ରୀବ ହୋଇ ଶାନ୍ତନୁ କହିଲେ—‘‘କ’ଣ ଦେଖିଲେ ପରିଜା ସାହେବ ? କ’ଣ ହୋଇଛି ଲୋପାମୁଦ୍ରାର ?’’

 

ଦୀର୍ଘ ନିଃଶ୍ୱାସ ଛାଡ଼ି ଡାକ୍ତର ପରିଜା କହିଥିଲେ—ଟିକିନିଖି କରି ସବୁ ପରୀକ୍ଷା କଲି–କିନ୍ତୁ କୌଣସି ରୋଗର ତିଳେମାତ୍ର ପ୍ରମାଣ ପାଇ ପାରିଲିନି । ଆଉ କିଛିଦିନ ଯାଉ । ବର୍ତ୍ତମାନ ଅନ୍ଧ ଭଳି ରୋଗର ଚିକିତ୍ସା କରି ଲାଭ ନାହିଁ । ମୋତେ ଚିନ୍ତା କରିବାକୁ ସମୟ ଦିଅନ୍ତୁ....-

 

ଡାକ୍ତରଙ୍କ କଥା ଶୁଣି ନୀରବ ରହିଗଲେ ଶାନ୍ତନୁ । କିନ୍ତୁ ଗୋଟିଏ ସ୍ୱଭାବିକ୍‌ ଆତଙ୍କରେ ତାଙ୍କ ଛାତି କରତି ହୋଇ ଯାଇଥିଲା । ଲୋପାମୁଦ୍ରାର ଦେହରେ ରୋଗ ନାହିଁ । ତେବେ ଦିନକୁ ଦିନ ଲୋପାମୁଦ୍ରା ଏମିତି ହତଶ୍ରୀ ଦିଶୁଛି କାହିଁକି... ?

 

ରୋଗ.... । ହିଁ ରୋଗପାଇଁ ଔଷଧ ଅଛି । କିନ୍ତୁ ମନ ରୋଗପାଇଁ ? ଏ ରୋଗକୁ ବା କେଉଁ ଡାକ୍ତର କେମିତି ଆବିଷ୍କାର କରିବ ? କ୍ୟାନ୍‌ସର ଠାରୁ ସାଂଘାତିକ ଭାବରେ ଏ ରୋଗ ଦେଖାଦିଏ । ପୁଣି ଆକ୍ରମଣ କରେ ସମଗ୍ର ଶରୀରକୁ । ଶରୀର କ୍ଷୀଣ ହୁଏ....ବଳ ହ୍ରାସ ପାଏ....ଶେଷରେ ରୋଗୀର ହୁଏ ମୃତ୍ୟୁ ।

 

କମ୍ପି ଉଠୁଥିଲେ ଶାନ୍ତନୁ....

 

‘‘ତେବେ କ’ଣ ମୋ ଝିଅ ଭଲ ହେବନି ପରିଜା ସାହେବ ?’’

 

ବାରିଷ୍ଟର ଶାନ୍ତନୁଙ୍କର ବ୍ୟସ୍ତତା ଦେଖି ସାହସ ଦେବା ଭଙ୍ଗୀରେ ଡାକ୍ତର ପରିଜା କହିଲେ—‘‘ଦେଖନ୍ତୁ ଶାନ୍ତନୁ ବାବୁ ! ଆପଣ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି । ଏମିତି ଭାଙ୍ଗି ପଡ଼ିଲେ ଚଳିବ କେମିତି ? ମଣିଷ ଦେହକୁ ରୋଗ ଆସିବା ତ ସ୍ୱଭାବିକ୍‌ କଥା । ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ତା’ଛଡ଼ା ରୋଗ ନ ଚିହ୍ନି ଔଷଧ ଦେବାର ମଧ୍ୟ ମିଛି ମାନେନାହିଁ । ଆପଣ କେବଳ ଅପେକ୍ଷା କରନ୍ତୁ । ଏ ରୋଗ ଭଲ କରିବାର ଦାୟିତ୍ୱ ମୁଁ ନିଜେ ନେଉଛି ।

 

ହସିବାକୁ ଚେଷ୍ଟା କଲେ ଶାନ୍ତନୁ.....

 

ଲୋପାମୁଦ୍ରା, ଶାନ୍ତନୁଙ୍କର ଯେଉଁ ସୂକ୍ଷ୍ମତମ ସ୍ଥାନରେ ଆସନ ଜମାଇଥିଲା—ସେ କଥା ଡାକ୍ତର ପରିଜା ଜାଣିବେ କେଉଁଠୁ ? ଡାକ୍ତର ପରିଜା ରୋଗ ସହିତ ଖେଳନ୍ତି...ହେଲେ ବାରିଷ୍ଟର ଶାନ୍ତନୁ ରୋଗକୁ ଡ଼ରନ୍ତି । ଏଇ ହେଉଛି ପାର୍ଥକ୍ୟ । ସେଇଥିପାଇଁ ପରିଜାଙ୍କ କଥା ଶୁଣି ଏକରକମ୍‌ ଡ଼ରି ଯାଇଥିଲେ ଶାନ୍ତନୁ....

 

ଦୀର୍ଘ ତିନି ବର୍ଷ ଯେ କେମିତି କଟିଯାଇଛି ଜାଣିପାରିନି ଚନ୍ଦ୍ରାବତୀ । ଆଜି ଦିନଗୁଡ଼ାକ ମୁହୂର୍ତ୍ତ ଭଳି ମାଲୁମ ହେଉଛି ତାକୁ । ଦିନ ଥିଲା, ଯେତେବେଳେ ଗୋଟାଏ ରାତି ତାକୁ ଗୋଟାଏ ଯୁଗ ପରି ଲାଗୁଥିଲା । ଆଜି କିନ୍ତୁ ଗୋଟାଏ ବର୍ଷ ମଧ୍ୟ ଗୋଟାଏ ଦିନ ଭଳି ଲାଗୁନାହିଁ । ଜୀବନର ଗତି ବଦଳିଛି । ସମୟର ସ୍ରୋତ ମୁହଁ ବୁଲାଇଛି.....ଚନ୍ଦ୍ରାବତୀ ଚାଲିଛି ଏକ ଅହେତୁକୀ ମାନସିକ ତାଡ଼ନାରେ... । ସେ ଚାହେଁ ତା’ର ଜୀବନର ପ୍ରତିଷ୍ଠା ।

 

ଅକ୍ଳାନ୍ତ ପରିଶ୍ରମ କରି କୃତୀତ୍ୱର ସହିତ ନର୍ସ ଟ୍ରେନିଂ ପାଶ୍‌କରିଛି ଚନ୍ଦ୍ରାବତୀ । ଆଜି ଚନ୍ଦ୍ରାବତୀ କେବଳ ରୂପଯଜ୍ଞତ ପ୍ରଳୟ ଧୂମଶିଖା ନୁହେଁ । ସେ ଏକ ବହ୍ନିମାନ ଭବିଷ୍ୟତରେ ଆହୂତି-। ଦୁନିଆଁର ମଙ୍ଗଳ ପାଇଁ...ନିଜର ମଙ୍ଗଳ ପାଇଁ ସେ କେବଳ ଜଳୁଛି ତିଳ ତିଳ ହୋଇ.... ।

 

ଚନ୍ଦ୍ରାବତୀ....

 

ଆଜି ସମ୍ବଲପୁର ଡାକ୍ତରଖାନାରେ ଆଦରଣୀୟା ଖ୍ୟାତନାମା ନର୍ସ ଚନ୍ଦ୍ରାବତୀ... । ଯେଉଁଦିନ ଏଇ ଚନ୍ଦ୍ରାବତୀ କୃତୀତ୍ୱର ସହିତ ନର୍ସ ଟ୍ରେନିଂ ପାଶ୍‌କଲା....ସେଦିନ ବାରିଷ୍ଟର ଶାନ୍ତନୁ ଲେଖିଥିଲେ—‘‘ମା ଚନ୍ଦ୍ରାବତୀ ! ମୁଁ ଜାଣେ.....ତୁମେ ନିଶ୍ଚୟ ମୋର ସୁନାମ ରକ୍ଷା କରିବ । କିନ୍ତୁ କେବଳ ପାଶ୍‌ କରିଦେଲେ ସେବିକାର କାର୍ଯ୍ୟ ଶେଷ ହୁଏନାହିଁ । ପାଶ୍‌କଲେ ସେବିକାର କାର୍ଯ୍ୟ ଆରମ୍ଭ ହୁଏ ମାତ୍ର । ଏ କାର୍ଯ୍ୟର ଆରମ୍ଭ ନାହିଁ....ଶେଷ ମଧ୍ୟ ନାହିଁ । ମୁଁ ତୁମକୁ ନର୍ସ ଭାବରେ ଦେଖିଲି ସତ...ହେଲେ ଖ୍ୟାତନାମା ସେବିକା ଭାବରେ ଦେଖିବାକୁ ଚାହେଁ ।’’

 

ଚିଠିଟିର ଏଇ ଧାଡ଼ିଗୁଡ଼ିକୁ ଏକରକମ୍‌ ମୁଖସ୍ତ କରି ରଖିଛି ଚନ୍ଦ୍ରାବତୀ । ସେ ସେବିକା ହେବ । ସେ ସଂସାର କରିବ । ସେ ଭବିଷ୍ୟତ ଗଢ଼ିବ । ସେ ମଣିଷ ହେବ.... । ସେ ଦୁନିଆଁକୁ ଶିକ୍ଷା ଦେବ..... । ଏଇ ତା’ର ଜୀବନର କାମନା...ବେସନା...ଆଉ ଭାବନା । ଏଇଥିପାଇଁ କାମରେ ଯୋଗଦେବାକୁ ବସାରୁ ଗୋଡ଼ କାଢ଼ିବାବେଳେ ଶୂନ୍ୟକୁ ହାତ ବଢ଼ାଇ ନମସ୍କାର କରେ ଚନ୍ଦ୍ରାବତୀ ।

 

ଆଜି ତା’ ନିକଟରେ ଏହି ମହାଶୂନ୍ୟର ନିର୍ଦ୍ଦେଶ ହିଁ ସବୁକିଛି । ସେ ଶୂନ୍ୟରୁ ଆସିଛି....ଶୂନ୍ୟରେ ମିଶିବ । ପୃଥିବୀର ଧୂଳିକଣା ଯେମିତି କାମନାହୀନ ଭାବରେ ପଡ଼ି ରହିଥାଏ–ସେମିତି ଦିନେ କାମନାହୀନ ଭାବରେ ବୁଲୁଥିଲା ଚନ୍ଦ୍ରାବତୀ । କିନ୍ତୁ ଏଇ ମହାଶୂନ୍ୟର ଇଙ୍ଗୀତ ହିଁ ତାକୁ ପଥ ଦେଖାଇଛି କିନାରା ଦେଖାଇଛି । ସେଥିପାଇଁ ସେ ଚାହେଁ ମହାଶୂନ୍ୟକୁ ସମ୍ମାନ କରିବା ଲାଗି ।

 

ଆଜି ସମ୍ଭଲପୁର ଡାକ୍ତରଖାନାରେ ସମସ୍ତଙ୍କର ପ୍ରିୟପାତ୍ରୀ ହୋଇ ପାରିଛି ଚନ୍ଦ୍ରାବତୀ ।

 

ଚନ୍ଦ୍ରାବତୀକୁ ଘଡ଼ିଏ ନ ଦେଖିଲେ ଡାକ୍ତର ପରିଜା ବ୍ୟଥିତ ହୋଇ ପଡ଼ନ୍ତି । ଲୋକ ପଠାଇ ଡ଼କାଇ ଆଣନ୍ତି । ଚନ୍ଦ୍ରାବତୀର ଶୋଭା ସମ୍ପଦ ଯେ ଡାକ୍ତର ପରିଜାଙ୍କୁ ଆକର୍ଷଣ କରିଥିଲା ତା’ ନୁହେଁ....ଆକ୍ଷରିକ ଭାବେ ଜଣେ ଦରଦୀ ସେବକ ଡାକ୍ତର ପରିଜା । ଚନ୍ଦ୍ରାବତୀ ଦେହରେ ଏଇ ସେବାର ଇଙ୍ଗୀତ ପାଇ ସେ ଭଲ ପାଇଛନ୍ତି ତାକୁ । ତା’ଛଡ଼ା ବନ୍ଧୁ ଶାନ୍ତନୁଙ୍କ ଅନୁରୋଧ ମଧ୍ୟ ଅନେକ ପରିମାଣରେ ଝିଙ୍କି ନେଇଛି ଚନ୍ଦ୍ରାବତୀ ଆଡ଼କୁ ।

 

ଦରକାର ହେଲେ ଚନ୍ଦ୍ରାବତୀର ପରାମର୍ଶ ନିଅନ୍ତି ଡାକ୍ତର ପରିଜା । ଅବଶ୍ୟ ଚନ୍ଦ୍ରାବତୀ ନିକଟରେ ଯଥେଷ୍ଟ ଭାବେ ସେବିକାର ଅନୁଭୁତି ନ ଥିଲା । ଡାକ୍ତରୀ ବିଦ୍ୟାର ପାରଦର୍ଶିତା ନ ଥିଲା...ହେଲେ ଚିକିତ୍ସା ପାଇଁ ଯେଉଁ ସାଧାରଣ ଜ୍ଞାନ ଆବଶ୍ୟକ ତାହା ଯଥେଷ୍ଟ ପରିମାଣରେ ଥିଲା ଚନ୍ଦ୍ରାବତୀ ନିକଟରେ ।

 

ସେଥିପାଇଁ କୌଣସି କେସ୍‍ ନିଜେ ନିଜେ ହାତକୁ ନିଅନ୍ତିନି ଡାକ୍ତର ପରିଜା ।

 

ଦିନେ ଦିନେ ନିଜ ବସାକୁ ଡ଼ାକିନେଇ ଚନ୍ଦ୍ରାବତୀକୁ ବିଭିନ୍ନ ଚିକିତ୍ସା ସମ୍ବନ୍ଧରେ ଶିକ୍ଷା ଦିଅନ୍ତି ଡାକ୍ତର ପରିଜା । ସାବରେ ସବୁରୁ ଶିକ୍ଷାକରେ ସେ । ସମବେଦନାରେ ହୃଦୟ ପରିପୂର୍ଣ୍ଣ ହୁଏ ତା‘ର । ଆହୁରି ଆହୁରି ଉତ୍ସାହିତ ହୋଇ ନାନା କଥାର ଆଳ ଭିତରେ ଚନ୍ଦ୍ରାବତୀର ମାନସିକ ପ୍ରସ୍ତୁତିକୁ ସମ୍ମାନ କରନ୍ତି ଡାକ୍ତର ପରିଜା ।

 

ଏଥିପାଇଁ ଯେ ଅନ୍ୟମାନେ ଈର୍ଷାପର ହୁଅନ୍ତି ନାହିଁ ତା’ନୁହେଁ ।

 

ଈର୍ଷାପର ହେବା ମଣିଷର ଗୋଟିଏ ସ୍ୱଭାବିକ୍‌ପ୍ରକୃତି ।

 

ଏଇ ଈର୍ଷାପରତା ପାଇଁ ଅନେକ ସମୟରେ ଡାକ୍ତର ପରିଜାଙ୍କ ବିରୁଦ୍ଧରେ ମୃଦୁଗୁଞ୍ଜନ ଉଠେ । ଚରିତ୍ର ପ୍ରତି ଆକ୍ଷେପ ହୁଏ । ଚନ୍ଦ୍ରାବତୀକୁ କେନ୍ଦ୍ରକରି କପୋଳକଳ୍ପିତ ଉପକଥା ସୃଷ୍ଟି ହୁଏ । କିନ୍ତୁ ଏ ସବୁକୁ କାନ ଦିଅନ୍ତିନି ଡାକ୍ତର ପରିଜା । ଡାକ୍ତର ପରିଜା ଚିର କୁମାର ନୁହଁନ୍ତି... । ତିନୋଟି ସନ୍ତାନର ଜନକ ସେ । ତଥାପି ତାଙ୍କ ବିରୁଦ୍ଧରେ ବଦନାମ ଦେବାକୁ ତିଳେହେଲେ ପଶ୍ଚାତ୍‌ପଦ ହୁଅନ୍ତିନି ଆମ ସଭ୍ୟ ମଣିଷମାନେ ।

 

ଏ ଯୁଗର ଚରିତ୍ର ଉପରେ ଯେଉଁ ଟିପା ଟିପ୍‌ପଣୀ ଉଠେ ତାହାର ପ୍ରଚାର ହେବାକୁ ସମୟ ଦରକାର ହୁଏନାହିଁ । ମୁହଁକୁ ମୁହଁ...ଏକଥା ଚାଲେ । କଥାରେ କହନ୍ତି—ତୁଣ୍ଡ ବାଇଦ ସହସ୍ର କୋଶ ।

 

ଏସବୁ ଗୁଞ୍ଜନ ଯେ ଚନ୍ଦ୍ରାବତୀ କାନକୁ ଆସେନାହିଁ ତାହା ନୁହେଁ । ସବୁ ଶୁଣୀ ନିରବ ରୁହେ ଚନ୍ଦ୍ରାବତୀ । ହସି ହସି ବେଦମ୍‌ ହୋଇପଡ଼େ ସେ । ତା’ ନାମରେ ବଦନାମ୍‌ ଏଇ ନୂଆ ନୁହେଁ-। ଅନେକ ବଦନାମ ଶୁଣିଛି ସେ । ଅନେକ ଆକ୍ଷେପ ଉକ୍ତିକୁ ଭ୍ରୁକ୍ଷେପ କରିନାହିଁ ସେ-। ଲୁହାର ମଣିଷ ଭଳି ସବୁ ଶୁଣିଛି ଆଉ ସହିଛି ଚନ୍ଦ୍ରାବତୀ ।

 

ଆଜି କିନ୍ତୁ ବଦନାମ ଶୁଣି ବେଳେ ବେଳେ ଚିନ୍ତିତା ହୁଏ ଚନ୍ଦ୍ରାବତୀ । ଚନ୍ଦ୍ରାବତୀ ଯେ ନିଜ ପାଇଁ ଦୁଃଖ କରେ ତା’ ନୁହେଁ । ସେ ଦୁଃଖ କରେ ଡାକ୍ତର ପରିଜାଙ୍କ ପାଇଁ । ଡାକ୍ତର ପରିଜା ତା’ର ଗୁରୁପ୍ରତିମ ବ୍ୟକ୍ତି । ସେ ପରିଜାଙ୍କୁ ଭକ୍ତି କରେ, ସମ୍ମାନ କରେ । ସେଇଥିପାଇଁ ତାଙ୍କ ନାମରେ ବଦନାମ ଶୁଣିଲେ ସହିପାରେ ନାହିଁ ସେ । ପ୍ରତିବାଦ କରିବାକୁ ମନ ବଳାଏ....

 

ଏମିତି ଦିନେ କ’ଣ କଥା କହୁ କହୁ ଚନ୍ଦ୍ରାବତୀ କହିଲା—‘‘ଗୋଟିଏ କଥା କହିବି...କିଛି ଭାବିବେନି ତ ସାର୍‌ ?’’

 

ହସି ହସି ପରିଜା କହିଲେ—‘‘ନାଇଁ ନାଇଁ କ’ଣ କହିବ କୁହ.. ? ଆଜିଯାଏ ତୁମଠାରୁ କେବେ କୌଣସି ଆପତ୍ତି ଅଭିଯୋଗ ଶୁଣି ନାହିଁ । ଆଜି ବରଂ ଶୁଣି ଖୁସି ହେବି ।’’

 

ହଠାତ୍‌ ଦବିଗଲା ଚନ୍ଦ୍ରାବତୀ ।

 

କାହିଁ କେତେ ଉଚ୍ଚ ଚିନ୍ତା କରୁଛନ୍ତି ଡାକ୍ତର ପରିଜା.....ତାଙ୍କୁ କେମିତି ସେ ପଚାରିବ ଏଇ ହୀନ ପ୍ରଚାର ବିଷୟରେ ?

 

ଆଗ୍ରହ ଦେଖାଇ ପୁଣି ପଚାରିଲେ ପରିଜା—‘‘କ’ଣ ପଚାରିବ ପଚାର ଚନ୍ଦ୍ରାବତୀ ?’’

 

ବାଧ୍ୟ ହୋଇ ମୁହଁ ଖୋଲିଲା ଚନ୍ଦ୍ରାବତୀ । ଭୟ ବିହ୍ୱଳିତା ହୋଇ ପାଟି ଖନିବାଜି ଯାଉଥିଲା ତା’ର । ଅତୀବା ସ୍ପଷ୍ଟବାଦୀ ଚନ୍ଦ୍ରାବତୀକୁ ଯେ ଦେଖିଛି—ସେ ଆଜିର ଚନ୍ଦ୍ରାବତୀକୁ ଦେଖି କଦାପି ଭାବି ପାରିବ ନାହିଁ ଯେ ଚନ୍ଦ୍ରାବତୀ ଦିନେ ଲଗାମଛଡ଼ା ବାଳିକା ଥିଲା ।

 

ଧୀର ଗଳାରେ କହିଲା ଚନ୍ଦ୍ରାବତୀ—‘‘ଆପଣ ଆଉ ମୋତେ କେନ୍ଦ୍ରକରି ଯେଉଁ ଅପବାଦ ରଟୁଛି, ସେ ସବୁ ଶୁଣୁଛନ୍ତି ତ ସାର୍‌ ?’’

 

ଟିକେ ଗୁମ୍‌ମାରି ପୁଣି ହସିଲେ ଡାକ୍ତର ପରିଜା....’’ ଏଇଥିପାଇଁ ତା’ ହେଲେ ତୁମେ ଆଜି ଚିନ୍ତିତା ? ଏ ସବୁ ପ୍ରଚାର ଯେ ମୋ କାନକୁ ଆସିନାହିଁ ତା’ ନୁହେଁ...ହେଲେ ସେବାପାଇଁ କିଛି ସ୍ୱାର୍ଥ ତ୍ୟାଗ ନ କଲେ ସେ ସେବା ସେବା ହୋଇ ରହେନାହିଁ । ଏଥିପାଇଁ କ’ଣ ତୁମେ ଡ଼ରିଯାଉଛ-?’’

 

ସାହସ ପାଇଲାଭଳି ଚନ୍ଦ୍ରାବତୀ କହିଲା—‘‘ନାଁ ସାର୍‌, ମୋ ପାଇଁ ମୁଁ ଚିନ୍ତା କରୁନାହିଁ । ହେଲେ ଆପଣଙ୍କ ମୁଁ ବେଶୀ ଚିନ୍ତା କରୁଛି ସାର୍‌ ।’’

 

କଥାଟାକୁ ବିଲ୍‌କୁଲ ଉଡ଼ାଇ ଦେବାଭଳି ଉଚ୍ଚ କଣ୍ଠରେ କହିଲେ ପରିଜା—‘‘ତୁମେ ଆଜି ହୁଏତ ମୋ ପାଖକୁ ନୂଆ ଆସିଛ ଚନ୍ଦ୍ରାବତୀ ! ସେଇଥିପାଇଁ ମୋ ବିରୁଦ୍ଧରେ ଏ ସବୁ ପ୍ରଚାର ତୁମକୁ ନୂଆ ନୂଆ ଲାଗୁଛି । କିନ୍ତୁ ଏସବୁ ମୋ ଦେହର ମଳି । ଯେଉଁ ଡାକ୍ତରଖାନାରେ ମୁଁ ରହିଛି...ସେଠି କିଛି ନା କିଛି ବଦନାମ ନିଶ୍ଚୟ ରୁଟିଛି । ସେ ସବୁ ପ୍ରତି ମୁଁ ଯଦି କାନ ଦେଇଥାନ୍ତି..ତେବେ ହୁଏତ ଆଜି ଜଣେ ଡାକ୍ତର ହୋଇପାରି ନ ଥାନ୍ତି । ଏ ସବୁ ପ୍ରଚାରଠାରୁ ଡାକ୍ତର ଜୀବନ ବହୁତ ଉର୍ଦ୍ଧ୍ୱରେ । ଏ ଜୀବନରେ ଯୌନକ୍ଷୁଧାର ଅନୁଭୂତି ନାହିଁ....ହେଲେ ଜନ୍ମ ବିଜ୍ଞାନର ଆବଶ୍ୟକତା ଅଛି ।’’

 

ଆଶ୍ଚର୍ଯ୍ୟ ହୋଇ ଡାକ୍ତର ପରିଜାଙ୍କ ମୁହଁକୁ ଚାହିଁ ରହିଲା ଚନ୍ଦ୍ରାବତୀ । କଥାଟାକୁ ସେମିତି ସହଜ ଭାବରେ କହି...ଚା’ କପ୍‌ରେ ମୁହଁ ଦେଉଥିଲେ ପରିଜା ।

 

ଜଣେ ଅଦ୍‌ଭୁତ ପ୍ରକୃତିର ବ୍ୟକ୍ତି ସେ.... ।

 

ତିନି ତିନିଟି ସନ୍ତାନର ଜନକ ହୋଇ ମଧ୍ୟ ପରିବାରଠାରୁ ସବୁବେଳେ ଦୂରରେ ରହନ୍ତି ସେ । ତାଙ୍କ ମତରେ ପରିବାର ବନ୍ଧନ ଭିତରେ ଥାଇ ସେବାକାର୍ଯ୍ୟ ହୋଇ ପାରେନି । ସେବା ଏକ ସ୍ୱତନ୍ତ୍ର ରାଜ୍ୟ.... । ସେବା କରିବାର ଅଭିଳାଷ ଯାହାର ମନରେ ନାହିଁ ସେ ଡାକ୍ତର ହୋଇ ପାରିବ ନାହିଁ ।

 

ପରିଜାଙ୍କର ଏସବୁ ଦର୍ଶନକୁ ତନ୍ମ ତନ୍ମ କରି ଲକ୍ଷ୍ୟ କରିଛି ଚନ୍ଦ୍ରାବତୀ । ସେଇଥିପାଇଁ ମନପ୍ରାଣ ଢାଳି ସେ ଚାହିଁଛି ହେବାକୁ ସେବିକା ।

 

ଡାକ୍ତର ପରିଜା ମଧ୍ୟ ତାକୁ ଏ ଦିଗରେ ଦେଇଛନ୍ତି ଅପାର ସ୍ୱାଧୀନତା... ।

 

ଯେ କୌଣସି ସାଂଘାତିକ ରୋଗୀକୁ ଦେଖିଲେ ଡାକ୍ତର ପରିଜା ସ୍ୱତନ୍ତ୍ର ଭାବେ ଡ଼ାକନ୍ତି ଚନ୍ଦ୍ରାବତୀକୁ । ପାଖରେ ବସାଇ ବୁଝାଇଲା ଭଳି କହନ୍ତି—‘‘ପାରିବ ଚନ୍ଦ୍ରାବତୀ ! ଏ ରୋଗୀର ଦାୟିତ୍ୱ ନିଜେ ବହନ କରି ପାରିବ ? ଜୀବନ ବଦଳରେ ସେ ଉପଯୁକ୍ତ ଅର୍ଥ ଦେଇ ପାରିବନି ସତ...ହେଲେ ସ୍ନେହ ଦେବ ନିଶ୍ଚୟ ।’’

 

ସାଦରରେ ସବୁ ଦାୟିତ୍ୱ ଗ୍ରହଣ କରେ ଚନ୍ଦ୍ରାବତୀ ।

 

ତା’ପରେ ପିଠିରେ ହାତ ମାରି ଡାକ୍ତର ପରିଜା କହନ୍ତି—ମୋର ଦୃଢ଼ ବିଶ୍ୱାସ...ତୁମେ ନିଶ୍ଚୟ ରୋଗୀ ମନରେ ସାହସ ଦେଇ ପାରିବ.... ବଳ ଦେଇ ପାରିବ...ରୋଗୀକୁ ଆରୋଗ୍ୟ କରି ପାରିବ । ରୋଗୀର ଜୀବନ ଫେରାଇ ଆଣି ପାରିବ... ।

 

ଗର୍ବୀତ ହୋଇ ଫୁଲିଉଠେ ଚନ୍ଦ୍ରାବତୀ....

 

ଜୀବନ ଖଟେଇ ପରିଶ୍ରମ କରେ ସେ....

 

ରାତି ରାତି ଅନିଦ୍ରା ହୋଇ ସେ ବସିରହେ ରୋଗୀର ବିଛଣା କଡ଼ରେ । ସେହି ହୁଏ ତା ଜୀବନର ପରିପୂର୍ଣ୍ଣ ଆନନ୍ଦ ।

 

ସନ୍ତୁଷ୍ଟ ହୁଅନ୍ତି ଡାକ୍ତର ପରିଜା....

 

କେବେ କେମିତି ଅର୍ଦ୍ଧରାତ୍ରିରେ ନିଜର ନିର୍ଜନ କୋଠରୀକୁ ଫେରେ ଚନ୍ଦ୍ରାବତୀ । ଇଲେକ୍‌ଟ୍ରି ସୁଇଚ୍‌ ଟିପି ଶୋଇବାକୁ ଚେଷ୍ଟାକରେ ସେ...କିନ୍ତୁ ନିଦ ଆସେନି । ମନକୁ ବିଷାକ୍ତ କରି ଖେଳିଯାଏ ହେମକାନ୍ତର ବିଷ ।

 

ଦୋହଲି ଉଠେ ଚନ୍ଦ୍ରାବତୀର ହୃଦୟ....

 

ଅନେକ କଥା ଭାବିବସେ ସେ । ତେବେ କ’ଣ ହେମକାନ୍ତ ଆଉ ପଚାରିବେନି ? ସବୁଦିନ ପାଇଁ କେବଳ ପର ହୋଇ ରହିଯିବେ ? ନାଁ....ନାଁ....ହେମକାନ୍ତ ପର ହୋଇ ନ ପାରନ୍ତି...ସେ ଦୂରେଇ ଦିଅନ୍ତୁ ପଛକେ....ସେ ହତାଦର କରନ୍ତୁ ପଛକେ...ସେହି ହିଁ କେବଳ ମନର ମଣିଷ...ସପନର ମଣିଷ ।

 

ଚିନ୍ତାକରେ ଚନ୍ଦ୍ରାବତୀ....

 

ଅଧ୍ୟାପକ ହେମକାନ୍ତ ନିକଟକୁ ଯାଇ ନିଜ ଦୋଷର କ୍ଷମା ମାଗି ନେବି ମୁଁ । ସେ କ’ଣ କ୍ଷମା ଦେବେନି ? ସେ କ’ଣ ଗ୍ରହଣ କରିବେନି... ? ସେ କ’ଣ ଆଦର କରିବେନି ? ସେ କ‘ଣ ନିଜର କରିବେନି ?

 

ନାଁ...ନାଁ...ହେମକାନ୍ତ ଅଧ୍ୟାପକ । ସମାଜରେ ତାଙ୍କର ସମ୍ମାନ ଅଛି । ପଦବୀ ଅଛି...ଆଭିଜାତ୍ୟ ଅଛି—ସୃଷ୍ଟି ଛଡ଼ା ନର୍ସର କିଛି ନାହିଁ । ଆକାଶ କୁସୁମକୁ ହାତ ବଢ଼ାଇ ଲାଭନାହିଁ-। ଯେ ଯାଇଛି ସେ ଯାଉ... । ଯିବା ଜିନିଷକୁ ବାନ୍ଧି ରଖି ହେବନାହିଁ...ଧର ରଖି ହେବନାହିଁ–

 

ପୁଣି ପ୍ରକୃତିସ୍ଥା ହୁଏ ଚନ୍ଦ୍ରାବତୀ....

 

ହେମକାନ୍ତ ନାହାନ୍ତି...

 

ଅଛି କେବଳ ତାଙ୍କ ଅତୀତ ସାନିଧ୍ୟର ଗନ୍ଧହୀନ ପୂର୍ବରାଗ.... । ସେହି ସାନିଧ୍ୟ ହିଁ ଆଜି ଆଘାତ ଦେଉଛି ଚନ୍ଦ୍ରାବତୀକୁ...ଚନ୍ଦ୍ରାବତୀର ସମସ୍ତ ନାରୀତ୍ୱକୁ...ଚନ୍ଦ୍ରାବତୀର ବିରାଟ ଭବିଷ୍ୟତକୁ ।

 

ଦିନ ଦିନ ଧରି ଏମିତି ନାନା କଳ୍ପନା ଜାଲରେ ଛନ୍ଦି ହୋଇପଡ଼େ ଚନ୍ଦ୍ରାବତୀ । ମନ ଗୋଳମାଳିଆ ହୁଏ । କଳ୍ପନା ମଙ୍ଗ ମୋଡ଼େ । କିନ୍ତୁ ଚନ୍ଦ୍ରାବତୀ । ମନ ଗୋଳମାଳିଆ ହୁଏ । କଳ୍ପନା ମଙ୍ଗ ମୋଡ଼େ । କିନ୍ତୁ ଚନ୍ଦ୍ରାବତୀ ଟିକେ ହେଲେ ବିଚ୍ୟୁତ ହୁଏନି ତା’ର କର୍ତ୍ତବ୍ୟ ପଥରୁ ।

 

ସେଦିନ ରାତି ସାରା ଅନିଦ୍ରା ହୋଇ ଗୋଟିଏ ରୋଗୀ ନିକଟରେ ବସି ବସି ବସାକୁ ଫେରିଛି ଚନ୍ଦ୍ରାବତୀ । ଠିକ୍‌ ଏମିତି ସମୟରେ ଚନ୍ଦ୍ରାବତୀର କୋଠରୀକୁ ଚାଲି ଚାଲି ପଶିଆସିଲେ ଡାକ୍ତର ପରିଜା । ହଠାତ୍‌ ସମ୍ମାନ ଦେଖାଇ ଠିଆ ହୋଇଗଲା ଚନ୍ଦ୍ରୀବତୀ… । ଛୋଟିଆ ଖଟିଆଟି ଉପରେ ବସି ପଡ଼ୁ ପଡ଼ୁ ଡାକ୍ତର ପରିଜା କହିଲେ...ଗୋଟିଏ କରୁରୀ ଦରକାରରେ ତୁମ ନିକଟକୁ ଦୌଡ଼ି ଆସିଛି ଚନ୍ଦ୍ରାବତୀ । ମୋ କଥା ରଖି ପାରିବ ?

 

ଆଶ୍ଚର୍ଯ୍ୟ ହେଲା ଚନ୍ଦ୍ରାବତୀ ! ଡାକ୍ତର ପରିଜାଙ୍କର ଆଜି ଏ କି ଅଭିନବ ଅନୁରୋଧ ? ଅବଶ୍ୟ ସବୁଦିନ ପରିଜାଙ୍କ ନିର୍ଦେଶ ଅନୁରୋଧ ଭଳି ଆରମ୍ଭ ହୁଏ । କିନ୍ତୁ ସେ ଅନୁରୋଧ ତଳେ ଥାଏ କର୍ତ୍ତବ୍ୟର ଇସାରା । ଆଜିର ଅନୁରୋଧ ଯେ ପୂର୍ଣ୍ଣଭାବରେ କୃତଜ୍ଞତାର.... !!

 

ନରମ ଭାବରେ ମୁହଁ ଖୋଳିଲା ଚନ୍ଦ୍ରାବତୀ....କ’ଣ କହିବେ କହନ୍ତୁ... ?’’

 

ଟିକେ ନିରାଶ ହେବାବେଳେ ପରିଜା କହିଲେ—‘‘ମୁଁ ଜାଣେ ଚନ୍ଦ୍ରାବତୀ ! ଏଇ ଦୀର୍ଘଦିନ ସେବା କରି କରି ତୁମେ କରକମ ଭୀଷଣ କ୍ଳାନ୍ତ । ଖାଇବା, ପିଇବା, ଶୋଇବାରେ ତୁମର ଠିକ୍‌ ଠିକଣା ନାହିଁ । ତଥାପି ମୁଁ ଅନୁରୋଧ ନେଇ ଆସିଛି ।’’

 

ମନେ ମନେ ହୁଏତ ଅନୁତପ୍ତ ହେଉଥିଲା ଚନ୍ଦ୍ରାବତୀ...ଆହା...ତେବେ କ’ଣ ଚନ୍ଦ୍ରାବତୀର ନିଶ୍ଚେଷ୍ଟ ଉତ୍ତର ଡାକ୍ତର ପରିଜାଙ୍କୁ ଆଘାତ ଦେଲା ? କଥାରେ ଜୋର ଦେଇ ପୁଣି ଚନ୍ଦ୍ରାବତୀ କହିଲା—‘‘କୁହନ୍ତୁ ସାର୍‌ ? ଆପଣ ମୋର ମାଲିକ, ଆପରଙ୍କ ଅନୁରୋଧ ରଖିବି ନାହିଁ ତ ଆଉ କାହାର ଅନୁରୋଧ ରଖିବି ।

 

ଚିହିଁକି ଉଠିଲେ ଡାକ୍ତର ପରିଜା—ଏ କ’ଣ କହୁଛି ଚନ୍ଦ୍ରାବତୀ ? ତେବେ କ’ଣ ତାଙ୍କ ଅନୁରୋଧ ଗୁଡ଼ିକ କେବଳ ମାଲିକାନା ସତ୍ୱଅଧିକାରୀ ? ଏହା ଦେହରେ କ‘ଣ ମାନବିକତାର ସ୍ପର୍ଶ ନାହିଁ ? କର୍ତ୍ତବ୍ୟବୋଧର ଗୁରୁତ୍ୱ ନାହିଁ ? ସମବେଦନାର ଇଙ୍ଗୀତ ନାହିଁ ?

 

କାତର ହେବା ଭଳି ଚନ୍ଦ୍ରାବତୀର ହାତ ଧରି ପକାଇ ଡାକ୍ତର ପରିଜା କହିଲା–‘‘ମୋତେ ଭୁଲ ବୁଝନି ଚନ୍ଦ୍ରାବତୀ...ମୁଁ କେବେହେଲେ ତୁମ ଉପରେ ମାଲିକ ପଣିଆ ଦେଖାଇ ଅନୁରୋଧ କରିନାହିଁ । ଏମିତି ଯଦି କେବେ ଭୁଲ୍‌ବଶତଃ ହୋଇ ଯାଇଥାଏ–ମୋତେ କ୍ଷମା କରିବ ।’’

 

ଆଉ ସହି ପାରିଲାନି ଚନ୍ଦ୍ରାବତୀ । ଛି...ଛି.. କ’ଣ ସେ କହିଲା ଯେ—ଡାକ୍ତର ପରିଜା କ୍ଷମା ମାଗି ବସିଲେ । ଚନ୍ଦ୍ରାବତୀର ଆଖିରେ ଚହଲିଉଠିଲା ଲୁହ । କରୁଣ ଭାବରେ କହିଲା—ଛି ସାର୍‌ ! ମୁଁ ତ ଆପଣଙ୍କ ଅନୁରୋଧକୁ ଅଧସ୍ତନ କର୍ମଚାରୀ ହୋଇ ଆଦେଶ ଭାବେ କେବେ ଗ୍ରହଣ କରିନି । ଆପର ଏମିତି ଭାବୁଛନ୍ତି କାହିଁକି ?

 

କଥାରେ ବାଧାଦେଇ ପରିଜା କହିଲେ—‘‘ନାଁ ଚନ୍ଦ୍ରାବତୀ ! ତୁମେ ମନା କରି ପାରିବନି-। ତୁମର ମନର କଥା ମୁ ବୁଝି ନେଇଛି । କିନ୍ତୁ ଜାଣ ଚନ୍ଦ୍ରାବତୀ ? ମୁଁ ତୁମକୁ ଏ ବଳାତ୍କାର ଅନୁରୋଧ କାହିଁକି କରେ ? କେବଳ ତୁମ ଉପରେ ମୋର ଅଗାଧ ବିଶ୍ୱାସ ବୋଲି-। ଏ ଡାକ୍ତରଖାନାରେ ଆହୁରି ଅନେକ ନର୍ସ ଅଛନ୍ତି, ହେଲେ ଅନ୍ୟ କାହାକୁ ମୁଁ ବିଶ୍ୱାସ କରି ପାରେନି-।’’

 

ଗୁଣମୁଗ୍‌ଧ ଶିଷ୍ୟାପରି ଚନ୍ଦ୍ରାବତୀ କହିଲା—‘‘ମୁଁ କ‘ଣ ଆଜି ଆଉ ଆପଣଙ୍କ ବିଶ୍ୱାସର ପାତ୍ରୀ ହୋଇ ନାହିଁ ସାର୍‌ ?’’

 

ଅସୁବିଧାରେ ପଡ଼ିଲେ ଡାକ୍ତର ପରିଜା । କଥା ବୁଲାଇ କହିଲେ—ନାଇଁ ଚନ୍ଦ୍ରାବତୀ । ଏମିତି କହିବାକୁ ମୋର ସାହସ ନାହିଁ । ହେଲେ ମନେହୁଏ ମୋର ଅନୁରୋଧ ରକ୍ଷା କରି ରାତି ରାତି ଅନିଦ୍ରା ହୋଇ ତୁମେ କ୍ଳାନ୍ତ ।

 

ତଳକୁ ମୁହଁ ହାଣି ଠିଆହେଲେ ଚନ୍ଦ୍ରାବତୀ....

 

ଠିଆ ହୋଇପଡ଼ି ଡାକ୍ତର ପରିଜା କହିଲେ—‘‘ତୁମକୁ ଶ୍ରାନ୍ତ କ୍ଳାନ୍ତ କରି କାମରେ ଲଗାଇ..ତୁମ ଅବସ୍ଥାନ ବୁଝି ପାରିବା କ’ଣ ମୋର କମ୍‌ ବଡ଼ ଅପରାଧ ?’’

ଏଥର ହସିଲା ଚନ୍ଦ୍ରାବତୀ । କହିଲା—ନାଁ ସାର୍‌ ! ଓଲଟି ମୁଁ ମୋତେ ହିଁ ଏଥିପାଇଁ ଦୋଷ ଦେଉଛି । କାରଣ—ମୁଁ ମୋର କର୍ତ୍ତବ୍ୟ ନିଷ୍ଠା ନ ଦେଖାଇ ଥିଲେ ଆପଣ ସମସ୍ତ ଦାୟିତ୍ୱ ମୋ ଉପରେ ଛାଡ଼ିଥାନ୍ତେ କାହିଁକି ?

ନିରୁତ୍ତର ହେବାଭଳି ଡାକ୍ତର ପରିଜା କେବଳ ଚାହିଁହେଲେ ଚନ୍ଦ୍ରାବତୀର ମୁହଁକୁ....

ଭାବୁଥିଲେ ଡାକ୍ତର ପରିଜା—ସତରେ କି ବିଚିତ୍ର ବୁଦ୍ଧି ଏ ଝିଅଟାର । କାମରେ ଯେମିତି ଏକାଗ୍ରତା...କଥାର ଚାତୁରୀରେ....ହୃଦୟରେ ଗଭୀରତାରେ ଠିକ୍ ଅନୁରୂପ ଏକାଗ୍ରତା ।

ଆଉ ଯୁକ୍ତି ନ କରି ବାହାରି ଯାଉଥିଲେ ଡାକ୍ତର ପରିଜା....ହଠାତ୍‌ଆଗ ଓଗାଳି ଚନ୍ଦ୍ରାବତୀ କହିଲେ–ମୋତେ କ୍ଷମା କରିବେ ସାର୍‌, କହୁ କହୁ କ’ଣ ବୋଲି କ’ଣ କହିଦେଲି....ସେଥିପାଇଁ କ‘ଣ ଆପଣ ମନ କଷ୍ଟ କଲେ ?

ଅନ୍ତରଭରା ଆନନ୍ଦରେ ନାଚି ଉଠୁଥିଲେ ଡାକ୍ତର ପରିଜା....ଅଧର କୋଣରେ ସରୁ ହସଟିଏ ଟାଣି କହିଲା–‘‘ନାଁ ଚନ୍ଦ୍ରାବତୀ । ତୁମ ଉପରେ ମୁଁ ରାଗିବାର ପ୍ରଶ୍ନ ନାହିଁ । ମୋ ନିର୍ବୋଧତାକୁ ହିଁ ମୁଁ ପରୀକ୍ଷା କରୁଛି । ବାସ୍ତବିକ୍‌ତୁମେ କର୍ତ୍ତବ୍ୟପରାୟଣା ନ ହୋଇଥିଲେ ମୁଁ ତୁମକୁ ଦିନ ରାତି ଖଟାନ୍ତି କାହିଁକି ? ତୁମ ପରି ତ ଅନେକ ଅଛନ୍ତି ଏ ଡାକ୍ତର ଖାନାରେ....’’

ଝାଉଁଳି ପଡ଼ିଲା ପରି ଚନ୍ଦ୍ରାବତୀ କହିଲା–‘‘ମୋତେ ଲଜ୍ଜା ଦିଅନ୍ତୁନି ସାର୍‌ । ମୁଁ ଓଡ଼ିଆରେ କଥା କହିବା ସିନା ଶିଖିଛି....ହେଲେ ଭଦ୍ରତା ଶିଖିନି । ସେଥିପାଇଁ ଦୋଷ ମାଗି ନେଉଛି-।’’

 

ଏଥର ଲଜ୍ଜିତ ହେବାଭଳି ଡାକ୍ତର ପରିଜା କହିଲେ–‘‘ଛି.....ଛି....ମୋ ଆଗରେ ତୁମେ ତୁମର ନିନ୍ଦା କରନି ଚନ୍ଦ୍ରାବତୀ ! କାରଣ—ମୁଁ ପରା ତୁମର ଗୁଣମୁଗ୍‌ଧ ବ୍ୟକ୍ତି ।’’

 

ଆଉ ଯୁକ୍ତି ନ କରି ଠିଆହେଲା ଚନ୍ଦ୍ରାବତୀ...

 

ଯିବାକୁ ବସିଲେ ଡାକ୍ତର ପରିଜା....

 

ତେବେ କ’ଣ ନିଜ ଅନୁରୋଧକୁ ନିଜ ମନରେ ରଖି ଫେରିଯିବେ ଡାକ୍ତର ପରିଜା ! ! ନାଁ...ନାଁ....କେତେ ଆଶା, କେତେ କଳ୍ପନା କରି ଆସିଛନ୍ତି ସେ । ତାଙ୍କୁ ଖାଲି ହାତରେ ଫେରାଇ ଦେଲେ ଦୋଷ ହେବ ଚନ୍ଦ୍ରାବତୀର । ଆଉ ଭାବି ପାରୁନି ଚନ୍ଦ୍ରାବତୀ । ଅନିଚ୍ଛାସତ୍ୱେ ପଛରୁ ଡ଼ାକିଲା ଚନ୍ଦ୍ରାବତୀ...‘‘ସାର୍‌ ! ଆପଣଙ୍କ ଅନୁରୋଧ ଶୁଣିବାକୁ ମୁଁ କ’ଣ ଏକାନ୍ତ ଅଯୋଗ୍ୟା ?’’

 

ନାଁ...ଆଉ ଅନୁରୋଧକୁ ଗୁପ୍ତ ରଖି ଫେରିଯାଇ ପାରିବେନି ଡାକ୍ତର ପରିଜା । କେତେଗୁଡ଼ିଏ ନିରୀହ ଲୋକଙ୍କର ଜୀବନ ପାଇଁ ହିଁ ଚନ୍ଦ୍ରାବତୀକୁ ଅନୁରୋଧ କରିବାକୁ ହେବ । କଷ୍ଟ ଦେବାକୁ ହେବ । ସଂକ୍ଷେପରେ କହିଲେ ପରିଜା...‘‘ତୁମେ ହୁଏତ ଜାଣିଥିବ ଚନ୍ଦ୍ରାବତୀ । ଯେ କଟକ ସମ୍ବଳପୁର ବସ୍‌ ସାଘାଂତିକ ଏକସିଡ଼େଣ୍ଟ କରିଛି ରେଢ଼ାଖୋଲ ଜଙ୍ଗଲ ରାସ୍ତାରେ । ରାସ୍ତା କଡ଼କୁ ବସ୍‌ଟି ଆସି ପଡ଼ି ଚୁରମାର ହୋଇଯାଇଛି । ବସ୍‌ର ସମସ୍ତ ଆରୋହୀ ଆହତ ହୋଇ ଭର୍ତ୍ତି ହୋଇଛନ୍ତି ସମ୍ବଲପୁର ଡାକ୍ତରଖାନାରେ । ଏ ପର୍ଯ୍ୟନ୍ତ କେତେଜଣଙ୍କର ସଂଜ୍ଞା ଫେରିନାହିଁ । ସେମାନଙ୍କର ଜୀବନ ଆମରି ହାତରେ । ତୁମେ ଯଦି ଏ ଲୋକମାନଙ୍କ ଦାୟିତ୍ୱ ନିଅନ୍ତି...’’

 

ହଠାତ୍‌ ଦୁଆର କବାଟକୁ ଆଉଜି ପଡ଼ିଲା ଚନ୍ଦ୍ରାବତୀ...ଆଖିରୁ ତା’ର ଝରିପଡ଼ୁଥିଲା ଲୋତକର ସ୍ରୋତ....‘‘ଏତେଗୁଡ଼ିଏ ଜୀବନ ତୁଳନାରେ କ’ଣ ମୋ ଜୀବନ ଏମିତି ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ଅନୁରୋଧ କରିବାକୁ କୁଣ୍ଠାବୋଧ କରୁଛନ୍ତି ?‘‘

 

କହିତଲା ଚନ୍ଦ୍ରାବତୀ.....

 

ଆଉ ଯୁକ୍ତି କରିବାକୁ ସମୟ ନ ଥିଲା ଡାକ୍ତର ପରିଜାଙ୍କର.....ଦୀର୍ଘ ନିଃଶ୍ୱାସ ପକାଇ ଚାଲିବାକୁ ଆରମ୍ଭ କଲେ ସେ...ଚନ୍ଦ୍ରାବତୀର ବସାରେ ଅନେକ ସମୟ ନଷ୍ଟ କରିଛନ୍ତି ବୋଲି ଦୁଃଖ କରୁଥିଲେ ପରିଜା....

 

ମୁହୂର୍ତ୍ତକ ମଧ୍ୟରେ ପୁଣି ନିଜକୁ ସଜିଲ କରିନେଇ ପରିଜାଙ୍କ ପିଛା ଧରିଲେ ଚନ୍ଦ୍ରାବତୀ....

 

ଏକ୍‌ସିଡ଼େଣ୍ଟ....

 

ଜୀବନରେ ଅନେକ ଏକ୍‌ସିଡ଼େଣ୍ଟର ସମ୍ମୁଖୀନ ହୋଇଛି ଚନ୍ଦ୍ରାବତୀ । କିନ୍ତୁ.....

 

ଆହତ ହେବାର ଏକ୍‌ସିଡ଼େଣ୍ଟକୁ ଭୟ କରେ ସେ... । ରାସ୍ତାରେ ଯାଉଥିବାବେଳେ ଦୁଇ ନିରୀହ ବସ୍‌ଯାତ୍ରୀମାନଙ୍କର ଭାଗ୍ୟ କଥା ଚିନ୍ତା କରୁଥିଲା ଚନ୍ଦ୍ରାବତୀ.... । ଏଇତ ମଣିଷର ଭାଗ୍ୟ...-। କିଏ ହୁଏତ ନୂଆ ଚାକିରୀରେ ଯୋଗ ଦେବାକୁ ଯାଉଥିଲା—କିଏ ହୁଏତ ରୁପସୀ ତରୁଣୀର ମୁହଁ ଦେଖିବାକୁ କଟକ ରାଇଜରୁ ଫେରୁଥିଲା...ଆଉ କିଏ ହୁଏତ ଆସୁଥିଲା ହୀରାକୁଦ ପରିଦର୍ଶନରେ... ।

 

କିନ୍ତୁ ସବୁ ସ୍ୱପ୍ନ ପାଣି ଫାଟିଯାଇଛି ଆଜି । ଆଜି ଆଉ ତରୁଣୀ ମାନସୀର ହୃଦୟ ସ୍ପନ୍ଦନକୁ ଲକ୍ଷ୍ୟ କରୁ ନ ଥିବେ କେହି । କେବଳ ଦେହର ଉତ୍ତାପକୁ ମନ ଦେଇ ମାପୁଥିବ ଫାରେନ୍‌ହିଟ୍‌ଥର୍ମୋମିଟର... ।

 

ସମ୍ବଲପୁର ଡାକ୍ତରଖାନା.....

 

ଭିତରକୁ ଯିବାକୁ ବାଟ ନାହିଁ । ଡାକ୍ତରଖାନାର କମ୍ପାଉଣ୍ଡଠାରୁ କୋଠରୀ ପର୍ଯ୍ୟନ୍ତ କେବଳ ଭର୍ତ୍ତି ହୋଇଛନ୍ତି ଆହତ ବ୍ୟକ୍ତିମାନେ । ଏଇ ସାମାନ୍ୟ ସମୟ ମଧ୍ୟରେ ଏଡ଼େ ପରତବର୍ତ୍ତନ... ?

 

ହଁ....ପରିବର୍ତ୍ତନ ବା ନ ହେବ କାହିଁକି ? ସାମାନ୍ୟ କେତେ ସମୟ ଆଗରୁ ମଟର ଗତିର ତାଳେ ତାଳେ ଯେଉଁମାନଙ୍କର ବର୍ତ୍ତୁଳ ମାଂସପେଶୀ କୋମଳ ରାଗିଣୀ ତୋଳି ଦୋହଲୁଥିଲା...ସେମାନେ ଏଇ ସାମାନ୍ୟ ସମୟର ପାର୍ଥକ୍ୟ ମଧ୍ୟରେ ମୃତ୍ୟୁମୁଖୀ... । ହୁଏତ ଚିତ୍ରଗୁପ୍ତ କାହାର ନାଁଟାକୁ ନିଜର ପାଞ୍ଜିରୁ ପୋଛି ଦେଇ ସାରିବଣି । ଆଉ କାହାର ନାଁ ଉପରେ ହିସାବ ନିକାସ କଷୁଥିବ ।

 

ଆଖିରୁ ଲୁହ ପୋଛି ଆକାଶକୁ ଚାହିଁଲା ଚନ୍ଦ୍ରାବତୀ....

 

ମଣିଷର ଏଇ ହେଉଛି ଭାଗ୍ୟ । ତଥାପି ଏ ମଣିଷ ସୁନାର ସ୍ୱପ୍ନ ଦେଖେ । ଚାଖଣ୍ଡେ ଜମି ପାଇଁ ଯୁଦ୍ଧ କରେ...ଗୋଟାଏ ପଇସା ପାଇଁ ଚୋରୀ କରେ.....ମୁଠାଏ ଭାତ ପାଇଁ ସମ୍ମାନ ହରାଏ । ସତରେ କ’ଣ ଏ ମଣିଷର ନିଜର ବୋଲି କିଛି ଗୋଟାଏ ଜିନିଷ ଅଛି ? ତା’ ପ୍ରାଣଟା ଯେତେବେଳେ ତା‘ର ନୁହେଁ ତା‘ ଦେହ ଉପରେ ଯେତେବେଳେ ଆୟତ୍ତ ନାହିଁ....ସେତେବଳେ ଏ ମଣିଷ କାହିଁକି ନିଜେ ଏଡ଼େ ଅହଙ୍କାରୀ... ?

 

ଅପେକ୍ଷା ନ କରି ଡାକ୍ତର ପରିଜା କହିଲେ—ଜ୍ଞାନ ଫେରାଇବା ପାଇଁ କେତେକଙ୍କୁ ଅକ୍‌ସିଜେନ୍‌ ଦିଆଯାଉଛି ଚନ୍ଦ୍ରାବତୀ...ତୁମେ ଯାଇ ସାହାଯ୍ୟ କର । ତା’ ଉଡ଼ା ରୋଗୀମାନଙ୍କୁ ଥରେ ଦେଖିଆସି କାହାପାଇଁ କି ଚିକିତ୍ସା କରାଯିବ ଟିକେ ଚିନ୍ତାକର....

 

କାଳବିଳମ୍ବ ନ କରି ଭିତରକୁ ପଶିଗଲା ଚନ୍ଦ୍ରାବତୀ... । ହୁ..ହା....ଚିତ୍କାରରେ କମ୍ପିଉଠୁଛି ସମଗ୍ର ଡାକ୍ତରଖାନା । ଦେହ ଧରି ରହିପାରୁନି ଚନ୍ଦ୍ରାବତୀ ।

 

ଜୀବନ ଯିବାକୁ ବସିଥିଲାବେଳେ ଯେଉଁ ଯନ୍ତ୍ରଣା, ତାକୁ କେବଳ ମୃତ୍ୟୁମୁଖୀ ମଣିଷ ଛଡ଼ା ଆଉ କିଏ ଅନୁଭବ କରି ପାରିବ ? ଏମାନେ ସମସ୍ତେ ମୃତ୍ୟୁପଥର ଯାତ୍ରୀ । ଯମଦୂତମାନଙ୍କ ସହିତ ପ୍ରବଳ ଯୁଦ୍ଧ କରୁଛନ୍ତି କେବଳ ବଞ୍ଚି ରହିବା ପାଇଁ... । ପଥର ହୋଇଯାଉଛି ଚନ୍ଦ୍ରାବତୀର ଛାତି... । ଏ କି ଦୃଶ୍ୟ ? କେଉଁ ମଣିଷ ଅବା ଏ ଦୃଶ୍ୟ ଦେଖି ଦେହ ଧରି ରହି ପାରିବ... ?

 

ଗୋଟିଏ ପରେ ଗୋଟିଏ ଖଟିଆ ଦେଖି ଦେଖି ଲୁହ ଢାଳି ଢାଳି ଆଗେଇ ଚାଳଇଛି ଚନ୍ଦ୍ରାବତୀ... ।

 

ଅଚାନକ ପଛରୁ ଡାକ୍ତର ପରିଜା ଡ଼ାକି ଦେଇ କହିଲେ–‘‘ଏ କ’ଣ ଚନ୍ଦ୍ରାବତୀ... ! ରୋଗୀଙ୍କୁ ଦେଖି ତୁମେ ମନ କଷ୍ଟ କରି କାନ୍ଦିଲେ ରୋଗୀ ନିରାଶ ହେବେ । ବଞ୍ଚି ରହିବାର ଆଶା ହରାଇବେ । ତୁମେ ପଥର ହୁଅ...ତୁମେ ସାହସ ଦିଅ...ତା’ ହେଲେ ସିନା ରୋଗୀମାନଙ୍କ ମନରେ ବଞ୍ଚି ରହିବାର ମମତା ଜାଗିବ ?’’

 

ଭୁଲ୍‌ ବୁଝିପାରି ଆଖିରୁ ଲୁହ ପୋଛିଲା ଚନ୍ଦ୍ରାବତୀ....

 

ଆହା....ଆଉ ଦେହଧରି ରହିପାରୁନି ଚନ୍ଦ୍ରାବତୀ । ସେବିକା ପ୍ରାଣ ପଥର ହେବ ସତ...ହେଲେ ସେ ପଥର ତଳେ ବି ତ ଶୁଭ୍ର ଦୁର୍ବାଦଳର ଆବିର୍ଭାବ ମଧ୍ୟ ସମ୍ଭବ.... ।

 

କଞ୍ଚା ବୟସର ତମଣୀଟିଏ । ଚିତ୍‌ ହୋଇ ଶୋଇଛି ଖଟିଆ ଉପରେ । ପଞ୍ଜରା ହାଡ଼ ଭାଙ୍ଗି ଏପର୍ଯ୍ୟନ୍ତ ଅବିଶ୍ରାନ୍ତ ଚାଲିଛି ରକ୍ତସ୍ରାବ । ରକ୍ତସ୍ରାବ ରୋକିବାକୁ ଚେଷ୍ଟା କରୁଛନ୍ତି ଡାକ୍ତରମାନେ । କିନ୍ତୁ ଡାକ୍ତରଙ୍କର ସମସ୍ତ ଚେଷ୍ଟାକୁ ଅକାମୀ କରି କହିବାରେ ଲାଗିଛି ରକ୍ତ । ଏ କ‘ଣ ? ରକ୍ତବନ୍ଦ ନ ହେଲେ ଯେ ଦେହର ସମସ୍ତ ରକ୍ତ ବାହାରି ଆସିବ ପଦାକୁ ? ଦୁଇଟି ପଞ୍ଜରା ହାଡ଼କୁ କାଟି ଷ୍ଟିଚ୍‌ କରିବାକୁ ଚେଷ୍ଟା କରୁଛନ୍ତି ଡାକ୍ତରମାନେ । ଆହତା ରମଣୀର ସଂଜ୍ଞା ଫେରିବାର ଅବକାଶ ନାହିଁ ।

 

ଠିକ୍‌ ସେହି ଖଟିଆକୁ ଲାଗି ଗୋଟିଏ ଖଟିଆରେ ଶୋଇଛି ମାତ୍ର ଦୁଇ ଚାରି ମାସର ଶିଶୁ ପୁତ୍ରଟିଏ । ହୁଏତ ଏଇ ରମଣୀର ଅନ୍ତରଭରା ପ୍ରଥମ ସୂର୍ଯ୍ୟୋଦୟ । ଚିତ୍କାର କରି କାନ୍ଦୁଛି ଶିଶୁଟି ଟିକେ କ୍ଷୀର ଆଶାରେ । ଏଡ଼େ ବଡ଼ ଏକ୍‌ସିଡ଼େଣ୍ଟରୁ କିନ୍ତୁ ଆଶ୍ଚର୍ଯ୍ୟ ଭାବେ ରକ୍ଷା ପାଇ ଯାଇଛି ଶିଶୁଟି । କାହାରି ନଜର ନାହିଁ ସେ ଶିଶୁ ପୁତ୍ରଟି ଆଡ଼େ ।

 

ଠିକ୍‌ ସେ ଖଟିଆକୁ ଲାଗି ହୁଏତ ସଂଜ୍ଞାହୀନ ହୋଇ ଶୋଇଛନ୍ତି ଶିକ୍ଷିତ ଯୁବକ ସ୍ୱାମୀ । ମନେ ହୁଏ—ନୂଆ ଚାକିରୀରେ ଯୋଗ ଦେବାପାଇଁ ପରିବାରକୁ ସଙ୍ଗରେ ଧରି ସେ ଯାଉଥିଲେ ସମ୍ବଲପୁର ।

 

ଏଇ ସ୍ୱାମୀ...

 

ନବବୟସୀ ରୂପସୀ ସ୍ତ୍ରୀର ହାତରୁ ମଳି ଚମଟିକେ ଉଠି ଯାଇଥିଲେ ହୁଏତ ଦିନେ ଦୌଡ଼ିଥାନ୍ତେ ଡାକ୍ତରଙ୍କ ସହିତ ପରାମର୍ଶ ପାଇଁ । ଆଜି ସେ ଶୋଇଛନ୍ତି ଶ୍ରାନ୍ତ...କ୍ଳାନ୍ତ ହୋଇ ନିର୍ବିକାର ଚିତ୍ତରେ । ନା ନା ପରୀକ୍ଷା କରି ସଂଜ୍ଞା ଫେରାଇବାକୁ ଚେଷ୍ଟା କରୁଛନ୍ତି ଡାକ୍ତର ବନ୍ଧୁଗଣ... । ଆଉ ଅପେକ୍ଷା ନ କରି ଶିଶୁଟିକୁ ନିଜ କୋଳକୁ ଉଠାଇ ନେଇ ଆଗକୁ ଚାଲିଲା ଚନ୍ଦ୍ରାବତୀ । ବକ୍ଷଭରି ଦୁଗ୍ଧପାନ କରାଇବାକୁ ଇଚ୍ଛା ହେଉଥିଲା ତା’ର । କିନ୍ତୁ ଶୁଷ୍କ ଟାଙ୍ଗରା ପାହାଡ଼ରୁ ଜଳ ଆଶା କରିବା କ’ଣ କଦାପି ସମ୍ଭବ ?

 

ଟିକେ ବାଟ ଆଗେଇ ପୁଣି ଅଟକିଲା ଚନ୍ଦ୍ରାବତୀ.....

 

ଅଶିତି ବର୍ଷର ବୃଦ୍ଧଟିଏ । ହୁଏତ ସ୍ୱର୍ଗ ରାଜ୍ୟରୁ ଯମରାଜଙ୍କର ଡାକରା ଆସି ସାରିଛି । ଆଉ ବଞ୍ଚିବାରେ ନୂତନତା ନାହିଁ...ବଞ୍ଚିବାରେ ମୋହ ନାହିଁ କେବଳ ସେ ଚାହୁଁଛି ନିରାପଦରେ ସଂସାରରୁ ବିଦାୟ ନେବାପାଇଁ....ଏମିତି ବେଳେ ଅଚାନକ ଏକ୍‌ସିଡ଼େଣ୍ଟରେ କଟିଯାଇଛି ଡାହାଣ ଗୋଡ଼ଟି । ବୃଦ୍ଧ ଜରାଜୀର୍ଣ୍ଣ ଶରୀର ଦେହରୁ ମଧ୍ୟ ଅନବରତ ଛୁଟିବାରେ ଲାଗିଛି ରକ୍ତ । ଭିଟାମିନ୍‌ବି କମ୍ପ୍ଳେକ୍‌ସଠାରୁ ଗୁଲ୍‌କୋଜ ପର୍ଯ୍ୟନ୍ତ ଇଞ୍ଜେକ୍‌ସନ, ଟାବ୍‌ଲେଟ୍‌ ଖାଇ ଯେଉଁ ମଣିଷ ବିନ୍ଦୁଏ ରକ୍ତ ବଢ଼ାଇବାକୁ ଚେଷ୍ଟା କରୁଛି ସେ ମଣିଷ ଦେହରେ ଯେ ଏତେ ରକ୍ତ ଗୋପନ ରହିଛି...ଏ କଥା ବିଶ୍ୱାସ କରି ପାରୁନି ଚନ୍ଦ୍ରାବତୀ । ଜୀବନର ମୋହହୀନ ବୃଦ୍ଧ ପ୍ରତି କିନ୍ତୁ ଡାକ୍ତରଙ୍କ ପ୍ରଚେଷ୍ଟା କମ୍‌ ନାହିଁ । ତାଙ୍କ ନିକଟରେ ଯୁବକର ପ୍ରାଣ ଯେତିକି ଗୁରୁତ୍ୱପୂର୍ଣ୍ଣ...ଜରାଜୀର୍ଣ୍ଣ ଶ୍ଳଥ ବୃଦ୍ଧର ପ୍ରାଣ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଏଇ ଡାକ୍ତର ଦଳ ଜୀବନ ଲୋଭୀ...ଏମାନଙ୍କ ନିକଟରେ ବୟସର ଲୋଭ ନାହିଁ ।

ଆହୁରି ଆଗକୁ ଆଗେଇବାରେ ଲାଗିଛି ଚନ୍ଦ୍ରାବତୀ । ଅଟକିଗଲା ଗୋଟିଏ ରୋଗୀ ନିକଟରେ.....

ହୁଏତ ଅନେକ ଦିନର ପରିଚିତ ମଣିଷ ଏ ରୋଗୀଟି ।

ନିଥର ଆଖିରେ ଚାହିଁଛି ଚନ୍ଦ୍ରାବତୀ । ରୋଗୀର ଜ୍ଞାନ ଫେରିନି । ହୁଏତ କପାଳରେ କେଉଁ ସୂକ୍ଷ୍ମ ଅଂଶରେ ଆଘାତ ଲାଗିଛି । ରୋଗୀର ଯଦି ଜ୍ଞାନ ଥାନ୍ତା ତେବେ ହୁଏତ ଚନ୍ଦ୍ରାବତୀକୁ ଦେଖି ପୁଣି ସଂଜ୍ଞା ହରାଇଥାନ୍ତା ସେ....

ରୋଗୀ....

ପିଲ୍‌ଗ୍ରୀମ ହୋଟେଲର ମାଲିକ ବଳରାମ ମିଶ୍ର । ଦିନେ ଏଇ ବଳରାମ ମିଶ୍ର ଜାଣିଥିଲେ—ଚନ୍ଦ୍ରାବତୀ ଗୋଟିଏ ଭୂତ । ଆଜି ଯଦି ତାଙ୍କର ଜ୍ଞାନ ଥାନ୍ତା...ତେବେ ସେ ହୁଏତ ଭୟରେ ଆର୍ତ୍ତନାଦ କରି ପୁଣି ସଂଜ୍ଞା ହରାଇ ବସନ୍ତେ...ଅଥବା କଥାଟା ମିଛ ବୋଲି ଜାଣିଥିଲେ ପୂର୍ବ ବାକି ଟଙ୍କା ମାଗି ବସି ବେଜିତ୍‌ କରନ୍ତେ ଡାକ୍ତରଖାନା ଭିତରେ ।

କରୁଣା ଜନ୍ମିଲା ଚନ୍ଦ୍ରାବତୀର ଛାତିରେ....

ଶିଶୁଟିକୁ ଆଉ ଜଣେ ନର୍ସ ହାତକୁ ବଢ଼ାଇ ଦେଇ ଖଟିଆ ଉପରେ ବସି ପଡ଼ିଲା ସେ....-। ହୁଏତ କେଉଁ ଜରୁରୀ ବତକାରରେ ବଳରାମ ମିଶ୍ର ଅଧିକ ଆର୍ଥିକ ଲାଭ ପାଇଁ ଆସୁଥିଲା ସମ୍ବଲପୁର । କିନ୍ତୁ ଦୈବକ୍ରମେ....ଏକ୍‌ସିଡ଼େଣ୍ଟ....

ଠିକ୍‌ ଏତିକିବେଳେ ଡାକ୍ତରଖାନାର ବେହେରା ଦୌଡ଼ି ଦୌଡ଼ି ଆସି କହିଲା—ସିସ୍‌ଟର....ସିସ୍‌ଟର ଡାକ୍ତର ପରିଜା ବ୍ୟସ୍ତ ହୋଇ ଆପଣଙ୍କୁ ଡ଼ାକୁଛନ୍ତି ଆସନ୍ତୁ...

ତରବର ହୋଇ ଧାଇଁବାକୁ ଲାଗିଲା ଚନ୍ଦ୍ରାବତୀ....

ବାଟରେ ଚନ୍ଦ୍ରାବତୀର ଗତିରେ ବାଧାଦେଇ ଜଣେ ନର୍ସ କହିଲା —୪୪ ନମ୍ବର ସିଟ୍‌ରେ ଥିବା ରୋଗୀର ନାଡ଼ି ମିଳୁନାହିଁ । ଡାକ୍ତର ପରିଜା ବ୍ୟତିବ୍ୟସ୍ତ । ରକ୍ତସ୍ରାବ ମଧ୍ୟ ବନ୍ଦ ହେଉନି । ଡାକ୍ତର ପରିଜା ବ୍ୟସ୍ତ ହୋଇ ତୁମକୁ ଖୋଜୁଛନ୍ତି ଚନ୍ଦ୍ରାଅପା ! ଶୀଘ୍ର ଯାଅ....

ଆହୁରି ଦୃତ ଗତିରେ ଧାଇଁବାକୁ ଲାଗିଲା ଚନ୍ଦ୍ରାବତୀ....

କର୍ତ୍ତବ୍ୟର ଡାକରା...

ଡାକ୍ତର ପରିଜାଙ୍କ ଡାକରା....

ଚନ୍ଦ୍ରାବତୀ ସ୍ଥିର ରହିବ କେମିତି... ?

 

୪୪ ନମ୍ବର ସିଟ୍‌...

 

ପଲ୍‌ସ ଖୋଜୁଛନ୍ତି ଡାକ୍ତର ପରିଜା...

 

ମୁହଁରେ ଅକ୍‌ସିଜେନ୍‌ ଦେଇଛନ୍ତି ଡାକ୍ତର ମିଶ୍ର...

 

ଇଞ୍ଜେକ୍‌ସନ୍‌ ଦେଉଛନ୍ତି ହାଉସ୍‌ ସର୍ଜନ ପ୍ରଧାନ । ରକ୍ତସ୍ରାବ ଅଞ୍ଚଳରେ ବ୍ୟାଣ୍ଡେଜ୍‌ ବାନ୍ଧୁଛନ୍ତି ଦୁଇଜଣ ପୁରାତନ ନର୍ସ....ନୀରବ ତହି ଚନ୍ଦ୍ରାବତୀକୁ ଲକ୍ଷ୍ୟ କରି ରକ୍ତସ୍ରାବ ଅଞ୍ଚଳରେ ବ୍ୟାଣ୍ଡେଜ୍‌ କରିବାକୁ ଇସାରା ଦେଲେ ଡାକ୍ତର ପରିଜା....

 

ତାଙ୍କ ଆଖିରେ ସତେ ଯେମିତି ଜଳୁଥିଲା ନିଆଁ । ପୋଖତ ପୁରାତନ ନର୍ସଙ୍କ ବ୍ୟାଣ୍ଡେଜରେ ସନ୍ତୁଷ୍ଟ ହୋଇପାରୁ ନ ଥିଲେ ସେ... । ନିଜେ କିନ୍ତୁ ବ୍ୟାଣ୍ଡେଜ କରିପାରୁ ନାହାଁନ୍ତି ହାତରୁ ଖସିଯିବ ପଲ୍‌ସ....

 

ସ୍ଥାଣୁ ଭଳି ଠିଆ ହୋଇ ରହିଛି ଚନ୍ଦ୍ରାବତୀ...

 

ବିରକ୍ତ ହେବା ଭଳି ରକ୍ତସ୍ରାବ ଆଡ଼େ ଅଙ୍ଗୁଳି ନିର୍ଦ୍ଦେଶ କଲେ ଡାକ୍ତର ପରିଜା...

 

କିନ୍ତୁ ଏ କ’ଣ ? ରୋଗୀକୁ ଦେଖି କ‘ଣ ଚନ୍ଦ୍ରାବତୀ ଜ୍ଞାନ ହରାଇଲା.. ? ପଥର ଭଳି କେବଳ ଠିଆ ହୋଇଛି ଚନ୍ଦ୍ରାବତୀ । ଦୁଇ ଆଖି କୋଣରୁ ବହିଯାଉଛି ଦୁଇ ଧାର ଉଷ୍ଣ ଲୋତକ । ଜଡ଼ ବସ୍ତୁର କୌଣସି ଅନୁଭୂତି ନ ଥିବା ପରି ଅନୁଭୂତି ହରାଇଛି ସେ...

 

ଗୋଟାଏ ହାତରେ ଚନ୍ଦ୍ରାବତୀକୁ ପ୍ରବଳ ଗତିରେ ଠେଲିଦେଲେ ଡାକ୍ତର ପରିଜା....

 

ନିଜକୁ ରୋକିନେଇ କାନ୍ଥକୁ ଆଉଜି ପଡ଼ିଲା ଚନ୍ଦ୍ରାବତୀ । ସତେ ଯେମିତି ତା’ ଦେହର ସମସ୍ତ ବଳ କେଉଁଆଡ଼େ ଉଭେଇ ଯାଇଥିଲା ।

 

ଆଶ୍ଚର୍ଯ୍ୟ ହେଉଛନ୍ତି ଡାକ୍ତର ପରିଜା... । ଏ କ’ଣ ? ଚନ୍ଦ୍ରାବତୀର ଆଜି ଏ କି ଅବସ୍ଥା ? କାହିଁ...କେବେ ତ’ ଚନ୍ଦ୍ରାବତୀର ଦୁର୍ବଳତା ଦେଖି ନ ଥିଲେ ସେ । ନିଷ୍ଠୁର ହୋଇ ମଣିଷର ମାଂସ କାଟି ସେବା କରେ ଚନ୍ଦ୍ରାବତୀ । କିନ୍ତୁ...ଆଜି... । ନାଁ.....ଡାକ୍ତର ପରିଜାଙ୍କର ସମସ୍ତ କଳ୍ପନା ଗୋଳମାଳ ହୋଇଯାଉଛି । ଆଶା ହରାଇ କେବଳ ରାଗରେ...ଉତ୍ତେଜନାରେ କମ୍ପୁଛନ୍ତି ସେ... । ତାଙ୍କ ପ୍ରାଣ ଭିତରେ ଡହଳ ବିକଳ ହେଉଛି ସେବକର ପ୍ରାଣ...

 

ଆଉ ଅପେକ୍ଷା କରିପାରୁ ନାହାଁନ୍ତି ଡାକ୍ତର ପରିଜା...ସମସ୍ତ ନିଷ୍ଠୁରତାକୁ ଦୂରକୁ ଠେଲି ତାଙ୍କ ଆଖିରୁ ମଧ୍ୟ ଝରି ପଡ଼ିଲା ବିନ୍ଦୁଏ ଲୁହ ।

 

ଏ ଲୁହ ଅପାରଗତତାର ଲୁହ ନୁହେଁ...ଏ ଲୁହ ଥିଲା....ଚନ୍ଦ୍ରାବତୀର ଅବସ୍ଥା ଦେଖି ସମବେଦନାର ।

 

ଆଉ ଠିଆ ହୋଇ ପାରୁନି ଚନ୍ଦ୍ରାବତୀ । ସତେ ଯେମିତି ସମ୍ବଲପୁର ଡାକ୍ତରଖାନାର ଚଟାଣ ଲୀନ ହୋଇଯାଉଛି ଅନନ୍ତ ସାଗରର ଅତଳ ଗର୍ଭରେ । ଅତୀତକୁ ଆଉ ଫେରି ଚାହିଁ ପାରୁନି ଚନ୍ଦ୍ରାବତୀ । ସବୁ କେବଳ ଅସ୍ପଷ୍ଟ ଇନ୍ଦ୍ରଜାଲ ଭଳି ଭଉଁରୀ ଖେଳୁଛି ତା’ର ଚତୁର୍ଦିଗରେ । ଭୂମିକମ୍ପ ହେଲେ ଯେମିତି ମଣିଷ ନିଜକୁ ସ୍ଥିର ରଖି ପାରେନା...ସେମିତି ଅସ୍ଥିରା ହେଉଛି ଚନ୍ଦ୍ରାବତୀ... । ତା ସହିତ ତାଳ ଦେଇ ଦୋହଲୁଛି ସମଗ୍ର ସମ୍ବଲପୁର ଡାକ୍ତରଖାନା...

 

ଏଥର ବିରକ୍ତ ହୋଇ ପଲ୍‌ସ ଛାଡ଼ି ଦେଇ ବିଜୁଳି ବେଗରେ ଚନ୍ଦ୍ରାବତୀ ନିକଟକୁ ଲାଗି ଆସି ଠାଏ କରି ଚାପୁଡ଼ାଏ ଦେଲେ ଡାକ୍ତର ପରିଜା...

 

ଚିହିଁକି ଉଠିଲା ଚନ୍ଦ୍ରାବତୀ....

 

କଳ୍ପନା କରିନେଲା ନିଜର ପରିସ୍ଥିତି କଥା । ଲଜ୍ଜିତ ହେଲା ସେ । ହଠାତ୍‌ ନିଜକୁ ସଞ୍ଜିତ କରିନେଇ...ଅନ୍ୟ ନର୍ସଙ୍କ ହାତରୁ ଛଡ଼ାଇ ନେଲା ବ୍ୟାଣ୍ଡେଜ୍‌ କନାଗୁଡ଼ିକ । ତା’ପରେ....

 

ତା’ପରେ ସମସ୍ତ ଅଭିଜ୍ଞତାର କୌଶଳ ଖଟାଇ ବ୍ୟାଣ୍ଡେଜ୍‌ କରିବାକୁ ଲାଗିଲା ଚନ୍ଦ୍ରାବତୀ । ସତୃଷ୍ଣ ନୟନରେ ଚାହିଁ ରହିଲେ ଡାକ୍ତର ପରିଜା...

 

କନା ପରେ କନା ଗୁଡ଼ାଇ ଚାଲିଛି ଚନ୍ଦ୍ରାବତୀ । ଅଲକ୍ଷ୍ୟରେ ଆଖି କୋଣରୁ ଆସିପଡ଼ିଛି ବିନ୍ଦୁ ବିନ୍ଦୁ ଲୋତକ । ସେ ଲୋତକକୁ ଅବଶ୍ୟ ଦେଖିପାରୁ ନାହାନ୍ତି ଡାକ୍ତର ପରିଜା....

 

ବ୍ୟାଣ୍ଡେଜ୍‌ ସରିଗଲା....

 

କିନ୍ତୁ ତଥାପି ମନେ କରୁଛି ଚନ୍ଦ୍ରାବତୀ । ଏ ଦେହର ବିନ୍ଦୁଏ ରକ୍ତ ମଧ୍ୟ ତା’ର ଦରକାରୀ-। କଣିକାଏ ରକ୍ତ ନଷ୍ଟ ହେବାକୁ ଦେବନି ଚନ୍ଦ୍ରାବତୀ । ନର୍ସିଂ ବିଦ୍ୟାର ସମସ୍ତ କୌଶଳ ଖଟାଇ ଏ ରକ୍ତକୁ ରକ୍ଷା କରିବ... । ଆଉ ଖଣ୍ଡେ ନୂଆ କନା ନେଇ ନୂତନ ଭାବରେ ବାନ୍ଧିବାକୁ ଚେଷ୍ଟା କଲା ଚନ୍ଦ୍ରାବତୀ...

 

ଲକ୍ଷ୍ୟ କରୁଥିଲେ ଡାକ୍ତର ପରିଜା....

 

ବ୍ୟାଣ୍ଡେଜ୍‌ ବନ୍ଧାର ଅପୂର୍ବ କୌଶଳ ଦେଖି ଆଶ୍ଚର୍ଯ୍ୟ ହେଲେ ସେ ।

 

ଚନ୍ଦ୍ରାବତୀର କିନ୍ତୁ କେଉଁ ଆଡ଼କୁ ଲକ୍ଷ୍ୟ ନ ଥିଲା....

 

ସେ ଦେଖୁଥିଲା ତା’ର ପ୍ରାଣପ୍ରିୟ ରୋଗୀକୁ...

 

ଆଉ ତା’ ସହିତ ନିଜକୁ ।

 

ଏଇ ତା’ର ନର୍ସ ଜୀବନର ଚରମ ପରୀକ୍ଷାର ଦିନ । ଆଜି ଯଦି ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୁଏ....ତେବେ ହୁଏତ ସମଗ୍ର ଜୀବନ ପାଇଁ ମାନି ନେବି ଚନ୍ଦ୍ରାବତୀ । ବ୍ୟଣ୍ଡେଜ ସରିବା ପରେ ଡାକ୍ତର ପରିଜା ମୁହଁକୁ ବଲବଲ କରି ଚାହିଁ ରହିଲା ଚନ୍ଦ୍ରାବତୀ । ଏ ନୂତନ କାମର ବରାଦ ପାଇଁ ଆବେଦନ ନ ଥିଲା...ନିଶ୍ଚୟ...କରୁଣ...ବ୍ୟର୍ଥତାର ରାଗିଣୀ... ।

 

ଆହାରୁ କିନ୍ତୁ ବୁଝି ପାରୁ ନ ଥିଲେ ଡାକ୍ତର ପରିଜା.... ।

 

କରୁଥିଲେ ଚନ୍ଦ୍ରାବତୀର ଏ ଅଜବ ପ୍ରକୃତି । ମଣିଷ ମାତ୍ରକେ ଦୁର୍ବଳତା ରହିଛି । ଭୟାଳୁତ ଚନ୍ଦ୍ରାବତୀ ରକ୍ତସ୍ରାବ ଦେଖି କୋମଳ ନାରୀପ୍ରାଣ ନୁହେଁ । କିନ୍ତୁ....

 

ଏଇ ତ ମଣିଷ !! କମଲ ଡାକ୍ତର ପରିଜା....

 

ଏଇ କ’ଣ ଚନ୍ଦ୍ରାବତୀ......ଯିଏ ମଣିଷର ବକ୍ଷଟାକୁ କାଟି ଗୋଟିଏ କ୍ଷତକୁ ଆବିଷ୍କାର କରିବା ପାଇଁ ଛୁରୀ ପରେ ଛୁରୀ ଯୋଗାଇ ଦିଏ ? ଏଇ କ’ଣ ଚନ୍ଦ୍ରାବତୀ......ଯିଏ ଅନାୟାସରେ ହସି ହସି ମଣିଷର ରକ୍ତକୁ ନିଜ ଦେହରୁ ପୋଛି ସଫା କରିଦିଏ ?

 

ନାଁ......ନାଁ......ଚନ୍ଦ୍ରାବତୀ ବଦଳିଛି । ଚନ୍ଦ୍ରାବତୀ ଦୁର୍ବଳ ହୋଇଛି । ମାନସିକ ଅଧୋପତନ ହୋଇଛି । ଆଉ ଚନ୍ଦ୍ରାବତୀ ସେବିକା ହୋଇ ପାରିବନି......

 

ହଠାତ୍ ପଲ୍‌ସ ପାଇଗଲେ ଡାକ୍ତର ପରିଜା......

 

ସତେଜ ହୋଇ ଆସିଲା ରୋଗୀର ଶିରା ପ୍ରଶିରା......

 

ସଂକୁଚିତ ହୋଇଗଲା ରୋଗୀର ମାଂସପେଶୀ । ଆନନ୍ଦରେ ନାଚି ଉଠୁଥିଲା ଡାକ୍ତର ପରିଜାଙ୍କର ମନ......

 

ଅକ୍‌ସିଜେନ ବନ୍ଦ କରବାକୁ ନିର୍ଦ୍ଦେଶ ଦେଲେ ସେ......

 

ହଠାତ୍‌ ବଢ଼ିବାକୁ ଲାଗିଛି ରୋଗୀ ଦେହର ଉତ୍ତାପ......

 

ଆଶ୍ୱସ୍ତ ହୋଇ ଗୋଟିଏ ଚୌକିଟାଣି ବସିଲେ ଡାକ୍ତର ଅକ୍ଳାନ୍ତ ପରିଶ୍ରମ ସଫଳ ହେବାକୁ ଯାଉଛି......ଏହାଠାରୁ ଆଉ ଶାନ୍ତି କ’ଣ ଥାଇପାରେ ?

 

ସାମାନ୍ୟ କେତେ ସମୟର ପାର୍ଥକ୍ୟ......

 

ହଠାତ୍‌ ପୁଣି ପାଟି କରି ଉଠିଲେ ଡାକ୍ତର ମିଶ୍ର......

 

‘‘ଆଉ ହେବନି ପରିଜା ବାବୁ ! ରୋଗୀର ପଲ୍‌ସ ହୋଇଯାଉଛି । ଇଞ୍ଜେକ୍‌ସନ ଦେବାକୁ ଧମନୀ ମିଳୁ ମିଶ୍ରଙ୍କ କପାଳରେ ନିରାଶାର ରେଖାଗୁଡ଼ିକ ଉଠୁଥିଲା ।

 

ଆଘାତ ପାଇଲା ପରି ଚେୟାର ପରିଜା......ସେତେବେଳକୁ ଚନ୍ଦ୍ରାବତୀ ରୋଗୀର ପଲ୍‌ସ......

 

ଦୀର୍ଘ ନିଃଶ୍ୱାସ ଟାଣି ଡାକ୍ତର ପରିଜା କହିଲେ–‘‘ଆଉ ହେବନି ମିଶ୍ରବାବୁ ! ପ୍ରଥମେ ଯେମିତି ହେଲେ ମେରୁଦଣ୍ତର କ୍ଷତିକୁ ଷ୍ଟିଚ୍‌କରିବାକୁ ହେବ । ନ ହେଲେ ରକ୍ତସ୍ରାବ ବନ୍ଦ ହେବା ମୋଟେ ସମ୍ଭବ ନୁହେଁ ।’’

 

କିନ୍ତୁ କାନ୍ଧ ଉପରୁ ମେରୁଦଣ୍ତର ଖଣ୍ତେ ହାଡ଼ ଯେ ନଷ୍ଟ ହୋଇ ଯାଇଛି ଡକ୍‌ଟର ପରିଜା–ମିଶ୍ରଙ୍କର ପ୍ରଶ୍ନାୟିତ ଅଭିବ୍ୟକ୍ତି ।

 

କପାଳ କୁଞ୍ଚିତ କରି କିଛି ସମୟ ନୀରବରେ ଠିଆ ହୋଇଗଲେ ପରିଜା । ତା’ପରେ ଅଙ୍ଗୁଳି ନିର୍ଦେଶ କରି କହିଲେ......ଛାତିର ତଳ ବ୍‌ରୁ ଖଣ୍ତେ ହାଡ଼ ଆଣି ମେରୁଦଣ୍ତରେ ଖଞ୍ଜିବାକୁ ପଡ଼ିବ ଡାକ୍ତର । ତା’ ଛଡ଼ା ଜଂଘରୁ ଖଣ୍ତେ ଚମଡ଼ା କାଟି ପକାଇବାକୁ ହେବ ହି କ୍ଷତ ସ୍ଥାନରେ ।’’

 

ଆଶାନ୍ୱିତ ହୋଇ ଡାକ୍ତର ପରିଜାଙ୍କୁ ଚାହିଁ କହିଲେ ମିଶ୍ରବାବୁ । ଅପେକ୍ଷା କରିବାର ସମୟ ନାହିଁ ।

 

ଅପେକ୍ଷା କରିବାର ସମୟ ନାହିଁ । ଅପରେସନ୍‌ଥେଟରରେ ଟିଏ ମୁହୂର୍ତ୍ତ ମଧ୍ୟ ଗୋଟିଏ ଯୁଗ ଭଳି । ପ୍ରତ୍ୟେକ ମୁହୂର୍ତ୍ତର ନିଯୋଗ ନ ହେଲେ ରୋଗୀ ଫାଙ୍କିଦେଇ ଚାଲିଯାଇ ପାରେ ।

 

କାଳବିଳମ୍ୱ ନ କରେ ଅପରେସନ୍‌ଥେଟର ଆଡ଼େ ଆଗେଇ ଡାକ୍ତର ପରିଜା । ପଛେ ପଛେ ବେହେରା ଦଳେ ରୋଗୀକୁ ପକାଇ ନେଇଗଲେ ଅପରେସନ୍‌ରୁମ୍‌କୁ । ସଙ୍ଗରେ ଥିଲେ ହାଉସ୍‌ସର୍ଜନ ପ୍ରଧାନ, ନର୍ସ ଚନ୍ଦ୍ରାବତୀ ଓ ଅନ୍ୟାମାନେ ।

 

ଆହା ନିଦ୍ରାବରେ ଶୋଇଥିବା ଭଳି ଶୋଇଛନ୍ତି ରୋଗୀ....

 

ଥରେ ହେ ନିସ୍ପନ୍ଦ ଅପରେସନ୍‌ରୁମ୍‌......

 

କପଡ଼ାଟି ଏସିଆ ପ୍ରସ୍ତୁତ......

 

ତମ୍‌ହୋଇ ଅପେକ୍ଷା କରିଛନ୍ତି ସମସ୍ତେ......

 

ପଛରୁ ପିନ୍ଧି ଆଗେଇ ଆସିଲେ ପରିଜା... । ଏଇ ତ ମଣିଷ ! ! ତମଲ ହୋଇ ଉଠୁଛି... । ଗୋଟିଏ ପରେ ହେଉଛି ଚନ୍ଦ୍ରାବତୀ....

 

ରୋଗୀର ସୁଠାମ, ଗୌର ମାଂସପେଶୀରେ ଛୁରୀ ଚଳାଇ ବିଦୀର୍ଣ୍ଣ କଲେ ଡାକ୍ତର ପରିଜା । ପିଚିକି ଉଠିଲା ଋକ୍ତ । ସେହି ସ୍ରୋତଗାମୀ ରକ୍ତ ଭିତରୁ ଗୋଟିଏ ପଞ୍ଜରା ହାଡ଼କୁ କାଟିବାକୁ ଚେଷ୍ଟା କରୁଥିଲେ ସେ ।

 

ଆଉ ଧୈର୍ଯ୍ୟ ଧରି ଚାହିଁପାରୁନି ଚନ୍ଦ୍ରାବତୀ । ସତେ ଅବା ଛାତି ଭିତରୁ ସମସ୍ତ.... ଶକ୍ତି....କାଢି ନେଉଛି କିଏ । ବେଳକୁ ବେଳ ହୃଦୟ ପ୍ରବଳ ରାତିରେ ଥରିବାକୁ ଲାଗୁଛି । ନିଜକୁ ସମ୍ଭାଳି ନ ପାରି ସତେ ଅବା ଟଳି ପଡ଼ିବ ସେ । ପ୍ରଖର ସୂର୍ଯ୍ୟତାପରେ ଯେମିତି କୋମଳ କୁମୁଦିନୀ ଦଳିତ ବିଦଳିତ ଶିରିଷ କୁସୁମ ପରି ଝାଉଁଳି ପଡ଼େ......ସେମିତି ଛାଉଁଳି ପଡ଼ୁଥିଲା ଚନ୍ଦ୍ରାବତୀ ।

 

ନିଷ୍ଠୁର ହୁଏ ମଣିଷ.... । କିନ୍ତୁ ଇଚ୍ଛା କରି ନିଷ୍ଠୁର ହୋ ପାରେନି ତା’ର ଆତ୍ମୀୟ ସ୍ୱଜନ ପ୍ରତି....

 

ତେବେ କାହିଁକି....କାହିଁକି....ବାର ବାର ହାର ମାନୁଛି କର୍ତ୍ତବ୍ୟପରାୟଣ ସେବାରତା ନର୍ସ....

 

ରୋଗୀର ମଙ୍ଗଳ କରିବାକୁ ଯାଇ ନର୍ସ ଭାବରେ ଠିଆ କିନ୍ତୁ ନର୍ସ ହୋଇପାରୁନି ଚନ୍ଦ୍ରାବତୀ.... ।

 

ରୋଗୀ ନିକଟରେ କେବଳ ସେ ହେଉଛି ଭାବମୟୀ ମହିଳା...

 

ଅନ୍ୟ ଗୋଟିଏ ଯନ୍ତ୍ରପାଇଁ ନିର୍ଦେଶ ଦେଲେ ପରିଜା......

 

କିନ୍ତୁ ପରିଜାଙ୍କ ଇଙ୍ଗୀତ ଦିଶୁ ନ ଥିଲା ଚନ୍ଦ୍ରାବତୀକୁ । ହୋଇ ଯାଉଥିଲା ବେଳକୁ ବେଳ-। ସତେ ଯେମିତି ତା’ର ସମୟ ଲୋପ ପାଇ ଯାଉଥିଲା କେଉଁ ଏକ ପ୍ରଳୟ ଆତଙ୍କରେ ।

 

ଥରି ଉଠିଲେ ଡାକ୍ତର ପରିଜା......

 

ଅପରେସନ୍‌ଥେଟର ଭିତରେ ରୋଗୀର ଜୀବନ ଖେଳ ଚାଲିଛି......ସମୟ ହାତରେ ନିହାତି କମ୍ । କର୍ତ୍ତବ୍ୟ ଭୁଲିଯାଉଛି....ଚନ୍ଦ୍ରାବତୀ । ଡାକ୍ତର ବ୍ୟାଣ୍ତେଜ୍‌ ହେଉଛି ଚରମ ପରୀକ୍ଷାର ସମୟ । ଏ ସଲେ ଡାକ୍ତର ସହିତ ହାତର ଗତି ବଢ଼ିଗଲେ । ବିଚକ୍ଷଣତାର ସୀମା ଟପେ । କିନ୍ତୁ ଏ

 

ହଠାତ୍‌ ଯନ୍ତ୍ରଗୁଡ଼ାକ ଚନ୍ଦ୍ରାବତୀ ହାତରୁ ଛଡ଼ାଇ ନେଇ ପ୍ରବଳ ବେଗରେ ଗୋଟାଏ ଧକ୍‌କା ଦେଲେ ପରିଜା । ଅଚାନକ ଅହେତୁକୀ ଧକ୍‌କାକୁ ସହି ନ ପାରି କଚାଡ଼ି ହୋଇ ପଡ଼ିଲା ଚନ୍ଦ୍ରାବତୀ । ଡାକ୍ତର ମିଶ୍ରଙ୍କ ନିର୍ଦ୍ଦେଶରେ ଦୁଇ ଜଣ ବେହେରା ତାକୁ ଟାଣିନେଲେ ବାହାରକୁ...... ।

 

ଲଜ୍ଜା....ଅପମାନ....ଆତ୍ମଶୋଚନାରେ ଭାଙ୍ଗି ପଡ଼ିଲା ଚନ୍ଦ୍ରାବତୀ... । ଏଇ ତା’ର ନର୍ସ ଜୀବନର ଚରମ ବିଫଳ ସମୟ.... । ତେବେ କ’ଣ ରୋଗୀକୁ ଆଉ ଦେଖି ପାରିବନି ସେ.... ? ସମସ୍ତ ସମ୍ପର୍କକୁ ଫାଙ୍କିଦେଇ ଚାଲିଯିବ ରୋଗୀ ? କି ଯୁକ୍ତି......କି ସାହସ ନେଇ ଆଉ ସେ ଯିବ ଭିତରକୁ ? ଶେଷ ମୁହୂର୍ତ୍ତରେ କ’ଣ ବିଦାୟ ନେଇ ଆଉ ସେ ଯିବ ଭିତରକୁ ? ଶେଷ ମୁହୂର୍ତ୍ତରେ କ’ଣ ବିଦାୟ ନେଇ ପାଦତଳେ ଲୋଟିପଡ଼ି ପାରିବନି ସେ... ?

 

ନାଁ......

 

ରାଗରେ ଆଶ୍ଚର୍ଯ୍ୟରେ ହୁଏତ ନିଆଁଭଳି ଜଳୁଛି ଡାକ୍ତର ପରିଜାଙ୍କର ସେବକ ପ୍ରାଣ । ସେ ପ୍ରତିଶୋଧ ନେବେ ଚନ୍ଦ୍ରାବତୀ ଉପରେ । ସସ୍‌ପେଣ୍ତ କରିବେ ଚାକିରୀରୁ....ତା’ ପରେ....

 

ତା’ପରେ, ଆଉ ଚିନ୍ତା କରି ପାରୁନି ଚନ୍ଦ୍ରାବତୀ...

 

ଅପରେସନ୍‌ ରୁମ୍‌ର ଦୁଆର କାନ୍ଥକୁ ଆଉଜି ନିଥର ପାଷାଣ ଖମ୍ୱଭଳି ଠିଆ ହୋଇଛି ଚନ୍ଦ୍ରାବତୀ... ।

 

କାମ ସାରି ଦୀର୍ଘ ନିଃଶ୍ୱାସ ମାରିଲେ ଡାକ୍ତର ପରିଜା....ରୋଗୀକୁ ପୁଣି ସିଟ୍‌କୁ ନେଇଯିବା ଲାଗି ନିର୍ଦେଶ ଦେଲେ ସେ.... ।

 

ଦ୍ୱାରବନ୍ଧ ଦେଇ ରୋଗୀର ଷ୍ଟ୍ରେଚର ଆଗେଇ ଚାଲିଲା.....ଆହା....ଏତେବେଳେ ଚନ୍ଦ୍ରାବତୀର ପ୍ରାଣରେ କି ଆତୁରତା...., ଥରେ ହେଲେ ଦେଖିବାର ସୁବିଧା ପାଆନ୍ତା କି ସେ ? ଧୋବଲା କପଡ଼ାଟିଏ ଯେ ଘୋଡ଼ାଯାଇଛି ସମଗ୍ର ଶରୀରରେ....କିଛି ନ କହି ତମ୍‌ତମ୍‌ ହୋଇ ଚାଲି ଯାଉଛନ୍ତି ପରିଜା.... ।

 

ପଛରୁ ଡାକିବାର ଆଉ ସାହସ ନାହିଁ ଚନ୍ଦ୍ରାବତୀର...... ଏଇ ତ ମଣିଷ !!

 

ଯେଉଁ ମଣିଷ ରବର କନ୍ଦୁକ ପରି ନାଚି ନାଚି ନିଜ ଅଧିକାର ମାଗେ....ସେହି ପୁଣି ମୂକ, ବଧୀର ପାଷାଣ ହୋଇ ପଡ଼ିରହେ ପରିସ୍ଥିତିର ଚାପାରେ । ହଠାତ୍‌ ଆଉ ଗୋଟିଏ ରୋଗୀପାଇଁ ଡାକରା ଆସିଲା । ବାଟ ଭାଙ୍ଗି ଚାଲିଗଲେ ଡାକ୍ତର ପରିଜା । ପଦୁଟିଏ କଥା କହିଲେ ନାହିଁ । ଟିକିଏ ହସିଲେ ନାହିଁ... । ତାରିଫ୍‌ କରି କଥା କହିଲେ ନାହିଁ....ଅବା ପଦୁଟିଏ ମଧ୍ୟ ଗାଳିଦେଲେ ନାହିଁ ଚନ୍ଦ୍ରାବତୀକୁ ।

 

ମର୍ମନ୍ତୁଦ ଯନ୍ତ୍ରଣାରେ କେବଳ ଭାଙ୍ଗି ପଡ଼ିଛି ଚନ୍ଦ୍ରାବତୀ....

 

ସଂଖ୍ୟାଧିକ ରୋଗୀଙ୍କ ସେବାରେ ବ୍ୟସ୍ତ ସମସ୍ତେ । କାହାରିକୁ ସମୟ ନାହିଁ । ଅପେକ୍ଷା କରିବାର ବେଳ ନାହିଁ । କେବଳ କାର୍ଯ୍ୟହୀନା ଭାବରେ ଏକାହୋଇ ଠିଆ ହୋଇଛି ଚନ୍ଦ୍ରାବତୀ ।

 

ଧୀରେ ଧୀରେ ଡାକ୍ତରଖାନାରେ ଲୋକସଂଖ୍ୟା ବଢ଼ିବାରେ ଲାଗୁଛି । ଧାଇଁ ଛନ୍ତି ବିଭିନ୍ନ ରୋଗୀଙ୍କର ଆତ୍ମୀୟସ୍ୱଜନମାନେ । ଆହା କହିବାକୁ ସାହା ହୋଇ କିଏ ହୁଏତ କାହାକୁ ଶୁଣାଉଛି ନିର୍ଭୟବାଣୀ । କେବଳ ବିନ୍ଧୁହୀନ....ଆତ୍ମୀୟହୀନ ଭାବରେ ପଡ଼ିଛି ସେହି ରୋଗୀଟି....ଯାହାପାଇଁ ନର୍ସ ଚନ୍ଦ୍ରାବତୀର ଏତେ ମମତା....ଏତେ ସ୍ନେହ....ଏତେ ମୋହ.... ।

 

କିନ୍ତୁ......

 

କିନ୍ତୁ ଏ ମମତାକୁ ଏକ ବିରାଟ ନିଷ୍ଠୁରତା ବୋଲି ଭାବୁଥିଲେ ଡାକ୍ତର ପରିଜା । ଏ ନିଷ୍ଠୁରତାର ପ୍ରତିଶୋଧ ନେବାପାଇଁ ଚାହୁଥିଲେ ସେ । ସମୟ ଗଡ଼ିବାରେ ଲାଗିଛି...... ।

 

ଶ୍ରାନ୍ତ....କ୍ଳାନ୍ତ ହୋଇ କାମ ସାରି ଠିଆହେଲେ ପରିଜା...

 

ଏଥର ସାମାନ୍ୟ ବିଶ୍ରାମ ନେବାକୁ ହେବ....

 

ଚନ୍ଦ୍ରାବତୀ ଉପରେ ପ୍ରତିଶୋଧ ନେବାକୁ ହେବ, ତଳକୁ ମୁହଁ କରି ପାଦ ପରେ ପାଦ ପକାଇ ଆଗକୁ ଚାଲିଛନ୍ତି ଡାକ୍ତର ପରିଜା.... । ମନରେ କେଉଁ ଆଦିମ ଯୁଗର ଅନ୍ଧକାର । ସତେ କ’ଣ ଏତେଗୁଡ଼ାଏ ରୋଗୀ ଏକାଥରକେ ଭଲ ହୋଇ ପାରିବେ ? ଡାକ୍ତରଖାନାରେ ସିଟ୍‌ର ଅଭାବ ପଡ଼ିଛି....ଔଷଧର ଅଭାବ ପଡ଼ିଛି...ଏପରିକି ବ୍ୟାଣ୍ତେଜ କନାର ମଧ୍ୟ ଅଭାବ ପଡ଼ିଛି । ତଥାପି ରୋଗୀବାନଙ୍କୁ ବଞ୍ଚାବାକୁ ଚେଷ୍ଟା କରିବାକୁ ହେବ....

 

ଗୋଟିଏ ପରେ ଗୋଟିଏ ରୁମ୍‌ ପଛରେ ରହିଯାଉଛି । ଚାଲିଛନ୍ତି ଡାକ୍ତର ପରିଜା । ଶେଷରେ ଅପରେସନ୍‌ ରୁମ୍‌....

 

ଚାହିଁ ଦେଇ ଏକରକମ୍‌ ଆବାଜ୍‌ ହୋଇଯାଇଥିଲେ ଡାକ୍ତର ପରିଜା । ପ୍ରାୟ ଦୀର୍ଘ ଦୁଇ ତିନି ଘଣ୍ଟା ହେଲା ସେମିତି କାନ୍ଥକୁ ଆଉଜି ଠିଆ ହୋଇ ରହିଛି ନର୍ସ ଚନ୍ଦ୍ରାବତୀ । ଗୌର ଗଣ୍ତ ଭେଦକରି ବହିଯାଉଛି ଧାର ଧାର ଲୋତକ । ନିର୍ବେଦ ମଣିଷ ଭଳି ହୁଏତ ଚନ୍ଦ୍ରାବତୀ ବୁଲୁଛି କେଉଁ ଅନନ୍ତ ରାଜ୍ୟର ସୀମାହୀନ ନୀଳିମା ଭିତରେ ।

 

ମୁହଁ ବୁଲାଇ ଆଗକୁ ଚାଲିବାକୁ ଚେଷ୍ଟାକଲେ ପରିଜା....

 

କିନ୍ତୁ ଏ କ’ଣ, ଟିକେ ହେଲେ ଚାହୁଁନି ଚନ୍ଦ୍ରାବତୀ......ଟିକେ ହେଲେ ସଙ୍କୁଚିତ । ହେଉନି ସେ । କେବଳ ଅପଲକ ଦୃଷ୍ଟିରେ ଚାହିଁଛି କେଉଁ ଏକ ଅଦୃଶ୍ୟ ବେବତାର ପଥକୁ ।

 

ଗୋଡ଼ ଅଟକିଲା ଡାକ୍ତର ପରିଜାଙ୍କର ।

 

ଫେରିଆସି ଚନ୍ଦ୍ରାବତୀକୁ ଚାହିଁ ଠିଆ ହେଲେ ସେ......

 

ତଥାପି ଚନ୍ଦ୍ରାବତୀର ଲ୍ୟକ୍ଷ ନାହିଁ......ଚେତନା ମଧ୍ୟ ନାହିଁ......

 

ତେବେ କ’ଣ ଜ୍ଞାନ ହରାଇଛି ସେ.... ?

 

ରୁଦ୍ର ବେଗରେ କମ୍ପି ଉଠିଲେ ଡାକ୍ତର ପରିଜା......‘‘ଚନ୍ଦ୍ରାବତୀ !’’ ଥରି ଉଠିଲା ସମ୍ୱଲପୁର ଡାକ୍ତରଖାନାର ବିଶାଳ ଅଟ୍ଟାଳିକା......

 

ତଥାପି ନୀରବ ଚନ୍ଦ୍ରାବତୀ....

 

ଆଉ ସ୍ଥିର ହୋଇପାରୁନାହାନ୍ତି ଡାକ୍ତର । ସମସ୍ତ କ୍ରୋଧ ସମସ୍ତ ଖେଦୋକ୍ତି ଉଭେଇ ଯାଉଛି କେଉଁଆଡ଼େ । ଅସ୍ଥିର ହୋଇ ଚନ୍ଦ୍ରାବତୀର ହାତଧରି ପ୍ରବଳ ଗତିରେ ହଲାଇ ଦେଲେ ଡାକ୍ତର ପରିଜା....

 

ତଥାପି ସ୍ଥିର...ସ୍ଥାଣୁ ପରି ଠିଆ ହୋଇଥିଲା ଚନ୍ଦ୍ରାବତୀ

 

ଏଥର ଚନ୍ଦ୍ରାବତୀକୁ ନିଜଆଡ଼େ ଟାଣିଆଣିଲେ ଡାକ୍ତର ପରିଜା । ବୟସ୍କ ଉଷ୍ମ ବକ୍ଷରେ ଚନ୍ଦ୍ରାବତୀର ମୁହଁଟିକୁ ମାଡ଼ି ଧରି କହିଲେ—‘‘କ’ଣ ହେଲା ଚନ୍ଦ୍ରାବତୀ....କୁହ...କୁହ....ଚୁପ୍‌ ରହିଲ କାହିଁକି ?’’

 

ଧୀରେ ଧୀରେ ପ୍ରକୃତିସ୍ଥା ହେଉଛି ଚନ୍ଦ୍ରାବତୀ....

 

ଚିନ୍ତାକରୁଛି ସାମାନ୍ୟ କେତେ ଘଣ୍ଟା ତଳର କଥା....

 

ଲଜ୍ଜା....ଅପମାନ...ଭୟରେ ଥରି ଉଠୁଛି ସେ.... ।

 

ଡାକ୍ତର ପରିଜା ଆଶ୍ଳେଷ କରୁଛନ୍ତି....

 

ଆଉ ସହ୍ୟକରି ପାରିଲାନି ଚନ୍ଦ୍ରାବତୀ....

 

ହଠାତ୍‌ ବସିପଡ଼ି ଡାକ୍ତର ପରିଜାଙ୍କର ଗୋଡ଼ଟିଏ ଧରି ପକାଇ କହିଲା—‘‘ମୋତେ କ୍ଷମାକରନ୍ତୁ ସାର ! ମୋତେ କ୍ଷମାକରନ୍ତୁ......’’

 

ଡାକ୍ତର ପରିଜାଙ୍କର ଚକ୍ଷୁ ଯୁଗଳରୁ ମଧ୍ୟ ବହିଯାଉଥିଲା ଧାର ଧାର ହୋଇ ଲୋତକ ବିନ୍ଦୁ......

 

ଏଇ ତ’ ମଣିଷର ଶ୍ରେଷ୍ଠ ଆତ୍ମଶୋଚନା......

 

କଥାରେ ଅଛି....ଯେଉଁ ମଣିଷ ନିଜର ଭୁଲ୍‌ ପାଇଁ ଅନୁତାପ କରେ, ସେ ମଣିଷ ନୁହେଁ, ଦେବତା...... । ଚନ୍ଦ୍ରାବତୀ ତା’ର ଭୁଲ୍‌ପାଇଁ ଅନୁତାପ କରୁଛି......କ୍ଷମା ମାଗୁଛି । ତାକୁ ଦୂରେଇ ହେବ କେମିତି...... ??

 

କିଛି ନ କହି ମୁଣ୍ତ ହଲାଇ ହଲାଇ ଚାଲିଯିବାକୁ ବସିଥିଲେ ଡାକ୍ତର...... । କିନ୍ତୁ ଏଥର ଆଗରୁ ବାଟ ଓଗାଳିଲା ଚନ୍ଦ୍ରାବତୀ । ପୁଣିଥରେ ଅନୁରୋଧ କରି କହିଲା—‘‘ମୋତେ କ’ଣ ଆପଣ କ୍ଷମା କରିଛନ୍ତି ସାର ?’’

 

ବାଧ୍ୟ ହୋଇ ସମ୍ମତି ଭରିଥିଲେ ଡାକ୍ତର ପରିଜା......

 

ଫିଟିପଡ଼ିଲା ଚନ୍ଦ୍ରାବତୀର ସମସ୍ତ ଆବେଦନ....ଅଭିଯୋଗ । ଆଉ ଥରେ ଗୋଡ଼ଧରି ଅନୁରୋଧ କରି କହିଲା–‘‘କେବଳ କ୍ଷମା ଦେଇ ଚାଲିଗଲେ ହେବନି ସାର ! ମୋତେ କାମ ବରାଦକରି ଯିବାକୁ ହେବ ।’’

 

ଅଡ଼ୁଆରେ ପଡ଼ିଲେ ଡାକ୍ତର ପରିଜା । କି କାମ ସେ ବରାଦ ଦେବେ ଚନ୍ଦ୍ରାବତୀକୁ ?

 

କିନ୍ତୁ ଚନ୍ଦ୍ରାବତୀ ଭୁଲିଯିବାର ବାଳିକା ନୁହେଁ । ବାର ବାର ଅନୁରୋଧ କଲା କେବଳ କାମର ବରାଦ ପାଇଁ । ଆଶ୍ୱସ୍ତ ହୋଇ ଡାକ୍ତର ପରିଜା କହିଲେ—‘‘ବେଶ୍‌ ସେହି ଅପରେସନ୍‌ ରୋଗୀର ଦାୟିତ୍ୱ ତୁମ ଉପରେ ରହିଲା....ତୁମେ ତା’ର ସେବା କରିବ....ଭଲ ମନ୍ଦ ବୁଝିବ....ଆରୋଗ୍ୟ କରିବ ।’’

 

ଆନନ୍ଦ ଅତିସହ୍ୟରେ ନାଚି ଉଠିଲା ଚନ୍ଦ୍ରାବତୀ । ଡାକ୍ତର ପରିଜା ତା’ର ମନ କଥା ବୁଝିଛନ୍ତି....ଏଇ ତାର ଚରମ ବିଜୟ.... । ଅଣନିଶ୍ୱାସୀ ହୋଇ ୪୪ ନମ୍ୱର ସିଟ୍‌ ନିକଟକୁ ଦୌଡ଼ି ଚାଲିଗଲା ସେ... । ସନ୍ଦିହାନ ମନ ନେଇ ଚନ୍ଦ୍ରାବତୀର ଗତିପଥକୁ ଚାହିଁ ରହିଥିଲେ ଡାକ୍ତର ପରିଜା....

 

୪୪ ନମ୍ୱର ସିଟ୍‌......

 

ଅନନ୍ତ ନିଦ୍ରାରେ ଶୋଇଛି ସାହାହୀନ, ଭରସାହୀନ ରୋଗୀଟି......

 

ଦିନ ପରେ ରାତି, ରାତି ପରେ ଦିନ କଟିଛି । କିନ୍ତୁ ୪୪ ନମ୍ୱର ସିଟ୍‌ ନିକଟରୁ ଚନ୍ଦ୍ରାବତୀ ଉଠି ଯାଇଥିବାର କେହି ଦେଖି ନାହିଁ । ମନ, ପ୍ରାଣ, ଧ୍ୟାନ ଦେଇ ରୋଗୀର ସେବା କରୁଛି ସେ । ନର୍ସ ହେବା ଦିନଠାରୁ ସେ ଅନେକ ରୋଗୀଙ୍କର ସେବା କରିଛି । ଦିନ ଦିନ ରାତି ରୋଗୀଙ୍କ ଗହଣରେ କଟାଇଛି । ଅନେକ ରୋଗୀଙ୍କର ନାଡ଼ି ଚିପିଛି, ହେଲେ ଆଜିର ରୋଗୀ......ଜଣେ ସ୍ୱତନ୍ତ୍ର ରୋଗୀ......

 

ଏ ରୋଗୀର ନାଡ଼ି ଧରିଲେ ତା’ ନିଜ ନାଡ଼ି ମଧ୍ୟ ଚହଲି ଉଠେ । ଦୃତ ବେଗରେ ଉଠ୍‌ପଡ଼ି ହୁଏ । ଭାଙ୍ଗିପଡ଼େ ସେ । କ୍ଷତ ସ୍ଥାନକୁ ଆଉଁସି ଦେଉଁ ଦେଉଁ ଅନେକ ସମୟରେ ସଂଜ୍ଞା ହରାଏ ସେ । ଅନୁଭବ କରି ପାରେନି ନିଜ ହାତରେ ସ୍ପଶ ଅନୁଭୂତି । ଚନ୍ଦ୍ରାବତୀକୁ ଦେଖି ଛୋଟ ଛୋଟ ଗୁଞ୍ଜନ ରଟେ ଚତୁର୍ଦ୍ଦିଗରେ । ତଥାପି ସବୁକୁ ସହିନେଇ ଚନ୍ଦ୍ରାବତୀ ବସିରହେ ରୋଗୀ ନିକଟରେ ।

 

ଦୀର୍ଘ ତିନିଦିନ ତିନିରାତି ପରେ ଆଜି ମିଟି ମିଟି କରି ଆଖି ଖୋଲିବାକୁ ଚେଷ୍ଟାକରୁଛି ରୋଗୀ......

 

ଅଧୀରା ହୋଇଉଠୁଛି ଚନ୍ଦ୍ରାବତୀ । ଶୀତର ପ୍ରକୋପରେ ଯେମିତି ଏକ ତଡ଼ିତ୍ତର ସ୍ପନ୍ଦନ ଜାଗେ......ସେମିତି ଥରି ଉଠୁଛି ତା’ର ମନ ।

 

ଡାକ୍ତରଖାନାର ଛାତଆଡ଼କୁ ଚାହିଁ ପୁଣି ମୁହଁ ଫେରାଉଛି ରୋଗୀ । ବେଶ୍‌ ବୁଝିନେଉଛି ନିଜର ପରିସ୍ଥିତି କଥା......

 

ଏବେ ରୋଗୀର ଦୃଷ୍ଟି ଅନ୍ତରାଳରେ ଆତ୍ମଗୋପନ କରିବାକୁ ଇଚ୍ଛା କରୁଛି ଚନ୍ଦ୍ରାବତୀ......

 

କିନ୍ତୁ......

 

ନାଁ...... । ନର୍ସ ପୋଷାକର ଅନ୍ତରାଳରୁ ଚନ୍ଦ୍ରାବତୀକୁ ଆବିଷ୍କାର କରିପାରୁନି ରୋଗୀଟି-

 

ରୋଗୀର କପାଳରେ ହାତ ବୁଲାଉ ବୁଲାଉ ଅନେକ ପ୍ରଶ୍ନ ପଚାରିବାକୁ ଇଚ୍ଛା କରୁଛି ଚନ୍ଦ୍ରାବତୀ...... । କିନ୍ତୁ ମୁହଁ ଖୋଲି ପାରୁନି ସେ । ସତେ ଅବା ତା’ ତଣ୍ଟିପାଖରୁ କିଏ ମାଡ଼ିବସି କହୁଛି......ସଂଘାତିକ ରୋଗୀକୁ ଅତୀତର ସ୍ମରଣ କରାଇବାର ଅଧିକାର ତୋର ନାହିଁ । ଅନ୍ତର ଭିତରେ କିନ୍ତୁ ତାର କୁମାରୀ ଜୀବନ କଲବଲ ହୋଇ ଉଠୁଛି । ବିକଳ ନୟନରୁ ଲୁହ ପୋଛି କେବଳ ଅସହାୟ ଭାବେ ସେ ବିଭିନ୍ନ ଦିନର ଟେମ୍ପରେଚର ଲିଷ୍ଟ ଦେଖିବାରେ ଲାଗିଛି ।

 

ରୋଗୀ ଉନ୍ନତି କରୁଛି......

 

ସାମନ୍ତରିକ କ୍ଷେତ୍ରର କର୍ଣ୍ଣ କ୍ଷେତ୍ରକୁ ଠିକ୍ ଦୁଇ ସମଭାଗରେ ବିଭକ୍ତ କରିବା ଭଳି ଚନ୍ଦ୍ରାବତୀର ଆଶା ଓ ନିରାଶା ସମତା ରକ୍ଷାକରି ଗତି କରିବାରେ ଲାଗିଛି । କ୍ରନ୍ଦସୀ ରାତ୍ରିର ଉଷାଗର୍ତ୍ତା ପାହାନ୍ତାର ପ୍ରଲୋଭନ ତାକୁ କରୁଛି ପାଗଳୀ । ସେଇଥିପାଇଁ ସେ ଉନମନା ହୋଇ ନାଚୁଛି କୁଆଁ ତାରାର କାବ୍ୟ ଗାଇ ଗାଇ...... । ପୁଣି ଭୟ କରୁଛି କାଳପୁରୁଷ ନକ୍ଷତ୍ରର ବିଶାଳ ସ୍ୱରୂପ ଦେଖି ଦେଖି......

 

ତା ମନର ଗାଲାକ୍‌ସିରେ ଯେ ଦିନେ ଅନେକ ନକ୍ଷେତ୍ରର ପ୍ରଦୀପ ମିଟି ମିଟି କରି ନ ଥିଲା ତା’ ନୁହେଁ, ହେଲେ ସେ ଦିନ ଯାଇଛି । ପୂର୍ଣ୍ଣମୀ ଚନ୍ଦ୍ରର ଶିଖାବାନ୍‌ ଆଲୋକ ହିଁ ତାକୁ କରିଛି ହୀନପ୍ରଭ, କିନ୍ତୁ......

 

ସେ ପୂର୍ଣ୍ଣମୀ ଚାନ୍ଦକୁ ଯେ ଦିନେ ରାହୁ ଗ୍ରାସ କରିଯିବ—ଏ ଚିନ୍ତା ନ ଥିଲା ଚନ୍ଦ୍ରାବତୀର......

 

ଆଜି ସେହି ରାହୁ ମୁଖରୁ ନିଜକୁ ରକ୍ଷା କରିବାକୁ ଚାହୁଁଛି ସେ...... । ଆଜି ସେ ସମୟର ସମସ୍ତ ଭୟଙ୍କରତାକୁ ଭୁଲିଯିବାକୁ ଚାହେଁ...... ।

 

ସମ୍ପୂର୍ଣ୍ଣ ଜ୍ଞାନ ଫେରିପାଇଛି ରୋଗୀଟି । ମୁଣ୍ତ ବୁଲାଇ ଚାହୁଁଛି ଚାରିଆଡ଼କୁ...... ।

 

ଆଉ ନିଜକୁ ସମ୍ଭାଳି ପାରିଲାନି ଚନ୍ଦ୍ରାବତୀ । ମୁହଁ ଆପେ ଆପେ ଫିଟିପଡ଼ିଲା ତା’ର । ତରବରରେ କହି ପକାଇଲା—‘‘ନାଁ......ନାଁ......ଉଠିବାକୁ ଚେଷ୍ଟା କରନ୍ତୁନି......ବ୍ୟାଣ୍ତେଜ୍‌ ଦୋହଲିଯିବ ।’’

 

ଆଶ୍ଚର୍ଯ୍ୟ ବିସ୍ଫାରିତ ନୟନରେ ନର୍ସର ମୁହଁକୁ ଚାହିଁ ରହିଲା ସେ ରୋଗୀଟି । ଧୋବଲା ଚିରାଚରିତ ପୋଷାକ ପିନ୍ଧି ମୁଣ୍ତ ପାଖରେ ବସିଛି ନର୍ସ...... । କିନ୍ତୁ......

 

ଆଉ ଭାବିପାରୁନି ରୋଗୀଟି...... । ତେବେ ଏତେ ପରିଚିତ କଣ୍ଠସ୍ୱର ନେି କିଏ ହୋଇଛି ନର୍ସ...... ?

 

ନାଁ......ଜୀବନରେ କୌଣସି ନର୍ସ ସହିତ ପରିଚୟ ନାହିଁ ରୋଗୀର...... । ଏଥର କଡ଼ ଲେଉଟାଇବାକୁ ଚେଷ୍ଟାକରୁଛି ରୋଗୀ...... ।

 

ପୁଣି ବାଧା ଦେି ନର୍ସ ଚନ୍ଦ୍ରାବତୀ କହିଲା—‘‘ନାଁ ଆଜ୍ଞା......ହଲଚଲ ନ ହୋଇ ସେମିତି ଶୋଇ ରହନ୍ତୁ ।’’ ଆଉ ହେବନି......ଏତେ ପରିଚିତ କଣ୍ଠ......ଏତେ ଆପଣାର ଦରଦଭରା କଣ୍ଠ, ତେବେ କ’ଣ ଚନ୍ଦ୍ରାବତୀ ଏବେ ନର୍ସ ହୋଇଛି...... ?

 

କି ସାହସ......କି ଯୁକ୍ତି ନେଇ ରୋଗୀ ପଚାରିବ ଏ ପ୍ରଶ୍ନ । ‘‘ନାଁ......ନାଁ......ଚନ୍ଦ୍ରାବତୀ ବା ନର୍ସ ହେବ କେମିତି ?’’

 

ବଳାତ୍କାରରେ ଔଷଧ ଟିକେ ଖୋଇବାକୁ ଚେଷ୍ଟା କରୁଛି ନର୍ସ......ନର୍ସର ହାତକୁ ଚାହିଁ ରହିଛି ରୋଗୀ......

 

ଠିକ୍‌ ସେହି ପରିଚିତ ସୁନାକାଠି ପରି ଶୁଭ୍ର ହାତର ଅଙ୍ଗୁଳି । ବଳିଲା ପରି ମାଦକତା ଭରା ଗୌର ମାଂସ ପେଶୀ । କିଏ ତେବେ ଏ ଶ୍ୱେତାଙ୍ଗୀ ବାଳିକା ? ତେବେ କ’ଣ ସତରେ ଚନ୍ଦ୍ରାବତୀ ନର୍ସ ଭାବରେ ଯୋଗଦେଇଛି ଏ ଡାକ୍ତରଖାନାରେ ?

 

ପୁଣି ଭାବୁଛି ରୋଗୀ...... । ଯଦି ଏ ନର୍ସ ଚନ୍ଦ୍ରାବତୀ ନୁହେଁ...... ତେବେ ଏତେ ଦରଦୀ ହୋଇ ଦିନ ଦିନ ରାତି ରାତି ବସି ସେବା କରୁଛି କାହିଁକି ?

 

ଯୁକ୍ତି ବଦଳି ପୁଣି ଠିଆ ହେଉଛି ପ୍ରତିଯୁକ୍ତି । ହଁ......ନର୍ସର କାମ ହିଁ ସେବା । ଏ ସେବାରେ ଆଉ ନୂଆ କଥା କ’ଣ ଅଛି ?

 

ଅନୁରୋଧ କରୁଛି ନର୍ସ....

 

‘‘ନିଅନ୍ତୁ....ଟିକେ ବେଦାନା ରସ ଖାଇ ଦିଅନ୍ତୁ ।’’

 

ନାଁ......ନାଁ......ଆଉ ରହିପାରିବନି ରୋଗୀ । ‘‘ସିଷ୍ଟର ? ଗୋଟିଏ କଥା ପଚାରିବି କହିବ ?’’ ରୋଗୀର ଆର୍ଦ୍ରା ଆର୍ତ୍ତ ଅନୁରୋଧ ।

 

ରୋଗୀର ପରିସ୍ଥିତି ବେଶ୍ ବୁଝିପାରୁଛି ନର୍ସ । ବାଧା ଦେଇ କହୁଛି....‘‘ନାଁ......ନାଁ....ପ୍ରଥମେ ଦେହ ଭଲ ହେଉ ତା’ପରେ ଯାହା ପଚାରିବାର କଥା ପଚାରିବେ-।’’ ନର୍ସର ବାଧାରେ ଜିଭ ପାଖରୁ କଥା ନେଉଟୁଛି ରୋଗୀର । ଆହୁରି ସନ୍ଦିହାନ ହୋଇ ଶୋଇ ରହୁଛି ରୋଗୀ....

 

ଡାକ୍ତରଖାନା ଭିତରକୁ ଆସି ବେଳେ ବେଳେ ଆଶ୍ଚର୍ଯ୍ୟ ହେଉଛନ୍ତି ଡାକ୍ତର ପରିଜା । କି ବିଚିତ୍ର କଥା । ଦିନ ଦିନ ରାତି ରାତି ଚନ୍ଦ୍ରାବତୀ କାହିଁକି ବସି ରହିଛି ଏ ରୋଗୀ ନିକଟରେ ? ତେବେ କ’ଣ...... । ନାଁ......ଆଉ ଅଧିକ କିଛି ଭାବିପାରୁ ନାହାଁନ୍ତି ସେ ।

 

ଆହୁରି ବିଚିତ୍ର କଥା ହେଉଛି ଯେ—ପରିଜା ନିଜର ଡାକ୍ତରୀ ବିଦ୍ୟା ଖଟାଇ ଯେଉଁ ଔଷଧ ବରାଦ କରିବାକୁ ନିର୍ଦେଶ ଦେଉଛନ୍ତି......ସେ ଔଷଧର ନାମ ଆଗରୁ ପ୍ରସ୍ତାବ କରୁଛି ଚନ୍ଦ୍ରାବତୀ । ସତରେ ଚନ୍ଦ୍ରାବତୀ ଜଣେ ବିଚକ୍ଷଣା ବୁଦ୍ଧିମତୀ ବାଳିକା ।

 

ସେଇଥିପାଇଁ ନିଜକୁ ନିଜେ ହାରମାନି ଆଉ ରୋଗୀ ନିକଟକୁ ଆସୁ ନାହାଁନ୍ତି ଡାକ୍ତର ପରିଜା । ଚନ୍ଦ୍ରାବତୀର ସେବା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ତାଙ୍କର......

 

ସେଦିନ ଟିକେ ଔଷଧ ଖାଇବାପାଇଁ ବାଧ୍ୟ କରୁଛି ନର୍ସ । କିନ୍ତୁ ଅବାଧ୍ୟ ହେଉଛି ରୋଗୀ-। ଗୋଟିଏ ମାତ୍ର ଅନୁରୋଧ ରୋଗୀର । ‘‘ତୁମ ନାଁଟା କ’ଣ ମୁଁ ଜାଣିପାରେକି ସିଷ୍ଟର-?’’

 

ଚମକି ପଡ଼ିଲା ନର୍ସ ଚନ୍ଦ୍ରାବତୀ......

 

ହୁଏତ ରୋଗୀ ନିକଟରେ ଅସ୍ପଷ୍ଟ ଭାବରେ ଧରାପଡ଼ି ଯାଇଛି ସେ । କଥାଟାକୁ ସହଜ କରି କହୁଛି ଚନ୍ଦ୍ରାବତୀ...... । ‘‘ନର୍ସ ହିଁ ନର୍ସ......ତା’ର ବା ଗୋଟାଏ ନାଁ କ’ଣ ଅଛି ?’’

 

କିନ୍ତୁ ଅବାଧ୍ୟ ପିଲା ଭଳି ଏ ଯୁକ୍ତିକୁ ମାନିନେବାକୁ ପ୍ରସ୍ତୁତ ନୁହେଁ ରୋଗୀ । କେବଳ ବାର ବାର ନାଁ ଜାଣିବାର ସେହି ଜିଦ୍‌ । ହଠାତ୍‌ ନିଜକୁ ରୋକିନେଇ କହି ପକାଇଲା ଚନ୍ଦ୍ରାବତୀ......‘‘ମୋ ନାଁ କଳ୍ପନା ।’’

 

ହତାଶ ହୋଇ ପୁଣି ବିଛଣା ଉପରେ ଟଳିପଡ଼ିଲା ରୋଗୀ......‘‘ତୁମେ ମିଛ କହୁଛ......ତୁମେ ମୋତେ ଭୁଲାଇ ଦେଉଛ......ତୁମ ନାଁ କଳ୍ପନା ହୋଇ ନ ପାରେ......’’

 

ସତେ ଯେମିତି ଚନ୍ଦ୍ରାବତୀର ଛାତିରେ ଛୁରୀ ଚଳି ଯାଉଛି । ଆତ୍ମପ୍ରକାଶ କରିବାକୁ ବ୍ୟଥିତ ହୋଇ ଉଠୁଛି ସେ । ନାଁ......ନାଁ......ଏ ବେଳ ନୁହେଁ । ଆହୁରି ଅପେକ୍ଷା ଦରକାର, ଆହୁରି ସମୟ ଦରକାର । ଜୋର ଦେଇ କହୁଛି ଚନ୍ଦ୍ରାବତୀ—‘‘ଆପଣ ମୋ ନାଁଟାକୁ ଭୁଲ୍‌ ବୋଲି କହୁଛନ୍ତି କାହିଁକି ?’’

 

ନାମଟାକୁ ଅସ୍ତ୍ରୀକାର କରିବାର ଯୁକ୍ତି ନାହିଁ ରୋଗୀର । କେବଳ ରୋଗୀର ଅନ୍ତର କହୁଛି......ନର୍ସର ନାଁ କଦାପି କଳ୍ପନା ହୋଇପାରେନାଁ......ଏ ନାଁରେ ମାଦକତା ନାହିଁ......ଏ ନାଁରେ ବଞ୍ଚିବାର ଉପାଦାନ ନାହିଁ । ଭାବିବାର ଗୁରୁତ୍ୱ ନାହିଁ ।

 

ବ୍ୟଥିତ ହୋଇ ବିଛଣା ଉପରେ କଲବଲ ହେଉଛି ରୋଗୀ......

ଠିକ୍‌ ସେହି ତୁଳନାରେ ଯେ ଚନ୍ଦ୍ରାବତୀ କଲବଲ ହେଉନି ତା’ ନୁହେଁ । ତଥାପି ନିଜକୁ ଗୁପ୍ତ ରଖିବାକୁ ଚେଷ୍ଟା କରୁଛି ସେ ।

ସେଦିନ କୋଠରୀ ଭିତରକୁ ପଶି ଆସୁ ଆସୁ ଡାକ୍ତର ପରିଜା କହିଲେ—‘‘ଚନ୍ଦ୍ରାବତୀ ! ତୁମ ରୋଗୀର ଅବସ୍ଥା କେମିତି ?’’ ଆନନ୍ଦ ଗଦ୍‌ଗଦ୍‌ ହୋଇ ଚନ୍ଦ୍ରାବତୀ କହିଥିଲା—‘‘ଭଲ ଅଛି ସାର୍‌ ! ମାତ୍ର ଆଉ ଦୁଇଦିନ ପରେ ଡିସ୍‌ଚାର୍ଜ କରିଦେଲେ ଚଳିବ ।’’ ‘ଆଚ୍ଛା......ଆଚ୍ଛା’......କହି କହି ଚାଲି ଯାଇଥିଲେ ପରିଜା ।

କିନ୍ତୁ ପରିଜାଙ୍କ ସମ୍ବୋଧନ ଶୁଣି ଚିହିଁକି ଉଠିଥିଲା ରୋଗୀ । ଛାଇ ନିଦ ଭାଙ୍ଗି ଯାଇଥିଲା ତା’ର । ତେବେ କ’ଣ ନର୍ସ ପୋଷାକ ତଳେ ବାସ୍ତବିକ୍‌ ଆତ୍ମଗୋପନ କରିଛି ଚନ୍ଦ୍ରାବତୀ-?

ଅସ୍ଥିର ହୋଇ ଉଠୁଛି ରୋଗୀ......

ଡାକ୍ତର ଚାଲିଯିବା ପରେ ଔଷଧ ପାନେ ଠିକ୍‌ କରୁଥିଲା ଚନ୍ଦ୍ରାବତୀ......

ଗୁରୁଗମ୍ଭୀର ନାଦରେ ଡାକଛାଡ଼ିଲା ରୋଗୀ...... । ‘‘ସିଷ୍ଟର ! ଆଉ ତୁମେ ନିଜକୁ ଲୁଚେଇ ରଖି ପାରିବନି ସିଷ୍ଟର । ଡାକ୍ତର ତୁମକୁ ପଦାରେ ପକାଇଲେ ଗଲେ । ତୁମ କଳ୍ପନା ନୁହେଁ......ତୁମେ ଚନ୍ଦ୍ରାବତୀ...... ।’’

 

ଔଷଧ ଗ୍ଲାସଟି ଖସିପଡ଼ିଲା ଚନ୍ଦ୍ରାବତୀ ହାତରୁ । ସତରେ ଡାକ୍ତର ପରିଜା ତାକୁ ଚନ୍ଦ୍ରାବତୀ ବୋଲି ସମ୍ବୋଧନ କରିଗଲେ । ବଡ଼ ସତର୍କତା ସହକାରେ ଏତକ ଶୁଣି ନେଇଛି ରୋଗୀ-। ଆଉ ରୋଗୀକୁ ଫାଙ୍କିଦେଇ ହେବନି । ଚିନ୍ତା କରୁଛି ଚନ୍ଦ୍ରାବତୀ......

 

ହଠାତ୍‌ ପୁଣି ରୋଗୀର କରୁଣ ଅନୁରୋଧ...

 

‘‘ନିଜ ଦୋଷପାଇଁ ଚାହିଁବ ତ ମୁଁ ଶହ ଶହ ଥର କ୍ଷମା ମାଗିବି ଚନ୍ଦ୍ରାବତୀ ! କୁହ....କୁହ....ତୁମେ କ’ଣ ମୋର ସେହି ଆଦରର ଆପଣାର ଚନ୍ଦ୍ରାବତୀ ?’’

 

କର୍ତ୍ତବ୍ୟପରାୟଣ ନର୍ସ ଆସନରୁ ଅନେକ ତଳକୁ ଖସି ଆସୁଛି ଚନ୍ଦ୍ରାବତୀ । କି ଉତ୍ତର ଦେବ ସେ ? କି ଯୁକ୍ତି ଦେଇ ଶାନ୍ତ କରିବ ଅଶାନ୍ତ ରୋଗୀକୁ ? ଧାର ଧାର ହୋଇ ବହିଯାଉଛି ଚନ୍ଦ୍ରାବତୀ ଆଖିରୁ ଲୋତକ । ଏ ଲୋତକ ବିସ୍ମୃତ ଅତୀତର ଲୋତକ । ଶାନ୍ତ ମାନବିକତାର ଲୋତକ । କୋମଳ ନାରୀପ୍ରାଣତ ଲୋତକ । ଏଇ କେତେ ବିନ୍ଦୁ ଲୋତକକୁ ହିଁ ଦୀର୍ଘଦିନ ଧରି ସଞ୍ଚୟ କରି ରଖିଥିଲା ଚନ୍ଦ୍ରାବତୀ ।

 

ଆଜି ସେ ଲୋତକ କିନ୍ତୁ ମନା ମାନୁନି । ବାଧା ମାନୁଛି, ବହିଯାଉଛି କେଉଁ ଏକ ଅସୀମ ସାଗର ବେଳାରେ ଲହଡ଼ି ଭାଙ୍ଗିବା ପାଇଁ । ଅସ୍ଥିର ମନ ନେଇ ନିଜର କର୍ତ୍ତବ୍ୟ ନିଜେ ଠିକ୍‌ କରି ପାରୁନି ଚନ୍ଦ୍ରାବତୀ ।

 

କଥାର ମୋଡ଼ ବୁଲାଇବାକୁ ବାର ବାର ଅନୁରୋଧ କରୁଛି ସେ.....‘‘ବେଳ ହୋଇଗଲାଣି, ଦିଅନ୍ତୁ ଔଷଧ ଖାଆନ୍ତୁ ଆପଣ । ବୃଥାରେ ଗପିଲେ ଉତ୍ତାପ ଆହୁରି ବଢ଼ିଯିବ ।’’

 

କିନ୍ତୁ ଚନ୍ଦ୍ରାବତୀର ଦରଦଭରା ଅନୁରୋଧ ଆଉ କମାଇ ପାରୁନି ରୋଗୀର ଉତ୍ତାପ । ସତେ ଅବା ରୋଗୀ ଦେହର ଉତ୍ତାପ ଫାରେନ୍‌ହିଟ୍‌ଥର୍‌ମୋମିଟର ଟପି ଆହୁରି ଆଗକୁ ମାଡ଼ିଯିବ-। ଏ ଉତ୍ତାପ ଏକ ମର୍ମାହତ ଉତ୍ତାପ । ଏ ଉତ୍ତାପକୁ କମାଇବାକୁ ଔଷଧ ନାହିଁ ଅବା ମାପିବାକୁ ଥର୍ମୋମିଟର ନାହିଁ । ନର୍ସ ଚନ୍ଦ୍ରାବତୀ ଯେ ଉତ୍ତାପକୁ ମାପିପାରୁନି, ତା’ ନୁହେଁ । ସେଇଥିପାଇଁ ସେ ଡରି ଡରି ଚାହେଁ ରୋଗୀର ମନକୁ ଭୁଲାଇ ଦେବାପାଇଁ ।

 

କିନ୍ତୁ ଅବାଧ୍ୟ ରୋଗୀ ଚନ୍ଦ୍ରାବତୀର କୌଣସି ଅନୁରୋଧ ଶୁଣିବାକୁ ପ୍ରସ୍ତୁତ ନୁହେଁ । ସେ କେବଳ ଚାହେଁ ଗୋଟିଏ କଥା ଶୁଣିବାକୁ......ଯାହା ଚନ୍ଦ୍ରାବତୀ ଚାହେଁ ଲୁଚାଇବା ଲାଗି ।

 

ଏ ଲୁଚାଇବା ତଳେ ଯେ ଚନ୍ଦ୍ରାବତୀ ଆଉ କିଛି ଜଘନ୍ୟ ଉଦ୍ଦେଶ ଅଛି, ତା’ ନୁହେଁ । ସେ କେବଳ ଝଡ଼ି ପଡ଼ିବା ଫୁଲକୁ ଆଉ ଗଛକୁ ଫେରାଇ ନେବାକୁ ଚାହେଁନା । ତଥାପି କାହିଁକି ଯେ ସେହି ଝରାଫୁଲକୁ କଳ୍ପନାରେ ଗଛ ଶାଖାକୁ ଟାଣିନେଇ ଚନ୍ଦ୍ରାବତୀ ଆନନ୍ଦ ଖୋଜେ ତାହା ସେ ନିଜେ ମଧ୍ୟ ବୁଝେନା । ଏଇଥି ଲାଗି ଦୀର୍ଘଦିନ ହେଲା ଦ୍ୱନ୍ଦ୍ୱରେ ପଡ଼ିଛି ଚନ୍ଦ୍ରାବତୀ ।

 

ନରମ ବାଳିକା ମନ ତା’ର । କୌଣସି ବିଷୟରେ ଏକ ନିଷ୍ଠୁର ସମାଧାନ କରିବା ତା’ ନିକଟରେ ସମ୍ଭବ ନୁହେଁ ।

 

ଚନ୍ଦ୍ରାବତୀର ଚିନ୍ତା ପ୍ରତି କିନ୍ତୁ ଲକ୍ଷ୍ୟ ନାହିଁ ରୋଗୀର । ସେ କେବଳ ଜିଦ୍‌ କରୁଛି ଗୋଟିଏ ଉତ୍ତର ପାଇଁ ‘‘କୁହ କୁହ ନର୍ସ ତୁମେ କ’ଣ ରିଫୁଇଜି ମାଖନ୍‌ ଚୌଧୁରୀଙ୍କର ଶେଷ ସନ୍ତକ ନୁହଁ ?’’

 

ତଥାପି ନୀରବ ରହି ନ ଶୁଣିଲା ପରି ଟେବୁଲଟାକୁ ସଫା କରୁଛି ଚନ୍ଦ୍ରାବତୀ । ସବୁ କିଛି ଭୁଲ୍‌ ହୋଇଯାଉଛି ତା’ର । ବେଦାନା ପ୍ଳେଟ୍‌ରେ ପାଣି ପଶି ଯାଉଛି ତ ବିସ୍କୁଟ୍‌ଗୁଡ଼ାଇ ବେଦାନା ପ୍ଳେଟ୍‌ରେ ପଶି ଯାଉଛି ।

 

ରୋଗୀର କିନ୍ତୁ ସେହି ଗୋଟିଏ ପ୍ରଶ୍ନ—‘‘ମୋତେ ପଛେ ତୁମେ ନ ପଚାର ନର୍ସ ! ତଥାପି କୁହ, ତୁମେ କ’ଣ ସତରେ ଚନ୍ଦ୍ରାବତୀ ନୁହଁ ?’’

 

ବେଳକୁ ବେଳ ବଧୀର ପାଲଟି ଯାଉଛି ଚନ୍ଦ୍ରାବତୀ । ଅନ୍ୟମନସ୍କା ହୋଇ ସେ ଏଡ଼ାଇ ଦେବାକୁ ବସିଛି ରୋଗୀର ଅନୁରୋଧ......

 

ସ୍ଥିର ରହି ପାରିଲାନି ରୋଗୀ । ବିଛଣାରୁ ଉଠିବାକୁ ଚେଷ୍ଟା କରୁ କରୁ ଅନୁନୟ ବିନୟ ଭଙ୍ଗିରେ ବାର ବାର କହୁଥିଲା......‘‘କୁହ କୁହ ନର୍ସ ! ସତେ କ’ଣ ତୁମେ ଚନ୍ଦ୍ରାବତୀ ନୁହଁ ?’’

 

ଆଉ ହେବନି । ଏଇ ଯେ ରୋଗୀ ଉଠିବାକୁ ଚେଷ୍ଟା କରୁଛି ! ! ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିବାକୁ ଚେଷ୍ଟାକଲେ ଷ୍ଟିଚ୍‌ଗୁଡ଼ିକ ଖୋଲିଯାଇ ପାରେ । ବାର ବାର ବାଧାଦେବାକୁ ଚେଷ୍ଟା କରୁଛି ଚନ୍ଦ୍ରାବତୀ । କିନ୍ତୁ କିଛି ମାନିବାକୁ ରାଜି ହେଉନି ରୋଗୀ...... ।

 

କାତର ଭାବେ ପରାଜୟ ମାନି ପାଟିକରି ଉଠିଲା ଚନ୍ଦ୍ରାବତୀ......‘‘ମୋ ଅନୁରୋଧ ରକ୍ଷାକରି ଉଠନି ହେମକାନ୍ତ ବାବୁ ! ମୋର ସମସ୍ତ ଚେଷ୍ଟା ଏକାବେଳେ ଧୂଳିସାତ୍‌ହୋଇଯିବ ।’’

 

ଅଲକ୍ଷ୍ୟରେ ହେମକାନ୍ତର ନାଁଟାକୁ କହି ପକାଇ ଜିଭ କାମୁଡ଼ି ପକାଇଲା ଚନ୍ଦ୍ରାବତୀ । ସ୍ଥିର ହୋଇଗଲା ତା’ର ଦୃଷ୍ଟି ଆଦରର, ଆପଣାର ରୋଗୀ ଉପରେ ।

 

ରୋଗୀର ଥରିଲା କଣ୍ଠରୁ ବାହାରୁଥିଲା କେବଳ ଗୋଟିଏ ଶଦ୍ଦ....‘‘ଚନ୍ଦ୍ରାବତୀ...... ! ଚନ୍ଦ୍ରାବତୀ.... !!’’

 

ସମସ୍ତ ନର୍ସବିଦ୍ୟା ହାର ମାନିଗଲା ଆତ୍ମିକତା ନିକଟରେ...... । ଧାର ଧାର ହୋଇ ଚନ୍ଦ୍ରାବତୀର ଆଖିରୁ ବହିବାରେ ଲାଗିଲା ଲୋତକ । ଷ୍ଫୁରିତ ଆନନ୍ଦରେ ଡାକିଲା ସେ......‘‘ହେମବାନ୍ତ ବାବୁ ! ମୁଁ ମରିନି ହେମକାନ୍ତ ବାବୁ......ମୁଁ ତୁମର ସେହି ବହୁ ଦିନର ଉପେକ୍ଷିତା ପତିତା ଚନ୍ଦ୍ରାବତୀ.... ।

 

ଚନ୍ଦ୍ରାବତୀ...... !!

 

ହେମକାନ୍ତ ବାବୁ !!

 

ଦୁଇ ବେଗଗାମୀ ଝରଣା ସତେ ଯେମିତି ମିଳିଗଲା ସମତଳ ଶଯ୍ୟାରେ । ଆଉ ଗତିନାହିଁ ସେ ଝରଣା ଦୁଇଟିର । ଅଛି କେବଳ ସ୍ଥିତି । ଠିକ୍‌ ଧରିତ୍ରୀଭଳି ଅକ୍ଷୁର୍ଣ୍ଣ ସ୍ଥିତି.... ।

 

ରୋଗୀର ଛାତିଉପରେ ଢଳି ପଡ଼ିଥିଲା ଚନ୍ଦ୍ରାବତୀ ବିନ୍ଦୁ ବିନ୍ଦ ହୋଇ ଲୋତକ ଭିଜି ଯାଉଥିଲା ରୋଗୀର ଛାତିରେ । ସଙ୍ଗମ ତୀର୍ଥରେ ଆଜି ଗଙ୍ଗା ଆଉ ଯମୁନାର ମିଳନ । ପବିତ୍ରତାର ସୀମା ପାର ହୋଇ ଏ ତୀର୍ଥ ଚାହୁଁଛି ଏକ ଅତୀତ ଉପରେ କାକଦୃଷ୍ଟି ନିକ୍ଷେପ କରିବା ଲାଗି ।

 

ଆଖି ବୁଜି ହୁଏତ ନିଜର ଆବିଷ୍କାର ପାଇଁ ନିଜକୁ କୃତ୍ୟ କୃତ୍ୟ ମନେ କରୁଛି ହେମକାନ୍ତ-

 

ଠିକ୍‌ ଏତିକିବେଳେ କୋଠରୀ ଭିତରକୁ ପୁଣି ପଶି ଆସିଛନ୍ତି ଡାକ୍ତର ପରିଜା । ଆଜି ସେ ପ୍ରତ୍ୟେକ କୋଠରୀ ବାର ବାର ଭିଜିଟ କରିବାକୁ ଚାହାଁନ୍ତି । କାରଣ—ତାଙ୍କ ଅକ୍ଳାନ୍ତ ଚେଷ୍ଟା ସଫଳ ହୋଇଛି । ପ୍ରାୟ ପ୍ରତ୍ୟେକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । କେତେଜଣଙ୍କୁ ଡିସ୍‌ଚାର୍ଜ କରାସଚିଛି । ଆଉ କେତେ ଜଣଙ୍କୁ ହୁଏତ ସମାନ୍ୟ କେତେ ଦିନ ଭିତରେ ଡିସ୍‌ଚାର୍ଜ କରାଯିବ ।

 

ଏଇ ତ ଡାକ୍ତରୀ ଜୀବନର ଚରମ ସଫଳତା । ମନଖୋଲା ହସ ଆଜି ହସୁଛନ୍ତି ପରିଜା-

 

କିନ୍ତୁ......

 

୪୪ ନମ୍ବର ସିଟ୍‌କୁ ଦେଖି ଏକରକମ୍‌ ଥରି ଉଠିଲେ ଡାକ୍ତର ପରିଜା । ଚିତ୍କାର କଲାଭଳି ଡାକିଲେ ସେ—‘‘ଚନ୍ଦ୍ରାବତୀ !!’’

 

ଲଜ୍ଜା, ଅପମାନ ଆଉ ଭୟରେ ରୋଗୀର ଛାତିଉପରୁ ଉଠି ଠିଆ ହୋଇଗଲା ଚନ୍ଦ୍ରାବତୀ ।

 

ଅନେକ ଦିନ ଅନେକ ରାତି ସେ କଟେଇ ଦେଇଛି ଏମିତି ପୁରୁଷଙ୍କ ଛାତି ଉପରେ । ଆଜିର ଦିନ କିନ୍ତୁ ଅନ୍ୟ ଦିନଠାରୁ ଢେର ସ୍ୱତନ୍ତ୍ର । ଏ ଦିନରେ ସ୍ନେହ ଯେତିକି ଅଛି ଭୟ ମଧ୍ୟ ସେତିକି ଅଛି......

 

ନିଆଁ ଭଳି ଜଳିବାକୁ ଆରମ୍ଭ କରିଛନ୍ତି ଡାକ୍ତର ପରିଜା । ଯେଉଁ ପରିଜାଙ୍କର ବିନ୍ଦୁଏ ସ୍ନେହ ଚନ୍ଦ୍ରାବତୀକୁ ମଣିଷ କରିଛି—ସେହି ପରିଜାଙ୍କର ବିନ୍ଦୁଏ ନିଆଁ ମଧ୍ୟ ନିମିଷକରେ ତାକୁ ଜାଳିପୋଡ଼ି ପାଉଁଶ କରିଦେଇପାରେ ।

 

କାତର ହୋଇ ପରିସ୍ଥିତିକୁ ରକ୍ଷା କରିବା ଲାଗି କହିଉଠିଲା ହେମକାନ୍ତ—‘‘ରାଗନ୍ତୁନି ଡାକ୍ତରବାବୁ ! ଚନ୍ଦ୍ରାବତୀ......ମୋର......’’ ଆଉ ପାଟି ଲେଉଟୁନି ହେମକାନ୍ତ...... ।

 

ଆଶ୍ଚର୍ଯ୍ୟ ହୋଇ କେବଳ ରୋଗୀ ଆଡ଼କୁ ଚାହିଁ ରହିଛନ୍ତି ପରିଜା......

 

ନଈ ବନ୍ଧ ଭାଙ୍ଗିଲାଭଳି ଭାଙ୍ଗିଯାଉଛି ଚନ୍ଦ୍ରାବତୀର ସମସ୍ତ ସଙ୍କୋଚ ବନ୍ଧ । ଅନର୍ଗଳ କହିଚାଲିଛି ସେ—‘‘ଜାଣନ୍ତି ସାର୍‌ ! ଏ ହେଉଛନ୍ତି ବିଶ୍ୱବିଦ୍ୟାଳୟର ଖ୍ୟାତନାମା ଅଧ୍ୟାପକ ହେମକାନ୍ତ । ଆପଣ ହୁଏତ ଜାଣିଥିବେ ତାଙ୍କରି ନାମ ।’’

 

ସତ କହିବାକୁ ଗଲେ ହେମକାନ୍ତର ନାମ ନିଶ୍ଚୟ ଜାଣିଥିଲେ ଡାକ୍ତର ପରିଜା । କିନ୍ତୁ ଏ ଜାଣିବା ଭିତରେ ଥିଲା ଏକ ଭିନ୍ନ ଗନ୍ଧ । ସେଥିପାଇଁ ତାଙ୍କ ଭ୍ରୂକୁଞ୍ଚିତ ହୋଇଯାଉଥିଲା । ନରମ ଭାବରେ ଡାକ୍ତର ପରିଜା କହିଲେ–‘‘ଖବରକାଗଜରୁ ଜାଣେ, ଝିଅମାନଙ୍କ ସହିତ ଅବୈଧ ବ୍ୟବହାର ପାଇଁ ଆପଣଙ୍କୁ ଅଧ୍ୟାପକ ଆସନରୁ ବହିଷ୍କାର କରାଯାଇଥିଲା । ଆପଣଙ୍କ ଡିଗ୍ରୀ ମଧ୍ୟ କାଢ଼ି ନିଆ ଯାଇଥିଲା ।’’

 

ଦୁଃଖରେ, ଯନ୍ତ୍ରଣାରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ନିର୍ଧୂମ ହସିଥିଲା ହେମକାନ୍ତ । କଷ୍ଟରେ ନିଜର ପକେଟରୁ ଖଣ୍ଡିଏ ଚିଠି କାଢ଼ୁ କାଢ଼ୁ କହିଲା—‘‘ଆଉ ତା’ପରେ ବି ପଢ଼ିଥିବେ ଯେ ଅଧ୍ୟାପକ ହେମକାନ୍ତ ନିର୍ଦୋଷ ବୋଲି ପ୍ରମାଣିତ ହୋଇଛି । ତା’ ଡିଗ୍ରୀ ତାକୁ ସସମ୍ମାନେ ଫେରାଇ ଦିଆଯାଇଛି । କେବଳ ସେତିକି ନୁହେଁ...ଖାଦ୍ୟ ସମସ୍ୟାର ଦୂରୀକରଣ ପାଇଁ....ହେମକାନ୍ତ ଦେଇଥିବା ଥେସିସ୍‌ଉପରେ ବିଶ୍ୱବିଦ୍ୟାଳୟ ତାକୁ ପି. ଏଚ୍‌. ଡି. ଡିଗ୍ରୀ ମଧ୍ୟ ଦେଇଛନ୍ତି ।’’

 

ସେହି ଚିଠିରେ ଦୁଃଖ ପ୍ରକାଶ କରିଥିଲା ବିଶ୍ୱବିଦ୍ୟାଳୟ...

 

ସାମାନ୍ୟ ଲଜ୍ଜିତ ହେଲେ ଡାକ୍ତର ପରିଜା । କଥାର ମୋଡ଼ ବୁଲାଇ କହିଲେ—‘‘ମୁଁ ଆଜି ବିଶେଷ ଆନନ୍ଦିତ ମିଷ୍ଟର ହେମକାନ୍ତ ! କାରଣ, ଏ ଦେଶର ଜଣେ ଉଜ୍ୱଳ ପ୍ରତିଭାବାନ୍‌ ବ୍ୟକ୍ତିକୁ ମୁଁ ବଞ୍ଚାଇ ପାରିଛି ।’’

 

ମନେ ମନେ ଡାକ୍ତର ପରିଜାଙ୍କ ପ୍ରତି ସମ୍ମାନ ଜଣାଉଥିଲା ହେମକାନ୍ତ ।

 

ହେମକାନ୍ତର ଅନେକ କାହାଣୀ ନିହାତି ନୂଆ ଲାଗୁଥିଲା ଚନ୍ଦ୍ରାବତୀକୁ ।

 

କାରଣ, ହେମକାନ୍ତଠାରୁ ଦୀର୍ଘ ଦିନ ହେଲା ଦୂରେଇ ଯାଇଥିଲା ଚନ୍ଦ୍ରାବତୀ... । ତାହାର ସମ୍ପର୍କ ଥିଲା ଏକ ରାମାୟଣ କାବ୍ୟର ଆଦିପର୍ବ ମାତ୍ର... ।

 

ଫିଟିପଡ଼ିଛି ଚନ୍ଦ୍ରାବତୀର ବେଦନା ସୀତାର । ସେ ଅନବରତ କାନ୍ଦିବାକୁ ଚାହେଁ....ଏପରି କି ମନର ତାର ଛିଡ଼ିବା ପର୍ଯ୍ୟନ୍ତ । ସତ କହିବାକୁ ଗଲେ ଆପଣାର ଲୋକକୁ ଦେଖିଲେ ଅନେକ କିଛି କହିବାକୁ ଚାହେଁ ଏ ମଣିଷ....

 

ସେଦିନ ପ୍ରାୟ ଶୁକ୍ରବାରିଆ ସକାଳ....

 

ହେମକାନ୍ତ ଦେହରୁ ବ୍ୟାଣ୍ଡେଜ୍‌ ଖୋଲୁ ଖୋଲୁ ପଚାରୁଥିଲା ଚନ୍ଦ୍ରାବତୀ...‘‘ଗୋଟିଏ କଥା କହିଚି....କିଛି ଭାବିବେ ନାହିଁ ତ ?‘‘

 

ମୁଣ୍ଡ ହଲାଇ ନିର୍ଭୟ ଦେଉଥିଲା ହେମକାନ୍ତ....

 

ତଥାପି ମନର ପୋଥି ଫିଟାଇ ପାରୁ ନ ଥିଲା ଚନ୍ଦ୍ରାବତୀ । ଧରା ଚଢ଼େଇର ଉଡ଼ିଯିବା ଭୟ ହିଁ ସଙ୍କୋଚ ଆଣୁଥିଲା ତା’ର ମନାରେ ।

 

ଜୋର ଦେଇ କହିଲା ହେମକାନ୍ତ—‘‘କୁହ ଚନ୍ଦ୍ରାବତୀ, ତୁମ ନିକଟରେ ଆଜି ମୁଁ ଖୁବ୍‌ ସରଳ ହେବାକୁ ଚାହେଁ । ଖୁବ୍‌ ଖୋଲା ହେବାକୁ ଚାହେଁ ।’’

 

ସାହସ ପାଇଲାଭଳି ଚନ୍ଦ୍ରାବତୀ କହିଲା—‘‘କୁହନ୍ତୁ ହେମକାନ୍ତ ବାବୁ ! ଆପଣଙ୍କୁ ବିଶ୍ୱବିଦ୍ୟାଳୟ ବରଖାସ୍ତ କଲା କାହିଁକି ?’’

 

ଅଚାନକ ଅହେତୁକୀ ପ୍ରଶ୍ନରେ ଥକ୍‌କା ମାରି ବସି ଯାଇଥିଲା ହେମକାନ୍ତ । ଏଇ ପ୍ରଶ୍ନଟା ହିଁ ତା’ ଜୀବନରେ ସବୁଠାରୁ ବଡ଼ ଦୁର୍ବଳତା । ତଥାପି ଚନ୍ଦ୍ରାବତୀକୁ ଏ ପ୍ରଶ୍ନର ଉତ୍ତର ଦେବାକୁ ହେବ । ତା‘ ନିକଟରେ ସବୁ ପାପକୁ ମୁଣ୍ଡପାତି ମାନିଯିବାକୁ ହେବ । ଗଳାଝାଡ଼ି ହେମକାନ୍ତ କହିଲା–‘‘ତୁମ ପାଖରେ ମୁଁ କିଛି ଲୁଚାଇବିନି ଚନ୍ଦ୍ରାବତୀ ! କହିବି ନିଶ୍ଚୟ । ତୁମେ ପଛେ ତେଣିକି ମୋତେ ନିହାତି ହୀନ ମନେ କରିପାର । ତୁମଠାରୁ ଦୂରେଇ ଯିବାପରେ ମୁଁ ଏକରକମ୍‌ ଭାଙ୍ଗି ପଡ଼ିଥିଲି । ଲଜ୍ଜା, ରାଗ, ଅଭିମାନରେ ମୁଁ ଚାହୁଁଥିଲି ମୁଁ ତୁମ ଉପରେ ପ୍ରତିଶୋଧ-। ଠିକ୍‌ ଏତିକିବେଳେ ଗୋଟିଏ ଦୁର୍ବଳ ମୁହୂର୍ତ୍ତରେ ମୋର ସମ୍ପର୍କ ଜନ୍ମ ଜନୈକା କଲେଜ ଛାତ୍ରୀ ସହିତ-। ତୁମରି ଦୁଃଖ ହିଁ ମୋତେ ଖୁବ୍‌ଶୀଘ୍ର ଟାଣିନିଏ ତା‘ ନିକଟକୁ । ସେ ମଧ୍ୟ ଓହରି ଆସେ ।

 

କିନ୍ତୁ ସାମାନ୍ୟ ଦିନର ବ୍ୟବଧାନ ପରେ ଧକ୍‌କା ଦିଏ ସେ । ବୃଥା ଦର୍ଶନ ଗାଇ ଗାଇ ଦୂରେଇ ଦିଏ ତା ନିକଟରୁ ।

 

ଏମିତି ଆହୁରି କ’ଣ କହିଯିବାକୁ ବସିଥିଲା ହେମକାନ୍ତ । ହଠାତ୍‌ ଚନ୍ଦ୍ରାବତୀ ବାଧାଦେଇ କହିଲା—‘‘ବୁଝିଲି ହେମକାନ୍ତ ବାବୁ ! ଆଉ କହି ଲାଭ ନାହିଁ । ଓଲଟା ଏ କାହାଣୀ ମୋତେ ଆଘାତ ଦେବ... ।’’

 

ନୀରବ ରହିଲା ହେମକାନ୍ତ....

 

ଆତ୍ମଗ୍ଳାନି, ଆତ୍ମଶୋଚନା, ଆତ୍ମାଭିମାନରେ ଭାଙ୍ଗିପଡ଼ି ଦିନକୁ ଦିନ ଶଯ୍ୟାଶାୟୀ ହେଉଛି ଲୋପାମୁଦ୍ରା । ମନଭିତରେ କେବଳ ସେହି ଗୋଟାଏ ପ୍ରଶ୍ନ..ସେ ହେମକାନ୍ତ ଉପରେ ବୃଥା ଦୋଷାରୋପ କଲା କାହିଁକି ?

ଅନେକ ଦିନ ବିତିଗଲାଣି ଏହା ଭିତରେ । ତଥାପି ନିଜର ମନକୁ ନିଜେ ବୁଝାଇ ପାରୁନି ଲୋପାମୁଦ୍ରା । ବ୍ୟଥିତ ହୋଇ ଅନେକ ସମୟରେ ନାନା ପ୍ରଶ୍ନ ପଚାରୁଛନ୍ତି ଶାନ୍ତନୁ । କୌଣସି କଥା ବୁଝିବା ତାଙ୍କ ନିକଟରେ ସମ୍ଭବ ହେଉନାହିଁ ।

ଆକାଶ, ବତାସ, ପାଣି, ପବନରେ ଲୋପାମୁଦ୍ରା ଦେଖୁଛି କେବଳ ହେମକାନ୍ତକୁ । ସେଦିନ ଖବର କାଗଜ ପଢୁ ପଢୁ ଲୋପାମୁଦ୍ରା ଦେଖିଲା—ପି. ଏଚ୍‌. ଡ଼ି. ଉପାଧି ଲାଭ କରିଛନ୍ତି ଅଧ୍ୟାପକ ହେମକାନ୍ତ । ବିଶ୍ୱବିଦ୍ୟାଳୟ ପୁଣି ତାଙ୍କୁ ଚାକିରୀ ଦେଇଛନ୍ତି ସମ୍ବଲପୁର କଲେଜରେ । ନିର୍ଦ୍ଦୋଷ ଲୋକକୁ ଦଣ୍ଡ ଦେଇଥିବା ହେତୁ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ବିଶ୍ୱବିଦ୍ୟାଳୟ..

ଚିତ୍କାର କରି ଉଠିଥିଲା ଲୋପାମୁଦ୍ରା....‘‘ବିଶ୍ୱବିଦ୍ୟାଳୟ ଠିକ୍‌ କରିଛି । ବିଶ୍ୱବିଦ୍ୟାଳୟ ଠିକ୍‌ କରିଛି....’’

ଖବରଟା ପଢ଼ିସାରିବା ପରେ କିନ୍ତୁ ଆଉ ବିଛଣାରୁ ଉଠି ପାରିଲାନି ଲୋପାମୁଦ୍ରା । ସତେ ଯେମିତି ମେରୁଦଣ୍ଡ ଅକାମୀ ହୋଇଗଲା ତା’ର । ବିଛଣା ଉପରେ ଲୋଟି ପଡ଼ିଲା ସେ....

ପାଦକୁ ଚଟ ଚାଟ କରି ମାଲିକାଣୀର ଅବସ୍ଥା ଦେଖି ହୁଏତ ଅନେକ ପ୍ରଶ୍ନ ପଚାରୁଛି ଆଲ୍‌ସେସିଆନ୍‌ ଜକି । କିନ୍ତୁ ସେସବୁ ପ୍ରଶ୍ନକୁ ବୁଝିପାରୁ ନ ଥିଲା କୁମାରୀ ଲୋପାମୁଦ୍ରା....

ଠିକ୍‌ ଏତିକିବେଳେ ଡାକ୍ତରଙ୍କୁ ସଙ୍ଗରେ ଧରି ଆସିଲେ ଶାନ୍ତନୁ । ଏଇ କେତେ ଦିନ ହେଲା ଏକରକମ ଭାଙ୍ଗି ପଡ଼ିଛନ୍ତି ସେ । ବୟସର ସୀମାରୁ ସତେ ଅବା ଆଗେଇ ଯାଇଛନ୍ତି ପାଞ୍ଚ ଦଶ ବର୍ଷ ଆଗକୁ ।

ପରୀକ୍ଷା କଲେ ଡାକ୍ତର....

କପାଳ କୁଞ୍ଚିତ ହୋଇଗଲା । ଶାନ୍ତନୁଙ୍କୁ ଳକ୍ଷ୍ୟ କରି କହିଲେ ଡାକ୍ତର—‘‘କୌଣସି ରୋଗର ଲକ୍ଷଣ ତ ମିଳୁନି ଶାନ୍ତନୁ ବାବୁ ! ମନେହୁଏ ମାନସିକ ଦୁଶ୍ଚିନ୍ତା ପାଇଁ ଲୋପାମୁଦ୍ରା ଭାଙ୍ଗି ପଡ଼ିଛନ୍ତି । ତଥାପି ଜଳବାୟୁ ପରିବର୍ତ୍ତନ ପାଇଁ ଆପଣ କିଛିଦିନ ବାହାରକୁ ଯାଆନ୍ତୁ । ତା‘ ପରେ ହୁଏତ ଲୋପାମୁଦ୍ରାଙ୍କ ଅବସ୍ଥାର ପରିବର୍ତ୍ତନ ହେବ ।‘‘

ଦୀର୍ଘ ନିଃଶ୍ୱାସ ଟାଣି ଠିଆହେଲା ଶାନ୍ତନୁ ।

ଏଇ ଲୋପାମୁଦ୍ରା, ଏକମାତ୍ର ତାଙ୍କ ଜୀବନର ଅତୀତ ଓ ଭବିଷ୍ୟତ । ତାହାରି ମୁହଁ କୁ ଚାହିଁ ସେ ବଞ୍ଚନ୍ତି ଆଉ ହସନ୍ତି । ଲୋପାମୁଦ୍ରା ଦେହରେ ଆଘାତ ଲାଗିଲେ ତାଙ୍କ ଦେହରେ ମଧ୍ୟ ଆଘାତ ଲାଗେ । ଆଜି ସେଇଥିପାଇଁ ସେ ବେଳକୁ ବେଳ ସ୍ଥାଣୁ ହୋଇ ଯାଉଛନ୍ତି ।

ପଲଙ୍କ ଉପରେ ଶୋଇରହି ବାପାଙ୍କ ମୁହଁକୁ ଅସହାୟ ଭଳି ଚାହିଁଛି ଲୋପାମୁଦ୍ରା...

ଧାର ଧାର ହୋଇ ବହିଯାଉଛି ଶାନ୍ତନୁଙ୍କ ଆଖିରୁ ଲୋତକ ।

ଡାକ୍ତର ବାହାରି ଗଲେ...

ଲୋପାମୁଦ୍ରାର ବିଛଣା ଉପରେ ବସି ବଡ଼ି ଶାନ୍ତନୁ କହିଲେ—‘‘ମୋ ଲୋପା ! ତୋ ଦେହର ଅବସ୍ଥା ଦେଖି ମୁଁ ଆଉ ସହି ପାରୁନି । କ’ଣ ହେଉଛି ମଧ୍ୟ ମୁଁ ବୁଝି ପାରୁନି । ଏମିତି କିଛିଦିନ କଟିଲେ ମୁଁ ନିଜେ ମଧ୍ୟ ଶଯ୍ୟାଶାୟୀ ହୋଇଯିବି ।’’

 

ଅଧର ନଚାଇ କ୍ଷୀଣ ହସଟିଏ ହସିଲା ଲୋପା—କହିଲା—‘‘ଏଣୁ ତେଣୁ ଭାବନି ବାପା ! ମୁଁ ନିଶ୍ଚୟ ଭଳ ହୋଇଯିବି ।’’

 

ପ୍ରବଳ ଭାବରେ ହୁ ହୁ ହୋଇ ଜଳୁଥିବା ଘରପୋଡ଼ି ନିଆଁକୁ ମାତ୍ର ପଦେ ମିଠା କଥା ନିଭାଇ ଦେଇ ପାରେନି । ଓଲଟା ସେ ନିଆଁ ଜଳେ ଆହୁରି କଠିନ ଭାବରେ ।

 

ଲୋପାମୁଦ୍ରାର ପିଠିକୁ ଆଉଁସି ଦେଉଥିଲେ ଶାନ୍ତନୁ । ଶେଷରେ କହିଲେ—‘‘ମା ଲୋପା । କିଛିଦିନ ତଳେ ତୁ କାଶ୍ମୀର ବୁଲିଯିବା ପାଇଁ କହୁଥିଲୁ । ସେତେବଳେ ମୁଁ ତୋର ଅନୁରୋଧ ଏଡ଼ାଇ ଦେଇଥିଲି । ଏବେ ପ୍ରସ୍ତୁତ ଅଛି । ସଜିଲ୍‌ ହୋ...ଆମେ କାଶ୍ମୀର ଯିବା.... ।’’

 

ଦେହର ଯନ୍ତ୍ରଣାକୁ ଅନେକାଂଶରେ ଭୁଲି ବାପାଙ୍କ ମୁହଁକୁ ଚାହିଁ ରହିଲା ଲୋପାମୁଦ୍ରା । ଅନେକ ଦିନର ଆକାଂକ୍ଷିତ ସ୍ଥାନ କାଶ୍ମୀର । ଜଳବାୟୁ ପରିବର୍ତ୍ତନ ପାଇଁ କାଶ୍ମୀର ଯିବା କିଛି ମନ୍ଦ ପ୍ରସ୍ତାବ ନୁହେଁ...

 

ମୁହଁ ବୁଲାଇ ହସିଦେଇ ଲୋପାମୁଦ୍ରା କହିଲା—ଯିବି ବାପା ! ତୁମେ ବାହାର....

 

ଆନନ୍ଦରେ ଉଠି ଆସିଲେ ଶାନ୍ତନୁ ।

 

କାଶ୍ମୀର । ଭୁସ୍ୱର୍ଗ କାଶ୍ମୀର ରାଜ୍ୟ । ଏଠି ଫୁଟିଲା ଫୁଲର ମହକ ଜାଗେ...ବୁଲ୍‌ ବୁଲ୍‌ ଗାଏ.... । ଅଙ୍ଗୁର, ବେଦାନା, ନାସପାତି ବଗିଚାରେ ମଣିଷ ଆତ୍ମହରା ହୁଏ । ପାଣି ଉପରେ ମଧ୍ୟ ଏଠି ବଗିଚା ଭାସେ... ।

 

ନିଶ୍ଚୟ...ନିଶ୍ଚୟ ଲୋପାମୁଦ୍ରା ଥରେ ଦେଖି ଆସିବ କାଶ୍ମୀର ।

 

ଚିନ୍ତା କରୁ କରୁ ଟିକେ ଶାନ୍ତିରେ ଶୋଇବାକୁ ଚେଷ୍ଟାକଲା ଲୋପାମୁଦ୍ରା....

 

ଶୀତଦିନିଆଁ ରାତିଟା ନିବିଡ଼ ଭାବେ ଆଶ୍ଳେଷ କରୁଛି ଚତୁର୍ଦିଗରୁ । ଆତ୍ମହରା ହୋଇ ଲୋପାମୁଦ୍ରା ଦେଖୁଛି କେବଳ କାଶ୍ମୀରର ସ୍ୱପ୍ନ । ଏଇ କାଶ୍ମୀରକୁ ରକ୍ଷା କରିବାପାଇଁ ଦେଶର ଶହ ଶହ ଯବାନ୍‌ ଆତ୍ମଦାନ କରିଛନ୍ତି । ଦେଶର ମାନ ରକ୍ଷା କରିଛନ୍ତି । ସେହି କାଶ୍ମୀରକୁ ପୁଣି ଥରେ ନୂଆ କରି ଆବିଷ୍କାର କରିବ କୁମାରୀ ଲୋପାମୁଦ୍ରା....

 

ଆଖି ଖୋଲି ଛାତ ଆଡ଼କୁ ଚାହିଁଲା ସେ । ଏ କ’ଣ ? ଛାତଟା ଯେ ହଠାତ୍‌ ଘୂରିବାକୁ ଆରମ୍ଭ କରିଛି । ଆକାଶରେ ଉଡ଼ିବାକୁ ଉପକ୍ରମ କରୁଛି । ତେବେ... ? ନାଁ...ଲୋପାମୁଦ୍ରା ପାଗଳୀ ହୋଇନାହିଁ । ଯେଉଁ ଦେଶର ବୀର ଯବାନ୍‌ ଖଣ୍ଡିଏ ପୋଷାକ ନ ପାଇ ବରଫ ଉପରେ ଯୁଦ୍ଧ କରୁଛି...ଯେଉଁ ଦେଶର ଚାଷୀ...ଚାଉଳ ଅଭାବରେ, ଅଟା ଅଭାବରେ ଚିତ୍କାର କରୁଛି...ସେହି ଦେଶର ମଣିଷ କୁମାରୀ ଲୋପାମୁଦ୍ରା....

 

ସେ ଜଳବାୟୁ ପରିବର୍ତ୍ତନ କରିବାକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଯିବ କାଶ୍ମୀର ପରିଦର୍ଶନରେ...

 

ବିଛଣା ଉପରେ ମୁହଁମାଡ଼ି କଇଁ କଇଁ ହୋଇ କାନ୍ଦି ଉଠିଲା ଲୋପାମୁଦ୍ରା ।

 

ଏ କ’ଣ ? ଘରର କାନ୍ଥ, ବାଡ଼, ଛାତ ସମସ୍ତେ ତା’ ଆଡ଼କୁ ଚାହିଁ ସତେ ଯେମିତି ବିକଟାଳ ସ୍ୱରରେ ବିଦ୍ରୂପ କରୁଛନ୍ତି । ଆକ୍ଷେପ କରୁଛନ୍ତି । ଧଡ଼୍‌କରି ବିଛଣା ଉପରୁ ଉଠି ଠିଆ ହୋଇଗଲା ଲୋପାମୁଦ୍ରା । ବିଜୁଳିବତୀଟା ଆଡ଼େ ହାତ ବଢ଼ାଇ କହିଲା–‘‘କହ...କହ...ଆଲୋକ...ବାରିଷ୍ଟର ଶାନ୍ତନୁଙ୍କ ଘରେ ତୁ ଯେଉଁ ଶକ୍ତି ନେଇ ଚଳୁଛୁ...ରାସ୍ତା ଉପରକୁ ଗଲେ ସେ ଶକ୍ତି ଯାଉଛି କୁଆଡ଼େ ? ବାରିଷ୍ଟର ଶାନ୍ତନୁଙ୍କ ଘର ବାହାରେ ଯେ ଗୋଟାଏ ବିରାଟ ଦୁନିଆଁ ରହିଛି..ଏ କଥା କ’ଣ ତୁ ଭୁଲିଯାଇଛୁ ?’’

 

ଲୋପାମୁଦ୍ରାର ଚିତ୍କାର କେବଳ ପ୍ରତିଧ୍ୱନି ସୃଷ୍ଟିକଲା ଘର ଭିତରେ । ପ୍ରତିଧ୍ୱନିର ଉତ୍ତର ଦେବାପାଇଁ ରୁଦ୍ରବେଗରେ ବୁଲିପଡ଼ିଲା ଲୋପାମୁଦ୍ରା । ସେମିତି ଚିତ୍କାର କରୁଥିଲେ ସେ....‘‘କିଏ କିଏ ଶୂନ୍ୟରେ ରହି ମୋ କଥାର ପ୍ରତିବାଦ କରୁଛ ? ...ମୋତେ ଯେମିତି ତୁମେ ବଞ୍ଚିବା ପାଇଁ ଅବାରିତ ସୁବିଧା ଦେଉଛ...ସେମିତି ଦୁନିଆଁକୁ ଦେଉନ କାହିଁକି ? ମୁଁ ଜାଣେ..ତୁମ ପ୍ରତିବାଦର ପ୍ରତିଧ୍ୱନି ମିଛ । କାରଣ କୋଠରୀ ମଧ୍ୟରେ ପ୍ରତିଧ୍ୱନି ହୁଏନା ।’’

 

ପୁଣି ହଠାତ୍‌ ସ୍ଥାଣୁ ଭଳି ଠିଆ ହୋଇଗଲା ଲୋପାମୁଦ୍ରା । ସେ ପାଗଳୀ ହୋଇ ଯାଇଛି..କକ୍ଷପଥ ହୁଡ଼ି ସେ ଛୁଟିଛି ଏକ ଅଦୃଶ୍ୟ ଶକ୍ତିର ତାଡ଼ନାରେ ।

 

କାନ୍ଥ ଉପରେ ପୁଣି ସେହି ନିଜର ପ୍ରତିବିମ୍ବ... । ନାଁ.....ନାଁ...ଏ ପ୍ରତିବିମ୍ବ ଏଯାଏ ମଧ୍ୟ ନିଜଠାରୁ ଦୂରେଇ ଯାଇନି । ସେ ସେମିତି ଅକ୍ଷୁର୍ଣ୍ଣ ରହିଛି କେବଳ ଲୋପାମୁଦ୍ରା ପାଇଁ ।

 

ସେହି ସ୍ଥାନରେ ଆଣ୍ଠେଇ ପଡ଼ିଲା ଲୋପାମୁଦ୍ରା...

 

ହାତଯୋଡ଼ି ପ୍ରାର୍ଥନା କଲା କେଉଁ ଏକ ଅନନ୍ତ ଶାନ୍ତିର କାମନାରେ । ଆଖିରୁ ବହୁଥିଲା ଲୋତକ । ମନେ ମନେ କହୁଥିଲା ସେ—‘‘ମୁଁ ସ୍ୱାର୍ଥପର ନୁହେଁ ଭଗବାନ୍‌—ମୁଁ କେବଳ ମୋର ଭାରବାହୀ ଜୀବ....’’

 

ହଠାତ୍‌ ଶୀତଦିନିଆଁ ରାତିଟା ଆହୁରି ଶୀତଳ ହୋଇଉଠିଲା । ଏଥର ଖଟଉପରେ ଶୋଇପଡ଼ି ଦୁଇ ତିନିଟା ଗରମ କମ୍ବଳ ଘୋଡ଼ାଇ ହୋଇ ପଡ଼ିଲା ଲୋପାମୁଦ୍ରା ।

 

ଓଃ...ତଥାପି ଏ ଶୀତର ପ୍ରକୋପ ଗାଢ଼ରୁ ଗାଢ଼ତର ହୋଇଉଠୁଛି । ତା ସହିତ ଯୁଦ୍ଧ କରୁଛି ଦେହର ଚର୍ମ..... ।

 

ନିର୍ଜନ କୋଠରୀରେ ଏକୁଟିଆ କୁମାରୀ ଲୋପାମୁଦ୍ରା ।

 

କିନ୍ତୁ ଲୋପାମୁଦ୍ରାକୁ କେବେ ଏକୁଟିଆ ଛାଡ଼ି ଦିଏନା ଆଲ୍‌ସେସିଆନ୍‌ କୁକୁର ଜକି । ସେ ଜାଣେ...ଏକୁଟିଆ ସମୟଟା ମଣିଷର ସବୁଠାରୁ ବଡ଼ ସାଂଘାତିକ ସମୟ । ଏଇ ସମୟରେ ମଣିଷ ଦେହରେ ନାନା ବିଷ ଚଢ଼େ । ଏ ବିଷ ଆଉ ଗାରେଡ଼ି ମନ୍ତ୍ରରେ କମେନି । ଦେହକୁ ରୁଗ୍‌ଣ କରେ । ମନକୁ ଗୋଳମାଳିଆ କରେ ।

 

ଆଲସେସିଆନ୍‌ଜକି....

 

ବେଳେ ବେଳେ ଗେହ୍ଳେଇ ହୋଇ ଲଦି ହୋଇପଡ଼େ ଲୋପାମୁଦ୍ରା ଉପରେ । ଜକିର ସମସ୍ତ ଅଳି ଅର୍ଦଳି ବିନା ଆପତ୍ତିରେ ସହ୍ୟକରେ ଲୋପାମୁଦ୍ରା....

 

ରାତି ହେଲେ ଲୋପାମୁଦ୍ରା ପଲଙ୍କର ଗୋଟାଏ କଣାରେ ମୋଡ଼ିମାଡ଼ି ହୋଇ ଶୋଇପଡ଼େ ଜକି । କେତେବେଳେ ବା ଲୋପାମୁଦ୍ରାର ପାଦଘାତରେ ନିଦ ଭାଙ୍ଗେ ତା’ର । ଅବା କେତେବେଳେ ବିରକ୍ତ ହୋଇ ଲୋପାମୁଦ୍ରା ତାକୁ ତଳକୁ ଖସାଇ ପକାଏ ।

 

କୌଣସିଥିରେ ଆପତ୍ତି କରେନି ଜକି । ସବୁକୁ ହସିନିଏ ନିଜର ସହଣୀ ଶକ୍ତି ବଳରେ । ଓଲଟି ବିକମ୍ର ତାର ନମୁନା ଦେଖାଇ ଖଟତଳେ ଶୋଇପଡ଼େ ଆଲ୍‌ସେସିଆନ୍‌ଜକି ।

 

ସେଦିନ ମଧ୍ୟ ଖଟର ଗୋଟାଏ କଣରେ ଶୋଇଥିଲା ଆଲ୍‌ସେସିଆନ୍‌ ଜକି...ମୋଡ଼ିମାଡ଼ି ହୋଇ ଗୋଟିଏ ପେଣ୍ଡୁଳା ପରି.... । ଶୀତ ପଡ଼ିଛି ପ୍ରବଳ ଗତିରେ, ଠକ ଠକ ଥରୁଛି ତା’ର ସମଗ୍ର ଶରୀର....

 

ହଠାତ୍‌ ନିଦ ଭାଙ୍ଗିଗଲା ଲୋପାମୁଦ୍ରାର.....

 

ଅନେକ ରାତି ହେବ ପ୍ରାୟ । ବାହାରେ ପ୍ରବଳ ଶୀତ ଓ କାକର । ଭିତରେ ମଧ୍ୟ ପ୍ରବଳ ଶୀତ । ଗରମ କମ୍ବଳ ଭିତରେ ସତେ ଅବା କିଏ ବରଫ ଜମା କରି ରଖିଛି.... । ଥରୁଛି ଲୋପାମୁଦ୍ରା...

 

ସ୍ଥିର ଦୃଷ୍ଟିରେ ଲୋପାମୁଦ୍ରା ଚାହିଁଛି ଆଲ୍‌ସେସିଆନ୍‌ ଜକି ଆଡ଼େ । ଆହା ରାସ୍ତା କଡ଼ର ଅନାଥ ମଣିଷ ଭଳି ଖଟର ଗୋଟାଏ କଣରେ ପଡ଼ି ଥରୁଛି ସେ । ଗରମ କଳମ୍ବରେ ତା’ର ଭାଗ ନାହିଁ । କାରଣ ସେ କୁକୁର । ସହିପାରିଲାନି ଲୋପାମୁଦ୍ରା...

 

ଜକିର କାନ ଧରି ଘୋଷାର ଆଣିଲା ନିଜର କଳମ୍ବ ଭିତରକୁ । ଆଶ୍ଚର୍ଯ୍ୟ ହୋଇ ଜକି ଚାହୁଁଥିଲା ମିଟି ମିଟି କରି । ହୁଏତ ଭାବୁଥିଲା...‘‘ନାଁ ନାଁ ମୁଁ ଏଠି ସୁଖରେ ଅଛି...ତୁମେ ମୋତେ ଦିନିକିଆ ଆନନ୍ଦ ଦିଅନି ।’’

 

ତଥାପି ପ୍ରତିବାଦ କଲାନି ଜକି ।

 

ମୁହୁର୍ତ୍ତକର ଆନନ୍ଦକୁ ମଧ୍ୟ ବେଳେ ବେଳେ ମଣିଷ ଏଡ଼ାଇ ଦେଇ ପାରେନାହିଁ ।

 

ଶାନ୍ତିରେ ଶୋଇବାକୁ ଚେଷ୍ଟାକରୁଛି ଜକି...

 

ଶାନ୍ତିରେ ଶୋଇବାକୁ ଚେଷ୍ଟାକରୁଛି ଲୋପାମୁଦ୍ରା....

 

ଏ କ’ଣ ? ଛାଡ଼ ଉପରେ କାହାର ଗରମ ନିଃଶ୍ୱାସ ? କାହାର ନିଃଶ୍ୱାସରେ କାଲୁମରା ଶୀତଳ ବାୟୁ ଧୀରେ ଧୀରେ ଗରମ ହୋଇ ଉଠୁଛି ? ...ଆହା..ନିଃଶ୍ୱାସରେ ପୁଣି ଏତେ ମୋହ...ଏତେ କ୍ଷମତା.... ?

 

ଧୀରେ ଅତି ଧୀରେ ବିଷ ଚଢ଼ିଲା ପରି ପୁଲକି ଉଠୁଛି ଲୋପାମୁଦ୍ରାର ସମଗ୍ର ଶରୀର । ଦେହର ଉତ୍ତାର ବଢ଼ିବାରେ ଲାଗିଛି । ତେବେ କ’ଣ ହଠାତ୍‌ ଜ୍ୱର ଆରମ୍ଭ ହୋଇଛି ଲୋପାମୁଦ୍ରାକୁ.....

 

ଏ କି ପୁଲକ । ଏ କି ଉନ୍ମତ୍ତତା ? ଏ କି ଅସ୍ଥିରତା.....ଏ କି ଚାଞ୍ଚଲ୍ୟ.... ? ଆହା....ତରୁଣୀ ମନବିଜ୍ଞାନରେ ଯେ ଏମିତି ଗୋଟାଏ ରୋମାଞ୍ଚକର ସମୟ ଆସେ....ସେ କଥା କେବେ ଅନୁଭବ କରି ନ ଥିଲା ଲୋପାମୁଦ୍ରା....

 

ଚିତ୍ତହରିଣୀ ଚାଞ୍ଚଲ୍ୟ ସୃଷ୍ଟି କରି କୁଦାମାରୁଛି ଛାତି ଭିତରେ....ୟ

 

ସେ ହରିଣୀକି ଆଉ ବନ୍ଦୀ କରି ପାରୁନି ଲୋପାମୁଦ୍ରା ।

 

ଏଇ ସମୟରେ ହିଁ ନାରୀ ଚାହେଁ ପୁରୁଷ...ମନ ଚାହେଁ ମନ....ଦେହ ଚାହେଁ ଦେହ....

 

ବେଳକୁ ବେଳ ଅସ୍ଥିରା ହୋଇ ଉଠୁଛି ଲୋପାମୁଦ୍ରା.....

 

ଚିନ୍ତା କରୁଛି ସେ....

 

ହାୟ...ହାୟ...ଠିକ୍‌ ଏତିକିବେଳେ ଆଲ୍‌ସେସିଆନ୍‌ଜକି ଅଧ୍ୟାପକ ହେମକାନ୍ତ ହୋଇଯାଆନ୍ତା କି ? ଅନେକ କଥା ସେ ପଚାରନ୍ତା ତାଙ୍କୁ.... । ଅନେକ ଦୋଷର କ୍ଷମା ମାଗି ସେ ଲୋଟିପଡ଼ନ୍ତା ତାଙ୍କର ପାଦତଳେ....

 

କିନ୍ତୁ...

 

କିନ୍ତୁ...

 

ପ୍ରବଳ ଗତିରେ ନିଜର ଛାତିଆଡ଼କୁ ଟାଣି ଆଣି ଆାଲ୍‌ସେସିଆନ୍‌ଜକିକୁ ଜାବୁଡ଼ି ଧରିବାକୁ ଚେଷ୍ଟାକରୁଛି ଲୋପାମୁଦ୍ରା.... ।

 

ଆଉ ସହିପାରୁନି ଜକି.....

 

ସହ୍ୟ କରିବାର ସୀମା ତା’ର ଟପିଯିବାରେ ଲାଗିଛି.....ଅଣନିଃଶ୍ୱାସୀ ହୋଇଯାଇଛି ଜକି । କାତର ଭାବେ କରିଛି ଏକ କରୁଣ ଚିତ୍କାର....

 

ଚିତ୍କାର ଶୁଣି ଭୟରେ ଆତଙ୍କରେ ଛାଡ଼ିଦେଇଛି ଲୋପାମୁଦ୍ରା... । ଖଟ ଉପରୁ ଖପ୍‌ କରି ଡ଼େଇଁ ତଳକୁ ଚାଲିଯାଇଛି ଜକି.... । ଯେମିତି ଅଧ୍ୟାପକ ହେମକାନ୍ତ ଲୋପାମୁଦ୍ରାର ନିଷ୍ଠୁର ଉତ୍ତର ଶୁଣି ମୁହଁ ଫେରାଇ ଚାଲିଯାଇଥିଲେ ସେଦିନ...

 

ଜକିକୁ ଛାଡ଼ିଦେବା ପରେ କିନ୍ତୁ ଆଉ ନିଜକୁ ଆୟତ୍ତ କରିପାରୁ ନାହିଁ ଲୋପାମୁଦ୍ରା । ସମସ୍ତ ଗରମ କମ୍ବଳକୁ ଏକାଠି କରି ସେ ଜାବୁଡ଼ି ଧରିଛି ନିଜର ବକ୍ଷ ଉପରେ । ଏଇ ବକ୍ଷ ଉପରେ ଆଜି ନୂଆ ରୂପ ଧରି ନାଚୁଛି...କୁମାରୀତ୍ୱ....ନାଚୁଛି ମାନବିକତା....ଆଉ ତା ସହିତ ନାଚୁଛି ଭାରତର ବିରାଟ ଖାଦ୍ୟ ସମସ୍ୟା.....

 

ଚିନ୍ତା କରି ପାରୁନି ଲୋପାମୁଦ୍ରା....ନିଜ ଛାତି ଭିତରର ମାତ୍ର ବିନ୍ଦୁଏ ନିଆଁର ଭୋକକୁ ଯେତେବେଳେ ସେ ନିଜ ଆୟତ୍ତ କରିପାରୁନି ସେତେବେଳେ ଲେଲିହାନ୍‌...ଜିହ୍ନା ତୋଳି ରକ୍ଷାସଭଳି ନାଚୁଥିବା ସାଗରୀ ଭୋକକୁ ସେ ରୋକିବ କେମିତି ?

 

ଏ ଦେଶର ଖାଦ୍ୟ ସମସ୍ୟା ଯେ ଏକ ସାଗରର ଭୋକ...

 

ନାଁ....ନାଁ...ଆଜି ସବୁ ଆଦର୍ଶ...ସବୁ ନୀତିବାଦକୁ ଭୁଲ୍‌ ବୁଝୁଛି ଲୋପାମୁଦ୍ରା । ସେ ନିଜେ ସ୍ୱତନ୍ତ୍ର ନୁହେଁ...ନାଁ ନିଜ ନିକଟରେ ଆଉ ଜଣେ ପରର ଆବଶ୍ୟକତା ଅଛି । ସେ ଅପୂର୍ଣ୍ଣ...ସେ ଅପୂର୍ଣ୍ଣ.... ।

 

ଗରମ କମ୍ବଳଗୁଡ଼ାକ ସତେ ଯେମିତି ଅସ୍ତିତ୍ୱ ହରାଇ ଜଡ଼ି ଯାଇଛନ୍ତି ଲୋପାମୁଦ୍ରାର ଉତ୍ତପ୍ତ ବକ୍ଷରେ...

 

ନିଜକୁ ନିଜେ ଉପଭୋଗ କରୁଛି ଲୋପାମୁଦ୍ରା...କଟ୍‌ମଟ୍‌ କରି ଲୋପାମୁଦ୍ରାକୁ ଚାହିଁ ରହିଥିଲା ଆଲ୍‌ସେସିଆନ୍‌ ଜକି... । କ’ଣ ଭାବିଲା କେଜାଣି...ପ୍ରତିବାଦ କରି ଭୁ ଭୁ ହୋଇ ସେ ଭୁକିଦେଲା ଦିଥର ।

 

ଚମକି ପଡ଼ିଲା ଲୋପାମୁଦ୍ରା....

 

ଗରମ କମ୍ବଳଗୁଡ଼ିକୁ ଦୂରକୁ ଫିଙ୍ଗିଦେଇ ଉଠିଆସିଲା ସେ.... ।

 

ମନରେ ତା’ର ଉତ୍ତେଜନାର ସ୍ରୋତ.... । କାମନାର ତଡ଼ିତ ଆଉ ବାସନାର ମାଦକତା...

 

ଛାତି ଭିତରେ ନାରୀତ୍ୱ ନିଆ ଭଳି ଜଳି ଜଳି କେବଳ ପାଉଁଶ ହୋଇଯିବାକୁ ବସିଛି । ବରଡ଼ା ପତ୍ର ପରି ଥରୁଛି ଲୋପାମୁଦ୍ରା । ଏ ଶିହରଣ ଭୟ ବା ଆତଙ୍କର ନୁହେଁ...ଶୈତ୍ୟ ବା ଉତ୍ତାପର ନୁହେଁ... ଚାଞ୍ଚଲ୍ୟ ବା ବିମୂଢ଼ତାର ନୁହେଁ...କେବଳ ଜୀବନ ଓ ଯୌବନର ।

 

ଯେଉଁ ତାଡ଼ନାରେ କୋମଳ କଳିକା ଶୋଭାବନ୍ତା ହୁଏ.... ଷୋଡ଼ଶୀର ଅଙ୍ଗରାଗରେ ମାଧୁର୍ଯ୍ୟ ଆତ୍ମପ୍ରକାଶ କରେ ସେହି ତାଡ଼ନାରେ ଆଜି ନିଜକୁ ନିଜେ ପାଗଳୀ କରିଛି ଲୋପାମୁଦ୍ରା ।

 

ଚିନ୍ତା କରୁଛି ଲୋପାମୁଦ୍ରା...

 

ଏଇ ଆଲ୍‌ସେସିଆନ୍‌ଜକିକୁ ଜାବୁଡ଼ି ଧରି ସେ ନିଜର କରିବ ଆଜିକ ପାଇଁ । ତାହାରି ଭିତରୁ ଖୋଜିବ ବିଶ୍ୱବିଦ୍ୟାଳୟର ଖ୍ୟାତନାମା ଅଧ୍ୟାପକ ହେମକାନ୍ତ । କିନ୍ତୁ...

 

ଧରା ଦେଉନି ଜକି । ଦୌଡ଼ିବାରେ ଲାଗିଛି ଘରର ଏ କଣର ସେ କଣକୁ । ଆଖିରେ ଅନ୍ଧପୁଟୁଳି ବାନ୍ଧି ଲଳିତା ବିଦ୍ୟାପତିଙ୍କୁ କୁଣ୍ଢାଇ ପକାଇଲା ପରି ଲୋପାମୁଦ୍ରା ଜକିକୁ ଭୁଲ କ୍ରମେ ଧରି ପକେଇବାକୁ ଚାହେଁ...ତା ନୁହେଁ । ବିଦ୍ୟାପତିର ପୁରୁଷାଙ୍ଗ ହିଁ ଏକମାତ୍ର କାମ୍ୟଥିଲା କୁମାରୀ ଲଳିତାର । ସେଇଥିପାଇଁ ସବୁଜ ବନ ଗହନରେ ସେ ଖୋଜୁଥିଲା ଆଉ ଜଣଙ୍କର ସ୍ପର୍ଶ....

 

କିନ୍ତୁ ସେ ଦୁଃଖ କ’ଣ ବୁଝିବ ଏ ଆଲ୍‌ସେସିଆନ୍‌ଜକି... ? ଭୟରେ, ଆତଙ୍କରେ କେବଳ ଆତ୍ମରକ୍ଷା ପାଇଁ ଦୌଡ଼ିବାରେ ଲାଗିଛି ଜକି । ନାଁ...ଆଉ ହେବନି । ମଶାରି ବାଡ଼ା ଧରି ଜକିକୁ ଆଘାତ କରିବାକୁ ଚାହୁଁଛି ଲୋପାମୁଦ୍ରା ।

 

ଅବଶ ହୋଇପଡ଼ୁଛି ଜକିର ଗୋଡ଼...

 

ଆଉ ହବନି । ଏଥର ଧରାଦେବାକୁ ହେବ । ନ ହେଲେ ହୁଏତ ମଶାର ବାଡ଼ାର ପ୍ରବଳ ଆଘାତରେ ଲୋଟିପଡ଼ିବ ଜକି । ମାଲିକାଣୀ ଲୋପାମୁଦ୍ରା । ତା‘ କାମରେ ପ୍ରତିବାଦ କଲେ ରକ୍ଷା ନାହିଁ....ହୁଏତ ଆସନ୍ତା କାଲିପାଇଁ ଖୋରାତ ବନ୍ଦ ହୋଇଯିବ... ।

 

କବାଟ କଣାରେ ମୋଡ଼ି ହୋଇ ନଥ୍‌ କରି ଶୋଇପଡ଼ିଲା ଜକି....

 

ହସିଉଠିଲା କୁମାରୀ ଲୋପାମୁଦ୍ରା...

 

ମଶାର ବାଡ଼ାଟାକୁ ଫିଙ୍ଗିଦେଇ ଆଲ୍‌ସେସିଆନ୍‌ଜକିକୁ ଉଠାଇ ନେଲା ନିଜର ଉଷୁମ ବକ୍ଷ ଆଡ଼େ....

 

ଅବଶ ହୋଇ ଘନ ଘନ ନିଃଶ୍ୱାସ ନେଉଛି ଜକି...

 

ନିଜର ମୁହଁଟାକୁ ଜକିର ମୁହଁରେ ମାଡ଼ିଧରି ଚୁପ୍‌ଚୁପ୍‌ ହୋଇ ଅନେକ କଥା କହୁଛି ଲୋପାମୁଦ୍ରା । ଏ କହିବା ହୁଏତ ଦୀର୍ଘ ସତର ଅଠରଟା ବସନ୍ତର କହିବା । ଧୀରେ ଧୀରେ ଅନେକ କିଛି ବୁଝିବାକୁ ଚେଷ୍ଟାକରୁଛି ଜକି....ଚେଇଁ ଉଠୁଛି ତା’ର ପୁରୁଷାଙ୍ଗ...

 

ସମବେଦନାରେ ଜକି ଚାଟିପକାଉଛି ଲୋପାମୁଦ୍ରାର ଗୌର ମୁଖମଣ୍ଡଳ ।

 

ଅନ୍ୟ ଦିନ ହୋଇଥିଲେ ଏଥିପାଇଁ ଜକିକୁ ଦଣ୍ଡ ଭୋଗ କରିବାକୁ ହୋଇଥାନ୍ତା... । ହେଲେ ଆଜି.... । ନାଁ...ଆଜି ଲୋପାମୁଦ୍ରା ପ୍ରତିବାଦର ଶକ୍ତି ହରାଇଛି । ଠିକ୍‌ ଏମିତି ଏକ ଅବସ୍ଥାରେ ହିଁ ନାରୀ ତା’ର ଶକ୍ତି ହରାଇ ବସେ ।

 

ଦୁର୍ବଳ ମୁହୁର୍ତ୍ତରେ ଦଉଡ଼ିଆ ଖଟିଆ ଉପରେ ଲୋଟିପଡ଼ି ଅବା କୁଆଁର ପୁନେଇଁର ଛପି ଛପିକା ଚନ୍ଦ୍ର କିରଣରେ କେଉଁ ପାଳଗଦା ତଳେ ସାମାନ୍ୟ ସମୟ ପଡ଼ି ରହି ଯେଉଁ ନାରୀ ନିଜର ଜୀବନକୁ ଉପଭୋଗ କରେ ସେହି ନାରୀ ଲୋପାମୁଦ୍ରା....

 

ନାରୀ ଶିକ୍ଷିତା ହୁଏ ସତ...ବୌଦ୍ଧିକ ଶକ୍ତିର ବିକାଶ ଘଟେ ସତ ହେଲେ ପୁରୁଷାଙ୍ଗ ଭିତରେ ଜଡ଼ି ହୋଇ ସେ ଯେଉଁ ମାଦକତା ଉପଭୋଗ କରେ....ସେ ମାଦକତା ରାଜାର କୋଳ ଭିତରେ ଯେତିକି...ଭିକାରୀର କୋଳ ଭିତରେ ସେତିକି ଆଉ ପଶୁର କୋଳ ଭିତରେ ମଧ୍ୟ ତା’ଠାରୁ କମ୍‌ ନୁହେଁ ।

 

ଯେଉଁ ମୁହୁର୍ତ୍ତରେ ମଣିଷ ପଶୁ ହେବାକୁ ଚାହେଁ...ସେ ମୁହୂର୍ତ୍ତରେ ପଶୁ ହିଁ ମଣିଷଠାରୁ ଶ୍ରେଷ୍ଠ...

 

ଏଥର ଧୀରେ ଧୀରେ ଲୋପାମୁଦ୍ରାର ଶକ୍ତି ହ୍ରାସ ହୋଇ ଆସୁଛି । ସେ ଶକ୍ତିକୁ ଫେରାଇ ଆଣିବାପାଇଁ ଚେଷ୍ଟାକରୁଛି ଆଲ୍‌ସେସିଆନ୍‌ଜକି....

 

ଠିକ୍‌ ଏତିକିବେଳେ ଦୁଆର ମୁହଁରେ ଆଘାତ କରୁଛନ୍ତି ଶାନ୍ତନୁ । ହୁଏତ ଲୋପାମୁଦ୍ରାର ଚିତ୍କାରରେ ନିଦ ଭାଙ୍ଗିଯାଇଛି ତାଙ୍କର ।

 

ଟଳି ଟଳି କବାଟ ଖୋଲିଦେଲା ଲୋପାମୁଦ୍ରା....

 

ଲୋପାମୁଦ୍ରାର ମୁହଁକୁ ଘଡ଼ିଏ ଚାହିଁ ରହି ଶାନ୍ତନୁ କହିଲେ—‘‘ଗୋଟିଏ କଦର୍ଯ୍ୟ ସ୍ୱପ୍ନ ଦେଖି ମୁଁ ବିଛଣାରୁ ଉଠି ଆସିଲି ମା ! ସ୍ୱପ୍ନ ଦେଖିଲି ଜକି ତୋତେ ପୂଳା ପୂଳା କରି କାମୁଡ଼ି ପକାଉଛି ।’’

 

ଥରି ଉଠିଲା ଲୋପାମୁଦ୍ରା । ଲଜ୍ଜା ଆଉ ଅପମାନରେ ଭାଙ୍ଗି ପଡ଼ୁଥିଲା ସେ...

 

ପୁଣି ଥରେ ଶାନ୍ତନୁ କହିଲେ—‘‘ହଉ ଯା, ଶାନ୍ତିରେ ଶୋଇ ପଡ଼ିବୁ ମା ! ଆସନ୍ତା କାଲି ସହଳ ସହଳ ବାହାରି ରେଲ୍‌ ଧରିବାକୁ ପଡ଼ିବ ।’’

 

ମୁହଁ ବୁଲାଇ ଲୋପାମୁଦ୍ରା କହିଲା—‘‘ନାଁ ବାପା ! ମୁଁ କାଶ୍ମୀର ଯିବିନି । ମୋତେ ଆପଣ କ୍ଷମା କରନ୍ତୁ... ।’’

 

ଆଶ୍ଚର୍ଯ୍ୟ ହୋଇ ଶାନ୍ତନୁ କହିଲେ—‘‘କିନ୍ତୁ କାହିଁକି ମା ? ଡାକ୍ତରପରା କହିଗଲେ ଯେ ଜଳବାୟୁ ପରିବର୍ତ୍ତନ କଲେ ତୋ ଦେହ ଆରୋଗ୍ୟ ହୋଇଯିବ ?’’

 

ବେଦନାଭରା କଣ୍ଠରେ ଲୋପାମୁଦ୍ରା କହିଲା—!! ହଁ ବାପା ! ମୁଁ ସବୁ ଜାଣେ । କିନ୍ତୁ ମୋ ଦେହର ଆରୋଗ୍ୟ ପାଇଁ କାଶ୍ମୀର ଜଳବାୟୁର ଆବଶ୍ୟକତା ନାହିଁ, ଅଛି ସମ୍ବଲପୁର ଜଳବାୟୁର ।

 

କିଛି ନ ବୁଝିଲାଭଳି ଚାହିଁ ରହିଲେ ଶାନ୍ତନୁ....

 

ଟିକେ ନିଃଶ୍ୱାସ ନେଇ ଲୋପା କହିଲା—‘‘ଆଜି ପର୍ଯ୍ୟନ୍ତ ମୁଁ ଗୋଟାଏ କଥା ଆପଣଙ୍କ ନିକଟରେ ଗୁପ୍ତ ରଖିଛି ବାପା ! ହୁଏତ ସେତିକି କହିଲେ ଆପଣ ଅନୁତାପ କରିବେ, ତଥାପି ଆଜି ମୋତେ ସବୁ କଥା କହିବାକୁ ହେବ ।’’

 

ସାହସ ହେବାଭଳି କହିଲେ ଶାନ୍ତନୁ—‘‘କହ...ଏଥିରେ ସଙ୍କୋଚ କ’ଣ ଅଛି ? କେବେ କ’ଣ ତୋ କଥାରେ ମୁଁ ପ୍ରତିବାଦ କରିଛି ?’’

 

କାନ୍ଥକୁ ଆଉଜିପଡ଼ି ମୁଣ୍ଡ ତଳକୁ କରି ଅଶେଷ ସାହସର ସହିତ କହିଲା ଲୋପାମୁଦ୍ରା–‘‘ସେ ଅନେକ ଦିନର ଇତିହାସ ବାପା ! ତୁମର ହୁଏତ ବେଶ୍‌ମନରେ ଥିବ ଅଧ୍ୟାପକ ହେମକାନ୍ତଙ୍କ କଥା ।’’

 

ମୁଣ୍ଡ ହଲାଇ ଠିଆ ହେଲେ ଶାନ୍ତନୁ ।

 

‘‘ସେହି ହେମକାନ୍ତଙ୍କ ନିକଟରେ ମୁଁ ବାଗ୍‌ଦତ୍ତା ।’’

 

‘‘ଲୋପାମୁଦ୍ରା !!’’ ଚିତ୍କାର କରି ଉଠିଲେ ଶାନ୍ତନୁ....

 

‘‘ମୁଁ ଜାଣେ ବାପା ! କଥାଟାକୁ ଶୁଣିଲେ ତୁମେ ନିଶ୍ଚୟ ଦୁଃଖ କରିବ । କିନ୍ତୁ ଉପାୟହୀନା ମୁଁ’’

 

ପର କଥା ଶୁଣିବାପାଇଁ ମୁଁ ଅପେକ୍ଷା କରି ଠିଆ ହେଲେ ଶାନ୍ତନୁ... ।

 

ହୁଏତ ବେଶ୍‌ ମନେଥିବ ଆପଣଙ୍କର । ପୋକମରା ଔଷଧ ପକାଇବା ପାଇଁ ଆମେ କେତେଜଣ ଯାଇଥିଲୁ ଯାଜପୁର । କ୍ଷେତରେ ଔଷଧ ପକାଉଥିଲୁ ମହା ଉତ୍ସାହରେ । ଏମିତି ସମୟରେ ବିଷାକ୍ତ ବାଷ୍ପଯୋଗୁଁ ମୁଁ ମୂର୍ଚ୍ଛାଯାଏ । ଏଇ ହେମକାନ୍ତ ଅକ୍ଳାନ୍ତ ସେବାକରି ମୋତେ ଆରୋଗ୍ୟ କରନ୍ତି । ଶେଷରେ ସମବେଦନା ଜଣାଇ ତାଙ୍କ କଥାରେ ପ୍ରତିବାଦ ନ କରି ମୁଁ ହୁଏ ବାଗ୍‌ଦତ୍ତା ।

 

ତଳକୁ ମୁହଁ କଲେ ଶାନ୍ତନୁ....

 

ପୁଣି କହିଲା ଲୋପାମୁଦ୍ରା—‘‘ଏଇ ସାହସ ଆଉ ଧୈର୍ଯ୍ୟ ନେଇ ହେମକାନ୍ତ ଆସନ୍ତି ମୋର କୋଠରୀକୁ ନିଜର ଅଧିକାର ସାବ୍ୟସ୍ତ କରିବା ଲାଗି । ହେଲେ ତୁମର ଭବିଷ୍ୟତ ଆଉ ମୋର ନୀତିବାଦର ବୟାନ କରି ମୁଁ ତାଙ୍କୁ ନିଷ୍ଠୁର ଭାବେ ଘଉଡ଼ି ଦିଏ କୋଠରୀ ଭିତରୁ । ପାଗଳ ଭଳି ଫେରିଯାନ୍ତି ହେମକାନ୍ତ । ସେତିକିରେ ମୋର ରାଗ ଶାନ୍ତ ହୁଏନି । ଛାତ୍ରୀ ପ୍ରତି ଅସୌଜନ୍ୟ ବ୍ୟବହାର ଦୋଷ ଦେଇ ମୁଁ ଦରଖାସ୍ତ କରେ କଲେଜ କମିଟିକୁ । ଏଇ ଦରଖାସ୍ତ ବିଚାର ପରେ ହେମକାନ୍ତ ଚାକିରୀ ହରାନ୍ତି....ଆଉ ତା ସହିତ ହରାନ୍ତି ବିଶ୍ୱବିଦ୍ୟାଳୟର ଡ଼ିଗ୍ରୀ ।’’

 

ପରୀ ରାଇଜର କାହାଣୀଭଳି ସବୁ କେବଳ ଶୁଣିଯାଉଥିଲେ ଶାନ୍ତନୁ....

 

ପୁଣି କହିଲା ଲୋପାମୁଦ୍ରା—‘‘ଏଇ ମୋର ରୋଗ ବାପା ! ସେହି ଦିନଠାରୁ ହିଁ ଲଘୁ ବିଷ ପରି ଏ ବିଷ ମୋ ଦେହରେ ଖେଳି ବୁଲିଲା । ନିଜକୁ ନିଜେ ଦୋଷ ଦେଇ ହିଁ ମୁଁ ହୋଇଛି ରୋଗୀ...ପାଗଳୀ । ଏବେ ଅଧ୍ୟାପକ ହେମକାନ୍ତ ଖାଦ୍ୟ ସମସ୍ୟା ଉପରେ ତାଙ୍କର ଥେସିସ୍‌ପାଇଁ ଡ଼କ୍ଟରେଟ୍‌ ପାଇଛନ୍ତି । ପୁଣି ଚାକିରୀ ମଧ୍ୟ ପାଇଛନ୍ତି । ମିଥ୍ୟା ଦୋଷରେ ବରଖାସ୍ତ କରିଥିବା ହେତୁ ବିଶ୍ୱବିଦ୍ୟାଳୟ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ହେମକାନ୍ତ ନିଯୁକ୍ତି ପାଇଛନ୍ତି ସମ୍ବଲପୁର କଲେଜରେ... । ମୋତେ ସେଇଠିକି ଛାଡ଼ିଦିଅନ୍ତୁ ବାପା ! ମୁଁ ନିଶ୍ଚୟ ଭଲ ହୋଇଯିବି ।’’

 

ଦୀର୍ଘ ନିଃଶ୍ୱାସ ପକାଇଲେ ଶାନ୍ତନୁ....

 

ପ୍ରସ୍ତାବ ମନ୍ଦ ନୁହେଁ, ହେମକାନ୍ତ ମଧ୍ୟ ଅପାତ୍ର ନୁହେଁ । ଶାନ୍ତନୁ ଏଥିରେ ବାଧା ଦେବେ କାହିଁକି ? ଝିଅ ଜନ୍ମ କରି ତ ପୁଣି ପରଘରକୁ ଛାଡ଼ିବାକୁ ହେବ.... !!

 

ନିଜର କୋଠରୀକୁ ଫେରି ଯାଉ ଯାଉ ଶାନ୍ତନୁ କହିଲେ—‘‘ମୋର କିଛି ଆପତ୍ତି ନାହିଁ ମା ! ବିନା ଦ୍ୱିଧାରେ ଆସନ୍ତା କାଲି ତୁ ସମ୍ବଲପୁର ଯାଇପାରୁ ।’’

 

ଆନନ୍ଦରେ କୁରୁଳି ଉଠି ନିଜର ବିଛଣା ଉପରେ କଚାଡ଼ି ହୋଇ ପଡ଼ିଲା ଲୋପାମୁଦ୍ରା...-। ହୁଏତ ମନ ଭିତରେ ସେ ଅସଂଖ୍ୟ ଧନ୍ୟବାଦ ଦେଉଥିଲା ବାପାଙ୍କୁ....

 

କଟକ ବସ୍‌ ସମ୍ବଲପୁର ମୋଟର ଷ୍ଟାଣ୍ଡ୍‌ରେ ପହଞ୍ଚିଛି । ବସ୍‌ ଗତିର ଦ୍ୱିଗୁଣ ଗତିରେ ଛୁଟିଚାଲିଛି ଲୋପାମୁଦ୍ରାର ମନ । ବେଳକୁ ବେଳ ଅସ୍ଥିରା ହୋଇ ଉଠୁଛି ସେ । ବସ୍‌ ପହଞ୍ଚିଲା ମାତ୍ରେ ତଳକୁ ଓହ୍ଳାଇ ପଡ଼ିଲା ଲୋପାମୁଦ୍ରା । ତରବରରେ ରିକ୍‌ସା ଖଣ୍ଡେ ଡ଼ାକି କହିଲା—‘‘ଚାଲ୍‌ କଲେଜ କଲୋନୀ ।’’

 

ସମ୍ବଳପୁରର ପିଚୁ ରାସ୍ତାରେ ଗଡ଼ି ଚାଲିଛି ରିକ୍‌ସା...ତା’ ସହିତ ଗଡ଼ିବାରେ ଲାଗିଛି ଲୋପାମୁଦ୍ରାର ଅସୀମ କଳ୍ପନା ।

 

ବିରାଟ ଐତିହାସିକ ସ୍ଥାନ ସମ୍ବଲପୁର । ମା ସମ୍ବଲାଇଙ୍କର ପୀଠସ୍ଥଳୀ । ଅବଶ୍ୟ ମୋଗଲ, ମରଠା, ଇଂରେଜ ଆଦି ନାନାଜାତିର ଲୋକେ ଏଇ ସମ୍ବଲପୁର ମାଟିକୁ ଶାସନ କରି ଯାଇଛନ୍ତି । ତଥାପି ସମ୍ବଲପୁର ରହିଛି...ଅକ୍ଷତ...ଅମର । ଆଜି ହୁଏତ ହୀରାକୁଦର ହୀରା ଭଣ୍ଡାରରୁ ହୀରା ବାହାରୁ ନାହିଁ...ତାମ୍ରଲିପ୍ତର ଉପକଣ୍ଠକୁ ଭାସି ଯାଉନାହିଁ କାର୍ପାସ ଶିଳ୍ପର ସୂକ୍ଷ୍ମାତିସୂକ୍ଷ୍ମ ଚାରୁକଳା..., ତଥାପି..ସ୍ୱାଧୀନତାର ଚରମ ସ୍ୱାଦକୁ ଉପଭୋଗ କରିଛି ସମ୍ବଲପୁର ।

 

ସମ୍ବଲପୁରର ପିଚୁ ରାସ୍ତା କଡ଼େ କଡ଼େ ସୁ-ଉଚ୍ଚ ପ୍ରାସାଦରାଜି ପଛରେ ପଡ଼ି ଯାଉଛି । ଆଗେଇ ଚାଲିଛି ରିକ୍ସା । ଏ ସବୁ ଶୋଭା ହୁଏତ ଆଦି ଦେଖିପାରୁ ନାହିଁ ଲୋପାମୁଦ୍ରା । ସେ ଭାବୁଛି କେବଳ ଜଣକ କଥା...ଅଧ୍ୟାପକ ହେମକାନ୍ତ କଥା...

 

ଆଜି ରବିବାର । କଲେଜ ବନ୍ଦ । ନିଜର କ୍ୱାଟର ଭିତରେ ବିଶ୍ରାମ ନେଉଥିବେ ହେମକାନ୍ତ । କ୍ୱାଟର ସମ୍ମୁଖରେ ପହଞ୍ଚି ଦ୍ୱାର ମୁହଁରେ ଆଘାତ କରିବ ସେ । ବାହାରି ଆସିବେ ହେମକାନ୍ତ । କବାଟ ଖୋଲି ଲୋପାମୁଦ୍ରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ତା’ପରେ....

 

ହଁ...ତା‘ପରେ କାନ୍ଦି କାନ୍ଦି ହେମକାନ୍ତର ପାଦତଳେ ଲୋଟି ପଡ଼ିବ ଲୋପାମୁଦ୍ରା...‘‘ମୋତେ କ୍ଷମା କରନ୍ତୁ...ମୋତେ କ୍ଷମା କରନ୍ତୁ ହେମକାନ୍ତ ବାବୁ...’’

 

ଲୋପାମୁଦ୍ରାର ଅନୁରୋଧ ଶୁଣି ସତେ କ’ଣ ଆଉ ରାଗି ପାରିବେ ହେମକାନ୍ତ... ??

 

ନାଁ...ନାଁ...ହେମକାନ୍ତ ମଣିଷ, ସେ ନିଶ୍ଚୟ ଶୁଣିବେ ଲୋପାମୁଦ୍ରାର ଆକୁଳ ଅନୁରୋଧ....

 

ହଠାତ୍‌ ଲୋପାମୁଦ୍ରାର ଚିନ୍ତାରେ ବାଧା ଦେଇ ରିକ୍‌ସାବାଲା କହିଲା—‘‘ଏଇ ତ କଲେଜ ହୋଇଗଲା ମା ! କୋଉ କ୍ୱାଟରକୁ ଯିବ କୁହ ?’’

 

ଚାହିଁଲା ଲୋପାମୁଦ୍ରା...ସମ୍ମୁଖରେ ସୁ–ଉଚ୍ଚ କଲେଜ ପ୍ରାସାଦ । ଆଖି ପାଉନାହିଁ । ତାହାରି ଭିତରେ ଜଣେ ମଣିଷ ହେମକାନ୍ତ । ଅଲକ୍ଷ୍ୟରେ ପ୍ରଣତି ଜଣାଇବାକୁ ହାତ ଉଠିଥିଲା ଲୋପାମୁଦ୍ରାର । ଆଖି କୋଣରେ ଜକେଇ ଉଠିଲା ବିନ୍ଦୁଏ ଲୁହ... । ପଚାରିଲା ଲୋପାମୁଦ୍ରା...‘‘ଅଧ୍ୟାପକ ହେମକାନ୍ତଙ୍କ କ୍ୱାଟର କେଉଁଟା ଟିକେ କାହାକୁ ପଚାର ରିକ୍‌ସାବାଲା ।’’

 

ହସିଉଠି ରିକ୍‌ସାବାଲା କହିଲା—‘‘ଓ.....ହେମକାନ୍ତଙ୍କ ବସା ? ମୁଁ ଜାଣେ ମା ! ହେଇ ଆରପାଖ ମୁଣ୍ଡରେ । ଗତକାଲି ରାତିରେ ପରା ତାଙ୍କ ଘର ନିମନ୍ତ ହୋଇଥିଲା । ମୁଁ ଖାଇବାକୁ ଯାଇଥିଲି । ଭାରି ବଢ଼ିଆ ଖାଇବା ହେଲା । ବାବୁ ଭାରି ଭଲ ଲୋକ ମା ! ତାଙ୍କ ପାଖରେ ପର ଆପଣା ନାହିଁ...’’

 

ଆଶ୍ୱସ୍ତା ହେଉଥିଲା ଲୋପାମୁଦ୍ରା । ରିକ୍‌ସାବାଲା ମିଛ କହୁନାହିଁ । ହେମକାନ୍ତ ଭଲଲୋକ, ହେମକାନ୍ତ ସ୍ନେହୀ । କିନ୍ତୁ....

 

କିନ୍ତୁ ଏକା ସିନା ସେ ହେମକାନ୍ତଙ୍କୁ ଦୂରେଇ ଦେଇଛି...ଅନ୍ୟମାନେ ତାଙ୍କୁ ଦୂରେଇ ଦେବେ କାହିଁକି ?

 

ହେମକାନ୍ତଙ୍କୁ ପ୍ରଶଂସାକାରୀ ରିକ୍‌ସାବାଲାକୁ ସାବାସ୍‌ଦେବାକୁ ମନେ ମନେ ଚିନ୍ତା କରୁଥିଲା ଲୋପାମୁଦ୍ରା... । ପରମୁହୂର୍ତ୍ତରେ ପୁଣି ଚିନ୍ତାକଲା ସେ...ଗତ କାଲି ରାତିରେ ନିମନ୍ତ ହୋଇଥିଲା... । ହଁ...କେବଳ ଜନ୍ମୋତ୍ସବଟି ନିଜେ ପାଳନ୍ତି ହେମକାନ୍ତ । ହୁଏତ କାଲି ଜନ୍ମବାର୍ଷିକୀ ଅତିକ୍ରାନ୍ତ ହୋଇଛି ।

 

ଲୋପାମୁଦ୍ରା ଆଉ କିଛି ପଚାରିବା ଆଗରୁ ପାଟିକରି ଉଠିଲା ରିକ୍‌ସାବାଲା—‘‘ବସା ହୋଇଗଲା ମା...ଦେଖ...ବାବୁ ନିଶ୍ଚେ ଘରେ ଥିବେ ।’’

 

ରିକ୍‌ସାବାଲା ମୁ ଟଙ୍କାଟିଏ ବଢ଼ାଇ ଦେଉଁ ଦେଉଁ ଏକରକମ୍‌ ରିକ୍‌ସାରୁ ଡ଼େଇଁପଡ଼ି ଘର ଦୁଆର ମୁହଁକୁ ଛୁଟିଗଲା ଲୋପାମୁଦ୍ରା । ଦରଜା ବନ୍ଦ । ହୁଏତ ହେମକାନ୍ତ ବିଶ୍ରାମ ନେଉଛନ୍ତି । ଝଞ୍ଜିର ଦେହରେ ଆଘାତ ଶରୀର... । ବିଗତର ଭୂତଟା ପ୍ରବଳ ଗତିରେ ମାଡ଼ି ବସୁଛି ତାହାର କାନ୍ଧ ଉପରେ... । ତଥାପି ସାହସ ସଞ୍ଚୟ କରି ଶିକୁଳି ଦେହରେ ଆଘାତ କଲା ଲୋପାମୁଦ୍ରା....

 

 

ଘର ଭିତରୁ ଶୁଭିଲା ନାରୀ କଣ୍ଠ—‘‘କିଏ ?’’

 

ନାରୀ କଣ୍ଠ ଶୁଣି ଆଶ୍ଚର୍ଯ୍ୟ ବିମୁଢ଼ ହୋଇ ଠିଆ ହୋଇ ଯାଇଛି ଲୋପାମୁଦ୍ରା....

 

କବାଟ ଖୋଲିବାର ଶବ୍ଦ....

 

ଦୃତଗତିରେ ଆଗେଇ ଚାଲିଛି ଲୋପାମୁଦ୍ରା ଛାତିର ସ୍ପନ୍ଦନ । ଏ ସ୍ପନ୍ଦନକୁ ସତେ ଯେମିତି ଅଳିନ୍ଦ ନିଳୟ ଆଉ ସହ୍ୟ କରି ପାରୁ ନାହିଁ....

 

ଦ୍ୱାର ଖୋଲିଗଲା...

 

ଆତଙ୍କିତା ହୋଇ ଚିତ୍କାର କରିଉଠିଲା ଲୋପାମୁଦ୍ରା—‘‘ଚନ୍ଦ୍ରା ଅପା ! ତୁମେ.... ?’’

 

ଲୋପାମୁଦ୍ରାର ଆତଙ୍କକୁ, କିନ୍ତୁ ଲକ୍ଷ୍ୟ କରି ପାରୁ ନ ଥିଲା ଚନ୍ଦ୍ରାବତୀ । ସହଜଭାବରେ କହିଲା ସେ—‘‘ଲୋପା ! ତୁମେ ଏକା, ବାପା କାହାନ୍ତି.... ?’’

 

କୌଣସି ଉତ୍ତର ନ ଦେଇ ସେମିତି ଠିଆ ହୋଇଥିଲା ଲୋପାମୁଦ୍ରା... ।

 

ପୁଣି ଥରେ ଜୋର ଦେଇ ଚନ୍ଦ୍ରାବତୀ କହିଲା—‘‘ବାପା କାହାଁନ୍ତି ଲୋପା ! ସେ କ’ଣ ଆସିଲେନି ?’’

 

‘‘ମାନେ’’ ଲୋପାମୁଦ୍ରାର ହତାଶ ଅଭିବ୍ୟକ୍ତି....

 

‘‘ଆରେ ତା’ହେଲେ କ’ଣ ତୁମେ ଟେଲିଗ୍ରାମ ପାଇନ ?’’

 

ଚନ୍ଦ୍ରାବତୀ ମନରେ ସନ୍ଦେହର କୁହୁଡ଼ି....

 

‘‘ଟେଲିଗ୍ରାମ !’’ ପ୍ରଶ୍ନ କଲାଭଳି ଉଚ୍ଚାରଣ କଲା ଲୋପାମୁଦ୍ରା....

 

ଏଥର ସମ୍ଭାଳି ନ ପାରି ଅନର୍ଗଳ କହିଚାଲିଲା ଚନ୍ଦ୍ରାବତୀ । ହଁ....ଗତ କାଲି ତିନିଟା ବେଳେ ମୁଁ ଟେଲିଗ୍ରାମ କରିଛି । କ’ଣ କରିବି କହ....ସମୟ ବୋଲି ହାତରେ ଟିକେ ନ ଥିଲା । ଅଚାନକ ଡାକ୍ତର ପରିଜା ଜିଦ୍‌ ଧରି ବସିଲେ...ବିବାହ ଆଜି ହେବ....

 

ଚିହିଁକି ଉଠିଲା ଲୋପାମୁଦ୍ରା....‘‘ବିବାହ ?’’

 

ଆନନ୍ଦ ଅଧୀର ଚିତ୍ତରେ ଲୋପାମୁଦ୍ରା ନିଜ ଛାତିରେ ଜାବୁଡ଼ି ଧରି ଚନ୍ଦ୍ରାବତୀ କହିଲା–‘‘ହଁ ବିବାହ ! ଯାହା ଜୀବନରେ କେବଳ ଥରେ ଆସେ—ସେହି ବିବାହ... । ଗତ କାଲି ମୁଁ ଅଧ୍ୟାପକ ହେମକାନ୍ତଙ୍କୁ ବିବାହ କରିଛି । ଖବର ଦେବାକୁ ସମୟ ନ ଥିଲା । ଟେଲିଗ୍ରାମ କରିଦେଲି-। ତା’ହେଲେ ତୁମେ କ’ଣ ଟେଲିଗ୍ରାମ ପାଇନାଁ... ?’’

 

ଚନ୍ଦ୍ରାବତୀର ଆଲିଙ୍ଗନ ଭିତରୁ ଖସି ଆସି ମୁହଁ ବୁଲାଇ ଚାଲିବାକୁ ଲାଗିଲା ଲୋପାମୁଦ୍ରା....

 

ପଛରୁ ହୁଡ଼ି ପକାଉଥିଲା ଚନ୍ଦ୍ରାବତୀ...‘‘ଲୋପା...ଲୋପା... !! ଏ କ’ଣ ପୁଣି ଫେରିଯାଉଛ କୁଆଡ଼େ ଲୋପା !’’

 

କିଛି ନ ଶୁଣିଲା ପରି ଆଗରୁ ଆଗକୁ ଚାଲି ଯାଉଥିଲା ଲୋପାମୁଦ୍ରା...

 

ପଛରୁ ଦୌଡ଼ି ଯାଇ ଝିଙ୍କି ଧରିବାକୁ ଚେଷ୍ଟା କରୁଥିଲା ଚନ୍ଦ୍ରାବତୀ....‘‘ଏ କ‘ଣ ଲୋପା ! ତୁମ ଚନ୍ଦ୍ରାଅପାର ଖୁସିରେ ତୁମେ କ’ଣ ଖୁସି ହେବନି ? ତା’ଘରେ କ’ଣ ତୁମେ ଦିନୁଟିଏ ରହିବନି । ଯୁଗ ଯୁଗ ଧରି କେବଳ ଚନ୍ଦ୍ରାଅପା ତୁମ ନିକଟରେ ଋଣୀ ରହିଯିବ ??’’

 

ସବୁ ଯୁକ୍ତିକୁ କେବଳ ଫାଙ୍କି ଦେଇ ଚାଲି ଯାଉଥିଲା ଲୋପାମୁଦ୍ରା । ଆଖିକୋଣରୁ ଝରିପଡ଼ୁଥିଲା ବିନ୍ଦୁ ବିନ୍ଦୁ ଲୋତକ

 

ଅସହାୟା ଭଳି ଚାହିଁଛି ଚନ୍ଦ୍ରାବତୀ.....

 

ସମ୍ବଲପୁର ରାସ୍ତାର ଜନଗହଳି ମଧ୍ୟରେ ମିଳେଇଗଲା ଲୋପାମୁଦ୍ରା.... । ଆଉ ଦେଖିପାରୁନି ଚନ୍ଦ୍ରାବତୀ । ଆଖିରେ ଅନ୍ତରାଳକୁ ଚାଲିଯାଇଛି ସେ....

 

କଇଁ କଇଁ ହୋଇ କାନ୍ଦିଉଠି ବସାକୁ ଫେରିଆସିଲା ଚନ୍ଦ୍ରାବତୀ..... ଏଇ ତା’ର ଜୀବନର ଘୋର ପରାଜୟ... । କିନ୍ତୁ କାହିଁକି...କାହିଁକି ଲୋପାମୁଦ୍ରାର ଏ ପ୍ରତିବାଦ... ??

 

ସାମାନ୍ୟ କିଛି ସମୟ ପରେ ବଜାରରୁ ଫେରିଲା ହେମକାନ୍ତ । ଅଚାନକ ଘର–ସଂସାର । ଏଥିପାଇଁ ଆବଶକୀୟ ସରଞ୍ଜାମ କ୍ରୟ କରିବା ଲାଗି ସେ ଯାଇଥିଲା ବଜାର... ।

 

ପାଉଛ ଉପରେ ଗୋଡ଼ ଦେଇ ଚମକି ପଡ଼ିଲା ସେ... । ହଠାତ୍‌ ଅହେତୁକୀ ପ୍ରଶ୍ନ...‘‘ଏ କ’ଣ ଚନ୍ଦ୍ରା ! ତୁମେ କାନ୍ଦୁଛ ଯେ !’’ ଆହୁରି ଆହୁରି କଇଁ କଇଁ ହୋଇ କାନ୍ଦିଲା ଚନ୍ଦ୍ରାବତୀ....

 

ଜିନିଷଗୁଡ଼ିକୁ ସେଇଠି ଫିଙ୍ଗିଦେଇ ଘର ଭିତରକୁ ପଶିଗଲା ହେମକାନ୍ତ । ଚନ୍ଦ୍ରାବତୀର ମୁହଁକୁ ନିଜ କାମିଜରେ ପୋଛି ଦେଉଁ ଦେଉଁ କହିଲା—‘‘କ’ଣ ହେଲା...କ’ଣ ହେଲା ଚନ୍ଦ୍ରା ! ତୁମେ କାନ୍ଦୁଛ କାହିଁକି ?’’

 

ମୁହଁ ଖୋଲିଲା ଚନ୍ଦ୍ରାବତୀ....

 

‘‘ଆଜି ମୋ ଜୀବନର ଘୋର ପରାଜୟ ହେମକାନ୍ତ ବାବୁ ! ଯାହାକୁ ମୋ ନିଜର ଭଉଣୀ ପରି ମୁଁ ଗ୍ରହଣ କରିଥିଲି, ସେ ମୋ ବିବାହ କଥା ଶୁଣି ମୁହୂର୍ତ୍ତେ ସୁଦ୍ଧା ମୋ ପାଖରେ ରହିଲାନି । ମୋତେ ହତାଦର କରି ଚାଲିଗଲା ।’’

 

ଟିକେ ବ୍ୟସ୍ତ ହୋଇ ହେମକାନ୍ତ କହିଲା—‘‘କିଏ..କିଏ ସେ ଚନ୍ଦ୍ରାବତୀ ? କୁହ...ମୁଁ ତାଙ୍କୁ ପୁଣି ଜୋରକରି ଫେରାଇ ଆଣିବି.... ।’’

 

‘‘ପାରିବେ....ପାରିବେ ହେମକାନ୍ତ ବାବୁ ?? ସେ ହେଉଚି କଟକର ବିଖ୍ୟାତ ବାରିଷ୍ଟର ଶାନ୍ତନୁ ଆଚାର୍ଯ୍ୟଙ୍କର କନ୍ୟା ଲୋପାମୁଦ୍ରା । ଏଇ ଶାନ୍ତନୁ ବାବୁଙ୍କ ପାଇଁ ହିଁ ମୁଁ ଆଜି ମଣିଷ.... । ସେ ମୋର ଧର୍ମର ବାପା...’’ ।

 

ଚମକି ଉଠି କ୍ଷଣକାଳ ସ୍ଥିର ହୋଇଗଲା ହେମକାନ୍ତ...ଆଶ୍ଚର୍ଯ୍ୟ ହୋଇ ପଚାରିଲା...‘‘ଲୋପାମୁଦ୍ରା କ’ଣ ଏ ବସାକୁ ଆସିଥିଲା...’’

 

‘‘ହଁ ହେମକାନ୍ତ ବାବୁ ! ଆସିଥିଲେ, କିନ୍ତୁ ଫେରିଗଲେ ଠିକ୍‌ ନ ଆସିବା ଭଳି ।’’

 

ଦୀର୍ଘ ପିଃଶ୍ୱାସ ପକାଇ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲା ହେମାକନ୍ତ...

 

ବାଧା ଦେଇ କହିଲା ଚନ୍ଦ୍ରାବତୀ—‘‘ତୁମେ କ’ଣ ତାଙ୍କୁ ଫେରାଇ ଆଣି ପାରିବନି ହେମକାନ୍ତ ବାବୁ ?’’

 

ନିଷ୍ଠୁର ଭାବେ ଗର୍ଜିଉଠି ହେମକାନ୍ତ କହିଲା—‘‘ନାଁ ଚନ୍ଦ୍ରାବତୀ...ଲୋପାମୁଦ୍ରା ହିଁ ଠିକ୍‌ଏମିତି ଫେରିଯିବା ଉଚିତ ।’’

 

‘‘କିନ୍ତୁ କାହିଁକି...କାହିଁକି ହେମକାନ୍ତ ବାବୁ !’’ ଚନ୍ଦ୍ରାବତୀର ଛାତିରେ କରୁଣତାର ଝଡ଼....

 

ହଠାତ୍‌ ଗମ୍ଭୀର ହୋଇଉଠି ହେମକାନ୍ତ କହିଲା—‘‘ଏଇ ସେହି କଲେଜ ଛାତ୍ରୀ...ଯାହା ସମଗ୍ର ବିଶ୍ୱବିଦ୍ୟାଳୟରେ ମୁଁ ଜଣେ କୁଖ୍ୟାତି ଅଧ୍ୟାପକ । ଆଉ ଏହି ସେହି ପ୍ରେମିକା ଯିଏ ମୋତେ ତା’ ହାରରୁ ଫେରାଇ ଦେଇଥିଲା ଆଘାତ କରି ।’’

 

ଆହୁରି ଜୋରରେ କାନ୍ଦିବାକୁ ଲାଗିଲା ଚନ୍ଦ୍ରାବତୀ ‘‘ନାଁ...ନାଁ, ହେମକାନ୍ତ ବାବୁ ! ମୋ ଲୋପା ଖରାପ ଝିଅ ହୋଇ ପାରେନା । ତୁମର—ଆଗରୁ ଏ କଥା କହିବା ଉଚିତ ଥିଲା ହେମକାନ୍ତ ବାବୁ । ତୁମେ ଭୁଲ୍‌ କରିଛ..ତୁମେ ପାପ କରିଛ । ଏ ବାରବୁଲା ରିଫୁଇଜି ବାଳିକାକୁ ଛାଡ଼ି ତୁମେ ପୁଣି ଲୋପାକୁ ଗ୍ରହଣ କର ହେମକାନ୍ତ ବାବୁ ! ମୁଁ ଖୁବ୍‌ ଖୁସି ହେବି । ମୁଁ ଖୁବ୍‌ ଆନନ୍ଦିତ ହେବି.... । କହିବ ତ ଆଜୀବନ ତୁମର ଦାସୀ ହୋଇ ତୁମ ପାଦତଳେ ଖଟିବି । କିନ୍ତୁ ଶେଷରେ ଖାଲି ଗୋଟିଏ ଅନୁରୋଧ—ତୁମେ ଲୋପାକୁ ଗ୍ରହଣ କର । ନ ହେଲେ ମୋ ପ୍ରାଣ ଡହଳ ବିକଳ ହୋଇ ଛାଡ଼ିଯିବ ।’’

 

ହସିଲା ହେମକାନ୍ତ—‘‘ସବୁ ବୁଝୁଛି ଚନ୍ଦ୍ରାବତୀ..ଯେଉଁ ବିନ୍ଦୁଏ ନିଆଁର ଭୋକ ପାଇଁ ତୁମେ ଆଜି ପାଗଳୀ...ସେହି ବିନ୍ଦୁଏ ନିଆଁର ଭୋକରେ ମଧ୍ୟ ଲୋପାମୁଦ୍ରା ପାଗଳୀ । ତେଣୁ ତୁମେ ଆଉ ତାଙ୍କ ଭିତରେ ପ୍ରଭେଦ କ’ଣ ଅଛି ? କେଉଁ ଗୁଣରେ ବା ସେ ତୁମଠାରୁ ଉତ୍ତମ ? ତୁମେ କ’ଣ କଦାପି ମୋ ନିକଟରୁ ଦୂରେଇ ଯିବାକୁ ଇଚ୍ଛାକର ଚନ୍ଦ୍ରାବତୀ... ??’’

 

କାତର ହୋଇ ହେମକାନ୍ତକୁ କୁଣ୍ଢାଇ ପକାଇ କହିଲା ଚନ୍ଦ୍ରାବତୀ—‘‘ନାଁ...ନାଁ...ଏ ଯେ ମୋର ଅସୀମ ତପସ୍ୟାର ଫଳ... । ମୁଁ କ‘ଣ କଦାପି ତୁମ ନିକଟରୁ ଦୂରେଇ ରହିପାରେ ?’’

 

ଚନ୍ଦ୍ରାବତୀର ବିନ୍ଦୁ ବିନ୍ଦୁ ଲୋତକରେ ଭିଜି ଯାଉଥିଲା ହେମକାନ୍ତର...ବକ୍ଷସ୍ଥଳ....

 

ଠିକ୍‌ ଏତେବେଳକୁ ସୂର୍ଯ୍ୟାସ୍ତର ବର୍ଣ୍ଣାଢ଼୍ୟ ଆଲୋକ ଜମାଟବାନ୍ଧି ଉଠୁଥିଲା ସମ୍ବଲପୁର କଲେଜର ତ୍ରିତଳ ପ୍ରାସାଦ ଉପରେ ।

 

ଜ ୟ ହି ନ୍ଦ୍‌

Image